DR SAMIR RANJAN BEHERA

Children Stories Inspirational

3  

DR SAMIR RANJAN BEHERA

Children Stories Inspirational

ଆଲୋ ଢମଣା ବୁଲି ବୁଲି ପୁଣି....

ଆଲୋ ଢମଣା ବୁଲି ବୁଲି ପୁଣି....

9 mins
207


ନିଲୁ ଓରଫ ସାଇପ୍ରକାଶ ପଣ୍ଡା l ବାପା ମାଆଙ୍କର ଏକୋଇରଵଳା ବିଶିକେଶନ l ବାପା ମାଆ ବିଚାରି ଗୋଟେ ପୁଅ ପାଇବା ପାଇଁ ଆଠଟା ଝିଅ ଜନ୍ମ କରିଦେଲେ l ସବୁଠୁଁ କୌତୂହଳ ବିଷୟ ବସ୍ତୁ ହେଲା ନିଲୁର ଜନ୍ମ ବେଳେ ତା ବାପାର ଷାଠିଏ ବର୍ଷ ଆଉ ମାଆର ପଚାଶ ବର୍ଷ l ବୁଢା ବୁଢ଼ୀର ଗୋଟେ ନିଶା ପୁଅ ଜନ୍ମ କରିବେ....

"ଜବ୍ ତକ୍ ହୈ ଜାନ୍ ......ନିଆଁ ନହେଲେ କିଏ ଦେବ l କେଉଁ ତୀର୍ଥ କେଉଁ ଦେବଦେବୀ ଯେ ପୂଜା କରିନଥିଲେ ତାର ହିସାବ ନାହିଁ l ଭଗବାନଙ୍କୁ ବି ଧନ୍ୟବାଦ ଦେବାକୁ ପଡିବ, ବୁଢ଼ୀ ସବୁ ବିଜ୍ଞାନକୁ ଭୁଲ ପ୍ରମାଣିତ କରିଦେଇ ପଚାଶ ବର୍ଷ ବୟସରେ ପୁତ୍ର ଜନ୍ମ କରି ଦେଖେଇଦେଲା ନା l

ଯିଏ ଦେଖେ ନିଲୁର ବଡ ଭଉଣୀକୁ ତାର ମାଆ ବୋଲି କୁହନ୍ତି ଆଉ ତା ଅରିଜିନାଲ ମାଆକୁ ଜେଜେମା l କାରଣ ନିଲୁ ଜନ୍ମ ବେଳକୁ ତା ବଡ ଭଉଣୀକୁ ପାଖା ପାଖି ପଞ୍ଚତିରିଶ କି ଚାଳିଶ ବର୍ଷ ହେଲାଣି l ନିଲୁ ଛୋଟ ବେଳେ ପୁରା ସରଗର ତାରା ଭଳିଆ ଗେହ୍ଲା ହେଇ ବଢିଲା l ସମସ୍ତେ ମୁଣ୍ଡେଇ ମୁଣ୍ଡେଇ ବୁଲିଲେ l ତା ମାଆ ତ ଟିକେ ଆଖି ଆଗରୁ ଚାଲିଗଲେ ଚିଲେଇ ଚିଲେଇ ବେଦମ କରିଦିଏ l ଆଉ ନିଲୁ ଦେହରେ ହାତ ତ ଦେବାର ଦୂର କଥା ଯିଏ ଯଦି କିଛି କହିଦେବ ବୁଢ଼ୀ ପୁରା ତଡକା ଅସୁରୁଣୀ ହେଇ ତାକୁ ଖାଇଯିବ l ସେଇଥିପାଇଁ ଛ ସାତ ବର୍ଷ ପରେ ବି ବୁଢ଼ୀ ନିଲୁକୁ ସ୍କୁଲ ଯିବାକୁ ଦେଲାନି l

- " ଏ କି କଥା ବଡ଼ମାଆ, ଛୁଆ ପାଠ ପଡ଼ିବନି ଖାଲି ତମ ମୁହଁ ପାଖରେ ବସିବ, ତାପରେ ତମେ ଆଉ ବଡ଼ବାପା ମଲା ପରେ ଛୁଆ କଣ କରିବ ? ତାକୁ କଣ ମୂର୍ଖ କରିବ ନା କଣ ?"

ବଞ୍ଚା ନନା କହିପକେଇଲେ l 

ବଞ୍ଚା ନନା ନିଲୁର କାକା ପୁଅ ଭାଇ, ଭାରି ବୁଝିବା ଶୁଝିବା ଲୋକ ଟାଏ l ଗାଁରେ ଚାଷ କରେ ନିଜର ଗୋଟେ ଫାର୍ମ ହାଉସକୁ ଚଳାଏ l ପ୍ରଖର ବୁଦ୍ଧି ତାର l ନିଲୁକୁ ନିଜ ସାନ ଭାଇ ପରି ବହୁତ ଭଲ ପାଏ l

-" କି କଥା କହୁଛୁ କହିଲୁ ବାଞ୍ଛା, ଆରେ ଏତେ ଜମି ପଡିଛି, ଦୁଇ ଖଣ୍ଡ ପଡାର ଯଜମାନ ପଡିଛି, ସେତିକିକୁ ଦେଖା ଚାହାଁ କଲେ ପରା ଚଳିଯିବ, ପାଠ ହଲାଉଛୁ ପାଠ l ଆମେମାନେ ସେତେବେଳେ ପାଠ ତ ପଢିନଥିଲୁ ସବୁ ଭୋକରେ ମରିଗଲୁ ଆଉ l"

ଚିଲେଇ ଚିଲେଇ କହିଲେ ନିଲୁର ମାଆ କୁଞ୍ଜ ବୁଢ଼ୀ l

କୁଞ୍ଜ ବୁଢୀକୁ ବୁଝେଇବା ବଡ କଷ୍ଟ, ଯାହା ମୁଣ୍ଡରେ ପଶିଥିବ ସେହା l ଯାହା ବି ହେଉ ବାଞ୍ଛାନନା ନିଲୁର ବାପା ମଧୁ ବଡବାପାଙ୍କୁ ବୁଝେଇ ନିଲୁକୁ ସ୍କୁଲରେ ନାମ ଲେଖେଇଲା l ନିଲୁର ସ୍କୁଲ ଯିବାକୁ ବହୁତ ଇଛା, ପାଠପଢିବାକୁ ବି ବହୁତ ଇଚ୍ଛା l ହେଲେ ଏ କୁଞ୍ଜ ବୁଢ଼ୀ ସବୁବେଳେ ଚିଲେଇ ରହୁଥାଏ l

ଏ ଧନ ନିଲୁ କୁଆଡେ ଗଲୁ ....ଆଜି ସ୍କୁଲ ଯାଆନି.... କାହିଁ ଆଜି ଉଆଁସ ...ଆଜି ବେଶୀ ଖରା ....ଆଜି ଥଣ୍ଡା ପଡିଛି .....ଆଜି ବର୍ଷା ହଉଛି ....ଏମିତି ଅନେକ ବାହାନା କରି ନିଲୁକୁ ସ୍କୁଲ ଯିବାରେ ବୁଢ଼ୀ ଅଟକାଏ l

ଜୟା ନାନୀ ନିଲୁର ବଡ଼ଭଉଣୀ ରାଗିକି ନିଆଁ ବାଣ 

" ତୋ ଯୋଗୁଁ ଏଇଟା ମୂର୍ଖ ହେବ, ତୋତେ ନିଆଁ ଦେବା ଛଡା ଆଉ କିଛି କରିପାରିବନି l ଶେଷରେ ଏଠୁ ସେଠୁ ଚୋରୀ ଚମାରି କରି ତୋ ନାଆଁ ପକେଇବ l "

ତଥାପି ବୁଢ଼ୀ ଶୁଣେନି l ସ୍କୁଲ ପିରିୟଡ଼ ଭିତରେ ବି ଦୁଇ ତିନି ଥର ଲେଖାଏଁ ପଳେଇଯାଏ ନିଲୁକୁ ଦେଖିବା ପାଇଁ l 

ନିଲୁ ଏବେ ଟିକେ ବଡ ହେଇଗଲାଣି, ସବୁ ଟିକେ ଟିକେ ଜାଣିପାରୁଛି l ମାଆ ଉପରେ ବେଳେ ବେଳେ ରାଗି ବି ଦଉଛି l ବିଚରା କୁଞ୍ଜ ମାଆଟା କଣ କରିବ, ତାର ମାତୃତ୍ୱର ଭାବାବେଗକୁ ବିଚରା ଆୟତ୍ତ କରିପାରେନି l ଯିଏ ଯାହା କହୁ ଯେତେ ରାଗୁ ନିଲୁ ଯେ ତା ଜୀବନଠୁ ଅଧିକ, ଏକଥା କେହି ତା ମନରୁ କାଢ଼ିପାରନ୍ତିନି l

ଏହା ଭିତରେ ନିଲୁର ମାଟ୍ରିକ ପରୀକ୍ଷାର ଫଳ ବାହରିଥାଏ, ନିଲୁ ଥାର୍ଡ଼ ଡିଭିସନରେ ପାସ କରିଥାଏ l କଣ କରିବ ବିଚରା ମାଆଟା ପାଇଁ ତ କେତେବେଳେ ଭଲ କି ପଢିଲାନି l ଗେହ୍ଲା ଗେହ୍ଲା ହେଇ ବୁଲିଲା, ସବୁ ବେକାର ହେଇଗଲା l

-"ଛାଡ ଯାହାହେଲେବି, ନିଲୁକୁ 2ଟା SR କଲେଜରେ ପଢେଇବା, ସେଠି ଟିକେ ଭଲ ପଢ଼ାଯାଏ l"

-" ନା ନା ସେତେ ଦୂରରେ ହବନି, ମୋ ପୁଅକୁ ମୁଁ ଛାଡି ରହିପାରିବିନି, ନହେଲେ ମୋତେ ମାରିଦିଅ l"

ବୁଢ଼ୀ ପୁରା ନଛୋଡବନ୍ଧା l ପୁରା ମେଣ୍ଟାଲ ଭଳି ହେଲା l

-" ସିଏ ଏଇ ଲତାଯୁଡ଼ି ସଂସ୍କୃତ ମହାବିଦ୍ୟାଳୟ ଆମ ଘରଠୁ ହାତେ ଦୂରରେ, ସେଇଠି ପଢୁ l "

ବିଚରା ନିଲୁର ଭାଗ୍ୟlକାଶ ପୁରା ଅନ୍ଧାର ...ନିଲୁ ବି ଜିଦ ଧରିଲା "ମୁଁ ଏ ଲତାଯୁଡ଼ିରେ ପଢ଼ିବିନି, ଏଇଟା ଗୋଟେ କଲେଜରେ ଗଣା l ପଢ଼ିବି ଯଦି SR କଲେଜରେ ପଢ଼ିବି, ନହେଲେ ସିଧା ଘର ଛାଡି ପଳେଇବି, ନିଲୁ ନିଲୁ ହେଉଥିବୁ, ଗେଫା ମାରୁଥିବୁ l"

କୁଞ୍ଜ ବୁଢ଼ୀ ଚୁପ, ଖାଲି ଲୁହ ଗଡେଇଲା l

-" ଆରେ ବଡ଼ମାଆ ନିଲୁ କଣ କୁଆଡେ ବିଦେଶ ପଳାଉଛି, ଏଇ ଦଶ ପନ୍ଦର କିଲୋମିଟରର କଥା l ସାଇକେଲରେ ଯିବ ସାଇକେଲରେ ଆସିବ l"

-" ନା ନା ସାଇକେଲରେ ନାହିଁ ବାଟରେ ଗାଡି ଘୋଡା କଥା କେତେବେଳେ କଣ ହେବ, ନାରେ ବାବା, ହରିଓଁ ହରିଓଁ l"

-" ହଉ ତାହେଲେ ଚାଲି ଚାଲି ଯିବ l"

-" ଏ ବାଡ଼ିପଡା ବଞ୍ଚା ମୋ ଛୁଆକୁ ତୁ ମାରିବୁ ନା କଣ, ଏତେ ବାଟ ମୋ ଛୁଆ ଚାଲିବ l"

-" ହଉ ବଡ଼ମାଆ, ମୁଁ ମୋଦୀ ସାରକୁ କହିବି ତ ଛୁଆ ପାଇଁ ଗୋଟେ ହେଲିକପ୍ଟର ପଠେଇଦେବ l"

ଯାହାହେଉ ଶେଷରେ ବୁଢୀକୁ ମନେଇ ମନେଇ SR କଲେଜରେ ନାମ ଲେଖାଗଲା ନିଲୁର l ଯାହା ହେଉ ବୁଢ଼ୀର ଉତ୍ପାତ ଭିତରେ ନିଲୁର +2 ସରିଗଲା, ଦ୍ଵିତୀୟ ଶ୍ରେଣୀରେ ବାବୁ ପାସ କଲେ l ହେଲେ କଲେଜ ଯାଇ ବାବୁଙ୍କର ଟିକେ ନଲେଜ ଉପର ମୁହାଁ ହଉଥିଲା l ବାବୁ ଏବେ ଟିକେ ବଡ ବଡ କଥା କହିଦେଉଛନ୍ତି l ମାଆକୁ ହୁଁ କଥାରେ ଘର ଛାଡ଼ିଦେବି ଧମକ ଦେଉଛି l ବଞ୍ଚା ନନାକୁ ମେଘ ଆରପଟରୁ କଥା ଆଣି କହୁଛି 

କାହିଁ ମୁଁ ଚାକିରୀ କରିବି .....ଟାଉନରେ ରହିବି .....କାର ଆଣିବି ........ଗୋଟେ ସୁନ୍ଦରୀ ଦେଖିକି ବାହା ହେବି ....

-" ତୋ ମାଆ ଏଠି କଣ କରିବ, ତାକୁ ତୋ ପାଖକୁ ନେବୁନି l"

-" ହେ ଏଏଏ ..ବୁଢ଼ୀକୁ କିଏ ନେବ କେଚେର କେଚେର କରି ଅଧା ଜୀବନ ତ ଖାଇଗଲାଣି ଆଉ ବାକି ରହିଲା l"

ନିଲୁ +୩ ସେଇ କଲେଜରେ ପଲଟିକାଲ ଅନର୍ସ ନେଇ ପଢିଲା 

ହେଲେ ନିଲୁ ସ୍ୱର୍ଗରେ ଉଡୁଥାଏ, ବୋଟ କଳା ଚଷମା ଜିନ୍ସ ...ବାପରେ ତା ଷ୍ଟାଇଲ ...

