Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

T.Durga Prasad Rao

Romance


4.4  

T.Durga Prasad Rao

Romance


ତୋ ବିନା ଲାଗେନା ଭଲ କିଛି

ତୋ ବିନା ଲାଗେନା ଭଲ କିଛି

24 mins 667 24 mins 667

ବିସ୍ତୃତ ପାହାଡ଼ ଶୃଙ୍ଖଳ। ଘଞ୍ଚ ସବୁଜ ବନାନୀ। ତା ଭିତରେ ଗଡ଼ି ଯାଇଛି ଟିକି ଝରଣାଟିଏ। ଯାର ନୀର କାଚ କେନ୍ଦୁ ପରି ସ୍ୱଚ୍ଛ, ପାରଦର୍ଶୀ। ଝରଣାର ଧୀର ମନ୍ଥର ଗତି କୂଳର ପ୍ରସ୍ତର ସମୁହକୁ ସବୁଜ ରଙ୍ଗରେ ରଙ୍ଗେଇ ଦେଇଛି। କିଛି ଲୋହିତ ଧବଳ ମତ୍ସ୍ୟ ଖୁସି ମନରେ ପ୍ରସ୍ତର ସନ୍ଧିରୁ ବାହାରି ଦୃଷ୍ଟି ଆକର୍ଷଣ କରୁଛନ୍ତି। ଅଞ୍ଜନ ଝରଣାର ଗୋଟିଏ କଡ଼ରେ ଏକ ପ୍ରସ୍ତର ଉପରେ ବସି ତଲ୍ଲୀନ ହୋଇ ଯାଇଥିଲା ସେଇ ମତ୍ସ୍ୟ କ୍ରୀଡ଼ାର ସମ୍ମୋହନଯୁକ୍ତ ପରିବେଶ ଭିତରେ। ଓଠରେ ଓଡ଼ିଆ ସିନେମା ଗୀତର ପଦଟିଏ, ତୋ ବିନା ଲାଗେନା ଭଲ କିଛି... । ପଛରୁ ଶୁଭିଲା, କଣ ଏତେ ଭଲପାଅ ମୋତେ? ଫେରି ଚାହିଁଲା ଅଞ୍ଜନ। ସନ୍ଧ୍ୟା, ତାକୁ ଲାଗି ଆଉ ଏକ ପ୍ରସ୍ତର ଉପରେ ବସିବା ପାଇଁ ତାର ପୃଷ୍ଠଭାଗକୁ ଝାଡ଼ୁଛି। ଧ୍ୟାନଭଙ୍ଗ କରିଥିବାରୁ ସନ୍ଧ୍ୟା ଉପରେ ବିରକ୍ତ ହେଲା ଅଞ୍ଜନ।

- ହେଇ... ଚଣ୍ଡୀ, ଆସିଗଲୁନା... ମୋତେ ଡିଷ୍ଟର୍ବ କରିବାକୁ? ଅଞ୍ଜନ ସନ୍ଧ୍ୟାର ନାଁକୁ ଅପଭ୍ରଂଶ କରି ପ୍ରଥମେ ସ୍ୟାଣ୍ଡି, ତାପରେ ଚଣ୍ଡୀ ଡାକିବା ଆରମ୍ଭ କରିଥିଲା।

- ଡିଷ୍ଟର୍ବ କରିବିନି? ତୁ ଏଇଠି ବସି ଝରଣାର ଶୋଭା ସମ୍ଭାରରେ ମଗ୍ନ, ତେଣେ ବର୍ତ୍ତମାନ ସୁଦ୍ଧା ଭାତ, ଡାଲମା ଟିକକ ହୋଇପାରିଲାନି। ସେ ଚୁଲ୍ଲା କା ଠୁଁ ଆଣିଥିଲୁ କହିଲୁ? ମୋଟେ ଜଳୁନି। କୃତ୍ରିମ କ୍ରୋଧରେ କହିଲା ସନ୍ଧ୍ୟା।

- ଜଳୁନି? ଜଳୁନି ନା ତମମାନଙ୍କୁ ରୋଷେଇ ଆସୁନି?

- ହଁ ଆସୁନି, ତୁ ଚାଲୁନୁ ଶିଖେଇ ଦେବୁ।

- କଣଟା ଆଉ ଶିଖିଛ ତମେମାନେ? ଶଃ, କ୍ଳାସର ସମସ୍ତଙ୍କୁ ମନେଇ ଚାନ୍ଦା କଲେକ୍ସନ୍ କରିବି ମୁଁ, ବସ୍ କଥା ବୁଝିବି ମୁଁ। ଏବେ ପୁଣି ରୋଷେଇ କରିବି ଆଉ ତମ ଝିଅମାନଙ୍କୁ କୋଳରେ ବସେଇ ଖୁଏଇ ବି ଦେବି।

ଅଞ୍ଜନର କଥାରେ ସନ୍ଧ୍ୟା ହସିଦେଲା ଫିକ୍ କରି।

ସନ୍ଧ୍ୟାର ହସ ଦେଖି ଅଞ୍ଜନ ଆଉ ଟିକିଏ ଚିଡ଼ି ଯାଇ କହିଲା, ତୋତେ ଥଟ୍ଟା ଲାଗିଛି? ପାଖରୁ ଗୋଡ଼ିଟିଏ ଉଠାଇ ସନ୍ଧ୍ୟା ଆଡ଼କୁ ଫୋପାଡ଼ିଲା। ସନ୍ଧ୍ୟା ବସିବା ଜାଗାରୁ ଉଠି ଯାଉ ଯାଉ କହିଲା, ଆଉ କେତେ ସମୟ ମୋ ବିନା ଏକା ଏକା ଝରଣା କୂଳରେ ବସିବୁ? ଉଠିଆ, ରୋଷେଇ ସରିଲାଣି। ସମସ୍ତେ ଖାଇବାକୁ ବସିଲେଣି। ତୋତେ ଡାକିବାକୁ ଆସିଥିଲି।

ସନ୍ଧ୍ୟା ଆଗରେ ଆଗରେ ଆଉ ଅଞ୍ଜନ ତା ପଛରେ ଗୋଟିଏ ଗୋଟିଏ ପାଦ ପକାଇ ଆଉ ଏକ ଓଡ଼ିଆ ସିନେମା ଗୀତର ସୁର ଧରି ରୋଷେଇ ଜାଗାରେ ପହଞ୍ଚିଲା। ଦେଖିଲା, ସମସ୍ତେ ଖାଇବାରେ ବ୍ୟସ୍ତ। ତାକୁ କେହି ଅପେକ୍ଷା କରି ନାହାନ୍ତି ଦେଖି ଅଞ୍ଜନ ଟିକେ ମୁହଁ ନିରସ କରି କହିଲା, ହଉ, ହଉ ଖାଇ ଚାଲରେ ବାବୁମାନେ। ଯିଏ ଆଗ ଉଠିବ, ସେ ହାଣ୍ଡିକୁଣ୍ଡି ଧୋଇବ। ରଜତ କହିଲା, ଆଛା, ତେବେ ଯିଏ ସବା ଶେଷରେ ଉଠିବ? କିଏ ଜଣେ ପାଟିରେ ଗୁଣ୍ଡାଟିଏ ନେଉ ନେଉ କହିଲା, ଖଲି ଉଠେଇବ, ଆଉ କଣ? ତା କଥାରେ ଖେଁ ଖେଁ ହୋଇ ସମସ୍ତେ ହସି ଉଠିଲେ। ଅଞ୍ଜନ ମୁହଁ ବିକୃତ କରି ତା ପାଇଁ ଉଦ୍ଦିଷ୍ଟ ଖଲି ପାଖରେ ବସିଲା। ସନ୍ଧ୍ୟା ଆଣି ପରଶି ଦେଲା ଗୋଟିଏ ଗୋଟିଏ ଆଇଟମ୍। ଅଞ୍ଜନ ପଚାରିଲା, ଏ ଚଣ୍ଡୀ, ତୁ ତ ଖାଇନଥିବୁ? ସନ୍ଧ୍ୟା ମୁଣ୍ଡ ହଲେଇ ଦେଇ କହିଲା, ତମେମାନେ ଖାଇ ସାର। ଆମେ ଦୁଇ ତିନି ଜଣ ଅଛୁ। କଣ କିଛି ଦରକାର ହବ ଯଦି।

ସେଇ ଥିଲା ସନ୍ଧ୍ୟା ସହିତ ଶେଷ ସାକ୍ଷାତ। ଯୁକ୍ତ ଦୁଇର ଟେଷ୍ଟ ପରୀକ୍ଷା ପରେ କୋଚିଂ ଯିବା ଛାଡ଼ି ଦେଇଥିଲା ଅଞ୍ଜନ। ପାଖାପାଖି ଦୁଇ ବର୍ଷର ଅନ୍ତରଙ୍ଗତା ପରେ ମଧ୍ୟ କେହି କାହାକୁ କିଛି ନ କହି ଅଲଗା ହୋଇ ଯାଇଥିଲେ। ସନ୍ଧ୍ୟା ଆଉ ଅଞ୍ଜନର କଲେଜ ଅଲଗା ଅଲଗା ଥିଲା। ଅଞ୍ଜନକୁ ବେଳେ ବେଳେ ଲାଗେ ଥଟ୍ଟା ମଜା ଭିତରେ କିଛି କହିବାକୁ ଚାହୁଁଥିଲା କି ସନ୍ଧ୍ୟା? ସେଦିନ କେଉଁ ଏକ ଆକର୍ଷଣରେ ଅଞ୍ଜନ ଟାଣି ହୋଇ ଯାଇଥିଲା କୋଚିଂ ସେଣ୍ଟର ଆଡ଼େ। କଲିଂ ବେଲ୍ ଶବ୍ଦରେ ଜଣେ ଭଦ୍ରଲୋକ ଦରଜା ଖୋଲିଲେ।

- କାହାକୁ ଖୋଜୁଛ?

- ଏଠି ଗୋଟେ କୋଚିଂ ସେଣ୍ଟର୍ ଚାଲୁଥିଲା।

- କୋଚିଂ ସେଣ୍ଟର୍? ଆମେ ଆସିକି ପାଖାପାଖି ତିନି ବର୍ଷ ହେଲାଣି, କାହିଁ ସେମିତି କିଛି ଆମେ ଜାଣିନୁ।

ଅଞ୍ଜନ ନିରାଶ ମନରେ ଫେରି ଆସିଥିଲା। ତାପରେ ଆହୁରି କେତେଥର ସେ କୋଚିଂ ସେଣ୍ଟର ଥିବା ସ୍ଥାନକୁ ବୁଲି ଯାଇଛି। ସେ ଘର ପାଖାପାଖି ଅନ୍ୟ ଘର ମାଲିକଙ୍କୁ ମଧ୍ୟ ପଚାରିଛି କୋଚିଂ ସେଣ୍ଟର୍ ଓ ତାକୁ ଚଳାଉଥିବା ହିତେଶ୍ ସାର୍.ଙ୍କ ବିଷୟରେ। ଦୈବାତ୍ ରଜତ ସହିତ ଦେଖା ହୋଇଗଲା ଦିନେ। କରମର୍ଦ୍ଦନ ସହ ଏଣୁ ତେଣୁ କଥାବାର୍ତ୍ତା ଭିତରେ ସବୁ ସାଙ୍ଗମାନଙ୍କ କଥା ପଚାରି ବୁଝିଲା। ତା ସହିତ ସନ୍ଧ୍ୟାର ଖବର ମଧ୍ୟ ପଚାରିଲା। ହେଲେ ରଜତ ଠାରୁ ସନ୍ଧ୍ୟା ବିଷୟରେ ବିଶେଷ କିଛି ଖବର ପାଇ ପାରିଲା ନାହିଁ ଅଞ୍ଜନ। ବିଦାୟ ନେଇ କିଛି ବାଟ ଆସିଛି ରଜତ ପଛରୁ ଡାକିଲା।

- ଅଞ୍ଜନ, ତୋ କଥା ହିତେଶ୍ ସାର୍ ଦିନେ ପଚାରୁଥିଲେ।

ଅଞ୍ଜନ ଉତ୍ସୁକତାର ସହ ଚାହିଁଲା ରଜତ ଆଖିରେ।

- ମୁଁ ବିଶେଷ କିଛି ଜାଣିନି। କିନ୍ତୁ କହୁଥିଲେ ତୋର କଣ ଗୋଟେ ଖାମ୍ ତାଙ୍କ ପାଖରେ ରହିଯାଇଛି।

- ଖାମ୍! ଟିକେ ବିସ୍ମୟରେ ରହିଗଲା ଅଞ୍ଜନ।

- ହଁ ଖାମ୍।

- କିନ୍ତୁ ହିତେଶ୍ ସାର୍.ଙ୍କୁ ମୁଁ ପାଇବି କେଉଁଠି? ତୁ ଜାଣିଛୁ ତାଙ୍କ ଠିକଣା?

- ହିତେଶ୍ ସାର୍ କୋଚିଂ ବନ୍ଦ କଲା ପରେ ତାଙ୍କ ଗାଁରେ ଯାଇ ରହୁଛନ୍ତି। ରବିଦାସପୁରରେ।

- ରବିଦାସପୁର? ସେଇଟା କେଉଁଠି? ଅଞ୍ଜନ ନିଜର ଅଜ୍ଞତା ପ୍ରକାଶ କଲା।

ରଜତ ବୁଝେଇଦେଲା ରବିଦାସପୁର କେଉଁଠି ଓ କେମିତି ଯିବାକୁ ହୁଏ।

ଟ୍ରେନ୍ ଯାଇ ରବିଦାସପୁରରେ ପହଞ୍ଚିଲା ବେଳକୁ ଦିନ ଦୁଇଟା। ଖୋଜାଖୋଜି କରି ହିତେଶ୍ ସାର୍.ଙ୍କ ଘରଟା ପାଇଗଲା ଅଞ୍ଜନ। ଅଞ୍ଜନକୁ ଦେଖୁ ଦେଖୁ ହିତେଶ ସାର୍ ଖୁସିରେ ଆଲିଙ୍ଗନ କଲେ।

- କେମିତି ଅଛୁ? ଆଉ ଏ ବୃଦ୍ଧଙ୍କ କଥା କେମିତି ମନେ ପଡ଼ିଗଲା?

