Dr Prateek kumar Pahi

Crime Thriller

4.8  

Dr Prateek kumar Pahi

Crime Thriller

ଭୈରବୀ

ଭୈରବୀ

6 mins
538


କାଞ୍ଜିପାଣି ଘାଟିର ନୈସର୍ଗିକ ଶୋଭାରାଜି ଅଧମକୁ ବି ଭାବୁକ କରିଦିଏ, ନଭଶ୍ଚୁମ୍ଭୀ ପର୍ବତମାଳା ସାଙ୍ଗକୁ ଏକର ଏକର ବ୍ୟାପୀ ଚିର ହରିତ ଲାସ୍ୟମୟୀ ସବୁଜ ଚାଦର ତନ ମନକୁ ବିମୋହିତ କରେ। ଦାରିଙ୍ଗବାଡ଼ି ପରେ ଓଡ଼ିଶା ମାନଚିତ୍ରରେ କାଞ୍ଜିପାଣି ହିଁ ସେହି ସ୍ଥାନ ଯେଉଁଠାରେ ଶୀତ ଦିନରେ ବରଫ ଗୁଣ୍ଡ ଆକାଶରୁ ଖସେ। ପାଖାପାଖି କୋଡ଼ିଏ କିଲୋମିଟର ଦୂରତ୍ୱର ଏହି ଘାଟି କାଞ୍ଜିପାଣି ଠାରୁ ଆରମ୍ଭ ହେଲାପରେ ସାପ ଭଳି ମୋଡି ମାଡି ହୋଇ ଜଗମୋହନପୁର ଯାଏଁ ଲମ୍ବିଛି,ବାସ୍ତବିକ୍ ଏହା କେନ୍ଦୁଝରର ସବୁଠାରୁ ବିପଦଜନକ ତଥା ଶ୍ୱାପଦ ସଙ୍କୁଳ ଘାଟି କହିଲେ ଅତ୍ୟୁକ୍ତି ହେବନାହିଁ। ଏମିତି ଏକ ଶୀତୁଆ ସନ୍ଧ୍ୟାରେ ସେ ଘାଟିର ଅଙ୍କାବଙ୍କା ରାସ୍ତାରେ ମୁଁ ସାନ୍ଧ୍ୟ ଭ୍ରମଣ କରିବାର ସୁଯୋଗ ପାଇଥିଲି। ସନ୍ଧ୍ୟା ଯେତେ ବଢୁଥିଲା ଚାରିପାଖ ନିକାଞ୍ଚନ ପାହାଡ଼ୀ ଇଲାକାରେ ଘନ କୁହୁଡ଼ିର ଆସ୍ତରଣ ସେତେ ଚମତ୍କାର ମନେ ହେଉଥିଲା। ରାସ୍ତାରେ ବିଛେଇ ହୋଇ ପଡିଥିବା ଶୁଖିଲା ଶାଳ ପିଆଶାଳ ପତ୍ରଗୁଡ଼ିକୁ ସେତେବେଳକୁ ହାଲୁକା କାକର ବୁନ୍ଦା ଛୁଇଁ ସାରିଲାଣି। ହଠାତ୍ ନିଆଁ ପୁଇଁ ହେବାର ମୋହ ମନରେ ଜାଗ୍ରତ ହେଲା ବେଳକୁ ମୋ ସାମ୍ନା ଦେଇ ଦଳେ ଆଦିବାସୀ ଝିଅ କାଠଗୋଛା ମୁଣ୍ଡେଇ କିଛି ଏହିପରି ଗୀତ ଗାଇ ଗାଇ ଚାଲିଥାନ୍ତି -

"ଗାଇସିରୀ ମାତା ବୋରାମ୍ ଦେବତା,

 ଆମରି ଜାତିକୁ ସାହା,

 ମାଘପଡି ଠାରୁ ନୂତନ ବରଷ 

 ପରବ ସେ ଆମ୍ ନୂଆ....

 ବିଶିରି ଓଷାରେ କଲି ମାନସିକ 

 ମିଳିବ ସପନ ରଜା,

 ଅଶିଣ ମାସରେ ଡାକି ଠାକୁରାଣୀ

 କରିଛି କରମା ପୂଜା।"

ସେ ଗୀତି କବିତା ସୁରରେ ମୁଁ କିଛି ସମୟ ପାଇଁ ହଜି ଯାଇଥିଲି, ମାତ୍ର ସେ ଦଳରେ ଥିବା ଶେଷ ଝିଅଟିର ଶାଢୀ କାନି ଯେମିତି ମୋ ମୁହଁକୁ ଛୁଇଁଛି ମୋ ସାନ୍ଧ୍ୟକାଳୀନ ସ୍ୱପ୍ନ ଆଖି ପିଛୁଳାକେ କୁଆଡ଼େ ଉଭେଇ ଗଲା। ଯଦିଓ ତାକୁ ଭଲସେ ଦେଖି ପାରିଲିନି ତଥାପି ସେ ତେରେଛା ଚାହାଣୀ ହୃଦୟରେ ଗଭୀର ରେଖାପାତ କଲା,ଲାଗିଲା ସତେ ଯେମିତି ସେ ଆଖିରେ କୁଆଁରୀ ମନର ଚଞ୍ଚଳତା ନାହିଁ ମାତ୍ର ଅକୁହା ଗମ୍ଭୀରତା ଭରି ରହିଛି। ଏ ଭିତରେ ମୋ ସାଙ୍ଗ ବିରେନ୍ କେତେବେଳେ ଆସି ମୋ ପିଠିକୁ ଥାପୁଡ଼େଇ କହିଲାଣି- ସିଆଡେ ଦେଖ୍‌ ନାଇଁରେ ସାଙ୍ଗ,ଏଟା ସ୍ମାର୍ଟସିଟିର ଶିରିପୁର ମାର୍କେଟ ନୁହେଁ... ଘାଟି ସେପଟେ ଜୁଆଙ୍ଗ ଏପଟେ ପାଉଡୀ ଭୂୟାଁ,ଗୋଟେ ମାଡ ତଳେ ପଡ଼ିବନିରେ ଟୋକା।

ମୁଁ- ନାଇଁ ମ, ସେ ଭୁଲ୍ କେବେ କରେନି ମୁଁ.... ହଉ ଚାଲ୍ ରାତି ହେଇଯିବ ତୋ ଗାଆଁକୁ ଫେରିବା।

ବିରେନ୍- ଆରେ ହଁ, ତୁଇ ଆସିଚୁ ବୋଲି ଆଜି ଦରବାର୍‌ ଘରେ ଗୁଟେ ଦେଶୀ କୁକୁଡ଼ା ଭୁଜି ଅଛି.... ଶୀଘ୍ର ଚାଲ୍...

ବିରେନ୍ ହେଉଛି ମୋର ହାଇସ୍କୁଲ୍ ବେଳର ସାଙ୍ଗ,ଘର ତା'ର ଜଗମୋହନପୁର। ବହୁତ ଦିନରୁ ତା ସହ ଦେଖା ହେଇନଥିଲା ତେଣୁ ମୋର କିଛି ଦିନ ଛୁଟି ଥିବାରୁ ମୁଁ ଘରକୁ ଆସିଥିଲି,ମୋ ହ୍ୱାଟ୍ସଆପ ଷ୍ଟାଟସ୍ ଦେଖି ସେ ମତେ କଲ୍ କରିକି ତା ଗାଆଁକୁ ଆମନ୍ତ୍ରଣ କଲା। କହିବାକୁ ଗଲେ ସେ ଜାତିରେ ଥିଲା ପାଉଡୀ ଭୂୟାଁ,ଆଉ ତା ଗାଆଁର ଅଧିକାଂଶ ଲୋକ ସେହି ସମ୍ପ୍ରଦାୟ ର... ତେଣୁ ଆଦିବାସୀ ସଂସ୍କୃତିକୁ ଏତେ ପାଖରୁ ଦେଖିବାର ସୁଯୋଗ ମିଳିଥିବାରୁ ମୁଁ ବେଶ୍ ଉତ୍ସାହିତ ଥିଲି କାରଣ ଏହି ସବୁ ଅନୁଭୂତି ହିଁ ବିଭିନ୍ନ ଜନଜାତି ଉପରେ ମୋର ଗବେଷଣାତ୍ମକ ଲେଖା ନିମନ୍ତେ ଅନେକ ଖୋରାକ୍ ପ୍ରଦାନ କରିବ। 

