Dr Prateek kumar Pahi

Romance Thriller

3.9  

Dr Prateek kumar Pahi

Romance Thriller

ବର୍ଷାଭିଜା ରାତି

ବର୍ଷାଭିଜା ରାତି

10 mins
446



ଆକାଶରେ ବାଦଲ ଫଟା ବର୍ଷା, ତା ସାଥେ ପ୍ରଖର ବେଗରେ ଝଡି ପବନ, ରାତି ସେତେବେଳକୁ ୧୧ ଟା ପାଖାପାଖି ହେଲାଣି। ରାଜେଶ କଟକଠାରୁ କାର୍ ଯୋଗେ ଆଗେଇ ଚାଲିଛି ହରିଚନ୍ଦନପୁର(କେନ୍ଦୁଝରଗଡ଼) ଅଭିମୁଖେ । ବର୍ଷା ବୋଧହୁଏ ଦେଢ଼ ଘଣ୍ଟା ଉପରେ ହେଇଯିବ ଥମିବା ନାଁ ଧରୁନି, ସେତେବେଳକୁ ସେ ଯାଜପୁର ଜିଲ୍ଲାର ଟମକା ସଂରକ୍ଷିତ ଜଙ୍ଗଲ ଅତିକ୍ରମ କରି କେନ୍ଦୁଝର ଜିଲ୍ଲାର ବ୍ରାହ୍ମଣୀପାଳ ପାଖରେ ପହଞ୍ଚି ସାରିଥିଲା। ସେଠାରୁ ହରିଚନ୍ଦନପୁର ଆଉ ୩୫ କିମି ଦୂରରେ, ମାତ୍ର ମଝିରେ ପଡିବ ଅଗନା ଅଗନି ସବୁଜ ବନସ୍ତ ଘେରା ଦାନ୍ତୁଆଣୀ ଘାଟି। ଏତେ ଲଗାଣ ବର୍ଷାରେ ସେ ଘାଟି ରାସ୍ତାରେ ଯିବା ସେ ସୁରକ୍ଷିତ ମନେ କଲାନି, ପାଖରେ ଯେଉଁ ସ୍ୱଳ୍ପ ସଂଖ୍ୟକ ଘର ଥିଲା ସେସବୁରେ ବୋଧହୁଏ ଲୋକେ ଶୋଇ ଗଲେଣି, ହୋଟେଲ କି ଲଜ୍ ମିଳିବାର ଆଶା ମଧ୍ୟ ସେଠାରେ କ୍ଷୀଣ। ଠିକ ଏହି ସମୟରେ ତା ଆଖିରେ ପଡିଲା ଛୋଟ ଘର ଟିଏ, ଆଲୁଅ ମଧ୍ୟ ଜଳୁଛି ବୋଧହୁଏ ଲୋକ ଚେଇଁ ଛନ୍ତି। ସେ ଜମାରୁ କାଳ ବିଳମ୍ବ ନକରି ଗାଡିକୁ ଯଥାଶୀଘ୍ର ପାର୍କ କରି ଦୌଡ଼ି ଦୌଡ଼ି ଯାଇ ସେ ଘରର କଲିଂ ବେଲ୍ ବଜାଇଲା, ଦୁଇ ତିନି ଥର ବେଲ୍ ବାଜିଲା ପରେ ଘର ଭିତରୁ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ତା'ରି ବୟସର(୩୦-୩୧) ଜଣେ ଅନିନ୍ଦ୍ୟ ସୁନ୍ଦରୀ ମହିଳା ବାହାରି ଆସିଲେ।

ରାଜେଶ - ମାଡାମ, ମୁଁ ଇନ୍ସପେକ୍ଟର ରାଜେଶ ମୋର କଟକରୁ ହରିଚନ୍ଦନପୁର ଥାନାକୁ ବଦଳି ହୋଇଛି, କାଲି ଜଏନିଙ୍ଗ୍ ଅଛି, ଆଜି କାମ ସାରି ଆସୁ ଆସୁ ଲେଟ ହେଇଗଲା, ପୁଣି ଏ ଯୋଉ ବର୍ଷା ... ଆଗକୁ ଯିବା କଣ ସେଫ୍ ରହିବ ଘାଟି ଉପର ଦେଇ ?!

ସେ ମହିଳା ଜଣକ ଉତ୍ତର ଦେଲେ - ଜମା ବି ନୁହେଁ, ଯେତିକି ବର୍ଷା ହେଲାଣି ଗଛ ପଡି ରାସ୍ତା ବ୍ଲକ ହେଇସାରିଥିବ...

ରାଜେଶ - ତେବେ କଣ କରିବା ମାଡାମ, ଆପଣଙ୍କ ଘରେ ଆଉ କିଏ ପୁରୁଷ ଲୋକ ଅଛନ୍ତି ?

ମହିଳା - କେହି ବି ନାହାନ୍ତି, ମୁଁ ଏକା ରହେ ...

ରାଜେଶ - ଓକେ ମାଡାମ୍, ମୁଁ ତେବେ ଆସୁଛି ରାତିଟା ଗାଡି ଭିତରେ ଟିକେ ରେଷ୍ଟ ନେଇ ଭୋର୍ ହେଲେ ବାହାରି ଯିବି, ବର୍ଷା ବି କମି ଯାଇଥିବ... ବୋଲି କହି ରାଜେଶ ପଛକୁ ବୁଲି ପଡିଲା ବେଳକୁ ସେ ମହିଳା ଜଣକ କହିଲେ- ଶୁଣନ୍ତୁ, ଆପଣ ପୁରାପୁରି ଓଦା ହୋଇଯାଇଛନ୍ତି, ତା ପରେ ରାତିରେ ବାହାରେ କଣ ଶୋଇବେ, ଘରକୁ ଆସନ୍ତୁ ମୋର ଗୋଟେ ଗେଷ୍ଟ ରୁମ ଅଛି ସେଇଠି ଆରାମ ସେ ରେଷ୍ଟ ନେଇ ସକାଳ ହେଲେ ଯିବେ।

