T.Durga Prasad Rao

Children Stories Romance

3  

T.Durga Prasad Rao

Children Stories Romance

ଦ୍ୟୁତିକାୟା

ଦ୍ୟୁତିକାୟା

8 mins
300



ହଠାତ୍ ଶୁଣିବାକୁ ପାଇଲି ବାଳୁଙ୍ଗା ସପ୍ତମ ଫେଲ୍ ଡୁଲୁନନାର ଜେଜେ ମରିଗଲେ। ଦିନଟା ବିଷାଦରେ କଟିଲା। ଡୁଲୁନନାର ଜେଜେଙ୍କ ବିୟୋଗରେ ମୋ ମନଟା କାହିଁକି କେଜାଣି ବେଜାଏ ଦୁଃଖୀ ହୋଇ ଯାଇଥିଲା। ଅବଶ୍ୟ ଗାଁ ଛାଡ଼ିବାର ମୋର ପାଖାପାଖି ସାତ ବର୍ଷ ହୋଇଗଲାଣି ଏବଂ ଏଇ ସମୟ ସୀମା ମଧ୍ୟରେ ମୁଁ କ୍ୱଚିତ୍ ଗାଁକୁ ଯାଇଛି ଆଉ ଜେଜେଙ୍କ ପାଖରେ ବସିଛି। କିନ୍ତୁ ଦିନ ଥିଲା ଆମ ପିଲା ଦଳଙ୍କ ଖଟିରେ ଡୁଲୁନନାର ଜେଜେ ଥିଲେ ଏକମାତ୍ର ବୟସ୍କ। ସନ୍ଧ୍ୟା ହେଲେ ଆମେ ସବୁ ଡୁଲୁନନାଙ୍କ ଘରେ ଡେରା ଜମଉଥିଲୁ। ବିଭିନ୍ନ ପ୍ରକାର କଥୋପକଥନ, ଆଲୋଚନା, ପର୍ଯ୍ୟାଲୋଚନା ଓ ଯୁକ୍ତିତର୍କ ମଧ୍ୟରେ ଜେଜେଙ୍କ ଓଠରୁ ନିତି ନୂଆ ନୂଆ ଭାବ ଓ ରୋମାଞ୍ଚଭରା ଗଳ୍ପ ଥିଲା ଆମର ବିଶେଷ ଆକର୍ଷଣ। ତାଙ୍କ ଗପଥଳୀରେ ଥିଲା ବିଭିନ୍ନ କିସମର ଗଳ୍ପ, ଭିନ୍ନ ଭିନ୍ନ ରାଇଜର ଲୋକ କଥା, ପରୀ କଥା। ତାଙ୍କ କହିବା ଶୈଳୀରେ କି ଆକର୍ଷଣ ଥିଲା କେଜାଣି ବେଳକୁ ବେଳ ଆମର ଆଗ୍ରହ ବୃଦ୍ଧି ପାଉଥିଲା। ଜେଜେ କେଉଁଠି ଅଳ୍ପ ସମୟ ଅଟକିଗଲେ, ତତ୍ କ୍ଷଣାତ୍ ଆମ ପାଟିରୁ ବାହାରି ଆସୁଥିଲା, “ତାପରେ...”। ଜେଜେଙ୍କର ଗୋଟିଏ ଗଳ୍ପ ମୋ ମନକୁ ଅନେକ ଦିନ ପର୍ଯ୍ୟନ୍ତ ଆଚ୍ଛନ୍ନ କରି ରଖିଲା। ସ୍ୱପ୍ନରେ ମଧ୍ୟ ବେଳେ ବେଳେ ମୁଁ ସେ ଗଳ୍ପର ନାୟିକାକୁ ଦେଖି ଚମକି ନିଦରୁ ଉଠି ବସୁଥିଲି।

ଜେଜେ ଗପି ଚାଲିଥିଲେ...


