ମଙ୍ଗଲୁ
ମଙ୍ଗଲୁ
ବୀଣାଦେବୀଙ୍କ ଦ୍ବାଦଶାହ ପରେ ପରେ ସୀମା ଓରଫ୍ ମିସେସ୍ ରାୟଙ୍କୁ ସତେଯେମିତି ମଙ୍ଗଲୁକୁ ଘରୁ ତଡିବାପାଇଁ ସୁବର୍ଣ୍ଣ ସୁଯୋଗଟିଏ ମିଳି ଯାଇଥିଲା। ମାତ୍ର ରାୟବାବୁ ସବୁଜାଣି ଚୁପ୍ ରହିଥିଲେ। କାରଣ ପରିସ୍ଥିତିର ସାମନା କରିବାକୁ ସେ ଥିଲେ ଅସମର୍ଥ। ସେଇଥିପାଇଁ ବୋଧହୁଏ ମିସେସ୍ ରାୟଙ୍କ ଆଦେଶରେ ତାଙ୍କ ବୋଲକରାଟା ମଙ୍ଗଲୁକୁ ଯେତେବେଳେ ନିର୍ମମ ଭାବେ ନିର୍ଘାତ ପ୍ରହାର କରି ଘୋଷାରି ନେଉଥିଲା, ତା' ଢଳଢଳ ବିକଳ ଅସହାୟ ଆଖିରେ ଆଖି ମିଶେଇ ପାରି ନ ଥିଲେ ରାୟବାବୁ।ସବୁବେଳେ ଝରକା ଦେଇ ଉଙ୍କିମାରି ଦେଖୁଥିଲେ- ମଙ୍ଗଲୁ ତାଙ୍କ ଗେଟ୍ ପାଖରେ ସେମିତି ଶୋଇଛି...ଅଖିଆ, ଅପିଆ...ଆଖିରେ ଆଖିଏ ଲୁହ ନେଇ। ଆହା...ବିଚରା !! ହେଲେ ତା' ମୁହଁରେ କିଛି ଦେଇ ଆସିବାର ଜୁ ନ ଥିଲା ତାଙ୍କର। ଏଇ କେତେ ଦିନ ହେଲା ମଙ୍ଗଲୁର ଆଉ କାଇଁ ଦେଖାନାହିଁ। ଭୋକ ସହିପାରିଲାନି କି' କ'ଣ ! ହଉ.. ଭଲ ହେଲା.. ଚାଲିଗଲା... ରାତି ରାତି ମଙ୍ଗଲୁ କଥା ଭାବି ଠିକ୍ ରେ ଶୋଇପାରୁ ନ ଥିବା ରାୟବାବୁ ସେଇ ଝରକା ପାଖରେ ଠିଆ ହୋଇ ମନେମନେ ଏକଥା କହୁକହୁ ମିସେସ୍ ରାୟ ବେଡ୍ ଟି ନେଇ ପହଞ୍ଚିଯାଇ କହିଲେ-ଆରେ....ମୁଁ ନ ଆସୁଣୁ ଉଠିଗଲଣି ! ଏଇ ତମ ଚା' ନିଅ।
ଶାଶୁଙ୍କ ଶୁଦ୍ଧିକ୍ରିୟାର ଅନେକ ଦିନ ପରେ ଥରେ ଦିନେ ମିସେସ୍ ରାୟ ନିଜ ମର୍ସିଡିଜ୍ କାରରେ ପୁଅ ଚିକୁ ଆଉ ରାୟବାବୁଙ୍କୁ ଧରି ଚାଲିଲେ ସହର ଉପକଣ୍ଠ କୌଣସି ଏକ ସପିଂମଲକୁ। ଡ୍ରାଇଭରକୁ ପାର୍କିଂ କରିବାକୁ ନିର୍ଦ୍ଦେଶ ଦେବାପରେ ରାୟବାବୁଙ୍କୁ ଚିକୁକୁ ନେଇ ପଛରେ ଆସିବା ପାଇଁ କହି ବାମହାତରେ ଭ୍ୟାନିଟି ବ୍ୟାଗଟିକୁ ଝୁଲାଇ ଦେଇ ନିଜ ସ୍ୱଭାବ ସୁଲଭ ଢଙ୍ଗରେ ଆଗେଇଗଲେ ମିସେସ୍ ରାୟ।
