T.Durga Prasad Rao

Romance Tragedy

4.9  

T.Durga Prasad Rao

Romance Tragedy

ସ୍ମୃତି

ସ୍ମୃତି

11 mins
834



ଜଳଦ ଝରେ ଝର ଝର

ଜାଳି ହୃଦ ତିଳ ତିଳ

କିବା ଯାମିନୀ କି ଦିବା

ଯାଜ୍ୟ ସମ ଚେଇଁଥିବା

ପାଇବାକୁ ପୂର୍ଣ୍ଣାହୁତି ଯଜ୍ଞ ଅନଳେ,


ଯୁକ୍ତ ବିଯୁକ୍ତ ଭାବର

ଫେଣ୍ଟାଫେଣ୍ଟି ହଳାହଳ

ଯଥାଯଥ ପାନ କରି

ଶବସମ ଯା ଜକଡ଼ି

ଅଥ କି କରିବେ ତୋହେ ଯମ କିଂକରେ।


ହାଃ, ହାଃ, ହାଃ, ହାଃ...


ଆନମନା ଭାବରେ ମେଘଭର୍ତ୍ତି ଆକାଶକୁ ଚାହିଁ ଗୀତଟିକୁ ଗାଇ ଖୁବ୍ ଜୋର୍ ରେ ଅଟ୍ଟହାସ କରି ଉଠିଲେ ମିଃ ହୀରଣ୍ମୟ ମିଶ୍ର।

- ହୀରା, ହୀରା... କଣ ହେଲା ବାପା? କାହିଁକି ଏମିତି ହେଉଛୁ କହିଲୁ?

ବୋଉକୁ ଦେଖି ହୀରଣ୍ମୟ ନିଜ ଚକ୍ଷୁରୁ ଝରି ଆସୁଥିବା ଲୋତକ ଧାରକୁ ତରବରିଆ ପୋଛି ପକାଇଲେ। ଭାବପ୍ରବଣତାରେ ଦୁଇହାତରେ କୁଣ୍ଢାଇ ଧରିଲେ ବୋଉକୁ। ବୋଉ ତାଙ୍କର ଅବୋଧ ଭାବରେ ଆଉଁସି ଦେଲେ ହୀରଣ୍ମୟଙ୍କ ପିଠି। ସେ ଜାଣନ୍ତି ହୀରା ତାଙ୍କର ଆଜି ବିଷାଦଗ୍ରସ୍ତ। କାହିଁକି ବିଷାଦଗ୍ରସ୍ତ ତାର ଉତ୍ତର ତାଙ୍କ ପାଖରେ ନାହିଁ। ହୀରାକୁ ଚାଳିଶି ପାର ହେଲାଣି। ସୁନ୍ଦରୀ ଶିକ୍ଷିତା ସ୍ତ୍ରୀ, କଣ୍ଢେଇ ପରି ଝିଅଟିଏ। ହୀରା ନିଜେ ମଧ୍ୟ ଜଣେ ଉଚ୍ଚପଦସ୍ଥ ଅଧିକାରୀ। ଦେଖିବାକୁ ପ୍ରଣୟ ରୋମାଞ୍ଚଭରା ଚଳଚ୍ଚିତ୍ରର ନାୟକ ପରି। କେଉଁଥିରେ କିଛି ଅଭାବ ନାହିଁ, ଊଣା ନାହିଁ। ହେଲେ ମଝିରେ ମଝିରେ ହୀରାର କାହିଁକି ଏ ପାଗଳାମୀ ବାହାରେ ବୁଝିପାରନ୍ତି ନାହିଁ ହୀରାବୋଉ। ହୀରାକୁ ପଚାରିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳେନାହିଁ ତାଙ୍କୁ।

 

ହୀରଣ୍ମୟ ନିଜ କ୍ଳାନ୍ତ ମନ ଓ ଶରୀରକୁ ଲେଉଟାଇ ଦିଅନ୍ତି ପଲଙ୍କ ଉପରେ। ବୋଉ କୋଳରେ ମୁଣ୍ଡ ଦେଇ ଶୋଇ ଯାଆନ୍ତି ଆଖି ବୁଜି। ବୋଉର ଗୋଟିଏ ହାତକୁ ନିଜ ଛାତି ପାଖରେ ଚାପି ଧରନ୍ତି। ଆଉ ଆର ହାତରେ ହୀରାବୋଉ ଧୀରେ ଧୀରେ ଆଉଁସି ପକାନ୍ତି ତାଙ୍କ କପାଳ ଓ କେଶକୁ। ଯେଉଁଦିନ ହୀରଣ୍ମୟ ଅତ୍ୟଧିକ ଭାବପ୍ରବଣ ହୋଇଉଠନ୍ତି, ସେଦିନ ଏମିତି ବ୍ୟବହାର କରନ୍ତି। ଅଫିସ୍ ଯିବାରେ, ଦୈନନ୍ଦିନ ଜୀବନଚର୍ଯ୍ୟାରେ ତାଙ୍କର ଅନାଗ୍ରହ ପରିଲକ୍ଷିତ ହୁଏ। ବୋଉ ରୁମ୍.ରୁ ବାହାରିବାକୁ ଅନିଚ୍ଛା ଜାହିର୍ କରନ୍ତି। ଦେଖୁ ଦେଖୁ ରାତି ବଢିଯାଏ। ମିତ୍ରା ଆସି ବସିଥାଏ ବୋଉ ରୁମ୍.ର ଦ୍ୱାର ନିକଟରେ। ବେଳେ ବେଳେ ଦ୍ୱାର ସେପଟେ ଥାଇ ଏପାଖ ସେପାଖ ହୁଏ। ବାଧା ଦେବାକୁ ଚାହେଁନି ମାଆପୁଅଙ୍କ ସ୍ନେହ ଅନୁବନ୍ଧନରେ। ବୋଉ କିନ୍ତୁ ବୁଝେଇ ଶୁଝେଇ ବଳେଇ ଦେଇ ପଠେଇ ଦିଏ ମିତ୍ରା ସାଙ୍ଗରେ। ମିତ୍ରା ଅଭିମାନ କରେ। ହେଲେ ପ୍ରତ୍ୟେକ୍ଷରେ ହୀରଣ୍ମୟଙ୍କୁ କିଛି ମଧ୍ୟ କହେନି।


ଏ କାହାଣୀର ଆରମ୍ଭ କେଉଁଠି ତାର ସୂତ୍ର ମିତ୍ରା ପାଖରେ ନ ଥାଏ। ବିବାହ ପରଠାରୁ ହିଁ ସେ ଦେଖୁଛି ହୀରଣ୍ମୟଙ୍କର ଏ ଭାବପ୍ରବଣତା। ଅଭାବନୀୟ ପାଗଳପଣ। ଚଳଚ୍ଚିତ୍ରରେ ବିରହ ପ୍ରେମିକର ଚରିତ୍ର ପରି ଗୋଟାପଣେ ଆତ୍ମମଗ୍ନ। ପ୍ରଥମେ ପ୍ରଥମେ ତାର ମନେ ହେଲା ସେ ବୋଧେ ଠକି ଯାଇଛି। ତା ବାପା କିଛି ନ ବୁଝି ନ ଶୁଝି କେବଳ ତାଙ୍କ ବାଲ୍ୟବନ୍ଧୁଙ୍କର ପୁତ୍ର ଏବଂ ଏକ ଉଚ୍ଚ ପଦାଧିକାରୀ ହେତୁ ଟେକି ଦେଇଛନ୍ତି ତାକୁ ହୀରଣ୍ମୟଙ୍କ ହାତରେ। ଯିଏ କିଛି କିଛି ଦିନ ଏମିତି ଆତ୍ମକୈନ୍ଦ୍ରିକ ଆଉ ସ୍ୱାର୍ଥପର ହୋଇଯାଏ ଯେ ଜମା ଚିହ୍ନେନା ତାକୁ କିମ୍ବା ଝିଅ ମୁଗ୍ଧାକୁ। ଅନ୍ୟ ସମୟରେ ହୀରଣ୍ମୟ ଜଣେ ଦାୟିତ୍ୱବାନ ଅଧିକାରୀ, ଜଣେ ଯତ୍ନବାନ୍ ସ୍ୱାମୀ ଏବଂ ସ୍ନେହ ସରାଗବୋଳା ପିତା। ହୀରଣ୍ମୟଙ୍କର ଏ ବ୍ୟକ୍ତିତ୍ୱକୁ ଠିକ୍ ଭାବରେ ପଢିପାରେନି କି ମାପିପାରେନି ମିତ୍ରା।


ହୀରଣ୍ମୟଙ୍କ ଗୋଟିଏ ପାର୍ଶ୍ୱ ଖୋଲା ପୁସ୍ତକ ହେବା ବେଳେ ଅପର ପାର୍ଶ୍ୱଟି ଏକ ଜଉମୁଦର ଲଫାପା। ନିଜେ ସେଇ ଲଫାପା ଭିତରେ ଅଣନିଶ୍ୱାସୀ ହୋଇପଡ଼ନ୍ତି ହୀରଣ୍ମୟ। ଛଟପଟ ହୁଅନ୍ତି। ହେଲେ ଜଉମୁଦ ଖୋଲି ବାହାରି ଆସିବାର ଚେଷ୍ଟା କେବେ କରନ୍ତି ନାହିଁ। ଏଇ ମଧୁର ଯାତନାଟିକୁ ନିଜ ଭିତରେ ଲୁଚାଇ ରଖି କଷ୍ଟ ଅନୁଭବ କରୁଥିଲେ ମଧ୍ୟ ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ କାହା ସହିତ ଏହାକୁ ବାଣ୍ଟିବାକୁ ଚାହାଁନ୍ତିନି ସେ। ଏ ଯାତନା ହୀରଣ୍ମୟଙ୍କର ସମ୍ପୂର୍ଣ୍ଣ ନିଜର। ଆପଣାଲୋକକୁ ହଠାତ୍ ପର କରି ଦେବାର ଏ ମର୍ମନ୍ତୁଦ ହୃଦ ଯାତନା ହୁଏତ ତାଙ୍କରି ସାଙ୍ଗରେ ଦିନେ ଜଳିପୋଡ଼ି ପାଉଁଶ ହେବ। ଏ ସ୍ମୃତିର ପରଦା ଦିନେ ହୀରଣ୍ମୟଙ୍କର ଜଡ଼ ସ୍ପନ୍ଦନହୀନ ଶରୀର ଉପରେ ସଫେଦ ଚାଦର ହୋଇ ଲୋଟିଯିବ।


ସ୍ମୃତି… … … କାହାପାଇଁ ମଧୁର, କାହାପାଇଁ ତିକ୍ତ… … … ପୁଣି କାହାପାଇଁ ଫେଣ୍ଟାଫେଣ୍ଟି ଭିନ୍ନ ଏକ ଜୀବନର ସ୍ୱାଦ। ଜୀବନର ସଜ୍ଞା ଖୋଜୁ ଖୋଜୁ ସ୍ମୃତି ନିରୁଦ୍ଦିଷ୍ଟ କାହା ଜୀବନରୁ ତ… … … ପୁଣି କିଏ ନିଜେ ନିରୁଦ୍ଦିଷ୍ଟ ସ୍ମୃତିର ଖୋଜରେ। କେବେ ସରଳ ସ୍ୱଚ୍ଛନ୍ଦ ଜୀବନରେ… … … ସ୍ମୃତି ହଠାତ୍ ଆବିର୍ଭୁତ ହୋଇ ଜୀବନର ଗତିପଥକୁ ନିଜ ଇଚ୍ଛାମତେ ମୋଡ଼ିନିଏ ତ… … … କେବେ ପୁଣି ଜୀବନର ଗତିପଥ ଆପେ ବଦଳି ଯାଇ… … … କିଛି ମୁହୁର୍ତ୍ତ ଓ ଅନୁଭବକୁ ସ୍ମୃତିରେ ରୂପାନ୍ତରିତ କରେ। ଜୀବନ ବିନା ସ୍ମୃତି ନାହିଁ… … … ସେମିତି ସ୍ମୃତି ବିନା ଜୀବନ ମଧ୍ୟ ଶୁଷ୍କ, ନିରାଧାର।