ଆମେ ଦରବାର୍‌ ଘରେ ଆସି ପହଞ୍ଚିଲା ବେଳକୁ ସେଠାରେ ପୁରା ଉତ୍ସବ ମୁଖର ପରିବେଶ, ତେବେ ଦରବାର୍‌ ଘର କହିଲେ ଜୁଆଙ୍ଗମାନଙ୍କ ମଣ୍ଡଘର ସହିତ ସମାନ,ଏହା ମୁଖ୍ୟତଃ ଯୁବକ ଯୁବତୀଙ୍କ ମନୋରଞ୍ଜନ ତଥା ନୃତ୍ୟ ସଂଗୀତ ପାଇଁକି ଉଦ୍ଦିଷ୍ଟ। କୌଣସି ଅତିଥି କିମ୍ବା ବନ୍ଧୁ ଗାଆଁର ଲୋକଙ୍କ ରହିବା ବ୍ୟବସ୍ଥା ମଧ୍ୟ ସେଠାରେ ଥାଏ। ରାତ୍ରିର ଶୀତଳତା ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଅନବରତ ଜଳୁଥାଏ ନିଆଁ,ପୁଣି ସେଇ ଭିତରେ ଚାଲେ ସୁଖଦୁଃଖ,ଚାଙ୍ଗୁନାଚ ତା ସହ ଭୋଜିଭାତ। ଏତେ ସୁନ୍ଦର ଆୟୋଜନ ସବୁ ଦେଖି ମନେ ମନେ ବିରେନକୁ ଧନ୍ୟବାଦ ଦେଉଥାଏ ମୁଁ। 

ତହିଁ ଆରଦିନ ମୁଁ ବିରେନ୍ ସହିତ ତାଙ୍କ ପାହାଡ଼ୀ ଗାଆଁ ବୁଲିବାକୁ ବାହାରିଲି ଏବଂ ତାଙ୍କ ଚଳଣି,ପରମ୍ପରା,ବିଶ୍ୱାସ,ରୀତିନୀତି ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଲି -

"ପାଉଡୀ ଭୂୟାଁ" ଗାଆଁ ଗୁଡିକ ସାଧାରଣତଃ କେନ୍ଦୁଝର, ସୁନ୍ଦରଗଡ,ଅନୁଗୋଳ,ଦେବଗଡ଼ ଓ ମୟୁରଭଞ୍ଜ ଜିଲ୍ଲାର ପାର୍ବତ୍ୟ ଶଯ୍ୟା ତଥା ଉପତ୍ୟକା ଭଳି ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ସେମାନେ ସ୍ଥାନୀୟ ଓଡ଼ିଆ ଭାଷା ହିଁ କହିଥାନ୍ତି ମାତ୍ର କେତେକ ଉଚ୍ଚାରଣ ଗତ ପାର୍ଥକ୍ୟ ତାଙ୍କ କଥୋପକଥନରେ ଦୃଷ୍ଟି ଗୋଚର ହୁଏ ଜିଲ୍ଲା ବିଶେଷକୁ ନେଇ। ପ୍ରାୟତଃ ସାଧାରଣ ଓଡ଼ିଆ ପୋଷାକ ସେମାନେ ପିନ୍ଧନ୍ତି ଓ ସ୍ତ୍ରୀ ଲୋକମାନେ ଚୁଡ଼ି,କାନଫୁଲ,ନାକଚଣା, ଗଳାହାର,ପାଉଁଜି ସହ ଖୋସାରେ କୋଲପ ଦେଇ ଫୁଲ ଖୋସିବାକୁ ପସନ୍ଦ କରନ୍ତି। ମୁଖ୍ୟତଃ ଗୋବର ଓ ନାଲିମାଟିରେ ସେମାନେ ଘରକୁ ସୁନ୍ଦର ଭାବେ ଲିପାପୋଛା କରି ରଖନ୍ତି ଓ ସଫା ସୁତୁରା ଦିଗରେ ସେମାନେ ବେଶ୍ ଯତ୍ନଶୀଳ। ଘର ପାଖେ ଛୋଟ ରୋଷେଇ ଘର ବଗିଚା ତିଆରି କରି ସେଠାରେ ବୋଇତାଳୁ,ଲଙ୍କା, ସାରୁ,ଜହ୍ନି ସହିତ ଶୀତଦିନେ ତମାଖୁ ଓ ସୋରିଷ ମଧ୍ୟ ଚାଷ କରନ୍ତି। ପୋଡୁଚାଷ ପାଇଁ ବ୍ୟବହୃତ ପାହାଡ଼ୀ ଢାଲୁ ଜମିକୁ ସେମାନେ 'ବିରିଙ୍ଗା' ବୋଲି କହନ୍ତି,ସେଥିରେ ମାଣ୍ଡିଆ ଚାଷ ଖୁବ୍ ଭଲ ହୁଏ। ତାଙ୍କ ବାଉଁଶ ନିର୍ମିତ ଉପକରଣ ପ୍ରସ୍ତୁତ କରିବା କଳା ଅତ୍ୟନ୍ତ ବିରଳ। ସେମାନେ ଧର୍ମ ଦେବତା ରୂପେ ସୂର୍ଯ୍ୟଙ୍କୁ ତଥା ଆଦିମାତା ରୂପରେ ବସୁଧାଙ୍କୁ ମାନ୍ୟତା ଦିଅନ୍ତି,ତାଙ୍କ ବ୍ୟତୀତ ଗାଆଁ ଠାକୁର ବୋରାମ୍, ପୁରୁଷ ଦେବତା ବିର୍ଡା, ପାହାଡ ଦେବ ପାଟ୍‌, ଦରବାର୍‌ ଘର ଦେବୀ ଗାଇସିରୀ ମାତା ଓ ମୁଖ୍ୟ ଗ୍ରାମ ଦେବତୀ ଠାକୁରାଣୀଙ୍କୁ ପୂଜା ଆରାଧନା କରିବା ସହ ହିନ୍ଦୁ ଧର୍ମର ମହାଦେବ,ମା' ଦୁର୍ଗା ତଥା ମା'ଲକ୍ଷ୍ମୀଙ୍କୁ ମଧ୍ୟ ବିଶ୍ୱାସ କରନ୍ତି। ବିଶ୍ରି ଓଷା ହେଉଛି ତାଙ୍କର ମୁଖ୍ୟ ବ୍ରତ ଯେଉଁଥିରେ ଦେବୀ ମାଆଙ୍କ ନିକଟରେ ମାନସିକ ରଖି ପୂଜା କରାଯାଏ। ସେମାନଙ୍କ ନୂତନ ବର୍ଷ ମାଘପଡି ଠାରୁ ଆରମ୍ଭ ହୁଏ,ସେଥିରେ ତାଙ୍କ ଆମ୍ ନୂଆ ପର୍ବରେ କଞ୍ଚାଆମ୍ବ ଖିଆ ଆରମ୍ଭ ହୋଇଥାଏ। କାଠ୍‌ ଯାତ୍ରା ଠାରୁ ମହୁଲ ଖିଆ ଓ ଗିଲୋର୍ ଯାତ୍ରାରୁ ଗିଲିରି ଫୁଲ୍ ଖିଆ ପ୍ରାରମ୍ଭ ହୁଏ। ଶିକାର ସଫଳତାକୁ ପାଳନ କରିବାକୁ ସେମାନେ ଅଖନି ପାରିଧି ପର୍ବ କହନ୍ତି। ପରିଶେଷରେ ଗହ୍ମା ପୂର୍ଣ୍ଣିମା,ନୂଆଁଖାଇ ପରେ କରମା ପୂଜା ବେଶ୍ ଧୁମଧାମରେ ପାଳିତ ହୁଏ। ଦେହୁରୀ ହେଉଛନ୍ତି ତାଙ୍କର କୁଳ ପୂଜକ,ଯିଏ ସମସ୍ତ ପୂଜା ପଦ୍ଧତି ଜାଣନ୍ତି ତଥା ବେଜୁନି କଳାଯାଦୁ ପାଇଁ ବିଖ୍ୟାତ,ସେଥିପାଇଁ ବେଜୁନିକୁ ସଭିଏଁ ଭୟ କରନ୍ତି।

