T.Durga Prasad Rao

Fantasy Inspirational

3.9  

T.Durga Prasad Rao

Fantasy Inspirational

ଧାରହୀନ ଛୁରୀ

ଧାରହୀନ ଛୁରୀ

14 mins
12K


ରିହାନ ହସପିଟାଲରୁ ଫେରି ଅନ୍ୟମନସ୍କ ଜଣା ପଡ଼ୁଥିଲା। ଡକ୍ଟର ଏମାନୁଏଲ୍.ଙ୍କ କଥାକୁ ଗ୍ରହଣ କରି ପାରୁନଥିଲା ସହଜରେ। ବିସ୍ମୟ ଛାଡ଼ୁନଥିଲା ମନରୁ। ରହି ରହି ଦେହ ଭିତରେ କେଉଁଠି ଯେମିତି ଛୁଞ୍ଚି ଫୋଡ଼ି ହୋଇ ଯାଉଛି। ଅଦେଖା ଯନ୍ତ୍ରଣା ଅନୁଭବ କରୁଛି ସେ। ନିଜ ଉପରେ ନିଜକୁ ଅବିଶ୍ୱାସ କରୁଛି। ସେଇ ଗୋଟିଏ କଥାକୁ ବାରମ୍ବାର ମନ, ମସ୍ତିଷ୍କରେ ଦୋହରାଉଛି। “ଛୁରୀରେ ଧାର ନାହିଁ!”

ରାତି ଅନେକ ହେଲାଣି। ନିଦ ନାହିଁ ରିହାନ ଆଖିରେ। ସ୍ୱଳ୍ପ ନୀଳ ଆଲୋକରେ ଖଟବାଡ଼କୁ ତକିଆଟିଏ ଦେଇ ଆଉଜି ବସିଛି। ଝରକାର କାଠ ଫଳକଦ୍ୱୟ ଖୋଲା। ଗ୍ରିଲ୍ ଦେଇ ପଶି ଆସୁଛି ସୁଲୁସୁଲିଆ ଥଣ୍ଡା ପବନ। ତା ସହ ଭାସି ଆସୁଛି ହାଲ୍.କା ହାଲ୍.କା ରଜନୀଗନ୍ଧା ଫୁଲର ବାସ୍ନା। ବାହାରେ ରୂପେଲି ଜ୍ୟୋତ୍ସ୍ନାର ମନଲୋଭା ରେଶମ ପରଶ। ଏମିତି କମନୀୟ ପରିବେଶରେ ରିହାନ ମତୁଆଲା ହୋଇଯିବା କଥା। ସ୍ୱପ୍ନ ଦେଖିବା କଥା ଅନେକ ଆଶାୟୀ ଭବିଷ୍ୟତର। ତା କଳ୍ପନାର ରଙ୍ଗୀନ ତରୀ ଏ ସମୟରେ ଭାସି ଭାସି ଲାଗି ଯାଇଥାନ୍ତା କେଉଁ ଏକ ଅଜଣା ରାଇଜରେ। କିନ୍ତୁ, ସେମିତି କିଛି ଉଲ୍ଲାସ କି ଉତ୍ତେଜନା ନାହିଁ ରିହାନ ମନରେ। ସେ ଉଦ୍.ବିଗ୍ନ, ଭାରାକ୍ରାନ୍ତ। ଆର କକ୍ଷରେ ସିଲ୍.ଡା ସହ ଗଭୀର ନିଦ୍ରାରେ ମଗ୍ନ ଥିବ ରିହାନର ଧର୍ମପତ୍ନୀ ସୁଲେଖା। ସିଲ୍.ଡା ସୁଲେଖାର ବଡ଼ ଭଉଣୀର ଝିଅ। ଛୁଟିରେ ବୁଲି ଆସିଛି। ଏକୁଟିଆ ଅନ୍ଧାରକୁ ତାର ଭାରି ଡର। ରାତି ହେଲେ ପାଖ ଛାଡ଼ୁନାହିଁ ସୁଲେଖାର। ତେଣୁ ସେ ଆସିଲା ଦିନ ଠାରୁ ଅଲଗା ଶୋଉଛି ସୁଲେଖା। ବିବାହର ଚାରି ବର୍ଷ ପରେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି। ବୋଧହୁଏ ସେଥିପାଇଁ ସିଲ୍.ଡାକୁ ଭାରି ଭଲପାଏ ସୁଲେଖା। ଆଉ ସିଲ୍.ଡା ମଧ୍ୟ ମୁହୁର୍ତ୍ତେ ଛାଡ଼େନାହିଁ ସୁଲେଖାକୁ। ତେବେ ନିଜର ଝିଅଟିଏ ପାଇଁ କମ୍ ବିଚଳିତ ନୁହେଁ ସୁଲେଖା। ଏଇ ଦୁଇ ବର୍ଷ ହେବ ଅନେକ ଡାକ୍ତରଙ୍କ ପରାମର୍ଶ କରିଛି। ରିହାନ କେବେ ମଧ୍ୟ ବ୍ୟସ୍ତ ନ ଥିଲା ପିଲାପିଲି ନେଇ। ସେ ତା ଦାୟିତ୍ୱ ଓ କର୍ତ୍ତବ୍ୟ କର୍ମକୁ ନେଇ ବ୍ୟସ୍ତ। ତାଛଡ଼ା ଚାରି ବର୍ଷ, ଏମିତି କିଛି ବଡ଼ ବ୍ୟବଧାନ ନୁହେଁ ଯେ ସେ ବ୍ୟସ୍ତ ହୋଇ ପଡ଼ିଥାନ୍ତା। କିନ୍ତୁ ଆଜି ଡାକ୍ତର ଯାହା କହିଲେ! ରିହାନର ମୁଣ୍ଡ କିଛି କାମ କରୁନି। ନୈରାଶ୍ୟତା ଛାଇ ଯାଇଛି ମନରେ। ଲାଗୁଛି, ତା ଲମ୍ବା ଜୀବନରେଖା ଉପରେ କେହି ଯେମିତି କ୍ରସ୍ ଟିଏ ଟାଣି ଦେଇଛି। ହଣ୍ଟର୍ ଚଳାଇ ଦେଇଛି ତା ଖୁସିମିଜାଜ ମନ ଉପରେ। ଏମିତି ଜୀବନର ମୂଲ୍ୟ କଣ? ଟିକିଏ ଆଖି ଲାଗି ଆସିଛି, ନିଦ ବାଉଳାରେ ଉଚ୍ଚାରଣ କଲା ରିହାନ। “ଛୁରୀରେ ଧାର ନାହିଁ!” ନିଦ ଭାଙ୍ଗିଗଲା।

ହଠାତ ତାର ମନେ ହେଲା କୋଠରୀ ଭିତରେ କାହାର ଉପସ୍ଥିତି। ରିହାନ ଭାବିଲା ସୁଲେଖା ହୋଇଥିବ। କାରଣ ରାତିରେ ସୁଲେଖାର ଅବାଧ ଯିବା ଆସିବା ପାଇଁ କବାଟକୁ ଦର ଆଉଜା ଛାଡ଼ିଦିଏ ସେ। ରିହାନ ଚାହିଁଲା ସେ ଆଡ଼େ। ଜଣେ ପତଳା ଶୀର୍ଣ୍ଣକାୟ ବ୍ୟକ୍ତି ହାତରେ ଛ ସାତ ଇଞ୍ଚ ଲମ୍ବର ଛୁରୀଟିଏ ଧରି ଆକ୍ରମଣାତ୍ମକ ଭଙ୍ଗୀରେ ଠିଆ ହୋଇଛି।

“ଧାର ନାହିଁ, ହାଃ...ଚୁପ୍ ଚାପ୍ ମାଲ୍ ଯାହା ଅଛି ବାହାର କର।”

ରିହାନ ଲୋକଟିର ଆପାଦମସ୍ତକ ଚାହିଁଲା। ପାଖାପାଖି ସାଢ଼େ ପାଞ୍ଚ ଫୁଟ ଉଚ୍ଚତା ବିଶିଷ୍ଟ। ମୁହଁରେ ପତଳା କନାଟିଏ ଘୋଡ଼ିହୋଇଛି। ବେକରେ ମଫଲର କି ଗାମୁଛାଟିଏ। ବାଁ କାନ୍ଧରେ ଝୁଲାଟିଏ। ଡାହାଣ ହାତରେ ଛୁରୀ। ଏପାଖ ସେପାଖ କରି କକ୍ଷଟିର ଚାରିଆଡ଼େ ନଜର ପକାଉଛି ଲୋକଟି। ରିହାନ ମୁହଁରେ ଭୟର ଲେଶମାତ୍ର ଚିହ୍ନ ନ ଥିଲା। ସେ କେବଳ ଭାବୁଥିଲା, ଚୋରଟି ଘର ଭିତରେ ପ୍ରବେଶ କଲା କେମିତି? ଲୋକଟି କବାଡ଼ି ଖେଳିଲା ପରି ଛୁରୀଟିକୁ ଧରି ଏପାଖ ସେପାଖ କରୁଥାଏ। ତାର ଛୁରୀ ଧରିବାର ଭଙ୍ଗୀରୁ ରିହାନ ଅନୁମାନ କରୁଥାଏ, ଲୋକଟି ନିୟମିତ ଚୋର ନୁହେଁ। ଭୋକ ବିକଳରେ ପଶି ଆସିଛି ଘର ଭିତରକୁ କିଛି ପାଇଯିବା ଆଶାରେ। ହୁଏତ ଭାବିଥିବ ଚୁପ୍ ଚାପ୍ କାମ ସାରି ଚାଲିଯିବ। କିନ୍ତୁ ରିହାନର ଜାଗ୍ରତ ଅବସ୍ଥା ତାକୁ ଅଡ଼ୁଆରେ ପକାଇଛି। ଆଉ ତା ମନରେ କିଛିଟା ଭୟ ମଧ୍ୟ ଉଦ୍ରେକ କରିଛି। ଯେଉଁଥିପାଇଁ ସେ ଛୁରୀ ହାତଟିକୁ ଏପାଖ ସେପାଖ କରୁଛି ନିଜର ଭୟ ଲୁଚାଇବା ସକାଶେ। ରିହାନ ତ୍ୱରିତ ବେଗରେ ଲୋକଟିର ଡାହାଣ ହାତକୁ ଧରି ନେଇ ଗୋଡ଼ରେ ଗୋଡ଼ ଛନ୍ଦି ତାକୁ ତଳେ ପକାଇବାକୁ ଚେଷ୍ଟା କଲା। ତାର ଏ ଅପଚେଷ୍ଟା ଲୋକଟିକୁ ଯେ ଆହୁରି ଡରାଇଦେବ ଏକଥା ରିହାନର ଭାବନା ବାହାରେ ଥିଲା। ଛୁରୀଟି ଘଷି ହୋଇ ଚାଲିଗଲା ରିହାନର ଛାତି ପାଖ ଦେଇ। ଯନ୍ତ୍ରଣାରେ ମୃଦୁ ଚିତ୍କାର ପୂର୍ବକ ରିହାନ ଠେଲି ଦେଲା ଲୋକଟିକୁ। ତଳେ ପଡ଼ି କିଛି କ୍ଷଣ ରିହାନ ଆଡ଼କୁ ଚାହିଁଲା ଲୋକଟି। ସେ ବୋଧହୁଏ କୌଣସି ବଡ଼ ସମସ୍ୟାରେ ପଡ଼ିବାକୁ ଚାହୁଁନଥିଲା। ଛାତିକୁ ଚାପି ଧରି ରିହାନ ତା ଆଡ଼କୁ ଅଗ୍ରସର ହେବା ପୂର୍ବରୁ ଲୋକଟି ଉଠିପଡ଼ି ଦୌଡ଼ିବା ଆରମ୍ଭ କରି ଦେଇଥିଲା। ରିହାନ ମଧ୍ୟ ଦୌଡ଼ିଲା ତା ପଛରେ। ଚୋରଟି କିଚେନ୍ ଭିତରେ ପଶି ଝରକା ଦେଇ ଡେଇଁ ପଡ଼ିଲା ତଳକୁ। ରିହାନ ମଧ୍ୟ ତାର ଅନୁଧାବନ ପୂର୍ବକ ଡେଇଁ ପଡ଼ିଲା ଝରକା ଦେଇ। ଖଣ୍ଡେ ଦୂର ଗଲା ପରେ ଚୋରଟି କେଉଁଠି ଅଦୃଶ୍ୟ ହୋଇଗଲା।

ରିହାନର ଛାତି ଚିରି ହୋଇ ରକ୍ତ ଝରୁଥିଲା। ସେ ଫେରିଲା ପଛକୁ। ମୁଖ୍ୟ ଦରଜା ବନ୍ଦ ଥିଲା। କିଚେନର ଝରକା ଦେଇ ଭିତରକୁ ଡେଇଁ କିଛି ମନେ ପଡ଼ି ସ୍ତବ୍ଧ ହୋଇଗଲା ରିହାନ। କିଚେନ ଲାଇଟ୍ ଜଳାଇ ଦେଖିଲା ଝରକାର ଦୁଇ ଭାଗ ଗ୍ରିଲ୍.ରୁ ଗୋଟିଏ ଭାଗ ଖୋଲା ହୋଇ କିଚେନ୍.ର ଚଟାଣ ଉପରେ ଥୁଆ ହୋଇଛି। ବାହାରୁ ଗ୍ରିଲ୍ ଖୋଲିବା ସମ୍ଭବ ନୁହେଁ। ସେପରି କରିବାକୁ ହେଲେ ଭିତରପଟୁ କେହି ଜଣେ ଝରକାର କାଠ ଫଳକ ଖୋଲିବାକୁ ପଡ଼ିବ। ତାପରେ ହିଁ ଗ୍ରିଲ୍.କୁ ସ୍କୃ-ଡ୍ରାଇଭର ସାହାଯ୍ୟରେ କାଠ ଫ୍ରେମ୍.ରୁ ଅଲଗା କରିହେବ। ସ୍କୃ ଖୋଲିବା ଏତେ ସହଜ ନୁହେଁ। ସେଇଥିପାଇଁ ଅନେକ ସମୟ ମଧ୍ୟ ଲାଗିବ। ପୁଣି ବାହାରୁ ଯଦି ଜଣେ ଗ୍ରିଲ୍ ଖୋଲେ, ତାହେଲେ ଗ୍ରିଲ୍ ବାହାରେ ରହିବା କଥା, ଭିତରେ ନୁହେଁ। ଘର ଭିତରେ ମାତ୍ର ତିନି ଜଣ ପ୍ରାଣୀ। ସେ, ସିଲ୍.ଡା ଓ ସୁଲେଖା। ସିଲ୍.ଡା ଛୋଟ ଝିଅ। ସେ କସ୍ମିନ୍ କାଳେ ପାରିବ ନାହିଁ। ରିହାନ ଝରକାର କାଠ ଫଳକଦ୍ୱୟକୁ ଟାଣି ଦେଇ କିଳିଣି ଲଗାଇଦେଲା। ଲାଇଟ୍ ଲିଭାଇ ଦେଇ ପାଦ ବଢ଼ାଇଲା ସୁଲେଖା ଶୋଇଥିବା କକ୍ଷ ଦିଗରେ। କବାଟ ଆଉଜା ହୋଇଥିଲା। ଠେଲି ଦେବାରୁ ଖୋଲିଗଲା। ରିହାନର ଅନୁମାନ ଠିକ୍ ଥିଲା। ଭିତରେ ସିଲ୍.ଡା ଏକା ଶୋଇଛି ଗଭୀର ନିଦ୍ରାରେ। ସିଲ୍.ଡାର କପାଳରେ ମୃଦୁ ଚୁମ୍ବନ ଆଙ୍କି ଦେଇ କବାଟ ଆଉଜେଇ ଚାଲି ଆସିଲା ରିହାନ।

ସୁଲେଖା ତା କକ୍ଷରେ ନାହିଁ। ରିହାନ ଜାଣେ, କକ୍ଷଚ୍ୟୁତ ଗ୍ରହପିଣ୍ଡ ହେଉ କି ସୀମା ଲଂଘିଥିବା ମଣିଷ, ତାର ପରିପାର୍ଶ୍ୱରେ କି କ୍ଷତି ଘଟାଏ। ରିହାନର ମସ୍ତିଷ୍କର ଶିରାଗୁଡ଼ିକ ଅଚାନକ ଫୁଲି ଉଠୁଥିଲା। କପାଳର ରେଖାସମୁହ କୁଞ୍ଚିତ ହୋଇ ଆସୁଥିଲା। ଟାଣ ହୋଇ ଆସୁଥିଲା ହାତମୁଠା। ସେ ଚାବି ନେଇ ଅଗ୍ରସର ହେଲା ମୁଖ୍ୟ ଦରଜା ଆଡ଼କୁ। କୋଲାପ୍ସ ଗେଟ୍.ର ଚାବି ଖୋଲୁ ଖୋଲୁ ଆଖିରେ ପଡ଼ିଲା ନାରୀମୂର୍ତ୍ତୀଟିଏ କିଚେନ୍.ର ଝରକା ଆଡ଼େ ଅତି ସନ୍ତର୍ପଣରେ ଆଗେଇ ଆସୁଛି।

