ମହାଵୀର ଅଭିମନ୍ୟୁ (ଭାଗ -୩ )
ମହାଵୀର ଅଭିମନ୍ୟୁ (ଭାଗ -୩ )
ଚନ୍ଦ୍ରକଳାରେ କଳାୟିତ ଅଭିମନ୍ୟୁ ବାଳୁତ ସମୟରୁ ନିଜ ଦେବ ପିତା ଚନ୍ଦ୍ର ଦେବଙ୍କ ପରି ଝଲସି ଯାଉଥିଲେ l ଉତ୍ତାଳ ତରଙ୍ଗ ପରି ବୀରତ୍ୱର ସୌର୍ଯ୍ୟ ବାଲ୍ୟକାଳରୁ ପ୍ରସ୍ଫୁଟିତ ହୋଇ ଉଠିଥିଲା ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରୁ l ମାତୁଳ ଶ୍ରୀକୃଷ୍ଣ ଓ ବଳରାମଙ୍କ କର ଛାୟା ତଳେ ବଡ ହେବାକୁ ଲାଗିଲେ ଅଭିମନ୍ୟୁ ....
ବାଲ୍ୟକାଳର ଲୀଳାଖେଳରେ ଚମକି ଉଠୁଥିଲା ଚପଳତା ମାଧୁର୍ଯ୍ୟ l ଅଭିମନ୍ୟୁ ବାଲ୍ୟ କାଳରେ ଯେମିତି ବୀରତ୍ୱ ସାହାସୀ ଥିଲେ ସେମିତି ଦୁଷ୍ଟ ବି ଥିଲେ l ଠିକ ନିଜ ମାତୁଳ କୃଷ୍ଣଙ୍କ ପରି ତାଙ୍କର ସାହାସିକତା ଧୃଷ୍ଟତା ବଳବାନ କୈଶୋର ଅବସ୍ଥାରୁ ହିଁ ଜଣା ପଡିଯାଇଥିଲା l ଜଙ୍ଗଲରେ ପରାକ୍ରମୀ ରାକ୍ଷସକୁ ବଦ୍ଧ କରିବା, ମଲ୍ଲ ଯୁଦ୍ଧରେ ବଡ ବଡ ବୀରମାନଙ୍କୁ ପରାସ୍ତ କରିବା ବି ତାଙ୍କ ପାଇଁ ଅସାଧ୍ୟ ନଥିଲା l
ସତେ ଯେମିତି ତାଙ୍କ ପାଖେ ମାତୁଳ କୃଷ୍ଣ ବଳରାମ, ମାତା ସୁଭଦ୍ରା ଓ ପିତା ଅର୍ଜୁନଙ୍କର ବୀରତ୍ୱ ପ୍ରତିଭାର ଘଟିଥିଲା ଅପୂର୍ବ ଅନନ୍ୟ ସମନ୍ୱୟ l
ପିଲା ଦିନେ ଭାରି ଦୁଷ୍ଟ ଥିଲା ଅଭିମନ୍ୟୁ l ମାତା ସୁଭଦ୍ରା ଯେବେ ଶାସନ କରିବା ପାଇଁ ପଛେ ଗୋଡ଼ାନ୍ତି ସେ ନଟ ଖଟିଆ ମାମୁଁଙ୍କ କୋଳରେ ଲୁଚି ଯାଆନ୍ତି l
ଦିନେ ମାତା ସୁଭଦ୍ରା ନିଜ ଜିଦିରେ ଅଟଳ ରହିଲେ
" ଭ୍ରାତା କୁଆଡେ ଗଲା ସେ ନଟ ଖଟିଆ , ଆଜି ମୁଁ ତାକୁ ଶାସନ ନ କରି ଛାଡିବିନି, ବହୁତ ଦୁଷ୍ଟ ହେଉଛି ସେ l"
" ସୁଭି, ନଟଖଟିଆ ତ ମୋର ନାମ, ତମେ କାହାକୁ ଖୋଜୁଛ ତାପରେ ତମେ କେବେଠୁ ମୋତେ ନଟଖଟିଆ ଡ଼ାକିଲଣି !"