ସାନ୍ଦୋଳୀ ରାଜ୍ୟର ରାଜକୁମାରୀ। ଶରୀର ତାର ଗୋଟିଏ ଚାଉଳରେ ଗଢ଼ା। ଅଙ୍ଗ ଅବୟବର ଗଢ଼ଣ ଯେମିତି, ତ୍ୱକ୍ ର ବର୍ଣ୍ଣ ବି ସେମିତି। ହଳଦୀ ଗୁରୁ ଗୁରୁ ଉଜ୍ଜଳ। ଅମାବାସ୍ୟାର ନିରନ୍ଧ୍ର ଅନ୍ଧକାର ରାତିରେ ବି ଝଟକୁଥାଏ ତା ଶରୀର। ଆଖି ଦୁଇଟି ଉତ୍ତେଜିତ ଆଉ ତେଜୋଦୀପ୍ତ ଦିଶେ। ଏମିତି କୌଣସି ରାଜକୁମାର ନ ଥିଲେ ଯେ ତାକୁ ପାଇବା ପାଇଁ ଲାଳାୟିତ ନ ଥିଲେ। ଅନେକ ଦୂର ଦୂରାନ୍ତର ରାଜ୍ୟରୁ ରାଜକୁମାରୀଙ୍କ ବିବାହ ପାଇଁ ପ୍ରସ୍ତାବ ସବୁ ଆସିବାକୁ ଲାଗିଲା। ଏକରୁ ଆରେକ ବଳି ଯୋଦ୍ଧା ରାଜକୁମାରୀଙ୍କ ସୌନ୍ଦର୍ଯ୍ୟରେ ମୁହ୍ୟମାଣ ହୋଇ ସ୍ୱପ୍ନ ରାଜ୍ୟରେ ବିଚରଣ କଲେ। ମହାରାଜ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଲେ ଯେ ମୟାଙ୍କ ରାଜ୍ୟର ସମ୍ରାଟ୍ ସାନ୍ଦୋଳୀ ରାଜ୍ୟ ଆକ୍ରମଣର ପ୍ରସ୍ତୁତି ଚଳାଇଛନ୍ତି ଖାସ୍ ରାଜକୁମାରୀଙ୍କୁ ପାଇବା ଲକ୍ଷ୍ୟରେ। ମହାରାଜ ତରବରିଆ ଭାବରେ ରାଜକୁମାରୀଙ୍କ ସ୍ୱୟଂବରର ଆୟୋଜନ କଲେ। ସେତେବେଳକୁ ରାଜକୁମାରୀଙ୍କୁ ମାତ୍ର ସତର ବର୍ଷ ବୟସ। ରାଜଜ୍ୟୋତିଷ ମହାରାଜଙ୍କୁ ତାଗିଦ୍ କରି କହୁଥାନ୍ତି, “ମଣିମା, ରାଜକୁମାରୀଙ୍କର ସ୍ୱୟଂବରର ପ୍ରକୃଷ୍ଟ ସମୟ ଆସିନାହିଁ ଏ ଯାବତ୍। ଗଣନା ଅନୁସାରେ ରାଜକୁମାରୀଙ୍କର ଚବିଶି ବର୍ଷ ଯାଏଁ ବିବାହ ସୁଖ ନାହିଁ। ସେ ଯେ ଦ୍ୟୁତିକାୟା।”


- ଦ୍ୟୁତିକାୟା! ଏକ ସଙ୍ଗରେ ଆମମାନଙ୍କ ପାଟିରୁ ବିସ୍ମୟ ଚକିତ ବାହାରି ଆସିଥିଲା ଶବ୍ଦଟି।

ଜେଜେ ବୁଝାଇ କହିଲେ, “ହଁ ଦ୍ୟୁତିକାୟା। ଏମିତି କୋଟିଏରେ ଗୋଟିଏ କନ୍ୟା ଥାଆନ୍ତି, ଯେଉଁମାନଙ୍କ ଶରୀରରୁ ରାତିର ଅନ୍ଧକାରକୁ ତାଳ ଦେଇ ତେଜ ଉତ୍ପନ୍ନ ହୁଏ ଏବଂ ବେଳକୁ ବେଳ ତାହା ବୃଦ୍ଧି ପାଇବାରେ ଲାଗେ। ବେଳେ ବେଳେ ମନେ ହେବ, ଶରୀର ତାଙ୍କର ସତେକି ନିଆଁରେ ଦାଉ ଦାଉ ହୋଇ ଜଳି ଉଠୁଛି। ଆଉ ସେ ସମୟରେ ଯେ କେହି ବି ତାଙ୍କୁ ସ୍ପର୍ଶ କରିବ, ତାର ମରଣ ସୁନିଶ୍ଚିତ।”