- ସାର୍, ରଜତ୍ ଠାରୁ ଶୁଣିଲି, ଆପଣ ମୋତେ ଖୋଜୁଥିଲେ।

- ଖୋଜୁଥିଲି? ହିତେଶ୍ ସାର୍ ଚେୟାର୍ ଉପରୁ ଉଠି ଘର ଭିତରକୁ ଚାଲିଗଲେ। କିଛି ସମୟ ପରେ ହାତରେ ସରବତ ଗ୍ଳାସ୍.ଟିଏ ନେଇ ପହଞ୍ଚିଲେ।

- ପିଇଦେ। ଘରେ କେହି ନାହାନ୍ତି। ମାଡାମ୍ କାଲି ପୁଅ ପାଖକୁ ଯାଇଛି, ଫେରୁଥିବ। ତୁ ଆଜି ରାତି ରହିବୁ ତ? ମିଳିମିଶି ରୋଷେଇ କରିଦେବା। ଅଣ୍ଡା କେତେଟା ଫ୍ରିଜ୍.ରେ ଅଛି...

ସାର୍.ଙ୍କ କଥା ସାରିବାକୁ ନ ଦେଇ ଅଞ୍ଜନ କହିଲା, ନାଇଁ ସାର୍ ମୋତେ ଫେରିବାକୁ ହେବ। ଆପଣ ମୋ ପାଇଁ ବ୍ୟସ୍ତ ହୁଅନ୍ତୁନି।

- ଆଛା, ଫେରିଯିବୁ? କେଉଁଥିରେ ଆସିଛୁ? କାର୍.ରେ? ରାତି ଗାଡ଼ି ଚଳେଇ ଯିବୁ? ହିତେଶ୍ ସାର୍ ଯେମିତି ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ଅଞ୍ଜନ ମୁହଁକୁ।

- ନା, ନା ମୁଁ ଟ୍ରେନ୍.ରେ ଆସିଛି।

- ଭଲ ଭଲ। ଟ୍ରେନ ଜର୍ଣି ଭଲ।

- ସାର୍ ଆପଣ ମୋତେ ଖୋଜୁଥିଲେ କି?

- କେତେବେଳେ?

- ନାଇଁ ରଜତ କଣ ଗୋଟେ ଖାମ ବିଷୟରେ କହୁଥିଲା। ମୋର କିଛି ଖାମ୍ ଅଛି କି ସାର୍ ଆପଣଙ୍କ ପାଖରେ?

- ଖାମ୍? ହମମମମମ୍... ହିତେଶ୍ ସାର୍ ଭାଳି ହେଲେ। ଚେୟାର୍ ଉପରୁ ଉଠି ଘର ଭିତରଟାରେ ଏପାଖ ସେପାଖ ହେଲେ। ହଁ ମନେ ପଡ଼ିଲା। ତୋତେ ଦେବା ପାଇଁ ସନ୍ଧ୍ୟା ମୋତେ ଖାମ୍.ଟିଏ ଦେଇଥିଲା।

- ସନ୍ଧ୍ୟା?

- ହଁ। ସେ କିନ୍ତୁ ଛଅ ସାତ ବର୍ଷ ତଳର କଥା। କୋଚିଂ ସେଣ୍ଟର୍ ଛାଡ଼ିବାର ବୋଧହୁଏ ବର୍ଷେ ପରେ ସନ୍ଧ୍ୟା ଆସିଥିଲା ତୋ କଥା ପଚାରି ବୁଝିବା ପାଇଁ। ତୋର କିଛି ଖବର ମୋ ପାଖରେ ନ ଥିଲା। ତାପରେ ପୁଣି କିଛି ଦିନ ପରେ ଆସି ଖାମ୍.ଟିଏ ଦେଇଗଲା। ଆଉ କହିଗଲା ଯେମିତି ହେଲେ ତୋତେ ଦେଇଦେବା ପାଇଁ। ମୁଁ ଯେତେ କହିଲି ତୋର କୌଣସି ବର୍ତ୍ତମାନର ଠିକଣା ମୋ ପାଖରେ ନାହିଁ, କହିଲା, ଅଞ୍ଜନ ଆସିବ ସାର୍, ଆପଣଙ୍କ ପାଖକୁ ନିଶ୍ଚୟ ଆସିବ, ସେତେବେଳେ ତାକୁ ଦେଇଦେବେ। କେତେ ସ୍ଥିର ନିଶ୍ଚିତ ଥିଲା ସନ୍ଧ୍ୟା। ତୁ ମୋ ପାଖକୁ ଦିନେ ଆସିବୁ ସେ ଜାଣିଥିଲା। ତାପରେ ହଠାତ୍ ଚମକିଲା ପରି କହିଲେ, କାହିଁକି, ସେ ଖାମ୍ କଣ ଆଜି ସୁଦ୍ଧା ତୁ ପାଇନୁ?

- ନା, ମୁଁ ତ ଆଉ ୟା ଭିତରେ ଆପଣଙ୍କ ପାଖକୁ ଆସିନି।

- ତାହେଲେ, ସେ ଖାମ୍ ଗଲା କୁଆଡ଼େ?

ଅଞ୍ଜନ ମନେ ମନେ ନୈରାଶ୍ୟରେ ଭିଜିଗଲା। ଏ ବୁଢ଼ା ସାର୍ ହଜେଇ ଦେଇନାହାନ୍ତି ତ ସେ ଖାମ୍। ଦୀର୍ଘ ସାତ ବର୍ଷ ତଳର କଥା। କଣ କହି ହେବ? ଯଦି ନ ମିଳେ?

- ଥିବ ସାର୍ ଦେଖନ୍ତୁ। ଟିକେ ଖୋଜା ଖୋଜି କଲେ ପାଇଯିବେ। ଅଞ୍ଜନ ଅତ୍ୟନ୍ତ ବ୍ୟାକୁଳତାର ସହ କହିଲା ସାର୍.ଙ୍କୁ।

- କୋଉଠି ରଖିଲି... କୋଉଠି ଥିବ... ହିତେଶ୍ ସାର୍ ନିଜ ଓଠ ଉପରେ ଅଙ୍ଗୁଳି ଚାପି ଚିନ୍ତା କଲେ କିଛି ସମୟ। କହିଲେ, ଥିଲେ ମଧ୍ୟ କଣ ଏତେ ସହଜରେ ମିଳିବ? ଦେଖିବା... ତାପରେ ନିଜ ଶୟନକକ୍ଷରେ ପ୍ରବେଶ କଲେ। କିଛି ସମୟ କଣ ସବୁ ଟଣା ଓଟରା କଲେ। ଏପଟେ ଥାଇ ଅଞ୍ଜନ ଶୁଣି ପାରୁଥିଲା ସେସବୁ ଶବ୍ଦ। ପ୍ରାୟ ଘଣ୍ଟାଏ ଗଲା। ସାର୍ ଫେରିଲେ ବୈଠକଖାନାକୁ। ଆଲମାରୀ ଖୋଲି କଣ ସବୁ ଖୋଜି ପକାଇଲେ। ମୁଣ୍ଡଟାକୁ ଦୁଇଥର ଏପାଖ ସେପାଖ କରି ହଲାଇଲେ। ପୁଣି ପଶିଗଲେ ଶୟନକକ୍ଷକୁ। ଏପଟେ ଶେଷ ଫେରନ୍ତା ଟ୍ରେନର ସମୟ ପାଖେଇ ଆସୁଥିଲା। ହିତେଶ ଅଧୈର୍ଯ୍ୟ ହୋଇ ଉଠୁଥିଲା ବେଳକୁ ବେଳ। ଶେଷରେ ନିଜକୁ ଅଟକାଇ ନ ପାରି ଉଠି ଠିଆ ହେଲା। ଧୀର ପଦକ୍ଷେପରେ ଶୟନକକ୍ଷର ଦ୍ୱାରଦେଶରେ ପହଞ୍ଚିଲା। ହିତେଶ୍ ସାର୍ କାଠର ପେଢ଼ିଟିଏ କାଢ଼ି କଣ ସବୁ ଘାଣ୍ଟି ପକାଉଛନ୍ତି।

- ସାର୍ ମେ ଆଇ?

- ଆରେ, ଆ। ସବୁ କିଛି ଖୋଜିଦେଲି। ବାକି ରହିଲା ଏଇ ଗୋଟିକ। ମୋର ସବୁ ପୁରୁଣା ବହିପତ୍ର, କାଗଜ, ଡାଇରି ସବୁ କିଛି ୟାରି ଭିତରେ। ଥିଲେ ୟାରି ଭିତରେ ହିଁ ଥିବ, ନଚେତ୍ ନାହିଁ। ମୋର ଯେତିକି ମନେ ଅଛି ସବୁଜ ରଙ୍ଗର ଖାମ୍। ତୁ ଦେଖ୍ ତ।

ପୁରୁଣା କାଳିଆ କାଠ ପେଢ଼ି। ପାଖାପାଖି ଡିପ୍ ଫ୍ରିଜ୍ ଆକାରର ହେବ। ଅଞ୍ଜନ ଝୁଙ୍କି ପଡ଼ିଲା ତାରି ଭିତରକୁ। ଅନେକ ବହି। ଏକାଡେମିକ ଠାରୁ ଆରମ୍ଭ କରି ଟେକ୍ନିକାଲ୍ ପର୍ଯ୍ୟନ୍ତ। ଉପନ୍ୟାସ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ପର୍ଯ୍ୟନ୍ତ। ଯାବତୀୟ ବିବିଧ ବହି ନେଇ ଛୋଟ ଲାଇବ୍ରେରୀ ପରି ମନେ ହେଉଥିଲା। ଅଞ୍ଜନ କିଛି ପୁସ୍ତକ ବାହାର କରି ଚଟାଣ ଉପରେ ଥୋଇଲା। ଆଉ କିଛି ଉପରକୁ ଉପରକୁ ଥାକ କରି ରଖିଲା। ପ୍ରାୟ ଘଣ୍ଟାଏ ଖଣ୍ଡେ କସରତ ପରେ ଅଞ୍ଜନ ତା ଇପ୍ସିତ ଖାମ୍.ଟିକୁ ପାଇ ଖୁସିରେ ଉଲ୍ଲସି ଉଠିଲା। ଉପରେ ବଡ଼ ବଡ଼ ଅକ୍ଷରରେ ତା ନାଁ ଲେଖା ହୋଇଛି। ପ୍ରେରକ ସ୍ଥାନରେ ସନ୍ଧ୍ୟାର ନାଁ। ଅଞ୍ଜନ ପୁସ୍ତକ ଆଉ କାଗଜପତ୍ର ଯଥା ସ୍ଥାନରେ ରଖି ଦେଇ କାଠ ପେଢ଼ିର ଢାଙ୍କୁଣୀ ବନ୍ଦ କଲା। ଖାମ୍.ଟିକୁ ହ୍ୟାଣ୍ଡବ୍ୟାଗ୍.ରେ ପୁରାଇ ଘଡ଼ିକୁ ଚାହିଁଲା, ଓ, ନୋ, ଟ୍ରେନ୍ ସମୟ ପାର ହୋଇଗଲାଣି। କଣ କରିବ ଏବେ? ତାର ଘଡ଼ି ଦେଖିବା ହିତେଶ୍ ସାରଙ୍କ ଆଖିରେ ପଡ଼ିଲା। କହିଲେ, ମୁଁ ମୂଳରୁ କହୁଛି, ରାତି ରହିଯା, ଏବେ ଆଉ କିଛି ଗାଡ଼ି ମିଳିବନି। ତୁ ସେ ମାଗାଜିନ୍ ଓଲଟାଉଥା। ମୁଁ ଟିକେ ବଜାର ଆଡ଼ୁ ବୁଲି ଆସେ। ହିତେଶ୍ ସାର୍ ବ୍ୟାଗଟିଏ ଧରି ବାହାରି ପଡ଼ିଲେ। ଅଞ୍ଜନ ମାଗାଜିନ୍ ତଳେ ଥୋଇ ଖାମ୍.ଟିକୁ ବ୍ୟାଗ୍.ରୁ ବାହାର କରି ଆଣିଲା। ଖୋଲି ଦେଖିଲା ଚିଠି ସାଙ୍ଗରେ ଛୋଟ ଲକେଟ୍.ଟିଏ। ଅଞ୍ଜନ ପଢ଼ିବା ଆରମ୍ଭ କଲା। ଲେଖା ଅଛି-

