କଣ୍ଟାକୁ କଣ୍ଟା କାଢ଼େ
କଣ୍ଟାକୁ କଣ୍ଟା କାଢ଼େ


ବାପା ମୋର ଜଣେ ଚାଷୀ। ଲୋକ ହିସାବରେ ଅନେକ ଭଲ। ଛନ୍ଦର ମନ୍ଦର କେଉଁଥିରେ ପଶନ୍ତିନି। ନିଜର ପଛେ କିଛି କ୍ଷତି ହେଇଯାଉ, ସହିଯାନ୍ତି, ଅନ୍ୟର ଅନିଷ୍ଟ ହେବାକୁ ଦିଅନ୍ତିନି। ମୋତେ ମଧ୍ୟ ସେମିତି ତାଙ୍କରି ଆଦର୍ଶରେ ପ୍ରତିପାଳିତ କରି ଆସିଛନ୍ତି ଏ ଯାବତ୍। ମୁଁ ରାଜସ୍ୱ ବିଭାଗର ଜଣେ କନିଷ୍ଠ କିରାଣୀ। ବିବେକ ମୋର କାଉଁରି କାଠି। ଟଙ୍କାଟିଏ ଉପୁରି ରୋଜଗାର ନାହିଁ।
ଦିନେ ବାପା ମୋତେ ପାଖକୁ ଡାକି କହିଲେ, ବାବୁରେ ସେ ମଣିଶଙ୍କର ସାହୁ ପ୍ରତି ବର୍ଷ ଚାଷ ପୂର୍ବରୁ ହିଡ଼ ମାରି ତା ପଟର ଜମି ଜାଗା ବଢ଼େଇ ନେଉଛି। ଅନେକ ଥର ତାଗିଦ୍ ପରେ ବି ସେ ଶୁଣୁନି। ତୁ ଟିକେ ରାଜସ୍ୱ ଅଧିକାରୀକୁ ଡାକି ଆଣିଲୁ, ଜମିଟା ଆଉ ଥରେ ଭଲକି ମାପି ବାଡ଼ ବାନ୍ଧିଦେବା। ମୁଁ ହଁ ମାରି ଦୁଇ ତିନି ଥର ରାଜସ୍ୱ ଅଧିକାରୀଙ୍କର କେବେ ଅଫିସ୍ ତ କେବେ ଘରକୁ ଦୌଡ଼ିଲି। ପ୍ରତିଥର ସେ ମହାଶୟ କିନ୍ତୁ କିଛି ନା କିଛି ବାହାନା କରି ଆସିବାରେ ଟାଳଟୁଳ କରୁଥାନ୍ତି। ମୋ ଦ୍ୱାରା କାମ ହେଉନି ଦେଖି ବାପା ହସିଦେଇ କହିଲେ, ସେ ଶୁଣିବନି। ତୁ କିଛି ହାତଗୁଞ୍ଜା ନ ଦେଲା ପର୍ଯ୍ୟନ୍ତ ସେ ତୋତେ ଏମିତି ଦୌଡ଼ାଉଥିବ। ମୁଁ ଚାହିଁଲି ବାପାଙ୍କ ମୁହଁକୁ। ବାପାଙ୍କ ଭଳି ଆଦର୍ଶବାଦ ଲୋକ ଶେଷରେ ନଇଁଗଲେ ଜଣେ ରାଜସ୍ୱ ଅଧିକାରୀ ପାଖରେ। ମୁଁ ଜିଦ୍ କରି କହିଲି, ବାପା ଦେଖିବ ମୁଁ ତାକୁ ଅଲବତ୍ ନେଇ ଆସିବି ବିନା ହାତଗୁଞ୍ଜାରେ। ବାବୁରେ, କାମ ସହଜରେ ହେଇଗଲେ ଯାଏ, ହାତାହାତି ହେବୁନି କି ଗଣ୍ଡଗୋଳ କରିବୁନୁ, ସାବଧାନ।