ସେଦିନ ହୀରଣ୍ମୟଙ୍କ “ସ୍ମୃତି ଉପରେ ଏକ ବିହଙ୍ଗାବଲୋକନ”ରେ ପୁରା ହଲ୍ ତାଳି ମାଡ଼ରେ ପ୍ରକମ୍ପିତ ହୋଇ ଉଠିଥିଲା। ଆଉ ହଲ୍.ର ଦ୍ୱିତୀୟ ଧାଡ଼ିର ଗୋଟିଏ କୋଣରେ ବସି କେମିତି ଚୁପ୍ ଚାପ୍ ଲାଜ ଲାଜ ରହି ରହି ତେରେଛେଇ ଚାହୁଁଥିଲା ସ୍ମୃତି ହୀରଣ୍ମୟଙ୍କ ଆଡ଼କୁ। ହୀରଣ୍ମୟଙ୍କ ମାଇକ୍ ଧରିବାର ଶୈଳୀ, ବତ୍କୃତା ଦେବା ବେଳେ ଷ୍ଟେଜ୍ ଉପରେ ତାଙ୍କ ପାଦର ଚଳନ, ଏକ ନିର୍ଦ୍ଦିଷ୍ଟ କାଇଦାରେ ହାତ ହଲେଇବା ସହ ଆଖି ଓ ମୁହଁର ଭାବଭଙ୍ଗିମାରେ ନିଜ ଭାବନାକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାର କଳାରେ ଅଭିଭୁତ ହୋଇ ଉଠିଥିଲା ସ୍ମୃତି।


- ଏଇ ହୀରା, ଆଜି ତ ପୁରା କମାଲ୍ କରିଦେଲୁ। ହୀରଣ୍ମୟଙ୍କ ଷ୍ଟେଜ୍.ରୁ ଓହ୍ଲାଉ ଓହ୍ଲାଉ ସହପାଠୀ ବିପିନ୍ କରମର୍ଦ୍ଦନ କରି କହିଲା।

- ଜମିଗଲା ବ୍ରୋ। ଆଉ ଜଣେ ସିନିୟର କିଏ ହୀରଣ୍ମୟଙ୍କ ପିଠି ଥାପୁଡ଼େଇ ଅଭିନନ୍ଦନ ଜଣାଇଲା।

ହୀରଣ୍ମୟ ଷ୍ଟେଜ୍ ରୁ ଓହ୍ଲାଇ ନିଜ ସିଟ୍.ରେ ପହଞ୍ଚିବା ଯାଏଁ ତାଳିର ପ୍ରକମ୍ପନ ବନ୍ଦ ହେଉନଥାଏ। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସିଟ୍.ରେ ବସି ସ୍ମୃତି ଆଡ଼କୁ ଚାହିଁଲା ହୀରଣ୍ମୟ। ସ୍ମୃତି ମୁହଁ ପୋତି ବସିଛି ନିଜ ସିଟ୍.ରେ।

- ଆଉ କିଏ ବାକି ରହିଲେ କହିବା ପାଇଁ? ଶେଷ ପ୍ରତିଯୋଗୀ, ଲଲାଟେନ୍ଦୁ ତରଫଦାର୍। ଓଡ଼ିଆ ଅଧ୍ୟାପକ ଷ୍ଟେଜ୍ ଉପରକୁ ଉଠି ମାଇକ୍ ଧରି ଡାକିଲେ।

ଲଲାଟେନ୍ଦୁ ନିଜ ସିଟ୍.ରୁ ଉଠି ହାତ ଟେକି ଦେଲା। ସରି ସାର୍, ସ୍ମୃତି ଏବେ ହୀରଣ୍ମୟର। ମୁଁ ପ୍ରତିଯୋଗୀତାରୁ ମୋର ନାଁ ଫେରସ୍ତ ନେଉଛି। ହଲ୍ ଭିତରେ ମୃଦୁ ଏକ ହାସ୍ୟର ଗୁଞ୍ଜରଣ ଖେଳିଗଲା। ସ୍ମୃତିକୁ ପାଖରେ ବସିଥିବା ତାର ସାଙ୍ଗମାନେ ଖେଞ୍ଚି ପକାଉଥିଲେ।

- ଓକେ, ଓକେ। ତାହେଲେ କବିତାପାଠକୁ ଯିବା। ପ୍ରଥମ ପ୍ରତିଯୋଗୀନୀ, ମିସ୍ ରୁବିନା ମିଶ୍ର। ମୁଁ ତାଙ୍କୁ ଷ୍ଟେଜ୍ ଉପରକୁ ଆମନ୍ତ୍ରୀତ କରୁଛି। ଓଡ଼ିଆ ଅଧ୍ୟାପକଙ୍କ ଆମନ୍ତ୍ରଣରେ ଜଣକ ପରେ ଜଣେ ଷ୍ଟେଜ୍ ଉପରକୁ ଉଠି ସ୍ୱ ସ୍ୱ କବିତା ପାଠ କରିବା ଆରମ୍ଭ କଲେ। ହୀରଣ୍ମୟ ଉଠି ଆସିଥିଲେ ସିଟ୍.ରୁ। କାହିଁକି କେଜାଣି ଏ ସମୟରେ ସିଗାରେଟ୍.ଟିଏ ଜାଳିବାର ଇଚ୍ଛା ତାଙ୍କ ମଧ୍ୟରେ ପ୍ରବଳ ହେଲା। ସବୁ ଭଲଗୁଣ ମଧ୍ୟରେ ଏଇଟା ତାଙ୍କର ଗୋଟିଏ ବଦଭ୍ୟାସ। ଯେତେ ଚେଷ୍ଟା କରି ବି ଛାଡ଼ି ପାରୁନାହାନ୍ତି ଏ ଅଭ୍ୟାସ। ବାହାରକୁ ଖଣ୍ଡେ ଦୂର ଯାଏଁ ଚାଲିଲା ପରେ ଗୋଟିଏ ଗଛର ଆଢ଼ୁଆଳରେ ଠିଆ ହୋଇ ପକେଟ୍.ରୁ ସିଗାରେଟ୍ ବାହାର କରି ପାଟିରେ ଦେଲେ ହୀରଣ୍ମୟ। ଦିଆସିଲି ଖୋଜୁଛନ୍ତି, ଶୁଭିଲା, ସିଗାରେଟ୍ ସ୍ମୋକିଂ ଇଜ୍ ଇଞ୍ଜୁରିୟସ୍ ଟୁ ହେଲ୍.ଥ। କାହାର ମଧୁର କଣ୍ଠସ୍ୱରରେ ବୁଲି ଚାହିଁଲେ ହୀରଣ୍ମୟ। ଆଗରେ ସ୍ମୃତି ଠିଆ ହୋଇଥିଲା। ଉଁ ହୁଁ, ମୁଁ କହୁନି, ଏଇ ଦେଖୁନ, ପ୍ୟାକେଟ୍ ଉପରେ ଲେଖା ହୋଇଛି। ମୁଁ କେବଳ ପଢ଼ିଦେଲି। ତମେ ତ ଇଂରାଜୀ ବେଶ୍ ପଢ଼ି ପାରୁଥିବ? ହୀରଣ୍ମୟ ଲଜ୍ଜିତ ହୋଇ ପାଟିରୁ ସିଗାରେଟ୍.ଟିକୁ କାଢ଼ି ଫୋପାଡ଼ି ଦେଲେ।

- ଭାରି ଭଲ ଲାଗିଲା।

- କେଉଁ କଥା, ମୋ ସିଗାରେଟ୍ ଫୋପାଡ଼ିବା?

