ବଜ୍ରବହ୍ନି
ବଜ୍ରବହ୍ନି


ସେଦିନ ବି ଏମିତି ମେଘୁଆ ପାଗ ଥିଲା। ଆଜି ଭଳି ଝିପ୍ ଝିପ୍ ବର୍ଷା, ପାଣି କାଦୁଅ ପଚ୍ ପଚ୍। ମୁହଁକୁ ମୁହଁ ଦିଶୁ ନ ଥିଲା। ଏବେ ବି ସ୍ପଷ୍ଟ ମନେ ଅଛି ଚାରୁବାଳାର। ବିନୋଦିନୀ ସହିତ ସେ କଟକ ଷ୍ଟେସନ୍ କୁ ଭିଜିଭିଜି ଯାଇଥିଲା ଶୁଭଯାତ୍ରା ମନାସିବା ପାଇଁ ସୁଦର୍ଶନ ଓ ବିଶ୍ବନାଥକୁ। ମାଖନଲାଲ କଲିକତାରୁ ଆସିଥିଲେ। ତାଙ୍କ ସହ ଥିଲେ ମନୀନ୍ଦ୍ର। ପୋଲିସ୍ ପାଖରେ ଗୁଇନ୍ଦା ଖବର ପହଞ୍ଚି ସାରିଥିଲା କଲିକତାରୁ କିଛି କ୍ରାନ୍ତିକାରୀ କଟକ ଆସୁଛନ୍ତି ବୋଲି। ବସ୍ ଷ୍ଟ୍ଯାଣ୍ଡ, ଲଜିଂ, ଷ୍ଟେସନ୍ ଉପରେ କଡା ନଜର ରଖିଥିଲା ପୋଲିସ।ତେଣୁ ସାବଧାନ ସହ ସମସ୍ତେ ଅଲଗା ଅଲଗା ଟିକଟ୍ କାଟି ଅଲଗା ବଗିରେ ବସିବା ବନ୍ଦୋବସ୍ତ କରିଥାନ୍ତି। ବିନୋଦିନୀ କିଛି ଦୂରରେ ଅପେକ୍ଷା କରିଥାଏ। ଚାରୁବାଳା ସୁଦର୍ଶନର ବଗି ପାଖରେ ଛୋଟ ପାଣି ଘଡାଟି ବଢାଇ କହିଲା ଆବଶ୍ୟକୀୟ ଜିନିଷ ଓ ଚିଠି ଘଡାରେ ଅଛି। ବେଶୀ ସମୟ ନଥିଲା। ସୁଦର୍ଶନ କେବଳ କହିଗଲେ ଲକ୍ଷ୍ଯ ଏକ ହେଲେ ମଧ୍ଯ ସେହି ଲକ୍ଷ୍ଯସ୍ଥଳରେ ପହଞ୍ଚିବା ପାଇଁ ମାର୍ଗ ଅନେକ କିନ୍ତୁ ଚାରୁବାଳା ସେତେବେଳେ ଏ କଥାକୁ ସେତେ ଗୁରୁତ୍ବ ଦେଇ ନଥିଲା। ସେ ତ ଏକ ମାସ ସଂଗ୍ରାମୀ ତାଲିମ ପାଇଁ କଲିକତା ଯାଉଛନ୍ତି, ସତ୍ୟାଗ୍ରହୀ ବନିବେ। ଏ କଥା କାହିଁକି କହିଲେ ଚାରୁବାଳା ଜାଣି ପାରିଲାନି।
ଚାରୁବାଳାର ଅନେକ କିଛି କହିବାର ଥିଲା। ଅଥଚ ସେ ଚୁପ୍ ରହିଲା। ବର୍ଷା ଓ ଅନ୍ଧକାରର ସୁଯୋଗ ନେଇ ଟ୍ରେନ୍ ଛାଡୁ ଛାଡୁ ଚାରୁବାଳା ଓ ବିନୋଦିନୀ ହଷ୍ଟେଲ୍ କୁ ସନ୍ତର୍ପଣ ସହ ବାଟ କାଟିଲେ।
ଚାରୁବାଳା ଓ ସୁଦର୍ଶନ ଉଭୟ ଥିଲେ ରେଭେନ୍ସା କଲେଜର ଛାତ୍ରଛାତ୍ରୀ। ରେଭେନ୍ସା କଲେଜରେ ବିତର୍କ ପ୍ରତିଯୋଗିତାରୁ ଉଭୟଙ୍କ ଜଣାଶୁଣା ର ଆରମ୍ଭ। ସୁଦର୍ଶନ ଗୋଟିଏ ବର୍ଷ ସିନିୟର୍। ଉଭୟ ଓଡିଶାର ସମ୍ଭ୍ରାନ୍ତ ପରିବାରରୁ ଉଚ୍ଚଶିକ୍ଷା ପାଇଁ ଆସି ଥିଲେ ଏବଂ ମେଧାବୀ ଛାତ୍ରଛାତ୍ରୀ ଭାବେ ଉଭୟଙ୍କର କଲେଜରେ ନାମ ଥିଲା। ସେତେ ବେଳକୁ ରେଭେନ୍ସା କଲେଜ କଲିକତା ୟୁନିଭରସିଟିରୁ ଅଲଗା ହୋଇ ପାଟନା ୟୁନିଭରସିଟି ଅଧୀନକୁ ଆସି ଥାଏ।
ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ବନିଥାଏ କଟକ। ସଭା ସମିତି ସବୁରେ କଲେଜ୍ ପିଲାମାନେ ଲୁଚିକରି ଯୋଗଦାନ କରୁ ଥାଆନ୍ତି। ଠିକ୍ ସେହି ସମୟକୁ ସାରା ଭାରତରେ ସ୍ବାଧୀନତା ଆନ୍ଦୋଳନ ଦାନା ବାନ୍ଧୁଥାଏ। କଲେଜର ଇଂରେଜୀ ଅଧ୍ଯାପକମାନେ ପିଲାମାନଙ୍କ କାର୍ଯ୍ଯକଳାପ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି। ଅନ୍ଯ ଛାତ୍ର ମାନଙ୍କ ପରି ପରାଧୀନା ଭାରତମାତାର ଦୁଃଖ, ବିଦେଶୀ ଶାସନର କଷଣ ଓ ଯାତନା, ଜନସାଧାରଣ ଙ୍କ ଦୁର୍ଗତି ଉଭୟ ସୁଦର୍ଶନ ଓ ଚାରୁଲତାଙ୍କୁ ବ୍ଯଥିତ କରିଥିଲା ଓ ସ୍ବାଧୀନତା ସଂଗ୍ରାମ ମହାଯଜ୍ଞ ଆଡକୁ ଆକର୍ଷିତ କରିଥିଲା। ଅଧ୍ୟାପକଙ୍କ ଦୃଷ୍ଟି ଏଡାଇ ଗୋପନୀୟ ଭାବରେ ସଭିଙ୍କୁ ଏକାଠି କରନ୍ତି ସୁଦର୍ଶନ ଓ ଚାରୁବାଳା।
ଗାନ୍ଧୀ ସେତେବେଳକୁ ଆଫ୍ରିକାରୁ ଫେରି ଭାରତ ଆସି ସାରିଥାନ୍ତି। କେବେ କେବେ ଗାନ୍ଧୀଙ୍କ ଲିଖିତ ହିନ୍ଦ ସ୍ବରାଜ ବହି, ୟଙ୍ଗ ଇଣ୍ଡିଆ ଓ କଲିକତାରୁ ପ୍ରକାଶିତ ଯୁଗାନ୍ତର ଖବରକାଗଜ ରୁ ଖଣ୍ଡେ ଲେଖାଏଁ ଯୋଗାଡ କରି ପଢନ୍ତି। କିଛି ଓଡିଆ ଓ ବଙ୍ଗାଳି ଅଧ୍ୟାପକ ମଧ୍ଯ ଗୋପନୀୟ ସମ୍ପର୍କ ରଖିଥାଆନ୍ତି। କେବେ କେବେ ସତ୍ଯନାରାୟଣ ପୂଜା ଆଳରେ ସମସ୍ତେ ସେମାନଙ୍କ ଘରେ ଏକଜୁଟ ହୁଅନ୍ତି। ଅଧ୍ଯାପକ ଘୋଷାଲଙ୍କ ଘରେ କଲିକତା ଅନୁଶୀଳନ ସମିତି ଓ ଯୁଗାନ୍ତର ରୁ କ୍ରାନ୍ତିକାରୀ ମାନେ ଆସିଲେ ରହନ୍ତି। ପୋଲିସ୍ କିଛି ଟେର୍ ପାଏ ନାହିଁ।
କିଛି ବର୍ଷ ପୁର୍ବେ ବାଘା ଯତୀନ୍ ଓ ଅନ୍ଯ କ୍ରାନ୍ତିକାରୀ ମାନଙ୍କ ଓଡିଶାରେ ଆତ୍ମଗୋପନ ପର ଠାରୁ କ୍ରାନ୍ତିକାରୀ ମାନଙ୍କ ବାରମ୍ବାର ଓଡିଶା ଆଗମନ ଉପରେ ଓ ଗତିବିଧି ଉପରେ ପୋଲିସ୍ କଡାକଡି ନଜର ରଖିବା ଆରମ୍ଭ କରି ଦେଇଥାଏ। କଟକରେ ମାଖନଲାଲ ଙ୍କର ଲୁଗା ଦୋକାନଟିଏ ଥାଏ। ସେ ବ୍ୟବସାୟ ବାହାନାରେ ଅନେକ ଥର ଓଡିଶା ଆସୁଥିଲେ ଓ ଓଡିଶାର କ୍ରାନ୍ତିକାରୀଙ୍କ ସହ ଯୋଗସୁତ୍ର ଥିଲେ।