ଅପରାହ୍ନ ପ୍ରାୟ ଚାରିଟା ପାଖାପାଖି ବାପାଙ୍କୁ ମୁଁ ଜମିକୁ ନେଇଗଲି। ବାପା ସେମିତି ନୈରାଶ୍ୟ ମନ ନେଇ ପଚାରିଲେ, ଆଜି ଆସିବ ତ? ବାପାଙ୍କ ପାଟିରୁ କଥା ସରିନାହିଁ ରାଜସ୍ୱ ଅଧିକାରୀ ତାଙ୍କ ବୁଲେଟ୍ ଗାଡ଼ିରେ ଆସି ହାଜର। ମପାମପି କାମ ସବୁ ସୁରୁଖୁରୁରେ ସରିଗଲା। ରାଜସ୍ୱ ଅଧିକାରୀ ମଧ୍ୟ ତାଗିଦ୍ କରିଦେଲେ ମଣିଶଙ୍କରକୁ ତା ପଟର ଜାଗା ଜମି ଦର୍ଶାଇ। ସେ ଗଲାପରେ ବାପା ପଚାରିଲେ ଏହା କେମିତି ସମ୍ଭବ ହେଲା? ମୁଁ ବୀର ଦର୍ପରେ ଟିକିଏ ହସିଦେଇ କହିଲି, ପୁରୁଣା ଋଢ଼ି ଶୁଣିଥିବ, କଣ୍ଟାକୁ କଣ୍ଟା କାଢ଼େ।
- ହଁ।
- ସେ ମୋତେ ଯେମିତି ବୁଲୋଉଛି, ମୁଁ ମଧ୍ୟ ତାକୁ ସଚେତନ କରିଦେଲି ଯେ ମୋ ହାତରେ ଚୁଟି ଆସିଲେ ମୁଁ ବି ସେତିକି ଥର ତାକୁ ବୁଲେଇବି।
- ମାନେ?
- ତାକୁ ମୁଁ ସିଧାସଳଖ କହିଲି, ମୁଁ ଜଣେ କନିଷ୍ଠ କିରାଣୀ। ତା ବି ରାଜସ୍ୱ ବିଭାଗର। ବରିଷ୍ଠ କିରାଣୀ, ତାପରେ ମୁଖ୍ୟ କିରାଣୀ ହେବାକୁ ବେଶୀ ସମୟ ଲାଗିବ ନାହିଁ। ତାର ଚାକିରୀରୁ ଅବସର ନେବା ପୂର୍ବରୁ ଦିନେ ନା ଦିନେ ଗୋଟିଏ ତହସିଲରେ ଆମେ କାମ କରିବୁ। ଆଉ ତା ସେବା ପୁସ୍ତିକା, ବ୍ୟକ୍ତିଗତ ଫାଇଲ୍ ମୋ ଅଧୀନରେ ରହିବ। ଏତିକି କଥାରେ ସେ ମହାଶୟଙ୍କର ଟାଣପଣ ପୁରା ଫୁସ୍। ହସିଦେଇ ତମେରୁ ପୁରା ଆପଣକୁ ଉଠି ଆସି କହିଲେ, ଆରେ, ଆପଣ ମନ ଖରାପ କରି ସାରିଲେଣି। ଜଣେ ରାଜସ୍ୱ ଅଧିକାରୀଙ୍କର କେତେ କାମ ଆପଣ ଜାଣୁଥିବେ। ଆପଣ ଚାଲନ୍ତୁ, ମୁଁ ସଙ୍ଗେ ସଙ୍ଗେ ପହଞ୍ଚୁଛି। ବାପା, ଆଦର୍ଶବାଦ ରହିବା ତ ଭଲ କଥା। କିନ୍ତୁ ନିଜର କ୍ଷତି ନ ହେଉ ସେଥିପାଇଁ ନାଗରାଜ ପରି ଫୁତ୍କାର ବି ତ ଜରୁରୀ।
ବାପା ଓ ମୁଁ ହସି ଉଠିଲୁ ଏକା ସଙ୍ଗେ।