STORYMIRROR

Dr Prateek kumar Pahi

Drama Classics Thriller

4  

Dr Prateek kumar Pahi

Drama Classics Thriller

ମହାତୀର୍ଥ

ମହାତୀର୍ଥ

12 mins
366

ଶୁଭ୍ର କାଶତଣ୍ଡି ସମ୍ଭାର ଓ ନିର୍ମଳ ମେଘମୁକ୍ତ ଆକାଶକୁ ନେଇ ଉପନୀତ ହୋଇଥିଲା ମହା ପାର୍ବଣର ମାସ ଆଶ୍ୱିନ, ପୁଣି ପିତୃପକ୍ଷ ଚାଲିଥାଏ ଯାହାକି ପିଣ୍ଡଦାନ ର ପ୍ରକୃଷ୍ଟ ସମୟ। ଅଶୋକ ବାବୁ ନିଜ ସାଥିରେ ଧର୍ମପତ୍ନୀ ସୁମିତ୍ରା ଦେବୀ ଓ ୧୦ ବର୍ଷର ଏକମାତ୍ର ଅଲିଅଳି ଝିଅ ପ୍ରଭାକୁ ନେଇ ନାଭିଗୟା ଆଡ଼େ ଆଗେଇ ଚାଲିଛନ୍ତି। ତେବେ ଏଠାରେ ନାଭିଗୟା ବିଷୟରେ ସମ୍ୟକ୍ ସୂଚନା ଦେବା ଉଚିତ ମନେହୁଏ- ପିତୃପୁରୁଷ ମାନଙ୍କୁ ପିଣ୍ଡ ଦେବା ଆମ ପରମ୍ପରାର ଏକ ଶ୍ରେଷ୍ଠ ଅଙ୍ଗ ତେଣୁ ପୁରାଣକାର ମାନେ ଏଥିପାଇଁ ତିନି ଗୋଟି ସ୍ଥାନ ନିରୂପଣ କରିଛନ୍ତି। ଯଥା- ଶିରୋଗୟା, ନାଭିଗୟା ଓ ପାଦଗୟା। ବାୟୁ ପୁରାଣର ବର୍ଣ୍ଣନା ଅନୁସାରେ ମହାପ୍ରତାପୀ ଓ ପରମ ଧାର୍ମିକ ଗୟାସୁରକୁ କୌଣସି ଉପାୟରେ ଦମନ କରି ନପାରି ଶ୍ରୀବିଷ୍ଣୁ ପ୍ରଥମେ ସତ୍ୟ କରାଇ ତା ଦେହ କୁ ଦାନ ରୂପେ ମାଗି ନେଇଥିଲେ ଏବଂ ତା'ର ଶରୀର କୁ ତିନି ଖଣ୍ଡ କରି ଛେଦନ କଲେ। ଗୟାସୁରର ମସ୍ତକ ମଗଧ ଦେଶରେ(ବିହାର) ଫଲ୍ଗୁ ନଦୀ କୂଳରେ ପଡ଼ିଥିଲା, ତେଣୁ ଏହି ସ୍ଥାନ ଶିରୋଗୟା ନାମରେ ପ୍ରସିଦ୍ଧ। ନାଭି ଅଂଶ ବୈତରଣୀ ତୀର୍ଥ ବିରଜାକ୍ଷେତ୍ରରେ ପଡ଼ିଥିଲା, ତେଣୁ ଏହା ନାଭିଗୟା ନାମରେ ଖ୍ୟାତ। ପାଦ ଭାଗଟି ଦକ୍ଷିଣ ଭାରତରେ ଗୋଦାବରୀ ନଦୀ କୂଳରେ ମହେନ୍ଦ୍ର ପର୍ବତ ରେ ପଡିଥିଲା, ଯାହାକି ପାଦଗୟା ନାମରେ ବିଖ୍ୟାତ। ଉପରୋକ୍ତ ତ୍ରିଗୟା ମଧ୍ୟରେ ଯାଜପୁରର ନାଭିଗୟା ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ସମସ୍ତ ସ୍ଥାନରେ ପିଣ୍ଡ ଦେବା ପରେ ଯଦି ନାଭିଗୟା ରେ ପିଣ୍ଡ ପ୍ରଦାନ ନ କରାଯାଏ ତେବେ ପିଣ୍ଡଦାନ ଅସମ୍ପୂର୍ଣ୍ଣ। ବ୍ରହ୍ମାଣ୍ଡ ପୁରାଣର ବିରଜାକ୍ଷେତ୍ର ମାହାତ୍ମ୍ୟରେ କୁହାଯାଇଛି ଯେ ଶିରୋଗୟା ଅପେକ୍ଷା ନାଭିଗୟା ରେ ପିଣ୍ଡଦାନ ଫଳ ଶହେଗୁଣ ଅଧିକ ତଥା ବିରଜା ଦେବୀଙ୍କ ନିକଟସ୍ଥ ନାଭିକୂପ ରେ ପିଣ୍ଡଦାନ

କଲେ ପିଣ୍ଡଦାତାର ଏକୋଇଶ ପୁରୁଷ ବ୍ରହ୍ମପଦ ଲାଭ କରନ୍ତି। 

ସେଥିପାଇଁ ଅଶୋକ ବାବୁ ନିଜ ପିତାଙ୍କ ଅସ୍ଥି ବିସର୍ଜ୍ଜନ ପରେ ପିଣ୍ଡଦାନ ଉଦ୍ଦେଶ୍ଯରେ ବିରଜାକ୍ଷେତ୍ର ଆଡକୁ ଅଗ୍ରସର ହେଉଛନ୍ତି। ଯଥା ସମୟରେ ସେ ନାଭିଗୟା ରେ ପିଣ୍ଡଦାନ ସାରିଲେ ଓ ଦେବୀ ବିରଜାଙ୍କୁ ଦର୍ଶନ କରି ଅଭିଭୁତ ହୋଇ ପଡିଲେ। ଏ ଭିତରେ ସନ୍ଧ୍ୟା ହୋଇ ସାରିଥିଲା, ନିଜ ଝିଅ ଓ ପତ୍ନୀଙ୍କୁ ଧରି ଅଶୋକ ବାବୁ ପବିତ୍ର ଦଶାଶ୍ୱମେଧ ଘାଟ ନିକଟକୁ ଆସି ଦେବୀ ସପ୍ତ ମାତୃକା ଙ୍କ ଦର୍ଶନ ପରେ ପୂଣ୍ୟତୋୟା ବୈତରଣୀ ଆଳତୀ ରେ ଏକପ୍ରକାର ମଜ୍ଜି ଗଲେ। ଅଳ୍ପ ସମୟ ମଧ୍ୟରେ ଆଳତୀ ଶେଷ ହେଲା ଅଶୋକ ବାବୁ ଓ ସୁମିତ୍ରା ଦେବୀ ମୁଣ୍ଡିଆ ମାରି ଆଖି ଖୋଲିଲା ବେଳକୁ ଦେଖିଲେ ପାଖରେ ଝିଅ ପ୍ରଭା ନାହିଁ, ଏତେ ଛୋଟ ପିଲା କୁଆଡେ ଗଲା ବୋଲି ଚିନ୍ତାରେ ପଡିଗଲେ ଦୁହେଁ। ସବୁଆଡ଼େ ଖୋଜା ଖୋଜି କଲା ପରେ ବି ଝିଅ କୁ ନ ପାଇ ବ୍ୟତିବ୍ୟସ୍ତ ହୋଇଗଲେ ଅଶୋକ ବାବୁ, ସୁମିତ୍ରା ଦେବୀ ମଧ୍ୟ କାନ୍ଦ କାନ୍ଦ ହୋଇ ପଡିଲେଣି ରାତି ହୋଇଯିବ , ଏତେ ଛୋଟ ଝିଅ କୁ ଏବେ କୋଉଠି ଖୋଜିବେ କିଛି ବୁଦ୍ଧିବାଟ ଦିଶୁନି ଏ ଭିତରେ ରାତି ୧୦ ଟା ବାଜି ସାରିଥିଲା, ଅଶୋକ ବାବୁ ଓ ସୁମିତ୍ରା ଦେବୀ ତରବର ହୋଇ ଯାଜପୁର ସଦର ଥାନାରେ ପହଞ୍ଚି ଦେଖନ୍ତି ଥାନା ବାହାରେ ଦୁଇ ଜଣ କନଷ୍ଟେବଳ ଢୋଳେଇ ଢୋଳେଇ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ। ଥାନା ଭିତରେ କେହି ଥିବା ପରି ଲାଗୁନଥିଲା, ତେଣୁ ବାଧ୍ୟ ହୋଇ ଅଶୋକ ବାବୁ ଜଣେ କନଷ୍ଟେବଳ କୁ ନିଦରୁ ଉଠାଇଲେ ଆଉ ପଚାରିଲେ- ଏସ ଆଇ ସାର କୁଆଡେ ଗଲେ? ଆମକୁ ସାଙ୍ଗେ ସାଙ୍ଗେ ମିସିଙ୍ଗ୍ ରିପୋର୍ଟ ଲେଖେଇବାର ଅଛି। କନଷ୍ଟେବଳ- ଆଜ୍ଞା ସାର ଡିନର ପାଇଁ ପଦାକୁ ଯାଇଛନ୍ତି, ଆପଣ ଟିକେ ଅପେକ୍ଷା କରନ୍ତୁ ।