ଅଞ୍ଜନ,

ଏ ଚିଠି କେବେ ତୋ ହାତରେ ପଡ଼ିବ ମୁଁ ସଠିକ୍ ରୂପେ ଜାଣିନି। ତଥାପି ମୋର ବିଶ୍ୱାସ, ଦିନେ ନା ଦିନେ ତୁ ମୋତେ ଖୋଜି ଖୋଜି ଏ ଖାମ୍ ନିକଟରେ ପହଞ୍ଚିବୁ। ଆଉ ଯଦି ଏ ଚିଠି ତୁ ପଢ଼ୁଥାଉ, ତାହେଲେ ମୁଁ ଆଶ୍ୱସ୍ତ ଯେ ମୋ ମନକଥା ଅନ୍ତତଃ ତୋ ପର୍ଯ୍ୟନ୍ତ ପହଞ୍ଚାଇ ଦେଇ ପାରିଛି। ତୋ ଆଖିରେ ମୁଁ ସବୁବେଳେ ଜଣେ ହିତୈଷୀ ବାନ୍ଧବୀଟିଏ। ହେଲେ ତୁ ହୁଏତ ଭାବି ବି ନ ଥିବୁ ମୁଁ ତୋର ହସଲୁହର ସାକ୍ଷୀଟିଏ। ଯେମିତି ତୋ ନିରବତାରେ ନିଶ୍ୱାସର ଧ୍ୱନୀଟିଏ, ସେମିତି ତୋ କୋଳାହଳରେ ଲକ୍ଷେ ବିହଙ୍ଗମଙ୍କ ଏକତ୍ର କଳରବଟିଏ। ମୋ ଭାବପ୍ରବଣତାରେ ତୁ ହସୁନୁ ତ? ଭାବୁଛୁ କି ତୋ ଜୀବନ ଯାତ୍ରାରେ ମୋର କି ଭୂମିକା? ଭୂମିକା ମୋର କଣ ଯଦିଓ ଅସ୍ପଷ୍ଟ, ମୁଁ କିନ୍ତୁ ତୋତେ ଛାଡ଼ି ଆଉ ଆଗକୁ ବଢ଼ି ପାରିଲି ନାହିଁ। ତୋର କୋଚିଂ ଛାଡ଼ିବା ପରେ ମୋତେ ଅଲଗା ଅନୁଭବଟିଏ ମାଡ଼ି ବସିଲା। ଯେମିତି ଗୋଟେ ଖାଲି ପଣ। ଚାରିପଟେ ଶ୍ମଶାନର ନିରବତା। ଶୁଭୁଥାଏ ଖାଲି ମୋ ଛାତିର ସ୍ପନ୍ଦନ ଆଉ ନିଶ୍ୱାସର ଧ୍ୱନୀ। ସାର୍ ମାନଙ୍କ ଲେକଚର୍ ବାଜୁନଥାଏ ମୋ କାନରେ। ପଢ଼ାରେ ଲାଗୁନଥାଏ ମନ। ଚେଷ୍ଟା ଅନେକ କଲି କୋଚିଂ ଚାଲୁ ରଖିବାକୁ। କିନ୍ତୁ କାହିଁକି କେଜାଣି ନିଜକୁ ବୁଝେଇ ପାରିଲି ନାହିଁ। କୋଚିଂ ବନ୍ଦ କରିଦେଲି। କୋଚିଂ ଛାଡ଼ିବାର ଦୃଢ଼ କାରଣଟିଏ କାହାକୁ ଦେଇ ପାରିଲି ନାହିଁ। କାରଣ କାହିଁକି କୋଚିଂ ଛାଡ଼ିଲି ସେକଥା ମୁଁ ମଧ୍ୟ ସେତେବେଳେ ଭଲ ଭାବରେ ବୁଝି ପାରିନଥିଲି। ଆଉ ଯେତେବେଳେ ଅଳ୍ପ ଅଳ୍ପ ବୁଝିଲି, ମୋର କାହିଁକି ମନେ ହେଲା ମୁଁ କେବଳ ତୋତେ ଦେଖିବାକୁ ଆଉ ତୋ ସହ ପଦେ କଥା ହେବାକୁ କୋଚିଂ ଯାଉନଥିଲି ତ? ଭାବୁଥିବୁ କେମିତି ଏତେ ସବୁ କଥା ମୁଁ ଲେଖି ପାରୁଛି ନିଃସଙ୍କୋଚରେ। ମଜାରେ ଅନେକ କଥା ମୁଁ ତୋତେ କହେ। ଆଉ ସେଇକଥାକୁ ଯେତେବେଳେ ସତ୍ୟ ବୋଲି ସ୍ୱୀକାର କରିବାର ସମୟ ଆସେ ଲାଜ ଲାଗିବା ସ୍ୱାଭାବିକ। ହେଲେ ତୋ ପାଖରେ ମୋର ଲାଜ କଣ? ତୁ ତ ମୋର ନିଜର। ତୁ ବୋଧହୁଏ ଜାଣୁନା, ଜନ୍ମ ସମୟରେ ହିଁ ମୁଁ ମାକୁ ହରେଇଛି। ଆଉ ସାତ ବର୍ଷ ବୟସରେ ବାପାଙ୍କୁ। ମାମୁଁ ମାଇଁଙ୍କ ତତ୍ତ୍ୱାବଧାନରେ ଯେନତେନ ଏଯାବତ୍ କଟିଛି ମୋର ସମୟ। ଝିଅଟିଏ ହୋଇଥିବାରୁ ମୁଁ ତାଙ୍କ ପରିବାର ଉପରେ ବୋଝ। ଆଉ ମାଇଁର ଚାପରେ ପଡ଼ି ମାମୁଁ ମଧ୍ୟ ମୋ ପ୍ରତି ଧୀରେ ଧୀରେ ଉଦାସୀନ। ଏଇ ଦେଖିଲୁ, ମୁଁ ମୋ ପରିବାର କଥା ଲେଖି ତୋତେ ବୋର୍ କରିବା ଆରମ୍ଭ କରିଦେଲି। ମୋ କଥା ଲେଖି ଚାଲିଲେ ଚିଠିର କଳେବର ବଢ଼ିଯିବ। ତା ସହିତ ତୋତେ ମଧ୍ୟ ଲାଗିବ ମୁଁ ତୋଠୁଁ ସହାନୁଭୁତି ଚାହୁଁଛି। ହଁ, ସହାନୁଭୁତି ନୁହେଁ ତ ଆଉ କଣ? ଟିକିଏ ସୋହାଗଭରା କଥା ପଦେ ଯିଏ ନିଜ ଘରେ କେବେ ହେଲେ ଶୁଣି ପାରିନାହିଁ, ସେ ତୋଠୁଁ ଚଣ୍ଡୀ ବୋଲି ପଦଟିଏ ଶୁଣିବାକୁ କେତେ ଯେ ଆତୁର, ତା କେବଳ ସେ ହିଁ ଜାଣେ। ତୋ କଥା ମୋର ସବୁବେଳେ ମନେ ପଡ଼ୁଛି। ବେଳେ ବେଳେ ତୋ ମୁଖ ନିସୃତ ଚଣ୍ଡୀ ଶବ୍ଦ ମୋ କର୍ଣ୍ଣକୁହରରେ ବାଜି ମୋତେ ଆନମନା କରୁଛି। ମଜା କରିବା ମୋର ପୁରୁଣା ଅଭ୍ୟାସ। ଲେଖୁ ଲେଖୁ କଣ ସବୁ ୟାଡ଼ୁ ସାଡ଼ୁ ଲେଖିଦେଲି, କିଛି ମନରେ ଧରିବୁନି। ସାଙ୍ଗରେ ଆମ ଦୁହିଁଙ୍କ ଫଟୋ ଥିବା ଲକେଟ୍ ପଠଉଛି। ଛୋଟ ଅନୁରୋଧଟିଏ ମୋର ରଖିବୁ? ତୋତେ ଦେଖିବାକୁ ଭାରି ଇଚ୍ଛା ହେଉଛି। ଠିକଣା ଦେଲି, ତୋ ଆସିବା ଅପେକ୍ଷାରେ ରହିଲି।


ଇତି।

ତୋର ଚଣ୍ଡୀ।

ଚିଠି ପଢ଼ି ଅଞ୍ଜନ ମୁହଁରୁ ଦୀର୍ଘଶ୍ୱାସଟିଏ ବାହାରି ଆସିଲା। ଚିଠିଟିକୁ ଚଉତେଇ ପୁଣି ଥରେ ଖାମ ଭିତରେ ରଖିଦେଲା ଅଞ୍ଜନ। ଲକେଟ୍.ଟିକୁ ଉଠାଇ ଆଣି ଫାଳ କରିଦେଲା ବେଳକୁ ଗୋଟିଏ ପଟେ ତା ନିଜର ଫଟୋ ଓ ଅପର ପଟେ ସନ୍ଧ୍ୟାର ହସ ହସ ମୁହଁର ଫଟୋ ଦେଖି ଭାବପ୍ରବଣ ହୋଇଉଠିଲା। ଚିଠିରେ ତା ପ୍ରତି ଉଦ୍ଦିଷ୍ଟ ସନ୍ଧ୍ୟାର ଭାବାବେଗର ଗଭୀରତାକୁ ମାପୁ ମାପୁ କେତେବେଳେ ତା ଆଖିରୁ ଟୋପାଏ ଲୁହ ଖସି ଆସିଛି ଜାଣିପାରିଲା ନାହିଁ। ସ୍ଥିର କଲା, ସନ୍ଧ୍ୟାକୁ ସେ ଯେମିତି ହେଲେ ଦେଖା କରିବ ତା ଲିଖିତ ଠିକଣାରେ।

ଦିନେ ଖୋଜି ଖୋଜି ସନ୍ଧ୍ୟା ଦେଇଥିବା ତା ଘର ଠିକଣାରେ ଯାଇ ପହଞ୍ଚିଲା ଅଞ୍ଜନ। ବୁଝିଲା ବେଳକୁ ସନ୍ଧ୍ୟାର ମାମୁଁଙ୍କ ବଦଳି ପରେ ସେମାନେ ସେ ସ୍ଥାନ ଛାଡ଼ି ଦେଇଛନ୍ତି ତିନି ବର୍ଷ ହେଲା। ପଡ଼ୋଶୀଘରର ବୁଢ଼ୀଟିଏ ଅଞ୍ଜନର ପଚାରିବା ଶୈଳୀରୁ କଣ ବୁଝିଲା କେଜାଣି ଡାକିନେଲା ଘର ଭିତରକୁ। ସପଟିଏ ପାରି ବସିବାକୁ କହି ନିଜେ ବସିଗଲା ଅଞ୍ଜନର ଅତି ନିକଟରେ। ବୁଢ଼ୀ ତାପରେ ସନ୍ଧ୍ୟା ବିଷୟରେ ଗୋଟି ଗୋଟି କରି ଯାହା କହିଲା, ଅଞ୍ଜନର ବିଶ୍ୱାସ ବାହାରେ।

- ବାପରେ, ଭାରି ହିନିମାନୀ, ନିରିମାଖି ଝିଅଟିଏ। ତା ବାପ ମଲାପରେ ଆଉ କେହି ନିଜର ନ ଥିବାରୁ ସାତ ବର୍ଷ ବୟସରୁ ତାର ମାମୁଁ ତାକୁ ନେଇ ଆସିଲେ ଏଇଠିକି। ଏଡ଼ିକି ଟିକିଏ ପିଲା, ହେଲେ ସେ ବୟସରୁ ଘରର ସବୁ କାମଧାମ କରୁଥିଲା। ମାଇଁଟା ତାର ଭାରି ଚୁଗୁଲିଖୋର। ତା ମାମୁଁକୁ ତା ନାଁରେ ମିଛସତ କହି ମାଡ଼ଗାଳି ଖୁଆଉଥିଲା। ଦିହ ନ ସହିଲେ ମଝିରେ ପଶି ମୁଁ ଝିଅଟାକୁ ଟାଣି ଆଣୁଥିଲି ନିଜ ଘରକୁ। ତା ହାତରେ, ପିଠିରେ ନୋଳା ଦେଖି କାନ୍ଦ ଲାଗୁଥିଲାରେ ବାପ। ମୋ ପୁଅ ମଧ୍ୟ ଏ ରୋଜ୍ ରୋଜ୍ କିଚି କିଚି ଦେଖି ଦିନେ ତା ମାମୁଁକୁ ଧମକେଇ କହିଲା, ପିଲାଟାକୁ ସବୁବେଳେ ମାରଧର କରୁଛ, ଭଲରେ ଯଦି ରଖି ପାରିବନି, ତାହେଲେ ଆଣୁଥିଲ କାହିଁକି? ଆଉ ଥରେ ଏମିତି କିଛି ଦେଖିଲେ, ସିଧା ଗାଁରେ ନ୍ୟାୟ ନିଶାପ ପାଇଁ ବଡ଼ଲୋକ ଡାକିବି। ମୁଁ ମଧ୍ୟ ତା ମାମୁଁକୁ ବହୁତ ବୁଝେଇଲି। ତା ମାଇଁ କଥାଟା ସବୁବେଳେ ଠିକ୍ ବୋଲି ବିଚାର ନ କରିବାକୁ କହିଲି। ମୋ ବୁଝେଇବାରୁ ହେଉ କି ସେ ନ୍ୟାୟ ନିଶାପ ଡରରେ ହେଉ ମାମୁଁର ମାରଧର ବନ୍ଦ ହେଇଗଲା। ହେଲେ କଳିତୁଣ୍ଡି ମାଇଁ ହାବୁଡ଼ରୁ କିନ୍ତୁ ଝିଅଟା ବର୍ତ୍ତିପାରିଲାନି। ପ୍ରତି କାମରେ ତାର ଖୁଣ ବାହାର କରି ଗାଳିମନ୍ଦ କରେ ତାର ମାଇଁ। ସେ କଳିତୁଣ୍ଡି ସହିତ ଲାଗିବା ପାଇଁ ମୋର କୋଉଠି ବଳ ବୟସ ଅଛିରେ ବାପ? କିଛି କହିଲେ ମୋ ସହିତ ଝଗଡ଼ା ଲାଗିଲା। ପୁଅବୋହୁ ସହିତ ଝଗଡ଼ା ଲାଗିଲା। ଶେଷକୁ ପୁଅ ବିରକ୍ତ ହେଇ ଦାଣ୍ଡପଟେ ଆଉ ବାରିପଟେ ପାଚେରୀ ଘେରେଇ ଦେଲା। ଏପଟୁ ଥାଇ ମୁଁ କାନପାରି ଶୁଣେ। ହେଲେ ପାଟି ଫିଟେଇ ପାରେନି। ପାଟି ଫିଟେଇଲେ ମୋ ପୁଅ ମୋ ଉପରେ ଗର ଗର ହୁଏ। ପର କଥାରେ ମୁଣ୍ଡ ନ ପୁରେଇବାକୁ କହେ। ଦିହ ସହେନି ବାପ। ଘରେ ଥାଇ ଛଟପଟ ଲାଗେ। ପୁଅ ମନରେ କଣ ଥିଲା କେଜାଣି ଦିନେ ଆସି କହିଲା, ସନ୍ଧ୍ୟାର ମାମୁଁର ବଦଳି ହୋଇଯାଇଛି। କହିଲା, ତା ମଧ୍ୟ ମୁଁ ଲାଗିକି କରିଛି। ଯାଆନ୍ତୁ ଏ ଅସଭ୍ୟ ଲୋକଗୁଡ଼ାକ। ମଣିଷ ଟିକେ ଶାନ୍ତିରେ ରହିବ। ବାପରେ ତିନି ବର୍ଷ ହେଲା ତାଙ୍କର ବଦଳି ହେଇ ଯିବାଟା। ହେଲେ ଝିଅଟା ଆଖିରେ ଆଖିରେ ହଉଛି। ଏ କେତେ ଦିନ ହେଲା ଶୁଣୁଛି ଝିଅଟା କୋଉ ଗୋଟେ ନାରୀ କଲ୍ୟାଣ ଆଶ୍ରମରେ ଅଛି। ଗାଁର କିଏ ଜଣେ କୋଉ କାମରେ ସହରକୁ ଯାଇଥିଲା ଦେଖିଛି ପୁଣି ତାକୁ। ବୁଢ଼ୀ ଲୁଗାକାନୀରେ ତା ଲୁହ ସିଙ୍ଘାଣୀ ପୋଛି ପକାଇ ଅଞ୍ଜନର ହାତ ଧରି କହିଲା, ତୋର, ବାପ ଯଦି ତା ସହିତ ଦେଖା ହୁଏ, କହିବୁ ତା ହେମ ଆଈ ତାକୁ ବହୁତ ମନେ ପକଉଛି।

ଅଞ୍ଜନ ନିଜର କୋହକୁ ଚାପି ଛେପ ଢ଼ୋକି କହିଲା, କହିବି। ହେଲେ, ସନ୍ଧ୍ୟା କୋଉ ଆଶ୍ରମରେ ଅଛି କହିପାରିବ?

- ନା ରେ ବାପ, ଏତେ କଥା ମୋର ମନେ ରହୁନି। ପୁଅକୁ ଜଣା। ତୁ ବସ, ମୁଁ ପଚାରି ଆସେ କାଳେ ବୋହୁକୁ ଜଣାଥିବ। ଅଞ୍ଜନ ଅପେକ୍ଷା କଲା କିଛି ସମୟ। ଭିତରୁ ପାଟି ଶୁଭୁଥିଲା, କଣ କରୁଛ ମା? ଯାହାକୁ ନାଇଁ ତାକୁ ଘର ଭିତରକୁ ଡାକି କଣ ସବୁ ଗପୁଛ? ତମ ପୁଅ ଯଦି ଜାଣିବେ ଏକଥା? ତାଙ୍କଠୁଁ କଥା ଶୁଣିବାକୁ ତମକୁ ଭଲ ଲାଗୁଛି କି?

- ନାଇଁରେ ମାଆ, ଭଲ ପିଲାଟା ପରି ଲାଗୁଛି। ବୁଢ଼ୀଟେ ହେଲିଣି, ସନ୍ଧ୍ୟା ପାଇଁ ତା ମନରେ ଦରଦ ଅଛି କି ନା ମୁଁ କଣ ଲୋକ ଦେଖି ଚିହ୍ନି ପାରିବିନି?

- ଏମିତି ଚେହେରା ଦେଖି ଲୋକ ଚିହ୍ନିବା ଯୁଗ ଗଲାଣି। ତମେ ସେ ପିଲାକୁ ବିଦା କରି ଆସ। ତମ ପୁଅ ଆସିବା ସମୟ ହେଲାଣି।

- କଣଟେ ଅଧିକା ଆଉ ପଚାରୁଛି ଯେ? ସନ୍ଧ୍ୟାର ଠିକଣା ଟିକେ ପଚାରୁଛି। ଜାଣିଛୁ ଯଦି ଟିକେ ଟିପିକି ଦଉନୁ। ପିଲାଟା କେତେ ଦୂରରୁ ଆସିଛି।

ଘର ଭିତରର ଶାଶୁ ବୋହୁ ଭିତରେ କଥୋପକଥନ ଶୁଣି ଅଞ୍ଜନ ଟିକେ ବିଚଳିତ ହୋଇ ପଡ଼ିଲା। ସେ ଘର ଭିତରୁ ବାହାରି ଆସିଲା ବାରଣ୍ଡାକୁ। ଭାବିଲା, ଫେରିଯିବ। ପୁଣି ଭାବିଲା ବୁଢ଼ୀଟା ଏତେ ବିଶ୍ୱାସରେ ଏତେ କଥା ସନ୍ଧ୍ୟା ବିଷୟରେ କହିଗଲା। ତାକୁ ନ ଜଣାଇ ଫେରିଯିବା ଉଚିତ୍ ହେବନାହିଁ। ବାରଣ୍ଡାରେ ଠିଆ ହୋଇ ରହିଲା କିଛି ସମୟ। ଘର ଭିତରୁ ବୁଢ଼ୀ ତରତରରେ ବାହାରି ଆସି ଅଞ୍ଜନକୁ ବାହାରେ ଠିଆ ହେବା ଦେଖି ଅନୁତପ୍ତ ହେଲା।

- ଆମ କଥା ଶୁଣି ଖରାପ ଲାଗିଲାନା?

- ନାଇଁ ଆଈ, ସେମିତି କିଛି ନାହିଁ।

- ମୋ ବୋହୁଟା ଭାରି ଭଲରେ ବାପ। ଅଯଥା ଝାମେଲାରେ ନ ପଶିବା ପାଇଁ ତାର ତାଗିଦ୍। ନ ହେଲେ କଣ ସନ୍ଧ୍ୟାର ଠିକଣା ଟିପିକି ଦେଇଥାନ୍ତା? ଏଇ ନେ, କଣ ଲେଖିଛି ପଢ଼ିକି ବୁଝ।

ଅଞ୍ଜନ କାଗଜଟା ଉପରେ ଆଖି ବୁଲେଇ ନେଲା। ଦି ସେଲ୍ଟର୍, ଚିନ୍ମୟଗଡ଼। ବୁଢ଼ୀକୁ ଧନ୍ୟବାଦ ଜଣେଇ ଫେରିଲା ଅଞ୍ଜନ।


ଛୁଟି ସରି ଆସୁଥିଲା ଅଞ୍ଜନର। ଚିନ୍ମୟଗଡ଼ ଗଲେ ତାକୁ ଆହୁରି ଦୁଇଦିନ ଅଧିକା ଛୁଟି ନେବାକୁ ହେବ। ଅସ୍ଥିର ମନରେ ତାର ଅସଂଖ୍ୟ ଉଦ୍.ବେଳନ। ସନ୍ଧ୍ୟାର ଖୋଜଖବର ନ ପାଇଲା ପର୍ଯ୍ୟନ୍ତ ତା ମନ କହୁନଥିଲା ନିଜ କର୍ମକ୍ଷେତ୍ରକୁ ଫେରିଯିବାକୁ। ଏଣେ ନୂଆ ଚାକିରୀ। ଦ୍ୱନ୍ଦ୍ୱ ଭିତରେ ରାତିରେ ନିଦ ଭଲ ହେଲା ନାହିଁ। ରହି ରହି ସନ୍ଧ୍ୟାର ଶୋକାକୁଳ ଚେହେରାଟିଏ ଭାସି ଆସୁଥିଲା ଆଖି ଆଗରେ। ଯେଉଁ ସନ୍ଧ୍ୟାକୁ କେବେ ମଧ୍ୟ ଉଦାସ ଦେଖିନାହିଁ, ତାର ନିରସ, ଶୁଷ୍କ ମୁହଁ ଅଞ୍ଜନର ଭାବନା ଗହ୍ୱର ଭିତରୁ ଠେଲି ହୋଇ ଆଖି ସାମ୍ନାରେ ଭାସି ଆସୁଥିଲା। ନିଜ ମଧ୍ୟରେ ଗ୍ଳାନି ଅନୁଭବ କରୁଥିଲା ସେ। ମନେ ହେଉଥିଲା ଯେମିତି କାହାକୁ ମଝି ଦରିଆରେ ଠେଲି ଦେଇ କୂଳରେ ଠିଆ ହୋଇ ସେ ମଜା ଦେଖୁଛି। ଦୂର ଦୂର ପର୍ଯ୍ୟନ୍ତ ନିରବତା ଭିତରେ ଶୁଭୁଛି କେବଳ ତାରି ଅଟ୍ଟହାସ। ପାହାଡ଼, ପର୍ବତର ଉଚ୍ଚ ଶୃଙ୍ଗରାଜିରେ ବାଧା ପାଇ ଫେରି ଆସି ବାଜୁଛି ତା କର୍ଣ୍ଣରେ ଗୋଟିଏ ଶବ୍ଦ ବାରମ୍ବାର, ଚଣ୍ଡୀ, ଚଣ୍ଡୀ, ଚଣ୍ଡୀ...। 

ଚିନ୍ମୟଗଡ଼ରେ ପହଞ୍ଚି ଅଳ୍ପ ଖୋଜା ଖୋଜି ପରେ ସେ ପାଇଗଲା ଦି ସେଲ୍ଟର୍ ନାରୀ କଲ୍ୟାଣ ଆଶ୍ରମର ଠିକଣା। ଜଣେ ମଧ୍ୟ ବୟସ୍କା ମହିଳାଟିଏ ୱେଟିଂ ରୁମ୍.କୁ ପଶି ଆସୁ ଆସୁ ଅଞ୍ଜନକୁ ଦେଖି ପଚାରିଲେ, କଣ କିଛି ଦରକାର ଥିଲା? ମହିଳା ଜଣକ ଦି ସେଲ୍ଟର୍.ର ଅତିରିକ୍ତ ପରିଚାଳିକା ଥିଲେ। ଅଞ୍ଜନ ନମସ୍କାରଟିଏ ହୋଇ କହିଲା, ମୁଁ ସନ୍ଧ୍ୟା ନାମ୍ନି ଜଣେ ଅନ୍ତେବାସୀନୀକୁ ଖୋଜୁଛି। ମୋ ନାଁ ଅଞ୍ଜନ ବୀରଭଦ୍ର ସିଂ। ଆପଣ ଟିକେ ଡାକି ଦେଇ ପାରିବେ ତାକୁ? ମହିଳା ଜଣକ ଅଞ୍ଜନର ଆପାଦ ମସ୍ତକ ନିରୀକ୍ଷଣ କଲେ। କହିଲେ, ପାଖାପାଖି ବର୍ଷେ ପରେ ହେଲାଣି, ଆଜିଯାଏଁ ତାର ନିଜ ଲୋକ କେହି ଏ ଆଶ୍ରମରେ ପାଦ ଦେଇ ନାହାନ୍ତି। ସନ୍ଧ୍ୟା ନିଜେ ମଧ୍ୟ ତା ନିଜ ଲୋକଙ୍କ ବିଷୟରେ କିଛି କହୁନାହିଁ। ଆପଣ ତାର କଣ ହେବେ?

ପରିଚାଳିକାଙ୍କ ପ୍ରଶ୍ନରେ ଅଞ୍ଜନ ଟିକିଏ ଭାବପ୍ରବଣ ହୋଇ ଉଠିଲା। କହିଲା, ସବୁକିଛି। ଆପଣ ତାକୁ ଏତିକି କୁହନ୍ତୁ, ଅଞ୍ଜନ ଆସିଛି। ପରିଚାଳିକା ଜଣେ ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାକୁ ଡାକି ଆଣିବାକୁ ପଠେଇଲେ। ବସି ବସି ପନ୍ଦର ମିନିଟ୍ ବିତିଗଲା। ନା ସନ୍ଧ୍ୟା ନା ସେ ମହିଳା, କେହି ମଧ୍ୟ ଫେରିଲେ ନାହିଁ। ଆକଣ୍ଠ ଉଚ୍ଚାଟତା ଆଉ ବ୍ୟାକୁଳତା ନେଇ ଅଞ୍ଜନ ଧୀରେ ଧୀରେ ପାଦ ବଢ଼େଇଲା ଅନ୍ତଃପୁର ଆଡ଼କୁ। ଦୁଇ ପାଦ ବଢ଼େଇଛି, ମହିଳା ଜଣକ ଫେରି ଆସୁଥିବା ଦେଖି ଅଟକିଗଲା। ମହିଳା କର୍ମଚାରୀ ପାଖକୁ ଆସି ପଚାରିଲେ, ଆପଣ ଠିକ୍ କହୁଛନ୍ତି ତ ସନ୍ଧ୍ୟାକୁ ଜାଣିଛନ୍ତି ବୋଲି?

- ହଁ।

- କିନ୍ତୁ ସନ୍ଧ୍ୟା କହୁଛି କୋଉ ଅଞ୍ଜନକୁ ସେ ଚିହ୍ନେନି କି ଜାଣେନି।

ପରିଚାଳିକା କହିଲେ, ସରି, ମୁଁ ନାଚାର। ଆପଣ ତା ସହ ମିଶି ପାରିବେ ନାହିଁ।

ଅଞ୍ଜନ ଅତ୍ୟନ୍ତ ଆବେଗର ସହ ଧରି ପକେଇଲା ପରିଚାଳିକାଙ୍କ ହାତ। କହିଲା, ମ୍ୟାଡାମ୍, ଆପଣ ମୋ ବଡ଼ ଭଉଣୀ ପରି। ପ୍ଳିଜ୍, ମୋତେ ସନ୍ଧ୍ୟା ସହ ମିଶିବାକୁ ଦିଅନ୍ତୁ। ହୁଏତ ଅଭିମାନ ହେତୁ ମୋ ସହ ଦେଖା କରିବାକୁ ସେ ଚାହୁଁନଥିବ। ପରିଚାଳିକା କଣ ଭାବି କହିଲେ, ଆଛା ଠିକ୍ ଅଛି, ଆସନ୍ତୁ ମୋ ସାଙ୍ଗରେ। ତାର ଯଦି ଆପଣଙ୍କ ସହ କଥା ହେବାକୁ ଇଚ୍ଛା ନ ଥିବ, ବାଧ୍ୟ କରିବେ ନାହିଁ।

କୋଠରୀ ପରେ କୋଠରୀ ଅତିକ୍ରମ କରି ଗୋଟିଏ କୋଠରୀ ସାମ୍ନାରେ ଅଟକିଗଲେ ପରିଚାଳିକା। ଭିତରେ ପଶି ଡାକ ଛାଡ଼ିଲେ ସନ୍ଧ୍ୟାକୁ। କେହି ଜଣେ ପଛଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲା। ପରିଚାଳିକା ଅଞ୍ଜନକୁ ଡାକି ନେଇଗଲେ ମହଲାର ପଛପାଖକୁ। ଅନତି ଦୂରରେ ଧାଡ଼ି ଧାଡ଼ି ନଡ଼ିଆ ଗଛ ଠିଆ ହୋଇଛି ପାଚେରୀକୁ ଟିକିଏ ଛାଡ଼ି। ନଡ଼ିଆ ଗଛର ବ୍ୟବଧାନ ଭିତରେ କିଛି କ୍ରୋଟନ୍ ଗଛ ବିଭିନ୍ନ ଆକାରରେ ବଢ଼ି ମନୋରମ ଦିଶୁଛି। ସେଇ କ୍ରୋଟନ୍ ଗଛର ଆଢ଼ୁଆଳରେ ମନେ ହେଲା କିଏ ଜଣେ ପାଚେରୀ ଆଡ଼କୁ ମୁହଁ କରି ବସିଛି।