ସ୍ମୃତି ହସିଲା, ନା, ତୁମ ବତ୍କୃତା।

- ଓ, ଥ୍ୟାଙ୍କ୍.ସ୍।

- ମୁଁ ଦେଖୁଥିଲି, କବିତା ପାଠ ପ୍ରତିଯୋଗୀତାରେ ବି ତୁମ ନାମ ଅଛି। ଆଉ ତୁମେ ଏଇଠି!

- ନା, କବିତା ପାଠରେ ଆଉ ଭାଗ ନେବି ନାହିଁ। ପ୍ରିପାରେସନ୍ ବି ଭଲ ହୋଇନାହିଁ। ଆଉ ଭିତିରିଆ କଥା କଣ ଜାଣ? କବିତାଟି ମୋର ସ୍ୱରଚିତ ନୁହଁ। ତେଣୁ ଆଜି ପାଇଁ ଏତିକି ସ୍ମୃତି ଯଥେଷ୍ଟ।

ସ୍ମୃତି ଦୁଇ ହାତ ଉପରକୁ ତୋଳି ଚକ୍ଷୁକୁ ଅର୍ଦ୍ଧମୁଦ୍ରିତ କରି କହିଲା, ତୁମେ କାହିଁକି ଯେ ସବୁ କଥାରେ ମୋ ନାଁଟାକୁ ଘୋଷାରି ଆଣ?

- ଅପ୍ରାସଙ୍ଗିକ ହେଲେ ତୁମ ନାଁ କାହିଁକି ନେବି? ତାଛଡ଼ା ତୁମ ବାପାମାଆ ତୁମକୁ ଏଇ ନାଁଟା ଦେବା ପୂର୍ବରୁ ଏ ଶବ୍ଦ ଥିଲା। ଆଉ ତାର ଏକ ସ୍ୱତନ୍ତ୍ର ଅର୍ଥ ବି କିଛି ଅଛି। ମୁଁ ସେଇ ଶବ୍ଦକୁ ହିଁ ତୋଳି ଧରିଛି। ଏଇଟା ଯଦି ତୁମ ନାଁ, ସେଥିରେ ମୁଁ କ'ଣ କରିପାରିବି?

- ତୁମକୁ କେବଳ ବାହାନାଟିଏ ଆବଶ୍ୟକ। ମୁଁ ଯେତେ ନାରାଜି ଜାହିର କରୁଛି, ତୁମେ ସେତିକି ଥର ମୋର ନାଁ କେଉଁଠି ନା କେଉଁଠି ଯୋଡ଼ି ଦେଉଛ। ସ୍ମୃତି ମୁହଁ ବଙ୍କେଇ କହିଲା। ପୁଣି ଟିକିଏ ରହି କହିଲା, ଆଜି କିନ୍ତୁ ବତ୍କୃତାରେ ମୋର ନାଁ ସଂଯୋଜନା ମୋତେ ତୁମ କଥା ଭାବିବାକୁ ବାଧ୍ୟ କରିଛି।

- ହଁ... କ'ଣ କହିଲ?

- ତୁମେ ଠିକ୍ ଶୁଣିଛ। ରେଡ଼ିଓ ଦ୍ୱିତୀୟଥର କହେନାହିଁ। କହିଦେଇ କ୍ଷୀପ୍ର ପଦକ୍ଷେପରେ ସେଇଠୁ ଚାଲିଗଲା ସ୍ମୃତି।

ହୀରଣ୍ମୟ ପକେଟ୍.ରେ ହାତ ଦେଇ ଖୁସିରେ ନାଚି ପକାଇଲେ ଗଛ ଆଢ଼ୁଆଳରେ। ପାପୁଲିରେ ସିଗାରେଟ୍ ପ୍ୟାକେଟ୍ ପାଇ କାଢ଼ି ଫିଙ୍ଗିଦେଲେ ଦୂରକୁ। ୱାନ୍, ଟୁ, ଥ୍ରୀ...ଇଇଇଇଇ। ସିଗାରେଟ୍ ପ୍ୟାକେଟ୍ ପବନରେ ଲହରେଇ ଲହରେଇ ଅନେକ ଦୂରରେ ଯାଇ ବିଛାଡ଼ି ହୋଇ ପଡ଼ିଲା।

- ଗୁଡ୍ ମର୍ଣ୍ଣିଙ୍ଗ୍... କପାଳରେ ଏକ ଥିରି ଚୁମ୍ବନ ଦେଇ ହୀରଣ୍ମୟଙ୍କୁ ଉଠାଇବାର ଚେଷ୍ଟା କରୁଥିଲା ମିତ୍ରା। ଇଟ୍ ଇଜ୍ ଏଇଟ୍ ଥାର୍ଟି ନାଓ। ୟୋର୍ କଫି ଇଜ୍ ହିଅର୍।

ଆଖି ମଳି ମଳି ଚାହିଁଲେ ହୀରଣ୍ମୟ। ସାମ୍ନାରେ ସ୍ମୃତି ବଦଳରେ ଠିଆ ହୋଇଥିଲା ମିତ୍ରା। ମିତ୍ରା ଉପରୁ ଦୃଷ୍ଟି ଅପସାରଣ କରି ଟେବୁଲ୍ ଘଡ଼ିକୁ ଚାହିଁ ଦେଇ ଧଡ଼ପଡ଼ ହୋଇ ଉଠି ବସିଲେ। ଟୁଡେ ଅଲ୍.ସୋ ଆଇ ୱିଲ୍ ବି ଲେଟ୍। ତୁମେ ମୋତେ ଆଉ ଟିକେ ପୂର୍ବରୁ ଉଠେଇ ଦେଲନି।