ଅଶୋକ ବାବୁ- ସାର କେତେବେଳେ ଫେରିବେ? ଆମ ଅବସ୍ଥା ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ

କନଷ୍ଟେବଳ- ତା ବୋଲି ପୋଲିସ ଵାଲା କଣ ଖିଆ ପିଆ ଛାଡି ଦେବେ , ଅଜବ ଲୋକ ଆପଣ ।

ଅଶୋକ ବାବୁ- ସନ୍ଧ୍ୟା ରୁ ମୋ ୧୦ ବର୍ଷ ର ଝିଅ ମିସିଙ୍ଗ୍ , ଆପଣ ମତେ ଅଜବ ଲୋକ କହୁଛନ୍ତି

ଏହି ସମୟରେ ପଛପଟୁ ଚଢା ଗଳାରେ ଶବ୍ଦ ଶୁଭିଲା- ୨୪ ଘଣ୍ଟା ନ ପୁରିବା ଯାଏଁ ମିସିଙ୍ଗ୍ ରିପୋର୍ଟ ଲେଖା ଯାଏନି

ଏସ ଆଇ ସତ୍ୟଜିତ୍ ଡିନର ସାରି ଫେରିଛନ୍ତି ।

ଅଶୋକ ବାବୁ- ସାର , କି କଥା କହୁଛନ୍ତି ଆପଣ ସେ ଛୋଟ ଛୁଆ ଟା ରାତି ଭିତରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ?

ସତ୍ୟଜିତ୍- ନିଜ ଛୁଆ କୁ ସମ୍ଭାଳି ପାରୁ ନାହାନ୍ତି , ଏଠି ଆମକୁ ଦୋଷ ଦେଉଛନ୍ତି ପୋଲିସ କୁ ତା ଡିଉଟି ଶିଖେଇବାକୁ ଚେଷ୍ଟା କରନ୍ତୁନି , କାଲି ଆସନ୍ତୁ ରିପୋର୍ଟ ଲେଖା ହେବ।

ପରିସ୍ଥିିତି ବିଗିଡିବାର ଦେଖି ସୁମିତ୍ରା ଦେବୀ ନିଜ ଆଡୁ ଟିକେ ମାହୋଲ୍ ସଜାଡିବାକୁ ଯାଇ କହିଲେ- ସାର, ଆମେ ବୁଝିଲୁ ସବୁ କାଲି ସକାଳୁ ହିଁ ଆସି ଆମେ ରିପୋର୍ଟ ଲେଖେଇବୁ, କିନ୍ତୁ ସାର ମୋର ଗୋଟିଏ ବୋଲି ଝିଅ ତାକୁ କିଛି ହେଇଗଲେ ଆମେ ଜୀବନ ଧରି ବଞ୍ଚି ପାରିବୁନି କହି କାନ୍ଦି ପକାଇଲେ ଜୋରରେ ।

ସତ୍ୟଜିତ୍- ମାଡାମ୍ , ବ୍ୟସ୍ତ ହୁଅନ୍ତୁନି ପୋଲିସ ଉପରେ ଭରସା ରଖନ୍ତୁ ଆମେ ତାକୁ ନିଶ୍ଚୟ ଖୋଜି ବାହାର କରିବୁ

ଏହାପରେ ଅଶୋକ ବାବୁ ଓ ସୁମିତ୍ରା ଦେବୀ ଲଜ୍ ଆଡକୁ ଗଲେ ମାତ୍ର ଝିଅ ଚିନ୍ତାରେ ଆଖିକୁ ଜମାରୁ ନିଦ ଆସୁନଥାଏ।

ଏପଟେ କରାଳ ଅନ୍ଧକାର ରାତ୍ରିରେ ଏକ ପରିତ୍ୟକ୍ତ ଘର ଭିତରେ ଅକସ୍ମାତ୍ ନିଜକୁ ଆବିଷ୍କାର କଲା କୁନି ଝିଅ ପ୍ରଭା। ତା ମୁଣ୍ଡ ଭାରି ଭାରି ଲାଗୁଥିଲା , ଆଖିକୁ ବି ଅସ୍ପଷ୍ଟ ଦିଶୁଥିଲା କେମିତି କଣ ସେ ଏତେ ସମୟ ଶୋଇଗଲା ନିଜେ ବି ଜାଣି ପାରୁନଥିଲା, ବୈତରଣୀ ଆଳତୀ ରୁ ସିଧା ଏ ପରିତ୍ୟକ୍ତ ଘର କୁ ସେ କେମିତି ଆସିଲା ଭାବୁ ଭାବୁ ଏକ କ୍ଷୀଣ ଆଲୋକ ସେ କୋଠରୀ କୁ କିଞ୍ଛିତ୍ ଆଲୋକିତ କଲା ଆଉ ପ୍ରଭା ଦେଖିଲା ତା ବୟସର ଆହୁରି ୭ ଜଣ ଝିଅ ଅଚେତ ହୋଇପଡ଼ିଥିଲେ ସେ କୋଠରୀ ଭିତରେ ! 