ଜେଜେଙ୍କର ସେ ଆଖି ବଡ଼ ବଡ଼ କରି ହାତ ହଲାଇ କହିବା ଶୈଳୀରେ ଆମେ ସବୁ ସାଙ୍ଗମାନେ ଭୟଭୀତ ହୋଇ ଲାଗି ଆସିଥିଲୁ ଜେଜେଙ୍କ ପାଖକୁ। ଆଜି ସେସବୁ କଥା ଭାବିଲେ ଭୟ ନୁହଁ, ଏକ ଆମୋଦ ଲାଗିଆସେ ମନକୁ ଏବଂ ବଙ୍କିମ ହସଟିଏ ଆପେ ସଞ୍ଚରିଯାଏ ଓଠ ତଳେ। ପ୍ରକୃତରେ ପିଲାମାନଙ୍କୁ ତାଙ୍କ କଳ୍ପନାର ଭୁଲଭୁଲେୟାଁରେ ବାନ୍ଧି ରଖିବାରେ ଜେଜେ ସବୁ ସମୟରେ ସଫଳକାମୀ ଥିଲେ। ସନ୍ଧ୍ୟା ହେଲେ ଏମିତି ପିଲାମାନଙ୍କୁ ନିଜ ଚାରିପାଖେ ଜମେଇ ରଖିବା କୌଶଳ ବୋଧେ ଗାଁର ଆଉ କେଉଁ ବୟୋବୃଦ୍ଧଙ୍କ ପାଖରେ ନ ଥିଲା। କହିବା ବାହୁଲ୍ୟ, ମହାରାଜ ରାଜଜ୍ୟୋତିଷଙ୍କ କଥାକୁ ଅଣଶୁଣା କରି ସ୍ୱୟଂବର ରଚିଲେ ଆଉ ରାଜକୁମାରୀ ଯେଉଁ ରାଜକୁମାରଙ୍କୁ ସ୍ୱୟଂବରରେ ବର ରୂପେ ମନୋନୀତ କଲେ ଆଉ ବିବାହ କଲେ, ଚଉଠି ରାତିରେ ତାଙ୍କ ଶରୀରରୁ ନିର୍ଗତ ତେଜରେ ସେ ରାଜକୁମାର ଭସ୍ମୀଭୁତ ହୋଇଗଲେ। ହାଓ ଫାଣ୍ଟାଷ୍ଟିକ୍!

ଡୁଲୁନନାର ଜେଜେଙ୍କ ବିୟୋଗର କିଛି ଦିନ ଅନ୍ତେ ମୋର ଏକ ବନ୍ଧୁଙ୍କ ନିମନ୍ତ୍ରଣ ଏଡ଼େଇ ନ ପାରି ତାଙ୍କ ଭଗ୍ନୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ନିମନ୍ତେ ଆମ ଗାଁ ନିକଟ ପ୍ରତାପୁର ଯିବାକୁ ପଡ଼ିଲା। ମୋ ସାଙ୍ଗରେ ଥିଲା ମୋ ରୁମ୍ ମେଟ୍ ଅଖିଳେଶ। ଦୁହେଁ ସାଙ୍ଗ ହୋଇ ବାହାରିଲୁ ପ୍ରତାପୁର। ବନ୍ଧୁଙ୍କ ନିମନ୍ତ୍ରଣର ମୋହ ମୋର ଯେତିକି ନ ଥିଲା, ତା ଠାରୁ ବେଶୀ ଆକର୍ଷଣ ଥିଲା ସେ ଗାଁର ମୋ କଲେଜ କ୍ଳାସ୍ ମେଟ୍ ରୁବି। ଗାଁରେ ରହି ମଧ୍ୟ ମଡର୍ଣ୍ଣ ଓ ଫରୱାର୍ଡ୍। କଲେଜ କ୍ୱିନ୍, ସବୁ ପୁଅଙ୍କ ଇପ୍ସିତା। ତଥାପି କଲେଜ ପଢ଼ା ଶେଷ ହେବା ପର୍ଯ୍ୟନ୍ତ ତାର କେହି ବୟଫ୍ରେଣ୍ଡ୍ ନ ଥିଲେ। ଆଶ୍ଚର୍ଯ୍ୟ! ବେଳେ ବେଳେ ମୋର ମନେ ହୁଏ, ମୁଁ ମଧ୍ୟ ହୁଏତ ସେ ସମୟରେ ତା ଚାଲି, ଠାଣି ଓ କଥାବାର୍ତ୍ତାର ଆଦବ କାଇଦାରେ ଫ୍ଲାଟ୍ ହୋଇ ଯାଇଥିଲି। ତେବେ ଶେଷ ପର୍ଯ୍ୟନ୍ତ ତାକୁ କହି ପାରିଲି ନାହିଁ କି ତା ମନକଥା ମଧ୍ୟ ଜାଣିପାରିଲି ନାହିଁ। ପଢ଼ା ସରୁ ସରୁ ଯେତିକି ଶୀଘ୍ର ରୁବି ବିବାହ କଲା, ସେତେ ଶୀଘ୍ର ବିଧବା ବି ହୋଇଗଲା। ତା ସ୍ୱାମୀର ମୃତ୍ୟୁର କାରଣ ଅବଶ୍ୟ ମୋତେ ଅଜଣା। ରୁବି ଭଳି ମଡର୍ଣ୍ଣ ଝିଅଟିଏ ପୁନର୍ବିବାହ ନ କରି କାହିଁକି ଯେ ଚୁପ୍ ବସିଛି ତା ବି ମୋ ମଗଜର ବୁଝିବା ବାହାରେ।