ରିହାନର ଯେତେବେଳେ ହୋସ୍ ଆସିଲା, ସେ ଦେଖିଲା ସାମ୍ନା ରାସ୍ତାରୁ ଅନ୍ଧାର ଘୁଞ୍ଚି ଯାଇଛି। ସଫା ଦିଶୁଛି ରାସ୍ତା, ରାସ୍ତାରେ ଯାତାୟତ ସାଇକଲ୍, ବାଇକ୍ ଇତ୍ୟାଦି। ଆଖି ତେରେଛେଇ ଚାହିଁଲା ରିହାନ। କିଚେନ୍.ର ଝରକା ସେମିତି ବନ୍ଦ ଅଛି। ଝରକା ସାମ୍ନାର ଟଗର ଗଛଟା ସବୁଦିନ ଅପେକ୍ଷା ଅଧିକ ଫୁଲ ଧରି ସତେଜ ଦିଶୁଛି। ଉଠିବାକୁ ଚେଷ୍ଟା କଲା ରିହାନ। ଏତେବେଳେ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କଲା। ନିଜ ଅନୁମାନ ଠାରୁ ଅଧିକ କଟିଯାଇଛି ଜାଗାଟା।

ସିଲ୍.ଡା ଉଠିଲା ପରଠାରୁ ଖୋଜିଲା ଆଖିରେ ବୁଲୁଛି ଘର ଭିତର ସାରା। ବାହାର ଚାରିପଟ ଓ ରାସ୍ତା ଉପରେ ମଧ୍ୟ ପଇଁତରା ମାରି ସାରିଲାଣି ଅନେକ ଥର। ରହି ରହି ପଚାରୁଛି ରିହାନକୁ ତାର ମାଉସୀ ସୁଲେଖା ବିଷୟରେ। ରିହାନ ଓଠରେ ଭାଷା ନାହିଁ। ସେ ବୁଝି ପାରୁନାହିଁ କି ଉତ୍ତର ଦେବ ସିଲ୍.ଡାକୁ। ସୁଲେଖା ବିନା ସିଲ୍.ଡାର କେଉଁଥିରେ ମନ ଲାଗୁନାହିଁ। ସକାଳ ଜଳଖିଆ ସେମିତି ପଡ଼ିଛି ଡାଇନିଂ ଟେବୁଲ୍.ରେ। ରିହାନର ମଧ୍ୟ ଖାଇବାକୁ ଇଚ୍ଛା ନାହିଁ। ସକାଳ ପରେ ସଞ୍ଜ ଯାଇ ରାତି ଆସିଲା। ସୁଲେଖା ଫେରିନାହିଁ ଏଯାବତ୍। ସିଲ୍.ଡା ରିହାନର ପାଖ ଛାଡ଼ୁନାହିଁ। ରିହାନର ଶରୀରରେ ଅବଶତା ଖେଳି ଯାଇଛି। ଏକ ଗଭୀର କ୍ଳାନ୍ତି ମନକୁ ଆସକ୍ତ କରୁଛି ନିଦ୍ରା ଯିବା ପାଇଁ। କିନ୍ତୁ ନିଦ୍ରା ଗଲେ ସିଲ୍.ଡା ଓପାସରେ ଶୋଇଯିବ। ଛାତି ଯନ୍ତ୍ରଣା ସତ୍ତ୍ୱେ ରିହାନ ସିଲ୍.ଡାକୁ ନେଇ ବାହାରିଲା ହୋଟେଲ୍ ଅଭିମୁଖେ। ଦୁହେଁ ଗୋଟିଏ କୋଣିଆ ଟେବୁଲ୍ ଅକ୍ତିଆର କରି ଖାଇବା ଅର୍ଡର କଲେ। ବାଧ୍ୟବାଧ୍ୟକତାରେ କିଛି ପାଟିକୁ ନେଲେ। ସିଲ୍.ଡା ଉଦାସ ମନରେ ଖାଇବା ନେଉଥିଲା ପାଟିକୁ। ଅଦୂରରେ ତରୁଣୀଟିଏ ଏକା ଏକା ବସି ଖାଇବା ସହିତ ମଝିରେ ମଝିରେ ଚାହୁଁଥିଲା ଏମାନଙ୍କ ଆଡ଼କୁ। ରିହାନ ମନେ ପକାଉଥିଲା କେଉଁଠି ଦେଖିଛି ତରୁଣୀକୁ। ଅନେକ ଚେଷ୍ଟା ସତ୍ତ୍ୱେ ସେ ମନେ ପକାଇ ପାରିଲା ନାହିଁ ନିଜ ମନର ଅସନ୍ତୁଳନ ଅବସ୍ଥା ଯୋଗୁଁ। ଦୁହିଁଙ୍କ ଖାଇବା ଶେଷ ହେଲା ବେଳକୁ ତରୁଣୀ ଟେବୁଲ ଛାଡ଼ି ଚାଲି ଯାଇଥିଲା।

ସୁଲେଖା ଅନ୍ତର୍ଦ୍ଧାନ ହୋଇ ଦୁଇ ଦିନ ବିତି ଗଲାଣି। ଅଦ୍ୟାବଧି ତାର କୌଣସି ଖୋଜ ଖବର ନାହିଁ। ସିଲ୍.ଡା ବ୍ୟସ୍ତ କରୁଛି ନିଜ ଘରକୁ ଫେରିଯିବା ପାଇଁ। ବିନା ଅନୁମୋଦନରେ ଅଫିସରୁ ଛୁଟିରେ ରହିଯାଇଛି ରିହାନ। ସେ କିନ୍ତୁ ଇତିମଧ୍ୟରେ ଗୋଟିଏ କଥାକୁ ବିଶେଷ ରୂପେ ଅନୁଧ୍ୟାନ କରିପାରିଛି, ତା ହେଲା ପଡ଼ୋଶୀ ମାଇକ୍ ମଧ୍ୟ ଦୁଇ ଦିନ ହେଲା ଦୃଷ୍ଟିଗୋଚର ହେଉନାହିଁ। ରିହାନ ପ୍ରାୟତଃ ଲକ୍ଷ୍ୟ କରେ ମାଇକ୍.କୁ ସକାଳ ସମୟରେ ନିଜ ଘର ବାହାରେ ବାଇକ୍ ଉପରେ ବସି ରିହାନ ଘର ଆଡ଼େ ଚାହିଁ ରହିବା। ଅବଶ୍ୟ ରିହାନର ଦୃଷ୍ଟି ଆଡ଼େଇ। ମାଇକ୍ ଏକା ରୁହେ ସେ ଘରେ। ଡକ୍.ୟାର୍ଡ୍.ରେ କାମ କରେ। କାମର କୌଣସି ସମୟ ସାରଣୀ ତାର ନ ଥାଏ। ତେଣୁ ରାତି ଫେରିବାର ମଧ୍ୟ ଠିକଣା ନ ଥାଏ। ଯେଉଁଦିନ ଫେରିବାରେ ବେଶୀ ରାତି ହୁଏ, ତା ସାଙ୍ଗମାନେ ତାକୁ ବାଇକ୍.ରେ ଆଣି ଛାଡ଼ି ଯାଆନ୍ତି। ସେତେବେଳେ ସେ ନିଶାରେ ଚୁର୍ ଥାଏ। ପାଟିରୁ ଅନର୍ଗଳ ଅଶ୍ଳିଳ ଭାଷା ବାହାରୁଥାଏ। ସକାଳ ହେଲେ ଭଦ୍ର ମଣିଷ ପାଲଟିଯାଏ ମାଇକ୍। ମାଇକ୍ ଘରକୁ ବେଳ ଅବେଳରେ ଝିଅଟିଏ ଆସିବା ଆଖିରେ ପଡ଼ିଛି ରିହାନର। ଝିଅଟିକୁ ବାଇକ୍.ରେ ବସେଇ ସେ ସିନେମା, ପାର୍କ ବୁଲିଯାଏ। ଶ୍ୟାମଳ ରଙ୍ଗର ଝିଅ। କୁଞ୍ଚୁକୁଞ୍ଚିଆ କେଶ। ଶୁଆ ଥଣ୍ଟ ପରି ଛୋଟ ନାକ। ଥୋଡ଼ି ଟିକେ ବାହାରି ଆସିଥାଏ ବାହାରକୁ। ମାଇକ୍ ତାକୁ ରୋଲି ବୋଲି ଡାକେ। ଝିଅଟି ସମ୍ପୂର୍ଣ୍ଣ ମଡର୍ଣ୍ଣ ଅଥବା କୁହା ଯାଇପାରେ ବେସରମ। ଜନ ସମାଗମ ସ୍ଥାନରେ ମଧ୍ୟ ପରସ୍ପରକୁ ଚୁମ୍ବନ କରନ୍ତି। ରୋଲିକୁ ଅନେକ ଦିନ ହେବ ଦେଖି ପାରୁନଥିଲା ରିହାନ। ଶ୍ୟାମଳ ରଙ୍ଗ ହେଲେ ବି ସ୍ୱାଧୀନ ମିଜାଜର ରୋଲି ରିହାନ ମନକୁ କିଛିଟା ଆକର୍ଷିତ କରେ।

