ସ୍ପନ୍ଦନ
ସ୍ପନ୍ଦନ


ଆଜି ମିଲିର ବାହାଘରକୁ ସମାନ ବର୍ଷେ ପୂରିଲା। ଗତବର୍ଷ ଠିକ ଏଇ ରାକ୍ଷୀ ପୂନେଇଁରେ ତା' ବାହାଘର ହେଇଥିଲା ଆମ ଗାଁ ଗୋପୀନାଥ ମନ୍ଦିର ବେଢ଼ାରେ।ରାନ୍ଧୁଣିଆ ନାଲୁଆର ଭୋଜି ରନ୍ଧା ପାଉଣାଟା ଆଜିଯାଏ ବାକି ଅଛି।ଭାରି ବହପ ତା'ର।ପଚାଶଜଣଙ୍କ ପାଇଁ ଭାତ,ଡାଲି,ପାମ୍ପଡ଼,ମାଛ ତରକାରୀ ଟିକେ କରିଥିଲା ଯେ ଦୁଆରକୁ ଶହେଥର ମାଗି ଆସିଲାଣି।ହେଲେ...କୋଉଠୁ ଆଣିବି ! ଚାଷବାସରୁ ବା' ଆଉ କ'ଣ ଲାଭ ମିଳୁଛି ଯେ ? ଯାହା ଥିଲା, ଆଉ କିଛି ବାକିବକର ହେଇ ସବୁ ତ ମିଲି ବାହାଘରରେ ଖର୍ଚ୍ଚ ହେଇଗଲା।ଏବେ ମୁଁ କେମିତି କଷ୍ଟେମଷ୍ଟେ ଚଳୁଚି ସେଇ ଉପର ବାଲା ଜାଣୁଚି।କିନ୍ତୁ ମୁଁ କ'ଣ ସେମିତିକା ମଣିଷ କି ! ବାକିସାକି ସବୁ ନ ଶୁଝିଲେ ଖାଇବା କ'ଣ ମୋ' ତଣ୍ଟିରେ ଗଳିବ ? ବାପା ମାଆ ଗଲାଦିନଠୁ ମିଲିକୁ ମୁଁ ମୋ' ଝିଅ ଭଳିଆ ପାଳିଛି।ବର୍ଷଯାକ ପୁଣି ପୂନିଅଁ ପରବରେ ଦିଆନିଆ ଅଛି ନା ନାଇଁ ? ଭଲା ରାକ୍ଷୀ ପୂନେଇଁଟାରେ ଦେଲି ଯେ କାନ୍ଦି କାନ୍ଦି କହିଲା - ଭାଇ ! ଆଜିପରା ଦିନରେ ମତେ ବାହା ଦବାକୁ ଥିଲା ? ଏତିକି କହୁ କହୁ ଭୋ ଭୋ କରି କାନ୍ଦି ଉଠିଲା ସନିଆଁ।ପାଖରେ ବସିଥିଲା ମଦନା।ସବୁ ଶୁଣୁଥିଲା।ସନିଆଁକୁ ତୁନି କରି କହିଲା - ହେଃ ! ଏମିତି କ'ଣ ପିଲାଙ୍କ ଭଳିଆ ହଉଚୁ ଯେ ? ତେଣେ ଗାଡ଼ିଯାକ ଲୋକ ପରା ତତେ ଚିଡିଆଖାନାର ଜୀବ ଭଳିଆ ବଲବଲ କରି ଅନଉଁଚନ୍ତି।
ସନିଆଁ ପ୍ରକୄତିସ୍ଥ ହେଲା।ମିଲି ଘର ଗାଁ ମୁଣ୍ଡ ଛକ ଆସୁଆସୁ ଏଇଠି ଗାଡ଼ି ରଖ ରଖ କହି ଚିଲେଇଲା ସନିଆଁ।ଗାଡ଼ି ଅଟକିଲା।ମଦନାକୁ କଦଳୀ କାନ୍ଧିଟା ଧର୍ କହି ନିଜେ ମିଠା,ପିଠା ଥିବା ବଡ଼ପେଟିଟାକୁ ମୁଣ୍ଡେଇ ଧପ୍ ଧପ୍ କରି ଚାଲିଲା ଗାଁ ଭିତରକୁ।
