STORYMIRROR

Jashobant Pattanayak

Romance

3  

Jashobant Pattanayak

Romance

ପ୍ରତିବିମ୍ବ

ପ୍ରତିବିମ୍ବ

1 min
160


ପ୍ରୀତିର ବିବାହ ସରିଥିଲା।ସଜଫୁଟା ଗୋଲାପ କଢିପରି ଓଠ,ସଜ ବାହା ଶଙ୍ଖା ଓ ଶାଢ଼ୀର ଆବରଣ ଭିତରେ ତା' ହରିଣୀ ଆଖି ଦୁଇର ଭୄଲ୍ଲତା ମଝିରେ ଆଉ କା'ହାତର ଲାଲ୍ ଟହଟହ ସିନ୍ଦୁର ଟୋପା ସତେ ଯେମିତି ଉପହାସ କରୁଥିଲା ସକାଳର ପହିଲି ସୂର୍ଯ୍ୟକୁ।ନରେଶ ପ୍ରୀତିର ସେ ରୂପଲାବଣ୍ୟକୁ ହୄଦୟରେ ସାଇତି ରଖି ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲା ଚୁପିଚୁପି ପ୍ରୀତି ପାଖରୁ।


ଠିକ୍ ପାଞ୍ଚ ବର୍ଷ ପରେ....


ନିଜ ବେଡ୍ ଉପରେ ସକାଳର ଗରମ ଚା'ଟା ପିଉ ପିଉ ଛୁଟିଦିନ ଖବରକାଗଜ ପୄଷ୍ଠାରେ କେଉଁ ଏକ ସୁନ୍ଦରୀ ନାୟିକାର ଛବି ଦେଖି ଅତି ସନ୍ତର୍ପଣରେ ନିଜ ତକିଆ ତଳୁ ପ୍ରୀତିର ଫଟୋଟିକୁ ବାହାର କରିଆଣି ଛଳଛଳ ଆଖିରେ ନରେଶ କହିଲା - ପ୍ରୀତି ! ମୁଁ ଜାଣିଚି.. ଆଜି ବି ତମେ ମତେ ଜମାରୁ ଭୁଲି ନଥିବ।ଅନାଥାଶ୍ରମରେ ଦେଖାହେବା ଦିନଠୁ ତମେ ହିଁ ତ ମୋର ସବୁ ସଫଳତାର ନାୟିକା।ପରିସ୍ଥିତିର ଦାସ ହୋଇ ଆଜି ଆମେ ପରସ୍ପରଠାରୁ ଦୂରରେ।ହେଲେ ଫରକ୍ ଏତିକି ; ମୁଁ ଏକା : ଆଉ ତୁମେ...।


ବାବୁ ! କେହିଜଣେ ଭଦ୍ରମହିଳା ଆପଣଙ୍କୁ ଖୋଜୁଛନ୍ତି।ନରେଶର ଘରେ କାମ କରୁଥିବା ବଇଁଶୀକକାଙ୍କର ଏଇ କଥା ପଦିକରେ ନରେଶ ପ୍ରକୃତିସ୍ଥ ହେଲା।ଯାଇ ଦେଖେ ତ'...ଆଉ କେହି ନୁହେଁ... ପ୍ରୀତି।ନରେଶର ଆନନ୍ଦର ସୀମା ରହିଲାନି।


ଛାତିରେ କୁନିପୁଅଟିଏ ଜଡେଇ ଧରିଥିଲା ପ୍ରୀତି।ଆଉ ତା'ର ଘଞ୍ଚ, ଅମାନିଆଁ,କଳା ମଚମଚ ମୁକୁଳା କେଶକୁ ଧରି ହସି ହସି ଖେଳୁଥିଲା ଛୁଆଟି।କିନ୍ତୁ ଏ କ'ଣ !!! ପ୍ରୀତି ଯେ ଶ୍ୱେତ ବସ୍ତ୍ର ପରିହିତା।ବୋଧହୁଏ ଏକ ଅଚାନକ-ଅନାହୂତ-ଅସହ୍ୟ ଯାତନା ଶୋଷିନେଇଥିଲା ପ୍ରୀତିର ସମସ୍ତ ଲାଲିମାକୁ।


ସବୁକିଛି ବୁଝି ସାରିଥିଲା ନରେଶ।ତଥାପି କିଛି ଅବୁଝା କଥାର ଝଲକକୁ ନରେଶ ଆଖିରେ ଠଉରେଇ ନେଇଥିଲା ପ୍ରୀତି।କୋହଭରା କଣ୍ଠରେ କହିଲା- ଏକା ଏକା କେମିତି ଅଛ ନରେଶ୍ ? ଏଇ ନିଅ ତୁମ "ପ୍ରତିବିମ୍ବ"। ନରେଶ ପ୍ରୀତି ହାତରୁ ଛୁଆଟିକୁ ନିଜ କୋଳକୁ ନେଉନେଉ ହତବାକ୍ ହୋଇଯାଇଥିଲା। ପ୍ରୀତି ନରେଶର ପିଠି ଉପରେ ଆଉଜି ପଡ଼ି କାନ୍ଦି ଉଠିଲା ଖୁବ୍ ଜୋରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance