DR SAMIR RANJAN BEHERA

Tragedy Inspirational Thriller

4  

DR SAMIR RANJAN BEHERA

Tragedy Inspirational Thriller

ବୁଲା ଅଜା

ବୁଲା ଅଜା

13 mins
374


                  ବୁଲା ଅଜା

ସେଦିନ କାଜୁଆଲିଟି ବହୁତ ଭିଡ଼ ଥାଏ l ମୋର ଦିନ ୨ଟାରୁ ରାତି ଦଶ ପର୍ଯ୍ୟନ୍ତ ଡିଉଟି ଥାଏ l ଏତେ ସଂଖ୍ୟା ର ପେସେଣ୍ଟ ସେଦିନ ଥାଆନ୍ତି ଯେ ମୁଣ୍ଡ ଉପରକୁ କରି ହେଉନଥାଏ l ସତେ ଅବା ବାଲିଯାତ୍ରା.... ତାପରେ ସେଇ ଦିନ ମହାନଦୀ ବ୍ରିଜ ରୁ ପୋଲ ଖସିବା ଘଟଣା ରେ ମିଡ଼ିଆ ମାନଙ୍କର ବି ଭିଡ଼ ଜମିଥାଏ l ମୁଣ୍ଡ ଗରମ ହେଇଯାଉଥାଏ ପେସେଣ୍ଟ ଦେଖି ଦେଖି l ରାତି ପାଖାପାଖି ଆଠ ଟା ହେବ , ହଟାତ ଗେଟ ପାଖରେ ଗୋଟେ ପାଟି ତୁଣ୍ଡ ଶୁଭାଗଲା , ମୁଁ ବିରକ୍ତି ହେଇ ଚିଲେଇଲି l

-" ସେକୁରିଟି କିଏ ସେ ଅଭଦ୍ର ଏତେ ଜୋର ଚିଲାଉଛି l ଏ ପେଟେଣ୍ଟ ମାନେ ଆଉ ବସି ଉଠିବାକୁ ଦେବେନି l"

-" ସାର ଗୋଟେ ବୁଢା ଲୋକ , ବେକରେ ଫୁଲ ମାଳା ପକେଇଛି ମୁଣ୍ଡରେ ସିଂଦୁର ଲେପା ହେଇଛି , ନାଲି ଗାମୁଛା ଟେ ଘୋଡ଼ିଛି ,ଆଉ ଧୁବ ଫର ଫର ଧୋତି ଟେ ପିନ୍ଧିଛି , ପୁରା ତାନ୍ତ୍ରିକ ଟେ ପରି ଦେଖା ଯାଉଛି , ସେ ଆପଣଙ୍କୁ ଦେଖେଇବ ବୋଲି କହୁଛି , ଆମେ ଅଟକେଇବାରୁ ଦେଖନ୍ତୁ କେମିତି ଗଣ୍ଡଗୋଳ କରୁଛି l "

ମୁଁ ପାଖକୁ ଯାଇ ଦେଖିଲି ....

ଆରେ ଏ ତ ବୁଲା ଅଜା , ସେକୁରିଟି ଛାଡିଦିଅ ତାକୁ l

-" ଆରେ ବୁଲା ଅଜା ତମେ ଏକା ଆସିଛ , ମନୀଷ କୁଆଡେ ଗଲା

( ମନୀଷ ମୋ 2 କଲେଜ ବେଳର ସାଙ୍ଗ ବୁଲା ଅଜା ର ନିଜ ନାତି ) l"

-" କହନା ରେ ଭାଇ ( ବୁଲା ଅଜା ମୋତେ ଥଟ୍ଟା ରେ ଭାଇ ବୋଲି ଡାକେ ) ମୋତେ ଏତେ ଧଇଁ ସଇଁ ଲାଗିଲା , ଛାତି ଧଡ ଧଡ଼ ହେଲା , ମୁଁ ଆଉ ରହିପାରିଲିନି ସିଧା ଉଡି ଉଡି ତୁମ ପାଖକୁ ପଳେଇ ଆସିଲି , ମନି ପଛରେ ଆସୁଛି ବୋଧେ l "

ବୁଲା ଅଜା କଥା , ବେଶ ଭୁଷା କେମିତି କେମିତି ଲାଗୁଥାଏ l ମନୀଷ କୁ ଫୋନ ଲଗେଇଲି not reachable କହିଲା l ମୁଁ ଆଉ ବ୍ୟସ୍ତତା ଭିତରେ ବେଶୀ ମୁଣ୍ଡ ନ ପୁରେଇ ବୁଲା ଅଜା କୁ ପରୀକ୍ଷା କରିବାକୁ ଲାଗିଲି , ଦେଖିଲି pulse Heart rate କିଛି ଶୁଣା ଯାଉ ନଥାଏ , breath sound ବି କିଛି ଶୁଣା ଯାଉନଥାଏ l

ବୁଲା ଅଜା ଙ୍କ ର COPD ( ଏକ ଶ୍ୱାସ ଜନିତ ରୋଗ ) ଥିଲା , ଆଉ COPD severe case ରେ ଏମିତି Pulse Rate , Heart rate ବେଳେ ବେଳେ ଶୁଣା ଯାଏନି , ତାପରେ କାଜୁଆଲିଟି ରେ ଘୋ ଘୋ ଶବ୍ଦ ଭିତରେ ମୁଁ ଆଉ ଏତେ ଡିଟେଲ ଗଲିନି , Severe COPD କରି ବୁଲା ଅଜାକୁ ଆଡ଼ମିସନ କରିଦେଲି l

-" ସିଷ୍ଟର ଇଏ ମୋ ଅଜା ଆଡ଼ମିସନ କରି ପଲମୋନାରୀ ବିଭାଗ କୁ ପଠେଇଦେବେ l ସେକୁରିଟି ଟିକେ ବ୍ୟାଟେରୀ ଗାଡି ଡାକି ଅଜାକୁ ପଠେଇବା ବ୍ୟବସ୍ଥା କରିବ l"

ତାପରେ ମୁଁ ପୁଣି ବ୍ୟସ୍ତ ରହିଲି ମୋ କାମ ରେ l

ଓହୋ କି ଭିଡ଼ କି ହେକଟିକ ଡେ , ରାତି 10 ଟା ହେଲାଣି l ମୁଁ ତରବର ହେଇ ବାହାରିଲି ଘରକୁ l ହଟାତ କାଜୁଆଲିଟି ଡୋର ଖୋଲିଲା ବେଳକୁ ବୁଲା ଅଜା ବସିରହିଥିବାର ଦେଖିଲି l ମୋତେ ବହୁତ ଛିଡା ଲାଗିଲା l

-" ସେକୁରିଟି ଆପଣଙ୍କୁ କହିଲି ବ୍ୟାଟେରୀ ଗାଡି ଡାକି ଅଜା କୁ ଟିକେ ଦିପାର୍ଟମେଣ୍ଟ ପଠେଇବା ପାଇଁ , ଏତେ କାମଖିଆଲୀ l"

-" ସାର ମୁଁ ବାରମ୍ବାର ନାମ ଧରି ଡାକିଲି " ବୁଲା ଭୋଇ ....ବୁଲା ଭୋଇ ...କେହି ଶୁଣିଲେନି , ମୋର କଣ ଦୋଷ ସାର l"

- " ହଉ ହଉ , ଆରେ ହେଇତ ସଞ୍ଜୟ...ସଞ୍ଜୟ ୟେ ମୋ ଅଜା, ବୁଲା ଅଜା ...ଆପଣ ବ୍ୟାଟେରୀ ଗାଡି ରେ ଟିକେ ଛାତି ବିଭାଗ ରେ ଛାଡି ଦେଇ ଆସନ୍ତୁ , ହେଇ ନିଅ ଟିକେଟ ଟା       ମୁଁ ପଛରେ ଯାଉଛି , ହଁ ଅକ୍ସିଜେନ ଲଗେଇବାକୁ ଭୁଲିବନି l"

10 15 ମିନଟ ପରେ ଡିପାର୍ଟମେଣ୍ଟ ରେ ପହଂଚିଲି , ଅଜା ର ଧଇଁ ସଇଁ ପୁରା କମିଯାଇଥାଏ l ଏତେ ଧଇଁ ସଇଁ ହେଉଥିଲା ହଟାତ କେମିତି କମିଗଲା , ଏବେ ବୁଢା ପୁରା ଫିଟ ଲାଗୁଛି l

-" ଆରେ ଅଜା ତମେ ଏଇଠି ବସିଛ ,( ମୁଁ ଟିକେ ଆଖି ବୁଲେଇ ନେଇ ଦେଖିଲି ବେଡ଼ ପୁରା ଫୁଲ ଥିଲା ) , ଠିକ ଅଛି ଅଜା ତମେ ଏଇଠି ଥାଅ , ମନୀଷ ଆସିଲେ ଫୋନ କରିବାକୁ କହିବ l ମୁଁ ସକାଳୁ ଆସିଲେ ବେଡ଼ କରେଇଦେବା , ସିଷ୍ଟର ୟେ ମୋ ଅତି କ୍ଲୋଜ ଫ୍ରେଣ୍ଡ ର ଅଜା ମାନେ ମୋ ବୁଲା ଅଜା , ଆପଣ ଯାହା ଯାହା ଇଞ୍ଜେକ୍ସନ ଦେଇଦିଅନ୍ତୁ , ନେବୁଲାଇଜେସନ ବି ଦେଇଦେବେ l ଆଉ ଦିଟା ବେଡ଼ସିଟ ଦିଅନ୍ତୁ l

-" ତମେ ଭାଇ କିଛି ବ୍ୟସ୍ତ ହୁଅନି , ତମ ମୋ ପାଖେ ପହଂଚିଗଲିଣି ମାନେ ମୋର ଆଉ କିଛି ଟେନସନ ନାହିଁ l ଯାହାକର ଭାଇ ଖାଲି ତମ କୁ ଟିକେ ଦେଖିଦେଲେ ମୋ ଆତ୍ମା ତୃପ୍ତି ହେଇଯାଏ , ସବୁ ରୋଗ ଉଭେଇଯାଏ l ସେଇଥିପାଇଁ ପରା ଖୋର୍ଦ୍ଧା ରୁ କେତେ ହସ୍ପିଟାଲ ଛାଡି ଉଡ଼ିକି ପଳେଇ ଆସିଲି l"

-" ହେ ହେ ହେ , ଅଜା ବାବୁ ତମର କିଛି ହେବନି , ମୁଁ ଅଛି ନା ...

ଯାହାବି ହେଉ ମୋ ପାଖକୁ ହିଁ ତମେ ଆସିବ , ମୁଁ ତମର ସବୁ କେୟାର ନେବି l"

-" ହଁ ରେ ଭାଇ , ତୁ ତ ମୋ ସାହା ଭରଷା , ମୁଁ ସବୁବେଳେ ତୋ ପାଖକୁ ହିଁ ଆସିବି , ମରିଗଲେ ବି ତୋ ପାଖକୁ ଆସିବି ତୋତେ ଦେଖିବା ପାଇଁ l"

ବୁଲା ଅଜା କେମିତି ଏକ ସନ୍ତର୍ପଣ ନୟନ ରେ ଚାହିଁ ଥାନ୍ତି l ଅପଲକ ନୟନ , କିଛି ଅଶ୍ରୁ ନିଗାଡ଼ି ପଡୁଥାଏ l

-" ଛି ଅଜା , ନୁ ଇମୋସନ , ବେଶୀ ଧଇଁ ସଇଁ ଲାଗିବ l ଆରେ ଅଜା କହିଲି ପରା ମୁଁ ତୁମ ପାଖେ ଅଛି l "

ମୁଁ ଟିକେ ଅଜା ର ଧ୍ୟାନ ଭାଟକେଇବା ପାଇଁ ଟିକେ ତାଚ୍ଛଲ୍ୟ କରି ପଚାରିଲି

-" ଏ ଅଜା ତୁମକୁ ଏ ତାନ୍ତ୍ରିକ ବେଶ କିଏ ସଜେଇଲା , ସିନ୍ଦୁର ନାଲି ଗାମୁଛା , ନୂଆ ଧୋତି , ଫୁଲ ମାଳ ...ଯାହା କର ଅଜା ମସ୍ତ ଲାଗୁଛ, ପୁରା ଚୋଖା l"