- ଯାଆନ୍ତୁ, ମୁଁ ଏଇଠି ଅଛି। ମ୍ୟାଡାମ୍ ଠିଆ ହୋଇ ପଡ଼ିଲେ ନିଜ ଜାଗାରେ। ଅଞ୍ଜନ ପାଦେ ପାଦେ କରି ଆଗେଇଲା ସେଇ କ୍ରୋଟନ୍ ଗଛ ଆଡ଼କୁ। ହୃତ୍ ସ୍ପନ୍ଦନ ତାର ବଢ଼ୁଥିଲା ବେଳକୁ ବେଳ। ଏତେ ଦିନ ପରେ ତାକୁ ଦେଖି କଣ ହେବ ସନ୍ଧ୍ୟାର ପ୍ରତିକ୍ରିୟା? ପାଦ ଶବ୍ଦ ଶୁଣି ପଛକୁ ବୁଲି ଚାହିଁଲା ଝିଅଟି। ନା, ଏ ତ ସନ୍ଧ୍ୟା ନୁହେଁ। ଫେରି ଆସୁଥିଲା ଅଞ୍ଜନ। ଝିଅଟିର ଶୁଷ୍କ ନିରସ ଆଖିଦୁଇଟି କିନ୍ତୁ ଏକ ଲୟରେ ଚାହିଁଛି ଅଞ୍ଜନକୁ। ସେଇ ଆଖି… ସେଇ ଓଠ… କିନ୍ତୁ ଏ କଣ? ଗାଲ ଉପରେ ପଟା ପଟା କଳା ଦାଗ! ଓଃ, କି ବିଭତ୍ସ ଦିଶୁଛି ମୁହଁଟି! ଏଇ କଣ ତାର ସନ୍ଧ୍ୟା? ଗୋରା ତକ ତକ ହଳଦୀ ରଙ୍ଗର ମୁହଁଟା ମଳିନ ପଡ଼ି ଝୋଟ ଅଖା ଉପରେ କାଦୁଅ ଛିଟିକାରେ ରୂପାନ୍ତରିତ ହୋଇଯାଇଛି। ଫେରି ଆସୁଥିବା ପାଦଯୋଡ଼ିକୁ ଆଗକୁ ବଢ଼ାଇଲା ଅଞ୍ଜନ। ଅତି କୋମଳ ଭାବରେ ଡାକିଲା, ଚଣ୍ଡୀ! ଝିଅଟି ଉଠି ଠିଆ ହୋଇ ପଡ଼ିଲା। ଅଞ୍ଜନ ମନର ଯତ୍ କିଞ୍ଚିତ୍ ସଂଶୟ ଦୂର ହୋଇଗଲା ସନ୍ଧ୍ୟାକୁ ସମ୍ପୂର୍ଣ୍ଣ ଦେଖି ସାରିଲା ପରେ। ଦୌଡ଼ିଗଲା ତା ପାଖକୁ।

- ଚଣ୍ଡୀ, ଏ କି ରୂପ ତୋର? ଗାଲରେ, କପାଳରେ ହାତ ମାରି ଦେଖିଲା ଅଞ୍ଜନ। ରୁକ୍ଷ, ଟାଆଁଶ, ଶୁଷ୍କ ଚର୍ମ। ଆଖିରୁ ତାର ପାଣି ନିଗିଡ଼ି ଆସିଲା। ଏମିତି ଅବସ୍ଥାରେ ସନ୍ଧ୍ୟାକୁ ଦେଖିବ କଳ୍ପନାରେ ସୁଦ୍ଧା ଭାବିନଥିଲା ଅଞ୍ଜନ। ସନ୍ଧ୍ୟାର ହାତକୁ ଧରି ନିଜ ଗାଲ ଉପରେ ରଖିଲା। ତାପରେ ଛାତିରେ ଜାବୁଡ଼ି ଧରିଲା ହାତକୁ। ପ୍ରତିକ୍ରିୟାହୀନ ସନ୍ଧ୍ୟା କେତେ ସମୟ ସେମିତି ଜୁଳୁ ଜୁଳୁ କରି ଚାହିଁଲା ଅଞ୍ଜନ ଆଡ଼େ। ତାପରେ ସତେକି ତାର ଧ୍ୟାନଭଙ୍ଗ ହେଲା। ହୃଦୟରେ ଜମାଟ କୋହ ତାର ସବୁ ବାଧାବିଘ୍ନକୁ ଲଙ୍ଘି ବାହାରି ଆସିଲେ ଆଖିର ଲୁହ ହୋଇ। ଭୋ ଭୋ ରଡ଼ି କରି କାନ୍ଦି ଉଠିଲା ସନ୍ଧ୍ୟା। କିଛି ଅଘଟଣ ଘଟିଗଲା ଭାବି ଦି ସେଲ୍ଟର୍.ର ସବୁ ଅନ୍ତେବାସୀନୀ ଓ କର୍ମଚାରୀ ରୁଣ୍ଡ ହୋଇଗଲେ। ହେଲେ ସେଥିକୁ ଖାତିର୍ ନ ଥିଲା ସନ୍ଧ୍ୟାର। ସେ ଖୁବ୍ ଜୋର୍.ରେ ଜାବୁଡ଼ି ଧରିଥିଲା ଅଞ୍ଜନର ସାର୍ଟ୍। ସତେକି ପଚାରୁଥିଲା, ଏତେଦିନ ତୁ କେଉଁଠି ରହିଗଲୁ?

ଅଞ୍ଜନର ଅଶେଷ ଅନୁରୋଧ ସତ୍ତ୍ୱେ ପରିଚାଳିକା ମହୋଦୟା ସନ୍ଧ୍ୟାକୁ ଅଞ୍ଜନ ସାଙ୍ଗରେ ଯିବାକୁ ଦେଇନଥିଲେ। ଦି ସେଲ୍ଟର୍.ର ନିୟମ ବିରୁଦ୍ଧ ଥିଲା କଥା। ସନ୍ଧ୍ୟାର ନିଜ ପରିବାରର ସଦସ୍ୟଙ୍କ ଛଡ଼ା ଅନ୍ୟ କାହା ସହ ସେ ସନ୍ଧ୍ୟାକୁ ଛାଡ଼ି ପାରିବେ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଦେଲେ। ସେଥିରେ ପୁଣି ସନ୍ଧ୍ୟାର ସମ୍ମତ୍ତି ମଧ୍ୟ ଆବଶ୍ୟକ। ତେବେ ସେ ଗୋଟିଏ ସାହାଯ୍ୟ କରିପାରିବେ। ଅଞ୍ଜନ ଯେତେ ସମୟ ଚାହିଁବ ଦି ସେଲ୍ଟର୍.ର ହତା ବାହାରକୁ ନ ଯାଇ, ସନ୍ଧ୍ୟା ସହ ଲନ୍.ରେ କିମ୍ବା ୱେଟିଂ ରୁମ୍.ରେ ବସି କଥା ହୋଇପାରିବ। ଅବଶ୍ୟ ରାତି ନଅଟା ପର୍ଯ୍ୟନ୍ତ। ତାପରେ ଦି ସେଲ୍ଟର୍.ର ମୁଖ୍ୟ ଫାଟକ ବନ୍ଦ ହୋଇଯିବ। ଅଞ୍ଜନ ଚାହିଁଲେ ତା ପାଇଁ ଅଲଗା ରହଣୀର ବ୍ୟବସ୍ଥା ଗେଷ୍ଟ ହାଉସ୍.ରେ କରାଯାଇପାରେ। ମାଡ଼ାମ୍.ଙ୍କ ସର୍ତ୍ତ ମୁତାବକ ଦୁହେଁ ଯାଇ ବସିଲେ ଲନ୍.ରେ। ଅଞ୍ଜନ ଅନୁଭବ କରୁଥିଲା ପରିଚାଳିକାଙ୍କ ତା ପ୍ରତି କୋମଳ ମନୋଭାବ ପୋଷଣ। କିନ୍ତୁ ନିୟମ ତ ନିୟମ। ଯଦିଓ ସେ ନିରୀକ୍ଷଣ କରୁଥିଲେ ଅଞ୍ଜନକୁ ଭେଟିଲା ପରେ ସନ୍ଧ୍ୟାର ହାବଭାବରେ ପରିବର୍ତ୍ତନ। କେମିତି ପୂର୍ବାପେକ୍ଷା ନିଜକୁ ଅଧିକ ନିରାପଦ ଅନୁଭବ କରୁଛି ସନ୍ଧ୍ୟା ଅଞ୍ଜନ ନିକଟରେ।

- ଚଣ୍ଡୀ!

- ଉଁ।

- କଣ ସବୁ ଘଟିଗଲାରେ ତୋ ସହ। କାହିଁ କିଛି ଟିକେ ଜାଣିବାକୁ ଦେଲୁନି ପାଖାପାଖି ଦୁଇବର୍ଷର ଏକତ୍ର ପଢ଼ାପଢ଼ି ଭିତରେ।

ସନ୍ଧ୍ୟା ମୁହଁ ତଳକୁ କରି ନିରବ ରହିଲା।

- ଏଣେ କହୁଛୁ ମୁଁ ତୋର ନିଜର ବୋଲି। ଆଉ ଏତେ କଥା ମୋ ଠାରୁ ଲୁଚେଇ ରଖିଲୁ? ହେମ ଆଈ ମୋତେ ସବୁ କହିଛି। ହେମ ଆଈ କଥା ଶୁଣି ସନ୍ଧ୍ୟା ମୁହଁ ତୋଳି ଚାହିଁଲା। ଅଞ୍ଜନ କହିଲା, ହଁ ଠିକ୍ ଶୁଣିଛୁ। ହେମ ଆଈ। ଖୁବ୍ ମନେ ପକଉଛି ତୋତେ। ଏଠିକି ଆସିବା ପୂର୍ବରୁ ମୁଁ ଯାଇଥିଲି ତମ ଘରକୁ। ସେଇ ହେମ ଆଈଙ୍କ ଠାରୁ ଶୁଣିଲି ତୋ ସହ ହୋଇଥିବା ଅକଥନୀୟ ଅତ୍ୟାଚାର କଥା। କିନ୍ତୁ ମୁହଁରେ ତୋର ଏ ପୋଡ଼ା ଦାଗ? ଏତେ ନୃଶଂସ ଭାବରେ କେହି କଣ କାହାକୁ କଷ୍ଟ ଦିଏ? ତୁ ଏସବୁ ସହୁଥିଲୁ କେମିତି? ପାଠୁଆ ଝିଅଟିଏ, ତୁ କଣ ଏତିକି ଜାଣିନୁ ଅନ୍ୟାୟ ସହିବା ମଧ୍ୟ ପାପ?

ସନ୍ଧ୍ୟା ତଥାପି ନିରବ। ଅଞ୍ଜନ ରାଗିଯାଇ କହିଲା, ଏ ଚଣ୍ଡୀ, ତୁ କିଛି କହିବୁ ନା ମୁଁ ଚାଲିଲି। ଏମିତି ଚୁପ୍ ବସିଲେ କିଛି ମଧ୍ୟ ସମାଧାନର ରାସ୍ତା ବାହାରିବନି। ସନ୍ଧ୍ୟା ମୁହଁ ଖୋଲିଲା।

- କହିବି, ହେଲେ ମୋ ସହ ଘଟିଥିବା ଘଟଣାର ସମସ୍ତ ବୃତ୍ତାନ୍ତ ଶୁଣିଲା ପରେ ତୁ ମୋତେ ଘୃଣା କରିବୁ। ମୋ ପାଖରେ ବସିବାକୁ ମଧ୍ୟ ହୁଏତ ତୁ ଆଗପଛ ହେବୁ।

- କଣ ସବୁ ଏମିତି ଅପରାଧଟେ ତୁ କରି ପକେଇଛୁ?

- ମୁଁ... ମୁଁ...

- ଖାଲି ମୁଁ ମୁଁ କରିବୁ ନା ଆଗକୁ ବି କିଛି କହିବୁ।

- ମୁଁ ... ମଣିଷ ମାରିଛି।

- ଚଣ୍ଡୀ! ବିସ୍ମୟ ହତବାକ୍ ଅଞ୍ଜନ ପଛକୁ ଘୁଞ୍ଚିଗଲା। ଅନେକ ସମୟ ସେମିତି ଚାହିଁ ରହିଗଲା ସନ୍ଧ୍ୟାକୁ।

- କହିଲିନା, ତୁ ମୋ ପାଖରେ ବସିବାକୁ ମଧ୍ୟ ଆଗପଛ ହେବୁ।

- ହେଲେ... କାହିଁକି ଚଣ୍ଡୀ? ନରହତ୍ୟା ଭଳି ଜଘନ୍ୟ କର୍ମଟିଏ ତୋତେ କାହିଁକି କରିବାକୁ ପଡ଼ିଲା? କିଏ ସେ? ତୋର ମାଇଁ?