"ଭ୍ରାତାଶ୍ରୀ ଦିନକୁ ଦିନ ଅଭିମନ୍ୟୁର ଦୁଷ୍ଟାମୀ ବଢ଼ିବାରେ ଲାଗୁଛି, ଆପଣ ଓ ବଡ ଭାଇ ତାକୁ ଏମିତି ମମତା ବନ୍ଧନରେ ବାନ୍ଧିଦେଇଛ ଯେ ସେ ଆଉ କାହା କଥାକୁ ସମ୍ମାନ ଦେବା ପାଇଁ ପ୍ରସ୍ତୁତ ହିଁ ନାହିଁ l " ସ୍ମିତ ହାସ୍ୟ ଦେଇ କହିବାକୁ ଲାଗିଲେ ଶ୍ରୀ କୃଷ୍ଣ l
" ସୁଭଦ୍ରା, ଅଭିମନ୍ୟୁ ଜଣେ ସାଧାରଣ ବାଳକ ନୁହଁ, ଅସାଧାରଣ ବୀରତ୍ୱର ଅଧିକାରୀ ସେ ....ତାକୁ ସମସ୍ତ ମମତାରେ ପୂର୍ଣ୍ଣ କର ଭଗିନୀ, ସେ ବିଶ୍ୱରେ ହେବ ସର୍ବକନିଷ୍ଠ ମହାରଥୀ, ଅତୀତ ବର୍ତ୍ତମାନ ଭବିଷ୍ୟତ ତାଙ୍କ ବୀରତ୍ୱକୁ ସଦା ପ୍ରମାଣ କରିବ, ସେ ରଚିବ ଅଦ୍ଵିତୀୟ ଇତିହାସ ଯାହା ବିଶ୍ୱ କେବେ କେହି ସୃଷ୍ଟି କରିନଥିବ l"
" ମାମାଶ୍ରୀ, ଆପଣ ତ ମୋତେ କହିଥିଲେ, ମୋତେ ମୋ ପିତାଶ୍ରୀ ପରି ଶ୍ରେଷ୍ଠ ଧନୁର୍ଦ୍ଧର ହେବାର ଅଛି ...ହେଲେ ମୁଁ ଯେବେ ବି ଧନୁର୍ବିଦ୍ୟା ଅଭ୍ୟାସ ରତ ହେଉଛି ମାତା ବିରକ୍ତି ହେଉଛନ୍ତି, ଆପଣ ଟିକେ କହିଦିଅନ୍ତୁ ତ ମାମା l"
"ହେ ହେ ହେ, କିଏ କହିଲା ତମେ ତମ ପିତାଶ୍ରୀ ପରି ଧନୁର୍ଦ୍ଧର ହେବ, ବରଂ ତାଙ୍କ ଠୁଁ ସତ ଗୁଣର ବୀରତ୍ୱ ତମ ଶରୀରରେ ପ୍ରକାଶ ପାଇବ, ତମେ ହେବ ଉତ୍ତମ ଧନୁର୍ଦ୍ଧର ଭିତରେ ସର୍ବୋତ୍ତମ l
ଇତି ମଧ୍ୟରେ ଅଭିମନ୍ୟୁର ଶିକ୍ଷା ଆରମ୍ଭ ହେଲା, ନିଜ ମାତୁଳ ଶ୍ରୀକୃଷ୍ଣ ଭ୍ରାତା ପ୍ରଦ୍ୟୁମ୍ନଙ୍କ ଠାରୁ ଧନୁର୍ବିଦ୍ୟାର କୌଶଳ ଅତି ବିଚକ୍ଷଣ ଭାବେ ଶିକ୍ଷା କରିବାକୁ ଲାଗିଲେ l ଶବ୍ଦ ଭେଦି ଅସ୍ତ୍ର, ଗଗନ ଭେଦି ଅସ୍ତ୍ର, ଅଗ୍ନି ଅସ୍ତ୍ର, ବାୟୁ ଅସ୍ତ୍ରର କୌଶଳ ବାସୁଦେବ ଶ୍ରୀକୃଷ୍ଣ ଓ ପ୍ରଦ୍ୟୁମ୍ନ ପାଖରୁ ପୁଙ୍ଖନୁ ପୁଙ୍ଖ ଭାବେ ଶିକ୍ଷା ଲାଭ କଲେ l ସ୍ୱୟଂ ବଳରାମ ମଲ୍ଲ ଯୁଦ୍ଧ, ଗଦା ଯୁଦ୍ଧର କୌଶଳ ବିଷୟରେ ଶିକ୍ଷା ପ୍ରଦାନ କଲେ ଓ ନିଜ ସହ ଥିବା ରୁଦ୍ରଧନୁ, ଯେଉଁ ଧନୁ ସେ ସ୍ୱୟଂ ମହାଦେବ ଠୁଁ ପ୍ରାପ୍ତ ହେଇଥିଲେ ଅଭିମନ୍ୟୁଙ୍କୁ ପ୍ରଦାନ କଲେ l
ସମୟର ଶ୍ରୋତରେ ଭ୍ରାତା ପ୍ରଦ୍ୟୁମ୍ନ, ମାତୁଳ କୃଷ୍ଣ ବଳରାମଙ୍କ ଠାରୁ ଶିକ୍ଷା ଲାଭ ସହ ବୀରତ୍ୱର ଉତ୍ତଙ୍ଗ ଶିଖରରେ ପହଞ୍ଚି ଥିଲେ l ବାସୁଦେବ ଶ୍ରୀକୃଷ୍ଣ ଅନେକ ଦୈବ ଅସ୍ତ୍ରର ଶିକ୍ଷା ବି ଦେଇଥିଲେ ....କିନ୍ତୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିବା ବାସୁଦେବ ଶ୍ରୀ କୃଷ୍ଣ ଚକ୍ରବ୍ୟୁହର ଜ୍ଞାନକୁ ଅଧୁରା ରଖିଦେଇ ଥିଲେ, ବ୍ରହ୍ମାସିର ଅସ୍ତ୍ର ନାରାୟଣ ଅସ୍ତ୍ରର ଜ୍ଞାନ ପ୍ରଦାନ କରିନଥିଲେ, କାରଣ ସେହିଁ ଜାଣିଥିଲେ ଅଭିମନ୍ୟୁ ଅଳ୍ପାୟୁ ...ଚନ୍ଦ୍ର ଦେବଙ୍କ ପାଖରେ ଥିଲେ ବଚ୍ଚନ ବଦ୍ଧ l
ଭ୍ରାତା ପ୍ରଦ୍ୟୁମ୍ନ ପ୍ରତିଟି ପାହାଚରେ ଅଭିମନ୍ୟୁର ଶିକ୍ଷାକୁ ପୂର୍ଣ୍ଣ କରଉଥିଲେ ...ଖଣ୍ଡା, ଗଦା, ଭାଲ ସବୁ ପ୍ରକାର ଯୁଦ୍ଧରେ କୌଶଳର ସହ ଶିକ୍ଷା ଦେଉଥିଲେ l ବିଶେଷ କରି ବଳରାମ ଗଦା ଯୁଦ୍ଧ ଓ ମଲ୍ଲ ଯୁଦ୍ଧରେ ନିପୁଣ କରିଥିଲେ l ସର୍ବୋପରି ଅଭିମନ୍ୟୁର ଶିକ୍ଷା କୌଶଳକୁ ପରିପୂର୍ଣ୍ଣର ରୂପ ଦେଇଥିଲେ ନିଜର ପିତା ଅର୍ଜୁନ l
ଖାଲି କୌଶଳରେ ପରିପୂର୍ଣ୍ଣ ନଥିଲେ ବରଂ ଅଭିମନ୍ୟୁ ଅନେକ ଦିବ୍ୟାସ୍ତ୍ରଧାରୀ ବିଭୂଷିତ ହୋଇଥିଲେ l ନିଜ ପିତା ଓ ମାତୁଳ କ୍ରିଷ୍ଣଙ୍କ ଠାରୁ ଗନ୍ଧର୍ବ ଅସ୍ତ୍ର, ୟମସ୍ତ୍ର,ଅଗ୍ନିସ୍ତ୍ର ସୁର୍ଯ୍ୟାସ୍ତ୍ର ...
