STORYMIRROR

Ashok Kumar Mishra

Comedy Drama Action

4.6  

Ashok Kumar Mishra

Comedy Drama Action

ବଡ ଗଡବଡ

ବଡ ଗଡବଡ

9 mins
341



ଶାଶୁଙ୍କର ସେଇ ଏକା ଜିଦ୍। ବିବାହ ପରଠାରୁ ସେ ସବୁ ଦଶହରା ରାଉରକେଲାରେ ବିତାଇଛନ୍ତି। ଏ ଥର ବି ଅଲବତ୍ ଦଶହରା ରାଉରକେଲାରେ ବିତିବ। ଝିଅ ଜୋଇଁ କାହାରି କଥା ଆଉ ରଖି ହେବ ନାହିଁ, ମାସେ ପାଇଁ ଆସି ଦୁଇ ମାସ ଘର ଛାଡି ମୁମ୍ବାଇରେ ରହିଲେଣି। ମନୋହରଙ୍କୁ ଫେରିବା ଟିକେଟ୍ କରିବା ପାଇଁ ତାଗିଦ୍ କଲେ ମଞ୍ଜରୀ। 

ରମାକାନ୍ତଙ୍କ ହାତ ଧରିବା ଠାରୁ ରାଉରକେଲା ସହରର ପାଣି ପବନ, ଗଛ ପତ୍ର, ମାଟି ଓ ଆକାଶ ସବୁ କିଛି ତାଙ୍କର ଅତି ଆପଣାର ହୋଇ ଯାଇଛି। ଇସ୍ପାତ୍ କାରଖାନାର ବ୍ଲାଷ୍ଟ ଫର୍ଣେସରୁ କ୍ରମାଗତ ନିର୍ଗତ ଉର୍ଦ୍ଧ୍ବମୁଖୀ ସେଇ ଲେଲିହାନ ଶିଖାକୁ ଦେଖିଲେ ତାଙ୍କ ମନ ଭିତରେ ଅଫୁରନ୍ତ ଉତ୍ସାହ ଭରି ଯାଏ। ସେହି ଲେଲିହାନ ଶିଖାର ନିଆଁଝୁଲ ଓ ଧୂଆଁ ଯେବେ ରାତିର ସାରା ଆକାଶକୁ ଆଚ୍ଛାଦିତ କରି ବିଛାଡି ପଡେ ଓ ତାହାରି ତଳେ ତାରକା ସବୁ ହଜି ଯାଆନ୍ତି, ମଞ୍ଜରୀ ଦେଖନ୍ତି ତାରି ଭିତରେ ହଜାର ହଜାର ମଣିଷର ସ୍ବପ୍ନ ସବୁ କେମିତି ଜାଗିଉଠି ଲୁଚକାଳି ଖେଳୁଛନ୍ତି। ଅନ୍ଧାର ଆକାଶ ଉପରେ ଇସ୍ପାତ୍ କାରଖାନା ଚିମନୀରୁ ନିର୍ଗତ ନାରଙ୍ଗି ପାଚିଲା ଲୁହାଝୁଲ ତାଙ୍କୁ କଳାକୃଷ୍ଣ କହ୍ନାଇର ଦେହପିନ୍ଧା ସୁବର୍ଣ୍ଣ ପାଟ ଭଳି ପ୍ରତୀୟମାନ ହୁଏ।

ଇସ୍ପାତ କାରଖାନାର ଘନଘନ ସାଇରନ୍ ର ଧ୍ବନୀ ସଂଗ୍ରାମୀ ମଣିଷର ଉଦ୍ଦାମତାକୁ ଅହରହ ଆହ୍ବାନ କରୁଥାଏ ସମୟ ସହ ଆଗକୁ ବଢିବା ପାଇଁ। ମାନବ ବୁଦ୍ଧି ଓ ଶ୍ରମ ଆଗରେ ଜିଦ୍ଦିଆ ଲୁହାପଥର ତରଳି ବହି ଯାଏ। ସହରର ବୁକୁ ଚିରି ଗଡି ଯାଇଥିବା ବ୍ଯସ୍ତ ରେଳ ଧାରଣା ଉପରେ ଟ୍ରେନ୍ ର ଛୁକ୍ ଛୁକ୍ ଆବାଜ୍ ସହରର କୋଳାହଳ ସହ ମିଶି ଏକ ଅପୂର୍ବ ସଙ୍ଗୀତ ସୃଷ୍ଟି କରେ। ସିଫ୍ଟ ପରେ ସିଫ୍ଟ ଶ୍ରମିକ ମାନଙ୍କ ଆତଯାତ ଲାଗି ରହି ଥାଏ। କେବେ ଦିନ ସରେ ଆଉ କେବେ ରାତି ହୁଏ କେହି ଜାଣି ପାରନ୍ତି ନାହିଁ। 