-" ଆରେ ନିଲୁ ବ୍ରାହ୍ମଣ ପିଲା ଏ କି ଅଳିଆମୀ l ଆରେ ସାଧା ସିଧା ରହିବା ଆମ ସଂସ୍କୃତି ପରମ୍ପରା, କାହିଁକି ଏମିତି ହେଉଛୁ କହିଲୁ ବାବା l"

-" ହେ ବଞ୍ଚାନା, ତମେ ସେ ମଫୁ କଥା ଆଉ ଶୁଣାଓନି, ସ୍ମାର୍ଟ ନହେଲେ ଆଜିକାଲି ଦୁନିଆରେ କିଛି ମିଳିବନି l 

ହଁ ନନା ଶୁଣ ଗୋଟେ ଚାକିରୀ ବାହାରିଛି, ନ ତାଲା ଭୁବନେଶ୍ୱରରେ, ମେଡିକାଲ ଡିରେକ୍ଟରର ଷ୍ଟେନୋ l ଦରମା ପନ୍ଦର ହଜାର ମାସକୁ, ତମେ ବାପା କି ମାଆକୁ କିଛି କୁହନି, ଆଲମିରାରୁ ଦଶ ହଜାର ଟଙ୍କା ବାହାର କରିକି ନେଇଯାଉଛି l ଏବେ କିଛି କୁହନି ମୁଁ ଚାକିରୀ ପାଇଲେ ଜଣେଇଦେବି, ବୁଢା ବୁଢ଼ୀ ଖୁସି ହେଇଯିବେ l"

-" ହରି ହରି ହରି .....ନିଲୁ ତୁ ଚୋରୀ କଲୁ ବାପାଙ୍କ ପଇସା.... କି ଚାକିରୀ କରିବୁ ବେ, ସେଠି କେତେ ଟ୍ୟାଲେଣ୍ଟେଡ ପିଲା ଯାଇଥିବେ, ତାପରେ ତୁ ଯେଉଁ ଛେନା ମାର୍କ ରଖିଛୁ l ଆରେ ମୋ କଥା ଶୁଣ, ବାପା ମାଆ ତୋର ଯଥେଷ୍ଟ ବୟସ ହେଲାଣି, କେତେବେଳେ କଣ ହେବ ନହେବ କିଏ କହିବ, ତୋ ପଢ଼ା ଆଗ ସରିଲା ପରେ ଏଇ ପାଖା ପାଖି କେଉଁଠି ଦେଖି ଚାକିରୀ ମିଳିଲା ତ କରିବୁ, ନହେଲେ ଆମେ ଦି ଭାଇ ଆମ ଫାର୍ମ ହାଉସ କଥା ବୁଝିବା l ଆରେ ଭଲ କମେଇବା l"

-" ହେ ଛାଡ଼ ମୋ ବଞ୍ଚାନା, ତମେ ସେ ଗୁରୁ ଜ୍ଞାନ ଆଉ ଦିଅନି ବସ ଟାଇମ ହେଲାଣି ମୁଁ ଯାଉଛି, ହଁ ଘରେ କାହାକୁ କହିବନି କାଲି ରାତି ସୁଦ୍ଧା ଫେରିଆସିବି l ମୋ ସାଙ୍ଗ ଆଉ ଦୁଇ ଜଣ ଯାଉଛନ୍ତି l"

-" ହଉ ଯାରେ ଢମଣା ....ବୁଲି ବୁଲି ତୁ ଯଦି ଏଇ ଅଗଣାକୁ ନ ଆସିବୁ ଏ ବଞ୍ଚାନା ବେକରେ ଜୋତା ଟାଙ୍ଗିବୁ l"

ନିଲୁ ନଛୋଡବନ୍ଧା, ଷ୍ଟାଇଲ ମାରି ପଳେଇଲା ବାବୁ ଚାକିରୀ ପାଇଁ l ସକାଳୁ ବାବୁ ଶୌଚାଳୟରେ ଫ୍ରେସ ଫ୍ରାସ ହେଇ ନ ତାଲାରେ ପହଂଚିଗଲେ ଇଣ୍ଟରଭିଉ ପାଇଁ l

ନ ତାଲାର ଡିରେକ୍ଟର ଅଫିସ ପାଖ, ଆଉ କିଛି ପିଲା ରୁଣ୍ଡ ହେଇଥାନ୍ତି ଇଣ୍ଟରଭିଉ ପାଇଁ, ନିଲୁ ଟିକେ ନର୍ଭସ ନର୍ଭସ ହେଉଥାଏ, ଭିତରେ କୁଲୁକୁଲୁ ବି ହେଉଥାଏ, ବାବୁ ପ୍ରଥମ ଥର ପାଇଁ ବାହାରକୁ ଯାଇଛନ୍ତି ନା l ନିଲୁ ପାଖ ପିଲାମାନଙ୍କୁ +2 ମାର୍କ ପଚାରୁଥାଏ l ନିଲୁର ମୁହଁ ଗୋବର, ପ୍ରାୟ ସବୁ ପିଲା ନିଲୁଠୁ ଅଧିକା ରଖିଥିଲେ l ବିଚରା .....କଣ କରିବ l 

ଇଣ୍ଟରଭିଉ ସରିଗଲାରେଜଲ୍ଟ ବି ବାହାରିଗଲା l ନିଲୁର ନାମଟା ସର୍ବନିମ୍ନ ସ୍ଥାନରେ ଥିଲା l ନିଲୁ ମନଟା ପୁରା ଶୁଖିଗଲା l ସମୟ ଦିଟା, ନିଲୁ ମନ ଦୁଃଖରେ ବାହାରେ ବେଞ୍ଚ ଉପରେ ବସିଥାଏ l ହଟାତ କିଏ କାନ୍ଧରେ ହାତ ପକେଇଦେଲା 