କିଛିଦିନ ହେଲା ସୁଦର୍ଶନର ହାବଭାବରେ ଚାରୁବାଳା ପରିବର୍ତନ ଲକ୍ଷ୍ଯ କରିଥିଲା। ଏବେ ସେ ନିୟମିତ ବ୍ୟାୟାମ ସାଙ୍ଗକୁ ଲାଠି ଖେଳ ଶିଖୁଛି। ଜାଲିଓ୍ବାନାବାଗ୍ ରେ ଇଂରେଜ୍ ମାନଙ୍କର ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଗୁଳିକାଣ୍ଡ ପରେ ସାତ ଦିନ ପର୍ଯ୍ଯନ୍ତ ସେ କାହା ସହ କଥା ହେଲା ନାହିଁ। ଗାନ୍ଧୀଙ୍କର କାଠଯୋଡି ବାଲିପଠାରେ ସଭାରୁ ଫେରିବା ବାଟରେ ସୁଦର୍ଶନ ଚାରୁବାଳା ସହ ଅନେକ ଯୁକ୍ତି କରିଥିଲା। ଅହିଂସା ଓ ଅସହଯୋଗ ଆମକୁ ସ୍ବାଧୀନତା ଦେଇ ପାରିବ ବୋଲି ତାକୁ ଆଉ ବିଶ୍ବାସ ହେଉ ନଥିଲା। ସଶସ୍ତ୍ର ବିପ୍ଲବ ହିଁ କେବଳ ସ୍ବାଧୀନତା ଆଣି ପାରିବ ବୋଲି ସେ ଯୁକ୍ତି ବାଢିଥିଲା।
ଚାରୁବାଳା କିନ୍ତୁ ସୁଦର୍ଶନ ସହ ଏକମତ ହୋଇ ପାରି ନ ଥିଲା। ବ୍ରିଟିଶ୍ ସାମରିକ ଶକ୍ତି କୁ ଛୁଟ୍ ପୁଟ୍ ହିଂସା ମୁକାବିଲା କରିବାରେ ସକ୍ଷମ ହେବ ନାହିଁ, ବରଂ ଇଂରେଜ୍ ମାନଙ୍କ ଦମନଲୀଳା ବଢାଇବାକୁ ଇନ୍ଧନ ଯୋଗାଇବ ବୋଲି ଚାରୁବାଳା ମତ ରଖିଥିଲା। ଅହିଂସା ଦୁର୍ବଳ ମାନଙ୍କର ଆୟୁଧ ବୋଲି ସୁଦର୍ଶନର ଯୁକ୍ତି ସହିତ ଚାରୁବାଳା ସହମତ ହୋଇ ନଥିଲା। ସୁଦର୍ଶନ ଆଉ ଅଧିକ ତର୍କ ନ କରି ଚୁପ୍ ରହିଥିଲା। ମାତ୍ର ଚାରୁବାଳା ସୁଦର୍ଶନ ଭିତରେ ଦବି ରହିଥିବା କଠୋରପନ୍ଥୀ ଲଢୁଆ ମନୋଭାବର ସବୁ ସୂଚନା ପାଇ ସାରିଥିଲା। ମେଘୁଆ ଆକାଶ ତଳେ ଲୁକ୍କାୟିତ ବହ୍ନି ଯେମିତି ଉଗ୍ର ଆତ୍ମପ୍ରକାଶ ଅପେକ୍ଷାରେ ରହିଛି। ଆଉ ତାର ସପ୍ତାହେ ପରେ ମାଖନଲାଲଙ୍କ ସହ ସୁଦର୍ଶନର ଏଇ କଲିକତା ଯାତ୍ରା।
ସମୟର ଅନ୍ଧଗଳିରେ ଆଜି କିଏ କେଉଁଠି ଜଣା ନାହିଁ। ସୁଦର୍ଶନ ଯିବାପରେ ଖଣ୍ଡେ ଚିଠି ଦେଇଥିଲା। କେବଳ ସେ ଭଲରେ କଲିକତା ପହଞ୍ଚିଲା ଏବଂ ସେ ଭଲ ଅଛି ଏତିକି। ଆଉ ତାପରେ କିଛି ଖବର ନାହିଁ। ୟା ଭିତରେ ତିନି ବର୍ଷ ବିତିଗଲାଣି। ଚାରୁବାଳାର ଇଂରାଜୀରେ ଏମ୍ ଏ ଶେଷ ବର୍ଷ।
ରେଭେନ୍ସା କଲେଜ ଚକ୍କର ପଡିଆର ନୂଆ କୋଠୀକୁ ଉଠି ଗଲାଣି। ଭବ୍ଯ କନିକା ଲାଇବ୍ରେରୀ ରେ ଘୁରି ଘୁରି ବହି ଖୋଜିବା ବେଳେ ଚାରୁବାଳାର ମନେ ହୁଏ ହଠାତ୍ କେଉଁବହି ରାକ୍ ପଛରୁ ସୁଦର୍ଶନ ଅକସ୍ମାତ୍ ଅପ୍ରତ୍ଯାଶିତ ଉଭା ହୋଇଯିବ ଆଉ କହିବ “ଦେଖ, ତୁମକୁ ନ ଜଣାଇ ଆସି ଗଲି ସରପ୍ରାଇଜ୍ ଦେବା ପାଇଁ”। ଆଉ ସେ ଅଭିମାନରେ କିଛି କଥା ହେବ ନାହିଁ।