ତହିଁ ଆରଦିନ ସକାଳୁ ମୁଁ ବିରେନ୍ ପାଖରୁ ବିଦାୟ ନେଲି ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ସେ ପାଉଡୀ ଭୂୟାଁ ଗାଆଁର ଆତିଥ୍ୟ ମୋ ମନକୁ କିଣି ନେଇଥିଲା ଯାହା ସାରା ଜୀବନ ମାନସପଟ୍ଟରେ ସୁନ୍ଦର ସ୍ମୃତି ସାଜି ରହିଥିବ। ବାଟରେ ଆସିଲା ବେଳେ ପୁନଶ୍ଚ କାଞ୍ଜିପାଣି ଘାଟିର ପ୍ରାତଃକାଳୀନ ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହୋଇ ପଡିଲି ମୁଁ। ସମୟ ସକାଳ ନଅଟା ଉପରେ ହେଲାଣି ତଥାପି ଏ ଯାଏଁ ବାଳୁତ ରବିଙ୍କ ପହିଲି କିରଣ ସେ ନିଘଞ୍ଚ ବନାନୀକୁ ଭେଦି ପାରିନି,କୋଉଠି କେମିତି କାକର ଟୋପାରେ ସୂର୍ଯ୍ୟଙ୍କ କିଞ୍ଚିତ ଆଭା ଝଲମଲ ହୋଇ ଦୃଷ୍ଟି ଆକର୍ଷଣ କରୁଛି। ସେ ସମ୍ମୋହନ ଭରା ସ୍ଥାନରେ କିଛି କ୍ଷଣ ଅଟକିବାର ଲୋଭ ସମ୍ବରଣ କରିନପାରି ଅପଲକ ନୟନରେ ଚାହିଁଥିଲି ଅନତି ଦୂରରେ ଥିବା ସୁଉଚ୍ଚ ପର୍ବତ ମାଳା ଗୁଡ଼ିକୁ ,ଗୋଟେ ନ ସରୁଣୁ ଆଉ ଗୋଟିଏ ଆରମ୍ଭ ହେଇ ଯାଉଥିଲା। ଠିକ ଏହି ସମୟରେ ମୋ ଆଖିରେ ପୁଣି ଆସିଲେ ସେ ଆଦିବାସୀ ଝିଅ ଦଳ ,ସେ ଅଗନା ଅଗନି ବନ ଭିତରକୁ କୁଆଡେ ଯାଉଛନ୍ତି ବୋଲି ଭାବି ତାଙ୍କ ପଛେ ପଛେ ପଛେ ମୁଁ ଚାଲିଲି। ମାଇଲ୍ ମାଇଲ୍ ଦୁର୍ଗମପଥ ଅତିକ୍ରମ କଲାବେଳକୁ ମତେ ଡର ଲାଗୁଥାଏ ,ଏପଟେ ତ କିଛି ଆଦିବାସୀ ଗାଆଁ ଥିବା ପରିକା ମନେ ହେଉନି ଏମାନେ କୁଆଡେ ଯାଉଛନ୍ତି! ବେଶ୍ କିଛି ବାଟ ଗଲାପରେ ତମସାଚ୍ଛନ୍ନ ଜଙ୍ଗଲ ଭିତରେ ଏକ ଶିବିର ଭଳି ତମ୍ବୁ ଘର ଦେଖାଗଲା,ସେ ଝିଅଯାକ ତା ଭିତରକୁ ପ୍ରବେଶ କଲେ। ମୁଁ ପାଦ ଚିପି ଚିପି ସେ ଦିଗରେ ଆଗେଇଲି, ମାତ୍ର ଶିବିର ଭିତରକୁ ଯବାକୁ ଟିକେ ସଂକୋଚ ଲାଗିଲା। ଅକସ୍ମାତ ଶିବିର ଭିତରୁ ନାରୀ ସ୍ୱର ଶୁଭିଲା- ଆସନ୍ତୁନା ପ୍ରତୀକ ବାବୁ,ରହିଗଲେ କାହିଁକ? ଏଭଳି ସ୍ଵାଗତୋକ୍ତି ମତେ ହତ ଚକିତ କରିଦେଇଥିଲା, ମୋ ନାଁ ସେ ଜାଣିଲେ କେମିତି! ଧୀରେ ଧୀରେ ଶିବିର ମଧ୍ୟକୁ ଯାଇକି ଦେଖେ ତ ସେଇ ଝିଅ ଯିଏ ସେଦିନ ସନ୍ଧ୍ୟାରେ ଘାଟି ଉପରେ ଦେଖା ହୋଇଥିଲା। ଗହମ ଗୋରା ରଙ୍ଗ ଟଣା ଟଣା ଆଖି ତା ସାଙ୍ଗକୁ ଗୋଲାପି ଓଠ ଦେହରେ ଆଦିବାସୀ ଶାଢୀ ହେଲେ ହାତରେ ଦେଶୀ ବନ୍ଧୁକ। ସେ ତମ୍ବୁ ମଧ୍ୟରେ ଏମିତି ଅନେକ ଦେଶୀ ବନ୍ଧୁକ ଆଉ ହାତ ହତିଆର୍ ଦେଖିବାକୁ ପାଇଲି। ମୁଁ ଚାପା ଗଳାରେ ପଚାରିଲି- ଆପଣ ମାନେ କଣ ମାଓବାଦୀ? 