- ସରି, ବଟ୍... ମୁଁ ତୁମ ସୁଖ ନିଦ୍ରାରେ ବ୍ୟାଘାତ କରିବାକୁ ଚାହୁଁନଥିଲି।

ହୀରଣ୍ମୟ ଦୁଇ ସୋଡ଼କାରେ କଫିତକ ଉଦରସ୍ଥ କରି ଯେମିତି ଡେଇଁ ପଡ଼ିଲେ ଶେଯରୁ। ତରତରରେ ନିତ୍ୟକର୍ମ, ବ୍ରେକ୍.ଫାଷ୍ଟ ଆଦି ସାରି ବ୍ୟାଗ୍ ଧରି ବାହାରି ପଡ଼ିଲେ। ବାହାରେ କାର୍ ରେଡ଼ି ଥିଲା। ମିତ୍ରା ନିଜ କାମଧନ୍ଦା ମଧ୍ୟରେ ମନଧ୍ୟାନର ସହିତ ଲକ୍ଷ୍ୟ କରୁଥିଲା କାଲି ଆଉ ଆଜିର ମଣିଷ ଭିତରେ ଫରକ୍। ଆଜିର କର୍ମଯୋଗୀ ହୀରଣ୍ମୟଙ୍କୁ ଦେଖିଲେ କିଏ ବିଶ୍ୱାସ କରିବ ଗତକାଲି ସେ ଦିନତମାମ ନିଜ ସାଧାରଣ ଜୀବନଚର୍ଯ୍ୟାରୁ ଓହରି ନିଜକୁ ନିଜ ପରିବାରକୁ ଭୁଲି ଆକଣ୍ଠ ଭାବପ୍ରବଣତାରେ ଭାସି ଯାଇଥିଲେ ବୋଲି। ମିତ୍ରା ଅନେକ ଥର ନିଜକୁ ପ୍ରସ୍ତୁତି କରିଛି ହୀରଣ୍ମୟଙ୍କ ସହିତ ଏ ବିଷୟରେ କଥା ହେବ। କିନ୍ତୁ ପ୍ରତିଥର ତାଙ୍କର ପାଖାପାଖି ହେଲାପରେ ମୁହଁ କଥା ମୁହଁରେ ହିଁ ରହିଯାଉଛି। ନିଜେ ବୋଉ ଯେତେବେଳେ ଏ ବିଷୟରେ ତାଙ୍କୁ କିଛି ପଚାରି ପାରୁନାହାନ୍ତି, ସେ କେମିତି ବା ମୁହଁ ଖୋଲିବ? ସେ ନିଜ ଆଡ଼ୁ ଯେ ପର୍ଯ୍ୟନ୍ତ ନ ଚାହିଁଛନ୍ତି ତାଙ୍କୁ କିଛି ପଚାରିବା ଉଚିତ୍ ହେବ ନାହିଁ। ଏଇଟା ପତ୍ନିଧର୍ମ କି ନୁହେଁ ଠିକ୍ ଭାବରେ ଜାଣିପାରୁନି ମିତ୍ରା। ଏକ ଦ୍ୱିଧାରେ ପଡ଼ିଯାଇଛି ସେ। କିଛି ନ ପଚାରି ତାଙ୍କୁ କେଉଁ ଏକ ଭାବପ୍ରବଣତାର ଗହ୍ୱର ଭିତରକୁ ଠେଲି ଦେଉନି ତ?

ସନ୍ଧ୍ୟା ଯାଇ ରାତି ହେଲା। ଫେରି ନାହାନ୍ତି ହୀରଣ୍ମୟ। ବେଳେ ବେଳେ ଏମିତି ବିଳମ୍ବ ହୁଏ। ଅଚାନକ କାମର ଚାପ ବଢ଼ିଯାଏ ଅଫିସରେ। ଫେରୁ ଫେରୁ ରାତି ଦଶ ଏଗାର ମଧ୍ୟ ହୋଇଯାଏ। ମୁଗ୍ଧା କେତେବେଳୁ ଶୋଇପଡ଼ିଲାଣି। ଡାଇନିଂ ଟେବୁଲ୍ ପାଖରେ ବସି ବସି ଢୁଳେଇଲାଣି ମିତ୍ରା। ଗାଡ଼ି ଶବ୍ଦରେ ତାର ତନ୍ଦ୍ରା ତୁଟିଗଲା। ଦୌଡ଼ି ଯାଇ କବାଟ ଖୋଲି ଦେଖେ ତ ଡ୍ରାଇଭର ଅନୁପ।

- ମ୍ୟାଡାମ୍, ସାର୍.ଙ୍କର ଆକ୍ସି଼ଡେଣ୍ଟ୍ ହୋଇଯାଇଛି। ମନା କରିବା ସତ୍ତ୍ୱେ ସେ ନିଜେ ଡ୍ରାଇଭିଂ ସିଟ୍.ରେ ବସିଲେ ଆଉ ଦ୍ରୁତଗତିରେ ଗାଡ଼ି ଚଳେଇଲେ। ହଠାତ୍ ସାମ୍ନାରେ ଗାଡ଼ିଟିଏ ଦେଖି ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ୱର ଗୋଟିଏ ଗଛରେ ଘଷି ହୋଇଗଲା ଆମ ଗାଡ଼ି। ମୋତେ କିଛି ହୋଇନି, ଗାଡ଼ିରେ ବି ମାଇନର୍ ସ୍କ୍ରାଚେସ୍ ଆସିଛି। କିନ୍ତୁ ସାର୍...

ମିତ୍ରାର ଆଖି ବଡ଼ ବଡ଼ ହୋଇଆସିଲା। ଅତ୍ୟନ୍ତ ବିବ୍ରତ ସହକାରେ କହିଲା, ତମକୁ କେତେଥର କହିଛି, ସାର୍.ଙ୍କୁ ଗାଡ଼ି ଚଳେଇବାକୁ ଦେବନି। କଣ ହେଲା ସାର୍.ଙ୍କର?

