Dr Prateek Pahi

Drama Thriller

4.7  

Dr Prateek Pahi

Drama Thriller

ପାହାଡ଼ୀ ଗାଆଁର ଝିଅ

ପାହାଡ଼ୀ ଗାଆଁର ଝିଅ

11 mins
641



କୁସୁମ କୋଳି ମୋର ଭାରି ପ୍ରିୟ, ଏହା ସାଧାରଣତଃ ପାହାଡ଼ିଆ ଜାଗାରେ ରଜ ସମୟରେ ପାଚିବା ଆରମ୍ଭ ହୁଏ ଏବଂ ଏହାର ସ୍ବାଦ ଖଟାମିଠା ହୋଇଥାଏ l ଆଗରୁ ବଜାର ଗୁଡ଼ିକରେ ଏହା ସହଜରେ ଉପଲବ୍ଧ ହେଉଥିଲା ମାତ୍ର ଆଜିକାଲି ଆଉ ସେମିତି ମିଳୁନାହିଁ l ତେଣୁ ଦିନେ ମୁଁ ସ୍ଥିରକଲି ପାହାଡ ଜଙ୍ଗଲ ଘେରା ଗୋଟେ ଆଦିବାସୀ ଗାଆଁ କୁ ଯିବି, ସେଠାରେ ନିଶ୍ଚିତ ଭାବେ କୁସୁମ କୋଳି ମିଳିବ l ସକାଳୁ ସକାଳୁ ଜଳଖିଆ କରିସାରି ମୁଁ mission ରେ ବାହାରିଲି l ମୌସୁମୀ ସ୍ପର୍ଶ ରେ କେନ୍ଦୁଝରର ସବୁଜିମା ବେଶ୍ ଆକର୍ଷଣୀୟ ଲାଗୁଛି, ଗୁଳୁଗୁଳି ଆଉ ପ୍ରାୟ ନାହିଁ କହିଲେ ଚଳେ, ପର୍ବତ ଶିଖର ରେ ବାଦଲ ଗୁଡ଼ିକ ଝୁମି ଝୁମି କେଉଁ ଦେଶକୁ ଯେ ଆଗେଇ ଚାଲିଛନ୍ତି ଜମା ଜଣା ପଡୁନି l ରାସ୍ତା କଡ଼ରେ ଥିବା ଶାଳ ଗଛର ପତ୍ରରୁ ବୁନ୍ଦା ବୁନ୍ଦା ହୋଇ ବର୍ଷା ଜଳ ଖସି ପଡୁଛି, କୋଉଠି ପୋଖରୀ ରେ ନୀଳକଇଁ ଫୁଲ ସୁଲୁସୁଲୁ ପବନରେ ଦୋଳି ଖେଳିବାକୁ ଚାହୁଁଛି ପୁଣି କୋଉଠି ଛୋଟ ପାହାଡ଼ୀ ଝରଣା ଟିଏ ଅଙ୍କାବଙ୍କା ପଥ ଦେଇ ଘଞ୍ଚ ବନାନୀ ମଧ୍ୟରେ ନିଜକୁ ଅତି ସନ୍ତର୍ପଣ ରେ ଲୁଚେଇ ଦେଉଛି l କୋଉଠି ପାଚିଲା ଜାମୁକୋଳି ରାସ୍ତା ସାରା ବିଛେଇ ହେଇ ପଡ଼ିଛି ତ କୋଉଠି ପଣସ,ଦେଶୀ ଆମ୍ବ ଗଛରୁ ପଡି ସଢ଼ି ଗଲାଣି, ଏତେ ଫଳମୂଳ ଖାଇବ ବି କିଏ! ଏହି ସବୁ ଦୃଶ୍ୟ କୁ ମନଭରି ଦେଖୁ ଦେଖୁ ମୋ ଆଖିରେ ପଡ଼ିଲା କେତେ ଗୁଡ଼ିଏ ରଙ୍ଗ ବେରଙ୍ଗିଆ ଘର, ଧଳା ନାଲି ହଳଦିଆ କଳା ଏସବୁ ରଙ୍ଗ ସେଠାରେ ବ୍ୟବହାର ହେଇଛି, ଯାହା ଜଣା ପଡୁଛି ଗୋଟାଏ ଆଦିବାସୀ ଗାଆଁ l ଆଉ ଟିକେ ନିରିଖେଇ ଦେଖିଲି ପୁରୁଷ ମାନେ ଧଳା ଧୋତି ସହ ଜାମା ପିନ୍ଧିଛନ୍ତି ଆଉ ସ୍ତ୍ରୀ ଲୋକ ମାନେ ଧଳା,ସବୁଜ ଓ ନୀଳ ରଙ୍ଗର ଛକ ଛକିଆ ଶାଢୀ ପିନ୍ଧିଛନ୍ତି... ମୁଁ ଏକ ପ୍ରକାର confirm ହୋଇଗଲି ଯେ ଏମାନେ ସବୁ ସାନ୍ତାଳୀ ସମ୍ପ୍ରଦାୟ ର ଲୋକ l ହଠାତ୍ ମୋ ପଛରୁ ଗୋଟେ ଝିଅର ସ୍ବର ଶୁଭିଲା - କିସ ଦେଖୁଛନ୍ ଆଜ୍ଞା, ବାଟ ଭୁଲିଗଲେ କି? ଏ ଜାଗାରେ ତ ଆପଣଙ୍କର୍‌ କୁଣିଆଁ ନାଇଁ ଥିବେ..... ମୁଁ ଚମକି ପଡ଼ିଲି ଆଉ ପଛକୁ ବୁଲି ଦେଖିଲି 17-18 ବର୍ଷର ସାନ୍ତାଳୀ ଝିଅଟିଏ ବାଉଁଶ ଡାଲା ରେ କିଛି ଜଙ୍ଗଲୀ ଛତୁ ଧରି ମତେ ହସି ହସି ପଚାରୁଛି...