ରାଜେଶ ଟିକେ ସଂକୋଚ ଅନୁଭବ କରିବାରୁ ମହିଳା ଜଣକ ପୁଣି କହିଲେ- ଏତେ ଆଉ ଚିନ୍ତା କରନ୍ତୁନି, ଜଲ୍ଦି ଆସନ୍ତୁ ନଚେତ୍ ସର୍ଦ୍ଦି ହେଇଯିବ।

ଏହାପରେ ରାଜେଶ ଗାଡ଼ିରୁ ତା ଜିନିଷଗୁଡିକ ଆଣି ସେ ମହିଳାଙ୍କ ସାଙ୍ଗେ ତାଙ୍କ ଗେଷ୍ଟ ରୁମକୁ ଗଲା ଆଉ ଡ୍ରେସ ଚେଞ୍ଜ କରିବାକୁ ବାହାରିଲା, ସେହି ସମୟରେ ଅନାମିକା ମହିଳା ମଧ୍ୟ ରାଜେଶ ପାଇଁ କଫି ତିଆରି କରିବାକୁ କିଚେନ୍ ଆଡ଼େ ଅଗ୍ରସର ହେଲେ ।

ମହିଳା ଜଣକ କଫି କପ୍ ଧରି ନିମିଷକ ମଧ୍ୟରେ ରାଜେଶ ଥିବା କୋଠରୀ ପାଖରେ ପହଞ୍ଚି ଦେଖିଲେ କବାଟ ଅଧାରୁ ଟିକେ କମ ଖୋଲା ଅଛି, କବାଟ ଫାଙ୍କରେ ସେ କଣେଇ ଚାହିଁଲାବେଳକୁ ଧଳା ଟାୱେଲରେ ଚମକି ଉଠୁଥିଲା ରାଜେଶର ଜିମ୍ ଟୋନ୍ଡ ଫୁଙ୍ଗୁଳା ଦେହ, ଏକ ଦୁଇ କରି ଏତେ ଦୂରରୁ ବି ଗଣି ହେଉଛି ତା ଛ' ଗୋଟି ବିସ୍କିଟ୍ (ଆବ୍ସ୍)। ଚାହିଁଲେ ବି ଆଖି ଫେରେଇ ପାରୁ ନଥିଲେ ଅନାମିକା ମହିଳା, ମାତ୍ର କୌଣସି ମତେ ସେଠାରୁ ଆସି ଡ୍ରଇଂ ରୁମ ସୋଫା ଉପରେ ବସି ଭାବିଲେ- ଛି, କେଡେ ଲାଜ କଥା ... ମୁଁ ଏ କଣ କରୁଥିଲି ... ଏମିତି ଭାବୁ ଭାବୁ ରାଜେଶ ଆସି ସେଠାରେ ପହଞ୍ଚି ଯାଇ ପଚାରିଛି- ମାଡାମ୍, ଆପଣଙ୍କ ନାଁ ଟା କହିଲେନି ତ ? ସ୍ଵାତୀ- ମହିଳା ଜଣକ ଉତ୍ତର ଦେଲେ ।

ରାଜେଶ- ଆଚ୍ଛା ତେବେ ସ୍ଵାତୀ ମାଡାମ୍ ଆପଣ କଣ ଏଠି ଏକା ରୁହନ୍ତି, ଆଇ ମିନ୍ ଆଉ କେହି ଫାମିଲି ମେମ୍ବର ?

ସ୍ଵାତୀ- ଆଜ୍ଞା ମୁଁ ଏକା ହିଁ ରହେ, ମୁଁ ବାହା ହେଇନି ... କିନ୍ତୁ ସେସବୁ ଛାଡ଼ନ୍ତୁ କଫି ପିଅନ୍ତୁ ଥଣ୍ଡା ହେଇଯିବ, ଆଉ କଣ ଖାଇବେ କି କୁହନ୍ତୁ ? ଡିନର କରିଛନ୍ତି ?

ରାଜେଶ- ୟେସ୍, ମୁଁ କଟକରୁ ଡିନର କରି ଆସିଥିଲି ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି (ରାଜେଶ କଫି କପ୍ ନେଇ ପିଇବା ଆରମ୍ଭ କରିଛି), ବାଃ ଚମତ୍କାର ଫିଲ୍ଟର୍ କଫି ମାଡାମ୍ ... ବହୁତ ଧନ୍ୟବାଦ ଆପଣଙ୍କୁ, ତେବେ ଆପଣ କଣ କରନ୍ତି ?

ସ୍ଵାତୀ- ବ୍ରାହ୍ମଣୀପାଳ ହାଇସ୍କୁଲରେ ଟିଚର୍ ଅଛି ।

ରାଜେଶ- ଓକେ, ଭେରି ନାଇସ୍ ... ହେଲେ ଆପଣ ସିଙ୍ଗଲ୍ ନା ମିଙ୍ଗଲ୍ ଯେ ... ଏତେ ସୁନ୍ଦରୀ ମହିଳା ସିଙ୍ଗଲ୍ ହେଇଥିବା ପରି ଲାଗୁନି !

ସ୍ଵାତୀ- ଅଫ୍ କୋର୍ସ ସିଙ୍ଗଲ୍, ବଟ୍ ନଟ୍ ଆଭେଲେବଲ ... 

ମୁଁ ଆଜି ଜାଣିଲି ଯେ ପୋଲିସମାନେ ବି ଏତେ ଫ୍ଲର୍ଟ୍ ।

ରାଜେଶ- କାଇଁ, ପୋଲିସର ବି ହୃଦୟ ଅଛି ମନ ଅଛି...