ପ୍ରତି ଶ୍ରାବଣରେ ବିଜୁଳୀ ଘଡଘଡିର ରୋଷଣୀ ନେଇ ଅସରାଏ ବର୍ଷା ଯେବେ ଛମ୍ ଛମ୍ , ଟପ୍ ଟପ୍ ଶବ୍ଦ କରି ରାଉରକେଲାକୁ ଭିଜାଇ ଦିଏ, ଝର୍କା ଫାଙ୍କରୁ ମଞ୍ଜରୀଙ୍କୁ ରାଉରକେଲା ସହର ଓ ତା ଆକାଶଟା ଫର୍ଚ୍ଚା ଦେଖାଯୀଏ। ସହରର ସବୁଜିମା, ବର୍ଷାର ସଙ୍ଗୀତ,ରାତିରେ ସଫା ଆକାଶର ତାରା ଆଉ ଭିଜା ମାଟିର ବାସ୍ନା ଭିତରେ ମେହନତି ମଣିଷର ଧାଁ ଦଉଡ ମଞ୍ଜରୀଙ୍କୁ ମତୁଆଲା କରି ଦିଏ। 

ମୁମ୍ବାଇ ଆସିବା ପରେ ଝିଅ ଅନନ୍ଯା ଓ ଜୋଇଁ ମନୋହର ସହ ମୁମ୍ବାଇ ଦର୍ଶନରେ ଯାଇ ମେରାଇନ୍ ଡ୍ରାଇଭ୍, ଚୌପାଟୀ, ଜୁହୁ ବିଚ୍, ସିଦ୍ଧି ବିନାୟକ ମନ୍ଦିର, ଏଲିଫାଣ୍ଟା ଗୁହା ସବୁ କିଛି ବୁଲି ସାରିଲେଣି। ମନୋହର ତାଙ୍କୁ ଥରେ ଚର୍ଚଗେଟ୍ ନେଇ ମୁମ୍ବାଇର ମେଟ୍ରୋ ଟ୍ରେନ୍ ର ଭିଡ ଦେଖାଇ ସାରିଛନ୍ତି। ମୁମ୍ବାଇ ର ବ୍ଯସ୍ତତା, କୋଳାହଳ, ଠେଲାପେଲା, ଭାଗ ଦୌଡ ଦେଖି ସେ ଛାଟିପିଟି ହୋଇ ଘରମୁହାଁ ହେଲେଣି। ଯେମିତି ସମସ୍ତେ ଏଠି ଏକ ଅନ୍ତହୀନ ମାରାଥନ୍ ଦୌଡରେ ଭାଗ ନେଉଛନ୍ତି।ମଝିରେ ମଝିରେ ପଡି ଉଠି, ପରସ୍ପରକୁ ଠେଲି ପେଲି ଆଗକୁ ଦୌଡି ଚାଲିଛନ୍ତି। ଏ ଯାତ୍ରାର ଯେମିତି ଶେଷ ନାହିଁ, କି ଶୋଷର ଅନ୍ତ ନାହିଁ।

ପୁରୀରେ ଶିକ୍ଷା ଲାଭ ଶେଷରେ ସେ ବିବାହ କରି ରାଉରକେଲା ଆସିବା ପରେ ଏଠାକାର ଗ୍ରୀଷ୍ମର ଧୁ ଧୁ ନିର୍ଘାତ ଝାଞ୍ଜିପିଟା ରୌଦ୍ରତାପ ଓ ହାଡଥରା ଶୀତର ପ୍ରକୋପ ଭାରି ଅଡୁଆ ଲାଗୁଥିଲା ମଞ୍ଜରୀଙ୍କୁ ।ପୁରୀ ର ବାଲିକଣା ମିଶା ଆର୍ଦ୍ରତା ଭିଜା ଶୀତଳ ସମୀର ର ଜାଗା ନେଇଥିଲା ଧୂଳି ଧୂଆଁ ଗୋଳା ରୁକ୍ଷ ଶୁଷ୍କ ପବନ। ରମାକାନ୍ତ ମଜାକରି କହନ୍ତି ବାପଘର ଓ ଶ୍ବଶୁର ଘରର ଫରକ ସବୁବେଳେ ଏମିତି ଲାଗେ। କେତେବେଳେ ତୁମକୁ ପୁରୀର ପାଣି ଭାରି ମିଠା, ଆଉ ରାଉରକେଲା କୋଏଲ୍ ନଦୀର ପାଣି ଖାରିଆ ଲାଗିବ ନାହିଁ ତ? 

ରମାକାନ୍ତଙ୍କ ବୁର୍ଲାରୁ ଇଞ୍ଜିନିଅରିଙ୍ଗ ପାଶ୍ କରି ଷ୍ଟିଲ୍ ପ୍ଲାଣ୍ଟ ରେ ଯୋଗ ଦେଲା ପରଠାରୁ ରାଉରକେଲା ଓ ପ୍ଲାଣ୍ଟ ତାଙ୍କ ପାଇଁ ସବୁକିଛି। ଧୀରେ ଧୀରେ ରାଉରକେଲା ଓ ମଞ୍ଜରୀ ପରସ୍ପରକୁ ଆପଣେଇ ନେଇଛନ୍ତି ଆଉ ରମାକାନ୍ତ ଓ ଦୁଇ ଝିଅକୁ ନେଇ ତାଙ୍କ ଛୋଟ ସଂସାର ଏଇଠି ଖେଳି ଉଠିଛି। ଧୂମମୟ ସହରଟା କେତେ ବେଳ ଠାରୁ ମଧୁମୟ ହୋଇ ଗଲାଣି ସେ ଜାଣି ପାରି ନାହାନ୍ତି।