ସନ୍ଧ୍ୟା ମୁଣ୍ଡ ହଲେଇଲା। କହିଲା, ମୋ ଭାଗ୍ୟର ବିଡ଼ମ୍ବନା ଦେଖ। ଯେଉଁ ମାଇଁ ମୋତେ ପିଲାଟି ଦିନରୁ ଯାବତୀୟ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିଲା, ସେ ଆଜି ମୋ କଲା କର୍ମର ଦୋଷ ନିଜେ ମୁଣ୍ଡେଇ ଜେଲ୍ ଭିତରେ ଅଛି। ଅଞ୍ଜନର ମୁଣ୍ଡରେ କିଛି ମଧ୍ୟ ପଶୁ ନ ଥିଲା। କହିଲା, ଏତେ ପ୍ରହେଳିକା ନ କରି କଣ ହୋଇଛି ସିଧା ସିଧା କହ। ସନ୍ଧ୍ୟା ଆରମ୍ଭ କଲା।

- ହେମ ଆଈ ସବୁ କହିଥିବ। ହେଲେ ନୂଆ ଜାଗାକୁ ଆସିବା ପରର କଥା ହେମ ଆଈ କହିନଥିବ। ସେଦିନ ମୋ ମାମୁଁଝିଅ ରୁକ୍ମିଣୀକୁ ଦେଖିବାକୁ ବରଘର ଆସିଥିଲେ। କମ୍ପାନୀ ଚାକିରୀ, ଭଲ ଘର ପରିବାର, ପିଲାଟା ଦେଖିବାକୁ ମଧ୍ୟ ଠିକ୍ ଠାକ୍। ମୁଁ ସେତେବେଳେ ଘରେ ନ ଥିଲି। ମାଇଁ ମୋତେ ପଠେଇ ଦେଇଥିଲା ସୁନୀଖୁଡ଼ି ଘରକୁ। ଯେହେତୁ ମୁଁ ତାଙ୍କ ପୁଅକୁ ଟିଉସନ୍ ପଢ଼ଉଥିଲି, ମୋତେ କହିଲା ସୁନୀଖୁଡ଼ି କହିଛି ଆଜି ପୁରା ଦିନଟା ତାଙ୍କ ଘରେ ରହି ତାଙ୍କ ପୁଅକୁ ପଢ଼େଇବା ପାଇଁ। ଆଗକୁ ତାର ପରୀକ୍ଷା। ମାଇଁ କଥା ସତ ଭାବି ମୁଁ ପୁରା ଦିନଟା ତାଙ୍କ ଘରେ କାଟିବାକୁ ମନସ୍ଥ ହୋଇ ଗଲି। ଖରାବେଳେ ସୁନୀଖୁଡ଼ି କହିଲେ, ସେତିକି ଥାଉ, ଖାଇ ପିଇ ଓପରବେଳା ଆସିବୁ। ବୋଧେ ସୁନୀଖୁଡ଼ିକୁ ମାଇଁ ଠିକ୍ ରୂପେ ବୁଝେଇ ପାରିନାହିଁ ଘଟଣା କଣ। ଠିକ୍ କନ୍ୟା ଦେଖା ଚାହାଁ ସମୟରେ ମୁଁ ଘରେ ପହଞ୍ଚିଗଲି। ଘରେ କଣ ଚାଲିଛି ମୋ ପାଖରେ କିଛି ଟେର୍ ନ ଥିଲା। ମୋତେ ଦେଖି ମାଇଁ ଚମକି ପଡ଼ିଲା। ତର ତର ହୋଇ ମୋତେ ଘର ଭିତରକୁ ଡାକି ନେବା ଭିତରେ ବରର ମାମୁଁ କହିଲେ, ମାଆ, ଟିକେ ରହିଯା। ଆ, ଏଇଠି ଆସି ବସିଲୁ। ତାପରେ ପଚାରି ବୁଝିଲେ, ମୁଁ କଣ ସବୁ ପଢ଼ିଛି, କେତେ ନମ୍ବର ରଖିଛି, ରୋଷେଇ ଜାଣିଛି କି ନା ଇତ୍ୟାଦି, ଇତ୍ୟାଦି। ଗଲାବେଳେ ମୋ ହାତରେ କିଛି ଟଙ୍କା ଧରେଇ ଦେଇ କହିଗଲେ ଝିଅ ଆମର ପସନ୍ଦ ହୋଇଛି। ଏସବୁ ଏତେ ଶୀଘ୍ର ଘଟିଗଲା ଯେ କାହା ପାଟିରୁ କିଛି କଥା ବାହାରି ପାରିଲା ନାହିଁ। ତେଣେ ରୁକ୍ମିଣୀ ଭିତର ଘରେ ବସି ଆହୁରି ସଜବାଜ ହେଉଥିଲା। ରୁକ୍ମିଣୀକୁ ଦେଖି ଆସିଥିବା ବରଘର ମୋତେ ପସନ୍ଦ କରି ଚାଲିଗଲେ ଦେଖି ମାଇଁ ରାଗରେ ପାଚିକି ଲାଲ୍ ହୋଇଗଲା। ମାମୁଁ ଓ ମାଇଁର ଭାଇ ଧଡ଼ିମାମୁଁ ମଧ୍ୟ ମୋ ଉପରେ ବିରକ୍ତ ହେଲେ। ମୁଁ କିଂକର୍ତ୍ତବ୍ୟମୁଢ଼ ଭାବରେ କିଛି ସମୟ ଠିଆ ହୋଇ ଭିତର ଘରକୁ ଚାଲିଗଲି। ଯେମିତି ମୁଁ ଭିତରକୁ ଯାଇଛି, ମାଇଁ ଆଉ ରୁକ୍ମିଣୀ ଦୁହେଁ ମୋ ଚୁଟିକୁ ଘୋଷାରି ଘୋଷାରି ନେଇଗଲେ ରୋଷେଇଶାଳ। ମୋର ହାତ ଦୁଇଟାକୁ ପଛକୁ ଟାଣି ବାନ୍ଧିଦେଲେ ଏକାଠି। ରାଣ୍ଡୀ, ବାହା ହବ, ଦେଖିବି କେମିତି ବାହା ହେଇ ଘଇତା ସୁଆଗୀ ହବ। ହା, ରେ ବାପାମା ଛେଉଣ୍ଡ ଝିଅଟା ବୋଲି ଯେତିକି ଦୟା ଦେଖଉଛି, ମୋ ଉପରେ ସେତିକି ଭାରି ହଉଛି। ମାଇଁର ଗାଳି ଧୀରେ ଧୀରେ ଚରମକୁ ଉଠୁଥିଲା। ଏଣେ ଚୁଲୀ ଉପରେ ପିଠାପାତିଆ ଲାଲ୍ ହୋଇ ଆସୁଥିଲା। ମୋ ଚୁଟିକୁ କଷିକି ଧରି ଥିଲା ରୁକ୍ମିଣୀ। ମୁଁ କୌଣସିମତେ ହଲଚର ହୋଇ ପାରୁନଥିଲି। ନିଷ୍ଠୁରତାର ସବୁ ସରହଦ ପାର କରି ତତଲା ଲାଲ୍ ପିଠାପାତିଆକୁ ମୋ ଗାଲରେ ଦାଗିଦେଲା ମାଇଁ। ସେଇ ଗୋଟିଏ ଚେଙ୍କରେ ମୁଁ ଯନ୍ତ୍ରଣାରେ ଆଉ ଭୟରେ ଚେତା ହରେଇ ପଡ଼ିଗଲି। ନା ରହିବ ଚେହେରା... ନା କିଏ ଆଉ ମୋତେ ପସନ୍ଦ... ... ... ସନ୍ଧ୍ୟା ପୁଣି ଥରେ କାନ୍ଦି ପକେଇଲା ଭୋ ଭୋ ହୋଇ। ଅଞ୍ଜନର ପଞ୍ଜରା ଥରାଇ ଦୀର୍ଘଶ୍ୱାସଟିଏ ବାହାରି ଆସିଲା। ସେ ବିଶ୍ୱାସ କରି ପାରୁନଥିଲା, ଏତେ ନୃଶଂସ ମଣିଷ ବି ଏ କାଳରେ ଅଛନ୍ତି। ସନ୍ଧ୍ୟାକୁ ପ୍ରବୋଧନା ଦେବା ପାଇଁ ଅଞ୍ଜନ ନିକଟରେ ଭାଷା ନ ଥିଲା। ଏତେ ଦିନ ପରେ କାନ୍ଦୁଛି ବିଚାରୀ। ଦୁଃଖତକ ତାର ଲୁହ ହୋଇ ବହିଯାଉ। ହାଲ୍ କା ହୋଇଯିବ ଛାତିଟା। ସନ୍ଧ୍ୟା ଆଖିରୁ ନିଗିଡ଼ି ଆସୁଥିବା ଲୁହତକ କଚି, କହୁଣୀ ଆଉ ପାପୁଲିରେ ପୋଛିଲା ପରେ ମଧ୍ୟ ବୋଲ ମାନୁନଥିଲା। କେତେ ସମୟ ପରେ କାନ୍ଦି କାନ୍ଦି ହାଲିଆ ହୋଇ ଅଞ୍ଜନର ଜଙ୍ଘ ଉପରେ ମୁଣ୍ଡ ଦେଇ ଶୋଇଗଲା ସନ୍ଧ୍ୟା। ଅଞ୍ଜନ ଉପରକୁ ଚାହିଁଲା। ଆକାଶରେ ଖଣ୍ଡିଆ ଜହ୍ନଟା ସତେକି ଖତେଇ ହେଉଥିଲା ତାକୁ। ତାରାମାନେ ତାର ଭାଗ୍ୟକୁ ଆଖିମିଟିକା ମାରୁଥିଲେ।

କେତେ ସମୟ ପରେ ସନ୍ଧ୍ୟା ଧଡ଼ପଡ଼ ହୋଇ ଉଠି ପଡ଼ିଲା। ନିଜ ମୁକୁଳା କେଶକୁ ସଜାଡ଼ୁ ସଜାଡ଼ୁ କହିଲା, ଅଞ୍ଜନ, ତୁ ଯା।

- ମାନେ?

- ତୁ ଯା ଅଞ୍ଜନ, ଚାଲିଯା ଏଠୁ। ମୁଁ ଚାହେଁନା ମୋ ପାଇଁ ତୁ ବି କିଛି ଅସୁବିଧାରେ ପଡ଼। ମୁଁ ତ ଆଜନ୍ମ ଦୁଃଖିନୀଟିଏ। କାନ୍ଦିବା, ଲୁହ ଗଡ଼େଇବା ଏସବୁ ମୋର ଦେହସୁହା ହୋଇଗଲାଣି। ସେଇ ଜାଲ ଭିତରେ ତୋତେ ଛନ୍ଦି ଦେଇ ତୋ ସରଳ, ନିର୍ବିଘ୍ନ ଜୀବନଯାତ୍ରାକୁ ମୁଁ ଜଟିଳ କରିବାକୁ ଚାହୁଁନି।

- ବହୁତ ହେଲା ତୋ କଥା। ତୋ ପରିସ୍ଥିତି ପାଇଁ ତୁ ତ ଦାୟୀ ନୁହଁ। ତୁ କାହିଁକି ଆତ୍ମଗ୍ଳାନି ଅନୁଭବ କରୁଛୁ। ଆଉ ଯେଉଁମାନେ ଦାୟୀ, ଜଣେ ଜଣେ କରି ତାର ଫଳ ଭୋଗ କରିବେ, ଆଜି ନ ହେଲେ କାଲି। ସେଥିପାଇଁ ତୁ ନିଜକୁ ଅପରାଧୀ ମନେ କରିବା ସମ୍ପୂର୍ଣ୍ଣ ଅନୁଚିତ। ତୋ ଦ୍ୱାରା କିଛି ଯଦି ଘଟି ବି ଯାଇଛି, ମୁଁ କହିବି ସେଥିପାଇଁ ପରିସ୍ଥିତି ତୋତେ ବାଧ୍ୟ କରିଥିବ।

- ହେଲେ... କିନ୍ତୁ... ମୁଁ ଯେ...

ଅଞ୍ଜନ ସନ୍ଧ୍ୟାକୁ କହିବାକୁ ନ ଦେଇ ଆପଣାତ୍ୱ ଜାହିର୍ କରିବାକୁ ଯାଇ ତା ଓଠ ଉପରେ ଜୋର୍ କରି ଚୁମ୍ବନଟିଏ ଆଙ୍କିଦେଲା। ଅଞ୍ଜନର ଅତର୍କିତ ଆବେଶ ପାଇଁ ସନ୍ଧ୍ୟା ପ୍ରସ୍ତୁତ ନ ଥିଲା। ସେ ଦୁଇ ହାତ ଦେଇ ଠେଲିଦେଲା ଅଞ୍ଜନର ଛାତିକୁ। ତାପରେ ଦୌଡ଼ି ଚାଲିଗଲା ସେଠାରୁ। ତଳେ ପଡ଼ି ଅଞ୍ଜନ ବଡ଼ ପାଟିରେ କହିଲା, ଆସନ୍ତା କାଲି ପୁଣି ଦେଖାହେବ।

ରାତି ଯେତିକି ଘନେଇ ଆସୁଥିଲା, ଅଞ୍ଜନର ଭାବନାର ସାନ୍ଧ୍ରତା ସେତିକି ଗାଢ଼ ହେଉଥିଲା। ଶୋଇ ଶୋଇ ଅଞ୍ଜନ ସ୍ଥିର କରୁଥିଲା ତାର ଆଗାମୀ କାର୍ଯ୍ୟପନ୍ଥା। ମନେ ମନେ ଯୋଜନା କରୁଥିଲା କେଉଁ ଉପାୟରେ ସେ ସନ୍ଧ୍ୟାକୁ ଏଇଠୁ ମୁକୁଳାଇ ନେଇ ପାରିବ। ଦି ସେଲ୍ଟର୍.କୁ ଜଣେ ଗ୍ୟାରେଣ୍ଟର୍ ଦରକାର। ଯିଏ ସନ୍ଧ୍ୟା ପାଇଁ ଏକ ଉପଯୁକ୍ତ ଓ ଦମଦାର୍ ଠିକଣା ହୋଇପାରିବ। ସେତିକି ହୋଇପାରିଲେ, ଦି ସେଲ୍ଟରର ଆପତ୍ତି ରହିବନାହିଁ ସନ୍ଧ୍ୟାକୁ ଛାଡ଼ିବା ପାଇଁ। ସନ୍ଧ୍ୟା ଏ ଆଶ୍ରମରେ କେମିତି ପହଞ୍ଚିଲା, ନିଜେ ନିଜେ ସେ ଏ ଜୀବନ ବାଛି ନେଇଛି ନା କିଏ ତାକୁ ଆଣି ପହଞ୍ଚାଇଛି, ସେକଥା ବି ଅଞ୍ଜନକୁ ଅଜଣା। ଯଦି ସେ ନିଜେ ପହଞ୍ଚିଛି, ତାହେଲେ ନିଜ ନିଷ୍ପତ୍ତି ନେବାରେ ସନ୍ଧ୍ୟା ସ୍ୱତନ୍ତ୍ର, ଉନ୍ମୁକ୍ତ। କାହା ସହ ସେ ରହିବ ନ ରହିବ ସେ ନିଷ୍ପତ୍ତି ତାର। ଆଉ ଯଦି କେହି ତାକୁ ଆଣି ଏଇଠି ଭର୍ତ୍ତି କରାଇଥିବ, ସେଇ ମହାନୁଭବଙ୍କ ଅନୁରୋଧରେ ହୁଏତ ସନ୍ଧ୍ୟାକୁ ଛାଡ଼ି ଦିଆ ଯାଇପାରେ। ହେଲେ, କିଏ ସେ ମହାନୁଭବ? କେଉଁଠି ପାଇବ ତାଙ୍କ ଠିକଣା? ଆରେ! ସେ ଏତେ କଣ ଭାବୁଛି? ଠିକଣାଟା ଦି ସେଲ୍ଟର୍.ର ରେଜିଷ୍ଟ୍ରେସନ କାଉଣ୍ଟର୍.ରେ ମିଳିଯିବ। ଟିକିଏ ତାକୁ କଷ୍ଟ କରିବାକୁ ପଡ଼ିବ।

ନିଦ ଭାଙ୍ଗୁ ଭାଙ୍ଗୁ ଅଞ୍ଜନ ଦୌଡ଼ିଲା ରେଜିଷ୍ଟ୍ରେସନ କାଉଣ୍ଟର୍ ଆଡ଼େ। ପରିଚାଳିକା ମହୋଦୟା ଦେଖା ହୋଇଗଲେ।

- ଆରେ, ଆପଣ ଯାଇନାହାନ୍ତି?