- " ହଁ ପରା , ଏ ପିଲାଗୁଡା ପରା ଜବରଦସ୍ତ ସିନ୍ଦୂର , ଅବିର , ଫୁଲ ମାଳ ପକେଇ ଦେଲେ , ନାଲି ଗାମୁଛା ନୂଆ ଧୋତି ପିନ୍ଧେଇ ଦେଲେ ...ମୁଁ କହୁଛି ଆରେ ମୋ ଭାଇ କଟକ ବଡମେଡିକାଲ ରେ ଅଛି ସେଇଠିକି ମୋତେ ନେଇ ଚାଲ ମୁଁ ପୁରା ଭଲ ହେଇଯିବି , ଏମାନେ କଣ କଲେ ନା ମୋତେ ନେବେ ନେବେ କହି ତିନି ଦିନ ଗଡି ମାରିଲେ , ଶେଷରେ ମୋତେ ଏଇ ତାନ୍ତ୍ରିକ ବେଶ କରିବାରେ ଲାଗିପଡିଲେ , ମୁଁ ଯେତେ ମନା କଲି ସେମାନେ କଣ ଶୁଣିଲେ , ସେଇଥିପାଇଁ ମୁଁ ରାଗିକି ଆଗରେ ପଳେଇଆସିଲି l"

-" ହଉ ଅଜା ବ୍ୟସ୍ତ ହୁଅନି ତମେ ସୋଇପଡ଼ , ରାତି ଏଗାର ବାଜିଲାଣି , ମୁଁ ଆସୁଛି , କାଲି ସକାଳୁ ପହଂଚିଯିବି , କିଛି ଅସୁବିଧା ହେଲେ ଦିଦି ଙ୍କୁ କହିବ ,ସିଏ ମୋତେ ଫୋନ କରି ଡାକିଦେବେ l ଟେକ କେୟାର ଅଜା l"

ଅଜା ମୁଣ୍ଡ କୁ ଟିକେ ଆଉଁସି ଦେଇ ମୁଁ ପଳେଇ ଆସିଲି ସିନା , ହେଲେ କାହିଁକି କେଜାଣି ବୁଲା ଅଜା ଙ୍କ ପାଖରେ ମନ ଟା ରହିଗଲା l ଖାଇ ପି ବେଡ଼ କୁ ଗଲି ହେଲେ ସୋଇ ପାରିଲିନି lକାହିଁକି କେଜାଣି ମୋତେ ସବୁ ବିଚିତ୍ର ଲାଗୁଥିଲା l ବୁଲା ଅଜା ର ବେଶଭୁଷା , ବୁଲା ଅଜା ଭଳି ଲୋକ ଇମୋସନାଲ ହେବା , ମନୀଷ ନ ଆସିବା , ଏତେ ସିରିଏସ ରୋଗ ଏମିତି ହଟାତ ଭଲ ହେଇଜିବା , ସବୁ କିଛି କେମିତି କେମିତି ଲାଗୁଥାଏ l ନିଦ ହେଉନଥାଏ , ବେଡ଼ ରେ ଗଡ଼ ପଡ଼ ହେଉଥାଏ l ବୁଲା ଅଜା ର ସ୍ମୃତି ଭାସି ଉଠୁଥାଏ ମାନସ ପଟରେ l

ବୁଲା ଅଜା ବୟସ ଏବେ ପାଖାପାଖି ସତୁରି ...ଏକ ନିଆରା ବ୍ୟକ୍ତିତ୍ୱ ..ସାଧା ସିଧା ସରଳ, କିନ୍ତୁ ଅନ୍ୟାୟ କୁ ପ୍ରଶୟ ଦିଅନ୍ତିନି , ମୋର ତାଙ୍କ ସହ ପରିଚିତ ପ୍ଲସ ଟୁ ରୁ l ବିଯେବି ଜୁନିଅର କଲେଜ ରେ ମୁଁ 2 Science ପଢ଼ୁଥିଲି ,ସେଇଠି ତାଙ୍କ ନାତି ମନୀଷ ଆମେ ଜେନେରାଲ ହଷ୍ଟେଲ ର ରୁମ ନୁମ୍ବର ଚାରି ରେ ରହୁଥିଲୁ l ମୋ ଘର ଖୁବ ଦୂର ହେଉଥିବାରୁ ପ୍ରାୟ ଘରକୁ ଆସିପାରେନି l ଯେହେତୁ ମନୀଷ ମୋ ଅତି ପ୍ରିୟ ସାଙ୍ଗ ହେଇଯାଇଥିଲା ଆଉ ତାଙ୍କ ଘର ଅପେକ୍ଷା କୃତ ପାଖରେ ଥିଲା , ତେଣୁ ତାଙ୍କ ଘରକୁ କିଛି ପର୍ବ ପର୍ବାଣୀ ହେଲେ ମନୀଷ ସଂଗେ ଯାଏ l ଏକ ପ୍ରକାର ବୁଲା ଅଜା ଘରର ସଦସ୍ୟ ପାଲଟି ଯାଇଥିଲି ମୁଁ l ମୋତେ ତାଙ୍କ ଘରେ ସମସ୍ତେ ଭଲ ପାଆନ୍ତି l ସ୍ପେସିଆଲି ବୁଲା ଅଜା ର ମୋ ପ୍ରତି ଭଲ ପାଇବା ଟା ତ ନିଆରା l