- ନା ନା, ସେମିତି ବିଶେଷ କିଛି ଆଘାତ ଲାଗିନି। ତେବେ ହଠାତ୍ ତାଙ୍କର ବେହୋସ୍ ହୋଇଯିବା ଦେଖି ମୁଁ ସାଙ୍ଗେ ସାଙ୍ଗେ ସାର୍.ଙ୍କୁ ହସ୍.ପିଟାଲ୍ ନେଇଗଲି। ତାଙ୍କର ଚେତା ଫେରିଛି। ଡାକ୍ତର ରାତିଟିଏ ହସ୍.ପିଟାଲ୍.ରେ ରହିବାକୁ କହୁଛନ୍ତି। ମୁଁ ଆପଣଙ୍କୁ ନେବାକୁ ଆସିଛି।

ରାସ୍ତାରେ ମିତ୍ରାର ମୁଣ୍ଡଟା ଭାରାକ୍ରାନ୍ତ ହୋଇ ଉଠିଲା। ତାର ମନେ ହେଲା, ହୀରଣ୍ମୟଙ୍କର ମଝିରେ ମଝିରେ ଏ ଯେଉଁ ଆକସ୍ମିକ ଅନ୍ୟମନସ୍କତା ଦେଖା ଦିଏ, ତା ଦ୍ୱାରା କେତେବେଳେ ଯେ କ'ଣ ଘଟିନଯିବ... ତା ନିଷ୍ପତି ବଦଳାଇବାକୁ ହେବ। ସେ ନିଶ୍ଚୟ ପଚାରିବ ହୀରଣ୍ମୟଙ୍କ ଏ ଅନ୍ୟମନସ୍କତା, ଏ ଭାବପ୍ରବଣତା କାହା ପାଇଁ। ଏତେ ବର୍ଷ ଧରି କେଉଁ ଯନ୍ତ୍ରଣାକୁ ସେ ହୃଦୟ ଭିତରେ ସାଇତି ରଖିଛନ୍ତି। ପତ୍ନି ହିସାବରେ ଏକଥା ଜାଣିବାର ତାଙ୍କର କଣ ଅଧିକାର ନାହିଁ?

ହସପିଟାଲରେ ପହଞ୍ଚିଲା ପରେ ହୀରଣ୍ମୟଙ୍କୁ ଦେଖୁ ଦେଖୁ ସବୁକିଛି ଭୁଲିଗଲା ମିତ୍ରା। ଅନୁତପ୍ତ ମନେ ହେଉଥିଲେ ହୀରଣ୍ମୟ।

- କ'ଣ କରୁଛ ତୁମେ? ତୁମର ଗାଡ଼ି ଚଳେଇବା କ'ଣ ଦରକାର ଥିଲା? ଯଦି ତୁମର କିଛି ହୋଇ ଯାଇଥାନ୍ତା?         

- ବ୍ୟସ୍ତ ହୁଅନି, ମୋର କିଛି ହୋଇନି। ଏ ହାତଟା ଖାଲି ଟିକେ ପେନ୍ ହେଉଛି। ବୋଧେ ଷ୍ଟିଅରିଂ କି କେଉଁଠି ଅଖାଡ଼ିଆ ବାଜିଗଲା। ଏକ୍ସ.ରେ କରିଛି, ଡାକ୍ତର ଦେଖି ନାହାନ୍ତି,ଦେଖିଲେ ଜଣା ପଡ଼ିଯିବ କଣ ହେଇଛି ନ ହେଇଛି।

- ଶୁଣ, ସବୁଦିନ ସମାନ ଯାଏନି। ତୁମେ ଆଉ ଗାଡ଼ି ଚଳେଇବା କଥା ମନକୁ ଆଣନି। ଡ୍ରାଇଭର ତ ଅଛି ନା? ତା କାମ ସେ କରୁ।

- ଠିକ୍ ଅଛି, ଆଉ ସେ ଭୁଲ୍ ହବନି। ନିହାତି ଜରୁରୀ ନ ଥିଲେ ମୁଁ ଷ୍ଟିଅରିଂ ଧରିବିନି।

- ସେସବୁ ଠିକ୍ ଯେ... ମିତ୍ରା ହୀରଣ୍ମୟଙ୍କ ହାତକୁ ଟିକିଏ ଚିପିଦେଇ କହିଲା, କ'ଣ ଜୋର୍ ପେନ୍ ହେଉଛି?

- ଆରେ ସେ ହାତ ନୁହଁ, ଏଇ ହାତଟା... ହୀରଣ୍ମୟ ବାଁ ହାତଟା ଦେଖାଇଲେ। ମୋତେ ଲାଗୁଛି ଫ୍ରାକ୍ଚର୍ ନ ଥିବ, ଆଉ ଯଦି ବା ଥିବ ହେୟାର୍ ଲାଇନ୍।

କିଛି ସମୟ ପରେ ଡାକ୍ତର କ୍ୟାବିନ୍ କୁ ଆସି ଦେଖି ଦେଇଗଲେ ସବୁକିଛି। କହିଲେ, ନା ସବୁ ନର୍ମାଲ୍। କିଛି ହେଇନି ଆପଣଙ୍କର। ଡିସ୍.ଚାର୍ଜ ହୋଇ ଘରକୁ ଯାଇପାରନ୍ତି। ମିତ୍ରାର ମୁହଁ ଉଜ୍ଜଳ ଦିଶିଲା। ତଥାପି ଘରକୁ ଫେରିଲା ପରେ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲା, ତମେ ନା... ତମକୁ ଏମିତି ମଝିରେ ମଝିରେ କଣ ହେଇଯାଉଛି, ଏତେ ଦାୟିତ୍ୱବାନ୍ ଲୋକ ହୋଇ ଯେତେ ସବୁ ଖାମଖିଆଲି କାମ।

- କହିଲି ପରା ଭୁଲ୍ ହୋଇଗଲା। ହୀରଣ୍ମୟ ହସି ଦେଇ କହିଲେ।

- ଆଉ ସେ ଯେଉଁ ଭୁଲ୍.ଟା ପାଇଁ ଜୀବନସାରା ପ୍ରାୟଶ୍ଚିତ କରିବାର ପଣ କରିଛ, ତା କଥା କଣ? ହଠାତ୍ ମିତ୍ରା ପାଟିରୁ ବାହାରିଆସିଲା କଥାଟା। ମିତ୍ରା ଚାହୁଁଥିଲା ଅନ୍ୟ ଆଡ଼କୁ। ହୀରଣ୍ମୟ ଭାବପ୍ରବଣ ହୋଇ ଉଠିଥିଲେ। ଚକ୍ଷୁ ତାଙ୍କର ଜକେଇ ଆସୁଥିଲା ଧୀରେ ଧୀରେ। ଆଉ ତା ସାଙ୍ଗକୁ ଧୀରେ ଧୀରେ ଝାପ୍ସା ହୋଇ ଯାଉଥିଲା ମିତ୍ରାର ଉପସ୍ଥିତି। ପ୍ରତି ବଦଳରେ ତାଙ୍କ ଚକ୍ଷୁ ସାମ୍ନାରେ ସେ ଦେଖୁଥିଲେ ଗୋଟିଏ ସରଳ, ନିଷ୍ପାପ ମୁହଁଟିଏ। ଯିଏ ହୀରଣ୍ମୟଙ୍କୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରି ସମର୍ପି ଦେଇଥିଲା ସବୁକିଛି। ଆଉ ପ୍ରତି ବଦଳରେ ସେ କ'ଣ ଦେଲେ ତାକୁ? ଧୋକା, ପ୍ରତାରଣା! ସ୍ମୃତିର ଶଙ୍କା ଜଡ଼ିତ ମନ ଆଉ ଟିକେ ଆଶଙ୍କିତ ହୋଇ ଉଠିଥିଲା ସେଇଦିନ, ଯେଉଁଦିନ ହୀରଣ୍ମୟ ଘରୁ ଡାକରା ପାଇ ଗାଁକୁ ଆସିବାକୁ ବାହାରିଲେ।

- ଏଇ!