- ନା ମ୍ୟାଡାମ୍, ସନ୍ଧ୍ୟାକୁ ନ ନେଇ ମୁଁ ଏଠୁ ଯିବିନାହିଁ।

- ଆଛା ଜିଦ୍.ଖୋର୍ ଲୋକ।

- ଆପଣ ଯାହା ଭାବନ୍ତୁ।

ପରିଚାଳିକା ମହୋଦୟା ମୁରୁକି ହସିଲେ। ଅଞ୍ଜନ ପଚାରିଲା, ମ୍ୟାଡାମ୍, ମୁଁ ସେଇ ବ୍ୟକ୍ତିର ଠିକଣା ଜାଣିବାକୁ ଚାହେଁ, ଯିଏ ସନ୍ଧ୍ୟାକୁ ଏଠି ଆଣି ପହଞ୍ଚାଇ ଥିଲା।

- ତାଙ୍କ ଠିକଣା ଜାଣି ଆପଣ କଣ କରିବେ?

- ପ୍ରଥମତଃ ମୁଁ ତାଙ୍କ ପ୍ରତି କୃତଜ୍ଞ, ତାଙ୍କୁ ମୋର ଧନ୍ୟବାଦ ଜ୍ଞାପନ କରିବି। ଦ୍ୱିତୀୟରେ, ତାଙ୍କୁ କହିବି ମୋ ସନ୍ଧ୍ୟାକୁ ମୋତେ ଫେରାଇ ଦେବା ପାଇଁ। ତାଙ୍କ ଅନୁରୋଧ ହେଲେ ଆପଣ ଛାଡ଼ିଦେବେନା ସନ୍ଧ୍ୟାକୁ? ପରିଚାଳିକା ମହୋଦୟା ମୁଣ୍ଡ ଟୁଙ୍ଗାରିଲେ। କିଛି ସମୟ କଣ ଭାବି କହିଲେ, ସେ କିନ୍ତୁ ଆପଣଙ୍କ ସହ ସନ୍ଧ୍ୟାକୁ ଛାଡ଼ିବା ପାଇଁ କାହିଁକି ରାଜି ହେବେ? ସେ ତ ଆପଣଙ୍କୁ ଚିହ୍ନି ନାହାନ୍ତି।

- ସନ୍ଧ୍ୟା ତ ଚିହ୍ନିଛି। ସେ ଯଦି ମୋ ସହ ଯିବାକୁ ରାଜି ହୁଏ, ତାହେଲେ ସନ୍ଧ୍ୟାକୁ ନେଇ ଯିବାରେ ତାଙ୍କର ଆପତ୍ତି ରହିବ କାହିଁକି? ଆପଣ ସିନା ନିୟମରେ ବନ୍ଧା, ସେ ତ ନୁହନ୍ତି।

ପରିଚାଳିକା ମନେ ମନେ କଣ ଗୁଣୁ ଗୁଣୁ ହୋଇ କହିଲେ, ଆଛା, ଦେଖିବା। ଆପଣ ପ୍ରଥମେ ତାଙ୍କୁ ଯାଇ ଦେଖା କରନ୍ତୁ। ସେ ଏଇ ସହରର।

ଗୁଡ଼ାଏ ରୁଟି ସେକିଲା ପରେ ଯାଇ ଅଞ୍ଜନ ସନ୍ଧ୍ୟାକୁ ଦି ସେଲ୍ଟର୍.ରୁ ଫେରାଇ ଆଣିପାରିଲା। ପ୍ରଥମେ ସନ୍ଧ୍ୟା ହିଁ ରାଜି ହେଉନଥିଲା ଅଞ୍ଜନ ସାଙ୍ଗରେ ଆସିବାକୁ। ଅଞ୍ଜନର ତୋଫା ଭାଗ୍ୟାକାଶରେ କଳାବାଦଲ ହୋଇ ତାର ଜୀବନକୁ ଅନ୍ଧକାରମୟ କରିଦେବାକୁ ସନ୍ଧ୍ୟାର ଆଦୌ ଆଗ୍ରହ ନ ଥିଲା। ଅଞ୍ଜନର ପ୍ରସ୍ତୁତି କିନ୍ତୁ ଜବରଦସ୍ତ ଥିଲା। ସେ ସନ୍ଧ୍ୟାର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲା।

- ତୁ ବୁଝୁନୁ କାହିଁକି। ମୁଁ ଅଶୁଭା, ଅସୁନ୍ଦରୀ, କଦାକାର ମୋର ମୁହଁ...

- ମୋର ସେଥିରେ ଯାଏ ଆସେ ନାହିଁ...

- ମୁଁ ଜଣେ ହତଭାଗୀନୀ, ପାପୀ, ନରହନ୍ତକ। ମୋତେ ନେଇ ତୋ ଜୀବନ ମଧ୍ୟ ବିଶୃଙ୍ଖଳିତ ହୋଇଯିବ।

- ତୋ ଅତୀତରେ ମୋର କୌଣସି ସ୍ପୃହା ନାହିଁ। ତୋତେ ପାଇଛି ସେଇ ମୋ ପାଇଁ ଯଥେଷ୍ଟ।

- ନା, ତୁ କିଛି ଜାଣିନୁ, ସେଇଥିପାଇଁ ତୋର ଏ ଦମ୍ଭ। ମୋଠୁଁ ପୁରା କାହାଣୀ ଶୁଣି ସାରିଲା ପରେ ତୁ ମୋତେ ଘୃଣା କରିବୁ।

- ନା, ମୁଁ ଆଉ କିଛି ଶୁଣିବାକୁ ଚାହୁଁନି।

- ତୋତେ କଥା ଲୁଚାଇ ମୁଁ ଗୋଟିଏ ପାଦ ମଧ୍ୟ ଚାଲିପାରିବି ନାହିଁ ତୋ ସାଙ୍ଗରେ। ତୋତେ ଶୁଣିବାକୁ ହେବ। ତାପରେ ମଧ୍ୟ ଯଦି ତୋର ମନ ନ ବଦଳେ, ମୁଁ ତୋ ସାଙ୍ଗରେ ଯିବାକୁ ରାଜି।

ଅଞ୍ଜନ ଚାହିଁଲା ସନ୍ଧ୍ୟାର ଆଖିରେ।

- ମୋ ଜୀବନ ପୁରା ଅବ୍ୟବସ୍ଥିତ। ମୋ ନିଜର କୌଣସି ଆକାଂକ୍ଷା ନାହିଁ, ଜୀବନର କୌଣସି ଲକ୍ଷ୍ୟ ନାହିଁ। ଯିଏ ଜନ୍ମରୁ ହିଁ ମା ରୂପୀ ନିରାପଦ ଆଶ୍ରୟ ହରାଇ ସାରିଛି, ତା ଭାଗ୍ୟରେ ନିନ୍ଦା, କୁତ୍ସା, ଦୁଃଖଦୁର୍ଦ୍ଦଶା ଛଡ଼ା ଆଉ ଅଧିକ କଣ ଥାଇପାରେ। ସେଦିନ ସକାଳୁ ସକାଳୁ ମାଇଁର ମିଜାଜ ଚିଡ୍ ଚିଡ୍ କରିବା ଆରମ୍ଭ କରି ଦେଇଥିଲା। ରୁକ୍ମିଣୀର ବାହାଘର ହୋଇପାରୁନାହିଁ, ମୁଁ ଦାୟୀ। ଟୁଟୁର ଚାକିରୀ ହୋଇପାରୁନାହିଁ, ମୁଁ ଦାୟୀ। ମାମୁଁଙ୍କର ପେନ୍.ସନ୍ ହୋଇପାରୁନାହିଁ, ସେଥିପାଇଁ ମଧ୍ୟ ମୁଁ ଦାୟୀ। ଯାବତୀୟ କର୍ମର ମୁଁ ହେଉଛି ଗୋଟିଏ ସ୍ଥାୟୀ ପ୍ରତିବନ୍ଧ। ଯାହାକୁ ପାର ହୋଇ କର୍ମରେ ସଫଳତା ହାସଲ କରିବା ନିହାତି ଅସମ୍ଭବ। ମାଇଁ କହି ଚାଲିଛି, ମୁଁ ମଧ୍ୟ ରହି ରହି କିଛି କିଛି କଥାର ଜବାବ୍ ଦେଉଛି। ସହି ସହି ମୋ ମିଜାଜ୍ ମଧ୍ୟ ଧୀରେ ଧୀରେ ଚିଡ୍ ଚିଡ୍ ହୋଇ ଯାଇଥିଲା। ଘରେ ଧଡ଼ିମାମୁଁ ଥିଲେ। ଆମ ଦୁହିଁଙ୍କ ବଚସା ଶୁଣି ଶୁଣି ଉତ୍ୟକ୍ତ ହୋଇ ଉଠିଲେ ମୋ ଉପରେ। ମୋତେ ଟାଣି ନେଇ ଗୋଟିଏ ଘରେ ବନ୍ଦ କରିଦେଲେ। ଅଣ୍ଟାରୁ ବେଲ୍.ଟ୍ କାଢ଼ି ବର୍ଷି ଦେଇଗଲେ ପିଠିରେ, ଗୋଡ଼ରେ ଯେଉଁଠି ପାଇଲେ ସେଇଠି। ଏଇଟା ମୋ ପାଇଁ ନୂଆ ନ ଥିଲା। ବଚସା ବନ୍ଦ କରାଇବାର ଏଇଟା ତାଙ୍କର ପୁରୁଣା ପଦ୍ଧତି। ପିଲାଟି ଦିନରୁ ମୁଁ ସହି ଆସୁଛି ଏ ଦୁର୍ଦ୍ଦଶା। ଏ ଶିକ୍ଷା ମାଇଁର। ଏମିତି ଅନେକଥର ପୁନରାବୃତ୍ତି ହୋଇଛି। ଯନ୍ତ୍ରଣାରେ ମୁଁ ଚିତ୍କାର କରୁଥିଲେ ମଧ୍ୟ ତାଙ୍କ କାନ ବଧିରା ହୋଇଯାଏ ସେ ସମୟରେ। ରାଗରେ ହିତାହିତ ଜ୍ଞାନ ହରାଇ ବସନ୍ତି। ତାଙ୍କର ସେ ବିକଟାଳ ରୂପ ଦେଖି ମୁଁ ଖୁବ୍ ଡରିଯାଏ। ସେଥର କିନ୍ତୁ ମୁଁ ସାହସ କରି ଛଡ଼େଇ ନେଲି ବେଲ୍.ଟ୍ ତାଙ୍କ ହାତରୁ। ତାଙ୍କୁ ଆଉ ସମ୍ଭାଳେ କିଏ? ଗୋଇଠା, ଚାପୁଡ଼ା, ବିଧାରେ ଅଣନିଶ୍ୱାସୀ ହୋଇଗଲା ମୋ ଦେହ। ତଳେ ପଡ଼ି ହାମୁଡ଼େଇ ପଡ଼ି ମୁଁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥାଏ। ବାହାରେ ମାଇଁ ଠିଆ ହୋଇଥାନ୍ତି। ପାଟି କରି ମୋତେ ଆହୁରି କଣ କଣ ସବୁ ଗାଳି କରୁଥାନ୍ତି। ତେଣେ ତାଙ୍କର ଭାଇକୁ କହୁଥାନ୍ତି, ମରିଯିବରେ, ସେତିକି ଥାଉ, ଛାଡ଼ିଦେ ଏବେ। ମୋ ଉପରେ ବର୍ଷି ପଡ଼ୁଥିବା ବଜ୍ର କଠିନ ହାତ ଧୀରେ ଧୀରେ କୋମଳ ହେଉଥିଲା। ମୋତେ ଲାଗୁଥିଲା ସେ ମୋତେ ମାରିବା ପରିବର୍ତ୍ତେ ଯେମିତି ଆଉଁସି ଚାଲିଛନ୍ତି ମୋ ଦେହ। ଧଡ଼ିମାମୁଁଙ୍କର ରାଗ ଶାନ୍ତ ହୋଇଗଲା ଭାବି ମୁଁ ମୁହଁ ଫେରାଇ ଚାହିଁଲି। ହେଲେ ତାଙ୍କ ଆଖିରେ କ୍ରୋଧ ନୁହେଁ କାମନାର ନିଆଁ ଜଳୁଥିଲା ଦାଉ ଦାଉ ହୋଇ। ମୋ ଜାମା ଚିରି ଫାଟି ଯାଇଥିଲା କିଛି କିଛି ଜାଗାରେ। ମୁଁ ପ୍ରକୃତିସ୍ଥ ହେଲି। ଖସି ଆସିବାକୁ ଚେଷ୍ଟା କଲି। ବାଟ ଓଗାଳି ଠିଆ ହୋଇଥିଲେ ଧଡ଼ିମାମୁଁ। ଫାଙ୍କା ଜାଗାରେ ଆଙ୍ଗୁଳି ପୁରାଇ ଟାଣି ଦେଇଥିଲେ ଜାମା। ମୁଁ ବିସ୍ମୟ ଓ ଭୟରେ ଖୁବ୍ ଜୋର୍.ରେ ଚିତ୍କାର କରି ଉଠିଲି। ଧଡ଼ିମାମୁଁ ସଇତାନ୍ ପାଲଟି ଯାଇଥିଲେ। ଶତଚେଷ୍ଟା ସତ୍ତ୍ୱେ ମୁଁ ଖସି ପାରିଲି ନାହିଁ ତାଙ୍କ ଅକ୍ତିଆରରୁ। ମୋର କ୍ରନ୍ଦନ ଓ ଚିତ୍କାରକୁ ମଧ୍ୟ ଭୃକ୍ଷେପ ନ କରି ମାଡ଼ି ବସିଲେ ମୋତେ। ନିଜର କାମଜ୍ୱାଳା ଶାନ୍ତ କରି ସେ ଯେତେବେଳେ ଉଠିଲେ ମୋ ଉପରୁ, ମୋର ଅନ୍ତରାତ୍ମା ବିଷେଇ ଉଠିଥିଲା ଧଡ଼ିମାମୁଁ ପ୍ରତି ଅତିଶୟ କ୍ଷୋଭରେ। ନିଜ ଶରୀର ପ୍ରତି ମଧ୍ୟ ଘୃଣା ଆସି ଯାଇଥିଲା। ଧଡ଼ିମାମୁଁ କବାଟ ଖୋଲି ବାହାରକୁ ଯିବେ, ସେଇ ସମୟରେ ମୋ ହାତରେ ଲାଗିଲା ପୁରୁଣା ଖଟର ଖୁରା ଦଣ୍ଡା। ନିଜର ଶକ୍ତିମତେ ଉଁଚାଇ ଚିତ୍କାର ପୂର୍ବକ ଏକ ପ୍ରବଳ ପାହାର ଦେଲି ତାଙ୍କ ମୁଣ୍ଡ ଉପରେ। ବାହାରେ ଥାଇ ମାଇଁ କଣ ହେଲା ବୁଝିଲା ବେଳକୁ ଟଳି ପଡ଼ିଥିଲେ ଧଡ଼ିମାମୁଁ। ରକ୍ତର ସୁଅ ଛୁଟୁଥିଲା ତାଙ୍କ ମୁଣ୍ଡର ପଛପାଖରୁ। ମୋର ନଗ୍ନ ଶରୀର ଦେଖି ମାଇଁର ଆଉ ବୁଝିବାକୁ କିଛି ବାକି ରହିଲା ନାହିଁ। ସେ ହତବାକ୍ ହୋଇ କିଛି ସମୟ ଚାହିଁଲା ମୋ ଆଡ଼େ। ମାଇଁର ପାଟିରେ ସତେକି ତାଲା ଲାଗି ଯାଇଥିଲା। ମସ୍ତିଷ୍କରେ ଠିକ୍ ଭୁଲ୍.ର ବିଚାର ଆସିବା ପୂର୍ବରୁ ମୋ ହାତରୁ ଦଣ୍ଡାଟିକୁ ଛଡ଼ାଇ ନେଲା। ଅଗଣାରେ ଶୁଖୁଥିବା ଲୁଗାକୁ ମୋ ଚାରିପଟେ ଗୁଡ଼େଇଦେଲା। ବାଥ୍.ରୁମ୍.ରେ ନେଇ ଛାଡ଼ିଦେଲା ମୋତେ। କହିଲା, ଏ କାମ ତୁ କରିନୁ, କିଏ ଯଦି କିଛି ପଚାରେ କିଛି କହିବୁନୁ, ମୋ ଆଡ଼େ ହାତ ଦେଖେଇଦେବୁ। ମାଇଁର ଭିନ୍ନ ଏକ ରୂପ ମୁଁ ଦେଖୁଥିଲି। ସେ ମୋତେ ବଞ୍ଚଉଥିଲା କି ତା ପରିବାରର ମାନ ମହତ ବଞ୍ଚଉଥିଲା ମୁଁ ବୁଝି ପାରୁନଥିଲି। କହିଲା, ତୋ ସହିତ କିଛି ଅଘଟଣ ହେଇନି, ଚୁପ୍ ଚାପ୍ ରହିବୁ।