ଏତେ ଭଲ ପାଉଥିଲା ଯେ ମାସରେ ଥରେ ମୋତେ ନ ଦେଖିଲେ ବୁଢ଼ା ହଷ୍ଟେଲ ପଳେଇ ଆସୁଥିଲା l

ମନୀଷ କହେ " ଅଜା ଟା ମୋର ଭାରି ସ୍ନେହୀ ,ମୁଁ ତ ଏକ ପ୍ରକାର ତା ଜୀବନ ଆଉ ସେ ବି ମୋର l ପିଲା ଦିନରୁ ବାପା ସ୍ନେହ ପାଇନି , ବାପା ଙ୍କୁ ଛୋଟ ବେଳରୁ ମୁଁ ଦେଖିନି ,ମା କହେ ସେ ଆମକୁ ଛାଡି କୁଆଡେ ପଳେଇଛନ୍ତି ପରେ ମୁଁ ଜାଣିଲି ଯେ ସେ ଦ୍ଵିତୀୟ ସଂସାର କରିନେଇଛି l ତଥାପି ଅଜା ଆମକୁ କେବେ କଷ୍ଟ ପାଇବାକୁ ଦେଇ ନାହାନ୍ତି l ମୋ ମା ବଡ ଝିଅ ହେଲେ ଅଜା କେବେ ବି ତାକୁ ଦୁଃଖ ରେ ରହିବାକୁ ଦେଇନି , ଏପରିକି ଅଜା ମୋ ବାପା ନାମ ରେ କେସ କରିବା ପାଇଁ ଆଗେଇ ଯାଇଥିଲେ ହେଲେ ବୋଉ ମନା କରିବାରୁ ଚୁପ ରହିଗଲେ l ତାପରେ ମୋ ବଡ ମାଉସୀ ( ସୁନି ମାଉସୀ ) ଠକାମୀ ରେ ଶୀକାର ହେଇଗଲା , ସରଳ ଅଜା କୁ ମଉସା ଭୁଆଁ ବୁଲେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ମ୍ୟାନେଜର ଅଛି ବୋଲି କହି ସୁନି ମାଉସୀ କୁ ବାହା ହେଇଗଲା , ହେଲେ ପରେ ଜଣା ପଡିଲା ସେ କମ୍ପାନୀ ର ଜଣେ ସୁଇପର l ତଥାପି ଅଜା ତାକୁ କ୍ଷମା କରିଦେଲେ , ସୁନି ମାଉସୀ ର କେତେବେଳେ କଣ ଦରକାର ପଡିଲେ ଏଇ ଅଜା ସବୁ କଥା ତାର ବୁଝନ୍ତି l ସାନ ମାଉସୀ ପେଚି... ବିକଳାଙ୍ଗ ଟାଏ , ସିଏ ଗୋଟେ ବଡ ବୋଝ , ହେଲେବି ଅଜା କେବେ ତାକୁ ଉଣା କରନ୍ତିନି l ଅଜାର ଗୋଟେ ପୁଅ ରବି ମାମୁଁ , ଭଲ ପାଠ ପଢ଼ିଲାଣି ବୋଲି ଅଜା ଗୋଟେ ପାନ ଦୋକାନ ଟେ କରି ବସେଇଦେଲେ , ଆଉ କେତେବେଳେ ଇଲେକ୍ଟ୍ରି କାମ କରି ଯାହା ବି ରୋଜଗାର କରେ ତା ପରିବାର କୁ ନିଅଣ୍ଟ , ତେଣୁ ସେ ଅଜା କୁ ସେମିତି ଆଖିଦୃଶିଆ ସାହାଯ୍ୟ କରିପାରେନି l "

ମନୀଷ କହେ "ଏତେ ଅଭାବ ଭିତରେ ଅଜା ରହି ବି କେବେ ଆମକୁ ଅଭାବ ଅନୁଭବ କରିବାକୁ ଦିଏନି l ଆମ ପାଇଁ ସେ ଭଗବାନ ଠୁ ବି କମ ନୁହେଁ , ମୁଁ ଆଜି ଯଦି ଏଇଠି ପହଁଚିଛି ମୋ ଅଜା ପାଇଁ କେବଳ l"

ବୁଲା ଅଜା ର ଗୋଟେ ଜମି ଅଛି ସେଠି ସେ ସବୁ ପ୍ରକାର ଚାଷ କରେ , କହିବାକୁ ଗଲେ ଛୋଟ ଫାର୍ମ ହାଉସ , ମୁଁ ଗଲେ ବୁଢ଼ା ଆଗ ସେଇଠିକି ନେଇଯିବ , ତା କଦଳୀ ଗଛ ନଡ଼ିଆ ଗଛ ଉପାଖ୍ୟାନ ଶୁଣେଇବ , ଏତେ କାନ୍ଧି ହେଲା ଏତେ ଵିକିଲି ମାଙ୍କଡ଼ ଏତେ ଖାଇଗଲେ ....ତାପରେ ଆରମ୍ଭ ତା ପରିବା ଚାଷ ଉପାଖ୍ୟାନ ...ବୁଢ଼ା ଟା ସତରେ ଲକ୍ଷ୍ମୀ ଟା ତା ହାତରେ ବିନା ସାରରେ ଯେମିତି ପରିବା ଫଳେ ମୋତେ ତ ଲୋଭ ହେଇଯାଏ କଞ୍ଚା ଖାଇଯିବାକୁ l ମୁଁ ମାଂସ ପ୍ରିୟ ବୋଲି ଯେବେ ବୁଲା ଅଜା ଘରକୁ ଯିବି ମାନେ ସିଏ ଖୋଜି ଖୋଜି ପିଅର ମଟନ ଆଣିକି ରଖିଥିବ l

କହିବ " ମୋ ଭାଇ ଆସିବ ତାକୁ କଣ ଏଇ ପରିବା ଘାସ ଖୁଏଇ ଛାଡ଼ିବି , ଟିକେ ମଟନ ନହେଲେ କେମିତି ହବ ??"