ବେଳେ ବେଳେ ସୁଦର୍ଶନକୁ ମନେ ମନେ ଖୋଜି ଖୋଜି ପୁରୁଣା ସ୍କୁଲ୍ କ୍ଯାମ୍ପସ୍ ପଡିଆ କୁ ଚାଲିଯାଏ ଅନ୍ଯମନସ୍କ ହୋଇ। ଆଉ କେବେ କଲେଜ ସାମନା ସୂର୍ଯ୍ୟ ଘଡି ପାଖକୁ ଯାଏ ଆଉ ତାହାରି ତଳେ ଘଣ୍ଟା ଘଣ୍ଟା ବସି ରହେ। ଏଇଠି କେତେ ସନ୍ଧ୍ଯାରେ ସେ ଓ ସୁଦର୍ଶନ ବସି ଭବିଷ୍ଯତ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରୁଥିଲେ, କେବେ ସ୍ବତନ୍ତ୍ର ଓଡିଶା ଗଠନ, ତ କେବେ ଗଡଜାତରେ ପ୍ରଜାଙ୍କ ଶୋଷଣ, କେବେ ପୋଲିସ୍ ର ଅତ୍ଯାଚାର ଏମିତି କେତେ କଣ। ତାକୁ ଲାଗେ ତା ସୂର୍ଯ୍ୟ ଯେମିତି କେଉଁଠି ବହୁ ସମୟ ଧରି ମେଘ ପଛରେ ଲୁଚି ରହିଛନ୍ତି, ଆଉ ତା ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ଅବ୍ୟକ୍ତ ବିରହର ଯନ୍ତ୍ରଣା ନିସର୍ତ୍ତ ପ୍ରେମର ମଜା ଭଳି ଖୁବ୍ ଅଲଗା।
ଚାରୁବାଳା ୟା ମଧ୍ୟରେ ଅରଟ ଚଲାଇ ସୂତା କାଟିବା ଶିଖି ଥାଏ। ପାଖ ଗାଁ କୁ ଯାଇ ନିଶା ନିବାରଣ ଓ ଅସ୍ପୃଶ୍ୟତା ନିବାରଣ ବିଷୟରେ ମଧ୍ୟ ଶିକ୍ଷା ଦିଏ। ଅନେକ ସମୟରେ ଘୋଷାଲ୍ ସାରଙ୍କୁ ସୁଦର୍ଶନର ଠିକଣା ପଚାରିବାକୁ ମନ ହୁଏ। ପୁଣି ସେ କାଳେ କଣ ଭାବିବେ ବିଚାରି ଚୁପ୍ ରହେ।
ୟା ଭିତରେ ବିନୋଦିନୀ ବିବାହ କରି ଘରସଂସାର କଲାଣି। ଏଇ କଟକରେ ରହେ, ବେଳେ ବେଳେ ଦେଖା ହୁଏ। ବାପା ଅନେକ ଥର ତା ପାଇଁ ବିବାହ ପ୍ରସ୍ତାବ ନେଇ ଆସିଛନ୍ତି। ବୋଉ ମଧ୍ଯ ବହୁତ ପଢା ହୋଇଗଲା, କେବେ ଘର ସଂସାର କରିବୁ ପଚାରନ୍ତି। ଚାରୁବାଳା କିନ୍ତୁ ସେ ପ୍ରସଙ୍ଗ ଏଡାଇ ଦେଇ ଠିକଣା ସମୟରେ କହିବି କହି ଚୁପ୍ ରହେ। &nbs
p;
ଆଜି ପୁଣି ସେହିଭଳି ବର୍ଷା ପାଗ। ସୁଦର୍ଶନ କଥା ମନେ ପଡିଲା ଚାରୁବାଳାର। ମନ ଖୋଜି ବୁଲେ ସୁଦର୍ଶନକୁ। କିନ୍ତୁ ମିଳେ କେବଳ ପୀଡା, ବିଷର୍ଣତା, ଅସହାୟତା। ଖୋଜିବା, ଝୁରି ହେବା ସାର ହୁଏ। ଅଭିମାନ ଓ କୋହ ମନକୁ ଆବୋରି ବସେ। ମୁହଁ ଖୋଲି ସେ ତା ମନର ମଣିଷକୁ ମନ କଥା ଥରେ କହି ପାରିଲାନି। ଏବେ ସେ ବୁଝୁଛି ସୁଦର୍ଶନ କାହିଁକି କହୁଥିଲେ ଜଣାନାହିଁ, କେବେ ସାକ୍ଷାତ ହେବ। ଫେରିବେନି ବୋଲି ନିଶ୍ଚିତ କରିସାରିଥିଲେ, ହେଲେ ତାକୁ କିଛି କହିଲେ ନାହିଁ?