ସ୍ଵାତୀ- ହଉ ରାତି ୧୨:୩୦ ହେଲାଣି ଶୋଇଯାନ୍ତୁ, ଭୋରରୁ ଉଠି ମୁଁ ୱାକରେ ଯିବି ।

ରାଜେଶ- ମତେ ବି ଟିକେ ଡାକିବେ ପ୍ଲିଜ୍, ପାହାଡ଼ୀ ଜାଗା ସବୁ ଦେଖିବାକୁ ମୋର ଭାରି ଇଚ୍ଛା।

ସ୍ଵାତୀ- ଠିକ ଅଛି, ଗୁଡ଼ ନାଇଟ୍ ।

ଏହାପରେ ଦୁହେଁ ନିଜ ନିଜ ରୁମକୁ ଶୋଇବାକୁ ଗଲେ । କିଛି ସମୟ ମଧ୍ୟରେ ରାତି ପାହି ଭୋର୍ ହେଲା, ବର୍ଷା ପୁରା ଛାଡି ଯାଇଥାଏ, ରାଜେଶ ଆଉ ସ୍ଵାତୀ ୱାକରେ ବାହାରିଲେ। ଲଗାଣ ବର୍ଷା ଯୋଗୁଁ ପାହାନ୍ତି ସମୟ ଶୀତ ଦିନ ଭଳି ଧୂଆଁଳିଆ ମନେ ହେଉଥାଏ। ପାହାଡ଼ ଖୋଲ ଗୁଡିକରୁ ବର୍ଷା ଜଳ ଝରି କୃତ୍ରିମ ପ୍ରପାତର ଭ୍ରମ ସୃଷ୍ଟି କରୁଛନ୍ତି, ଏହି ସମୟରେ ରାସ୍ତା କଡରେ ପଡ଼ିଥିବା କିଛି ଚିକିଟା କାଦୁଅରେ ସ୍ଵାତୀର ପାଦ ପଡିଲା ଆଉ ସେ ଖସି ପଡିଥିଲା ରାଜେଶର ବାହୁ ଯୁଗଳ ରେ, ଈଶ୍ୱର ବୋଧହୁଏ ଚାହୁଁଥିଲେ ଏ ସ୍ୱର୍ଗୀୟ ଆଲିଙ୍ଗନ, ହାଏ କେତେ ରୋମାଣ୍ଟିକ୍।

ସ୍ଵାତୀ ତରବର ହୋଇ ରାଜେଶ ବାହୁ ବନ୍ଧନରୁ ଫିଟି ଯାଇ କହିଲା- ଆଇ ଆମ୍ ଏକ୍ସଟ୍ରିମ୍ଲି ସରି... କାଦୁଅ ଥିଲା ମୁଁ ଜାଣି ପାରିଲିନି ।

ରାଜେଶ- ଆପଣ କାଇଁ ସରି କହୁଛନ୍ତି ମ, ବର୍ଷାଦିନେ ଏସବୁ ନର୍ମାଲ, ନୋ ସରି ।

ସ୍ଵାତୀ- ସେଥିପାଇଁ ଏ ବର୍ଷାଋତୁ ମୋର ଆଦୌ ପସନ୍ଦ ନୁହଁ...

ରାଜେଶ- ମତେ କିନ୍ତୁ ବର୍ଷା ଭାରି ପସନ୍ଦ, ଆପଣ ବି ଏ ଋତୁକୁ ଭଲ ପାଇ ଦେଖନ୍ତୁ ସେ ଆପଣଙ୍କୁ ନାନା ଢଙ୍ଗରେ ବିସ୍ମିତ କରିବ... ପୁରା ରଜସ୍ଵଳା ମାଟିର ବାସ୍ନା ପରି, ଇନ୍ଦ୍ରଧନୁର ସାତ ରଙ୍ଗ ପରି, ସାଧବ ବୋହୂର ନାଲି ଟୁକୁଟୁକୁ ରୂପ ପରି, ମୟୂରୀର ପୁଚ୍ଛ ପରି, କାଗଜର ଡ଼ଙ୍ଗା ପରି ପୁଣି ଆପଣଙ୍କ ହାତ ତିଆରି ଫିଲ୍ଟର୍ କଫିର ସ୍ୱାଦ ପରି ।

ସ୍ଵାତୀ- ଚମତ୍କାର, ଆପଣ କବି ହେଲେନି କାହିଁକି ?

ରାଜେଶ- ସେଇଟା ଶିରାପ୍ରଶିରାରେ ଉହ୍ୟ ହେଇକି ଅଛି, ହୃଦୟ ଭାବପୂର୍ଣ୍ଣ ହେଲେ ଆପେ ଉଛୁଳି ଉଠେ... ହଉ ସେସବୁ କଥା ଛାଡ଼ନ୍ତୁ ଆପଣଙ୍କ ଘର ପରିବାର ଜୀବନ ବିଷୟରେ ଟିକେ କୁହନ୍ତୁ ପ୍ଲିଜ୍, ଏଭଳି ମାହୋଲ୍ ବହୁତ ବିରଳ ତେଣୁ... 

ସ୍ଵାତୀ- କଣ କହିବି ଆପଣଙ୍କୁ, ବହୁତ ଲମ୍ବା କାହାଣୀ ହେବ, ଆପଣଙ୍କର ଲେଟ ହେବନି ତ ଜଏନିଙ୍ଗ ପାଇଁ କି ?

ରାଜେଶ- ଜମା ନୁହେଁ, ଟାଇମ୍ ଅଛି ଆପଣ କୁହନ୍ତୁ... 