ବିନ୍ଧ୍ୟବାସିନୀ ଦେବୀ ବିରଜାଙ୍କ ସାନ୍ଧ୍ୟ କାଳୀନ ଆଳତି ଖୁବ୍ ମନଲୋଭା ଓ ଦିବ୍ୟ ଚେତନା ଉଦ୍ରେକ କରିବାରେ ସହାୟକ। ଆଳତି ସେତେବେଳକୁ ଶେଷ ହୋଇଯାଇଥିଲା, ମାଆ ଙ୍କର ଜଣେ ପ୍ରମୁଖ ପୂଜକ ଖଗେଶ୍ଵର ନନା କୌଣସି ଦୂର ଜିଲ୍ଲା ରୁ ଆସିଥିବା ଏକ ପରିବାର କୁ ଦେବୀଙ୍କ ଆବିର୍ଭାବ ବିଷୟକ ସୁନ୍ଦର ପୌରାଣିକ ଆଖ୍ୟାୟିକା ଶୁଣାଉଛନ୍ତି- ସୃଷ୍ଟି ରଚନା ପରେ ପରେ ବ୍ରହ୍ମା ଶିବଙ୍କ ଠାରୁ ଅପୂଜ୍ୟ ହେବାର ଅଭିଶାପ ପାଇଲେ। ତାହା ପରେ ସେ ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କଲେ ଓ ଶିବଙ୍କ ନିର୍ଦ୍ଦେଷ କ୍ରମେ ସେ ଏକ ବିଶାଳ ଯଜ୍ଞର ଆୟୋଜନ ମଧ୍ୟ କଲେ। ସେହି ଯଜ୍ଞର ସ୍ଥାନ ଥିଲା ପୁଣ୍ୟଭୂମି ଯାଜପୁରର ବୈତରଣୀ କୂଳ। ଯଜ୍ଞର ଦକ୍ଷିଣାଗ୍ନି କୁଣ୍ଡରୁ ହଠାତ୍ ଜ୍ୟୋତି ପ୍ରକାଶିତ ହେଲା, ଏବଂ ଏହି ଜ୍ୟୋତି କୁ ଦର୍ଶନ କରି ବ୍ରହ୍ମା ଆନନ୍ଦରେ ସ୍ତୁତିଗାନ କଲେ। ସଙ୍ଗେ ସଙ୍ଗେ ମହାଦେବ ଆବିର୍ଭୂତ ହେଲେ ଓ ଲିଙ୍ଗ ଆକାର ଧାରଣ କଲେ, ତାଙ୍କର ନାମ ହେଲା ଈଶାନେଶ୍ଵର। ତାହା ପରେ ଗାର୍ହପତ୍ୟ ଅଗ୍ନିକୁଣ୍ତରୁ ଏକ ଦିବ୍ୟ ଜ୍ୟୋତି ପ୍ରକାଶିତ ହେଲା। ବ୍ରହ୍ମାଙ୍କର ସଭକ୍ତିକ ପ୍ରାର୍ଥନାରେ ସେହି ଦିବ୍ୟ ଜ୍ୟୋତି ଦେବୀ ରୂପରେ ଆବିର୍ଭୂତା ହୋଇ କହିଲେ- " ହେ ବ୍ରହ୍ମା, ତୁମ ଭକ୍ତିରେ ମୁଁ ପ୍ରସନ୍ନ ହୋଇଛି। ତୁମେ ମୋତେ ବିରଜା ନାମରେ ନାମିତ କର। ଆଜିଠାରୁ ଏହି ପୂଣ୍ୟକ୍ଷେତ୍ର ରେ ପ୍ରଭୁ ଈଶାନଙ୍କ ସହ ମୁଁ ଚିରକାଳ ପର୍ଯ୍ୟନ୍ତ ବାସ କରିବି।" ସେହିଦିନଠାରୁ ମହାଦେବ ଈଶାନେଶ୍ଵର ଓ ଯଜ୍ଞ ବରାହଙ୍କ ସହିତ ମହାଶକ୍ତି ବିରଜା ଏହି କ୍ଷେତ୍ରରେ ଏକତ୍ର ବିରାଜମାନ କରୁଛନ୍ତି, ତେଣୁ ଏ ତୀର୍ଥର ନାମ ହୋଇଛି ଅବିମୁକ୍ତ କ୍ଷେତ୍ର। ମହାଭାରତ ଯୁଗରୁ ଆଜି ଯାଏଁ ଯାଜପୁରର ଐତିହ୍ୟ, ସଂସ୍କୃତି ଓ ଜୀବନ ଧାରାର କେନ୍ଦ୍ରବିନ୍ଦୁ ହେଲେ ବିରଜା। ମାଆଙ୍କ ପ୍ରାଧାନ୍ୟ ସର୍ବଦା ସମାନ।

ଏହି ସମୟରେ ହଠାତ୍ ମନ୍ଦିର ପ୍ରାଙ୍ଗଣ ଭିତରକୁ ପ୍ରବେଶ କରିଛନ୍ତି ଅଶୋକ ବାବୁ ଓ ସୁମିତ୍ରା ଦେବୀ, ଖଗେଶ୍ଵର ନନା ଥିଲେ ଅଶୋକ ବାବୁଙ୍କ ଗ୍ରାମ ମୌଜାର ପୂଜକ।

ଖଗେଶ୍ଵର ନନା ଚକିତ ହୋଇ କହିଲେ- ଅଶୋକ ବାବୁ , ଆପଣ ଘରକୁ ଫେରି ନାହାନ୍ତି ପିଣ୍ଡଦାନ ପରେ? ସପ୍ତାହେ ଉପରେ ହେଲାଣି ବୋଧେ !

ଅଶୋକ ବାବୁ ସମସ୍ତ ଘଟଣାବଳୀ ନନାଙ୍କ ଆଗରେ କହିଲେ, ଆଉ ପୋଲିସର ଅପାରଗତା ସମ୍ପର୍କରେ ମଧ୍ୟ ଜଣାଇଲେ ।

ଅଶୋକ ବାବୁ- ୭-୮ ଦିନ ହେଇଯିବ ପୋଲିସ କଣ କରୁଛି କେଜାଣି, ଆମ ଝିଅ ନ ମିଳିଲେ ଆମେ ବି ମରିଯିବୁ ନନା, ସୁମିତ୍ରା ଅବସ୍ଥା ଦେଖନ୍ତୁ ନ ଖାଇ ନ ପିଇ କଣ ହେଲାଣି। 

ଖଗେଶ୍ଵର ନନା- ଜମା ବ୍ୟସ୍ତ ହୁଅନ୍ତୁନି, ଆସନ୍ତୁ ମାଆ ଙ୍କ ଚରଣରେ ଅଧିଆ ପଡିବା ସେ ହିଁ ମାର୍ଗଦର୍ଶନ କରିବେ ।

ସମସ୍ତେ ମାଆଙ୍କ ଅଭୟ ଚରଣ ରେ ଅଧିଆ ପଡି ଉଠିବା ବେଳେ ୩-୪ ଟି ବଡ ଗାଡି ଆସି ମନ୍ଦିର ଫାଟକ ସମ୍ମୁଖରେ ଠିଆ ହେଲା, ସୁରକ୍ଷା ବଳୟ ଭିତରେ ଗୋଟେ ଗାଡିରୁ ବାହାରି ଆସିଲେ ଜଣେ ପୋଲିସ ମାଡାମ୍ ଆଉ ଜଣେ ସାର। 

ଅଶୋକ ବାବୁ- ନନା, ଏ ମାଡାମ୍ କିଏ ?