ବାହାରେ ବର୍ଷା ସହ ତାଳ ଦେଇ ଚାରୁବାଳାର ଆଖିରୁ ଅମାନିଆ ଶ୍ରାବଣ ଧାରା ବହି ଯାଉଥାଏ। ବଢନ୍ତା ନଈ ଭଳି ମନରେ କୋହ ଫୁଲି ଉଠୁଥାଏ। ବିଛଣାରେ ପଡି ଗୁମୁରି ଗୁମୁରି କାନ୍ଦୁ ଥାଏ। ବାହାରେ କାହାରି ପାଦଶବ୍ଦ ଶୁଭିଲା। କବାଟରେ ଶିକୁଳୀର ଧଡ୍ ଧଡ୍ ଶବ୍ଦ ଶୁଣି ନିଜକୁ ଆୟତ୍ତ କଲା ଓ ଉଠି ଯାଇ ଦୁଆର ଖୋଲିଲା। ବିଶ୍ବନାଥ ସହ ବିନୋଦିନୀ ଦୁଆରବନ୍ଧ ସେପଟେ ଠିଆ ହୋଇ ଥାଏ। କିନ୍ତୁ ସୁଦର୍ଶନ, ସେ ତ ନାହାନ୍ତି। ଘର ଭିତରକୁ ଦୁହେଁ ପଶି ଆସି କବାଟ ବନ୍ଦ କଲେ। ଯେମିତି ଦଲକାଏ ବର୍ଷା ପବନ ସହ ମେଞ୍ଚାଏ ଖୁସି ଘର ଭିତରକୁ ପଶିଆସିଲା। ପ୍ରଥମେ ବିଶ୍ବାସ ହେଲା ନାହିଁ।
ଟିକିଏ ଚାହା ପିଇ ବିଶ୍ବନାଥ ଆରମ୍ଭ କଲା “କଲିକତାରେ ପହଞ୍ଚି ମାଣିକତାଲା ବାଗାନରେ ଯୁଗାନ୍ତର ର କ୍ରାନ୍ତିକାରୀଙ୍କ ଆଡ୍ଡାକୁ ଗଲୁ। ସେଠାରେ ଅନ୍ଯ କ୍ରାନ୍ତିକାରୀଙ୍କ ସହ ଆମେ ବନ୍ଧୁକ ଚାଳନା, ବମ୍ ତିଆରି, ଗ୍ରେନେଡ୍ ବ୍ଯବହାର ଟ୍ରେନିଂ ନେଲୁ। ଟ୍ରେନିଂ ପରେ କ୍ରାନ୍ତିକାରୀ ମାନଙ୍କର ଛୋଟ ଛୋଟ ଦଳ ଗଠନ ହେଲା ଓ ସେମାନେ ବିଭିନ୍ନ ଦିଗକୁ ସ୍ବାଧୀନତା ସଂଗ୍ରାମ ନିମନ୍ତେ ଖଜଣା ଓ ସରକାରୀ ଅସ୍ତ୍ରାଗାର ଲୁଟ୍ କରିବାପାଇଁ ପ୍ରେରିତ ହେଲେ। ସୁଦର୍ଶନ ସେମିତି ଏକ ଦଳ ସହ ଉତ୍ତର ଭାରତ କୁ ଗଲେ। ଲୁଟ୍ ଅର୍ଥ ଅଧିକ ବନ୍ଧୁକ ଓ ଗୋଳା ବାରୁଦ କିଣାରେ ଲାଗେ। ମନୀନ୍ଦ୍ର ଓ ମୁଁ କଲିକତାରେ ବମ୍ ତିଆରି ଦଳ ସହ ରହିଲୁ।
ପ୍ରାୟ ଗୋଟିଏ ବର୍ଷ ସୁଦର୍ଶନର ଓ ଅନ୍ଯ କ୍ରାନ୍ତିକାରୀଙ୍କ କାର୍ଯ୍ଯକଳାପ ର ଖବର ମାଣିକତାଲା ଯୁଗାନ୍ତର ହେଡ୍ କ୍ବାଟରରେ ପହଂଚୁ ଥିଲା। ମିରଟ ପାଖରେ ଜଣେ ଅତ୍ଯାଚାରୀ ଇଂରେଜ୍ ଅଫିସରକୁ ସୁଦର୍ଶନ ନେତୃତ୍ବରେ ବୋମା ମାଡ ଖବର ପହଞ୍ଚି ଥିଲା ଆମ ପାଖରେ। ଇତି ମଧ୍ଯରେ ପୋଲିସ୍ ସାରା ଭାରତରେ କ୍ରାନ୍ତିକାରୀଙ୍କ ଆଡ୍ଡାକୁ ଚଢାଉ କରିବା ଆରମ୍ଭ କରିଥାଏ।
ଗୋଟିଏ ରାତି ମାନିକତାଲାରେ ଚଢାଉ କରି ପୋଲିସ୍ ପ୍ରାୟ ତିରିଶ୍ ଜଣ କ୍ରାନ୍ତିକାରୀଙ୍କୁ ଉଠାଇ ନେଲା। ହାଜତ୍ ରେ ଦିନ ଦିନ ଭୋକ ଉପାସ ଆଉ ବେତ, ବୁଟ୍ ଓ ବାୟୋନେଟ୍ ମାଡ। ପିଇବାକୁ ପାଣି ଟୋପାଏ ବି ମିଳେ ନାହିଁ। ପୋଲିସ୍ ର ଅକଥନୀୟ ଅତ୍ଯାଚାର ସହି ନ ପାରି ଆମର ବମ୍ ତିଆରି ପ୍ରଶିକ୍ଷକ ମନୀନ୍ଦ୍ର କ୍ରାନ୍ତିକାରୀ ଦଳ ମାନଙ୍କ ଠିକଣା ବତାଇ ଦେଲା। ଅନ୍ଯ କ୍ରାନ୍ତିକାରୀଙ୍କ ସହିତ ପୋଲିସ୍ କୁ ସୁଦର୍ଶନର ଠିକଣା ବି ମିଳିଗଲା।