ମୁଁ ଦେଖିଲି ପତଳା ହୋଇ ଶ୍ୟାମଳ ବର୍ଣ୍ଣ ର ଝିଅଟିଏ, ଗୋଟିଏ ଚାଉଳରେ ଗଢା l ଟଣା ଟଣା ଆଖି, ଉଚ୍ଚା ନାକ, ଇଷତ୍ ଗୋଲାପୀ ଓଠ, ଲମ୍ବା ଲମ୍ବା ଚୁଟି, ପୁଣି ଚୁଟି କୁ ଖୋଲା ରଖିଛି ବୋଧେ ଆଜି ମୁଣ୍ଡ ଧୋଇଚି ତେଣୁ ଟିକେ ଓଦା ଓଦା ବି ଜଣା ପଡୁଥାଏ l ସେ ମଧ୍ୟ ଧଳା ସବୁଜ ଓ ନୀଳ ରଙ୍ଗର ଛକ ଛକିଆ ଶାଢୀ ପିନ୍ଧିଛି l ମୁଁ କହିଲି - ନାଇଁ ମ, କୁସୁମ କୋଳି ଆଜିକାଲି market ରେ ଆଉ ମିଳୁନି ସେଥିପାଇଁ ଭାବିଲି ଗୋଟେ ପାହାଡ଼ୀ ଗାଆଁ କୁ ଗଲେ ହିଁ ମିଳିପାରେ, ତା ପରେ ଆସିଗଲି ଆଉ l ଝିଅଟି କହିଲା - ଓଃ, କୁସୁମ୍‌... ସେ ଗା ତ ଭରି ଭରି ଅଛି ଆମର୍ ଗାଆଁ ରେ, ଆମେ ଖାଇ ଖାଇ ଥକି ଯାଉଁ ଯେ ଛେଳି ଗାକୁ ବି ଖୁଏଇ ଦଉଁ.... ଇନା ପାଖ ଗଛ୍‌ ଗାରେ ଆଉ ନାଇଁନି ଆଜ୍ଞା ଛୁଆ ଗା ଖାଇ ଦେଇଛନ୍‌, ଜଙ୍ଗଲ୍‌ ଭିତ୍‌ରେ ଭିତ୍‌ରେ ଟିକେ ଦୂରିଆ ଯାଇତେ ହେବ, ଯିବେ? ନିଶ୍ଚୟ.... କାହିଁକି ନୁହେଁ - ଅତି ଉତ୍କଣ୍ଠା ରେ କହିଲି ମୁଁ, କିନ୍ତୁ ତା ପୁର୍ବରୁ ମତେ ତୁମ ଗ୍ରାମଶିରୀ ମାତାଙ୍କ ଆସ୍ଥାନ ଟିକେ ଦେଖେଇ ଦିଅ l ସେ କହିଲା - ଆଜି ଶାଳ ବନ୍ଦ୍‌ ଆଜ୍ଞା, ଆଷାଢୀ ପରା...l ମୋର ହଠାତ୍ ମନେ ପଡ଼ିଗଲା ଯେ ଆଜି ଆଷାଢ ମାସର ଶେଷ ଗୁରୁବାର, ମାଆର ପ୍ରସିଦ୍ଧ ଆଷାଢୀ ପରବ... ଦିନସାରା ମା' ଭକ୍ତଙ୍କ ସକାଶେ ଉପାସ ରହନ୍ତି କେବଳ ଜଗତର କଲ୍ୟାଣ ପାଇଁ ତେଣୁ ଘଟଗାଁ ପୀଠ ମଧ୍ୟ ଦିନ ବେଳା ଆଜି ବନ୍ଦ ରହେ, ସନ୍ଧ୍ୟା ରେ ମାଆଙ୍କ ସ୍ନାନ,ମାଜଣା ପରେ ଦେହୁରୀ ମାନେ ମିଶି ମାଆଙ୍କ ବଡ଼ ସିଂହାର ବେଶ କରନ୍ତି ଆଉ ସୁନା ଅଳଙ୍କାର ରେ ସଜେଇ ଦିଅନ୍ତି, ଏହାପରେ ମାଆଙ୍କ ଦିବ୍ୟ ଆଳତୀ ହୁଏ, ପ୍ରଥମେ କେନ୍ଦୁଝରର ଯୁବରାଜ ମାଆଙ୍କ ଦର୍ଶନ କରନ୍ତି ତା ପରେ ସାଧରଣ ଭକ୍ତଙ୍କ ଦର୍ଶନ ଆରମ୍ଭ ହୁଏ... ରାତି 10 ଟା ପରେ ମନ୍ଦିର ଦ୍ବାର ବନ୍ଦ କରାଯାଏ, ଭିତରେ କେବଳ ମୁଖ୍ୟ ଦେହୁରୀ ରହନ୍ତି ଆଉ ଗୋପନ ନିଶିପୂଜା ପାଇଁ ବ୍ୟବସ୍ଥା କରନ୍ତି... ଏହି ଗୋପନ ପୂଜାରେ ବୋଦା ବଳିର ପରମ୍ପରା ମଧ୍ୟ ରହିଛି, ବୋଦାର ରକ୍ତ କୁ ଶାଳ ପତ୍ରରେ ରଖି ମାଆଙ୍କୁ ଅର୍ପଣ କରନ୍ତି ମୁଖ୍ୟ ଦେହୁରୀ ଆଉ ମା' ବାଘ ରୂପରେ ଆସି ସେହି ପ୍ରସାଦ କୁ ଗ୍ରହଣ ମଧ୍ୟ କରନ୍ତି ବୋଲି ବିଶ୍ବାସ ରହିଛି... କାରଣ ସକାଳ ହେଲା ବେଳକୁ ସେ ପତ୍ରରେ ଆଉ ରକ୍ତର ଚିହ୍ନ ବି ନଥାଏ! ଏହା ଏକ କୃଷି ଭିତ୍ତିକ ପର୍ବ ଆଉ ଏହି ସ୍ୱତନ୍ତ୍ର ପୂଜାବିଧି ପରେ ମାଆ ଦେବୀ ଅନ୍ନପୂର୍ଣ୍ଣା ସାଜି ଆଶିଷ ଦିଅନ୍ତି, ଯାହାର ଫଳ ସ୍ବରୂପ କ୍ଷେତ ରେ ସୁନା ଫସଲ ଅମଳ ହୁଏ l ସେ ଝିଅଟି ମତେ କହିଲା - ଠିକ୍ ଅଛି ଆଜ୍ଞା, ଏ ଛତୁଡାଲା ଟା ମୁଇଁ ଘରେ ରଖି କରି ଆସେଁ ଆମେ ଜଙ୍ଗଲ୍‌ ପଟେ ଯିବା.... ମୁଁ କହିଲି - ତୁମ ନାଁ ଟା କହିଲନି ଯେ? ଅଳ୍ପ ହସି ସେ କହିଲା- ପ୍ରତିମା ମୁର୍ମୁ.... ଏହା କହି ସେ ତା ଘର ଆଡେ ଗଲା ଆଉ ମୁଁ ତା ଆସିବା ବାଟ କୁ ଚାହିଁ ରହିଲି...