ଝିଅ ମାନେ ଅନ୍ଯତ୍ର ବିବାହ କରି ଯେଝା ପେଷା ଓ ପରିବାର ସମ୍ଭାଳିବାରେ ବ୍ଯସ୍ତ। ବଡ ଝିଅ ଅହଲ୍ଯା ଓ ଜୋଇଁ ଦିଲ୍ଲୀରେ। ଉଭୟ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନମିକସରେ ଅଧ୍ଯାପକ।ସାନ ଝିଅ ଅନନ୍ଯାର ଦୁଇ ବର୍ଷ ତଳେ ମନୋହର ସହ ବିବାହ ପରେ ରମାକାନ୍ତ ଓ ମଞ୍ଜରୀ ଏକା ଏକା ରାଉରକେଲାରେ।

“ଅଫିସ୍ ରୁ ଫେରିବା ବେଳକୁ ଟିକେଟ୍ କରି ଆଣିଥିବ,”ମନୋହରକୁ ତାଗିଦ୍ କରି କହିଲେ ମଞ୍ଜରୀ। ବାବା ଏକୁଟିଆ ହଇରାଣ ହେଉ ଥିବେ। ବିବାହ ପରେ ଦୁଇ ବର୍ଷ ହେବାକୁ ଯାଉଛି। ତୁମେ ରାଉରକେଲା ଆସି ଆମ ସହ ଖୁବ୍ କମ୍ ଦିନ ରହିଛ। ଏଥର ସମସ୍ତେ ମିଳି ମିଶି ରାଉରକେଲାରେ ଏକାଠି ଦଶହରାର ଆନନ୍ଦ ନେବା । 

 “ମୁଁ ଫୋନ୍ କରି ମନେ ପକାଇ ଦେବି, କିନ୍ତୁ ମୋ ଫେରିବା ଟିକେଟ୍ କରି ନଥିବ। ଏତେ ଦିନ ପରେ ରାଉରକେଲା ଯାଉଛି। ସେଠି ମନଭରି ରହିବା ପରେ ତୁମକୁ କହିଲେ ଆସି ନେଇ ଯିବ।” ମନୋହରଙ୍କୁ କହିଲା ଅନନ୍ଯା।  

 ହଁ, ନିହାତି ମନେ କରି ମା’ ଙ୍କ ପାଇଁ ପାନ ଆଣିବାକୁ ଭୁଲିବ ନାହିଁ। ବନାରସୀ ଗୋଟା ପାନ ଆଣିବ। ତମେ ତ ଜାଣ ତାଙ୍କର ପାନ ଅଭ୍ଯାସ୍। ପାନ ପାଇଁ ମୁମ୍ବାଇରେ କେମିତି ଛାଟି ପିଟି ହେଉଛନ୍ତି। ତୁମେତ ଭୋଳା ଲୋକ, ଗୋଟା ପାନ ନ ଆଣି କାଲି ଭଳି ଭଙ୍ଗା ପାନ ଆଣିଲେ ସକାଳକୁ ପୁଣି ଶେଷ ହୋଇ ଗଲେ ଖୋଜା ପଡିବ। ପାନ ତ ମହରଗ, ପାଖଆଖରେ ପୁଣି ବନାରସୀ ପାନ ମଳିବ ନାହିଁ। ତାଛଡା ଦକ୍ଷିଣୀ ପାନ ପତ୍ର ମାଆର ପସନ୍ଦ ହେବ ନାହିଁ। 

ହଁ, ନିଶ୍ଚୟ ଆମର ଟ୍ରେନ୍ ଟିକେଟ୍, ମାଆ ଙ୍କର ଗୋଟା ପାନ, ତାଛଡା ତୁମ ପାଇଁ ମିଠା ପାନ ଆଣି ଆସିବି।