ସେ ଝିଅ ଯିଏ ତାଙ୍କ ମୁଖିଆ ଭଳି ଲାଗୁଥିଲା ସେ କହିଲା- ସେମିତି କିଛି ଭାବି ପାରନ୍ତି ହେଲେ ଆମେ ଏଠି କାହାର କିଛି ଅନିଷ୍ଟ କରୁନୁ ବରଂ ଏକ ବିଶେଷ ଉଦ୍ଦେଶ୍ଯରେ ଲିପ୍ତ।   

 ମୁଁ-କେଉଁ ଉଦ୍ଦେଶ୍ଯ? ମୁଁ ଜାଣିପାରେ କି?

ଝିଅ- ନିହାତି , ଏ ସମଗ୍ର ପାଉଡୀ ଭୂୟାଁ ଇଲାକାର ଲୋକ ଅତ୍ୟନ୍ତ ନିରୀହ ଓ ନିଷ୍ପାପ । ସାତ ବର୍ଷ ତଳର କଥା ମୁଁ ତେଲକୋଇ ଥାନାର ଇନ୍ସ୍ ପେକ୍ଟର ଭାବେ ନୂଆ କରି ଆସିଥାଏ ,ସେତେବେଳେ ଏ ଅଞ୍ଚଳରେ ଗୋଟେ ଏନ ଜି ଓ ସଂସ୍ଥା ଗରିବ ମେଧାବି ପାଉଡୀ ଭୂୟାଁ ଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ଉଚ୍ଚଶିକ୍ଷା ପ୍ରଦାନ କରାଯିବ ବୋଲି କହି ଭଣ୍ଡେଇ ବଡ଼ବିଲ ରାସ୍ତାରେ କଲିକତାକୁ ଚୋରା ଚାଲାଣ କରୁଥିଲା। ଲାଞ୍ଚଖିଆ ପୋଲିସମାନେ ଏପରି କେଶ୍ ଗୁଡିକୁ ରେଜିଷ୍ଟ୍ରେସନ ହିଁ କରୁନଥିଲେ, ଯାହା ଫଳରେ ସେ ଧନ୍ଦା ଏଠାରେ ବେଧଡ଼କ ଚାଲି ଆସିଥିଲା। ମୋ ସମୟରେ ମଧ୍ୟ ସିନିୟର ଅଫିସରମାନଙ୍କ ପ୍ରେସର ଯୋଗୁଁ ମୁଁ କିଛି କରି ନପାରି ବାଧ୍ୟ ହେଲି ଚାକିରୀ ଛାଡିବାକୁ। ବାସ୍, ତା ପରେ ମୁଁ ଆଖପାଖ ଗାଆଁମାନଙ୍କର ଦଳେ ଝିଅଙ୍କୁ ଧରି ଲୁଚାଛପା ଭିତରେ ଟ୍ରେନିଂ ଦେଇ ଆରମ୍ଭ କଲି "ମିଶନ୍-ଭୈରବୀ", ଯେବେ ଯୋଉ ସ୍ଥାନରେ ଯଦି ଯୁବତୀ ଚୋରା ଚାଲାଣ ହେଉଥିବ ଆମେ ସେଠାରେ ଯଥା ସମୟରେ ପହଞ୍ଚି ଝିଅଙ୍କୁ ରକ୍ଷା କରିବା ସହିତ ଦୋଷୀଙ୍କୁ ଉତ୍ତମ ମଧ୍ୟମ ଶିକ୍ଷା ଦେଉ।କିନ୍ତୁ ଏସବୁ ବିଷୟରେ କେହି ଜାଣି ନାହାନ୍ତି।

ମୁଁ- ଯୁବତୀ ଚୋରା ଚାଲାଣ ଖବର କିଏ ଦିଏ ଆପଣଙ୍କୁ?