ସତରେ ବୁଲା ଅଜା ଆଜିର ସମାଜ ରେ ତମେ ଗୋଟେ ଉଦାହରଣ , ଚାଷ କରି କାହିଁ କେତିକି ରୋଜଗାର ରେ କେତେ ବଡ ବୋଝ ଉଠେଇ ଚାଲିଛ , ସେଇଥିରେ ପୁଣି ବନ୍ଧୁ ସ୍ନେହ ପ୍ରୀତି କୁ ଆଡେଇ ଦେଇନ l ମନଟା ଚଞ୍ଚଳ ଲାଗୁଥାଏ ନିଦ ଆସୁନଥାଏ

କାହିଁକି କେଜାଣି ବୁଲାଅଜା ସ୍ମୃତି ଟା ମୋତେ ଅସ୍ତବ୍ୟସ୍ତ କରିପକାଉଛି l ରାତି ଗୋଟେ ହେଲାଣି , ମନୀଷ ଟା ପହଁଚିଲା କି ନାହିଁ ତାକୁ ଫୋନ ଲଗେଇଲି l

- " ଧେତ ମନୀଷ ର ଫୋନ ରିଙ୍ଗ ହେଇ କଟିଯାଉଛି , ୟୁସଲେସ ଟିକେ ବି ଦାୟିତ୍ୱ ଜ୍ଞାନ ନାହିଁ ....କଣ ହେଲା , ନହେଲା ମୋତେ ଟିକେ ଜଣେଇବା କଥା l ଛାଡ଼ ବେକାରିଆ ପିଲା ଟା l"

ଶୋଇବାକୁ ଚେଷ୍ଟା କଲି , ହେଲେ ପୁଣି ବୁଲା ଅଜା ସ୍ମୃତି ରେ ପୁଣି ବୁଡ଼ିଗଲି l

ବୁଲା ଅଜା ଟା ମୋତେ ଏତେ ସ୍ନେହ ଦେଉଥିଲା ମୁଁ ତ ଏକବାର ଘର କଥା ବି ଭୁଲିଯାଏ l

ମନୀଷ କହେ " ଅଜା ର ସବୁଗୁଣ ଭଲ , ହେଲେ ସେ ଗୁଣ୍ଡିବାଇଗଣୀ ଦୋକ୍ତl ଖାଇବା ଛାଡିପାରିଲାଣି , ବୋଉ ଆଉ ମୁଁ ବିଡି ଖିଆ ଟା ଛଡେଇଦେଲୁ ହେଲେ ଏ ଖଇନି ଗୁଣ୍ଡି ତା ଜୀବନ l ସବୁବେଳେ ଚୋବାଉ ଥିବ l

ମୁଁ କେତେ କହିଛି , କେତେ ବୁଝେଇଛି ମୁଣ୍ଡ ବି ଛୁଆଁ କରେଇଛି ହେଲେ ବି ମୋ ମୁଣ୍ଡ ଛୁଇଁ ବି ଲୁଚି ଲୁଚି ଖାଇଲା lବେଳେବେଳେ ବିରକ୍ତି ହେଇ ଗାଳି ଦିଏ ପରେ ପୁଣି ଲୁଚି ଲୁଚି କାନ୍ଦେ ଅଜା ମନ ରେ କଷ୍ଟ ଦେଲି ବୋଲି l "

1999 ମହାବାତ୍ୟା ସମୟ ର କଥା କେବେ ବି ଭୁଲି ହେବ ନାହିଁ , ଏତେ ଜୋର ବାତ୍ୟା ହେଲା ଆମ ହଷ୍ଟେଲ ରେ ଫାଳେ ଭାଙ୍ଗିଗଲା , ଆମକୁ ହଷ୍ଟେଲ ୱାଡେନ ଶୀଘ୍ର ହଷ୍ଟେଲ ଛାଡି ଯିବାକୁ କହିଲେ l ହେଲେ ଏତେ ଜୋର ବାତ୍ୟା ରେ କୁଆଡେ ଯିବା ସମ୍ଭବ ନଥିଲା , ଆମେ ସାଙ୍ଗ ସବୁ ଦୁଇଦିନ ଗୋଟେ ଓଳି ଡାଲି ଭାତ ଖାଇ କମନ ରୁମ ରେ ପଡିରହିଲୁ l ମୋର ବହୁତ ଚିନ୍ତା ଥାଏ ବାତ୍ୟା ଛାଡିଲେ କୁଆଡେ ଯିବି , ମୁଣ୍ଡ କାମ କରୁନଥାଏ l ବାତ୍ୟା ଦୁଇ ଦିନ ପରେ ଛାଡିଗଲା ପିଲା ମାନେ ଏଣେ ତେଣେ ଯିବାକୁ ଲାଗିଲେ l ମନୀଷ ଆଉ ମୁଁ ଚିନ୍ତାରେ ବସିଥାଉ , ଖବର ତ ଦେଲେ କେହି ଆସିବେ , ବସ ଗାଡି ଟ୍ରେନ ସବୁ ତ ବନ୍ଦ କୁଢ଼ କୁଢ଼ ଶବ ରେ ରାସ୍ତା ବି ବୁଜି ହେଇ ପଡିଛି l

-" ଆରେ ମନୀଷ ଏବେ ଆମେ କୁଆଡେ ଯିବା , କଣ କରିବା ?"

-" ରହ ତୁ , ଭଗବାନ କିଛିତ ଗୋଟେ କରିବେ ??

ହଟାତ ଟିଙ୍ଗ ଟିଙ୍ଗ ଘଣ୍ଟି ବଜେଇ ସାଇକେଲ ଧରି ବୁଲା ଅଜା ପହଂଚିଗଲେ , ଆମେ ଦୌଡ଼ି ଯାଇ ଭୋ ଭୋ ହେଇ କାନ୍ଦି ପକେଇଲୁ l

-" ଆରେ ଟୋକା ମାନେ ତମର ଏ ଅଜା ଥିବା ଯାଏ ତମର କିଛି ହେବନି l ଚାଲ ଜଣେ ଆଗରେ ବସ ଜଣେ ପଛରେ ବସ l ହଁ କିଛି ଖାଇବା ନେଇ ଆସିଛି ଆଗ ଖାଇ ନିଅ ତାପରେ ଚାଲିବ ଗାଡି ବାଦାମବାଡ଼ି l"

-" ଆରେ ଭାଇ ତୁ ଆଗରେ ବସ ,ମନୀଷ ପଛରେ ବସୁ ....... ମୋ ଭାଇ ତାକୁ ଟିକେ ନ କୁଣ୍ଡେଇକି ଧରିଲେ ମୋ ବଳ କେଉଁଠୁ ଆସିବ ...ହେ ହେ ହେ ହେ ......l"

-" ହେଲେ ଅଜା ଏତେ ବାଟ ସାଇକେଲ ରେ ...l"

-" ଆରେ ମୋ ସୁନ୍ଦରିଆ ଟୋକା ଦିଟା , ଆଗ ସାଇକେଲ ରେ ବସ ତାପରେ ମୁଁ ସବୁ କହିବି l"