ନିଲୁ ଚମକି ପଡିଲା 

-" କଣ ସାଇପ୍ରକାଶ ପଣ୍ଡା, ମନ ଦୁଃଖ ହେଇଗଲା, ଚାକିରୀ ପାଇଁ ଆସିଥିଲ ପରା l"

-" ଆପଣଙ୍କୁ ଚିହ୍ନି ପାରିଲିନି l"

-" ହେ ହେ ହେ, ଆରେ ମୁଁ ତୁମ ବାଲିଆପାଳ ଲୋକ, ନବଘନ ନାୟକ l ତମ କଲେଜକୁ ଗଲାବେଳେ ଯେଉଁ ଡାହାଣ ପଟରେ ନାଲି ବିଲଡିଂ ..ଆ ସେଇଟା ପରା ଆମ ଘର l"

-" ହଉ ଚାଲ ଭାତ ଖାଇନେବା l"

-" ନାଇଁ, ନବଘନ ବାବୁ ମନଟା ଭଲ ଲାଗୁନି, ମୁଁ ଖାଇବିନି ମୁଁ ଏବେ ବସ ଧରି ଫେରିଯିବି l"

-" ଆରେ ବେଟା କାହିଁକି ମନ ଦୁଃଖ, ତମର ଚାକିରୀ ଦରକାର ତ କରେଇଦେବା, ଆଜିକାଲି ମାଲ ମାଲର ଖେଳ l (କାନ ପାଖରେ ଧୀରେକି) ତମ ପାଖେ ମାଲମାନେ ଟଙ୍କା ଅଛି ତ ..ଦଶ କି କୋଡିଏ ହଜାର l

-" ଆଜ୍ଞା ଦଶ ହଜାର ଆଣିଛି l"

-"ହଉ ହଉ ତମେ ଛୋଟ ପିଲା ..ଚାଲ ଆଗ ଖାଇନେବା, ତିନିଟା ବେଳେ ଅଫିସ ଖୋଲା ହେଲେ ଆମେ କଥା ହେବା l

ଅଜଣା ଅଶୁଣା ଲୋକଟା ସହ ନିଲୁ ବାବୁ ଚାଲିଲେ ହୋଟେଲକୁ l

-" ଏ ମାଧିଆ ....ଏ ପିଲାଟା ହେଲା ସାଇପ୍ରକାଶ ...ଆମ ଗାଁ ପିଲା ..ଗୋଟେ ବଡ ଭାକୁର ମାଛ ପିସ, ଛିଞ୍ଚଡ଼ା ଡାଲି ଭଲକି ବାବୁଙ୍କୁ ଦେ l"

-" ଆଛା ସାଇପ୍ରକାଶ, ତୁମେ ମୋ ସାନ ଭାଇ ଭଳିଆ, ଆମ ଗାଁ ପିଲା ..ଏ ଚାକିରୀ କରିପାରିବ ତ l ଷ୍ଟେନୋମାନେ ସବୁ ଟାଇପ କରିବ, ଚିଠି କରି ପଠେଇବ l"

-" ଆଜ୍ଞା ବଡ ଭାଇ ......ପାରିବି, ମୋର କମ୍ପୁଟରରେ ଗୋଟେ କୋର୍ସ ବି ଅଛି l "

-" ଏଠି ରହିବ କେମିତି l"....ହଉ ଚଳିବ ..ତମର ଚାକିରୀ ଆଜି ତ ପକ୍କା ମୁଁ କରିଦେବି ...ତାପରେ ଘରୁ ଜିନିଷ ପତ୍ର ଧରି ଆସିଯିବ 

ଆମ ଘରେ ଟିକେ ଆଡ଼ଜଷ୍ଟ କରିଦେବା ଓ l"

ଏମିତି ମଧୁର ମଧୁର କଥା କହି ...ନିଲୁକୁ ପୁଣି ସେଇ ଇଣ୍ଟରଭିଉ ଜାଗାକୁ ନେଇଗଲା l

-" ଆଛା ସାଇପ୍ରକାଶ ତମେ ଏଇଠି ବସିଥାଅ, ମୁଁ ଭିତରୁ ପଇସା କଥା ଛିଣ୍ଡେଇ କି ଆସୁଛି l

ନିଲୁ ଭକୁଆ ପରି ବସିଥାଏ ....

ଦଶ ମିନିଟ ପରେ ନବଘନ ବାବୁ ଆସିଲେ 

-" ଆଛା ସାଇପ୍ରକାଶ ସେମାନେ ଲକ୍ଷେ କହୁଛନ୍ତି, ମୁଁ ତମ ପାଇଁ ବାରଗେନ କଲି ହେଲେ ଶୁଣୁ ନାହାନ୍ତିରେ, ଯାହାହେଲେ ଷ୍ଟେନୋ ଚାକିରୀ ନା, ପନ୍ଦର ହଜାର ଦରମା, ତାପରେ ଉପୁରି ବି କୋଡିଏ ତିରିଶ ହଜାର ମାସକୁ .......ରାଜାଚାକିରୀ .........