ରିହାନ ଆଉ ଅପେକ୍ଷା କଲା ନାହିଁ। ନିକଟ ଥାନାରେ ସୁଲେଖାର ନିରୁଦ୍ଦିଷ୍ଟ ହେବା କଥା ଜଣେଇ ଆସିଲା। ସେଇଦିନ ହିଁ ସିଲ୍.ଡାକୁ ଛାଡ଼ି ଆସିଲା ତା ନିଜ ଘରେ।

ରିହାନକୁ ଆଶ୍ଚର୍ଯ୍ୟ କରି ଇନ୍.ସ୍ପେକ୍ଟର୍ ଡେଭିଡ୍ ତା ପରଦିନ ପହଞ୍ଚି ଯାଇଥିଲେ ତା ଘରେ। ରିହାନ ଭାବିଲା ବୋଧହୁଏ ସୁଲେଖାର କିଛି ଖବର ମିଳିଛି। ରିହାନର ଜିଜ୍ଞାସୁ ଭାବକୁ ଏଡ଼େଇ ଘର ଭିତରକୁ ପଶିଗଲେ। କିଛି ସମୟ ନିଜର ଅନୁସନ୍ଧିତ୍ସୁ ଚକ୍ଷୁ ଦୁଇଟିକୁ ଘୁରାଇ ଆଣିଲେ ଘରର ଚାରିକୋଣରେ। ତାପରେ ସୋଫା ଉପରେ ବସିପଡ଼ି ଈଶାରାରେ ରିହାନକୁ ବସିବାକୁ କହିଲେ। କିଛି ଏଣୁ ତେଣୁ ପ୍ରଶ୍ନ। “ରିହାନ କେତେ ବର୍ଷ ହେଲା ସେ ଘରେ ରହୁଛି? ଆଉ କିଏ କିଏ ତା ସାଙ୍ଗରେ ରହନ୍ତି? ସୁଲେଖା ନିଖୋଜ ଅବା ଅପହୃତ? ଏ ନେଇ ରିହାନର ସନ୍ଦେହରେ କିଏ କିଏ ଅଛନ୍ତି?” ଇତ୍ୟାଦି ଇତ୍ୟାଦି।

ଶେଷରେ ଇନ୍.ସ୍ପେକ୍ଟର୍ ଡେଭିଡ୍ ଉଠି ଠିଆ ହେଲେ। ସାଙ୍ଗରେ ରିହାନ ମଧ୍ୟ ଉଠୁଥିଲା। ମିଃ ଡେଭିଡ୍ ତାକୁ ଉଠିବାକୁ ନ ଦେଇ କହିଲେ, “ଆପଣ ରୁହନ୍ତୁ ମିଃ ରିହାନ। ପୁଣି ଦେଖାହେବା।” ଯିବା ପୂର୍ବରୁ ମିଃ ଡେଭିଡ୍ ରିହାନର ଘର ଚତୁର୍ଦିଗରେ ଥରେ ତାଙ୍କର ସ୍ୱାନଦୃଷ୍ଟି ଘୁରାଇ ଆଣି ତାପରେ ଚାଲିଗଲେ।

ସୁଲେଖା ନିରୁଦ୍ଦିଷ୍ଟ ହେବାର ଚତୁର୍ଥ ଦିନ। ନିଜର ରାତ୍ରିଭୋଜନ ସମାପ୍ତ କରି ରିହାନ ଅଳସ ପାଦ ପକାଇ ଫେରୁଥିଲା ହୋଟେଲ୍.ରୁ। ଦେଖିପାରିଲା ସେଇ ତରୁଣୀକୁ। ଓଠରେ ଗାଢ଼ ଲିପ୍.ଷ୍ଟିକ୍। ଓସାରିଆ ଗୋରା ମୁହଁରେ ମୋଟା ଫ୍ରେମ୍.ର ଚଷମା। ଚିବୁକ ପାଖରେ ବଡ଼ କଳାଜାଇ। ଟିକିଏ ଛୋଟେଇ ଚାଲୁଥିଲା। ମନେ ପଡ଼ିଗଲା ରିହାନର। ଏଇ ତରୁଣୀକୁ ସେ ଦେଖିଛି ରୋଲି ସହ। ରୋଲିର ବାନ୍ଧବୀ ନିଶ୍ଚୟ। ତରୁଣୀ ମଧ୍ୟ ଦେଖିଲା ରିହାନକୁ। ରିହାନ ହାତ ହଲାଇ ଅଭିବାଦନ ଜଣାଇଲା।

“ଇଫ୍ ଆଇ ଆମ୍ ନଟ୍ ରଙ୍ଗ୍, ଆପଣ ମାଇକ୍.ର ପଡ଼ୋଶୀ।”

“ଆଉ ତମେ ରୋଲିର ସାଙ୍ଗ।”

ତରୁଣୀ ମୁଣ୍ଡ ହଲାଇଲା।

“ରୋଲିକୁ ଆଉ ଦେଖୁନାହିଁ ଯେ?”

“ରୋଲି... ” ତରୁଣୀଟି ଉପରକୁ ଚାହିଁ ଦୀର୍ଘଶ୍ୱାସ ନେଲା। କିଛି ସମୟ ନିରବ ରହି କହିଲା, “ରୋଲିର କୌଣସି କାରଣରୁ ମାଇକ୍ ସହ ବ୍ରେକ୍ ଅପ୍ ହୋଇଛି ପାଖା ପାଖି ବର୍ଷେ ହେବ। ଏ ସହର ଛାଡ଼ି ସେ ଏବେ ରହୁଛି ତା ଗାଁରେ। ମୁଁ ମଧ୍ୟ ଅନେକ ଦିନ ହେଲା ନ ଥିଲି। ମାତ୍ର ଚାରି ପାଞ୍ଚ ଦିନ ହେଲା ଫେରିଛି।”

“ମାଇକ୍ ସହ ଦେଖାସାକ୍ଷାତ...”

“ନୋ ରିଜନ୍ ନାଓ। ରୋଲି ଥିଲା ରିଜନ୍ ଥିଲା। ଆଚ୍ଛା, ମୁଁ ଆସୁଛି, ମୋର ଡେରି ହେଉଛି।” ରୀଟା ପଶିଗଲା ହୋଟେଲ୍ ଭିତରେ। ରିହାନ ଫେରିଲା ଚିନ୍ତିତ ମୁଖମଣ୍ଡଳ ନେଇ।

ସକାଳେ ଇନ୍.ସ୍ପେକ୍ଟର ଡେଭିଡ୍.ଙ୍କ ପାଖରୁ ଫୋନ୍ ଆସିଲା। ଦରଦ କଣ୍ଠରେ ସେ ରିହାନକୁ କହୁଥିଲେ, “ସରି ମିଃ ରିହାନ, ଏକ ଦୁଃଖଦ ଖବର। ଜଣେ ଯୁବତୀଙ୍କର ଡେଡ୍ ବଡ଼ି ମିଳିଛି ଘାଟି ରାସ୍ତାରେ। ମୋର ସନ୍ଦେହ ଆପଣଙ୍କ ପତ୍ନୀ ନିଖୋଜ ନୁହେଁ, ତାଙ୍କର ମର୍ଡର୍ ହୋଇଛି। ଆପଣ ଯଥାଶୀଘ୍ର ସ୍ପଟ୍.କୁ ଆସନ୍ତୁ।”

ରିହାନ ଅବାକ୍। ତା ପାଟିରୁ କିଛି କଥା ବାହାରିଲା ନାହିଁ। ଏମିତି ଏକ ପରିଣାମ ପାଇଁ ରିହାନ ଆଦୌ ପ୍ରସ୍ତୁତ ନ ଥିଲା। ସେ ସ୍ପଟ୍.ରେ ପହଞ୍ଚି ବଡ଼ିକୁ ଚିହ୍ନିଲା ପରେ ନିଜକୁ ଆଉ ନିୟନ୍ତ୍ରଣରେ ରଖି ପାରିଲା ନାହିଁ। ଅନ୍ତବୁଜୁଳା ବାହାରି ଆସିଥିଲା ବାହାରକୁ। ଦେହସାରା ଖଣ୍ଡିଆ ଖାବରା। ଚକ୍ଷୁ ସ୍ଥାନରେ କେବଳ କୋରଡ଼। ଆଖିରୁ ତାର ଧାର ଧାର ହୋଇ ଖସି ଆସିଲା ଲୁହର ଝରଣା। ଇନ୍.ସ୍ପେକ୍ଟର ଡେଭିଡ୍ କେବଳ ଲକ୍ଷ୍ୟ କରୁଥିଲେ ରିହାନକୁ। ବୋଧହୁଏ ବୋଧ ଦେବା ପାଇଁ ତାଙ୍କ ନିକଟରେ ଭାଷା ନ ଥିଲା। ରିହାନକୁ ସେମିତି କାନ୍ଦିବାକୁ ଛାଡ଼ି ଦେଇ ବାକି ଫର୍ମାଲିଟି ସବୁ ପୂରଣ କଲେ ଇନ୍.ସ୍ପେକ୍ଟର ଡେଭିଡ୍।