ତା ପରେ ସ୍ଵାତୀ ଆରମ୍ଭ କଲା ତା ଜୀବନ ଯାତ୍ରାର ପ୍ରତି ଟି ସୋପନର କଥା- ମୋ ଜନ୍ମ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟସ୍ଥ ଏକ ଗ୍ରାମରେ, ପିଲାବେଳୁ ବାପାଙ୍କ ମୁହଁ ଦେଖିନି, ବାପା ଚାଲିଗଲା ପରେ ମାଆ ମଧ୍ୟ କେମିତି ଟିକେ ଚୁପଚାପ୍ ହେଇଗଲା ଡିପ୍ରେସନ ଯୋଗୁଁ । ତେଣୁ ବହୁ ଛୋଟ ବେଳୁ ମୋ ଜୀବନ ସଙ୍ଘର୍ଷରେ ଭରା, ତେବେ ସେ ଯାହା ବି ହଉ ବହୁତ କଷ୍ଟରେ ମୁଁ ପଢା ସାରିଲି, ଭଗବାନଙ୍କ ଅପାର କରୁଣାରୁ ମୋର ପ୍ରଥମ ପୋଷ୍ଟିଙ୍ଗ ହେଲା ବ୍ରାହ୍ମଣୀ ପାଳ ହାଇସ୍କୁଲ ରେ। ମାଆକୁ ସାଥିରେ ନେଇ ମୁଁ ଏଠାକୁ ସିଫ୍ଟ ହେଲି, ହେଲେ ଗୋଟିଏ ବର୍ଷ ଭିତରେ ମାଆ ମଧ୍ୟ ମତେ ଛାଡି ଚାଲିଗଲା... ଭାରି ଏକା ଆଉ ଅସହାୟ ହୋଇ ପଡିଲି ମୁଁ, ଦୁନିଆଁ ଜମା ଭଲ ଲାଗୁନଥିଲା... ଲାଗୁଥିଲା ଏ ଜୀବନ ସତରେ କେତେ ଅସାର ଆଉ ମୂଲ୍ୟହୀନ। 

ଏମିତି ଦିନେ ସକାଳୁ ମୁଁ ୱାକ୍ ପାଇଁ ବାହାରିଥାଏ, ଘର କବାଟ ଖୋଲିଲା ବେଳକୁ ଦେଖିଲି ବାରଣ୍ଡାରେ ଥୁଆ ହୋଇଛି ଏକ୍ଜୋଟିକ୍ ଟ୍ୟୁଲିପରେ ସୁସଜ୍ଜିତ ଏକ ସୁନ୍ଦର ଚାଙ୍ଗୁଡ଼ି ଆଉ ତା ସହ ଗୋଟେ ଛୋଟ କାଗଜରେ କିଛି ଲେଖା- ଦୁନିଆଁରେ ଦୁଃଖୀ ହେବା ପାଇଁ ଯଦି ଶହେ କାରଣ ଥାଏ ସୁଖୀ ହେବା ପାଇଁ ଗୋଟିଏ କାରଣ ଯଥେଷ୍ଟ, ଶୁଭ ସକାଳ, ଏବେ ଟିକେ ହସିଦିଅ।

ଟ୍ୟୁଲିପ୍ ଚାଙ୍ଗୁଡ଼ିକୁ ବାରଣ୍ଡାରେ ଥୋଇ ମୁଁ ଚାରିଆଡେ ଖୋଜିଲି ହେଲେ ସେଠାରେ କେହି ବି ନଥିଲେ, ବାରି ପଟକୁ ଯାଇ ଦେଖେ ତ ଆମ୍ବଗଛ ଡାଳରେ ଗୋଟେ ସ୍ମାଇଲି ବଲ୍ ଝୁଲୁଛି ପୁଣି ସେଥିରେ ଲେଖା ଅଛି- ଜମା ରାଗନି, ଅବଶ୍ୟ ରାଗିଲେ ବି ତମେ ସୁନ୍ଦର ଦିଶୁଥିବ ମୁଁ ଜାଣେ... ଖୁବ୍ ଶୀଘ୍ର ମୁଁ ତୁମକୁ ଦେଖା ଦେବି। 

ତା ପରେ ମୁଁ ଆଉ ଚାଲିବାକୁ ନ ଯାଇ କାମଦାମ ସାରି ସିଧା ସ୍କୁଲ ଯିବାକୁ ବାହାରିଲି, ସ୍କୁଟି ଧରି ମୁଁ ରାସ୍ତାରେ ଯାଉଥାଏ ଦେଖିଲି ଗୋଟେ ଜାଗାରେ ମେଞ୍ଚାଏ ଗିଲିରି ଫୁଲ ବ୍ୟବହାର କରି ହୃଦୟ ଭଳି ଏକ ଆକୃତି ତିଆରି କରା ଯାଇଛି ଆଉ ତା ଭିତରେ ଲେଖା ଅଛି-ସରି । ମୁଁ ସେପଟକୁ ଜମାରୁ ଦୃଷ୍ଟି ନ ଦେଇ ସ୍କୁଲରେ ପହଞ୍ଚି ଗଲି, ମୁଁ ଡରୁଥାଏ କାଳେ ସେ ପାଗଳ ପ୍ରେମୀ ଏଠି ବି କିଛି ସିନ୍ କ୍ରିଏଟ କରିବ ବୋଲି । ମାତ୍ର ସେମିତି କିଛି ବି ହେଲାନି, ଶନିବାର ଥିବାରୁ ସ୍କୁଲ ୧୧ ଟା ସୁଦ୍ଧା ଶେଷ ହେଲା ମୁଁ ଘରକୁ ଫେରି ଦେଖିଲି କବାଟ ଉପରେ ପୁଣି ଗୋଟେ କାଗଜ ସାଥେ ଚକଲେଟ ପେଷ୍ଟ ହେଇଚି ଆଉ କାଗଜରେ ଲେଖା ଅଛି- ୪:୪୫, ଗୁଣ୍ଡିଚାଘାଗୀ/ ତମେ ଆଉ ମୁଁ । ମୁଁ ସେ କାଗଜକୁ ଚିରି ଫିଙ୍ଗି ଦେଲି ଆଉ ସେ ଚକଲେଟକୁ ଡଷ୍ଟବିନରେ ପକେଇ ଦେଲି, ତା ପରେ ଖାଇ ପିଇ ଶୋଇ ପଡିଲି। ୪ ଟା ବେଳେ ମୁଁ ନିଦରୁ ଉଠିକି ଦେଖେ ତ ମୋ ଘର ସାମ୍ନାରେ ଗୋଟେ କାର୍ ଛିଡା ହୋଇଛି, ଯେମିତି ମୁଁ କବାଟ ଖୋଲିଚି ଜଣେ ବୟସ୍କ ଡ୍ରାଇଭର ସେ ଗାଡି ଭିତରୁ ଆସି ମୋ ପାଖେ ଠିଆ ହେଲେ ଆଉ କହିଲେ- ମାଡାମ୍, ଟିକେ ରେଡି ହେଇଯାନ୍ତୁ ଗୁଣ୍ଡିଚାଘାଗୀ ଯିବା ସାର୍ ମତେ ପଠେଇଛନ୍ତି । 

ସ୍ୱାତୀ- କୋଉ ସାର୍ ମ ସିଏ, ମୁଁ କାହିଁକି ଯିବି ?