- କଣ କୁହ?

- ତୁମେ ଏବେ ନ ଗଲେ କ'ଣ ଚଳନ୍ତାନି?

- ବାପାଙ୍କର ଦେହ ଖରାପ, ମୁଁ ନ ଯାଏ, ଏକଥା ତୁମେ କେମିତି ଭାବୁଛ?

ସ୍ମୃତି କିଛି କହିବାକୁ ଚାହୁଁଥିଲା ହୀରଣ୍ମୟଙ୍କୁ। ହେଲେ ବାପାଙ୍କ ଅସୁସ୍ଥତାର ଖବର ପାଇ ବିଚଳିତ ହୀରଣ୍ମୟ ବୁଝି ପାରିନଥିଲେ କିଛି। ସେତେବେଳେ ସ୍ମୃତି ଆଉ ସେ ଗୋଟିଏ ସହରରେ ଚାକିରୀ କରୁଥିଲେ।

ତରବରିଆ ଘରକୁ ଫେରି ବାପାଙ୍କୁ ସେ ମୃତ୍ୟୁଶଯ୍ୟାରେ ପାଇଲେ। ତାଙ୍କୁ ଦେଖି ବାପାଙ୍କ ଚକ୍ଷୁରେ ଲୋତକ। ହୀରଣ୍ମୟଙ୍କ ହାତ ଧରିପକାଇ ସେ ପ୍ରତିଶୃତିଟିଏ ମାଗିଲେ। ତାଙ୍କ ବିବାହର ପ୍ରତିଶୃତି।

- ହୀରା, ଭାବିଥିଲି ତୁ ଚାକିରୀ କଲୁଣି, ତୋତେ ବାହା ଦେଇ ନିଶ୍ଚିନ୍ତରେ ନାତି ନାତୁଣିମାନଙ୍କ ସହିତ ହସଖୁସିରେ ମୋର ବାକି ଜୀବନଟା ବିତିଯିବ। ହେଲେ, ଏତେ ଜଲଦି ଈଶ୍ୱର ମୋତେ ଡାକି ନେବେ ତାଙ୍କ ପାଖକୁ, ଜାଣିନଥିଲି। ମୋର ଅବଶୋଷ ରହିଯିବ ତୋ ବାହାଘର ମୁଁ ଦେଖିପାରିବିନିରେ।

- ତୁମେ ଏମିତି କାହିଁକି କହୁଛ ବାପା, ତୁମେ ଭଲ ହୋଇଯିବ।

- ନା ରେ ମୁଁ ବୁଝି ପାରୁଛି, ମୋର ହାତରେ ସମୟ ବହୁତ କମ୍। ମୋ କଥା ରଖିବୁ?

- କୁହ ବାପା।

- ମୁଁ ସେ ନରିଆ (ନରହରି ମହାପାତ୍ର, ବାପାଙ୍କ ବାଲ୍ୟବନ୍ଧୁ)କୁ କଥା ଦେଇଥିଲି ତା ଝିଅ ମିତ୍ରାକୁ ମୋ ଘରର ବୋହୁ କରିବି ବୋଲି। ତୋତେ ଆଉ ମୁଁ ପଚାରିନିରେ ହୀରା। ନରିଆ କହିଲା, ତୋଠୁଁ ବୁଝି କହିବା ପାଇଁ। ମୁଁ ଜାଣେ ତୁ କେବେ ବି ମୋ କଥା ଟାଳିବୁ ନାହିଁ। ମୁଁ ତୋର ବାପା। ତୋ ଭଲମନ୍ଦ କଥା ମୋଠୁଁ ଅଧିକ କିଏ ଜାଣିବ? ତୁ ବୁଝିବା ଆଗରୁ ପରା ମୁଁ ବୁଝି ଯାଉଥିଲି ତୋ ମନକଥା। ତୋତେ କେମିତି ଝିଅ ହେଲେ ଯୋଡ଼ି ସୁନ୍ଦର ଲାଗିବ ଆଉ ତୋ ମନକୁ ପାଇବ, ମୁଁ କଣ ଏତିକି ଜାଣି ପାରିବି ନାହିଁ ଯେ ତୋତେ ପୁଣି ପଚାରିବି। ବଡ଼ ଦମ୍ଭରେ ନରିଆକୁ କହିଦେଇଛି ତା ଝିଅ ହିଁ ମୋର ବୋହୁ ହବ। ଏବେ ତୁମ ଦୁହିଁଙ୍କୁ ଏକାଠି ନ କରି ମୁଁ ଯଦି ମରିଯାଏ... ଘୋର ପାପରେ ଘାଣ୍ଟି ହେବିରେ ହୀରା। କଥା ଦେଇ କଥା ନ ରଖି ପାରିଥିବାରୁ କୁମ୍ଭୀପାକ ନର୍କରେ ପଡ଼ିବି।

- ଏତେ ସବୁ କାହିଁକି ଭାବୁଛ ବାପା। ତୁମେ ଭଲ ହୋଇଯାଅ ପ୍ରଥମେ।

- ମୁଁ ଆଉ ଭଲ ହେବିନିରେ... ତୋ ବାହାଘର ଦେଖିବା ମୋ ଭାଗ୍ୟରେ ନାହିଁ...