କିଛି ଦିନ ପରେ ଇନ୍.ସ୍ପେକ୍ଟର ଡେଭିଡ୍.ଙ୍କର କଲ୍ ଆସିଲା। ସେ ରିହାନକୁ ଥାନାକୁ ଡାକୁଥିଲେ। ଥାନାକୁ ଯାଇ ରିହାନ ଗୋଟିଏ ଚୌକିରେ ମୁହଁ ଶୁଖାଇ ବସିଲା। ମନୋବଳ ଭାଙ୍ଗି ପଡ଼ିଲେ ମଣିଷଟିଏ ଯେମିତି ସବୁଥିରୁ ଆଗ୍ରହ ହରାଇ ବସେ। ମିଃ ଡେଭିଡ୍ କଣ ସବୁ ଲେଖାଲେଖି କରୁଥିଲେ। ମଝିରେ ସେ ଜଣେ କନେଷ୍ଟବଳକୁ ଡାକି କିଛି ନିର୍ଦ୍ଦେଶ ଦେଲେ। ତାପରେ ଫୋନ ଉଠାଇ କାହା ସହ କଥା ହେଲେ।

“ଆଚ୍ଛା, ଭଲ ହେଲା, ଦୁହିଁଙ୍କୁ ତୁରନ୍ତ ପଠାନ୍ତୁ।”

“କିଛି ନାହିଁ ଏଥିରେ।”

“ଆଜି କ୍ଳୋଜ୍ ହେଇଯିବ।”

“କଣ କହିଲେ?”

“ଥ୍ୟାଙ୍କ୍ ୟୁ।”

ବିତିଗଲା ଅନେକ ସମୟ। ଟେବୁଲ୍ ଉପରେ ମୁହଁମାଡ଼ି ବସିଥିଲା ରିହାନ। ଥାନା ଭିତରେ କିଛି ବିଶେଷ ହଇଚଇ ଶୁଣି ମୁହଁ ଉଠାଇଲା। କନେଷ୍ଟବଳଟିଏ ଜଣେ କୃଶାଙ୍ଗଧାରୀ ବ୍ୟକ୍ତିକୁ ଟାଣି ଟାଣି ଠିଆ କରାଇଲା ଇନ୍.ସ୍ପେକ୍ଟର ଡେଭିଡ୍.ଙ୍କ ସାମ୍ନାରେ। ରିହାନର ଠିକ୍ ବାମ ପାର୍ଶ୍ୱରେ ହିଁ ଠିଆ ହୋଇଥିବା ସେଇ ବ୍ୟକ୍ତି ଜଣକ ବାରମ୍ବାର ଚାହୁଁଥିଲା ରିହାନ ଆଡ଼େ। ମିଃ ଡେଭିଡ୍ ଫାଇଲ୍ ଉପରୁ ମୁହଁ ଉଠାଇ ଚାହିଁଲେ ଲୋକଟି ଆଡ଼େ।

“ହଁ କଣ ଦେଖିଲୁ?” ତାପରେ ରିହାନ ଆଡ଼କୁ ଚାହିଁ ପ୍ରଶ୍ନ କଲେ, “ଆପଣ ୟାକୁ ଚିହ୍ନି ପାରୁଛନ୍ତି?” ରିହାନ ଲୋକଟିକୁ ଚାହିଁଲା ଅଚିହ୍ନା ଅଚିହ୍ନା ଆଖି ନେଇ। ସେ ମନେ ପକାଇ ପାରୁନଥିଲା ତାକୁ କେଉଁଠି ଦେଖିଛି।

“ଚାମରୁ, ଚାଲୁ ହୋଇଯା।” ପୁଣି ଥରେ ମିଃ ଡେଭିଡ୍ ଦୋହରାଇଲେ ତାଙ୍କ କଥା। ଲୋକଟି ଟିକିଏ ଡରି ଡରି କହିଲା, ମୁଁ ଚୋର ନୁହେଁ ସାର୍। ସାମାନ୍ୟ ଖଲାସିଟିଏ। ୟା, ତା ଜିନିଷ ବୁହା ବୁହି କରି କିଛି ରୋଜଗାର ହୋଇଯାଏ ମୋର। ଘରେ ମୋର ରୋଗୀଣା ସ୍ତ୍ରୀ। ତା ରୋଗର ମାତ୍ରା ବଢ଼ି ବଢ଼ି ଚାଲିଛି। ଭୟ ହେଉଛି, କେତେବେଳେ ମୋତେ ଆଉ ମୋ ପିଲାଙ୍କୁ ଛାଡ଼ି ଚାଲିଯିବ। ଡାକ୍ତରୀ ଖର୍ଚ୍ଚ ପାଇଁ ବହୁତ ପଇସା ଲୋଡ଼ା। ମୋ ସ୍ତ୍ରୀକୁ ହରାଇବାର ଭୟ ମୋତେ ଧୀରେ ଧୀରେ ପଙ୍ଗୁ କରି ଚାଲିଥିଲା। ସବୁ ରୋଜଗାର ପଇସା ତାରି ଔଷଧରେ ଖର୍ଚ୍ଚ ହେଉଥିଲା ସାର୍। ମୁଁ ବୁଦ୍ଧିଶୁଦ୍ଧି ହରେଇ ବସିଥିଲି।” ଏତିକି କହି ଚାମରୁ ଟିକିଏ ନିରବି ଗଲା। ଚାହିଁଲା ପୁଣି ରିହାନ ଆଡ଼େ।

ମିଃ ଡେଭିଡ୍ ଚାମରୁ ହାତକୁ ପାଣି ଗ୍ଳାସ୍ ବଢ଼ାଇ ଦେଇ କହିଲେ, “କହି ଚାଲ୍।” ଚାମରୁ ତୃଷାର୍ତ୍ତ ଥିଲା। ସବୁ ତକ ପାଣି ପାଟି ଭିତରେ ଢ଼ାଳି ଦେଇ ମୁହଁ ପୋଛି କହିଲା, “ସେଦିନ ଏ ସାବ୍.ଙ୍କୁ ଦେଖିଲି ବ୍ୟାଙ୍କ୍.ରୁ ମୋଟା ଅଙ୍କର ପଇସା ଉଠାଇ ଆସୁଥିଲେ। ମୋ ମନରେ ମନ୍ଦ ବୁଦ୍ଧି ପଶିଲା। ଭାବିଲି, ସଚ୍ଚା ଉପାୟରେ ଏତେ ରୋଜଗାର କରୁଛି, କିଛି ଅଣ୍ଟୁନି। ଥରେ ହାତ ମାରିଦେବି। ଭଗବାନ ମୋର ଅସହାୟତାକୁ ନିଶ୍ଚୟ କ୍ଷମା କରିଦେବେ। ଏତିକି ଭାବି ମୁଁ ତାଙ୍କର ଅନୁସରଣ କଲି। ଦିବାଲୋକରେ ତାଙ୍କଠୁଁ ପଇସା ଛଡ଼େଇ ନେବା ମୋ ଦ୍ୱାରା ହେଇ ପାରିଲାନି ସାର୍। ତାଙ୍କୁ ଅନୁସରଣ କରୁ କରୁ ତାଙ୍କ ଘର ପାଖ ହୋଇଗଲା। ମୁଁ ବିଫଳ ମନୋରଥ ନେଇ ଫେରିଲି। ବୁଦ୍ଧି ଥରେ ବଣା ହେଲେ ସେ ଆଉ ବିବେକ କଥା ଶୁଣେନି ସାର୍। ଲୁଚି ଲୁଚି ମୁଁ ରାତିରେ ତାଙ୍କ ଘରେ ପଶିଲି। କେମିତି କଣ କରିବି କିଛି ଉପାୟ ନ ଜାଣି ମଧ୍ୟ ଛୁରୀଟିଏ ଧରି ସାହସ ଜୁଟାଇ ପହଞ୍ଚିଗଲି ତାଙ୍କ ଘର ଭିତରେ।” ଚାମରୁ ଘର ଭିତରେ କେମିତି ପ୍ରବେଶ କଲା ଏବଂ ତାପରର ଘଟଣାକ୍ରମକୁ ସବିଶେଷ ଉପସ୍ଥାପନ କଲା।

“ସାବ୍.ଙ୍କ ବଳୁଆ ଦେହ ପାଖରେ ମୋର ଏ ରୁଗ୍.ଣ ଶରୀର କିଛି କାମ କଲାନି ସାର୍। ମୁଁ ଧରାପଡ଼ି ସମ୍ମାନ ଓ ପ୍ରାଣ ବଞ୍ଚାଇ ଦୌଡ଼ିଲି। ରାସ୍ତାରେ ଦୌଡ଼ିଲେ ସେ ମୋତେ ଧରି ପକାଇଥାନ୍ତେ। ସେଥିପାଇଁ ଅନ୍ଧାରର ସୁଯୋଗ ନେଇ ମୁଁ ତାଙ୍କ ପଡ଼ୋଶୀ ଘରେ ପଶି ଲୁଚିଗଲି ଅନେକ ସମୟ। ମୁଁ ଯେଉଁ ଗଳାବାଟ ଦେଇ ଘରେ ପ୍ରବେଶ କଲି, ସେଇବାଟ ଦେଇ ଜଣେ ମହିଳା ସେ ଘରୁ ବାହାରିଗଲେ।” ଟିକିଏ ରହି ଚାମରୁ ଚାହିଁଲା ରିହାନ ଆଡ଼କୁ।

ରିହାନର ମୁହଁ ବିବର୍ଣ୍ଣ ଦିଶୁଥାଏ। ଚକ୍ଷୁ ଦୁଇଟିରେ ଇତସ୍ତତଃ ଭାବ ସହ ଜ୍ୟୋତି କମି କମି ଆସୁଥାଏ। କପାଳରେ ବିନ୍ଦୁ ବିନ୍ଦୁ ସ୍ୱେଦ ତା ଅସହାୟତାକୁ ସ୍ପଷ୍ଟ କରୁଥାଏ। ଏତିକିବେଳେ ଇନ୍.ସ୍ପେକ୍ଟର ଡେଭିଡ୍ ରିହାନ ଆଡ଼କୁ ମୁହଁ ବୁଲାଇ କହିଲେ, “ଆପଣ ବୋଧେ କିଛି କହିବାକୁ ଚାହୁଁଛନ୍ତି ମିଃ ରିହାନ।” ରିହାନ ଚମକି ପଡ଼ିଲା ତାଙ୍କ କଥାରେ। ଜିଭଟାକୁ ବୁଲେଇ ଆଣିଲା ତାର ଶୁଖିଲା ଓଠ ଉପରେ। ଇନ୍.ସ୍ପେକ୍ଟର ଡେଭିଡ୍.ଙ୍କ ମୁହଁ ଉଜ୍ଜଳ ଦିଶୁଥିଲା। ସେ ଚାମରୁକୁ ନିର୍ଦ୍ଦେଶ ଦେଲେ ବେଞ୍ଚଟା ଉପରେ ବସିଯିବା ପାଇଁ। ଟେବୁଲ ଉପରେ ତାଙ୍କ ମୋବାଇଲ୍ ଭଏସ୍ ରେକର୍ଡିଙ୍ଗ୍ ମୋଡରେ ଥିଲା।

“ବାକି ତକ ଆମେ ମିଃ ରିହାନଙ୍କ ମୁହଁରୁ ଶୁଣିବା।” ଇନ୍.ସ୍ପେକ୍ଟର ଡେଭିଡ୍ ମୁହଁରେ ଏକ କୁଟିଳ ହସ ଖେଳାଇ ଉପସ୍ଥିତ ସମସ୍ତଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ। ସାମ୍ନା ସିଟ୍.ର ସବ୍-ଇନ୍.ସ୍ପେକ୍ଟର ଓ ଦୁଇ ଜଣ କନେଷ୍ଟବଳ ଧ୍ୟାନର ସହ ଶୁଣୁଥିଲେ ସବୁକଥା। ରିହାନ ଚୁପ ଚାପ ମୁହଁ ପୋତି ବସିଥିଲା ନିଜ ଚୌକିରେ। ହଠାତ୍ କଣ ଭାବି ପକେଟରୁ ମୋବାଇଲ ଫୋନ୍ ବାହାର କଲା। ମିଃ ଡେଭିଡ୍ ନିଜ ସିଟରୁ ଉଠି ରିହାନ ହାତରୁ ଫୋନଟିକୁ ଛଡ଼େଇ ନେଇ କହିଲେ, “କାହାକୁ ଫୋନ୍ କରିବାକୁ ଚାହୁଁଛନ୍ତି ମିଃ ରିହାନ?”

ରିହାନ ରାଗିଗଲା। କହିଲା, “ଅସଲ ଲୋକକୁ ଧରିବାରେ ବିଫଳ ହୋଇ ଜଣେ ଚୋରର ବୟାନକୁ ଭିତ୍ତି କରି ଆପଣ ମୋତେ ଫସାଇବାକୁ ଚାହୁଁଛନ୍ତି। ମୋ ପତ୍ନୀକୁ ହତ୍ୟା କରି ମୁଁ ବା କଣ ପାଇବି?”

ଇନ୍.ସ୍ପେକ୍ଟର ଡେଭିଡ୍ ହସିଲେ।

“ମୁଁ କେତେବେଳେ କହିଲି ଆପଣ ହତ୍ୟାକାରୀ ବୋଲି? ଆପଣ ନିଜେ ନିଜ ଉପରେ ଦୋଷ ଲଦୁଛନ୍ତି। ମୁଁ ତ ଏ ବିଷୟରେ ଏ ଯାଏଁ ପାଟି ଖୋଲିନାହିଁ।” ଇନ୍.ସ୍ପେକ୍ଟର ଚାହା ପାଇଁ ଅର୍ଡର କରି ପୁଣି ଥରେ ନିଜ ସିଟ୍.ରେ ବସିଲେ।

“ମୁଁ ମୋ ଓକିଲଙ୍କ ସହ ପରାମର୍ଶ କରିବାକୁ ଚାହେଁ, ୟୁ କେନଟ୍ ଷ୍ଟପ୍ ମି ଡୁଇଙ୍ଗ୍ ଦ୍ୟାଟ୍। ଆପଣ ମୋତେ ଜାଣିନାହାନ୍ତି ଭଲଭାବରେ।” ରିହାନର ସ୍ୱର କ୍ରମେ ଉଚ୍ଚ ହେଉଥିଲା।

“କୁଲ୍ ଡାଉନ୍ ମିଃ ରିହାନ। ଚଷୁ କୁଟିବା ପାଇଁ ଏ ସିଟ୍.ରେ ମୁଁ ବସିନି। ଆଇ ହାଭ୍ କଲେକ୍ଟେଡ୍ ଅଲ୍ ଦି ଡାଟା ଆବାଉଟ୍ ୟୁ। ମୁଁ ଜାଣେ, ଆପଣଙ୍କ ମାମୁଁ ପୁଅ ଭାଇ ଏମ୍.ପି। କକା ଆପଣଙ୍କର ରିଟାୟର୍ଡ ଏ.ସି.ପି। ଆଉ ଆପଣଙ୍କ ଜଣେ ବନ୍ଧୁ ଥାର୍ଡ ଫ୍ଳୋର୍.ରେ କାର୍ଯ୍ୟରତ। ଆପଣ ଭାବୁଛନ୍ତି ଏସବୁ ମୋ କାର୍ଯ୍ୟଧାରାରେ ପ୍ରଭାବ ପକାଇବ? କହିପାରିବେ, ଆପଣ ଏଯାଏଁ କାହିଁକି ଆପଣଙ୍କ ଶ୍ୱଶୁରଙ୍କୁ କିମ୍ବା ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ନିଜ ପତ୍ନୀଙ୍କ ନିଖୋଜ ବିଷୟ ଜଣାଇ ନାହାନ୍ତି?” ଇନ୍.ସ୍ପେକ୍ଟର ଡେଭିଡ୍ ଦୀର୍ଘଶ୍ୱାସ ନେଇ କହିଲେ, “ମୁଁ କହୁଛି ଆପଣ କାହିଁକି କାହାକୁ ଏ ଯାଏଁ ଜଣାଇ ନାହାନ୍ତି। ଆପଣ ଭାବିଲେ, ଅନ୍ୟ ସମସ୍ତ କେଶ୍ ପରି ଏ କେଶରେ ମଧ୍ୟ ପୋଲିସ ବେଶୀ ଭିତରକୁ ଖୋଳତାଡ଼ କରିବ ନାହିଁ। ନିଖୋଜ ଫାଇଲ୍.ଟିଏ କରି ଗଡ଼ି ଚାଲିବ ତଦନ୍ତ। ଯଦି ବା କିଛି ଖୋଳତାଡ଼ କରି ବିବରଣୀ ପାଏ, ବେଶୀ ହେଲେ ଆପଣଙ୍କ ବଦନାମ ହେବ। ମାଇକ୍ ସହ ଆପଣଙ୍କ ପତ୍ନୀ ଫେରାର୍। ତା ଭିତରେ ମାଇକ୍ ଚାଲି ଯାଇଥିବ ଏକ ସୁରକ୍ଷିତ ଦୂରତ୍ୱକୁ। ଅପରପକ୍ଷେ ଆପଣ ଯଦି ଜଣାଇ ଦିଅନ୍ତି, ପୋଲିସ ଉପରେ ଚାପ ପଡ଼ିବ। ତନାଘନା ହେବ। ସତ୍ୟ ଖୁବ୍ ଶୀଘ୍ର ପଦାକୁ ଆସିବ। ଯାହା ଆପଣ ଚାହାନ୍ତି ନାହିଁ।”