ବୁଲା ଅଜା ମୋତେ ଆଉ ମନୀଷ କୁ ସାଇକେଲ ରେ ବସେଇ ଚାଲିଥାନ୍ତି l ରାସ୍ତା ଘାଟ ତ ଏକ ପ୍ରକାର ଶ୍ମାଶନ ହେଇଯାଇଥିଲା l

ବୁଲା ଅଜା ସାହସ ର ସହ ମାଡି ଚାଲିଥାନ୍ତି l

-" ଅଜା ତମେ ଥକି ଯିବନି , ଚାଲ ଟିକେ ରେଷ୍ଟ ନେବା ତାପରେ ପୁଣି ସାଇକେଲ ଚଲେଇବା l "

-" ହେ ହେ ହେ , ବୁଝିଲୁ ଭାଇ ଏ ପଚାଶ କିଲୋମିଟର କିଛି ନୁହେଁ ମୋ ପାଇଁ , ମୋ ଟୋକା ବେଳର କଥା , ମନୀଷ ର ବୋଉ ଛ କି ସାତ ବର୍ଷ ହେଇଥାଏ , ଏଇ ସାଇକେଲ ରେ ତୋ ଆଇ କୁ ଆଉ ଖୁଲିକୁ (ମନୀଷ ର ବୋଉ ) କୁମ୍ଭ ମେଳା ଦେଖେଇ ନେବା ପାଇଁ ତିନିଶହ କିଲୋମିଟର ଚାଲିଯାଇଥିଲୁ l"

-" ଇଲୋ ବୋପାଲୋ , ଅଜା ତମେ ତାହେଲେ ପୁରା ଟାର୍ଜନ ଥିଲ ପୁରା ଷଣ୍ଢ ମାର୍କା l"

ଏମିତି ଖୁସି ରେ ଖୁସି ରେ କଥା ହେଇ ହେଇ ଆମେ ଅଜାଙ୍କ ଖୁର୍ଦ୍ଧା ଘରେ ପହଂଚିଗଲୁ l ସେଠି ମୁଁ ସତର ଦିନ କାଳ ଥିଲି , ଏଭଳି ଦୂର୍ଦିନ ସମୟ ରେ ଏତେ ଦିନ ରହିଥିଲେ ବି ଅଜା କେବେ ମୋତେ ଜଣେ ଅଲଗା ପିଲା ର ଅନୁଭବ କରିଦେଇନଥିଲେ l

ସତରେ ଜୀବନ ର ଯାତ୍ରା ପଥରେ କେତେ ଅଶାନ୍ତି କେତେ ବି ଯାନ୍ତି ହେଲେ କେହି କେହି ଏ ହୃଦୟ ରେ ବସା ବାନ୍ଧି ରହିଯାନ୍ତି l ବୁଲା ଅଜା ସେମିତି ଜଣେ ଥିଲେ l

ମୋ ର ଅଜା ଛୋଟ ବେଳୁ ତ ମରିଯାଇଥିଲେ ବୋଧେ ସେଥିପାଇଁ ଭଗବାନ ମୋତେ ବୁଲା ଅଜା ସହ ପରିଚିତ କରିଥିଲେ l ମୁଁ ତ କେବେ ବି ପର ଭବେନି l ଆଜି ବି ମନେ ଅଛି ଯେଉଁ ଦିନ ମେଡିକାଲ ଏଣ୍ଟ୍ରାନ୍ସ ର ଫଳ ବାହାରିଥିଲ , ମନୀଷ ପାଇନଥିଲା ତଥାପି ମୁଁ ପାଇଯିବା ଖୁସି ରେ ଅଜା ଏତେ ଖୁସି ହେଇଯାଇଥିଲା ଗାଁ ସାରା ମିଠା ବାଣ୍ଟି ପକେଇଲା l

-" ଆରେ ମୋ ଦୁଇଟା ନାତି ରୁ ଯିଏ ବି ଡାକ୍ତର ହେଉ ମୋ ପାଇଁ ସମାନ , ମୋ ଭାଇ ଟା ଡାକ୍ତର ହେଲା ମାନେ ମୁଁ ଶହେ ବର୍ଷ ବଞ୍ଚିବି ...ହା ହା ହା ......l"

ଆଉ ସତରେ ବି ମୁଁ MBBS ହେବାଠାରୁ ବୁଲାଅଜା ଆଉ କାହା ପାଖରୁ ମେଡ଼ିସିନ ଖାଆନ୍ତି ନାହିଁ , ମୁଁ ଯାହା କହିବି ସେ ବୁଢ଼ା ସେହିଆ ଖାଇବ , ଏଇ ଚାରି ପାଞ୍ଚ ବର୍ଷ ହେଲାଣି ଅଜା ଚାରିଥର ICU ରେ ଆଡ଼ମିସନ ହେଲେଣି , ହେଲେ ଯାହାହେଉ ମୋର ଚେଷ୍ଟା ଆଉ ଭଗବାନ ଙ୍କ କୃପା , ଅଜାର କିଛି ହେବାକୁ ଦେଇନି l

ହେଲେ ବୁଢ଼ା ଟା ପୁରା ଅମାନିଆ , ସେଇ ଗୁଣ୍ଡି ବାଇଗଣୀ ଯେତେ ଛାଡିବାକୁ କହିଲେ ବି ଛାଡ଼ୁନି , ମନୀଷ ଖୁଲି ମାଉସୀ ତାପରେ ମୁଁ କହି କହି ପାରିଲୁନି l ମୁଁ ବି କେତେ ଥର ପାଟି କରିଛି ହେଲେ କାହିଁକି କେଜାଣି ବୁଢା ମୁହଁ ଟା ଦେଖିଲେ ମୋ ରାଗ ସବୁ ମିଳେଇ ଯାଏ l

ସମୟ ଚାରିଟା ବାଜିଲାଣି , ମୋତେ କେମିତି କେମିତି ଜରୁଆ ଜରୁଆ ଲାଗୁଥାଏ l ବୁଲା ଅଜା ର ମୁହଁ ଟା ମୋ ସ୍ମୃତି ପଟରେ ଭାସି ଉଠୁଥାଏ , ନା ଦିଦି ଙ୍କୁ ଟିକେ ଫୋନ କରେ ଅଜା କେମିତି ଅଛନ୍ତି , ମନୀଷ ଆସିଲା କି ନାହିଁ l

ଧେତ ଦିଦି ବି ଫୋନ ଉଠାଉନାହାନ୍ତି , ମନୀଷ କୁ ଲଗେଇଲି ସେ ବି ବାବୁ ଉଠାଉନାହାନ୍ତି l କଣ ଚାଲିଛି ଏ ସବୁ ...ବେକାରିଆ ଗୁଡା ...ସବୁ ବେକାରିଆ ...