ଝିଅ- ପ୍ରତି ଗାଆଁରେ ଅଛନ୍ତି ମୋ ମିଶନର ଝିଅ ,କିନ୍ତୁ ସେମାନେ ସାଧାରଣ ଝିଅ ଭାବେ ରହନ୍ତି ତେଣୁ ତାଙ୍କୁ କେହି ସନ୍ଦେହ କରନ୍ତି ନାହିଁ,ପୁଣି ସେମାନେ ଗାଆଁ ଗାଆଁରେ ସ୍ୱୟଂସହାୟିକା ଗୋଷ୍ଠୀ ଚଲାନ୍ତି ଯାହାର ଅର୍ଥରାଶି ଆମ ମିଶନରେ ଲାଗେ ଆଉ ଆମକୁ ରୋଜଗାରକ୍ଷମ କରେ। 

ମୁଁ-ହେଲେ ପୋଲିସ ଆପଣଙ୍କ ଟେର୍ ପାଉନି କେମିତି?

ଝିଅ- ଆମେ ଜାଗା ପରିବର୍ତ୍ତନ କରୁ ସମୟ ସହିତ,ତା ପରେ ଏ ଘଞ୍ଚ ଜଙ୍ଗଲରେ ପଶିବାର ସାହସ ବୋଧେ ଆପଣଙ୍କ ଭଳି ଭାବୁକ ହିଁ କରି ପାରିବ।

ମୁଁ- ମୋ ବିଷୟରେ ଏତେ କଥା ଆପଣ କିପରି ଜାଣିଲେ?

ମୋ ଠାରୁ- କହି ବିରେନ ଶିବିରକୁ ପ୍ରବେଶ କରିଛି। 

ମୁଁ- ଆରେ ବିରେନ୍! ତୁ ??? ଆଚମ୍ବିତ ହୋଇ ପଡିଲି ମୁଁ।

ଝିଅ- ହଁ ପ୍ରତୀକ ବାବୁ, ଆପଣଙ୍କ ସାଙ୍ଗ ଆମ ମିଶନର ମୁଖ୍ୟ ଅଙ୍ଗ,ତାଙ୍କ ସହଯୋଗ ବିନା ବୋଧେ ଏସବୁ ଅସମ୍ଭବ ଥିଲା।ସେ ହିଁ ମୋ ପାଖକୁ ଯୁବତୀ ଚୋରା ଚାଲାଣ ଅଭିଯୋଗ ଆଣି ଆସିଥିଲେ ଆଉ ତାଙ୍କ ସହ ମିଶି ମୁଁ ଏ ମିଶନର ଯୋଜନା କରିଥିଲି।

ମୁଁ-ସାବାସ୍ ସାଙ୍ଗ,ତୋ ପାଇଁ ମୁଁ ଗର୍ବିତ ,ଶିକ୍ଷକତା ସହ ତୁ ଏସବୁ ପୂଣ୍ୟ କାମ କରୁଛୁ ,ମାଆ ତୋର ମଙ୍ଗଳ କରିବେ। ଆଉ ମାଡାମ ଆପଣଙ୍କ ନାଁ ଟା କହିଲେନି?

ଝିଅ-"ଅପର୍ଣ୍ଣା" 

ମୁଁ- ଚମତ୍କାର, ନିଜ ନାମର ବେଶ୍ ସାର୍ଥକତା ପ୍ରତିପାଦନ କରିଛନ୍ତି ଆପଣ ... "ଅପର୍ଣ୍ଣା" ଅର୍ଥ ମାତା ପାର୍ବତୀ ବା ଦୁର୍ଗା ମା' ,ନାରୀ ଜନ୍ମଦାତ୍ରୀ ପୁଣି ମୁକ୍ତିଦାତ୍ରୀ ସେ ହିଁ ସୃଷ୍ଟି କରେ ଆଉ ସେ ପୁଣି ଧ୍ୱଂସ ରଚେ ... ପୁରୁଷ ପ୍ରଧାନ ସମାଜ ଯୁଗେ ଯୁଗେ ତାକୁ ନିଜ ହାତର କ୍ରୀଡନକ ମଣି ନିଜକୁ ସିଂହ ସମ ବଳବାନ୍ ଭାବିଛି, ହେଲେ ସେ ଭୁଲି ଯାଇଛି ଯେ ସେ ସିଂହ ହେଲେ ନାରୀ ସିଂହ ବାହିନୀ ଆଉ ସେ ଦୈତ୍ୟ ହେଲେ ନାରୀ ମହିଷାମର୍ଦ୍ଦିନୀ।(ସମାପ୍ତ) 



Rate this content
Log in

Similar oriya story from Crime