ରଙ୍ଗ ବେରଙ୍ଗିଆ ଘର ସବୁକୁ ପଛରେ ପକେଇ ପ୍ରତିମା ସହ ମୁଁ ସବୁଜ ଶ୍ୟାମଳ ବିସ୍ତୀର୍ଣ୍ଣ ପାର୍ବତ୍ୟ ଉପତ୍ୟକା ଆଡ଼େ ଅଗ୍ରସର ହେଲି l ମାଇଲ୍ ମାଇଲ୍ ବ୍ୟାପୀ ଖାଲି ଜଙ୍ଗଲ,ପାହାଡ ପୁଣି କୁଳୁ କୁଳୁ ହୋଇ ନିରବଚ୍ଛିନ୍ନ ଭାବେ ବହି ଯାଉଥିବା ଛୋଟ ନାଳ କିମ୍ବା ପାହାଡ଼ୀ ଝରଣା l ପର୍ବତ ମାଳା ଗୁଡ଼ିକ ସ୍ଥାନେ ସ୍ଥାନେ ଆକାଶକୁ ସ୍ପର୍ଶ କରିଥିବା ମନେ ହୁଏ, ସତେ ଯେମିତି ଆକାଶ ଓ ପର୍ବତର ସମ୍ପର୍କ ଜନ୍ମ ଜନ୍ମାନ୍ତର ର, ଜଣେ ଅନ୍ୟକୁ ଛାଡିବାକୁ ନାରାଜ l ବନବାସୀ ମାନେ ପାହାଡ଼ର ଅଳ୍ପ କିଛି ଅଂଶକୁ ନିଆଁ ରେ ପୋଡି ସେଠାରେ ଚାଷ ଉପଯୋଗୀ ସମତଳ ଭୂମି ପ୍ରସ୍ତୁତ କରିଛନ୍ତି ଏବଂ ସେହି ଭୂମିକୁ ଥାକ ଥାକ କରି ହାଣି ବିଲ ବା କ୍ଷେତ ତିଆରି କରିଛନ୍ତି l ଭାରତର କେତେକ ଆଦିବାସୀ ବହୁଳ ସ୍ଥାନରେ ଏହାକୁ ' ଝୁମ୍ ' ବୋଲି କହନ୍ତି ମାତ୍ର ଓଡ଼ିଶା ରେ ଏହା 'ପୋଡ଼ୁଚାଷ' ନାମରେ ପରିଚିତ l ତେବେ ଏହି ନୁଆଁଣିଆ ଜମି ଗୁଡ଼ିକରେ ଧାନଚାଷ ସେମିତି ବେଶୀ ଭଲ ହୁଏ ନାହିଁ କିନ୍ତୁ ସୋରିଷ,ମାଣ୍ଡିଆ,ସାରୁ,ଗୁଆଁର,କନ୍ଦମୂଳ,ମାଟିଶାଗ,କୁନ୍ଦୁରି,ଶିମ୍ବ ପ୍ରଭୃତି ଚାଷ ଖୁବ୍ ଭଲ ହୋଇଥାଏ l ବେଶ୍ କିଛି ସମୟ ଚାଲିବା ପରେ ମୋ ଆଖିରେ ପଡ଼ିଲା ପ୍ରକୃତିର ଏକ ଅନନ୍ୟ ବରଦାନ ତଥା କେନ୍ଦୁଝରର ସବୁଜିମା ମଧ୍ୟରେ ଲୁଚି ରହିଥିବା ଆକର୍ଷଣୀୟ ଜଳ ପ୍ରପାତ ଟିଏ, ଯାହାର ନାଁ ହେଉଛି- ଟେଣ୍ଟେଇ ନାଳି l ପ୍ରାୟ 100 ଫୁଟ ଉଚ୍ଚର ପାର୍ବତ୍ୟ ଶଯ୍ୟାରୁ ତଳକୁ ଘର୍ଘର ନାଦରେ ଅରଣ୍ୟର ନିରବତା କୁ ଭଙ୍ଗ କରି ଅନବରତ ବହି ଚାଲିଛି ଟେଣ୍ଟେଇ ନାଳି l ଏହା ଏତେ ଲୋକ ଲୋଚନକୁ ଆସି ପାରି ନଥିଲେ ହେଁ ସାନ ଘାଗରା,ଖଣ୍ଡାଧାର,ଗୁଣ୍ଡିଚା ଘାଗୀ,ହାଣ୍ଡିଭଙ୍ଗା ଭଳି କେନ୍ଦୁଝରର ସମସ୍ତ ପ୍ରସିଦ୍ଧ ଜଳ ପ୍ରପାତ ଠାରୁ କୌଣସି ଗୁଣରେ ଉଣା ନୁହେଁ l ପକ୍ଷୀ ମାନଙ୍କର କିଚିରି ମିଚିରି କାକଳି ସାଥେ ପ୍ରପାତର ଭୀମ ଭୈରବ ଗର୍ଜ୍ଜନ ସୃଷ୍ଟି କରୁଛି ଏକ ରମଣୀୟ ପରିବେଶ l ଲାଗୁଛି ସତେ ଯେମିତି ଚିତ୍ରକର ଟିଏ ସାତ ରଙ୍ଗ ନେଇ ତୁଳୀ ଧରି ଆଙ୍କି ଦେଇଛି ମନଲୋଭା ଦୃଶ୍ଯରାଜି l ସ୍ରଷ୍ଟାଙ୍କର ଅନବଦ୍ୟ କୃତି ହେଉଛି ଏ ଅମୃତମୟ ସୃଷ୍ଟି.... କେମିତି ଭରିଲେ ସେ ଏତେ ରଙ୍ଗ କେଜାଣି.... ମହାନ୍ ସେ ସ୍ରଷ୍ଟା... ମହାନ୍ ସେ ସୃଷ୍ଟି.... ମହାନ୍ ସେ ପ୍ରକୃତି.... ଆଉ ସର୍ବୋପରି ବିସ୍ମୟ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ.... ଏସବୁ ଆଗରେ ମୁଁ ସମ୍ପୂର୍ଣ୍ଣ ସତ୍ତାହୀନ.... ହାଏ! କେତେ ତୁଚ୍ଛ ମୋ ସ୍ଥାନ...