ଖଗେଶ୍ଵର ନନା- ଦିନେ ପରେ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ଆରମ୍ଭ, ସେଥିପାଇଁ ସ୍ପେସାଲ୍ ଡିଉଟି ରେ କଟକରୁ ଆସିଛନ୍ତି  ଡି ଏସ ପି ମାଡାମ୍ ମିସ୍ ରୂପମ୍ବିକା ଆଉ ତାଙ୍କ ଆସିଷ୍ଟାଣ୍ଟ୍ ଭାବେ ସିନିଅର ଇନିସ୍ପେକ୍ଟର ମିଷ୍ଟର ଆଶୁତୋଷ।...

ଏପଟେ ସେ ଅନ୍ଧାର ପରିତ୍ୟକ୍ତ କୋଠରୀ ମଧ୍ୟରେ ଏତେ ଦିନ ଧରି ବହୁ କଷ୍ଟରେ ଅନ୍ୟ ସାତ ଟି ଝିଅଙ୍କ ସହ ଦିନ ଅତିବାହିତ କରୁଥିଲା ପ୍ରଭା। ଖାଇବା ସମୟ ହେଲେ କବାଟ ତଳୁ ଆଠ ଗୋଟି ଥାଳି ରେ ଖାଦ୍ୟ ଆସେ କିନ୍ତୁ ସାମ୍ନା କୁ କେହି କେବେ ଆସନ୍ତି ନାହିଁ କି କୌଣସି କଥା ଭାଷା ବି ଶୁଭେନି। 

ଚାହୁଁ ଚାହୁଁ ଆସିଲା ପ୍ରତିପଦା ତିଥି, ବିରଜା ଦେବୀଙ୍କ ନବଦିନବ୍ୟାପୀ ରଥଯାତ୍ରା ର ପ୍ରଥମ ଦିବସ। ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ରଥଯାତ୍ରା ବିଷୟରେ ସମସ୍ତେ ଜାଣନ୍ତି, ମାତ୍ର ଶକ୍ତିପୀଠ ମାନଙ୍କରେ ରଥଯାତ୍ରା ହେବାର ନଜିର ନାହିଁ, ତେଣୁ ମାଆଙ୍କ ରଥ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ଵଭାବିକ। ପ୍ରତିବର୍ଷ ଶାରଦୀୟ ଷୋଡ଼ଷ ଦିନାତ୍ମକ ଦୁର୍ଗାପୂଜା ମଧ୍ୟରେ ପ୍ରତିପଦାଠାରୁ ମହାନବମୀ ତିଥି ଯାଏଁ ମାଆଙ୍କ ରଥ ମନ୍ଦିର ବେଢା ପରିକ୍ରମା କରେ। ରଥ ନିର୍ମାଣ କାର୍ଯ୍ୟକୁ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥି ଶୁଭ ସୁନିଆଁ ରେ ଆରମ୍ଭ କରାଯାଇ ମହାଳୟା ଅମାବାସ୍ୟା ଦିନ ରଥର ଅଧିବାସ ଓ ପ୍ରତିପଦାରେ ରଥ ପ୍ରତିଷ୍ଠା କରାଯାଏ। ସେହିଦିନ ଦେବୀ ବିରଜାଙ୍କ ବିଜେ ପ୍ରତିମା ରଥାରୋହଣ କରି ମହାନବମୀ ପର୍ଯ୍ୟନ୍ତ ନଅ ଦିନରେ ନଅ ଥର ଉପରବେଳା ମନ୍ଦିର ଚାରିପାଖେ ପରିକ୍ରମା କରନ୍ତି। କେତେକ ଏହାକୁ ବିଜୟା ରଥ କହୁଥିଲା ବେଳେ ରଥ ଉପରେ ଉଡୁଥିବା ପତାକାରେ ସ୍ଥିତ ସିଂହ ମୂର୍ତ୍ତି ହିଁ ପ୍ରମାଣିତ କରେ ଯେ ରଥର ନାମ ସିଂହଧ୍ଵଜ। ଧଳା ରଙ୍ଗ- ମା' ସରସ୍ବତୀ, କଳା ରଙ୍ଗ- ମହାକାଳୀ, ନାଲି ରଙ୍ଗ- ମହାଲକ୍ଷ୍ମୀ, ଏବଂ ହଳଦିଆ ରଙ୍ଗ- ବ୍ରହ୍ମାଣୀଙ୍କ ପ୍ରତୀକ ହୋଇଥିବାରୁ ରଥ ଉପରେ ଏହି ସବୁ ବର୍ଣ୍ଣ ବିଶିଷ୍ଟ ଆବରଣ ବ୍ୟବହୃତ ହୁଏ। ତେବେ ୧୩ ଥାକିଆ ଓ ୫୫ ଫୁଟ ଉଚ୍ଚ ସୁଭଦ୍ରାଙ୍କ ଦେବଦଳନ ରଥ ସହ ମା' ବିରଜାଙ୍କ ରଥର ଅନେକ ସାମଞ୍ଜସ୍ଯ ରହିଥାଏ। ସେ ଯାହା ବି ହେଉ ନା କାହିଁକି ରୂପମ୍ବିକା ମାଡାମ୍ ଆଉ ଆଶୁତୋଷ ସାର ଙ୍କ ଉପସ୍ଥିତି ଯୋଗୁଁ ଏଥର ଖୁବ ସୁନ୍ଦର ଭାବେ ସିଂହଧ୍ଵଜ ଗଡିଲା ଆଉ ଝୁମି ଉଠିଲା ସମଗ୍ର ଯାଜପୁର। ରଥରେ ଆରୋହଣ କରିଥିବା ଦେବୀଙ୍କୁ ଦର୍ଶନ କରି ଭକ୍ତ ମଣ୍ଡଳୀ ପଞ୍ଚ ପାତକରୁ ମୁକ୍ତି ନିମିତ୍ତ ମାର୍ଗ ପ୍ରଶସ୍ତ କଲେ। 

ଦ୍ଵିତୀୟ ଦିବସ ସକାଳର କଥା, ହୋଟେଲ ରୁମ ଭିତରେ ସୁମିତ୍ରା ଦେବୀ ନିଦରୁ ଉଠି ଦେଖନ୍ତି ଅଶୋକ ବାବୁ ପାଖରେ ନାହାନ୍ତି। କାଳେ ବାଥରୁମ୍ ଯାଇଥିବେ ଭାବି ସେଠାରେ ଦେଖିଲା ବେଳକୁ ବି ନାହାନ୍ତି, ଏତେ ସକାଳୁ ଉଠି ଗଲେ କୁଆଡେ ବୋଲି ସୁମିତ୍ରା ଦେବୀ ଚିନ୍ତିତ ହୋଇଗଲେ। ହୋଟେଲ କର୍ମଚାରୀ ମାନେ ମଧ୍ୟ ଏ ଖବର ପାଇ ସମସ୍ତ ରୁମ ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ମଧ୍ୟ ନିରାଶ ହେଲେ। ସୁମିତ୍ରା ଦେବୀଙ୍କ ମୁଣ୍ଡରେ ଚଡକ ପଡିଲା, କଣ ଏସବୁ ଘଟି ଯାଉଛି... ଆଗେ ଝିଅ, ଏବେ ସ୍ଵାମୀ... କୋଉ ଜନ୍ମର ଶତୃତା କିଏ ବାହାର କରୁଛି କେଜାଣି! 