ମିଲି ଘରକୁ ପଶୁପଶୁ ଖୁସିରେ ସବୁଥର ଭଳି ଡାକ ଛାଡ଼ିଲା ସନିଆଁ- ମିଲି ! ମିଲି ! ଆରେ କୁଆଡ଼େ ଗଲୁ ? କିନ୍ତୁ ନାଁ।ଘରଟା ଯେ ଶୂନଶାନ।କେହିଜଣେ ବି ନାହାଁନ୍ତି।ସନିଆଁ ପୁଣି ଡାକିଲା।ଡାକି ଡାକି ଦାଣ୍ଡରୁ ବାରିଯାଏଁ ଗଲା।ତା' ଡାକରେ ବି ଡାକ ମିଶଉଥିଲା ମଦନା।ବାରିପଟ କୂଅମୂଳେ ଗରା,ଦଉଡି ଥିବା ଦେଖି ସନିଆଁ ଶଙ୍କାରେ ଶଙ୍କାରେ କୂଅ ଭିତରକୁ ଝୁଙ୍କିଲା।ନା ନା - ମୁଁ ଏମିତି କ'ଣ ଭାବୁଚି।ଚମକିଗଲା ସନିଆଁ।ଭାବିଲା- ପଡିଶା ଘରକୁ ପଚାରିବ।ମିଲି କହୁଥିଲା- ତାଙ୍କ ପଡିଶାଘର ସରନାନୀ ତାକୁ କୁଆଡ଼େ ଭାରି ଭଲପାଆନ୍ତି ବୋଲି।ସନିଆଁ ଏକା ନିଃଶ୍ୱାସକେ ସରନାନୀ ଦୁଆରେ ହାଜର।ଆଗରୁ ସତେଯେମିତି ଜାଣିଲାପରି ସରନାନୀ ଦୁଆରେ ଅପେକ୍ଷା କରି ଥିଲା।ମୋ' ମିଲି କାଇଁ ? - ସନିଆଁ
ପଚାରିଲା।ସରନାନୀ କାନ୍ଦି ପକେଇଲା।କିଛି ନ କହି ଘର ଭିତରକୁ ଧାଇଁଗଲା।ମୁଣ୍ଡ ଘୂରିଯାଉଥାଏ ସନିଆଁର।ମଝିରେ ମଝିରେ ମଦନା ବୋଧ ଦେଉଥାଏ।କହିଲା- ସନିଆଁଇ ! କ'ଣ କରିବା ଯେ ? ଘଟଣା କ'ଣ କିଛି ବୁଝି ହଉନି।ସରନାନୀ ପୁଣି ଆସିଲା।କହିଲା- ସନିଆଁରେ, ତୁ ବେଗେ ଏଇ ପାଖ ମେଡିକଲ ଯାଆ।ମିଲି କ'ଣ ଫୁନୁରେ ତତେ କିଛି କହିନି ? ଭାରି ହସଖୁସିଆ ପିଲାଟା।ଦଇବ ଶେଷକୁ ଏଇଆ କଲା ? କ'ଣ ହେଇଚି ମୋ' ମିଲିର ? ନାଁ...କଥା ହେଇ ଆଉ କିଛି ଲାଭ ନାହିଁ।ଦଉଡ଼ିଲା ସନିଆଁ।ପଛେ ପଛେ ମଦନା।
ସନିଆଁ ଦେଖିଲା- ମିଲି ଶୋଇଚି ଡାକ୍ତରଖାନା ବାରଣ୍ଡାରେ।ଦେହଟାସାରା ତା'ର ଥଣ୍ଡା ହେଇଯାଇଛି।ପିନ୍ଧା ନାଲିଶାଢୀ ସାଥିରେ ତା' ମଥାର ସିନ୍ଦୁରଟା ଦାଉଦାଉ ଜଳୁଥିଲା ଯେମିତି।ଚାରିପାଖରେ ଲୋକମାନଙ୍କ ଭିଡ଼ ଜମି ଆସୁଥିଲା।କୁହାକୁହି ହେଉଥିଲେ- ଆହାଃ....କେଡ଼େ ସୁନ୍ଦର ଝିଅଟେ !!!ନୂଆବାହା ପରି ଲାଗୁଚି। ୟା'ର କ'ଣ କେହି ନାହାଁନ୍ତି ? ସକାଳୁ ଏମିତି ପଡିଚି ଯେ ପଡିଚି।କିଏ ଆଣିଲା...କ'ଣ ହେଲା କିଛି ଜଣାପଡୁନି।ଏ ଭିତରେ ନର୍ସ ଆସି ପଚାରିଲେ- ଆରେ ଭାଇ, ଇଏ କ'ଣ ତମ ରିଲେଟିଭ୍ ?