ବିବାହର ଗହଳ ଚହଳ ମଧ୍ୟରେ ମୋର ଆଖି ଦୁଇଟି ରୁବିକୁ ଖୋଜି ହେଉଥିଲା। ଗାଁ ଭିତରେ ତା ଘରଟା କେଉଁଠି, କାହାକୁ ପଚାରି ବୁଝିବାକୁ ମଧ୍ୟ ମୋତେ କେମିତି ଅକୱାର୍ଡ୍ ମନେ ହେଉଥିଲା। ଯେଉଁ ଜାଗାରେ ବିବାହ ହେଉଥିଲା, ତାର ପରବର୍ତ୍ତୀ ସାହିର ଶେଷ ମୁଣ୍ଡରେ ଅଖିଳେଶ ଓ ମୋ ପାଇଁ ରହିବା, ଶୋଇବାର ବନ୍ଦୋବସ୍ତ ହୋଇଥିଲା। ଆଉ ଆମେ ଦିନ ତମାମ, ସେଇ ଘରଠାରୁ ବିବାହ ସ୍ଥଳ ଯାଏଁ ଅନେକ ଥର ଏପାଖ ସେପାଖ ହେଉଥିଲୁ। ଖାଇ ସାରିବା ପରେ ପରେ ପଥକ୍ଳାନ୍ତ ହେତୁ ମୋତେ ନିଦ ମାଡ଼ି ଆସିଲା। ମୋର ଆଉ ବିବାହ ଦେଖିବାର ଧୈର୍ଯ୍ୟ ନ ଥିଲା। ଅଖିଳେଶକୁ କହିଦେଇ ମୁଁ ଉଠି ଆସିଲି ବେଦୀ ପାଖରୁ। ଆମ ରହଣୀ ପାଇଁ ଉଦ୍ଦିଷ୍ଟ ବସା ପାଖ ଟିକିଏ ଶୁନ୍ ଶାନ୍ ଲାଗୁଥାଏ। ଅବଶ୍ୟ ମାଇକ୍.ରୁ ବିବାହ ମନ୍ତ୍ର ଆଦି ଶୁଭୁଥାଏ ସେ ପର୍ଯ୍ୟନ୍ତ। ବାସ୍ ସେତିକି। ଅନ୍ୟ କୋଳାହଳ କିଛି ନାହିଁ। ଯେହେତୁ ଗାଁର ଅଧିକାଂଶ ଲୋକ ବିବାହ ଅନୁଷ୍ଠାନ ନିକଟରେ, କିଛି କିଛି ଘର ବାହାରେ ତାଲା ମଧ୍ୟ ଝୁଲୁଥିବ, ମୁଁ ଅନୁମାନ କରୁଥିଲି। ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଘର ପାଖାପାଖି ହୋଇଛି ମନେ ପଡ଼ିଲା ଚାବି ତ ମୋ ପାଖରେ ନାହିଁ। ଏବେ କରେ କଣ? ପୁଣି ବିବାହ ସ୍ଥଳକୁ ଫେରି ଅଖିଳେଶ ଠାରୁ ଚାବି ନେଇ ଆସିବାର ସ୍ପୃହା ମନରେ ଆଉ ନ ଥିଲା। ଚାବି ନ ଥିବା ସତ୍ତ୍ୱେ ପାଦେ ପାଦେ କରି ଘର ଆଡେ ଅଗ୍ରସର ହେଲି। ଘର ପାର୍ଶ୍ୱର କୂଅମୂଳେ ନଜରରେ ପଡ଼ିଲା ଅଧା ଅନ୍ଧାର ଓ ଅଧା ଆଲୁଅ ଭିତରେ କେହି ଜଣେ ବସିଛି। ଝିଅଟିଏ ନିଶ୍ଚୟ। କୂଅମୂଳେ କେଉଁଠୁ କେମିତି ଜହ୍ନରାତି ପରି ଫାଳେ ଆଲୁଅ ପଡ଼ିଛି ବିଛାଡ଼ି ହୋଇ। ପାଖକୁ ଗଲା ପରେ ମୁହଁଟା ଚିହ୍ନା ଚିହ୍ନା ମନେ ହେଲା। ଆରେ, ଏ ତ ରୁବି ପରି ଲାଗୁଛି। ହଁ, ରୁବି ତ।

- ରୁବି ତମେ ନା?

ହଠାତ୍ ମୋ କଥାରେ ଝିଅଟି ଅନ୍ୟମନସ୍କତାରୁ ଫେରି ମୋ ଆଡ଼େ ଚାହିଁଲା।

- ଟୁଟୁ ତମେ? ଏଇଠି? ଆଖିରେ ତାର ଅବିଶ୍ୱାସ। ମୁଁ ଆଶ୍ୱସ୍ତ ହେଲା ପରି ରୁବି ବସିଥିବା ଜାଗାକୁ ଲାଗି ଆଉ ଏକ ବାଲ୍.ଟି ଟାଣି ତାକୁ ଓଲଟାଇ ତା ଉପରେ ବସିପଡ଼ିଲି। ରୁବି ବସିଥିଲା ଅନ୍ୟ ଏକ ବାଲ୍.ଟି ଉପରେ। ପାଦ ଦୁଇଟିକୁ ଗୋଟିଏ ପାଣି ଭର୍ତ୍ତି ସିମେଣ୍ଟ୍ କୁଣ୍ଡ ଭିତରେ ପୁରାଇ ଚବ ଚବ କରୁଥିଲା।

- ଅନେକ ଦିନ ପରେ ଦେଖା। ପାଖା ପାଖି ତିନି ଚାରି ବର୍ଷ ହେଇଯିବନା? କିନ୍ତୁ ତମେ ଏଇଠି? ରୁବି ପୁଣି ଥରେ ଦୋହରାଇଲା ତା ପ୍ରଶ୍ନ। ମୁଁ କହିଲି, “ପ୍ରଭାର ଭଉଣୀର ଆଜି ବାହାଘର, ସେଇ ନିମନ୍ତ୍ରଣ ପାଇ ଅଖିଳେଶ ଆଉ ମୁଁ... ”

- ଆଛା, ଅଖିଳେଶ ମଧ୍ୟ ଆସିଛି? ରୁବିର କଣ୍ଠସ୍ୱରରେ ଆଗ୍ରହ।

- ହଁ, ଆମେ ଆସିଲୁଣି ଖରାବେଳ... ବୋଧହୁଏ ବାରଟା ପାଖାପାଖି ହେବ। ମୁଁ ଜାଣେ ତମ ଘରଟା ଏଇ ଗାଁରେ। ହେଲେ, ଏକ୍.ଜାକ୍ଟ.ଲି କେଉଁଠି ଜାଣିନି।

- ହେଇ ପରା... ଏଇଟା ଆମ ଘର। ଏ କୂଅ ମଧ୍ୟ ଆମର। ସେପାଖ ଘର ଦେଖୁଛ... ସେଇଟା ମଧ୍ୟ ଆମର। ରୁବି ଆମ ରହଣୀ ପାଇଁ ଉଦ୍ଦିଷ୍ଟ ବସାକୁ ଦେଖାଇ କହିଲା। ମୁଁ କହିଲି, “ଆମେ ତ ଏଇଠି ଅଛୁ ଏ ଗାଁରେ ଓହ୍ଲାଇବା ପରଠୁଁ, କାହିଁ ତମକୁ ତ ଦେଖି ପାରିଲିନି?”