ପୁରା ଚୋଖା l"

--" ଭାଇ ମୋ ପାଖରେ ତ ଦଶ ହଜାର ଅଛି, ଆଉ ନାହିଁ କଣ କରିବା l"

-" ଆଛା ...ଗୋଟେ କାମ କର ସାଇ ବାବା, ମୋତେ ସେ ଦଶ ଦିଅ, ଆଉ ତମ ବେକର ସେ ନେକଲେସ..

ହଁ ପଚାଶ ପାଖା ପାଖି ହେବ ...ଆଉ ସେ ପତାକୀଟା ବି ଦଶ ହଜାର ହେବ, ସତୁରି ହେଇଗଲା ..ଆଉ ମୁଁ ତିରିଶ କେଉଁଠି ଆଣି ଚାକିରୀ ଟାକୁ ପକ୍କା କରିଦେବା ନା l

ତମେ ଦରମା ପାଇଲେ ଆସ୍ତେ ଆସ୍ତେ ଦେଇଦେବ l ତାପରେ ତମେ ପ୍ରଥମ କିଛି ମାସ ମୋ ଘରେ ରହିବ l ସେପଟେ କିଛି ପଇସା ବଞ୍ଚିଯିବ l"

-" ନିଲୁ ଖୁସିରେ ଛାତି କୁଣ୍ଢେ ମୋଟା l ଖୁସିରେ ଖୁସିରେ ଟଙ୍କା ପତାକି ନେକ୍ଲେଶ ଧରେଇଦେଲା ନବଘନକୁ l"

-" ହଉ ସାଇପ୍ରକାଶ ବାବୁ, ତମେ ଏଇଠି ବସିଥାଅ l ମୁଁ ଯାଏ ATMରୁ ଆଉ ତିରିଶ ଆଣି ଏମାନଙ୍କୁ ଲକ୍ଷେ କରି ଦେଲା ପରେ ତମ ଆପଏଣ୍ଟମେଣ୍ଟ ଲେଟର ଆଣିକି ତମକୁ ଧରେଇଲା ପରେ ଯାଇ ମୁଁ ଶାନ୍ତି l ହଁ ମୁଁ ବି ଆଜି ଘରକୁ ଯିବି, ନାଇଟ କୋଚରେ ମୁଁ ଟିକେଟ କରିଦେବି ସାଥିରେ ପଳେଇବା l କାଲି ସକାଳୁ ସକାଳୁ ଘରେ ଖୁସି ଖବରଟା ଦେଇଦେବ ନା l

ହଉ ସାଇ ବାବା ହେଇ ମୁଁ ଗଲି ...ଆଉ ଆସିଲି ......l

ହେ ହେ ହେ ହେ l"

ନିଲୁ ଖୁସିରେ କୁରୁଳି ଯାଉଥିଲା l କେତେ କେତେ କଥା ଭାବିଗଲା 

" ଆଗ ବଞ୍ଚାନାକୁ ଯାଇକି କହିବି ....ଦେଖ ଦେଖ ...କହୁଥିଲୁ ପରା ମୁଁ ଚାକିରୀ ପାଇବିନି ...

ଇ ଇ ଇ ଇ ଇ ଇ ....

କହିଲା ଫାର୍ମ ହାଉସରେ କାମ କରିବା .......

ହେଁ ହେଁ ....ସାଇପ୍ରକାଶ ପଣ୍ଡା ...ଡାଇରେକ୍ଟରଙ୍କ ଷ୍ଟେନୋ ...କେତେ ଆସି ମୋତେ ତେଲେଇବେ ....ଓହୋ ଯାହାହେଉ ...ଦେବଦୁତ ସାଜି ନବଘନ ଭାଇଟା ମୋର ବହୁତ ଉପକାର କରିଦେଲା ..

ଏବେ ବାପାମାଆ ଚାକିରୀ କଥା ଶୁଣିକି ଏତେ ଖୁସି ହେଇଯିବେ ଆଉ ସେ ଦଶହଜାର କଥା କିଏ ବୁଝିବ ଢ଼ୋ l ବାକି ହେଲା ବେକ ଚେନ, ପତାକୀ ...କହିଦେବି ବାଟରେ ଚୋରୀ ହେଇଗଲା ...ବାସ କଥା ଫିନିସ l"

-" ଓହୋ ...ଘଂଟାଏ ହେଲାଣି ଚାରି ବାଜିଲାଣି ନବଘନ ଭାଇ ଏଯାଏଁ କଣ ଆସିଲେଣି l ଟିକେ ଫୋନ ଲଗାଏ .......