ସେ ବନ୍ୟ ପରିବେଶର ସୌନ୍ଦର୍ଯ୍ୟ ରେ ମୁଁ ଏମିତି ମନ୍ତ୍ରମୁଗ୍ଧ ହୋଇ ଯାଇଥିଲି ଯେ କେତେବେଳେ ପ୍ରତିମା ଡାଲାଏ କୁସୁମ କୋଳି ଆଉ କିଛି ଦେଶୀ ଆମ୍ବ ଆଣି ମୋ ପାଖରେ ରଖିଲାଣି ମୁଁ ଜମା ଜାଣି ପାରିନି l କୁସୁମ୍‌ ଖାଆନ୍ତୁ ଆଜ୍ଞା,ମୁଇଁ ଚୋପା ଛଡ଼େଇ ଦେଉଛେଁ- ସେ ମତେ କହିଲା l ମୁଁ କହିଲି- ନାଇଁ ମ ମତେ ଛଡ଼େଇ ଆସେ, ମୁଁ ବି ଖାଣ୍ଟି କେନ୍ଦୁଝରିଆ.... l ସେ ପୁଣି କହିଲା- ନାଇଁ ଆପଣ୍‌ ମୋର୍ କୁଣିଆଁ, ତ ମୁଇଁ ଛଡ଼େଇ କରି ଦେବି l ହଉ ହେଲା ଦିଅ - କହି ମୁଁ ପ୍ରପାତ ପାଖେ ଦୁଇ ଚାରିଟା selfie ନେଲି l ପ୍ରତିମା କୁ ଡାକି ତା ସହ ମଧ୍ୟ ଗୋଟେ selfie ନେଇଥିଲି l ଏହା ପରେ ଆମେ ଦୁହେଁ ଅନେକ ସମୟ ଧରି ପରସ୍ପରର ସଂସ୍କୃତି ଆଉ ପରମ୍ପରା ବିଷୟରେ ଆଲୋଚନା କଲୁ l ତା ସହ କଥା ହୋଇ ମୁଁ ମଧ୍ୟ ସାନ୍ତାଳ ପରମ୍ପରା ବିଷୟରେ ବହୁତ କିଛି ଜାଣିବାକୁ ପାଇଲି l ଯେମିତି କି- ସାନ୍ତାଳ ମାନେ ଦେବା ଦେବୀ ମାନଙ୍କ ମୂର୍ତ୍ତୀ ପୂଜାରେ ସେମିତି ବିଶ୍ବାସ ରଖନ୍ତି ନାହିଁ l ତାଙ୍କର ପ୍ରଧାନ ଦେବତା ହେଲେ- 'ମାରାଙ୍ଗ୍‌ବୁରୁ' l ଆଉ ପ୍ରତି ଗାଆଁର ବଡ଼ାମ୍‌ ଶାଳ ରେ ଗ୍ରାମଶିରୀ ମାତାଙ୍କ ଆସ୍ଥାନ ଥାଏ, ଯିଏ କି ସାକ୍ଷାତ ବନଦେବୀ ତଥା ଘଟଗାଁର ତାରିଣୀ ମାଆ l ସେମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳିପ୍ରଥା ରେ ବିଶ୍ବାସ ରଖନ୍ତି l ତାଙ୍କ ଗ୍ରାମରେ ପୂଜାରୀଙ୍କୁ 'ନାୟକେ' ବୋଲି ସମ୍ବୋଧନ କରାଯାଏ l କାଳ ସିଂ, ବୁଦାରଙ୍ଗ ଓ ଲାକ୍ ଚେରା ନାମକ କିଛି ଭୂତପ୍ରେତ ରେ ସେମାନେ ବିଶ୍ବାସ ରଖନ୍ତି l ପ୍ରଧାନ ପର୍ବ ମଧ୍ୟରେ ଗୋଟିଏ ହେଲା- କରମା ପୂଜା, ଯାହାକି ବର୍ଷର ନବମ କିମ୍ବା ଦଶମ ମାସରେ ପଡେ l ଏଥିରେ ସେମାନେ ଗ୍ରାମ ଦେବତୀଙ୍କ ପାଖେ କଳାବୋଦା ଯାଚି ମାନସିକ ପୂଜା କରନ୍ତି l ଅନ୍ୟଟି ହେଲା- ସହରାୟ ପର୍ବ, ଯାହାକି କାଳୀପୂଜା ସମୟରେ ପଡେ l ଏଥିରେ ସେମାନେ ଗାଇଗୋରୁଙ୍କୁ ପୂଜା କରିଥାନ୍ତି, କାରଣ ଶସ୍ୟ ଅମଳ କେବଳ ଗୋରୁ ଗାଈଙ୍କ ଯୋଗୁଁ ହିଁ ସମ୍ଭବ ହୁଏ l ସେମାନେ ବହୁତ ସଂଗୀତ ପ୍ରେମୀ, ତେଣୁ ତାଙ୍କ ଲୋକ ସଂଗୀତ ମଧ୍ୟ ବହୁତ୍ ପ୍ରସିଦ୍ଧି ଲାଭ କରିଛି l ସେମାନଙ୍କ ପାରମ୍ପରିକ ଲୋକଗୀତ ଗୁଡିକ ସାଧାରଣତଃ ତାଙ୍କ ସଂସ୍କୃତି,ଆବିର୍ଭାବ ଓ ପରମ୍ପରା ଉପରେ ପର୍ଯ୍ୟବେଶିତ l ସେମାନେ ମୁଖ୍ୟତଃ ଦୁଇ ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରଥାନ୍ତି, ସେଗୁଡିକ ହେଲା- ଟାମାକ୍ ଓ ତୁମ୍ ଦାଃ l ଡାଣ୍ଟା,ବାହା,ଦଂଗ୍‌ ଲାଗ୍‌ଣେ,କାରାମ୍‌ ପ୍ରଭୃତି ହେଉଛି ସେମାନଙ୍କର ବିବିଧ ନୃତ୍ୟ ସମୂହ l ସାନ୍ତାଳୀମାନଙ୍କର ବିବାହ ସାଧାରଣତଃ ଦୁଇ ପ୍ରକାରର ହୁଏ । ସେଗୁଡିକ ହେଲା:ଦୁଆର୍ ବାପ୍‌ଲାଃ, ସିରିବାରି ଏବଂ ହାଲାମ୍ ବାରିଏତଃ । ଏହି ବାହାଘରରେ ପ୍ରଥମେ ପୁଅଘରୁ ଝିଅ ଦେଖିବାକୁ ଯାଆନ୍ତି । ଯଦି ପୁଅଘରର ପସନ୍ଦ ଆସିଲା ତା'ପରେ ଝିଅଘରୁ ପୁଅ ଦେଖିବାକୁ ଆସନ୍ତି l ଏସବୁ ଶୁଣି ସାରି ମୁଁ ପ୍ରତିମା କୁ ପଚାରିଲି- ତୁମ ପାଇଁ ବିବାହ ପ୍ରସ୍ତାବ ତ ଆସିଥିବ ନିଶ୍ଚିତ? ସେ କହିଲା-ନାଇଁ ଆଜ୍ଞା, ନାଇଁ ଆସି... ମୁଇଁ କାହାରିକୁ ପସନ୍ଦ୍‌ ଆସ୍‌ତେ ନାଇଁ କିସ? ସେମିତି କଥା ନୁହେଁ, ତୁମେ ତ ବହୁତ୍ ସୁନ୍ଦର- ମୁଁ କହିଲି l ତା ପରେ ଚଟାପଟ୍ ସେ କହିଲା- ସତେ!!! ତାହେଲେ ଆପଣ୍‌ ପ୍ରସ୍ତାବ୍‌ ଆଣ୍‌ବେ ମୋର୍ ଘର୍‌କୁ?....