ନିଜ ମାତୁଳ ଶ୍ରୀକୃଷ୍ଣ ତ ସର୍ବ ଅସ୍ତ୍ରର ଅଧିକାରୀ ଥିଲେ l କିନ୍ତୁ ଅଭିମନ୍ୟୁଙ୍କୁ ସେ ସର୍ବ ବିଦ୍ୟାର ଅଧିକାରୀ କରିନଥିଲେ l ଛାତିରେ କୋହକୁ ଚାପି ରଖି ଆଖିରେ ଲୋତକର ବାରି ପିଇ ଯାଉଥିଲେ ଭଗବାନ ଶ୍ରୀକୃଷ୍ଣ ଯେବେ ଶିକ୍ଷା ଦେଉଥିଲେ ନିଜ ପ୍ରାଣ ପ୍ରିୟ ଅଭିମନ୍ୟୁଙ୍କୁ .... କାରଣ ସେହିଁ ଏକା ଜାଣିଥିଲେ ଅଭିମନ୍ୟୁ ଅଳ୍ପାୟୁ .......... ଚନ୍ଦ୍ର ଦେବଙ୍କୁ ଦେଇଥିବା ବଚନକୁ ସତ୍ୟରେ ରୂପାନ୍ତରିତ କରିବା ପାଇଁ ନିଜ ଭଣଞ୍ଜାଙ୍କୁ ସେ ଇଚ୍ଛା ଥାଇ ବି ଚକ୍ରବ୍ୟୂହର ପ୍ରତ୍ୟାବର୍ତନ, ନାରାୟଣ ଅସ୍ତ୍ର, ବ୍ରହ୍ମାସ୍ତ୍ର, ବ୍ରହ୍ମସିର ଅସ୍ତ୍ର, ସମ୍ମୋହନ ଅସ୍ତ୍ର ଶିକ୍ଷା ପ୍ରଦାନ କରିନଥିଲେ ....କାରଣ ଶ୍ରୀକୃଷ୍ଣ ଜାଣିଥିଲେ ଯେ ଯେଉଁ ଅଭିମନ୍ୟୁ ଖାଲି ଯୁଦ୍ଧ କୌଶଳ ଆଉ କିଛି ଦିବ୍ୟ ଅସ୍ତ୍ରରେ ସୌର୍ଯ୍ୟ ବୀରତ୍ୱର ଚରମ ସୀମାରେ ପହଞ୍ଚିଲେଣି
ତାକୁ ଯଦି ଏ ସବୁ ସର୍ବଶ୍ରେଷ୍ଠ ଦିବ୍ୟାସ୍ତ୍ର କିମ୍ବା ଚକ୍ରବ୍ୟୁହର ରହସ୍ୟ ବିଷୟରେ ଅବଗତ କରାଯାଏ ତାହେଲେ ସେ ଅଜେୟ ହେଇଯିବ lll
ମନ କଥା ମନରେ ହିଁ ରହିଯାଏ ....