ସାନ ଜୋଇଁ ମନୋହର ଭାରି ମେଳାପୀ। ଖୁସ୍ ମିଜାଜ୍ ପ୍ରକୃତିର ପିଲା। ଯେଉଁ କାମରେ ମନ ଦେବେ ସବୁ କିଛି ଭୁଲି ସେଇଥିରେ ଡୁବି ରହିଥିବେ। ଚେସ୍ ଖେଳ ଓ ସାଙ୍ଗ ତାଙ୍କର ସବୁ କିଛି, ଆଡ୍ଡା ମାରୁ ମାରୁ ଭୋକ ଶୋଷ ଭୁଲି ଯାଆନ୍ତି। କେତେ ରାତି ଚେସ୍ ଖେଳିବାକୁ ରାତିରେ ଘରକୁ ନ ଫେରି ସାଙ୍ଗ ଘରେ ରହିଯାଆନ୍ତି, ପର ଦିନ ଘରକୁ ଆସନ୍ତି। ମଞ୍ଜରୀଙ୍କୁ ତାଙ୍କର ଏଇ ଗୁଣଟା ପସନ୍ଦ ହୁଏ ନାହିଁ। ଅବିବାହିତ ଜୀବନରେ ଶୃଙ୍ଖଳା ନ ରହିଲେ ଚଳିବ। କିନ୍ଚୁ ବିବାହ ପରେ ଏମିତି ବିଶୃଙ୍ଖଳ ଜୀବନ ଅନନ୍ଯାକୁ ଆକଟ କରିବାକୁ ମଞ୍ଜରୀ ବୁଝାନ୍ତି। ତୁଣ୍ଡି ବାନ୍ଧି ଆରମ୍ଭରୁ ଆକଟ ନ କରି ଢିଲା ଛାଡିଲେ ପରେ ଅସମ୍ଭାଳ ହେବ। କୁସଙ୍ଗରେ ପଡି କେତେ ଭଲ ପିଲା ଅବାଟରେ ଯାଉଛନ୍ତି। ଆଜି ଛୋଟ ନିଶାପାଣି ତ କାଲିକୁ ବଡ ନିଶା ର ରୂପ ନେବ, କିଏ କାଲିକୁ ଦେଖିଛି? ମୁମ୍ବାଇର ରେଭ୍ ପାର୍ଟିରେ ଡ୍ରଗ୍ସ ନେବା ଏକ ସାଧାରଣ କଥା ହୋଇ ଗଲାଣି ବୋଲି ଟିଭିରେ ସବୁ ବେଳେ ଖବର ଆସୁଛି। କୋଟି କୋଟି ଟଙ୍କାର ଡ୍ରଗ୍ସ ଧରା ହେଉଛି ପ୍ରଚିଦିନ ଖବର କାଗଜରେ ବାହାରୁଛି, ଦେଖୁ ଥିବୁ। 

“ମନୋହର ସେମିତି ପିଲା ନୁହଁ। ମୁଁ ତାଙ୍କୁ ଭଲ ଭାବେ ଜାଣିଛି। ତୁ ଅଯଥା ବ୍ଯସ୍ତ ହେଉଛୁ।” କହିଲେ ଅନନ୍ଯା। କିନ୍ତୁ କେବେ କେମିତି ମୁଲାଜା ମୋହବତ ରେ, ପାର୍ଟିରେ ସାଙ୍ଗ ମାନଙ୍କ ସହ ମନୋହର ଡ୍ରିଙ୍କସ ନେବା କଥା ଅନନ୍ଯା ଲୁଚାଇଲା। ଅନନ୍ଯା ଜାଣେ ତା କଥା ମନୋହର କେବେ ଅନ୍ଯଥା କରନ୍ତି ନାହିଁ। ସେ କେବେ ଆକଟ କରି ମନା କରିନାହିଁ। ନ ହେଲେ ସେ ଏ ସବୁଥିରୁ ଦୂରରେ ରହିବା ପିଲା।

ଝାଡଖଣ୍ଡର ଚକ୍ରଧରପୁରରେ ମନୋହରଙ୍କର ଘର। ଅନନ୍ଯା ଓ ମନୋହର ଉଭୟେ ବିଟ୍ସ ରାଞ୍ଚିରେ ପାଠ ପଢିବା ଦିନରୁ ପରସ୍ପରକୁ ଜାଣନ୍ତି ଓ ଭଭୟ ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି। ମନୋହର ପିଲା ବେଳରୁ ବାପାଙ୍କୁ ହରାଇଛନ୍ତି। ବଡ ଭାଇ ଚକ୍ରଧରପୁରରେ ବାପାଙ୍କ ଟ୍ରାନ୍ସପୋର୍ଟ ବ୍ଯବସାୟ ବୁଝନ୍ତି। ମାଆ ବଡ ଭାଇଙ୍କ ପାଖରେ ରହନ୍ତି। ମୁମ୍ବାଇରୁ ସମୟ ମିଳିଲେ ଦିନଟିଏ ପାଇଁ ହେଲେ ବି ମନୋହର ମାଆ ଙ୍କ ପାଖକୁ ଦୌଡି ଆସନ୍ତି ଦେଖା କରିବା ପାଇଁ। ଏଥର ବି ଅନନ୍ଯାଙ୍କୁ ରାଉରକେଲାରେ ଦଶହରା ପରେ ଛାଡି ଚକ୍ରଧରପୁର ଯାଇ ମାଆ ଓ ଭାଇ ଭାଉଜ ଙ୍କୁ ଦେଖା କରି ଫେରି ଯିବା ପାଇଁ ମନୋହର ଚିନ୍ତା କରିଛନ୍ତି।

ଅଫିସ୍ ରୁ ଛୁଟି, ଯାତ୍ରାପାଇଁ ଟିକେଟ୍, ବନାରସୀ ପାନପତ୍ର ସବୁ କିଛି ମିଳି ଗଲା ପରେ ସେହି ଦିନଠାରୁ ମଞ୍ଜରୀଙ୍କ ଯାତ୍ରା ନିମନ୍ତେ ତନାଘନା ପ୍ରସ୍ତୁତି ଆରମ୍ଭ ହୋଇଗଲା। 

ମୁମ୍ବାଇ ହାଓଡା ମେଲ୍ ରେ ଯାତ୍ରା ଆରମ୍ଭ କରିବାର ତିନି ଚାରିଦିନ ପୂର୍ବରୁ ମନୋହର ଦିନେ ଅଫିସରୁ

ଫେରି ଅନନ୍ଯା ଙ୍କୁ ଖୁସି ହୋଇ କହିଲେ ବୁଝିଲ ଏଥର ଯିବା ବେଳକୁ ମୋର ଚେସ୍ ବୋର୍ଡଟା ନେବାକୁ ମନେ ପକାଇବ। 