ପରେ ଜାଣିବାକୁ ମିଳିଲା ସୁଦର୍ଶନ ପୋଲିସ୍ ଗୁଳିମାଡ ଖାଇ ଗୁରୁତର। ତାର ଅନ୍ଯ ସାଥୀ ମାନଙ୍କୁ ପୋଲିସ୍ ଗିରଫ କରି କଳାପାଣି, ମାଣ୍ଡାଲେ ଓ ଅନ୍ଯ ଜେଲ୍ କୁ ପଠାଇଛି। ଆଉ କେତେକ ପୋଲିସ୍ ଗୁଳିରେ ପ୍ରାଣ ହରାଇଛନ୍ତି। ମୋ ବିରୁଦ୍ଧରେ ହତ୍ଯା ଅଭିଯୋଗ ନ ଥିବାରୁ ଦୁଇବର୍ଷ ଜେଲ୍ ସଜ୍ଜା କାଟିବା ପରେ ଆଲିପୁର ଜେଲ୍ ରୁ ବାହାରିଲି। ଆସିବା ପୂର୍ବରୁ କଲିକତାରେ ସୁଦର୍ଶନର ଖବର ଖୋଜିଲି। ହେଲେ କେହି ସୁଦର୍ଶନର ଖବର ଦେଇ ପାରିଲେ ନାହିଁ। ମାଣିକତାଲା ବାଗାନ୍ ପୋଲିସ୍ ଅକ୍ତିଆରରେ ତାଲା ପଡି ରହିଛି। ମାଖନଲାଲଙ୍କ ଘରକୁ ଗଲି। ଶୁଣିଲି ପୋଲିସ୍ ତାଙ୍କୁ ଓ ମନୀନ୍ଦ୍ରଙ୍କୁ ଗୁଳି କରି ହତ୍ଯା କରିଛି। କ୍ରାନ୍ତିକାରୀ ନେତାମାନେ ତ ଜେଲ୍ ରେ। ସୁଦର୍ଶନ ଖବର କେଉଁଠୁ ମିଳିବ? ସବୁ ଆଡୁ ନିରାଶ ହୋଇ ଘରକୁ ଫେରିଲି।”
ଚାରୁବାଳା ବିଶ୍ବନାଥର କଥା ଶୁଣୁ ଶୁଣୁ ଚେତା ହରାଇଲା। କିଛି କ୍ଷଣ ସେବା ଶୁଶ୍ରୁଷା ପରେ ଚାରୁବାଳାର ଚେତା ଫେରିଲା। ସୁଦର୍ଶନର ଖବର ନ ପାଇ ସମସ୍ତେ ବ୍ଯଥିତ ଥିଲେ। ଆପୋଷ ଆଲୋଚନା ପରେ ସ୍ଥିର ହେଲା ତା ପରଦିନ ଯାଇ ଘୋଷାଲ୍ ସାରଙ୍କୁ ପ୍ରଥମେ ମିଶି ସୁଦର୍ଶନକୁ ଖୋଜିବାର ମାର୍ଗ ବାହାର କରିବେ। ତାଙ୍କର ପରାମର୍ଶ ନେଇ ସୁଦର୍ଶନକୁ ଯେମିତି ହେଉ ଖୋଜି ବାହାର କରିବାକୁ ଶପଥ ନେଲେ।
ସେମାନଙ୍କ ଠାରୁ ସବୁ କିଛି ଶୁଣିବା ପରେ ମନୀନ୍ଦ୍ରର ପତ୍ନୀ ଶ୍ଯାମଳୀ ଏବେ ସବୁ କ୍ରାନ୍ତିକାରୀ ମାନଙ୍କ ଯୋଗସୂତ୍ର ଭାବେ କାର୍ଯ୍ଯ କରୁଛନ୍ତି ଏବଂ ସୁଦର୍ଶନର ଖବର ପାଇବା ନିମନ୍ତେ ତାଙ୍କୁ ଯୋଗାଯୋଗ କରିବାକୁ ପଡିବ ବୋଲି ପ୍ରଫେସର ଘୋଷାଲ୍ ଖବର ଦେଲେ। କିନ୍ତୁ ଶ୍ଯାମଳୀ ଶ୍ଯାମ ବଜାରର କୌଣସି ଏକ ଅଜ୍ଞାତ ସ୍ଥାନରୁ ସକ୍ରିୟ ରହୁଛନ୍ତି ଯାହା କାହାରିକୁ ଜଣା ନାହିଁ। ତା ଛଡା ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛନ୍ତି