- ଓ, ଆଛା, ତାହେଲେ ତମକୁ ଆମ ଘରଟା ବସାଉଠା ପାଇଁ ଦେଇଛନ୍ତି। ଭଲ ହେଲା। ମୁଁ କେମିତି ଆଉ ଜାଣିବି ତମେ ଦୁହେଁ ଆସିଛ ବୋଲି?

- ତମକୁ କଣ ନିମନ୍ତ୍ରଣ ହେଇନି?

- ମୁଁ ଫଙ୍କସନ୍.କୁ ଯାଇନି କାହିଁକି ପଚାରୁଛ ତ? ତମେ କଣ ଜାଣିନା, ମୋର ଶୁଭ କାର୍ଯ୍ୟରେ ଉପସ୍ଥିତି ମନା ବୋଲି? ବାପା ବୋଉ ଯାଇଛନ୍ତି। ଭାଇ ତ ଚାରି ପାଞ୍ଚ ଦିନ ହେଲା ବାହାଘରର ସବୁ କଥା ବୁଝୁଛି।

- ମାନେ, ତମେ ଏବେ ଘରେ ଏକୁଟିଆ?

- ହଁ, ଖାଲି ଘରେ ନୁହେଁ, ଏ ସାହିଟା ଯାକ କେହି ନ ଥିବେ କାହା ଘରେ। ସବୁ ସେଇ ବାହାବେଦୀ ପାଖରେ। ଆଛା, ସେକଥା ଛାଡ଼। ତମ କଥା କୁହ। କଣ କରୁଛ ଆଜିକାଲି?

- ମୋ କଥା? ମୋର କଣ ଅଛି। ୱହି ପ୍ରିପାରେସନ୍ ଏଣ୍ଡ୍ ପ୍ରିପାରେସନ୍, ବଟ୍ ଲାଇଫ୍.ମେ ନୋ ସକ୍.ସେସ୍, ନୋ ଟର୍ନ।

- ମାନେ, ବେକାର? ରୁବି ମୃଦୁ ହସି କହିଲା।

- ହଁ, ଏପର୍ଯ୍ୟନ୍ତ ତ ସେୟା।

- ତମକୁ ଦେଖି କିନ୍ତୁ ମନେ ହେଉନଥିଲା, ତମେ ଏତେଦିନ ବେକାର ରହିବ ବୋଲି। ମୁଁ ତ ଭାବୁଥିଲି, ପଢ଼ା ସରିଲା ମାନେ ତମ ପାଇଁ ସବୁ ଗଭମେଣ୍ଟ୍ ଡିପାର୍ଟ୍.ମେଣ୍ଟ୍ ଚାକିରୀ ଦେବାକୁ ଅନେଇ ବସିଥିବେ।

- ମୋ ପାଇଁ ତମର ଏ ପଜିଟିଭିଟି ମୋତେ ଆମୋଦିତ କଲା। ଧନ୍ୟ ହେଇଗଲି। ମୁଁ ଟିକିଏ ନାଟକୀୟ ଭଙ୍ଗୀରେ ଉତ୍ତର ଦେଲି।

- ନା, ମୁଁ ମିଛ କହୁନି। କାହିଁକି କେଜାଣି, ତମକୁ ଦେଖିଲେ ମୋ ମନରେ ଏଇଭଳି ଧାରଣାଟିଏ ଉତ୍ପନ୍ନ ହେଉଥିଲା। କାରଣ ତମେ ଥିଲ କଲେଜର ସବୁ ରାଜନୀତି ଆଉ ଦୁଷ୍ଟାମୀରୁ ଦୂରରେ... ସୁନା ପିଲା ଯାହାକୁ କହନ୍ତି।

- ଆଉ ତମେ? କଲେଜ୍ କ୍ୱିନ୍? ସବୁ ପୁଅ ଯାହାକୁ କେବଳ ଦେଖି ଦେଖି ନଷ୍ଟ ହେଇ ଯାଉଥିଲେ।

- ସତେ ନା କଣ? ରୁବି ଆଗ୍ରହର ସହିତ ଚାହିଁଲା ମୋ ଆଡ଼େ। ତା ଆଖିରେ ବିଚିତ୍ର ଏକ ଉଜ୍ଜଳତା।

- ତମେ ଜାଣିନ, ସେଇ ଧାଡ଼ିରେ ମୁଁ ମଧ୍ୟ କେଉଁଠି ଗୋଟେ ଠିଆ ହୋଇଥିଲି।

- ଆଁ, ତମେ ବି?