“ମୁଁ ଜାଣି ନ ଥିଲି ବିଜନ୍ ମଧ୍ୟ ସେହି ଟ୍ରେନ୍ ରେ ଏକା ଦିନ ଯିବା ପାଇଁ ଟିକେଟ୍ କରିଛି। ଆମ ବଗି ଠାରୁ ଦୁଇଟା ବଗି ଛାଡି ତା ବଗି। ତା ସ୍ତ୍ରୀ ଓ ପିଲା ମାନଙ୍କୁ କଲିକତାରୁ ନେଇ ଫେରିବ। ଭଲ ହେଲା ତା ସହ ଚେସ୍ ଖେଳି ଗପ କରୁ କରୁ ଯାତ୍ରାଟା ବୋର୍ ଲାଗିବ ନାହିଁ।” 

“ବିଜନ ଚକ୍ରବର୍ତ୍ତୀ ସହ ଚେସ୍ ଖେଳୁ ଖେଳୁ ଆମକୁ ଭୁଲି ତା ସହ ସିଧା କୋଲକତା ଚାଲି ଯିବନି ତ?” ପଚାରିଲେ ଅନନ୍ଯା।

ମୁମ୍ବାଇ ହାଓଡା ମେଲ୍ ଟ୍ରେନ୍ ଛାଡିବା ବେଳକୁ ବିଜନ ଆସି ପହଞ୍ଚି ଗଲା ଓ ଟ୍ରେନଟି ଆଜି ବିଳମ୍ବରେ ଯାଉଛି ଜଣାଇଲା। ମଞ୍ଜରୀ ଓ ଅନନ୍ଯା ନିଜ ନିଜ ବର୍ଥରେ ବସି ଟ୍ରେନ୍ ଛାଡିବାକୁ ଅପେକ୍ଷା କଲେ। ଯାତ୍ରା ଆରମ୍ଭ ହେବାରୁ ମନୋହର ନିଜ ବର୍ଥ ଛାଡି ବିଜନ ବଗିକୁ ଗଲା। ମଞ୍ଜରୀ ଦେଖିଲେ ପାଖ ବଗି ଭିତରେ ଏକ ଓଡିଆ ପରିବାର ଅଛନ୍ତି । ଭଲ ହେଲା ପରିଚୟ ନେଇ ଗପୁ ଗପୁ ସମୟ କଟି ଯିବ। ଅନନ୍ଯା ନିଜ ତଳ ବର୍ଥରେ ବିଶ୍ରାମ ନେଲା।

ବିଜନର ବଗି ଖୋଜି ମନୋହର ପହଞ୍ଚି ଗଲା ଓ ଉଭୟଙ୍କ ଖଟି ଜମିବାକୁ ସମୟ ଲାଗିଲା ନାହିଁ। ଉଭୟ ଘରୁ ରାତ୍ରୀ ଭୋଜନ ସାରି ଆସିଥିଲେ। ଚାହା ପିଆ, ଗୁଲି ଗପ, ରାଜନୀତି, କ୍ରିକେଟ୍, ଅଫିସ୍ ପଲିଟିକ୍ସ ସବୁ କିଛି ପରେ ପରେ ଚେସ୍ ଖେଳ ଚାଲିଲା। 

ପାଣ୍ଟ୍ରି କାର ର ପିଲା ଆସି ରାତ୍ରୀଭୋଜନ ଓ ବ୍ରେକଫାଷ୍ଟ ଅର୍ଡର ନେଉ ଥାଏ। କିଛି ଯାତ୍ରୀ କଚ୍ଛପ ଭଳି ବ୍ଲାଙ୍କେଟ୍ ଭିତରେ ପଶି ଉଷୁମ୍ ଟାଣୁ ଥାନ୍ତି କେବଳ ମୁଣ୍ଡଟି ବାହାରକୁ ଦିଶୁଥାଏ। ହାଓଡା ମୁମ୍ବାଇ ମେଲ୍ ଦ୍ରୁତ ଗତିରେ ଆଗକୁ ବଢି ଚାଲିଥାଏ ବୋଧହୁଏ ବିଳମ୍ବିତ ସମୟର ଭରଣା ନିମନ୍ତେ ଚେଷ୍ଟା। ବିଜନ ଓ ମନୋହର ଚେସ୍ ଖେଳରେ ନିମଗ୍ନ। ଖେଳ ଜମି ଆସୁଥାଏ। ରେଳର ନିଷ୍ପ୍ରଭ ଆଲୋକ ତଳେ ରିଡିଂ ଆଲୋକ ଜଳାଇ ଦୁହେଁ ଖେଳର ମଜା ନେଉଥାନ୍ତି, ଆଉ ଟ୍ରେନ୍ ଗୋଟିଏ ପରେ ଗୋଟିଏ ଷ୍ଟେସନକୁ ପଛରେ ଛାଡି ଆଗକୁ ବଢି ଚାଲିଥାଏ। ଉଭୟେ ନିଜ ଗୋଟି ଚାଳନା ସଙ୍ଗେ ସଙ୍ଗେ ପ୍ରତିପକ୍ଷର ଚାଲ୍ କୁ ଦେଖି ତା ମନକୁ ପଢିବାକୁ ଏବଂ ବ୍ଯୁହକୁ ଭେଦ କରିବାକୁ ଚେଷ୍ଟା ଚଳାଇ ଥାଆନ୍ତି। ଅନ୍ଯ ଯାତ୍ରୀ ମାନଙ୍କର ଦୁଇ ସତରଞ୍ଜ ପ୍ରେମୀଙ୍କ ଆଡକୁ ନିଘା ନ ଥାଏ। 