ଇତି ମଧ୍ୟରେ ବଳରାମ ସୁତl ଶଶିରେଖା ସହ ଅଭିମନ୍ୟୁର ଘନିଷ୍ଠତା ବଢ଼ିଯାଇଥାଏ l ଅଭିମନ୍ୟୁର କଳା କୌଶଳ ସୌର୍ଯ୍ୟ ତେଜରେ ଶଶୀରେଖା ହୋଇଛନ୍ତି ବିମୁଗ୍ଧ ଓ ପ୍ରେମରେ ବାନ୍ଧି ହେଇଯାଇଛନ୍ତି ସେ l କ୍ରିଷ୍ଣ ଓ ସୁଭଦ୍ରା ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି ଏ ବନ୍ଧନ ପାଇଁ ...କିନ୍ତୁ ଭ୍ରାତା ବଳରାମ ଅନିଚ୍ଛା ପ୍ରକାଶ କରିଛନ୍ତି ....ବରଂ ସେ ଦୁର୍ଯ୍ୟୋଧନ ପୁତ୍ର ଲକ୍ଷ୍ମଣ କୁମ
ାର ସହ ବିବାହ ପାଇଁ ଇଚ୍ଛା ପ୍ରକାଶ କଥା କହିଲେ l
" ଦାଉ, ତମେ ତ ଜାଣିଛ ଦୁର୍ଯ୍ୟୋଧନ, କୌରବ ସବୁ ଅଧର୍ମ ଅନ୍ୟାୟ ଓ ଅନୀତିର ଗନ୍ତାଘର, ସେମାନେ ପାଣ୍ଡଵ ପାଇଁ କେତେ କଳୁଷିତ ଇତିହାସ ରଚିଯାଉଛନ୍ତି, ତାହେଲେ ଆପଣ ଦାଉ କୁହନ୍ତୁ ସବୁ ଜାଣି ବି .....l"
"ମୁଁ ଦୁର୍ଯ୍ୟୋଧନ ସହ ବଚନ ବଦ୍ଧ ....ସେ ମୋର ପଟ୍ଟ ଶିଷ୍ୟ ..ମୋ ପ୍ରତି ଅନୁରକ୍ତ ..ତାପରେ ପାଣ୍ଡଵ ମାନେ ବନବାସୀ l ମୋ ଝିଅ କି ଖୁସି ପାଇବ ..କୌରଵ ରାଜ ପ୍ରାସାଦରେ ମୋ ଝିଅ କୁଳବଧୁ ହେବ l"
ସୁଭଦ୍ରା ଓ କ୍ରିଷ୍ଣା, ଭ୍ରାତାଙ୍କ ଏତାଦୃଶ ବାଣୀରେ ମର୍ମାହତ ଓ ବିଷର୍ଣ୍ଣ ହେଇ ପଡିଲେ l ଅଭିମାନରେ ଜର୍ଜରିତ ହେଇ ସୁଭଦ୍ରା ଓ ଅଭିମନ୍ୟୁ ଦ୍ଵାରକା ଛାଡି ଜଙ୍ଗଲ ଚାଲିଗଲେ ପାଣ୍ଡଵମାନଙ୍କୁ ଖୋଜି ଖୋଜି l ସେମାନେ ଅନତି ଦୂର ଆସିବା ପରେ ହ୍ୱିଡିମ୍ବ ରାଜ୍ୟରେ ପ୍ରବେଶ କରିଯାଇଛନ୍ତି l
ହଠାତ ଏକ ପର୍ବତ ସମ ଅପୂର୍ବ ତେଜମନ୍ତ ବିଶାଳକାୟ ରାକ୍ଷସ ଆବିର୍ଭାବ ହେଲେ ତାଙ୍କ ଗନ୍ତବ୍ୟ ପଥରେ, ସେ ଆଉ କେହି ନଥିଲେ ସେ ଥିଲେ ଅତୀବ ବଳଶାଳୀ କୋଟି ସୌର୍ଯ୍ୟବନ୍ତ ହିଡିମ୍ବା ଭୀମସେନ ପୁତ୍ର ଘଟୋତ୍କଚ, ସୁଭଦ୍ରା ଟିକେ ଶଙ୍କି ଗଲେ କିନ୍ତୁ ଅଭିମନ୍ୟୁ ଅପୂର୍ବ ସାହସର ବୀରତ୍ୱ ଦେଖେଇ ଯୁଦ୍ଧର ଆହ୍ୱାନ ଦେଲେ, ଯୁଦ୍ଧର ପ୍ରଥମାର୍ଦ୍ଧରେ ଘଟୋତ୍କଚ ନିଜ ଅହେତୁକ ବଳରେ ଅଭିମନ୍ୟୁକୁ ଆଘାତ କରିଦେଲେ ଓ ବହୁତ ଦୁରକୁ ଫୋପାଡ଼ି ଦେଲେ .. କିନ୍ତୁ ବୀର ଅଭିମନ୍ୟୁ ପରବର୍ତ୍ତୀ ପର୍ଯ୍ୟାୟରେ ଘଟୋତ୍କଚକୁ ଉଚିତ ଜବାବ ଦେଇ ଧରାଶାୟୀ କରିଦେଲେ l ପୁତ୍ରର ଏତାଦୃଶ ଅବସ୍ଥାରେ ହିଡିମ୍ବା ତତକ୍ଷଣାତ ପହଂଚି ଗଲେ ଯୁଦ୍ଧ ଭୂମିରେ ଓ କ୍ରନ୍ଦନ କରିବାକୁ ଲାଗିଲେ l
ସୁଭଦ୍ରା ଅତି ବିନୟ ସହକାରେ ପଚାରିଲେ
" କିଏ ତୁମେ ଭଉଣୀ, କିଏ ଏ ପୁତ୍ର, ମୋ ପୁତ୍ରକୁ କ୍ଷମା କରିଦିଅ, ଆମେ ଅଜାଣତରେ ପଶି ଆସିଥିଲୁ ଆପଣଙ୍କ ରାଜ୍ୟକୁ, ପାଣ୍ଡଵଙ୍କୁ ଅନ୍ୱେଷଣ କରି l"
" ପାଣ୍ଡଵ !!!!!! ମାନେ ଆପଣ ......????? ଆଶ୍ଚର୍ଯ୍ୟରେ ହ୍ୱିଡିମ୍ବl ପଚାରିଲେ l"
""ହଁ ଭଉଣୀ ...ମୁଁ ତୃତୀୟ ପାଣ୍ଡବ ଅର୍ଜୁନଙ୍କ ପତ୍ନୀ ସୁଭଦ୍ରା ...ଆଉ ୟେ ତାଙ୍କ ପୁତ୍ର ଅଭିମନ୍ୟୁ .....l""
"ହେ ପ୍ରଭୁ କି ଏ ବିଧିର ବିଧାନ ...ଭାଇ ଭାଇ ଭିତରେ ଯୁଦ୍ଧର ଘନଘଟା ...ହଁ ଭଉଣୀ ସୁଭଦ୍ରା ..
ମୁଁ ଦ୍ଵିତୀୟ ପାଣ୍ଡଵ ଭୀମସେନ ପତ୍ନୀ ହିଡିମ୍ବା ଆଉ ୟେ ତାଙ୍କ ପୁତ୍ର ଘଟୋତ୍କଚ l"
ସେତେବେଳେ ଘଟୋତ୍କଚ ଓ ଅଭିମନ୍ୟୁର ସଂଜ୍ଞା ଆସିଯାଇଥିଲା, ଦୁଇ ମାତାଙ୍କର ବାର୍ତ୍ତାଳାପ ଦୁଇ ଭାଇଙ୍କ କର୍ଣ୍ଣଗୋଚର ହେଇ ସାରିଥିଲା l
ଅଭିମନ୍ୟୁ ନିଜ ଜ୍ୟେଷ୍ଠ ମାତା ଚରଣ ସ୍ପର୍ଶ କଲେ ଓ ଭ୍ରାତା ଘଟୋତ୍କଚଙ୍କ ଚରଣ ସ୍ପର୍ଶ କଲେ, ଦୁଇ ଭ୍ରାତାଙ୍କ ମିଳନର ଅପୂର୍ବ ପୁଲକିତ ଦୃଶ୍ୟ ଥିଲା ଅନନ୍ୟ l ସୁଭଦ୍ରା ବି ଚରଣ ସ୍ପର୍ଶ କରି ହିଡିମ୍ବାର ଆଶୀର୍ବାଦ ଘେନିଲେ l
ଘଟୋତ୍କଚ ଅତୀବ ଆନନ୍ଦ ହୋଇ କନିଷ୍ଠ ମାତା ଓ ଭ୍ରାତାଙ୍କୁ ନିଜ ରାଜ ପ୍ରାସାଦକୁ ନେଇ ଗଲେ ଓ ଅଭିମନ୍ୟୁ ସମସ୍ତ ମନ କଥା ଭାଇ ଆଗରେ ପ୍ରକ୍ଷାଳନ କଲେ l ଶଶୀରେଖାଙ୍କ କଥା ଜାଣି ସରିଲା ପରେ ଘଟୋତ୍କଚ ଆଶ୍ୱାସନା ପୂର୍ବକ ନିଜ କନିଷ୍ଠ ଭ୍ରାତାକୁ ଆଶ୍ୱାସନାର ନିଃଶ୍ୱାସ ଦେଲେ ..