ତେଣୁ ତାଙ୍କ ସହ ସମ୍ପର୍କ ଖୁବ୍ କଠିନ ବ୍ଯାପାର। ପୁଣି ପୋଲିସ୍ ଓ ଗୁଇନ୍ଦା ବିଭାଗ ସବୁ ବସ୍ ଷ୍ଟାଣ୍ଡ, ଷ୍ଟେସନ ଓ ହୋଟେଲ୍, ଲଜିଂ ଉପରେ ତୀକ୍ଷ୍କ ନଜର ରଖିଛନ୍ତି। ଶ୍ଯାମଳୀଙ୍କ ପାଖରେ ପହଞ୍ଚି ପାରିଲେ ହୁଏତ ତାଙ୍କ ପାଖରୁ ସୁଦର୍ଶନଙ୍କର କିଛି ଖବର ମିଳି ଯାଇ ପାରେ। ସେ ଉପଦେଶ ଦେଲେ ଯେ ମାଖନଲାଲଙ୍କ ମୃତ୍ଯୁ ପରେ ଓଡିଶା ଓ ବଙ୍ଗର କ୍ରାନ୍ତିକାରୀଙ୍କ ଭିତରେ ସମନ୍ବୟ ସ୍ଥାପନ କରିବା ସମ୍ଭବ ହେଉ ନାହିଁ। ଶ୍ରୀ ରାମପୁରରେ ବୈରାଗୀ ହାଲଦାର ଘୋଷାଲ ମହାଶୟଙ୍କ ପୈତୃକ ବାସଗୃହର ରକ୍ଷଣାବେକ୍ଷଣ କରନ୍ତି। ସେମାନେ ଯାଇ ଶ୍ରୀରାମପୁରରେ ସତର୍କତାର ସହିତ ରହି ସେଠାରୁ ଶ୍ଯାମଳୀଙ୍କୁ ମିଶିବାକୁ ଚେଷ୍ଟା କରନ୍ତୁ ଓ ସୁଦର୍ଶନଙ୍କ ଖୋଜ ଖବର ନିଅନ୍ତୁ।
କଥା ହେଲା ବିଶ୍ବନାଥ ଓ ଚାରୁବାଳା ଦିନେ ଦୁଇ ଦିନ ଅନ୍ତରରେ କଲିକତା ଯିବେ ଓ ଶ୍ରୀରାମପୁର ରେ ଘୋଷାଲ୍ ବାବୁଙ୍କ ଘରେ ପହଞ୍ଚିବେ। ସେଠାରେ ପହଞ୍ଚି ବୈରାଗୀଙ୍କର ସହାୟତା ନେଇ ଶ୍ଯାମଳୀ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବେ। ବୈରାଗୀ କେବେ ବିଶ୍ବନାଥ ସହ ଓ କେବେ ଚାରୁବାଳା ସହ ଯାଇ ନିରାଶ ହୋଇ ଫେରିଲେ। ଦିନେ ବୈରାଗୀ ଠାରୁ ଶ୍ଯାମଳୀ ବାରାନଗରରେ ମିଳିବେ ଖବର ପାଇ ଦୁହେଁ ଯାଇ ସେଠାରେ ପହଞ୍ଚିବା ବେଳକୁ ଶ୍ଯାମଳୀ ସେତେ ବେଳକୁ ବେଲଘରିଆ ଚାଲି ଯାଇଥାନ୍ତି। କାଳ ବିଳମ୍ବ ନ କରି ସେଠାକୁ ଯାଇ ଶ୍ଯାମଳୀଙ୍କୁ ପାଇଲେ। ସୁଦର୍ଶନଙ୍କ ସ୍ବାସ୍ଥ୍ଯ ମିରଟ ଜେଲରେ ବହୁତ ଖରାପ ହେବାରୁ ତାଙ୍କୁ ଆର୍ମି ହସ୍ପିଟାଲକୁ ନିଆ ଯାଇଥିଲା ବୋଲି ସେ ଖବର ଦେଲେ। ତା ପର ଠାରୁ ସୁଦର୍ଶନଙ୍କର କିଛି ଖୋଜ ଖବର ନାହିଁ। କିନ୍ତୁ ମୁଁ ଯାହା ଜାଣେ ଆର୍ମି ହସ୍ପିଟାଲ ବାହାରେ ସୁବୋଧ ବୋଲି ଜଣେ ଓଡିଆଙ୍କର ଚାହା ଦୋକାନଟିଏ ଅଛି। ସେ ଓ ତାଙ୍କ ପତ୍ନୀ ସୁଦର୍ଶନ ହସ୍ପିଟାଲରେ ଥିବା ବେଳେ ତାଙ୍କର ଅନେକ ସେବା କରିଥିଲେ। ହୁଏତ ତାଙ୍କ ପାଖରୁ କିଛି ଖବର ମିଳି ପାରେ।