- ହୁଁ, ବୋଧହୁଏ ସବା ଶେଷରେ। ସେଇଥିପାଇଁ ତମ ଆଖି ମୋ ଉପରେ ପଡ଼ିଲା ନାହିଁ।

ରୁବି ଆଖି ଚୋରେଇ ନେଲା। ତଳକୁ ମୁହଁ ପୋତି କହିଲା, “ମୋର କାହାରି ଉପରେ ଆଖି ନ ଥିଲା।”

- ମୁଁ ଜାଣେ। ମଜାରେ କହିଲି।

- ମୋର କିନ୍ତୁ ତମ ଉପରେ ଯେଉଁ ଇମ୍ପ୍ରେସନ୍ ଥିଲା ତାହା ନଷ୍ଟ ହେଇଗଲା। ମୁଁ ତମକୁ କଣ ଭାବୁଥିଲି, ଆଉ... ଶେଷରେ ତମେ ବି? ରୁବି ହସିଲା। ହସ ସହ ରୁବିର ମୁହଁଟା ଉଜ୍ଜଳ ଦିଶୁଥିଲା। ତୋଫା ଜହ୍ନ ପରି।

ଅନେକ କଥାବାର୍ତ୍ତା। ଅନେକ ଗପ। ସେମିତି କେତେ ସମୟ ବିତିଗଲା ଜାଣି ହେଲାନି। ଇତି ମଧ୍ୟରେ ରୁବି ଆଉ ଟିକିଏ ମୁକ୍ତ ଓ ପ୍ରଗଳ୍ଭ ହୋଇ ଉଠିଥିଲା।

ମୁଁ କହିଲି, “ମୋ ପରି ପ୍ରେମ ପାଠରେ ବେକ୍ ବେଞ୍ଚର୍ କୁ କେଉଁ ଝିଅ ପ୍ରଶ୍ରୟ ଦିଏ ଯେ?”

- ପ୍ରଶ୍ରୟ ଦେଲେ? ରୁବି କଣେଇ ଚାହିଁଲା ମୋ ଆଡ଼େ। ମୁଁ ରୁବିର ପାଖକୁ ଲାଗି ଆସିଲି। ଫୁସ୍ ଫୁସ୍ କରି କହିଲି, “ମୋର କଣ ମନେ ହେଉଛି ଜାଣ? ମୁଁ ଧାଡ଼ିରେ ଥିବା କଥା ସେତେବେଳଠାରୁ ତମେ ଜାଣିଛ।”

- ନା।

- ହଁ।

- ଜାଣିଥିଲେ ଜାଣିଥିବି। ତମେ ଯଦି ଜାଣିଥିଲ ମୁଁ ଜାଣିସାରିଛି ବୋଲି ମୋତେ ଜଣେଇଲନି କାହିଁକି? ଈଷତ୍ ରାଗିଲା ସ୍ୱରରେ କହିଲା ରୁବି।

- ମାନେ ତମେ ପଚାରୁଛ ମୁଁ କାହିଁକି ପ୍ରପୋଜ୍ କଲିନି, ଏୟା ତ?

- ଆଁ। କିଛି ଭାବିଲା ରୁବି। ପୁଣି କହିଲା, ହଁ ତମେ ପ୍ରପୋଜ୍ କଲନି?

- ଆଛା ପ୍ରପୋଜ୍ କଥା ତ? ଉଁ... ତମେ ତ ଜାଣ ସେତେବେଳେ କି ବା ବୟସ କଣ ବୁଝୁଥିଲୁ। ତମେ ଯଦି ବୁଝିପାରିଲ, ତମେ ପ୍ରପୋଜ୍ କଲନି?