ନଟ ରିଚେବୁଲ .....ଭୁବନେଶ୍ୱରରେ ପୁଣି ନେଟୱାର୍କ ନାହିଁ ...l"

ନିଲୁ ମନରେ କେମିତି କେମିତି ବିବ୍ରତତା ପ୍ରକାଶ ପାଇଲା l ପାଞ୍ଚ ବାଜିଗଲା ତଥାପି ଦେଖା ନାହିଁ l

-" ନା ମ, ନବଘନ ଭାଇଟା ଏତେ ଭଲଲୋକ .....ଏମିତି କରିବନି .......ବୋଧହୁଏ ପଇସା ଆରେଞ୍ଜ କରୁଥିବେ l"

ହଟାତ ଗୋଟେ ଚିତ୍କାର ଶୁଭିଲା 

-" ଏ ବାବୁ ଚାଲ ଚାଲ ଚାଲ ..ଅଫିସ ତାଲା ପଡିବ l"

-" ମଉସା ଏଠି ଯେଉଁ ନବଘନ ନାୟକ ବାବୁ ଆସନ୍ତି..ତାଙ୍କ ଘରଟା ......ସେ କୁଆଡେ ଗଲେ ....l"

-" ଆରେ ଏଠି କେହି ନବଘନ ଫବଘନ କେହି ନାହାନ୍ତି ..କି ମୁଁ କାହାକୁ ଜାଣେନି ...ତମେ ଆଗ ଚାଲିଲ ମୁଁ ତାଲା ପକାଏ l"

ବିଚରା ନିଲୁ ମୁଣ୍ଡ କାମ କରୁନଥାଏ l ପାଗଳ ପରି ଖୋଜି ଚାଲିଲା ନବଘନକୁ ...ଏଠିସେଠି ପଚାରିଚାଲିଲା ...

କିନ୍ତୁ ନିରାଶ ..ନିରାଶ .....ନବଘନକୁ କେହି ବି ଦେଖିନାହାନ୍ତି କି ଚିହ୍ନି ନାହାନ୍ତି ବୋଲି କହିଲେ l ନିଲୁ ମୁଣ୍ଡରେ ଆକାଶଟା ଛିଣ୍ଡିପଡିଲା ଭଳି ଲାଗୁଥାଏ l 

-"ଘରେ ଗଲେ କଣ କହିବି ...ବଞ୍ଚାନା ଆଗରେ ଯେଉଁ ଡାଇଲଗ ମାରୁଥିଲି .....l"

ରାତି ଆଠଟା ହେଲାଣି ...ନିଲୁ ହତାଶ ହେଇ ଫୁଟପାଥ ପାଖରେ ବସିଥାଏ l କଣ କରିବ, ଘରକୁ କେମିତି ଯିବ ମୁଣ୍ଡ କିଛି କାମ କରୁନଥାଏ l ବିଚରାର ସ୍ମାର୍ଟ ଫୋନଟା ବି କୁଆଡେ ଚୋରୀ ହେଇସାରିଲାଣି l ଫୁଟପାଥରେ ବସି କାନ୍ଦିବାକୁ ଲାଗିଲା ନିଲୁ l

ହଠାତ ଗୋଟେ ଅଟୋ ଵାଲା ଆସିଲା 

" କଣ ବାବା ...ଲୁଟିଗଲ...ଆଉ କାନ୍ଦୁଛ କାହିଁକି ..ତମେ ତ ଲୁଟିହେବା ପାଇଁ ଏଠିକି ଆସିଥିଲ l"

-" ତମେ ପୁଣି କିଏ ..ମୋ ପାଖରେ ଏଇ ସାର୍ଟ ପ୍ୟାଣ୍ଟ ଛଡା ଆଉ କିଛି ନାହିଁ ...ତମେ ଆଉ କଣ ଲୁଟିବ l" କାନ୍ଦୁ ଥାଏ ନିଲୁ l

-" ନାଇଁ ବାବା ...ମୁଁ ଜଗନ୍ନାଥ ..ମାନେ ଜଗୁ ଅଟୋ ଵାଲା ....ତମରି ଭଳିଆ ସରଳ ଟୋକାମାନେ ଏଠି ବହୁତ ଆସନ୍ତି ଚାକିରୀ ପାଇଁ ଆଉ ଲୁଟି ହେଇକି ଯାଆନ୍ତି ..ଏ ରାଜଧାନୀରେ ଦଲାଲ ଟାଉଟର ଡକାୟତ ମାନଙ୍କର ଅଭାବ ନାହିଁରେ ବାବା ...ଏଠି ଏମାନେ ଦିନରେ ତାରା ଅମାବାସ୍ୟାରେ ଜହ୍ନ ଦେଖେଇଦେବେ l ମିଠା ମିଠା କଥା କହି ମନ ମୋହିଲା ପରେ ପୁରା ଗୋଛି କାଟିଦେବେ l ଛାଡ଼ ...ଅଟୋରେ ବସ ତମକୁ ବସଷ୍ଟାଣ୍ଡରେ ଛାଡ଼ିଦେବି l"

-" ତମେ ମୋତେ ଲୁଟିବନି ତ ? ତମେ ଡକାୟତ କି ଛୁଆଧରା ନୁହଁ ତ ?"