ଏମିତି କେତେ ସମୟ ପରେ ପୁନେ ଷ୍ଟେସନ୍ ଆସିଲା। ଉଭୟ ଖେଳରୁ ସାମୟିକ ବିରତି ନେଇ ପ୍ଲାଟଫର୍ମ ଉପରୁ ଘର ପାଇଁ କିଛି କିଛି ଭାକରଓ୍ବାଡି କିଣିଲେ ଆଉ ପୁଣି ଗାଡିରେ ଚଢି ଖେଳ ଆରମ୍ଭ କରି ଦେଲେ।

ସେପଟେ ମଞ୍ଜରୀ ଓ ଅନନ୍ଯା ଗପି ଗପି କମ୍ଫର୍ଟର ଘୋଡାଇ ଯାତ୍ରାର ଆନନ୍ଦ ନେଉ ଥାଆନ୍ତି। ମୋବାଇଲ୍ ଉଠାଇ ମନୋହର ସହ ଦୁଇ ପଦ କଥା ହେଲେ। “ତୁମର ତ ଚେସ୍ ଖେଳ ଚାଲିଥିବ, କେତେବେଳେ ଶୋଇବାକୁ ଆସିବ?”ପଚାରିଲେ ଅନନ୍ଯା। ମନୋହର ନାଗପୁରରୁ ବାପାଙ୍କ ପାଇଁ କିଛି କମଳା କିଣି ନିଜ ବର୍ଥରେ ଆସି ଶୋଇବେ, ତେଣୁ ତାଙ୍କୁ ଅପେକ୍ଷା ନ କରି ଶୋଇ ଯିବାକୁ କହିଲେ। କିଛି ସମୟ ପରେ ଉଭୟେ ନିଜ ବର୍ଥରେ ଶୋଇ ପଡିଲେ।

ନିରୋଳାରେ ଦୁଇ ବନ୍ଧୁ ଚେସ୍ ଖେଳର ମଜା ନେଲେ। ଦେଖୁ ଦେଖୁ ନାଗପୁର ଷ୍ଟେସନ୍ ର ଦୁଇ ନମ୍ବର ପ୍ଲାଟଫର୍ମରେ ମୁମ୍ବାଇ ହାଓଡା ଅପ୍ ଟ୍ରେନ୍ ଲାଗିଲା। ବିଜନ କୁ ଶୁଭ ରାତ୍ରୀ ଜଣାଇ  ମନୋହର ଦେଖିଲେ କମଳା ଟୋକେଇ ପ୍ଲାଟଫର୍ମରେ ମିଳୁନାହିଁ। କେହି ଜଣେ ଏକ ନମ୍ବର ପ୍ଲାଟଫର୍ମ ମୁହଁରେ ଚବିଶ ଘଣ୍ଟା ଭଲ କମଳା ଟୋକେଇ ମିଳୁଛି କହୁଥିଲେ ଓ ଏ କଥା ଶୁଣି ମନୋହର ବିଳମ୍ବ ନ କରି ସିଡି ଚଢି ବାହାରିଲେ କମଳା ସନ୍ଧାନରେ। ପ୍ଲାଟଫର୍ମ ମୁହଁରେ ଭରା କମଳା ଟୋକେଇ ଦେଖି ମନ ଖୁସି ହୋଇ ଗଲା। ମନୋହର ମୂଲଚାଲ କରି ଜଲଦି କୁଲି ହାତରେ ଭାରି କମଳା ଟୋକେଇ ଧରାଇ ଗାଡି ଆଡକୁ ଦୌଡି ଚାଲିଲେ। କୁଲି ମୁମ୍ବାଇ ହାଓଡା ମେଲ୍ ଜାଣି ଖୁବ୍ ତରତରରେ ଦୌଡି ଦେଖିବା ବେଳକୁ ଟ୍ରେନ୍ ଛାଡିବାକୁ ବାହାରିଲାଣି। କୁଲି ଟୋକେଇକୁ ସାମନା ବଗିରେ ପକାଇ ପାଉଣା ନେଇ ଚାଲିଗଲା। ଟ୍ରେନ୍ ଗଡିବା ଆରମ୍ଭ ହେଲାଣି। ଏବେ କମଳା ଟୋକେଇ ସହ ନିଜ ବଗି ଖୋଜିବା ସମ୍ଭବ ନୁହେଁ। ଚଳନ୍ତା ଗାଡିରେ ପାଦ ଥୋଇ ମନୋହର ଥକ୍କାରେ ବସି ପଡିଲେ। “ଓଃ ହୋ”, ଆଉ ଟିକେ ଡେରି ହୋଇଥିଲେ ଟ୍ରେନଟା ଚାଲିଯାଇ ଥାଆନ୍ତା। କେଉଁଠି ଟିକେ ବସି ଯାଇ, ଟିକେ ନିଶ୍ବାସ ନେଇ ପରେ କମଳା ଟୋକେଇ ଧରି ଅନନ୍ଯା ବଗି ଖୋଜିବେ ବୋଲି ସ୍ଥିର କଲେ।