ରାୟବାବୁ ଯନ୍ତ୍ରବତ୍ ଚିକୁର ହାତକୁ ଧରି ତାଙ୍କୁ ଅନୁସରଣ କରିବାକୁ ଲାଗିଲେ।କିଛି ଅକୁହା ବେଦନା,ନିଜ ପିଲାଦିନର ଗାଉଁଲି ଚଳଣି, ଭାଇଭଉଣୀ, ସାଙ୍ଗସାଥି ମେଳରେ ଖୁସିମଜା,ବାପାଙ୍କ ତାଗିଦ୍, ମାଆଙ୍କ ସରାଗବୋଳା କଥା, ଗାଁ ଛାଡି ଆସି ସହରରେ ପାଠପଢ଼ା, ଚାକିରୀ, ସ୍ଥାନୀୟ ତତ୍କାଳୀନ ଡିଏସପିଙ୍କ ଝିଅ ସୀମା ସହ ସରକାରୀ କ୍ୱାଟରରେ ପ୍ରେମ ବିବାହ, ସୀମାଙ୍କ ବାରଣ ସତ୍ତ୍ବେ ବାପା ମାଆଙ୍କୁ ଗାଁରୁ ଆଣି ପାଖରେ ରଖିବା, ବାପାଙ୍କ ସ୍ୱର୍ଗବାସ,ପରେପରେ ମାଆ...ଆଉ ତାଙ୍କ ଅତି ପ୍ରିୟ ମଙ୍ଗଲୁର ବିଚ୍ଛେଦ ଇତ୍ୟାଦି କଥା ସବୁକୁ ମନେପକାଇ ଅନ୍ୟମନସ୍କ ଭାବେ ସପିଂମଲର ପାହାଚ ଉଠୁ ଉଠୁ ଦେଖିଲେ ଚିକୁ ନାହିଁ।
ଚିକୁ...ଚିକୁ...! ଖୁବ ଜୋରରେ ଚିତ୍କାର କଲେ ରାୟବାବୁ।ଚିତ୍କାର ଶୁଣି ମିସେସ୍ ରାୟ ମଧ୍ୟ ବିବ୍ରତ ହୋଇ ପଛକୁ ଫେରି ଡାକ ଛାଡୁଛାଡୁ ରାୟବାବୁଙ୍କୁ ଇଂରାଜୀରେ କେଇପଦ ଶ୍ରୁତିକଟୁ ଭାଷା ପ୍ରୟୋଗ କରିବାରେ କାର୍ପଣ୍ୟ କରି ନ ଥିଲେ।
ଦେଖିଲେ- ରାସ୍ତାକଡ଼ର ଆଇସକ୍ରିମ ଗାଡ଼ିକୁ ଲକ୍ଷ୍ୟ କରି ଚିକୁ ତା'ର କୁନିକୁନି ପାଦରେ ଠୁକେଇ ଠୁକେଇ ଚାଲିଛି ରାସ୍ତା ମଝିରେ। ରାସ୍ତା ସେପାଖରୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଲାଲ୍ ରଙ୍ଗର କାରଟିଏ।ନାଁ..... କହି ଦୁଇ କାନ ପାଖରେ ହାତ ରଖି ଆଖି ଦୁଇଟା ବୁଜିଦେଇ ଆଣ୍ଠୁମାଡ଼ି ବସିପଡିଲେ ମିସେସ୍ ରାୟ।
ଆଇସକ୍ରିମ ଠେଲାଗାଡି ପାଖରେ ଥିବା ଏକ ପରିତ୍ୟକ୍ତ ଡଷ୍ଟବିନ୍ ପାଖରେ ଶୋଇରହି ଅଇଁଠା ପତ୍ରରେ ଲାଗିଥିବା ଅବଶିଷ୍ଟ ଖାଦ୍ୟକୁ ଚାଟୁଥିଲା ମଙ୍ଗଲୁ। ଚିତ୍କାର ଶୁଣି ଚିହିଁକି ଉଠିଲା ସେ। ହଠାତ୍ ଦୌଡ଼ି ଗଲା ଚିକୁକୁ ବଞ୍ଚାଇବା ପାଇଁ। ଘରୁ ତଡିଦେଲେ ତ କ'ଣ ହେଲା ! ଯାହା ହେଲେ ବି ସେ ରାୟ ପରିବାରର ଲୁଣ ଖାଇଛି। ବୀଣାଦେବୀ କ'ଣ ନ କରିଛନ୍ତି ତା'ପାଇଁ... ଚିକୁ ସହ ସେ କେତେ ନ ଖେଳିଛି। ତା'ଆଖି ଆଗରେ ଚିକୁକୁ କାରଟା ଦଳିଦେଇ ଚାଲିଯିବ... ସେ କେମିତି ସହିଥାଆନ୍ତା ଯେ ?