ପ୍ରତିମାର ଏପରି ହଠାତ୍ ବାହାଘର ପ୍ରସ୍ତାବ କଥା ଶୁଣି ମୁଁ ଟିକେ ଅପ୍ରସ୍ତୁତ ହୋଇ ପଡିଲି l ମାତ୍ର କିଛି କହିବା ଆଗରୁ ପଛରୁ ଜଣେ ବୟସ୍କ ବ୍ୟକ୍ତିଙ୍କ କଣ୍ଠ ସ୍ବର ଶୁଭିଲା- କିସ କରୁଛନ୍‌ ଆଜ୍ଞା ଜଙ୍ଗଲ୍‌ ଭିତ୍‌ରେ.... କାହାର୍‌ ସାଙ୍ଗେ ଗପୁଛନ୍? ମୁଁ ପଛକୁ ବୁଲି ଦେଖେ ତ କଳାବସ୍ତ୍ର ରେ ନାଲି ସିନ୍ଦୁର ପିନ୍ଧି ଜଣେ 50-55 ବର୍ଷର ଲୋକ ଛିଡ଼ା ହୋଇଛନ୍ତି l ମୁଁ କହିଲି- ଆଜ୍ଞା ଆପଣଙ୍କୁ ଚିହ୍ନି ପାରିଲିନି? ସେ କହିଲେ- ମୁଁ ଏ ଗାଆଁ ର ନାୟକେ(ଗ୍ରାମ ଦେବତୀଙ୍କ ପୂଜକ) l ତା ପରେ ମୁଁ ସଙ୍ଗେ ସଙ୍ଗେ ଉତ୍ତର ଦେଲି- ଏଇ ପରା ଆଜ୍ଞା, ପ୍ରତିମା ସହିତ ଟିକେ କଥା ହେଉଥିଲି, କୁସୁମ୍‌ କୋଳି ପାଇଁ ଆସିଥିଲି ତ, ସେ ମତେ କୋଳି ଖୋଜିବାରେ ସାହାଯ୍ୟ କଲା l ତତକ୍ଷଣାତ୍‌ ନାୟକେ କହିଲେ- କାଇଁ! ଏଠି ତ ଆଉ କେହି ନାଇଁ, କୋଉ ପ୍ରତିମା କଥା ଆପଣ୍‌ କହୁଛନ୍ତି? ମୁଁ ପଛକୁ ପୁଣି ବୁଲି ଦେଖିଲା ବେଳକୁ ସତରେ ସେଠାରେ ପ୍ରତିମା ନଥିଲା l ପୁରାପୁରି confuse ହେଇଗଲି ମୁଁ, କଣ ଚାଲିଛି କିଛି ଜଣା ପଡୁନି l ଏମିତି ଆଖି ପିଛୁଳାକେ କୁଆଡ଼େ ଉଭାନ୍ ହେଇଗଲା ସେ? ଝିଅଟି ଦେଖ୍‌ତେ କିନ୍ତ୍‌ କୁହନ୍ତୁ ତ?- ନାୟକେ ପଚାରିଲେ l ମୁଁ କହିଲି- ପତଳା ହେଇକି ଶ୍ୟାମଳ ବର୍ଣ୍ଣ ର ଝିଅ ଆଜ୍ଞା, ଟିକେ ରୁହନ୍ତୁ ତା ସହ ମୁଁ ଗୋଟେ selfie ନେଇଥିଲି, ଦେଖାଉଛି ଏବେ l ମୁଁ mobile କାଢି gallery ରେ check କଲା ବେଳକୁ ସେ photo ହିଁ ନାହିଁ! କେମିତି କଣ delete ହେଲା ମୋ ମୁଣ୍ଡ କିଛି କାମ କରୁ ନଥାଏ l ତା ପରେ ପୁଣି ମନେ ପଡ଼ିଗଲା କୁସୁମ୍‌ କୋଳି ଡାଲା କଥା, ମାତ୍ର ଦେଖିଲା ବେଳକୁ ସେ ଡାଲା ବି ସେଠାରେ ନଥିଲା l ମତେ ସବୁ ସ୍ବପ୍ନ ଦେଖିଲା ଭଳି ଲାଗୁଥାଏ l ନାୟକେ ପୁଣି ପଚାରିଲେ- ଆଜ୍ଞା ଝିଅର୍‌ ପୁରା ନାମ୍ ଟା ଆଉ ଥରେ କୁହନ୍ତୁ ନା? ମୁଁ କହିଲି- ପ୍ରତିମା ମୁର୍ମୁ.... ଏ ନାମ ଶୁଣି ନାୟକେ ମଧ୍ୟ ଚମକି ପଡ଼ିଲେ l କଣ ହେଲା ଆଜ୍ଞା- ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲି l ସେ ଥର ଥର ସ୍ୱରରେ କହିଲେ- ପ୍ରତିମା ମୁର୍ମୁ, ସାତ୍‌ ବର୍ଷ ହେଲା ମରି ଯାଇଛି ଆଜ୍ଞା!!!!!..... ଏକଥା ଶୁଣିଲା ପରେ ମୋ ପାଦତଳୁ ମାଟି ଖସିଗଲା....