ସୁମିତ୍ରା ଦେବୀ କିଂକର୍ତ୍ତବ୍ୟବିମୂଢ଼ ହୋଇ ଧାଇଁଲେ ଖଗେଶ୍ଵର ନନାଙ୍କ ପାଖକୁ ଆଉ ଅଶୋକ ବାବୁଙ୍କ ନିଖୋଜ ହେବା ଖବର ଦେବାରୁ ସେ ମଧ୍ୟ ଚିନ୍ତିତ ହୋଇ ପଡିଲେ। ଇନିସ୍ପେକ୍ଟର ସତ୍ୟଜିତ୍ ସେତେବେଳେ ରୂପମ୍ବିକା ମାଡାମ୍ ଙ୍କ ସହିତ କୌଣସି କାଗଜପତ୍ର କାମରେ ବ୍ୟସ୍ତ ଥାନ୍ତି ମନ୍ଦିର କାର୍ଯ୍ୟାଳୟ ଭିତରେ, ସଙ୍ଗେ ସଙ୍ଗେ ଖଗେଶ୍ଵର ନନା ସୁମିତ୍ରା ଦେବୀଙ୍କୁ ନେଇ ସବୁ ଘଟଣା ଉଭୟଙ୍କ ଆଗରେ କହିଲେ। ଏତେ ଦିନ ଧରି କେସ ପେଣ୍ଡିଙ୍ଗ ଥିବା କଥା ଶୁଣି ରୂପମ୍ବିକା ମାଡାମ୍ ପ୍ରବଳ ବିରକ୍ତ ହେଲେ ଇନିସ୍ପେକ୍ଟର ସତ୍ୟଜିତ୍ ଙ୍କ ଉପରେ।

ରୂପମ୍ବିକା- କଣ ଇନିସ୍ପେକ୍ଟର ସତ୍ୟଜିତ୍ କଣ କରୁଛି ଯାଜପୁର ପୋଲିସ? ଏତେ ଦିନ ହେଲାଣି , ସେ ଝିଅ କୁ ଯଦି କିଏ ଜିଲ୍ଲା କି ରାଜ୍ୟ ବାହାରକୁ ନେଇ ଯାଇଥିବ?

ସତ୍ୟଜିତ୍- ନାଇଁ ମାଡାମ୍, ଆମେ ତୁରନ୍ତ ଯାଜପୁର ସଦର ସୀମାନ୍ତବର୍ତ୍ତୀ ଇଲାକା କୁ ସିଲ କରିଦେଇଥିଲୁ, ତେଣୁ ସେ ଯିଏ ବି ହେଇଥିବ ଏ ସହର ଭିତରେ ହିଁ ଥିବ।

ରୂପମ୍ବିକା- କିନ୍ତୁ ସେତିକି ଯଥେଷ୍ଟ ନୁହଁ, ଶୀଘ୍ର ଗୋଟେ ଟିମ୍ ମତେ ଦିଅନ୍ତୁ ମୁଁ ନିଜେ ଏ କେସ ହ୍ୟାଣ୍ଡଲ୍ କରିବି।

ସତ୍ୟଜିତ୍- ହେଲେ ମାଡାମ୍ ରଥଯାତ୍ରା? 

ରୂପମ୍ବିକା- ସେ କଥା ଆପଣ ଚିନ୍ତା କରନ୍ତୁନି, ତା ପାଇଁ ମୁଁ ଅଲଗା ଟିମ୍ କଟକରୁ ଡକେଇ ଦେବି।

ଏ ସମୟରେ ଯାଜପୁର ଏସ ପି ଅଫିସରୁ ସମସ୍ତଙ୍କ ଫୋନ କୁ ମେଲ ଆସିଛି।

ଆଶୁତୋଷ- ମାଡାମ୍ , ମେଲ ଦେଖନ୍ତୁ ଗତ ୧୦ ଦିନରେ ଯାଜପୁର ର ଭିନ୍ନ ଭିନ୍ନ ଅଞ୍ଚଳ ରୁ ଆହୁରି ୭ ଟି ଝିଅ ନିଖୋଜ ଅଛନ୍ତି ସମସ୍ତଙ୍କ ବୟସ ସେଇ ୧୦ବର୍ଷ ଭିତରେ।

ରୂପମ୍ବିକା- ତା ମାନେ ପ୍ରଭା କୁ ମିଶେଇ ୮ ଟି ଝିଅ ଙ୍କ ଜୀବନ ବିପଦ ରେ, ମିଷ୍ଟର ଆଶୁତୋଷ ଗାଡି କାଢ଼ନ୍ତୁ ଆଉ ମିଷ୍ଟର ସତ୍ୟଜିତ୍ ଶୀଘ୍ର ଗୋଟେ ଟିମ୍ କୁ କୁହନ୍ତୁ ଆମକୁ ଫଲୋ କରିବେ।

ତା ପରେ ସେମାନେ ଯାଜପୁର ସହରର କୋଣ ଅନୁକୋଣରେ ସନ୍ଧାନ ଜାରି ରଖିଲେ ଆଉ ଦିନ ରାତି ପ୍ରତ୍ୟେକ ଟି ଗାଡିର ନିଖୁଣ ତଦାରଖ କଲେ। ହେଲେ କିଛି ସୁଫଳ ମିଳିଲାନି, ଦିନ ପରେ ଦିନ ଗଡି ଚାଲିଲା ମାଆଙ୍କ ସିଂହଧ୍ଵଜ ପରି। ମହାସପ୍ତମୀ ଯାଇ ଆସିଲା ପ୍ରମୁଖ ତିଥି ମହାଷ୍ଟମୀ, ଶାରଦୀୟ ଦୁର୍ଗୋତ୍ସବ ତଥା ଦେବୀଙ୍କ ମହା ପାର୍ବଣର ପ୍ରଧାନ ଦିବସ। ଏପଟେ ସନ୍ଧ୍ୟା ସମୟରେ ମାଆଙ୍କ ସନ୍ଧିପୂଜା ତଥା ମହିଷ ଲାଖବିନ୍ଧା ପରମ୍ପରାର ସମସ୍ତ ପ୍ରସ୍ତୁତି ଚାଲିଛି, ଇନିସ୍ପେକ୍ଟର ସତ୍ୟଜିତ୍ ଙ୍କ ଠାରୁ ଖବର ଆସିଲା ଯେ ମହାଶ୍ମଶାନ ଆଡୁ ଗୋଟେ ସନ୍ଦିଗ୍ଧ ଗାଡି ସିଦ୍ଧେଶ୍ଵର ପୀଠ ଅଭିମୁଖେ ଦୃତ ଗତିରେ ମାଡି ଚାଲିଛି ସେଠାରେ ଡିଉଟି ରେ ଥିବା କନଷ୍ଟେବଳଙ୍କ ସାମାନ୍ୟ ଅବହେଳା ଯୋଗୁଁ ।

ରୂପମ୍ବିକା ମାଡାମ୍ ଚିତ୍କାର କରି କହିଲେ- ସବୁ ଯାକ ଇଡିଅଟ ଏଇଠି, ଜଲ୍ଦି ସେ ଗାଡି କୁ ଫଲୋ କରନ୍ତୁ, ମୁଁ ଇନିସ୍ପେକ୍ଟର ଆଶୁତୋଷଙ୍କ ସହ ସାଙ୍ଗେ ସାଙ୍ଗେ ଆସୁଛି...କ୍ଵିକ୍! 