ଚାରୁବାଳା ମନରେ ସୁଦର୍ଶନର ଖବର ମିଳିବ ବୋଲି ଆଶା ସଞ୍ଚାର ହେଲା। ତାଙ୍କୁ ଓ ବିଶ୍ବନାଥକୁ ସୁଡଙ୍ଗ ଶେଷରେ କ୍ଷୀଣ ଆଲୋକ ରେଖାର ସନ୍ଧାନ ମିଳିଲା ଭଳି ଲାଗିଲା। ଉତ୍ସାହିତ ହୋଇ ଉଭୟେ ପର ଦିନ ରେଳରେ ମିରଟ ପାଇଁ ବାହାରି ଗଲେ ଓ ସିଧା ଟଣା ରିକ୍ସାରେ ବସି ଆର୍ମି ହସପିଟାଲରେ ଯାଇ ପହଞ୍ଚିଲେ। ବହୁତ ଖୋଜାଖୋଜି ପରେ ସୁବୋଧର ଦୋକାନର ସନ୍ଧାନ ମିଳିଲା।ସୁବୋଧ ସେମାନଙ୍କୁ ସାଙ୍ଗରେ ଘରକୁ ନେଲା ଓ ପତ୍ନୀ ସୁମତି ସହ ପରିଚୟ କରାଇଲା।
ଚାରୁବାଳାକୁ ଦେଖି ସୁମତିର ଆଖିରୁ ଧାର ଧାର ଲୁହ ବୋହିଗଲା। ସୁଦର୍ଶନ ଭାଇ ଟିକିଏ ସୁସ୍ଥ ହେବା ପରେ ତୁମ ଦୁଇ ଜଣଙ୍କୁ ଅନେକ ସମୟରେ ମନେ ପକାଉ ଥିଲେ ବୋଲି ସୁମତି ଜଣାଇଲେ। ସେ କଡା ପୋଲିସ ପହରାରେ ଆର୍ମି ହସ୍ପିଟାଲରେ ରହୁ ଥାଆନ୍ତି। ତାଙ୍କର ସ୍ବାସ୍ଥ୍ଯ ଅବସ୍ଥା ଭଲ ନ ଥିବାରୁ ଫାସୀରେ ନ ଲଟକାଇ ତାଙ୍କୁ ଆଜୀବନ କାରାବାସରେ ରଖିବାକୁ ନିଷ୍ପତ୍ତି ନେଇ ଥିଲେ ବ୍ରିଟିଶ୍ ସରକାର। ଶେଷ ବେଳକୁ କେବଳ ଆମ ଦୁହିଁଙ୍କୁ ତାଙ୍କର ସେବା ଯତ୍ନ କରିବାକୁ ଅନୁମତି ଥିଲା। ଢାକା ଅନୁଶୀଳନ ସମିତିର କିଛି କ୍ରାନ୍ତିକାରୀ ଆସି ଥିଲେ ତାଙ୍କୁ ପୋଲିସ୍ କବଳରୁ ମୁକ୍ତ କରି ସାଙ୍ଗରେ ନେଇ ଯିବା ପାଇଁ। ସୁଦର୍ଶନ କିନ୍ତୁ ମନା କରିଦେଲେ। ଶେଷରେ ଭାଇ ଦିନେ ଆଖି ବୁଜିଲେ। କିନ୍ତୁ ଯିବା ପୂର୍ବରୁ ତୁମ ମାନଙ୍କୁ ଅନେକ ମନେ ପକାଉ ଥିଲେ। ଚାରୁ ପାଇଁ ଲେଖି ଥିବା ଚିଠିଟିଏ ମୁଁ ସାଇତି ରଖିଛି। ଚିଠି ନେଇ ଚାରୁ ପଢିବାକୁ ଲାଗିଲା।
ଚାରୁବାଳା ମୋତେ ଭୁଲ୍ ବୁଝିବ ନାହିଁ। ଭାରତ ମାତାର ମୁକ୍ତି ନିମନ୍ତେ ଆମେ ଦୁହେଁ ଯେଉଁ ମାର୍ଗ ବାଛିଲେ ମଧ୍ଯ ଆମର ଲକ୍ଷ୍ଯ ଏକ ଥିଲା। କଟକ ଛାଡିବା ପୂର୍ବରୁ ଏବଂ ପରେ ମଧ୍ଯ ମନର କଥା ଖୋଲି କହିବାକୁ ସମୟ ମିଳି ନ ଥିଲା। ଆମେ ଉଭୟ ସ୍ବଇଚ୍ଛାରେ ସଂଗ୍ରାମୀର ଜୀବନ ବାଛି ଥିଲୁ। ସାଧନାର ପଥ ବିପଦଶଙ୍କୁଳ ବୋଲି ଜାଣିଛୁ। ପାରୁ ପର୍ଯ୍ଯନ୍ତ ଉଭୟ ନିଜ ନିଜ ମାର୍ଗରେ ଦେଶ ମାତୃକାର ସେବା କରିଛୁ। ମୁଁ ନିଶ୍ଚିତ ତାହା ଅନ୍ଯଥା ଯିବନାହିଁ। ଏ କଥା ସତ୍ଯ ଯେ ତୁମର ତ୍ଯାଗ ଓ ଭଲ ପାଇବାର ପ୍ରତିଦାନ ଦେବା ମୋ ଭଳି ସଂଗ୍ରାମୀ ପକ୍ଷରେ ସମ୍ଭବ ହେଲା ନାହିଁ। ମୋତେ ଭୁଲ୍ ବୁଝିବ ନାହିଁ। ବନ୍ଦେ ମାତରଂ।
ତୁମର ସୁଦର୍ଶନ ।।