ତା ପରେ ନାୟକେ ପ୍ରତିମା ଜୀବନରେ ଘଟିଥିବା ଲୋମହର୍ଷଣ କାରୀ ଘଟଣାର ସକଳ ବୃତ୍ତାନ୍ତ ମୋ ଆଗରେ ଶୁଣାଇ ଥିଲେ l ଯାହାକି କିଛି ଏହିପରି ଥିଲା- ହରିଚନ୍ଦନ ପୁର-ତେଲକୋଇ reserve forest ଏକ ବିରାଟ ଜଙ୍ଗଲ l ଅତ୍ୟନ୍ତ ଦୁର୍ଗମ ସେ ଅଞ୍ଚଳ l ସେଥିପାଇଁ ସେ ଇଲାକା ରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବହୁତ ଅଧିକ ହେଇ ଯାଉଛି l forest department ର କର୍ମଚାରୀ ମାନେ ମଧ୍ୟ ସେ ମାଫିଆଙ୍କ ସହ ମିଶି ଭାଗବାଣ୍ଟି ଜଙ୍ଗଲରୁ ଶାଳ ପିଆଶାଳ ପରି ମୁଲ୍ୟବାନ କାଠର ଚୋରା ଚାଲାଣ କରନ୍ତି l ଖାଲି ନାମକୁ ମାତ୍ର ଦିନକୁ 4 ଥର ସେଠାରେ ପହରା ଦେବାର ଅଭିନୟ କରନ୍ତି l ତେବେ ସେ ଜଙ୍ଗଲକୁ ପ୍ରତିମା ଓ ତା'ର କିଛି ସଖୀ ପ୍ରତିଦିନ ଝୁଣା,ମହୁ,ଲାଖ, ମହୁଲ ଏବଂ କେନ୍ଦୁପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଆନ୍ତି l ସମସ୍ତଙ୍କ ଭିତରେ ପ୍ରତିମା ଥିଲା ସବୁଠାରୁ ସୁନ୍ଦର l ତେଣୁ forest department ର କିଛି କର୍ମଚାରୀଙ୍କ ନଜର ତା ଉପରେ ଅନେକ ଦିନରୁ ଥିଲା l ଦିନେ ମହୁଲ ସଂଗ୍ରହ କରୁ କରୁ ପ୍ରତିମା ତା ସାଙ୍ଗ ମାନଙ୍କ ଠାରୁ ଟିକେ ଦୂରେଇ ଯାଇଥିଲା, ଏହାର ସୁଯୋଗ ନେଇ ସେ କର୍ମଚାରୀ ମାନେ ତାକୁ ଗାଡ଼ିରେ ଉଠେଇ ନେଲେ ଓ ଜଣ ଜଣ କରି ତା ସହିତ ବଳାତ୍କାର କରିଥିଲେ l ଏହା ପରେ ପ୍ରତିମା ଓ ତା'ର ଘରଲୋକେ ଥାନାରେ ଯେତେ FIR ଦେଲେ ତାହା ଆଦୌ ଗ୍ରହଣ କରା ଗଲାନାହିଁ ଓଲଟି ତାଙ୍କୁ ଅପମାନ ଦେଇ ଥାନାରୁ ତଡ଼ି ଦିଆ ଯାଇଥିଲା l ଏସବୁ ସହି ନ ପାରି ପ୍ରତିମା ପାହାଡ ଉପରୁ ଡେଇଁ ଆତ୍ମହତ୍ୟା କଲା l କିନ୍ତୁ ସେ ମରିବାର ଗୋଟେ ସପ୍ତାହ ପରେ ଅତି ରହସ୍ୟ ମୟ ଭାବରେ ସେ forest କର୍ମଚାରୀଙ୍କ ଗାଡ଼ି ଘାଟି ଉପରୁ ଖସି ଦୁର୍ଘଟଣା ଗ୍ରସ୍ତ ହେଲା ଆଉ ସବୁ ଦୁର୍ବୃତ୍ତ ମୃତ୍ୟୁ ମୁଖରେ ପଡ଼ିଲେ l ଆଉ ତା ପରଠୁ ଯେଉଁ ଅଜଣା ବ୍ୟକ୍ତି ଏ ଗାଆଁର ଝିଅଙ୍କୁ ଖରାପ ନଜର ରେ ଦେଖୁଛି କିମ୍ବା କିଛି କ୍ଷତି କରିବା ପାଇଁ ଚେଷ୍ଟା କରୁଛି ସେ ନିଜର ପ୍ରାଣ ହରାଉଛି l ସମ୍ଭବତଃ ଏହି ସବୁ କାମ ପ୍ରତିମାର ଅତୃପ୍ତ ଆତ୍ମା ହିଁ କରୁଛି..... ଏସବୁ କଥା ଶୁଣି ସାରିଲା ପରେ ମତେ ଭାରି ଦୁଃଖ ଲାଗିଲା, ଆଉ ଗୋଟେ ପ୍ରକାର ଖୁସି ମଧ୍ୟ ହେଲି ଯେ ପ୍ରତିମା ମଲା ପରେ ବି ଏ ଗାଁକୁ ରକ୍ଷା କରୁଛି l ତା ପରେ ମୁଁ ନାୟକେ ଙ୍କ ସହ ବଡାମ ଶାଳ ଆଡ଼େ ଗଲି, ଆଉ ମାଆର ପବିତ୍ର ଆଷାଢୀ ପର୍ବ ର ସାନ୍ଧ୍ୟ ଆଳତୀ କୁ ଦେଖି ନିଜକୁ ଧନ୍ୟ ମନେ କଲି l ମାଆକୁ ମୁଣ୍ଡିଆ ମାରି ସାରିଲା ପରେ ନାୟକେ ମତେ ତାଙ୍କ ଘରକୁ ନିମନ୍ତ୍ରଣ କଲେ କାରଣ ସେତେବେଳକୁ ବହୁତ ରାତି ହେଲାଣି, ମୋର ଆଉ ଜଙ୍ଗଲ ରାସ୍ତାରେ ଘରକୁ ଫେରିବା ନିରାପଦ ନୁହେଁ l ମୁଁ ତାଙ୍କ ଘରକୁ ଯାଇ ଦେଖେ ତ ଘର ଭିତରେ ପ୍ରତିମା ବସିଛି!!! ମୁଁ ପୁରା ପୁରି ଭୟଭୀତ ହୋଇଗଲି.... ମୋ ପାଟି ଖନି ମାରି ଯାଉଥାଏ.... ତଥାପି ସାହସ ସଂଚୟ କରି କହିଲି- ପ୍ରତିମା ତୁମେ????!!!! ସେ ଉତ୍ତର ଦେଲା- No young man, This is Inspector swagatika(CBI)....