କାର୍ ତା' ବାଟରେ ଚାଲି ଯାଇଥିଲା। ଚିକୁ ଠିକ୍ ଥିଲା।ରାୟବାବୁ ଓ ମିସେସ୍ ରାୟ ଲୋକମାନଙ୍କ ହୋ'ହାଲ୍ଲା ଆଉ ଗହଳି ଭେଦକରି ଚିକୁକୁ କୋଳେଇ ନେଇ ସପିଂ କରିବେ କ'ଣ ସିଧା ଚାଲିଗଲେ ନିଜ କାର୍ ନିକଟକୁ।
ଚିକୁ କାନ୍ଦି କାନ୍ଦି ହାତଠାରି କିଛି ଇଶାରା ଦେଲା। ଉଭୟ ପଛକୁ ଚାହିଁ ଦେଖିଲେ- ରାସ୍ତାରେ ପଡ଼ି ରହିଥିଲା ମଙ୍ଗଲୁର ରକ୍ତ ଜୁଡୁବୁଡୁ ଖାକି ଦେଶୀ ଦେହଟା ।ଅନ୍ତବୁଜୁଳାରୁ ତା'ର ଛିଟିକି ପଡିଥିଲା ଅଇଁଠା ଖଲିରୁ ସଦ୍ୟ ଖାଇଥିବା କେଇମୁଠା ଲାଳମିଶା ଶୁଖିଲା ଭାତ।
ମଙ୍ଗଳବାରଟାରେ ବୀଣାଦେବୀ ଗାଁ ଘର ବାରିପଟ ଖଳାବାଡିରୁ ଆଣି ତାକୁ ପୋଷିଥିଲେ ବୋଲି ଶ୍ରଦ୍ଧାରେ ତା' ନାଁ ଦେଇଥିଲେ "ମଙ୍ଗଲୁ"। ଦେଶୀ ହେଲେ କ'ଣ ହେବ- ସମସ୍ତଙ୍କ ପ୍ରତି ତା'ର ଥିଲା ଭାରି ଆଦର। ନିଜ କର୍ତ୍ତବ୍ୟରେ ସେ ଦିନେ ବି ଅବହେଳା କରି ନ ଥିଲା। ସଂଯୋଗବଶତଃ ଆଜି ବି ଥିଲା ମଙ୍ଗଳବାର।
ଅନୁତାପର ନିଆଁରେ ଜଳି ଉଠି ନିଜକୁ ଧିକ୍କାର କରୁଥିଲେ ମିସେସ୍ ରାୟ। ନା - ନା- ମିସେସ୍ ରାୟ ନୁହେଁ... ସୀମା...କେବଳ ସୀମା। ଏକ ସାମାନ୍ୟ ପଶୁର ମହାନତା ଆଗରେ ନିଜର ମଣିଷପଣିଆଁକୁ ତଉଲୁଥିବା ଏକ ସାଧାରଣ ମହିଳା।
ରାୟବାବୁ ଓ ମିସେସ୍ ରାୟଙ୍କ ବୋଲ ମାନୁ ନ ଥିଲା ଆଖିରୁ ଆପେଆପେ ନିଗିଡି ପଡୁଥିବା ଅମାନିଆଁ କୄତଜ୍ଞତାର ଲୁହଗୁଡାକ। ବୋଧହୁଏ ମଙ୍ଗଲୁ ପାଇଁ ଏହା ହିଁ ଥିଲା କେବଳ ଅନ୍ତିମ ସଂସ୍କାର।