“ଏମିତି ଗଳ୍ପ ମୁଁ ଅନେକ ଶୁଣିଛି, ଆପଣ ମତେ ମନଗଢ଼ା କଥା କହି ଡରାଇ ପାରିବେ ନାହିଁ। ବାଇ ଦ ୱେ, ହାଉ ଡେର୍ ୟୁ ସେ ମାଇ ୱାଇଫ୍ କ୍ୟାରେକ୍ଟର୍.ଲେସ୍?”

ଚାହା ଆସି ଯାଇଥିଲା। ଗୋଟିଏ ଗ୍ଳାସ୍ ରିହାନ ଆଡ଼କୁ ଠେଲି ଦେଇ ଇନ୍.ସ୍ପେକ୍ଟର ଡେଭିଡ୍ କହିଲେ, “ଇଟ୍.ସ୍ ନଟ୍ ମାଇଁ ୱର୍ଡସ୍ ମିଃ ରିହାନ। ଇଟ୍.ସ୍ ୟୋର୍ ଥିଙ୍କିଙ୍ଗ୍।” ଇତି ମଧ୍ୟରେ ଜିପ୍.ଟିଏ ଆସି ବାହାରେ ଲାଗିଲା। ଜିପ୍ ଶବ୍ଦ ଶୁଣି ମିଃ ଡେଭିଡ୍ କହିଲେ, “ହିଅର୍ ଇଜ୍ ସମୱାନ୍ ଟୁ ମିଟ୍ ୟୁ।” ରିହାନ ବାହାରକୁ ଚାହିଁଲା। କିଛି ସମୟ ଅନ୍ତେ ଥାନା ମଧ୍ୟରେ ଯିଏ ପ୍ରବେଶ କଲା, ତାକୁ ଦେଖି ରିହାନର ସବୁ ସାହସ ଧୂଳିସାତ୍ ହୋଇଗଲା। ପରସ୍ପରକୁ ଶୃଙ୍ଖଳରେ ବନ୍ଧା ହୋଇ ମାଇକ୍ ଓ ରୋଲି ପଶି ଆସୁଥିଲେ ଭିତରକୁ। ଇନ୍.ସ୍ପେକ୍ଟର୍ ରିହାନ ଆଡ଼କୁ ଚାହିଁ କହିଲେ, “ଏବେ, ଆପଣ ଆରମ୍ଭ କରିବେ ନା ମାଇକ୍।” ରିହାନର ସ୍ୱର ନରମି ଯାଇଥିଲା। ମାଇକ୍.ର ଉପସ୍ଥିତିରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଲା। ମାଇକ୍ ଓ ରୋଲି ଠିଆ ହୋଇ ରହିଲେ ଖଣ୍ଡେ ଦୂରରେ। ରିହାନର ବୟାନ୍ ହୃଦୟ ବିଦାରକ ଥିଲା।