Inspector swagatika from CBI?!!!- ମୁଁ ଚମକି ପଡ଼ିଲି ଆଉ ନିଜ ଆଖିକୁ ବିଶ୍ବାସ କରି ପାରିଲିନି l ତା ହେଲେ ମୋ ସହିତ ଆଜି ଦିନସାରା କିଏ ଥିଲେ ଆପଣ ନା ପ୍ରତିମାର ଆତ୍ମା?- puzzled ହୋଇ ମୁଁ ପଚାରିଲି l Inspector ଉତ୍ତର ଦେଲେ- off course ମୁଁ.... ପ୍ରତିମା କୁଆଡ଼େ ଆସିବ, ଏଇଟା କଣ vikram bhatt movie? Ok ମୁଁ ଆଉ ବେଶୀ suspense ରଖୁନି, ଶୁଣନ୍ତୁ details - ପ୍ରତିମା ଆତ୍ମହତ୍ୟା କରିବା ପରେ ଗାଆଁ ଲୋକେ ନାୟକେ ଙ୍କ ସହିତ କେନ୍ଦୁଝର SP ଙ୍କ ପାଖକୁ ଯାଇ ଏ case ର CBI ତଦନ୍ତ ଦାବୀ କଲେ l ସେତେବେଳ ର SP ବହୁତ ଭଲ ମଣିଷ ଥିଲେ, ତେଣୁ ସେ case ଟିକୁ highcourt ଯାଏଁ ନେଇଥିଲେ ଆଉ ପରେ ପରେ highcourt ହିଁ CBI କୁ case handle କରିବାକୁ order ଦେଇଥିଲେ l ଆଉ ମୁଁ ଏ case ର in-charge ଏଥିପାଇଁ ହେଲି, ଯେହେତୁ ମୋ ମୁହଁ ପ୍ରତିମା ସହ 90% ମିଶୁଥିଲା l ତେବେ ଏହା ଏକ tribal case ହୋଇ ଥିବାରୁ ଗୋଟାଏ ସପ୍ତାହ ଭିତରେ ମତେ କେନ୍ଦୁଝର ଆସିବାକୁ ଅନୁମତି ମିଳିଗଲା l 