-" ଠିକ୍ ଅଛି, ନ ଯାଅ ..ଏଇଠି ବସି କାନ୍ଦୁଥାଅ ...ମୁଁ ଚାଲିଲି l"

ବିଚରା ନିଲୁଟା କଣ କରିବ କିଛି ଜାଣି ପାରୁନଥାଏ l 

-"ହଁ ଭାଇ ମୁଁ ଯିବି ...ମୁଁ ଯିବି ...ହେଲେ ମୋ ପାଖରେ ପଇସା ନାହିଁ ଯେ ...କଣ କରିବି l"

-" ହଉ ଚାଲ ଦେଖିବା ....ବୁଝିଲ ବାବା ଦୁନିଆରେ ପଇସା ବଡ ନୁହଁରେ, ବଡ ହେଲା ମଣିଷପଣିଆ ...ଅନ୍ୟକୁ ବିପଦ ବେଳେ ସାହାଯ୍ୟ କରିବା, ବାପା ମାଆ ଗୁରୁଜନଙ୍କୁ ସମ୍ମାନ କରିବା, ତାଙ୍କ ଅସହାୟର ସାଥି ଦେବା, ଗୁରୁଜନଙ୍କ କଥାକୁ ହେୟ ଜ୍ଞାନ ନକରିବା, ଉଚିତ ରାସ୍ତାରେ ଚାଲିବା, ଅସାଧୁ ବର୍ଜନ ଆଉ ସାଧୁତାକୁ ପାଥେୟ କରିବା l"

ନିଲୁ ଜାଗୁଭାଇ କଥା ଶୁଣି ଅନୁତାପର ଅଶ୍ରୁ ରୋକି ପାରୁନଥାଏ 

ମନେ ମନେ ଗୁଣି ହେଉଥାଏ ଆଉ କେବେ ଘରୁ ଦୁରକୁ ଏକା ଯିବିନି ......ଗୁରୁଜନଙ୍କ କଥା ଶୁଣିବି ....ମୋ ମାଆ ଉପରେ ଚିଡିବିନି ....ବାଞ୍ଛାନା କଥା ମାନିବି ......l"

ଏହା ଭିତରେ ଅଟୋ ବସଷ୍ଟାଣ୍ଡରେ ପହଞ୍ଚିଯାଇଥାଏ l ବାଲିଆପାଳ ବସ ଜଷ୍ଟ ଛାଡୁଥାଏ l ଜାଗୁଭାଇ ତିନିଶହ ଟଙ୍କା ଆଉ ଗୋଟେ ବ୍ରେଡ ପ୍ୟାକେଟ ନିଲୁକୁ ଧରେଇଦେଲେ 

-" ଯାରେ ବାବା ତମ ବସ ଲାଗିଗଲାଣି ...ଯା .....ଜାଗୁଭାଇ କଥା ମନେ ରଖିଥିବୁ l"

ନିଲୁ ଜାଗୁଭାଇକୁ କଣ କହି ଧନ୍ୟବାଦ ଦେବ କିଛି ଭାଷା ପାଉନଥାଏ l ନିର୍ମିନେସ ନୟନରେ ଅନେଇଥାଏ ନିଲୁ 

ଜାଗୁଭାଇ ଧୀରେ ଧୀରେ ଦୃଷ୍ଟି ଅନ୍ତରରୁ ଅନ୍ତର୍ଧ୍ୟାନ ହେଇଯାଉଥାନ୍ତି l ବସ ଚାଲୁଥାଏ, ନିଲୁ ପୁରା ନିରବ ଗୁମସୁମ ..

ପ୍ରଥମ ଥର ପାଇଁ ଦୁନିଆର ରାକ୍ଷସ ରୂପ ଆଉ ଦେବଦୂତ ରୂପ ଅତି ନିକଟରୁ ଦେଖିଥିବା ନିଲୁ ଆଖିରୁ ଟୋପେ ଟୋପେ ଲୁହ ବୋହିଆସୁଥିଲା l

ଏପଟେ ନିଲୁ ଘର କାନ୍ଦବୋବାଳି l ସମସ୍ତେ ବ୍ୟସ୍ତ ...କୁଞ୍ଜ ବୁଢ଼ୀ ଘଡ଼ିକୁ ଘଡି ସେନ୍ସଲେସ ହେଇଯାଉଛି l ରାତିସାରା କାହାରି ନିଦ ନାହିଁ l ବାଞ୍ଛା ସବୁ ସତ କହିଦେଇଥାଏ l ସମସ୍ତଙ୍କର ଭାଳେଣି ..

ସକାଳୁ ପାହି ଆସୁଥାଏ ....ହଠାତ କବାଟ ଠକ୍ ଠକ୍ ହେଲା ..

ବାଞ୍ଛାନା ଦୌଡ଼ି ଯାଇ କବାଟ ଖୋଲିଲା ବେଳକୁ ସ୍ୱୟଂ ନିଲୁ ଓରଫ ସାଇପ୍ରକାଶ .....

-" କଣ ଢମଣା ...ବୁଲି ବୁଲି ଆସିଗଲ ସେଇ ଅଗଣା ...ଚାକିରୀ ନିଶା ଉତୁରିଲା କି ନାହିଁ ଆମକୁ ତ ଟିକେ ଜଣା l"

ନିଲୁ କାଠଟା ପରି ଠିଆ ହେଇଥାଏ ....ପୁରା ନିରବ ...

କୁଞ୍ଜ ବୁଢ଼ୀ ଗାଳି ଦେଇ ଚାଲୁଥାଏ ତା ନିଜ ଢଙ୍ଗରେ .......



Rate this content
Log in