ସନିଆଁ ନିର୍ବାକ୍ ହେଇଯାଇଥିଲା।ଆଉ ସେ କାନ୍ଦୁ ନ ଥିଲା।ମିଲିର ହାତମୁଠାକୁ ଫିଟେଇବାକୁ ଚେଷ୍ଟା କରୁଥିଲା।ଦେଖିଲା- ଠିକ୍ ସେମିତିକା ରାକ୍ଷୀଟିଏ ; ଯେମିତି ସେ ଆରବରଷ ତା' ହାତରେ ବାନ୍ଧିଥିଲା।ସନିଆଁକୁ ଆଉ ବୁଝିବାକୁ କିଛି ବାକି ନ ଥିଲା।ଏମିତିରେ ସେ ଏତେ ବୋକା ବି ନ ଥିଲା।ମିଲିର ନିଷ୍ପାପ,ନିଶ୍ଚଳ,ସଜଳ ମୁହଁଟାକୁ ଦେଖି ଦେଖି ଭାବୁଥିଲା ତା' ସହ ଫୋନରେ ଗପସପ ବେଳର ସେଇ ଶେଷକଥା ପଦିକ - ଭାଇ, ରାକ୍ଷୀକୁ ନିଶ୍ଚୟ ଆସିବୁ।ଏତେ ବାକିବକର ହେଇଚୁ।ରାକ୍ଷୀ ପାଉଣା ଦବାକୁ ଆଉ ବାକି କରିବୁନି।ମୁଁ ଚଳେଇନେବି।ଶାଶୁଶଶୁର ଆଉ ଜୋଇଁ ତ ଦେବତା ଭଳି ଲୋକ।ସେମାନେ ମତେ କେବେ ବି ଯଉତୁକ କଥା କହୁନାହାନ୍ତି।ତୁ ଯାହା ଖାଲି ବ୍ୟସ୍ତ ହେଇ କିଛି ଦେଇପାରିଲିନି... ଦେଇପାରିଲିନି...ହଉଚୁ।ମୁଁ ବହୁତ ଖୁସିରେ ଅଛି।ହେଲେ ତୁ କାନ୍ଦୁଚୁ କାହିଁକି ? ସନିଆଁ ଏତକ କହୁକହୁ ଫୋନ କାଟିଦେଇଥିଲା ମିଲି।
ସନିଆଁ ଏଥର ଖୁବଜୋରରେ ହେଙ୍କା ଟେକି କାନ୍ଦିଲା ।ମିଲିକୁ ଜଡେଇ ଧରି କାନ୍ଥଆଡକୁ ଆଉଜି ପଡିଲା ସେ।ମଦନା ଡାକିଲା- ସନିଆଁଇ !! ଇଏ କ'ଣ ହେଇଗଲା ରେ,ତୋ ଭାଗ୍ୟରେ ଏତେ ଦୁଃଖ ସହିବାକୁ ଥିଲା ? ହଉ...ଉଠ୍ .. ମିଲିକୁ ନେଇ ଗାଁକୁ......ସନିଆଁଇ...ସନିଆଁଇ....
ବନ୍ଦ ହେଇଯାଇଥିଲା ସନିଆଁର ବୁକୁର ସ୍ପନ୍ଦନ।