ହଠାତ୍ ମାମୁଁ କଥା ମଝିରେ କହି ଉଠିଲେ, କାହିଁକି ନାହିଁ। ଅଲବତ୍ ବାହାଘର ହେବ ଆଉ ତୁମେ ଦେଖିବ। ତାପରେ ହୀରଣ୍ମୟଙ୍କ ଆଡ଼କୁ ବୁଲି ପଡ଼ି କହିଲେ, କ'ଣ ବାପାଙ୍କର ଏତିକି ଇଚ୍ଛା ପୂରଣ କରି ପାରିବୁନି। ତୋ ମନରେ କଣ ଆଉ କେହି ଅଛି? ହୀରଣ୍ମୟ କେବଳ ମୁଣ୍ଡ ହଲେଇଦେଲେ। ତାଙ୍କ ପାଟିରୁ କିଛି କଥା ବାହାରିଲା ନାହିଁ। ସେଇ ମୁଣ୍ଡହଲାକୁ ସମସ୍ତେ ସମ୍ମତି ବୋଲି ଧରିନେଲେ ଆଉ ଖୁବ୍ ଜାକଜମକରେ ମିତ୍ରାଙ୍କ ସହ ତାଙ୍କର ବିବାହ ହୋଇଗଲା। ହସ୍ତଗ୍ରନ୍ଥି ବେଳକୁ ବେଦୀ ପାଖରେ ଗୋଟିଏ ଚଉକିରେ ବାପାଙ୍କୁ ବସେଇ ଦେଇଥିଲେ। ବିବାହ ସରିଛି କି ନା ଚଉକି ଉପରୁ ଟଳି ପଡ଼ିଲେ ବାପା। ଦେଖୁ ଦେଖୁ ଉତ୍ସବ ମୁଖର ରାତ୍ରିଟା ଶୋକାକୁଳ ହୋଇ ପଡ଼ିଲା। ବାପାଙ୍କ ଶୁଦ୍ଧିକ୍ରିୟା ଆଦି ସାରି ଯେତେବେଳେ ସେ କର୍ମକ୍ଷେତ୍ରରେ ପହଞ୍ଚିଲେ, ଯାହା ଶୁଣିଲେ ସେଥିରେ ତାଙ୍କ ପାଦତଳୁ ମାଟି ଖସିଗଲା। ସ୍ମୃତି ଆତ୍ମହତ୍ୟା କରିଥିଲା। ମୃତ୍ୟୁ ବେଳକୁ ସେ ଥିଲା ତିନି ମାସର ଗର୍ଭବତୀ। ଅଫିସ୍.ର ସମସ୍ତେ ହୀରଣ୍ମୟଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ। ସମସ୍ତେ ସ୍ମୃତି ଓ ହୀରଣ୍ମୟଙ୍କ ପ୍ରେମସମ୍ପର୍କ କଥା ଜାଣିଥିଲେ। ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ମିଃ ସାମୁଏଲ୍ କହିଲେ, ସାର୍! ଆପଣ କେଉଁ ପରିସ୍ଥିତିରେ ପଡ଼ି ଏ କାମ କଲେ କାହାକୁ କୈଫିୟତ୍ ଦେବା ଦରକାର ନାହିଁ। ଯିଏ ଯାହା ଭାବୁ, ଆପଣ ନିଜେ ଜାଣନ୍ତି ଆପଣ କଣ କରିଛନ୍ତି, କାହିଁକି କରିଛନ୍ତି। ଅନ୍ୟମାନଙ୍କ କଥା ମୁଁ କହି ପାରିବିନି, ହେଲେ ମୁଁ ଆପଣଙ୍କୁ ବିଶ୍ୱାସ କରେ, ମୁଁ ଜାଣେ ଆପଣ କ'ଣ। ହେଲେ ସାର୍, ଆପଣ ଚାହିଁଲେ ସ୍ମୃତି ଆଜି ବଞ୍ଚି ରହିଥାନ୍ତା। ବିଚାରୀ ଆପଣଙ୍କ ବିବାହ ହୋଇଗଲା ଶୁଣି ନିଜକୁ ଆଉ ନିୟନ୍ତ୍ରଣରେ ରଖି ପାରିଲାନି। ଗୋଟିଏ କୁଆଁରୀ ମାଆକୁ ଏ ସମାଜ କେବେ ଗ୍ରହଣ କରିନଥାନ୍ତା ସାର୍, ମରିଗଲା... ତରିଗଲା। ହେଲେ ତା ନାଁରେ ଏ ଯେଉଁ ଅପବାଦର ନାଗରା... ସବୁଦିନ ପାଇଁ ବାଜି ଚାଲିବ। ଆପଣ ସେ କଳଙ୍କକୁ ଯେତେ ଚେଷ୍ଟା କଲେ ମଧ୍ୟ ପୋଛି ଦେଇ ପାରିବେ ନାହିଁ। ସ୍ମୃତିର ମୃତ୍ୟୁ ସାଙ୍ଗକୁ ମିଃ ସାମୁଏଲ୍.ଙ୍କ କଥାଗୁଡ଼ାକ ହୀରଣ୍ମୟଙ୍କ ଶରୀରରେ କ୍ରୁଶବିଦ୍ଧ କଲା ପରି ଯନ୍ତ୍ରଣା ଦେଉଥିଲା। ଝିମ୍ ଝିମ୍ କରୁଥିଲା ମସ୍ତିଷ୍କ, ଥରି ଉଠୁଥିଲା ତାଙ୍କର ନିସ୍ତେଜ ଶରୀର। କ୍ଷତାକ୍ତ ହୋଇ ଉଠୁଥିଲା ଛାତି। କୋହରେ ଫାଟି ପଡ଼ୁଥିଲା ହୃଦୟ। ଚକ୍ଷୁରୁ ବହି ଆସୁଥିଲା ଧାର ଧାର ଅମାନିଆ ଲୁହ।


ବହି ଯାରେ ଦୁଃଖ ଯେତେ

ବକ୍ଷ ଦେହୁଁ ଝରି ଝରି

କ୍ଷତାକ୍ତ ହୃଦୟ ଚିରି

ଲହୁର ଲେଖନୀ ତୋଳି

ଗଢ଼ି ଦେ ମୀନାର ଆଜି ସ୍ମୃତିର ସ୍ମୃତିରେ


ଭାବାଗ୍ନିର ଦାବାନଳେ

ଛାତି ତଳ ଦାଉ ଦାଉ

ଅତୀତ ହେଲାଣି ସ୍ମୃତି

ଏ କଥା ସ୍ମୃତି ନ ରହୁ

ନ ଝଟକୁ ହୀରା ଆଉ ଅମା ଅନ୍ଧାରେ ... ... ...


- ହୀରା, ହୀରା... ହୋସ୍.ରେ ଆସ...

- ହାଃ ହାଃ ହାଃ ହାଃ... ... ...




Rate this content
Log in

Similar oriya story from Romance