ଚାରିଜଣ sub-inspector ଙ୍କୁ ଧରି ମୁଁ ଏକ ସ୍ବତନ୍ତ୍ର team ପ୍ରସ୍ତୁତ କଲି ଆଉ ଆରମ୍ଭ ହେଲା ଆମ undercover operation, ଯାହାର ନାମ ରହିଲା- 'operation-Koushiki' l ଆମର ଲକ୍ଷ୍ୟ ରହିଲା ଦୁଇଟି - ପ୍ରଥମତଃ ହରିଚନ୍ଦନ ପୁର -ତେଲକୋଇ reserve forest under ରେ ଆସୁଥିବା ସବୁ village ର ଝିଅଙ୍କୁ safe ରଖିବା ଆଉ ଦ୍ବିତୀୟ ରେ ସମ୍ପୂର୍ଣ୍ଣ wild-corridor କୁ କାଠ ମାଫିଆଙ୍କ ଦୌରାତ୍ମ୍ୟରୁ ରକ୍ଷା କରିବା l ମୁଁ ପ୍ରତିମା ର ବେଶ ହୋଇ ଏ area ରେ ପ୍ରେତାତ୍ମା ର ଭ୍ରମ ସୃଷ୍ଟି କରିବା ଫଳରେ ଆମ operation ଆହୁରି ସହଜ ହୋଇଗଲା l ପ୍ରଥମେ ମୁଁ target କଲି ସେ forest department ର କର୍ମଚାରୀଙ୍କ ଗାଡ଼ି କୁ, ସେମାନେ କାଞ୍ଜିପାଣି ଘାଟି ଉପରେ କୁଆଡ଼େ ଯାଉଥିବା ଖବର ପାଇ ମୁଁ ଅବିକଳ ପ୍ରତିମା ଭଳି ସଜେଇ ହୋଇ ତାଙ୍କ ଗାଡି ସାମନାକୁ ଚାଲିଗଲି, ଯାହା ଫଳରେ ସେମାନେ ଭୟଭୀତ ହୋଇ ନିଜ ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପ୍ରାଣ ହରାଇଲେ l ଆମ ପ୍ରଥମ କାମ ପୁରା ହେବା ପରେ ଆମେ ଅନେକ କାଠ ମାଫିଆଙ୍କୁ ଭୟଭୀତ କରି ଏଠାରୁ ହଟେଇଛୁ ତା ସହିତ ଅନେକ ଯୌନ ପିପାସୁ କର୍ମଚାରୀ ତଥା ଅଜଣା ବ୍ୟକ୍ତିଙ୍କୁ ଅତି ରହସ୍ୟ ମୟ ଭାବରେ ଉପରକୁ ପଠେଇ ଦେଇଛୁ l ସ୍ଥାନୀୟ ଲୋକଙ୍କ ବିଶ୍ବାସ ଏସବୁ ପ୍ରତିମାର ଆତ୍ମା ହିଁ କରୁଛି l କେବଳ ନାୟକେ ଙ୍କୁ ଛାଡ଼ିଲେ ଆମ ଅସଲ ପରିଚୟ କାହାକୁ ବି ଜଣା ନାହିଁ l ଆପଣଙ୍କୁ ପ୍ରଥମେ ଆମେ ଖରାପ ଲୋକ ବୋଲି ଭାବିଲୁ ମାତ୍ର ଦିନ ତମାମ୍ ମିଶିବା ପରେ ଆମେ ଜାଣିଲୁ ଯେ ଆପଣ ବହୁତ ଭଲ ମଣିଷ, ତେଣୁ ସବୁକିଛି ଖୋଲିକି କହିଲୁ l କଣ ଆବଶ୍ୟକ ପଡ଼ିଲେ ସାହାଯ୍ୟ କରିବେ ତ? ମୁଁ କହିଲି- ନିଶ୍ଚୟ madam, କିନ୍ତୁ koushiki ର meaning କଣ? Inspector ସ୍ମିତହାସ୍ୟ ଦେଇ ଯୋଡ଼ ହସ୍ତରେ କହିଲେ-ମା' ଦୁର୍ଗା l


Rate this content
Log in

Similar oriya story from Drama