ବେଡ଼ ରେ ପଡି ରହିଲି , ଟିକେ ଆଖି ଲାଗିଯାଇଥାଏ

ହଟାତ ଗୋଟେ ସ୍ବର ମୋ କାନରେ ବାଜିଲା ଭଳି ଲାଗିଲା

ଭାଇ .......ଏ ଭାଇ .........

ମୁଁ ଚମକି କି ଉଠିପଡିଲି .....ଆରେ ଏ ତ ବୁଲା ଅଜାର ସ୍ବର l

ବୁଲା ଅଜା ର କିଛି ହେଇଗଲା କି .....ନା ନା କାଲି ରାତିରେ ଦେଖିଲି ପୁରା ଷ୍ଟାବଲ ଥିଲେ , ପାପୀ ମନ ଟା.... ମୋ ବୁଲା ଅଜାର କିଛି ହେଇ ନଥିବ l ତଥାପି ମନଟା ବୁଝିଲାନି l

ନା ମୋତେ ଦିପାର୍ଟମେଣ୍ଟ ଯିବାକୁ ପଡିବ , ମୋତେ ବୁଲା ଅଜା ପାଖକୁ ଶୀଘ୍ର ଯିବାକୁ ପଡିବ l ଟିକେ ୱାସ ରୁମ କୁ ଯାଇ ଧୁଆ ଧୁଇ ହେଲା ବେଳେ ହଟାତ ମୋବଇଲ ରିଙ୍ଗ ହେଲା ..

ଦିଦି ବୋଧେ କଲ କରିଥିବେ , ବୁଲା ଅଜା ର ସ୍ଟାଟସ କହିବେ

ମୁଁ ତର ତର ହେଇ ମୋବଇଲ ଟା ଦେଖିଲି ଯେ ମନୀଷ ଫୋନ କରିଛି l

-" ହେଲୋ , ଏବେ ହନୁମାନ ତୋର ଦାୟିତ୍ୱ ଜ୍ଞାନ ବୋଲି କିଛି ଅଛି ନା , ଅଜା କୁ ଆଗରେ ପଠେଇଦେଲୁ ଆଉ ବାବୁ ବିଜି ହେଇଗଲେ , ଫୋନ ବ ଟିକେ ଉଠେଇବାକୁ ଟାଇମ ହଉନି l ଅଜା ରାତିସାରା ହସ୍ପିଟାଲ ରେ ଏକା , ତୁ କୁକୁର ଆସିଲୁନି ନା ନାହିଁ l"

-" କଣ କହୁଛୁ ସାଙ୍ଗ ମୁଁ କିଛି ବୁଝି ପାରୁନି ରେ , ଅଜା ର ଶେଷ ସମୟ ରେ ହସ୍ପିଟାଲ ଯିବା ଭାଗ୍ୟ ରେ ନଥିଲାରେ l"

-" ମାନେ !!!!!!!!!!!!!! କଣ ତୁ କହୁଛୁ !!!!!!!!!! ଅଜା ..........

-" ହଁ ରେ ସାଙ୍ଗ, କାଲି ସନ୍ଧ୍ୟା ସାତଟା ବେଳେ ଅଜା ଆମକୁ ଛାଡି ଚିର ଦିନ ପାଇଁ ଚାଲିଗଲେ l ମଲା ବେଳେ ବହୁତ ଖୋଜିଛନ୍ତି ରେ ତୋତେ , ଖାଲି ରଡି ଛାଡିଲା ମୋ ଭାଇ ପାଖକୁ ନେଇ ଚାଲ ମୋ ଭାଇ ପାଖକୁ ନେଇଚାଲ l ତୁ ଭିଡିଓ କଲ କରି ଶୀଘ୍ର ହସ୍ପିଟାଲ ଆସିବା ପାଇଁ କହିଲୁ , ଆମେ ସଂଗେ ସଂଗେ ଆମ୍ବୁଲାନ୍ସ ଡକେଇଲୁ , ହେଲେ ଅଜା ଆମକୁ ଆଉ କଷ୍ଟ ନ ଦେବା ପାଇଁ ଆମ୍ବୁଲାନ୍ସ ଆସିବା ପୂର୍ବରୁ ଚିର ନିଦ୍ରା ରେ ଶୋଇଗଲା l କାଲି ରାତିରୁ ସେ ଧଇଁ ସଇଁ ହେଉଥିଲେ , ବାରମ୍ବାର ମୋତେ କହୁଥାଏ ଆରେ ମୋ ଭାଇ ଟାକୁ ଟିକେ ଫୋନ କର ...ମୋ ଭାଇ ଟାକୁ ଟିକେ ଫୋନ କର .......ମୁଁ ବହୁତ ତା ଉପରେ ଚିଡି ଯାଇଥିଲି l

ସମୀର କଣ ତୋ ଚାକର , ଯେତେବେଳେ ଡାକିଲେ ପଳେଇ ଆସିବ , ତୁ ସେଇ ଗୁଣ୍ଡି ବାଇଗଣୀ ଖା ଆଉ ମର l

ଜାଣି ନଥିଲି ରେ ସାଙ୍ଗ ମୋ ଉପରେ ଏତେ ଅଭିମାନ କରି ସେ ଛାଡି ଚାଲିଯିବ l

କଣ୍ଠ ବାଷ୍ପ ରୁଦ୍ଧ ହେଇଯାଉଥିଲା ମନୀଷ ର ..

ତାମାନେ ବୁଲା ଅଜା ........ହସ୍ପିଟାଲ .....ଆସିନାହାନ୍ତି ...