ଡ୍ରାଇଭର- ପ୍ଲିଜ଼ ମାଡାମ୍, ଚାଲନ୍ତୁ ଥରେ ଦେଖାକଲେ ଅସୁବିଧା କଣ, ସାର୍ ଆମର ଭାରି ଭଲ ଲୋକ ।

ମୁଁ ଆଉ ବେଶୀ କିଛି ନ କହି ବାହାରି ପଡିଲି ଦେଖିବା ପାଇଁ ଯେ କିଏ ସେ ପ୍ରେମୀ ପାଗଳ...

୪୦ ମିନିଟ୍ ଭିତରେ ମୁଁ ପହଞ୍ଚି ଯାଇଥିଲି ଚିତ୍ତାକର୍ଷକ ଜଳପ୍ରପାତ ଗୁଣ୍ଡିଚାଘାଗୀ ପାଖରେ, ମତେ ଝୁଲନ୍ତା ସେତୁ ଉପରେ ଠିଆ କରେଇ ଡ୍ରାଇଭର ମଉସା ଟିକେ ଦୂରକୁ ଚାଲିଗଲେ, ଶୀତଦିନ ତେଣୁ ଗୋଧୂଳି ବେଳା ଆଗତ ପ୍ରାୟ, ପକ୍ଷୀ ମାନଙ୍କ ଲେଉଟଣୀ କଳରବ ଧ୍ୱନି ସାଥେ ପ୍ରପାତର ଘର୍ଘର ନାଦ ନିଘଞ୍ଚ ସବୁଜିମାର ନୀରବତାକୁ ବାରମ୍ବାର ଭଙ୍ଗ କରୁଥାଏ... ଯେତିକି ଯେତିକି ଶୀତ ବଢ଼ି ଚାଲିଥାଏ, ସେଇ ଅନୁପାତରେ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଉଥାଏ... ହଠାତ୍ ମୁଁ ପଛକୁ ବୁଲି ପଡିଲା ବେଳକୁ ଦେଖିଲି ଗୋଟେ ବିରାଟ ଟେଡି ବିଅର ମୋ ନିକଟତର ହେବାକୁ ଲାଗିଥିଲା, ମାନେ କିଏ ଜଣେ ତାକୁ ଧରି ମୋ ପାଖକୁ ଆସୁଥିଲା... ମୋ ପାଖରେ ପହଞ୍ଚି ସେ ମତେ ନିଜ ମୁହଁ ଦେଖେଇ କହିଲେ- ଗୁଡ଼ ଇଭ୍ନିଙ୍ଗ ସ୍ଵାତୀ ମାଡାମ୍, କଣ ଜାଣିପାରିଲେ ?

ସ୍ଵାତୀ- ସଞ୍ଜୟ ସାର୍ ଆପଣ !!! ମୋ ଆଶ୍ଚର୍ଯ୍ୟର ସୀମା ରହିଲାନି!

ରାଜେଶ- ଏ ସଞ୍ଜୟ ସାର୍ ପୁଣି କିଏ, ତାଙ୍କୁ ଆପଣ ଚିହ୍ନିଥିଲେ ?

ସ୍ଵାତୀ- ବହୁତ ଭଲ ଭାବେ ଜାଣିଥିଲି ସଞ୍ଜୟ ସାରଙ୍କୁ, ସେ ଏଠାକାର ଫରେଷ୍ଟ ରେଞ୍ଜର୍ ଥିଲେ, ମୁଁ ଆମ ସ୍କୁଲର ଇକୋକ୍ଲବ ଦାୟିତ୍ଵ ବହନ କରିଥିବାରୁ ବନମହୋତ୍ସବ ତଥା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ହେଉଥିବା ନାନା କାର୍ଯ୍ୟକ୍ରମ ଜରିଆରେ ତାଙ୍କ ସହ ଜଡିତ ଥିଲି, କହିବାକୁ ଗଲେ ତାଙ୍କର ଖୁବ ଭଲ ବନ୍ଧୁ ଥିଲି ମୁଁ । ସେ କିଶୋର ଅବସ୍ଥାରେ ନିଜ ମାଆଙ୍କୁ ହରେଇବା ପରେ ତାଙ୍କ ବାପା ଦ୍ଵିତୀୟ ବିବାହ କରିଥିଲେ, ତେଣୁ ତା ପରଠୁ ସାର୍ ନିଜ ବାପାଙ୍କ ଠାରୁ ଅଲଗା ରହୁଥିଲେ। ସେ ଭଲ ଚାକିରୀ ଖଣ୍ଡେ ପାଇଗଲେ ସତ ମାତ୍ର ସର୍ବଦା ଅସ୍ଥିରଚିତ୍ତରେ ରହୁଥିଲେ। ହେଲେ ସେ ମତେ ଏ ଭିତରେ ଭଲ ପାଇ ବସିଛନ୍ତି ବୋଲି ମୋର ଧାରଣା ନଥିଲା, ସେ ଆଉ ଗୌରଚନ୍ଦ୍ରିକା ନ ଦେଇ ସିଧାସଳଖ ମତେ ବିବାହ ପ୍ରସ୍ତାବ ଦେଲେ ଆଉ ମୋର ସେଥିରେ ଅରାଜି ହେବାର ପ୍ରଶ୍ନ ଉଠୁ ନଥିଲା। ଧୀରେ ଧୀରେ ସଞ୍ଜ ନଇଁ ଆସିବାରୁ ଆମେ ସେଠାରୁ ଫେରିଲୁ, ଆସିବା ରାସ୍ତାରେ ଦାନ୍ତୁଆଣୀ ଘାଟି ଉପରେ ମା' ଦାନ୍ତୁଆଣୀ ପୀଠ(ଘଟଗାଁର ଅନତିଦୂରରେ ଶଗଡ଼ପଟା ନିକଟରେ ଅବସ୍ଥିତ ଶକ୍ତିପୀଠ, ଯାହାକି ଗୋବିନ୍ଦ ଭଞ୍ଜ କିମ୍ବଦନ୍ତୀରେ ଖଣ୍ଡାପୀଠ ରୂପେ ପରିଚିତ, ଜନଶୃତି ଆଧାରରେ ଏହି ସ୍ଥାନ ହେଉଛି ମା' ତାରିଣୀଙ୍କ ଆଦି ଉପାସନାର ଭୂମି ଯେଉଁ ସ୍ଥାନରୁ ଦେବୀ ନିଜ ଖଣ୍ଡା ଫିଙ୍ଗିଥିଲେ ତାହା ଯେଉଁଠି ପଡିଲା ସେଇ କ୍ଷେତ୍ର ହେଲା ବର୍ତ୍ତମାନର ଘଟଗାଁ, ତଥାପି ଏ ସବୁ ତଥ୍ୟ ଆହୁରି ଗବେଷଣା ସାପେକ୍ଷ)। ମୁଁ ମା'ଙ୍କୁ ଦର୍ଶନ କରି ମେଲାଣି ନେବା ପାଇଁ ସଞ୍ଜୟ ସାର୍ଙ୍କୁ କହିଲି, ଆମେ ଦୁହେଁ ମାଆଙ୍କୁ ମୁଣ୍ଡିଆ ମାରିବା ସମୟରେ ଆଳତି ଚାଲିଥାଏ, ସାର୍ ମୋ କାନରେ କହିଲେ- ଆଜିଠୁଁ ଆଉ ସାର୍ କି ଆପଣ ନୁହେଁ ମତେ ସଞ୍ଜୟ ଆଉ ତମେ ବୋଲି କହିବ। ମୁଁ ତାଙ୍କ କଥାରେ ହଁ ଭରି ଗାଡି ଆଡକୁ ଆସିଲି ସେ ଭୋଗ ଦୋକାନରେ ପଇସା ଦେଇ ୫ ମିନିଟରେ ଆସିବେ କହି ମତେ ଆଗେ ଆଗେ ଯିବାକୁ କହିଲେ। ମୁଁ ରାସ୍ତା ପାର ହେଲା ବେଳେ ଗୋଟେ ଟ୍ରକ ଘାଟିର ଗୋଟେ ବାଙ୍କ ଆଡୁ ମାଡି ଆସିଲା, ମୋ ନିଃଶ୍ୱାସ ଅଟକି ଗଲା, ଏମିତି ଲାଗିଲା କି ଆଜି ମୋର ଶେଷ ଦିନ, ହେଲେ ସେ ଡ୍ରାଇଭର ମଉସା ମତେ ଭିଡି ଆଣି ବଂଚେଇ ଦେଇଥିଲେ। ସାଙ୍ଗେ ସାଙ୍ଗେ ସଞ୍ଜୟ ଧାଇଁ ଆସିଲେ ଆଉ ମତେ କୁଣ୍ଢେଇ ଧରିବା ସହ ଡ୍ରାଇଭର ମଉସାଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କଲେ, ମୁଁ ବି ମଉସାଙ୍କ ନିକଟରେ ଚିରଋଣୀ ହେଇଗଲି। ଏହାପରେ ସଞ୍ଜୟ ମତେ ମୋ ଘରେ ଛାଡି ତାଙ୍କ କ୍ଵାଟରସ୍ ଆଡକୁ ଗଲେ। ସେତେବେଳକୁ ଅନେକ ରାତି ହେଲାଣି ମୁଁ ଶୋଇବାକୁ ଯାଉଥାଏ ହଠାତ୍ ମୋ ଫୋନ୍ ବାଜି ଉଠିଲା, ମୁଁ ଦେଖିଲି ରୋମାର କଲ୍, ଏତେ ରାତିରେ ଇଏ କାଇଁ କଲ କରିଛି ଭାବି ମୁଁ ତା ଫୋନ ଉଠେଇ କହିଲି- ଆଲୋ....ଛୋପରି, କୋଉ ଗାତରେ ପଶିଥିଲୁ ବା, ଏତେ ଦିନକେ ମୋ କଥା ମନେ ପଡିଲା..।

ରୋମା- ବ୍ୟାଙ୍କ ଚାକିରୀ କେମିତିକା ତୁ ତ ଜାଣିଚୁ, ସିଡ୍ୟୁଲ୍ ପୁରା ଟାଇଟ... ବଡ ଛୁଟି ପାଇଲେ ସିନା କୁଆଡେ ଯିବୁ।

ସ୍ଵାତୀ- ହଁ ଠିକ କଥା, ଆଉ କେମିତି ଅଛୁ କହ?

ରୋମା- ପୁରା ଭଲ ଅଛି, ଏବେ ୩-୪ ଦିନ ଛୁଟି ଅଛି ତ କାଲି ଖୋର୍ଦ୍ଧା-କେନ୍ଦୁଝରଗଡ଼ ମେମୁରେ ଯାଉଛି ତୋ ନିଅରେଷ୍ଟ ଟାଙ୍ଗିରିଆ ପାଳ ଷ୍ଟେସନରେ ଓହ୍ଲେଇବି।

ସ୍ଵାତୀ- ଯାହା ହେଉ ଭଲ ଖବରଟେ ଦେଲୁ, କିନ୍ତୁ ସେ ଟ୍ରେନ ପହଞ୍ଚିବା ବେଳକୁ ରାତି ୭ ଟା ହେବ, ଆଉ ସେ ଜାଗାରେ ଅଟୋ ମିଳିବନି... ରହ ମୁଁ ଗାଡି ପଠେଇଦେବି ତୁ ଆସିଯିବୁ ହେଲା ।