ବେଶ୍ କିଛି ସମୟ ଗଲା। ପାଖ ଯାତ୍ରୀ ଜଣକ କମଳା କେତେ ଦେଇ କିଣିଲେ ବୋଲି ପ୍ରଶ୍ନ କଲେ ଏବଂ ମନୋହର ସହ ରାଜି ହେଲେ ଯେ ସ୍ବାଦରେ ନାଗପୁର କମଳାର ଜବାବ୍ ନାହିଁ। ଯାତ୍ରୀଜଣକ ତାଙ୍କ ବର୍ଥ କେଉଁଠି ଅଛି ପଚାରିବାରୁ ମୋର ଅନ୍ୟ ଏକ ବଗିରେ ସ୍ତ୍ରୀ ଓ ଶାଶୁମାଙ୍କ ସହ ବର୍ଥ ଅଛି ଓ ଟିକେ ଥକ୍କା ମାରି ସେ ଯିବେ ବୋଲି କହିଲେ। 

ସହଯାତ୍ରୀ ଜଣକ ପାଣି ବୋତଲ ମନୋହରକୁ ବଢାଇଲେ। ଦୁଇ ଢୋକ ପାଣି ପିଇ ମନୋହର ମଧ୍ଯ ସହଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ଯସ୍ଥଳ କେଉଁଠି ପଚାରିବାରୁ ସେ ମୁମ୍ବାଇ ଯାଉଛନ୍ତି ବୋଲି କହିଲେ। 

ମନୋହରଙ୍କର ପାଦ ତଳୁ ପୃଥିବୀଟା ଖସି ଗଲା ପରି ଲାଗିଲା। ଗଳାର ଦି ଢୋକ ପାଣି ଯେମିତି ତାଙ୍କ ତଣ୍ଟିରେ ଲାଗି ଗଲା ଓ କାନ ଦିଇଟା ତାବଦା ତାବଦା tଲାଗିଲା।ପାଣି ବୋତଲ ଫେରାଇ ଦେଇ ମନୋହର ମନେ ପକାଇଲେ ସେ ନିଜେ ନାଗପୁରରେ ଟ୍ରେନ୍ ଉପରେ ମୁମ୍ବାଇ- ହାଓଡା ମେଲ୍ ପଢିଛନ୍ତି। କୁଲି ବି ପଚାରି, ବୁଝି, ମୁମ୍ବାଇ ମେଲ୍ ଗାଡିରେ ଟୋକେଇ ରଖିଲା। 

ମନୋହର ଏବେ ଜାଣିଲେ ହାଓଡା ମୁମ୍ବାଇ ଅପ୍ ଓ ଡାଉନ୍ ଟ୍ରେନ୍ ଦୁଇଟି ନାଗପୁରରେ ଭଭୟ ପାଖାପାଖି ଏକ ସମୟରେ ପରସ୍ପରକୁ ଅତିକ୍ରମ କରିଛନ୍ତି। ସେ ନାଗପୁରରେ କମଳା କିଣି ଆସିବା ବେଳକୁ ତାଙ୍କ ହାଓଡା ଅଭିମୁଖେ ଟ୍ରେନଟି ଠିକ୍ ସମୟରେ ଚାଲି ଯାଇଛି ଯେଉଁ ଗାଡିରେ ଶାଶୁମା, ଅନନ୍ଯା ଓ ବିଜନ ମନୋହରର ବିପରୀତ ଦିଗରେ ଯାଉଛନ୍ତି। ସେତେବେଳକୁ ତିନି ନମ୍ବର ପ୍ଲାଟଫର୍ମରେ ମୁମ୍ବାଇ ଆଡକୁ ହାଓଡାରୁ ମେଲ୍ ଟ୍ରେନଟି ଆସି ପହଞ୍ଚିଥିବ। କୁଲି ତେଣୁ ତାକୁ ମୁମ୍ବାଇ ହାଓଡା ମେଲ୍ ଦେଖି ସେହି ଟ୍ରେନ୍ ରେ ଚଢାଇ ଦେଇଛି। ସେ ନିଜେ ମଧ୍ଯ କେବଳ ଟ୍ରେନ୍ ର ନାମ ଦେଖି ଚଢି ଯାଇଛି। ପ୍ଲାଟଫର୍ମ ନମ୍ବର ଆଡକୁ ଧ୍ଯାନ ନ ଦେଇ ସେ ନିଜ ଟ୍ରେନ୍ ଭାବି ଚଢି ଯାଇଛି। ଏବେ ରାତି ଅଧ ହେବ, ସେ କଣ କରିବ ବୁଦ୍ଧି ଦିଶିଲା ନାହିଁ। ଶାଶୁମା, ଅନନ୍ଯା ତାକୁ ନଦେଖି ଏବେ କଣ କରିବେ? ସେ ଚେନ୍ ଟାଣି ଗାଡି ଅଟକାଇଲେ କିଛି ଲାଭ ହେବ ନାହିଁ। 

ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଠାରୁ ମନୋହର ଆହୁରି ଆହୁରି ଦୂରେଇ ଯାଉଛି। କିଛି ଗୋଟାଏ କରିବାକୁ ହେବ। କିନ୍ତୁ ଏବେ ମୋବାଇଲରେ ଅନନ୍ଯାକୁ ଫୋନ୍ କଲେ ସେମାନେ ବ୍ଯସ୍ତ ହେବେ। ସେ କଣ କରିବ ଚିନ୍ତା କରି ଶେଷରେ ରମାକାନ୍ତବାବୁ ଙ୍କୁ ଫୋନ୍ କରି ସବୁ କିଛି ଜଣାଇବା ଠିକ୍ ହେବ ଭାବି ଫୋନ୍ ଲଗାଇଲା।

“ହଁ, କଣ ହେଲା ମନୋହର,ତୁମେ ଆସୁଛ ଓ ଟ୍ରେନ୍ ରେ ବସିଛ ବୋଲି ମଞ୍ଜରୀ ଜଣାଇଛି। ଆଉ କଣ କହୁଛ?”ପଚାରିଲେ ରମାକାନ୍ତ। 

“ନାଇଁ ମୁଁ ଆସୁ ନାହିଁ, ଗୋଟେ ଛୋଟ ପ୍ରୋବ୍ଲେମ ହୋଇ ଯାଇଛି।”

“ଆସୁ ନାହଁ? ଛୋଟ ପ୍ରୋବ୍ଲେମ୍? କଣ ସବୁ କହୁଛ?

“ନାଇଁ ବଡ ଅସୁବିଧା, ମାନେ ଗଡବଡ ହୋଇଗଲା।” କହିଲେ ମନୋହର।

“କେତେ ବେଳେ କହୁଛ, ଛୋଟ ପ୍ରୋବ୍ଲେମ, କେତେ ବେଳେ କହୁଛ ବଡ ଗଡବଡ, କଥା କଣ ଖୋଲି କୁହ? କିଛି ଅଘଟଣ ହେଲା କି?”

ମନୋହର ଠାରୁ ସବୁ କିଛି ଶୁଣିବା ପରେ ସେ ରାଉରକେଲା ଷ୍ଟେସନ୍ ରୁ ଆସି ସେମାନଙ୍କୁ ନେଇ ଯିବାକୁ ରାଜି ହେଲେ। 

ସେତେ ବେଳକୁ ଅନନ୍ଯା ଓ ମଞ୍ଜରୀ ଉଠି ମନୋହରକୁ ନ ଦେଖି, ବ୍ଯସ୍ତ ହୋଇ ତାକୁ ଫୋନ୍ କଲା ବେଳକୁ ତାଙ୍କ ଫୋନ ଲାଗୁ ନଥାଏ। ସେମାନେ ବିଜନକୁ ଫୋନ୍ କରିବାରୁ ସେ ନାଗପୁର ଷ୍ଟେସନରୁ ଓହ୍ଲାଇ ତା ବଗିକୁ ପ୍ରାୟ ଅଧ ଘଣ୍ଟା ହେଲା ଗଲାଣି ବୋଲି ବିଜନ କହିଲେ। ଏ କଥା ଶୁଣିବା ମାତ୍ରେ ମଞ୍ଜରୀ କହିବାକୁ ଲାଗିଲେ ମୁଁ କଣ କହୁଥିଲି ସେମାନେ ଖେଳ ବାହାନାରେ ପିଆ ପିଇ କରିଥିବେ ଓ ମନୋହର ନିଜ ବଗି ଖୋଜି ପାଉ ନ ଥିବେ।ଠିକ୍ ଏହି ସମୟରେ ମନୋହରର ଫୋନ୍ ଆସିଲା। ସେ ସବୁ କଥା ଅନନ୍ଯା ଓ ମଞ୍ଜରୀଙ୍କୁ ଜଣାଇଲା। ମନୋହର ଟିକେଟ ଅନନ୍ଯା ମୋବାଇଲରେ ଅଛି ଓ ଦରକାର ହେଲେ ଟିଟି ଇ କୁ ଦେଖାଇବା ପାଇଁ ଅନନ୍ଯାକୁ କହିଲା। ଠିକ୍ ହେଲା ସେମାନେ ରାଉରକେଲା ଷ୍ଟେସନ୍ ରେ ଓହ୍ଲାଇ ରମାକାନ୍ତଙ୍କ ସହିତ ଘରକୁ ଯାଇ ଅପେକ୍ଷା କରିବେ ଓ ସେ ଆଗ ଷ୍ଟେସନ୍ ରେ ଓହ୍ଲାଇ ପରବର୍ତ୍ତୀ କୌଣସି ଟ୍ରେନ୍ ନେଇ ଆସି ରାଉରକେଲା ପହଞ୍ଚିବ।


Rate this content
Log in

Similar oriya story from Comedy