" ଶଶିରେଖା ସହିତ ଯଦି ବିବାହ ହେବ କେବଳ ମୋ କନିଷ୍ଠ ଭ୍ରାତା ଅଭିମନ୍ୟୁର, ଲକ୍ଷ୍ମଣ କୁମାରର ନୁହଁ l ତମେ ନିରାଶ ହୁଅ ନାହିଁ ଅଭିମନ୍ୟୁ ମୁଁ ଭୀମ ପୁତ୍ର ଘଟୋତ୍କଚ ପ୍ରତିଜ୍ଞାବଦ୍ଧ ହେଉଛି, ତମର ସ୍ୱର୍ଗୀୟ ପ୍ରେମର ରୂପରେଖକୁ ପ୍ରକୃତ ରୂପାନ୍ତର କରେଇବି l"
ଏହା କହି ପବନ ବେଗରେ ଛୁଟି ଗଲେ ଦ୍ଵାରକା ଓ ଶଶିରେଖାଙ୍କୁ ଅପହରଣ କରି ଆଣିଲେ, ଏଣେ ଲକ୍ଷ୍ମଣ କୁମାର କୌରବ ସେନା ଧରି ହ୍ୱିଡିମ୍ବ ଉପରେ ଆକ୍ରମଣ କରିଦେଇଥିଲେ l ଯାଦୁ ବିଦ୍ୟା ମାୟା ବିଦ୍ୟା ପ୍ରବୀଣ ଘଟୋତ୍କଚ ନିଜେ ଶଶିରେଖାର ରୂପ ନେଇ ଲକ୍ଷ୍ମଣ କୁମାର ପାଖକୁ ଗଲେ ଓ ତିରସ୍କାର କରିବାରେ ଲାଗିଲେ, ସେଇ ଭିତରେ ଶଶିରେଖା ରୁପ ଧାରୀ ଘଟୋତ୍କଚ ଲକ୍ଷ୍ମଣ କୁମାରଙ୍କ ହସ୍ତ ଗୋଡ଼କୁ ଆଘାତ ଉପରେ ଆଘାତ କରିଚାଲିଲେ ଓ ପ୍ରାଣ ବିକଳରେ ଲକ୍ଷ୍ମଣ କୁମାର ସେ ଜାଗା ପ୍ରସ୍ଥାନ କରିଗଲେ ଓ ସେ ନିଜ ପିତା ଦୁର୍ଯ୍ୟୋଧନକୁ ବିବରଣୀ ପୂର୍ବକ ବିବାହ ପ୍ରସ୍ତାବ ଭଙ୍ଗ ହେଇଗଲା l
ବଳରାମ ବି ପରେ ସମସ୍ତ ବାର୍ତ୍ତାର ଆଲୋଚ୍ୟ ପରେ ସମ୍ମତି ପ୍ରଦାନ କଲେ l ଅଭିମନ୍ୟୁ ଶଶିରେଖା ବିଭାଘର ଧୁମଧାମରେ ହେଲା, କୃଷ୍ଣ ବଳରାମ ମଧ୍ୟ ଘଟୋତ୍କଚର ପରାକ୍ରମ, ବୀରତ୍ୱ ଓ ଭାତୃ ପ୍ରେମର ପରକାଷ୍ଠର ସୁଗୁଣକୁ ଭୁୟିୟ ପ୍ରଶଂସା କରିବାରେ ଲାଗିଲେ l ନିଜେ ଅଭିମନ୍ୟୁ ଭ୍ରାତା ଘଟୋତ୍କଚଙ୍କ ଏ ପ୍ରେମରେ ଉଲ୍ଲସିତ ହେଇ ଉଠିଥିଲେ l
ସମୟ ବିତିଚାଲିଥାଏ ....ପୁଣି ଖୁସିର ଜୁଆରରେ ତରଙ୍ଗାୟିତ ହେଲା ଦ୍ଵାରକା ....ସୁଭଦ୍ରା କିନ୍ତୁ ଅର୍ଜୁନଙ୍କ ପାଇଁ ବିଷାଦ ଗ୍ରସ୍ତରେ ଥାଆନ୍ତି l