ବ୍ରହ୍ମା ଯେତେବେଳେ ପୁଣ୍ୟଭୂମି ଯାଜପୁରରେ ଯଜ୍ଞ କରିବାକୁ ସ୍ଥିର କଲେ, ସେତେବେଳକୁ ଜଳର ଆବଶ୍ୟକତା ପଡ଼ିବାରୁ ସେ ପତିତପାବନୀ ଗଙ୍ଗାଙ୍କୁ ପ୍ରାର୍ଥନା କଲେ। ତେଣୁ ଗଙ୍ଗା କେନ୍ଦୁଝର ଜିଲ୍ଲାର ଗୋନସିକା ପର୍ବତରୁ ବୈତରଣୀ ନାମରେ ବହିବାକୁ ଲାଗିଲେ। ହେଲେ ଆସିବା ବାଟରେ ଅଶିକ୍ଷିତ ବଣୁଆ ଲୋକ ମାନଙ୍କ ଉଲଗ୍ନ ରୂପ ଦେଖି ସେ ଅଟକିଗଲେ, ଏହି ଘଟଣା ପରେ ବ୍ରହ୍ମା ଦେବୀ ବୈତରଣୀଙ୍କୁ ଅପବିତ୍ରତାରୁ ରକ୍ଷା କରିବା ନିମିତ୍ତ ଗୋନସିକା ଠାରୁ ପ୍ରତି ଏକ କ୍ରୋଶ(୩ କିମି) ଦୂରତା ରେ ଗୋଟିଏ ଗୋଟିଏ ଶିବଲିଙ୍ଗ ସ୍ଥାପନ କଲେ, ଏମାନଙ୍କୁ ହିଁ କ୍ରୋଶ ଲିଙ୍ଗ କୁହାଯାଏ। ପ୍ରଥମ କ୍ରୋଶ ଲିଙ୍ଗର ନାମ ବ୍ରହ୍ମେଶ୍ଵର ଏବଂ ଶେଷ କ୍ରୋଶ ଲିଙ୍ଗ ହେଉଛନ୍ତି ସିଦ୍ଧେଶ୍ଵର। ଏହି ସିଦ୍ଧେଶ୍ଵର ଠାରେ ହିଁ ବୈତରଣୀ ଉତ୍ତର ବାହିନୀ ହୋଇ ପୂର୍ବ ଦିଗକୁ ବହି ଯାଇଛନ୍ତି, ତେଣୁ ଏହାକୁ ଉତ୍ତର ବାହିନୀ ଗଙ୍ଗା ବୋଲି କୁହନ୍ତି। ଏହି ସ୍ଥାନ ଟି ଅସ୍ଥିକ୍ଷେପଣ ତୀର୍ଥ ରୂପେ ପରିଚିତ। ତ୍ରିବେଣୀ ସଙ୍ଗମରେ ଅସ୍ଥିକ୍ଷେପଣ କଲେ ଯେଉଁ ଫଳ ମିଳେ, ଉତ୍ତର ବାହିନୀ ସିଦ୍ଧ ବୈତରଣୀରେ ଅସ୍ଥିକ୍ଷେପଣ କଲେ ମଧ୍ୟ ସମାନ ଫଳ ପ୍ରାପ୍ତ ହୋଇଥାଏ। ସୁତରାଂ ବୈତରଣୀ ଜଳ ଗଙ୍ଗା ଠାରୁ କୌଣସି ଗୁଣରେ କମ ପବିତ୍ର ନୁହେଁ। 

ସେହି ସିଦ୍ଧେଶ୍ଵର ପୀଠ ଦିଗରେ ଆଗେଇ ଚାଲିଛି ସନ୍ଦିଗ୍ଧ ଗାଡି ତା ପଛେ ପଛେ ଇନିସ୍ପେକ୍ଟର ସତ୍ୟଜିତ୍ ଙ୍କ ଗାଡି ଆଉ ସବା ଶେଷରେ ରୂପମ୍ବିକା ମାଡାମ୍ ଓ ଆଶୁତୋଷ ସାର ଙ୍କ ସହିତ ସୁମିତ୍ରା ଦେବୀ ଓ ଖଗେଶ୍ଵର ନନା ମଧ୍ୟ ଆସିଥାନ୍ତି। ହଠାତ୍ ସିଦ୍ଧେଶ୍ଵର ପୀଠ ନିକଟରେ ସନ୍ଦିଗ୍ଧ ଗାଡି ଅଟକି ଗଲା, ପଛରେ ଯାଉଥିବା ଇନିସ୍ପେକ୍ଟର ସତ୍ୟଜିତ୍ ଓ ରୂପମ୍ବିକା ମାଡାମ୍ ଟିକେ ଦୂରରୁ ଧୀରେ ଧୀରେ ଗାଡି ପାର୍କ କରି ଛପି ରହିଲେ। ସନ୍ଦିଗ୍ଧ  ଗାଡି ଭିତରୁ ଚାଦର ଘୋଡେଇ ହୋଇ ୪ ଜଣ ଲୋକ ବାହାରି ଆସିଲେ ଆଉ ସେ ଆଠ ଜଣ ଝିଅଙ୍କୁ ଧରି ଉତ୍ତର ବାହିନୀ ଗଙ୍ଗା ଆଡକୁ ଅଗ୍ରସର ହେଲେ। ରୂପମ୍ବିକା ମାଡାମ୍ ମଧ୍ୟ ସମସ୍ତଙ୍କୁ ନେଇ ଚୁପଚାପ୍ ସେ ଦିଗରେ ଯାଇ ଗଛ ଉହାଡ଼ ରେ ଲୁଚି ରହିଲେ। ଭାରି ଶୁନଶାନ୍ ସେ ଜାଗା, ପୁଣି ରାତି ୧୦ ଟା ପାଖାପାଖି ସମୟ ଚାରିଆଡେ ଅନ୍ଧକାର, ଆଖିକୁ ସ୍ପଷ୍ଟ ଦେଖା ଯାଉନି କିଛି। ଅକସ୍ମାତ ସେଠାରେ ନିର୍ମିତ ଯଜ୍ଞକୁଣ୍ଡରୁ ହୁତୁହୁତୁ ହୋଇ ଅଗ୍ନି ପ୍ରଜ୍ୱଳିତ ହେଲା, ଆଉ ଦେଖା ଗଲା ଲେମ୍ବୁ, ଲଙ୍କା, ଖପୁରି, ହାଡ, ନାଲି ସିନ୍ଦୁର ଭଳି ତନ୍ତ୍ର ସାଧନା ପଦ୍ଧତିର ସକଳ ଉପକରଣ। ୪ ଜଣ କଳା ବସ୍ତ୍ର ପରିହିତ କାପାଳିକ ସେ ୮ ଜଣ ଝିଅଙ୍କୁ ଗୋଟେ ଗୋଲାକୃତି ସୀମା ମଧ୍ୟରେ ଆବଦ୍ଧ କରିଥାନ୍ତି, ସେ ଝିଅ ଗୁଡିକ ବୋଧେ ମୋହନିଦ୍ରା ଅବସ୍ଥାରେ ଥିଲେ। ମାତ୍ର ମୁଖ୍ୟ କାପାଳିକ ଭଳି ମନେ ହେଉଥିବା ବ୍ୟକ୍ତି ଜଣକ ପଛକୁ ବୁଲି ବସିଥିବାରୁ ତାଙ୍କ ମୁହଁ ଦେଖି ହେଉନଥିଲା। ଜୟ ଦେବୀ ଶ୍ମଶାନ ତାରା ବୋଲି ଉଚ୍ଚାରଣ କରି ସେ ଯେତେବେଳେ ବୁଲି ପଡିଲେ ଏପଟେ ଛପି ରହିଥିବା ସମସ୍ତେ ହତ ଚକିତ ହୋଇ ପଡିଲେ... କାରଣ ସେ ମୁଖ୍ୟ କାପାଳିକ ଜଣକ ଥିଲେ ନିଜେ ଅଶୋକ ବାବୁ !!!! 