ଏହା କହି ମୁଁ ସଞ୍ଜୟଙ୍କୁ ଫୋନ କରି ଏ ବିଷୟରେ ଜଣେଇଲି, ହେଲେ ସେ କିଛି ଜରୁରୀ କାମରେ ଦୁଇ ଦିନ ପାଇଁ ସଦର ଯିବେ ବୋଲି କହିଲେ ମାତ୍ର ଅଫିସ ଗାଡ଼ିରେ ତେଣୁ ତାଙ୍କ ନିଜ ଗାଡି ପଠେଇ ଦେବେ ବୋଲି କହିଲେ।ମୁଁ ତାଙ୍କୁ ଜଲଦି ଫେରିବା ପାଇଁ କହି ଫୋନ କାଟିଲି। ତା ପର ଦିନ ସନ୍ଧ୍ୟାରେ ଯଥା ସମୟରେ ଆସି ରୋମା ପହଞ୍ଚି ଗଲା, ହେଲେ ସେ ଡ୍ରାଇଭର ମଉସାଙ୍କ ଜାଗାରେ ଆଉ ଗୋଟେ ପିଲା ଥିଲା, ମଉସାଙ୍କର କଣ ହେଲା ବୋଲି ପଚାରିଲା ବେଳକୁ ସେ କହିଲା ସେ ଘରକୁ ଯାଇଛନ୍ତି। ରୋମାକୁ ରାତିରେ ମୁଁ ସଞ୍ଜୟଙ୍କ ବିଷୟରେ କହିଲି, ସେ ବ୍ୟସ୍ତ ହେଇଗଲା ତାଙ୍କୁ ଭେଟିବା ପାଇଁ। ତହିଁ ଆରଦିନ ମକର ସଂକ୍ରାନ୍ତି ଥାଏ, ରୋମା ଘଟଗାଁ ଯିବା ପାଇଁ କହିଲା, ମା'ଙ୍କ ସୁନାବେଶ ଦର୍ଶନ ସାଥେ ମକର ମେଳା ମଧ୍ୟ ବୁଲା ହେଇଯିବ। ହେଲେ ସଞ୍ଜୟଙ୍କ ଅଫିସ ଗାଡି ଖରାପ ହେବାରୁ ତାଙ୍କ ଡ୍ରାଇଭରକୁ ସେ ଗାଡି ନେଇ ଯିବା ପାଇଁ ଡ଼କେଇଲେ, ତେଣୁ ରୋମା ଆଉ ମୁଁ ଗୋଟେ ଭଡା ଗାଡି କରି ଘଟଗାଁ ଗଲୁ। ବୁଲାବୁଲି ସାରି ଫେରିଲା ବେଳକୁ ମୁହଁ ସଞ୍ଜ, ମୁଶଳ ନଦୀର ପୋଲ ଉପରେ ଗାଡିସହ ସଞ୍ଜୟ ଠିଆ ହୋଇଥିବା ପରି ଲାଗିଲା, ବୋଧହୁଏ କେନ୍ଦୁଝରରୁ ଫେରି ଆସିଲେଣି। ମୁଁ ଆଉ ରୋମା କାରରୁ ଓହ୍ଲେଇ ତାଙ୍କ ପାଖକୁ ଗଲୁ, ସେ ଭଡା ଗାଡିକୁ ସଞ୍ଜୟ ପଇସା ଦେଇ ବିଦା କଲେ ଆଉ ଧୀରେ ଧୀରେ ମୋ ପାଖକୁ ଆସିଲେ, ମୁଁ ଭାବିଲି କିଛି ସରପ୍ରାଇଜ୍ ଅଛି ବୋଧହୁଏ, ହେଲେ ସଞ୍ଜୟ ମୋ ଗାଲରେ ଗୋଟେ ଶକ୍ତ ଚାପୁଡ଼ା କଷି ଦେଲେ... କଣ ହେଉଛି ମୁଁ ବୁଝି ପାରୁନଥିଲି, ରୋମା ପୁରା ଚୁପ, ସେ ଡ୍ରାଇଭର ପିଲା ଛୁ ମାରିଲାଣି।

ସଞ୍ଜୟ- କଣ ମତେ ଅପେକ୍ଷା କରି ପାରିଲୁନି, ଏତେ ଭିଡରେ ମରି ଗଲୁ ମକର ମେଳା ବୁଲିବାକୁ, ହଁ ସେଇଠି କେତେ ଟୋକା ଥିବେ ତୋ ଦେହରେ ହାତ ମାରିଥିବେ ତତେ ଭାରି ପସନ୍ଦ ଆସିଥିବ ???

ସ୍ଵାତୀ- ମାନେ ? 

ସଞ୍ଜୟ- ମାନେ ସେଦିନ ଘାଟି ଉପରେ ତୋ ଡ୍ରାଇଭର ମଉସା ଯେତେବେଳେ ତତେ ଟ୍ରକ ଆଗରୁ ଭିଡି ନେଲା ମୋ ରକ୍ତରେ ନିଆଁ ଲାଗିଯାଇଥିଲା, ମାରିକି ତା ହାତ ଭାଙ୍ଗିଦେଲି ମୁଁ, ତେଣୁ ସେ ବୁଢା ଲୁଚିକି ଘରକୁ ଚାଲିଗଲା... ତତେ ମୋ ଛଡା କେହି ଛୁଇଁ ପାରିବେନି, ତୁ ମୋର କେବଳ ମୋର।

ସ୍ଵାତୀ- ତୁମେ ମଣିଷ ନା ପଶୁ, ଇଏ କି ରୂପ ତମର ?

ରୋମା- ଏଇଟା ଗୋଟେ ବଦ୍ଧ ପାଗଳ, ୟା ସହ ତୁ ସାରା ଜୀବନ ବର୍ବାଦ କରିବାକୁ ବସିଥିଲୁ... ଭଲ ହେଲା ଠିକ ସମୟରେ ସବୁ ଜଣା ପଡିଗଲା।

ସଞ୍ଜୟ- ତୋ ଭଳି ଉଗ୍ର ଆଧୁନିକା ଝିଅ ସମଗ୍ର ନାରୀ ଜାତିର କଳଙ୍କ, ନିଜେ ତ ବାହା ହେଇନୁ ଏବେ ସାଙ୍ଗ ଘର ଭାଙ୍ଗିବାକୁ ଚାଲି ଆସିଲୁ...

ରୋମା- ଆବେ ଯା ଯା, ତୋ ଭଳି ସାଇକୋ ସାରା ଦୁନିଆଁ ପାଇଁ ମହାମାରୀ ପରିକା... ରୋମାର କଥା ନ ସରୁଣୁ ସଞ୍ଜୟ କ୍ଷିପ୍ର ବେଗରେ ତା ଆଡକୁ ମାଡିଆସି ତା ତଣ୍ଟିକୁ ଚିପି ଧରିଲେ, ରୋମା ନିଃଶ୍ୱାସ ନେଇ ପାରୁନଥିଲା, ମୁଁ ଧାଇଁ ଯାଇ ଛଡେଇ ବାକୁ ଚେଷ୍ଟା କରିବାରୁ ସଞ୍ଜୟ ମତେ ଗୋଟେ ଧକ୍କା ମାରିଲେ ଯେ ମୁଁ ସିଧା ନଦୀରେ ପଡି ଭାସିବାକୁ ଲାଗିଲି। ମୋ ଅବସ୍ଥା ଦେଖି ରୋମା କୌଣସି ମତେ ସଞ୍ଜୟ କବଳରୁ ଖସି ମତେ ଉଦ୍ଧାର କରିବାକୁ ଆସୁଥାଏ, ସଞ୍ଜୟ ଗୋଟେ ବିରାଟ ପଥର ଆଣି ତା ମୁଣ୍ଡକୁ ଶକ୍ତ ଆଘାତ ଦେଲେ, ରୋମା ତଳେ ପଡିଗଲା ନିସ୍ତେଜ ହୋଇ। ମୁଁ ଭାସି ଭାସି ହଠାତ୍ ଗୋଟେ ବଡପଥର ଦେହରେ ପିଟି ହେଲି, ବୁଲିପଡ଼ିଲା ବେଳକୁ ଦେଖିଲି ସେ ଶିଳା ଉପରେ ବନଦେବୀଙ୍କ ଆସ୍ଥାନ ସହ ତ୍ରିଶୂଳ। ସଞ୍ଜୟ ଆଗେଇ ଚାଲି ଥିଲେ ରୋମାକୁ ପୁଣି ଥରେ ଆଘାତ ଦେବା ପାଇଁ, ମୁଁ ତ୍ରିଶୂଳ ଧରି ଧାଇଁଲି ସେ ଦିଗରେ। ସେ ରୋମାକୁ ମାରିବା ପୂର୍ବରୁ, ତା ଛାତିରେ ତ୍ରିଶୂଳକୁ ଆରପାର୍ କରିଦେଲି ମୁଁ, ନାଶ ଗଲା ପାପୀ ଶେଷ ହେଲା ପାପ। ତା ପରେ ରୋମାକୁ ନେଇ ତୁରନ୍ତ ମୁଁ ଡାକ୍ତରଖାନା ଗଲି ସେ ଅଳ୍ପ ଦିନରେ ସୁସ୍ଥ ମଧ୍ୟ ହେଲା, ମୋ ନାଁରେ କେଶ ଚାଲିଲା କିଛି ଦିନ ସଞ୍ଜୟ ହତ୍ୟା ପାଇଁ, କିନ୍ତୁ ତାହା ଆତ୍ମରକ୍ଷା ଉଦ୍ଦେଶ୍ୟରେ ହୋଇଥିବାରୁ ମୁଁ ନିର୍ଦ୍ଦୋଷରେ ଖଲାସ ହେଲି। ତା ପରେ ସବୁ ଏକାକାର, ପୁଣି ନିଃସଙ୍ଗତା...

ରାଜେଶ- ଆପଣଙ୍କ ନିଃସଙ୍ଗ ଜୀବନରେ କଣ ମତେ ଟିକେ ଜାଗା ମିଳିବ, ମୁଁ କଥା ଦଉଚି ଜମାରୁ ବିଶ୍ୱାସ ଭାଙ୍ଗିବିନି...

ସ୍ଵାତୀ- ଲେଟ୍ ହେଲାଣି, ଆପଣ ପୁଣି ଯିବେ ନା ହରିଚନ୍ଦନପୁର। ରାଜେଶ ଆଉ ବେଶୀ କିଛି ନ କହି ନିଜ କାମ ସବୁ ସାରି ବାହାରିଲା ଗାଡି ଧରି ଆଉ ଗଲା ବେଳକୁ ସ୍ଵାତୀକୁ କହିଲା- କେବେ କିଛି ସାହାଯ୍ୟ ଦରକାର ହେଲେ କହିବେ ମାଡାମ୍, ବର୍ଷା ଭିଜା ରାତିର ଆତିଥ୍ୟ ପାଇଁ ଅନେକ ଧନ୍ୟବାଦ, କେଜାଣି ପୁଣି କେବେ ଦେଖା ହେବ?

ସ୍ଵାତୀ- ବହୁତ ଶୀଘ୍ର, ଜଏନିଙ୍ଗ୍ ସାରି ଆସନ୍ତୁ ଲଞ୍ଚ ପାଇଁ ମୁଁ ଅପେକ୍ଷା କରିଥିବି...

ରାଜେଶ- ସବୁଦିନେ ଏମିତି ଆସିବି ତ?

ସ୍ଵାତୀ (ଅଳ୍ପ ହସି)- ପୋଲିସ ବାବୁ ଆପଣ ଭାରି ଦୁଷ୍ଟ(ସମାପ୍ତ)



Rate this content
Log in

Similar oriya story from Romance