କିଛି ସମୟ ମଧ୍ୟରେ କଥାଟା ପ୍ରଘଟ ହୋଇଗଲା। ପୋଲିସ୍ ଯେତେବେଳେ ଆସିଲା, ଦୋଷ ସ୍ୱୀକାର କରି ମାଇଁ ଠିଆ ହୋଇପଡ଼ିଲା ଆଗରେ। କେହି କିଛି ବୁଝି ପାରୁନଥିଲେ ମାଇଁ ତା ନିଜ ଭାଇକୁ ମାରିଲା କାହିଁକି? ଏପରିକି ମାମୁଁ, ରୁକ୍ମିଣୀ ଓ ଟୁଟୁ ମଧ୍ୟ ସନ୍ଦିହାନ ଥିଲେ। ପୁଲିସ୍ ମାଇଁକୁ ବାନ୍ଧି ନେଇଗଲା। ପଚରା ଉଚୁରାରେ ମାଇଁ ପ୍ରକାଶ କଲା, ମୋ ପ୍ରତି ଧଡ଼ିମାମୁଁର ଅତ୍ୟାଚାର ସହି ନ ପାରି ଖୁରା ଦଣ୍ଡାରେ ପିଟି ଦେଇଥିଲା ମୁଣ୍ଡକୁ। ତାର ଉଦ୍ଦେଶ୍ୟ ଥିଲା ମୋତେ ଧଡ଼ିମାମୁଁର ମାଡ଼ରୁ ବଞ୍ଚାଇବା। କିନ୍ତୁ ସେଇ ଗୋଟିଏ ଚୋଟରେ ତଳେ ପଡ଼ି ମରିଗଲା ଧଡ଼ିମାମୁଁ। ମାଇଁର ମିଛରୁ ପରିବାରର ଇଜ୍ଜତ ସିନା ବଞ୍ଚିଗଲା। ହେଲେ ମାମୁଁଙ୍କର ଅନେକ ଚେଷ୍ଟା ସତ୍ତ୍ୱେ ମାଇଁ ଜେଲ୍ ରୁ ବର୍ତ୍ତିପାରିଲା ନାହିଁ।

ମୋ ଶରୀର ଉପରେ ହୋଇଥିବା କଦର୍ଯ୍ୟ ପାଶବିକ ଅତ୍ୟାଚାର ରାତିରେ ମୋତେ ଶୋଇବାକୁ ଦେଉନଥିଲା। ପ୍ରତିକ୍ଷଣ ଶରୀର ଥରି ଉଠୁଥିଲା ଅସହ୍ୟ ଘୃଣାରେ। ଦେହ ଶିରିଶିରେଇ ଉଠୁଥିଲା। ବଞ୍ଚିବାର ମୋହ ମୋର କଟି ଯାଇଥିଲା। ଦିନେ ରାତିରେ ଘରୁ ଲୁଚି ବାହାରିଗଲି ହାଇୱେ ଅଭିମୁଖେ। ଉଦ୍ଦେଶ୍ୟ ଥିଲା ଏମିତି ତିଳ ତିଳ ଜଳିବା ଅପେକ୍ଷା କେଉଁ ଦ୍ରୁତଗାମୀ ଟ୍ରକ୍ କି ବସ୍ ଆଗରେ ଠିଆ ହୋଇପଡ଼ିବି। ମୁଁ ଆଗପଛ ନ ଦେଖି ଦୌଡ଼ିଲି। ଦୌଡ଼ି ଦୌଡ଼ି ଗୋଟିଏ ଗାଡ଼ି ସହ ଧକ୍କା ଖାଇଲି। ଛିଟିକି ପଡ଼ିଲି ଖଣ୍ଡେ ଦୂରକୁ। ମରି ପାରିଲିନି। ହାତ ଗୋଡ଼ ଖଣ୍ଡିଆ ଖାବରା ହୋଇଗଲା। ଗାଡ଼ି ଚାଳକ ବ୍ରେକ୍ କଷି ଓହ୍ଲାଇ ପଡ଼ିଲେ। ଅତ୍ୟନ୍ତ ବ୍ୟସ୍ତ ସହକାରେ ମୋତେ କ୍ଷମା ମାଗି ମୋର ଅନିଚ୍ଛା ସତ୍ତ୍ୱେ ହସପିଟାଲ୍ ନେଇଯିବାକୁ ନିଜର ଇଚ୍ଛା ଜାହିର୍ କରି ମୋତେ ତାଙ୍କ କାର୍.ରେ ବସାଇଦେଲେ। ରାସ୍ତାରେ ମୋ ବିଷୟରେ ଜାଣିବାକୁ ଚାହିଁଲେ, ମୋ ନାଁ କଣ, କାହିଁକି ମୁଁ ଏକୁଟିଆ ରାସ୍ତା ଉପରେ ଦୌଡ଼ୁଛି ଆଦି। ହେଲେ ମୁଁ ଆଉ ଘରକୁ ଫେରିବାକୁ ଚାହୁଁ ନ ଥିଲି। ତେଣୁ ମୋର କେହି ନାହାନ୍ତି, ମୁଁ ଅନାଥ ବୋଲି ତାଙ୍କୁ ଜଣାଇଲି ଏବଂ ମୋ ପାଇଁ ସେ ଅଯଥା ବ୍ୟସ୍ତ ନ ହେବାକୁ ମଧ୍ୟ କହିଲି। ସେ କିନ୍ତୁ ମୋତେ ତାଙ୍କ ସାଙ୍ଗରେ ଚିନ୍ମୟଗଡ଼ ନେଇ ଆସିଲେ ଆଉ ଏଇଠି ଆଣି ଛାଡ଼ି ଦେଇଗଲେ।

ଏବେ ତୁ କହ, ଏତେ ସବୁ ପରେ ତୋର କଣ ମନ କହିବ, ମୋତେ ସାଙ୍ଗରେ ନେଇଯିବାକୁ। ମୁଁ କେବଳ ନରହନ୍ତକ ନୁହେଁ, ଶରୀର ମଧ୍ୟ ମୋର କଳୁଷିତ, ଘୃଣ୍ୟ। ତୋ ପାଖରେ ପରସି ଦେବା ପାଇଁ ମୋଠିଁ ଆଉ କିଛି ଅବଶିଷ୍ଟ ନାହିଁ ଅଞ୍ଜନ।

ଅଞ୍ଜନ ଉଠି ଠିଆ ହେଲା। ତାପରେ କିଛି ନ କହି ଦ୍ରୁତ ବେଗରେ ଗେଟ୍ ଆଡ଼କୁ ଅଗ୍ରସର ହେଲା। ସନ୍ଧ୍ୟା ଦୀର୍ଘଶ୍ୱାସଟିଏ ଛାଡ଼ି ଆଖି ଲୁହ ପୋଛି ଅନ୍ତଃପୁରକୁ ଯିବାକୁ ପାଦ ବଢ଼ାଇଲା।

- ଚଣ୍ଡୀ, ରହିଯା। ବୁଲି ଚାହିଁଲା ସନ୍ଧ୍ୟା। ଅଞ୍ଜନ ଗେଟ୍ ପାଖରୁ ଫେରି ଆସୁଛି ସାଙ୍ଗରେ ସେଇ ଭଦ୍ରବ୍ୟକ୍ତିଙ୍କୁ ନେଇ ଯିଏ ତାକୁ ଆଣି ଛାଡ଼ି ଦେଇ ଯାଇଥିଲେ ଏଇ ଆଶ୍ରମରେ। ସନ୍ଧ୍ୟାର ପାଦଦ୍ୱୟ ଅଟକିଗଲେ।

- ତୋ କାହାଣୀ ଶୁଣିବା ମଧ୍ୟରେ ମୁଁ ଅପେକ୍ଷା କରି ରହିଥିଲି ମିଃ ଶର୍ମାଙ୍କ ଆଗମନକୁ। ଗେଟ୍ ପାଖରୁ ତାଙ୍କୁ ଦେଖି ଚାଲିଗଲି ତାଙ୍କୁ ପାଛୋଟି ଆଣିବାକୁ। ମିଃ ଶର୍ମାଙ୍କର ଗୋଟିଏ ଦସ୍ତଖତ, ଆଉ ଆମେ ମୁକ୍ତ ଆକାଶର ବିହଙ୍ଗ ହୋଇ ଖୁସି ମନରେ ଉଡ଼ିଯିବା ପର ଝାଡ଼ି। ତାପରେ ଅଞ୍ଜନ ଭଦ୍ରବ୍ୟକ୍ତିଙ୍କ ଆଡ଼କୁ ବୁଲି ପଡ଼ି କହିଲା, ମୁଁ ଆପଣଙ୍କର ଋଣ ଜୀବନରେ କେବେ ମଧ୍ୟ ଶୁଝିପାରିବି ନାହିଁ। ଆପଣଙ୍କ ଠାରେ ମୁଁ ଚିର କୃତଜ୍ଞ। ମିଃ ଶର୍ମା ହସିଲେ। କହିଲେ, ମୋ ପାଖରେ ଆପଣ କାହିଁକି ଋଣୀ ହେବେ। ବରଂ ଆପଣଙ୍କ ପରି ଯୁବକ ଏ ସମାଜ ପାଇଁ ଆଦର୍ଶ। ଆପଣଙ୍କ ପରି ସମସ୍ତେ ଯଦି ଏମିତି ଆଗେଇ ଆସନ୍ତେ, ତାହେଲେ କେହି ଆଉ ଏ ଦେଶରେ ଅନାଥ ରହନ୍ତେ ନାହିଁ। ମୁଁ ଆପଣ ଦୁହିଁଙ୍କୁ ଆଗତୁରା ଅଭିନନ୍ଦନ ଜଣାଉଛି।

ଅଞ୍ଜନର ଆଖିରେ ସନ୍ଧ୍ୟାର ଜୀବନ କାହାଣୀର କୌଣସି ପ୍ରତିକ୍ରିୟା ଅବା ପ୍ରଭାବ ନ ଥିଲା। ସତେକି ସେ ଆଖି ଦୁଇଟି ଈଶାରାରେ ସନ୍ଧ୍ୟାକୁ କହିବାକୁ ଚାହୁଁଥିଲା, ତୋ କାହାଣୀ ତୋରି ଆଗ୍ରହ ଯୋଗୁଁ ମୁଁ ଶୁଣିଲି, ଆଉ ଭୁଲି ମଧ୍ୟ ଗଲି। ଏବେ ତୁ ମଧ୍ୟ ତୋର ଅତୀତକୁ ଭୁଲି ମୋ ସହ ଏକ ନୂତନ ଜୀବନ ଗଢ଼ିବାରେ ମୋତେ ସାହାଯ୍ୟ କର।



Rate this content
Log in

More oriya story from T.Durga Prasad Rao

Similar oriya story from Romance