ହଠାତ ଦିନେ ବିରାଟ ନଗରରୁ ପାଣ୍ଡଵ ମାନଙ୍କ ଉପସ୍ଥିତର ଖବର ପାଇଁ ଉତ୍ଫୁଳିତ ହୋଇ ଉଠିଲେ ସୁଭଦ୍ରା ...ସେ ଆନନ୍ଦକୁ ବହୁଗୁଣିତ କରିଦେଇଥିଲା ...ତାଙ୍କର ଅଜ୍ଞାତ ବାସ ଶେଷ ପ୍ରାୟ ଓ ବିରାଟ କନ୍ୟା ଉତ୍ତରାର ବିବାହ ପ୍ରସ୍ତାବ l ଉତ୍ସବ ମୁଖର ହେଇ ଉଠିଲା ଦ୍ଵାରକା ନଗର l
ଅଭିମନ୍ୟୁ କୃଷ୍ଣ ବଳରାମ ସୁଭଦ୍ରା ସଭିଏଁ ଆଗମନ କଲେ ବିରାଟ ନଗର l ସେତେବେଳେ ତେର ବର୍ଷର ଅନ୍ଧକାର ଅଧ୍ୟାୟର ସମାପ୍ତ ପ୍ରାୟ l ଦୁର୍ଯ୍ୟୋଧନ ସୈନ୍ୟ ଗଣ ସହ ଥିଲେ ଆକ୍ରମଣ ରତ ...କାରଣ ସର୍ତ୍ତନୁସାରେ ଅଜ୍ଞାତ ବାସରେ ପରିଚୟ ପ୍ରମାଣ ହେଲେ ଆଉ ତେର ବର୍ଷ ଭୋଗିବାକୁ ପଡିବ, କିନ୍ତୁ ଅର୍ଜୁନ ରଣ ଭୂମିରେ ପ୍ରକଟ ହେବା ଆଗରୁ ସୂର୍ଯ୍ୟ ଅସ୍ତ ହେଇସାରିଥିଲା ଓ ପିତାମହ ଭୀଷ୍ମ ପାଣ୍ଡଵମାନଙ୍କର ବନବାସର ପରିସମାପ୍ତିର ସୂଚନା ଦେଇ ସାରିଥିଲେ l
ପ୍ରଥମ ଥର ପିତା ପୁତ୍ରର ମିଳନର ଦୃଶ୍ୟ ଥିଲା ଅତି ରୋମାଞ୍ଚକର ....ଅର୍ଜୁନ ଲୋତକପ୍ଲୁତ ପୂର୍ବକ ଆଲିଙ୍ଗନ କରିଥିଲେ ନିଜ ପୁତ୍ରକୁ ....ଆଉ ହଜି ଯାଇଥିଲେ କୋହ ସାଗରରେ l
ପିତାଶ୍ରୀ ଆପଣ ସିନା ତେର ବର୍ଷ ମୋ ପାଖରୁ ଦୂରରେ ଥିଲେ କିନ୍ତୁ ଆପଣଙ୍କ ଆଶୀର୍ବାଦର ସ୍ପର୍ଶ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଥିଲି ....ଆଉ ଆଜି ମୁଁ ଗର୍ବରେ ଉତ୍ଫୁଳିତ ହେଇ କହୁଛି ମୁଁ ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ଓ ଵୀରାଂଗନା ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