ଅଶୋକ ବାବୁ- ଏଇ ୮ ଜଣ ଆଜି ମୋ ମାଆ ପାଖେ ସମର୍ପିତ ହେବେ ମହାଷ୍ଟମୀ ସନ୍ଧିପୂଜାର ଏ ମହାର୍ଘ ବେଳା ରେ, ଜଣ ଜଣ କରି ସବୁ ଝିଅଙ୍କୁ ବଳିପ୍ରଥା ପାଇଁ ନେଇକି ଆସ ଶୀଘ୍ର।

ତତକ୍ଷଣାତ୍ ରୂପମ୍ବିକା ମାଡାମ୍ ଗଛ ଉହାଡ଼ ରୁ ବାହାରି ଆସିଲେ ଆଉ ତାଙ୍କ ପଛେ ପଛେ ଅନ୍ୟମାନେ ବି।

ରୂପମ୍ବିକା ମାଡାମ୍- ଆରେ, ଅଶୋକ ବାବୁ ଆପଣ ପରା ଜଣେ ବରିଷ୍ଠ ଓଡ଼ିଆ ଅଧ୍ୟାପକ... ଏ ତନ୍ତ୍ର ମନ୍ତ୍ର ଜଗତକୁ କେମିତି କଣ ଆସିଲେ, ବିଚାରୀ ସୁମିତ୍ରା ମାଡାମ୍ ଆପଣଙ୍କୁ କିଏ ଉଠେଇ ନେଲା ବୋଲି ଖିଆ ପିଆ ଛାଡି ଦେଲେଣି, କିନ୍ତୁ ଏଠି ତ....

ସୁମିତ୍ରା ଦେବୀ- ତମେ ବାପ ନା ରାକ୍ଷସ, ଶେଷରେ ନିଜ ଝିଅ କୁ ଛାଡିଲନି... ଛି , କଣ ପାଇଁ ଏସବୁ କରୁଛ, ତମେ ଏସବୁ କୋଉଠୁ ଶିଖିଲ, କଣ ଲାଭ ପାଇବ ନିଜ ଝିଅ କୁ ବଳି ଦେଇ?

ଅଶୋକ ବାବୁ- ଆବେ ଚୁପ, ବହୁତ ପାଟି କରୁଛୁ ସବୁ କହିବି ଆଜି ମନ ଦେଇ ଶୁଣ; ଆମ ପୂର୍ବପୁରୁଷଗଣ ବିରଜାକ୍ଷେତ୍ରରେ ସକଳ ପ୍ରକାର ତନ୍ତ୍ର ବିଦ୍ୟାର ଉନ୍ମେଷ କରିଥିଲେ, ମାତ୍ର ରାଜା ଦ୍ଵିତୀୟ ଯଯାତି ଯେତେବେଳେ କାନ୍ୟକୁବ୍ଜରୁ ଦଶ ସହସ୍ର ବେଦଜ୍ଞ ବ୍ରାହ୍ମଣ ଡକାଇ ଏଠାରେ ଦଶାଶ୍ୱମେଧ ଯଜ୍ଞ କଲେ ତା ପରେ ବିରଜା ଦେବୀ ସାବିତ୍ରୀ ମନ୍ତ୍ରରେ ପୂଜିତା ହୋଇ କ୍ରମେ ବୈଦିକ ରୀତିରେ ଉପାସିତା ହେଲେ, ତନ୍ତ୍ର ବିଲୁପ୍ତ ହେଲା ଆଉ ଆମ ବଂଶଧରଗଣ ଧୀରେ ଧୀରେ ପାଠ ପଢି ଚାକିରୀ ବାକିରି ରେ ମନ ଦେଲେ ମୁଁ ବି ସେଇ ଦିଗରେ ଗଲି , ହେଲେ ଜମାରୁ ମନ ଲାଗିଲାନି, ତେଣୁ ବାହାଘର ପୂର୍ବରୁ ଥରେ ମୁଁ ଲୁଚିକି ପଶ୍ଚିମବଙ୍ଗ ବୀରଭୁମ୍ ଅନ୍ତର୍ଗତ ତାରାପୀଠ ଗଲି ଆଉ ସେଠାରେ ଅଘୋରୀ ତାନ୍ତ୍ରିକ ମାନଙ୍କ ଠାରୁ ସକଳ ବିଦ୍ୟା ଶିଖିଲି। ମୋର ଗୋଟିଏ ଲକ୍ଷ୍ଯ ଥିଲା ଯାଜପୁରର ସବୁଠୁ ସିଦ୍ଧ ତାନ୍ତ୍ରିକ ହେବା, ସେଥିପାଇଁ ଅମାବାସ୍ୟା ପକ୍ଷ ରେ ଜାତ ହୋଇଥିବା ୧୦ ବର୍ଷର ୮ ଟି ଝିଅଙ୍କ ବଳି ଆବଶ୍ୟକ ଥିଲା, ୭ ଟି ଝିଅ ମୋ ଚେଲା ମାନେ ଖୋଜିଦେଲେ ଆଉ ଗୋଟିଏ ଝିଅ ମିଳିଲାନି, ମୋ ପାଖରେ ସମୟ ନଥିବାରୁ ମୁଁ ଆମ ପ୍ରଭା କୁ ଆଣି ଆସିଲି ସେ ବି ଅମାବାସ୍ୟା ପକ୍ଷ ରେ ଜନ୍ମ ନା...

ଆଶୁତୋଷ ସାର- ହେଲେ ତୋ ସ୍ବପ୍ନ କେବେ ପୂର୍ଣ୍ଣ ହେବନି ମୂର୍ଖ ଆମେ ଆସି ଯାଇଛୁ

ଅଶୋକ ବାବୁ- ତମେ ମୋର କିଛି କରି ପାରିବନି, ସିଦ୍ଧ ଅଗ୍ନି ପ୍ରଜ୍ୱଳିତ ହୋଇ ସାରିଛି ଏବେ ମୋର ଗୋଟିଏ ଆହୁତି ତୁମ ସମସ୍ତଙ୍କୁ ବନ୍ଦୀ କରିଦେବ।

ସେ ଥରେ ଆହୁତି ଦେବା ମାତ୍ରକେ ସମସ୍ତେ ବନ୍ଦୀ ହୋଇଗଲେ କେବଳ ରୂପମ୍ବିକା ମାଡାମ୍ ଆଉ ଆଶୁତୋଷ ସାର ଙ୍କୁ ଛାଡି। ଅଶୋକ ବାବୁ ଆଚମ୍ବିତ ହୋଇ ପଡିଲେ କେମିତି ତାଙ୍କ ତନ୍ତ୍ର ଶକ୍ତି ଏମାନଙ୍କ ଉପରେ କାମ ଦେଲାନି ବୋଲି।

ରୂପମ୍ବିକା ମାଡାମ୍ ହସି ହସି କହିଲେ- ଏମିତି ବୋକା ଙ୍କ ଭଳି ଚାହିଁଛୁ କଣ? ଆମ ପରିଚୟ ଖୋଜୁଛୁ... ଆମ ନାଁ ର ଅର୍ଥ ଭାବି ଦେ ଉତ୍ତର ପାଇଯିବୁ, ହେଲେ ତୋ କଥା ବିଚାର କରିବା ପାଇଁ ଅନ୍ୟ କେହି ଆସିବେ ଟିକେ ଅପେକ୍ଷା କର... 