ତାହେଲେ ମୁଁ ......କାଲି ......କାହାକୁ ଆଡ଼ମିସନ କଲି ....

କାଳ ବିଳମ୍ବ ନ କରି ଛୁଟି ଗଲି ହସ୍ପିଟାଲ କୁ

-" ଦିଦି ଦିଦି , କାଲି ଯେଉଁ V1 ରେ ମୋର ଅଜା କୁ ଆଡ଼ମିସନ କରିକି ଯାଇଥିଲି ...ସେ କୁଆଡେ ଗଲା ..ଏଇଠି ବସିଥିଲା .....l"

-" ହଁ ଆପଣ ତ କହୁଥିଲେ କଣ ଆପଣ ଙ୍କ ଅଜା ଆଡ଼ମିସନ ହେଲେ ..ହେଲେ ମୁଁ ତ ଏଠି କାହାକୁ ଦେଖିବାକୁ ପାଇଲିନି ..

ତାପରେ ସବୁ ରୋଗୀ କୁ ଜଣ ଜଣ କରି ପଚାରିଲି ସମୀର ସାର ଙ୍କ ଅଜା କିଏ ...କିଛି ଉତ୍ତର ମିଳିଲାନି l ତାପରେ ଆପଣ

V 1 ପାଖରେ କଥା ହଉଥିବାରେ ଦେଖିଲି ହେଲେ କାହା ସଂଗେ କଥା ହେଉଥିଲେ ଜାଣି ପାରିଲିନି l ମୁଁ ଲକ୍ଷ କଲି କେହି ବି ସେଠି ନଥିଲେ , ମୁଁ ଆପଣଙ୍କୁ ପଚାରିବି ଭାବୁଥିଲି , କଣ ସାର ମନ କୁ ମନ କଥା ହେଉଛନ୍ତି , ତାପରେ ଆପଣ ତ ପଳେଇଲେ l"

ମୁଁ ପାଗଳପ୍ରାୟ ହେଇଯାଇଥାଏ , ବେଡ଼ ହେଡ଼ ଟିକେଟ ଯେଉଁଥିରେ ମୁଁ ଟ୍ରିଟମେଣ୍ଟ ଲେଖିଥିଲି ତନ୍ନ ତନ୍ନ କରି ଖୋଜିଲି ହେଲେ ବୁଲା ଅଜା ର ଟିକେଟ ପାଇଲିନି l ପାଗଳ ପରି ଦୌଡ଼ିଗଲି କାଜୁଆଲିଟି କୁ l

-" ଦିଦି କାଲି ଆପଣ ଯେଉଁ ଲେଖିଥିଲେ ଗୋଟେ ନାମ

" ବୁଲା ଭୋଇ " ଟିକେ ଦେଖିଲେ ରେଜିଷ୍ଟର ଟା , ଟାଇମ ସେଇ ଆଠ ଟା ପାଖା ପାଖି ଥିଲା l"

ଦିଦି ପୁରା ଦିନର ରେଜିଷ୍ଟାର ଚେକ କରିଦେଲେ l

-" ନା ତ ସାର , ସେମିତି ନାମ ରେ ତ କେହି ପେସେଣ୍ଟ ଆସି ନାହାନ୍ତି l"

ମୁଁ ପୁରା ଶକ୍ତିହୀନ ହେଇପଡ଼ିଥାଏ l ଲଥ କିନା ଚେୟାର ଉପରେ ବସିପଡିଲି , ଗମ ଗମ ଝାଳ ଦେହରୁ ବାହାରିଯାଉଥାଏ l ପାଦ ତଳୁ ମାଟି ଖସିଗଲା ପରି ଲାଗୁଥାଏ , ସତେ ଆକାଶ ଟା ମୋ ଉପରେ ଛିଣ୍ଡି ପଡୁଛି l କାନ ମୁଳ ଦେଇ ସାଇଁ ସାଇଁ ପବନ ବୋହିଯାଉଥାଏ ,ଆଉ ନିରବ ରେ ପ୍ରତିଧ୍ୱନି ହେଉଥାଏ ବୁଲା ଅଜା ର ଶେଷ କେଇ ପଦ ..............

" ମୋ ଭାଇ ଟା ଡାକ୍ତର ହେଲା ମାନେ ମୁଁ ଶହେ ବର୍ଷ ବଞ୍ଚିବି ...ହା ହା ହା ......l"

-" ହଁ ରେ ଭାଇ , ତୁ ତ ମୋ ସାହା ଭରଷା , ମୁଁ ସବୁବେଳେ ତୋ ପାଖକୁ ହିଁ ଆସିବି , ମରିଗଲେ ବି ତୋ ପାଖକୁ ଆସିବି ତୋତେ ଦେଖିବା ପାଇଁ .......................l"


ଏହା ଭିତରେ ପାଖା ପାଖି ବର୍ଷେ ହେଇଗଲାଣି ବୁଲା ଅଜା ର ମରିବାର ଟା , ତଥାପି କାହିଁକି କେଜାଣି ବୁଲା ଅଜା ର ମୃତ୍ୟୁ କୁ ଏବେ ବି ଗ୍ରହଣ କରିପାରୁନି l ଏବେ ବି ଯେମିତି ସବୁ ସ୍ଥାନ ରେ ତା ସତ୍ତା ଅନୁଭବ କରେ ମୁଁ l ସତରେ ଅଜା ଶେଷ ବେଳେ ତୋର ଏ ଦୁଇଟା ଯାକ ନାତି କେଉଁ କାମରେ ଆସିଲେଣି ନା l

ମୁକ୍ତ ଆକାଶ କୁ ଯେବେ ନିର୍ମିଶେଷ ନୟନ ରେ ଚାହିଁ ଥାଏ , ତାରା ଗହଣ ରେ ବହୁତ ଖୋଜେ ଲୋ ଅଜା ତୁମକୁ l

ଆଉ ଅଜାଣତରେ କିଛି ଲୁହ ବୋହିଆସି ଓଠ ପିଇ ଯାଏ ତମ ସ୍ମୃତିରେ l



Rate this content
Log in

Similar oriya story from Tragedy