“କିଛି ଦିନ ତଳ ପର୍ଯ୍ୟନ୍ତ ଜାଣିନଥିଲି ଯେ ମୁଁ ସନ୍ତାନ ଜନ୍ମ କରିବାକୁ ଅସମର୍ଥ। ପରୀକ୍ଷା ନିରୀକ୍ଷା ପରେ ଡକ୍ଟର ଏମାନୁଏଲ୍.ଙ୍କ ବକ୍ତବ୍ୟ ମୋତେ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା। ଏତେଦିନ ମୁଁ ଭାବୁଥିଲି ଅସୁବିଧା ସୁଲେଖା ଠାରେ ଅଛି ବୋଲି। ସୁଲେଖାର କାର୍ଯ୍ୟକଳାପ ଯଦିଓ ମୋ ମନରେ ବହୁ ଆଗରୁ କିଛିଟା ସନ୍ଦେହର ବୀଜ ରୋପଣ କରିଥିଲା, ତଥାପି ମୋ ସନ୍ଦେହର ସତ୍ୟମିଥ୍ୟା ପ୍ରମାଣ କରିବାକୁ ମୁଁ କେବେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲି। ଡକ୍ଟରଙ୍କ ଠାରୁ ସବୁକିଛି ବୁଝିଲା ପରେ ମୁଁ ଯେତେବେଳେ ଘରେ ପହଞ୍ଚିଲି, ସେ ରାତ୍ରି ମଧ୍ୟ ସୁଲେଖା ସବୁରାତି ପରି କ୍ଷୀର ଗ୍ଳାସ୍.ଟିଏ ଆଣି ମୋ ହାତକୁ ବଢ଼ାଇ ଦେଲା। ସବୁ ରାତିରେ କ୍ଷୀର ପିଇ ସାରି ମୁଁ ଗଭୀର ନିଦରେ ଶୋଇ ଯାଉଥିଲି। ନିଦ ଭାଙ୍ଗୁଥିଲା ସକାଳ ସାତଟାର ଆଲାର୍ମ ଶୁଣି। ସେଦିନ କିନ୍ତୁ ମୋର ଭାରାକ୍ରାନ୍ତ ମନ ଅନ୍ୟ କିଛି ଚାହୁଁଥିଲା। କ୍ଷୀର ତକ ଫୋପାଡ଼ି ଦେଇ ସେଇ ଗ୍ଳାସ୍.ରେ ମୁଁ ଆଲମାରୀରୁ ଲୁଚାଇ ରଖିଥିବା ହ୍ୱିସ୍କି ବାହାର କରି ଢ଼ାଳିଲି ଓ ଅଳ୍ପ ଅଳ୍ପ ଉଦରସ୍ଥ କଲି। ନିଦ ହେଉନଥାଏ। ନିଜ ଭାଗ୍ୟକୁ ନିନ୍ଦୁଥାଏ ମୁଁ। ଏତିକିବେଳେ ଚୋର ପଶି ଆସିଲା ମୋ କକ୍ଷ ଭିତରେ। ତାକୁ ଧରିବାକୁ ଯାଇ ମୁଁ ଆବିଷ୍କାର କଲି ଯେ ମୋ କିଚେନ୍ ଝରକା ଗ୍ରିଲ୍ ଖୋଲା। ଆଉ ତା ସହ ସୁଲେଖା ମଧ୍ୟ ନିଜ ଶଯ୍ୟାରେ ନ ଥିଲା। ମୋ ସନ୍ଦେହକୁ ପରଖିବା ପାଇଁ ମୋତେ ଟିକେ ସମୟ ମିଳିଗଲା। ମୁଁ ତାର ପରସନାଲ୍ ଜିନିଷପତ୍ର ଘାଣ୍ଟି ପକାଇଲି। କେଉଁଠି କିଛି ପାଇଲି ନାହିଁ। ହଠାତ୍ ମୋ ଆଖିରେ ପଡ଼ିଲା ବିଲ୍.କୁଲ୍ ତଳ ଥାକରେ ଶାଢ଼ୀ ଆଦି ତଳେ କେତୋଟି ସ୍ଳିପିଂ ପିଲ୍.ର ସ୍ଟ୍ରିପ୍.ସ୍। ମୋ ସନ୍ଦେହ ଘନୀଭୁତ ହେଲା। ଡ୍ରୟାର୍ ଖୋଲି ଲାଇସେନ୍.ସଡ୍ ରିଭଲଭରକୁ ପକେଟରେ ପୁରେଇ ସୁଲେଖାର ଫେରିବା ପଥକୁ ମୁଁ ଚାହିଁ ରହିଲି ମୁଖ୍ୟ ଦରଜା ପାଖରେ ଠିଆ ହୋଇ। କିଚେନ୍ ଝରକା ବନ୍ଦ ଥିବା ଦେଖି ସେ ଡରି ଯାଇଥିଲା। ଚାରିଆଡ଼କୁ ଥରେ ଚାହିଁ ଦେଇ ସଙ୍ଗେ ସଙ୍ଗେ ଫେରିଗଲା ମାଇକ୍ ଘରକୁ। ମୁଁ ଜାଣିବାକୁ ଚାହୁଁଥିଲି ସେ ଯାଉଛି କୁଆଡ଼େ। ଦୂରତ୍ୱ ବଜାୟ ରଖି ଆଢ଼ୁଆଳରେ ଥାଇ ମୁଁ ତାକୁ ଅନୁସରଣ କଲି। ଠିକ୍ ମୋ ଭଳି ମାଇକ୍.ର ଝରକା ଗ୍ରିଲ୍ ମଧ୍ୟ ମେଲା। ଗୋଟିଏ ମାଲିକର ହୋଇଥିବାରୁ ସେ ଲାଇନ୍.ର ଚାରୋଟି ଘର ସବୁ ଏକା ପାଟେର୍ନ୍.ର। ମୁଁ ଆଗପଛ ଦେଖି ପଶିଗଲି ଭିତରକୁ। ସେ ଦୌଡ଼ି ଯାଇ ମାଇକ୍.କୁ ଭିଡ଼ି ଧରି କହିଲା, “ମୋର ସନ୍ଦେହ ମୁଁ ଘରେ ନ ଥିବା କଥା ରିହାନ ଜାଣି ପାରିଛି।” ମୋ ପତ୍ନୀ ମୋ ଆଖି ଆଗରେ ଆଉ ଜଣକୁ ଜାବୁଡ଼ି ଧରି ଠିଆ ହୋଇଛି, ସେସବୁ ଦେଖି ଶକ୍ତ ଧାତୁ ପରି ଦୃଢ଼ ମନ ମୋର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ମୁଁ ନିଜକୁ ନିୟନ୍ତ୍ରଣାଧୀନ କରିପାରିଲି ନାହିଁ। ଅସହ୍ୟ ଘୃଣା ସଞ୍ଚାରିତ ହେଉଥିଲା ମନ ମସ୍ତିଷ୍କରେ। କ୍ରୋଧ ଜର୍ଜରିତ ହୋଇ ଉଠୁଥିଲା ଶରୀର। ରିଭଲଭର ବାହାର କରି ମୁଁ ସୁଲେଖାକୁ ଗୁଳି କରିବାକୁ ଉଦ୍ୟତ ହେଲି। ହେଲେ ହାତ ମୋର କମ୍ପି ଉଠିଲା। ବୋଧହୁଏ ସୁଲେଖା ପ୍ରତି ମୋର ପ୍ରେମ ଆହୁରି କିଛି ବାକି ରହି ଯାଇଥିଲା। ମୁଁ ରିଭଲଭର ଉତ୍.ଥିତ ହାତରେ ଲୁଚିଥିବା ଜାଗାରୁ ବାହାରି ଆସି ମାଇକ୍ ଆଡ଼କୁ ରିଭଲଭର ତୋଳି ଧରିଲି। ହଠାତ୍ ରିଭଲଭର ସହ ମୋ ଉପସ୍ଥିତିରେ ଦୁହେଁ ଡରିଗଲେ। ମାଇକ୍ ମୋ ଠାରୁ ବଳଶାଳୀ ଥିଲା। ତାକୁ କୌଣସି ମୌକା ମୁଁ ଦେବାକୁ ଚାହୁଁ ନ ଥିଲି। ମାଇକ୍.କୁ ମୋର ଗୋଟିଏ ଅଫର୍ ଥିଲା। ସେ ଯଦି ନିଜ ହାତରେ ସୁଲେଖାକୁ ହତ୍ୟା କରିବ, ତାହେଲେ ମୁଁ ତାକୁ ଛାଡ଼ି ଦେଇପାରେ। ପ୍ରତି ବଦଳରେ ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତିବଦ୍ଧ ହେଲି। ଆଉ ଯଦି କିଛି ଚାଲାକି ଖେଳିବାକୁ ଚେଷ୍ଟା କରେ, ଉଭୟଙ୍କୁ ହତ୍ୟା କରି ମୁଁ ଜେଲ୍ ଯିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲି। ମାଇକ୍ କାହା ପ୍ରତି ଲୟାଲ୍ ନ ଥିଲା। ସେ କେବଳ ଜଣେ ପ୍ଳେ ବୟ। ନିଜ ଜୀବନ ଓ ଟଙ୍କାର ବିନିମୟରେ ସେ ମୋରି ଆଗରେ ସୁଲେଖାକୁ ବେକ ଚିପି ହତ୍ୟା କଲା ଏବଂ ବଡ଼ି ଭୋରରୁ କାର୍.ରେ ନେଇ ଘାଟି ତଳେ ଫୋପାଡ଼ି ଦେଇଥିଲା ତାର ଶବ। କଥାନୁସାରେ ମୋ ଆକାଉଣ୍ଟରୁ ସେ ଦେଇଥିବା କେଉଁ ସାଙ୍ଗର ଆକାଉଣ୍ଟକୁ ମୁଁ ପାଞ୍ଚ ଲକ୍ଷ ଟଙ୍କା ଟ୍ରାନସଫର୍ କରି ଦେଇଥିଲି। ଆଉ ମାଇକ୍ ମଧ୍ୟ ପ୍ରତିଶୃତି ଦେଇଥିଲା ତା ଜୀବନ କାଳ ମଧ୍ୟରେ କେବେ ମଧ୍ୟ ଏ ସହରକୁ ଫେରିବ ନାହିଁ। ହେଲେ ମାଇକ୍ ଏତେ ଶୀଘ୍ର ଧରା ପଡ଼ିଯିବ, ମୋ ଭାବନା ବାହାରେ ଥିଲା।” ରିହାନ ଚାହିଁଲା ମାଇକ୍ ଆଡ଼େ।

“ମାଇକ୍ ଧରା ପଡ଼ିନାହିଁ।” ରିହାନ ଆଡ଼କୁ ଚାହିଁ କହିଲେ ଇନ୍.ସ୍ପେକ୍ଟର ଡେଭିଡ୍। ମାଇକ୍ ତା ମୁହଁ ଉପରୁ କାଢ଼ି ଆଣିଲା ମାସ୍କ। “ସେ ହେଲେ ଅନ୍ୟ ଥାନାର ସବ୍-ଇନ୍.ସ୍ପେକ୍ଟର ପ୍ରିୟାଂଶୁ ମେହେର। ଆପଣ ସ୍ୱକଣ୍ଠରେ ଦୋଷ ସ୍ୱୀକାର କରନ୍ତୁ, ସେଇଥିପାଇଁ ଆମେ ଏ ବ୍ୟୁହ ରଚିଥିଲୁ।”

“ସେ ଚୋର...।”

“ସେ ଅରିଜିନାଲ୍। ଚୋର ନୁହେଁ, ଜଣେ ନିଃସହାୟ ବ୍ୟକ୍ତି। ସେ ଯେତିକି କହିଲା, ସେତିକି ହିଁ ଜାଣେ। ତାଠାରୁ ଅଧିକ ସେ କିଛି ଦେଖିନାହିଁ। ଆପଣ ମାଇକ୍ ଘରେ ପ୍ରବେଶ କରିବା ମଧ୍ୟ ସେ ଦେଖିନାହିଁ।”

“ଆଉ ରୋଲି?”

“ସେ ମଧ୍ୟ ଅରିଜିନାଲ୍।” ରୋଲି ରିହାନ ପାଖକୁ ଆସି ହାତ ଯୋଡ଼ି କ୍ଷମା ମାଗିଲା।

ରିହାନ ସମସ୍ତଙ୍କ ଆଡ଼କୁ ଥରେ ଦୃଷ୍ଟିନିକ୍ଷେପ କଲା। ସମସ୍ତଙ୍କ ଚକ୍ଷୁରେ ସହାନୁଭୁତିର ଚିହ୍ନ। ଉଠି ଠିଆ ହୋଇପଡ଼ିଲା ରିହାନ। ହାତ ଦୁଇଟିକୁ ବଢ଼ାଇ ଦେଲା ଇନ୍.ସ୍ପେକ୍ଟରଙ୍କ ଆଡ଼େ। ମିଃ ଡେଭିଡ୍.ଙ୍କ ଈଶାରାରେ କନେଷ୍ଟବଳ ଜଣେ ଟାଣି ନେଇଗଲା ରିହାନକୁ ଲକ୍ ଅପ୍ ଭିତରକୁ।


Rate this content
Log in

Similar oriya story from Fantasy