ଆକାଶକୁ ଚାହିଁ ରୂପମ୍ବିକା ମାଡାମ୍ ଆହ୍ୱାନ କଲେ- ହେ ମାତୃକା ଦେବୀ ତୁରନ୍ତ ପ୍ରକଟ ହୁଅ।

ମୋହନିଦ୍ରା ରେ ଥିବା ୮ ଜଣ ଝିଅ ଅକସ୍ମାତ୍ ଜାଗ୍ରତ ହୋଇଗଲେ, ମାତୃକାଙ୍କର ସଂଖ୍ୟା ୮ ହେଲେ ମଧ୍ୟ ସ୍ଵତନ୍ତ୍ର ସ୍ଥାନରେ ଚାମୁଣ୍ଡା ଦେବୀ ପୂଜା ପାଆନ୍ତି ତେଣୁ ସପ୍ତ ମାତୃକା ବୋଲି କୁହାଯାଉଛି, ପ୍ରଭା ଦେହରେ ଚାମୁଣ୍ଡା ଦେବୀ ପ୍ରବେଶ କଲେ। ତା ପରେ ଯଥାକ୍ରମେ ଅନ୍ୟ ସାତ ଜଣଙ୍କ ଦେହରେ ବ୍ରହ୍ମାଣୀ, ବୈଷ୍ଣବୀ, ମାହେଶ୍ଵରୀ, କୌମାରୀ, ବରାହୀ ତଥା ନରସିଂହୀ ଦେବୀ ପ୍ରବେଶ କରି ସେ ତନ୍ତ୍ର ସାଧନା କ୍ଷେତ୍ର କୁ ଧ୍ଵଂସସ୍ତୁପ ରେ ପରିଣତ କରିବା ସହ ଅଶୋକ ବାବୁଙ୍କ ସମେତ ଅନ୍ୟ କାପାଳିକ ମାନଙ୍କୁ ଅକର୍ମଣ୍ଯ ସଜେଇ ଦେଲେ। ଶେଷରେ ରୂପମ୍ବିକା ମାଡାମ୍ ଙ୍କ ଚରଣରେ ନତ ମସ୍ତକ ହୋଇ ପୁନଃ ନିଜ ଆସ୍ଥାନ କୁ ଫେରିଗଲେ।

ରୂପମ୍ବିକା ମାଡାମ୍- ତନ୍ତ୍ର ବିଦ୍ୟା ସମାଜର ମଙ୍ଗଳ ପାଇଁ ଉପଯୋଗୀ ହେବା ବିଧେୟ, ନଚେତ ଏ କାପାଳିକଙ୍କ ପରି ଚିରକାଳ ଯାଏଁ ଅକର୍ମଣ୍ଯ ହୋଇ ଅଭିଶପ୍ତ ଜୀବନ ଅତିବାହିତ କରିବା ସାର ହେବ।

ସୁମିତ୍ରା ଦେବୀ ରୂପମ୍ବିକା ମାଡାମ୍ ଙ୍କ ପାଦ ତଳେ ପଡି କହିଲେ- ଆପଣ କିଏ ମାତା? ଅନୁଗ୍ରହ କରି ମୋ ଶଙ୍କା ଦୂର କରନ୍ତୁ

ରୂପମ୍ବିକା ମାଡାମ୍- ମୋର ତ ହଜାର ହଜାର ନାମ ଆଉ ଧାମ, ହେଲେ ବିପତ୍ତି କାଳରେ ଭକ୍ତ ମତେ ଯେଉଁ ନାମରେ ସ୍ମରଣ କରେ ମୁଁ ସେଇ ରୂପରେ ତା ପାଖେ ହାଜର ହୋଇଯାଏ ଖଗେଶ୍ଵର ନନା ଆମକୁ ଚିହ୍ନି ସାରିଛନ୍ତି ସେ ହିଁ ତୁମ ଶଙ୍କା ଦୂର କରିବେ, କଲ୍ୟାଣ ହେଉ କହି ରୂପମ୍ବିକା ମାଡାମ୍ ଓ ଆଶୁତୋଷ ସାର ଅନ୍ତର୍ଦ୍ଧାନ ହୋଇଗଲେ।

ଖଗେଶ୍ଵର ନନା ଯୋଡ଼ ହସ୍ତରେ ଭାବ ପ୍ରବଣ ହୋଇ ଉତ୍ତର ଦେଲେ- ଆଶୁତୋଷ ସାର ଥିଲେ କ୍ଷେତ୍ର ରକ୍ଷକ ସଂହାର ଭୈରବ ଆଉ ରୂପମ୍ବିକା ମାଡାମ୍ ସ୍ୱୟଂ ଅଯୋନିସମ୍ଭୁତା ଶୁଦ୍ଧ ସତ୍ତ୍ଵମୟୀ ପରମ ବୈଷ୍ଣବୀ ରଜୋ ଗୁଣ ରହିତ ଦେବୀ ଆଦ୍ୟାଶକ୍ତି ବିରଜା। ଯୁଗେ ଯୁଗେ ସଂସାରକୁ ପାଳନ ଓ ରକ୍ଷା କରିବା ନିମନ୍ତେ ହିଁ ମାତା ମର୍ତ୍ତ୍ୟମଣ୍ଡଳକୁ ଆସିଛନ୍ତି। କିଏ କହେ ଦେବୀ ସତୀଙ୍କ ନାଭିରୁ ଜାତ ପୁଣି କିଏ କହେ ଦେବୀ ବ୍ରହ୍ମାଙ୍କ ଯାଗ ଅଗ୍ନିରୁ ଜାତ। ମାତ୍ର କୌଷିତକୀ ବ୍ରାହ୍ମଣ ଉପନିଷଦରେ ମଧ୍ୟ ବିରଜା ଶବ୍ଦ ରହିଛି। କିନ୍ତୁ ଦେବୀ ଭାବରେ ନୁହଁନ୍ତି, ନଦୀ ଭାବରେ। ମୁକ୍ତି ପାଇବାର ବିଭିନ୍ନ କ୍ରମ ବେଦରେ ବର୍ଣ୍ଣିତ ହୋଇଛି। ଆତ୍ମା ଯେତେବେଳେ କାଳ କବଳରୁ ମୁକ୍ତ ହୁଏ, ସେତେବେଳେ ତାହା ଆଗରେ ଥାଏ ଦେବଲୋକ; କିନ୍ତୁ ଆତ୍ମା ଓ ଦେବଲୋକ ମଝିରେ ବହି ଯାଉଥାଏ -ବିରଜା ନଦୀ। ଏହି ବିରଜା ନଦୀକୁ ପାରି ହେଲେ ଆତ୍ମା ଦେବଲୋକର ବିଭିନ୍ନ ସୋପାନ ଅତିକ୍ରମ କରି ପରମ ଧାମ କୁ ଗତି କରେ, ଯେଉଁଠାରେ ଆତ୍ମା ପରମାତ୍ମା ସହ ଲୀନ ହୁଏ।


Rate this content
Log in

Similar oriya story from Drama