- ବା... ରେ... ଝିଅଟା ହେଇ ପ୍ରପୋଜ୍ ମୁଁ କରିବି ଆଉ ତମେ ଆକ୍ସେପ୍ଟ କରିବ ନୁହେଁ।

- ଆରେ, ରୁହ ରୁହ କିଛି ଉପାୟ ଥିବ। ମୁଁ ବସି ବସି ଭାବିଲି ଘଡ଼ିଏ। କିଛି ସମୟ ଉପରକୁ ଚାହିଁଲି, କିଛି ସମୟ ତଳକୁ। ତାପରେ ରୁବି ଆଡ଼କୁ ଚାହିଁ ପ୍ରାୟତଃ ଗାମ୍ଭୀର୍ଯ୍ୟର ସହ କହିଲି, ଆଛା ଏବେ ଯଦି ସେତିକି ସିରିୟସ୍.ଲି ପ୍ରପୋଜ୍ କରେ ତମେ ଗ୍ରହଣ କରିବ? ଭାବିବା ଆଉ ପଚାରିବା ଭିତରେ କୂଅ ପାଖ ବଗିଚାରୁ ରଜନୀଗନ୍ଧା ଫୁଲଟିଏ ଛିଣ୍ଡାଇ ହାତରେ ଧରି ସାରିଥିଲି। ଆଣ୍ଠୁମାଡ଼ି ବସି ଫୁଲଟିକୁ ଡାହାଣ ହାତରେ ତୋଳି ଧରି ନତମସ୍ତକ ହୋଇ ପଚାରିଲି, ରୁବି, ଆଇ ଲଭ୍ ୟୁ, ୱିଲ୍ ୟୁ ଟେକ୍ ଏ ଲିଟଲ୍ ପେଇନ୍ ଟୁ ଲଭ୍ ମି?

ଆଖି ଉଠାଇ ଚାହିଁଲା ବେଳକୁ ରୁବି ଚାଲି ଯାଉଛି ବଗିଚାର ଅନ୍ଧାରକୁ ଠେଲି ଘରର ଫାଟକ ଏବଂ ଦରଜା ଆଡ଼କୁ। କିନ୍ତୁ ଏ କଣ, ଯେତିକି ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି, ସେତିକି ଉଜ୍ଜଳ ହୋଇ ଉଠୁଛି ତା ଶରୀର। ବିସ୍ମୟଚକିତ ମୋ ଓଠରୁ ବାହାରି ଆସିଲା, ରୁବି..ବି..ବି! ରୁବି ପଛକୁ ଫେରି ଚାହିଁଲା। ଆଖି ଦୁଇଟି ତାର ରଡ଼ ନିଆଁ ପରି ଜଳୁଥିଲା। ଶରୀରର ତେଜ କିଛି ସମୟ ପାଇଁ ବାରଣ୍ଡାକୁ ଆଲୋକିତ କଲା ପରେ ଦରଜା ବନ୍ଦ ହେବାରେ ପୁଣି ଅନ୍ଧକାରରେ ଛାଇଗଲା ସମଗ୍ର ପରିବେଶ। ମୋର ଭୟ ଓ ବିସ୍ମୟାଭିଭୁତ ଶରୀର ସନ୍ତୁଳନ ହରାଇ ବସିଲା। ଗୋଡ଼ଟା ପଶିଗଲା ସିମେଣ୍ଟ୍ ପାଣିକୁଣ୍ଡ ଭିତରେ। ଆଃ, ଶୀତରାତିରେ ମଧ୍ୟ ସଦ୍ୟ ଚୁଲିରୁ ଓହ୍ଲାଇଥିବା ପରି ଏତେ ଉତ୍ତପ୍ତ କେମିତି ଏ ପାଣି? ମୁଁ ଗୋଡ଼ଟାକୁ ଧରି ସେଇଠି ବସିପଡ଼ିଲି। ଆଉ ଅବିଶ୍ୱାସର ସହ ଆଖି ଦୁଇଟି ମୋର ରହି ରହି ଚାହୁଁଥିଲେ ସେଇ ଦରଜା ଆଡ଼କୁ।

ସକାଳେ ଯେତେବେଳେ ଅଖିଳେଶ ଓ ମୁଁ ବିଦାୟ ନେବୁ, ମୋର ଆଖି ଦୁଇଟି ପହଁରି ଆସିଲା ରୁବି ଘରର ଫାଟକ ଆଡ଼େ। ଫାଟକ ପାଖରେ ରୁବି ଠିଆ ହୋଇ ଚାହିଁ ରହିଥିଲା ଆମର ଯିବା ବାଟକୁ। ଓଠରେ କ୍ଷୀଣ ହସ, ଅଥଚ ଆଖି ତଳେ ଲୁହ ଢଳ ଢଳ। ହାତ ମୋର ଆପେ ଉଠିଗଲା ରୁବିକୁ ବାଏ କରିବାକୁ।



Rate this content
Log in