STORYMIRROR

Ashok Kumar Mishra

Abstract

4.8  

Ashok Kumar Mishra

Abstract

ଅପହଂଚ ଦୂରତା

ଅପହଂଚ ଦୂରତା

7 mins
457


ଆଜିର ସକାଳଟା କେମିତି ଟିକିଏ ନିଆରା, ଅଲଗା ଅଲଗା ଲାଗୁଛି। ଅନେକ ଦିନ ହେଲା ନିଜ ଅଜାଣତରେ, ସମୟ ସୁଅରେ ଜୀବନ ରଂଗ କିଛିଟା ଫିକା ପଡି ଯାଇଥିଲା। ସଫା ଆକାଶରେ କିଛି ତୁଳାଭିଣା ମେଘ, ଆଉ ତା ଉପରେ ନାଲି ବରକୋଳିଆ ସୂର୍ଯ୍ଯର ସୁନେଲୀ ଆଭା- ଖୁବ୍ ଉଷ୍ମ ଉତ୍ସାହଭରା। ନୀଢ ଛାଡି ଉଡିବାକୁ ତତ୍ପର ପକ୍ଷୀ ମାନଂକର କିଚିରିମିଚିରି ଶବ୍ଦ ଆଜି ଭାରି ମିଠା ଲାଗୁଥିଲା ସୁରମାକୁ। ଶୁଆ, ସାରୀ, ହଳଦୀବସନ୍ତ, ଭଦଭଦଳିଆ, କଜଳପାତି, ମାଛରଂକା ସମସ୍ତେ ଆସି ମୁହଁ ଦେଖାଇ ଉଡି ଗଲେଣି। ବିଛଣାରେ ପଡିରହି ୟୁଟ୍ଯୁବ୍ ରୁ ଫୁଲ୍ ଭଲ୍ଯୁମ୍ ଦେଇ ଭଜନ ଶୁଣୁ ଶୁଣୁ ଢୋଳାଇ ପଡିବା ଲୋକ ହେଲେ ପତି ଦେବ ରମାକାନ୍ତ। ହେଲେ ଆଜି ସେ ମଧ୍ଯ ବଡି ସକାଳୁ ବିଛଣା ଛାଡି ଏପଟ ସେପଟ କେଉଁଠି କଣ ଖୋଜିବାରେ ବ୍ଯସ୍ତ। ଏଣେ ବଡି ଭୋର୍ ଘର ପୋଖରୀରୁ ଜାଲୁଆ ଅନାଦି ମାଛ ଧରିବ କହି ଏ ପର୍ଯ୍ୟନ୍ତ ଦେଖା ନାହିଁ। ରମାକାନ୍ତଂକର ସେ ଚିନ୍ତା ନାହିଁ। ଘର ସାରା ବୁଲି ବୁଲି କଣ ଗୋଟିଏ ଖୋଜୁଥାନ୍ତି। କୁଆଟିଏ ଘର ଉପର ପାଣି ଟାଂକିର ଡ୍ରେନ୍ ପାଇପ୍ ଉପରେ ବସି ରାବି ଚାଲିଛି। ତାକୁ କେମିତି ଖବର ହେଲା କେଜାଣି ପୁଅ, ବୋହୁ ଆଉ ନାତିଆ ତିନି ବର୍ଷ ପରେ ଘରକୁ ଆସୁଛନ୍ତି ବୋଲି।    “ହେଇଟି ଶୁଣୁଚ, ସେ ଅନାଦି ଟାକୁ ଟିକେ ଫୋନ୍ କଲ। ସମୟଜ୍ଞାନ ନାହିଁ ଲୋକଟାର। “ତୁମେ ଅଯଥା ବ୍ଯସ୍ତ ହେଉଛ, ସେ ଠିକ୍ ସମୟରେ ଆସିବ। ତା ଛଡା ତ ଦେଖୁଛ ମୁଁ ବ୍ଯସ୍ତ ଅଛି।”                  

“ସକାଳୁ ଉଠି ପଡି ଏପଟ ସେପଟ ହେଉଛ। କଣ ଖୋଜୁଛ ମୋତେ କହୁନ? ଦେଖୁ ଦେଖୁ ପୁଅ ଅବିନାଶ ବୋହୁ ସ୍ମୃତି ଓ ନାତିଆ ଓଁକାର କୁ ନେଇ ସଂଜ ସୁଦ୍ଧା ଘରେ ପହଂଚିବେ। ତୁମର ଆଜି କଣ ଏମିତି ଖୋଜିବାକୁ ବାକି ଥିଲା ଯେ? ପିଲାମାନେ ଏତେ ଦିନ ପରେ ଘରକୁ ଆସୁଛନ୍ତି ଆଉ ତୁମେ ଅଯଥା କାମରେ ବ୍ୟସ୍ତ।”                      

ରମାକାନ୍ତ କହିଲେ ଅନାଦିକୁ ମୁଁ ଫୋନ୍ କରି ଜଲଦି ଆସିବାକୁ କହିଦେବି।ସେ ପାଇଁ ଚିନ୍ତା ନ କରି ତୁମେ ତୁମ କାମ କର। ମୁଁ ଯେଉଁଠି ଯାହା ରଖୁଛି ତୁମେ ମୋତେ ନଜଣାଇ ଏପଟ ସେପଟ କରୁଛ ବୋଲି କିଛି ଖୋଜିଲେ ଆବଶ୍ୟକ ସମୟରେ ମିଳୁ ନାହିଁ। ଅବିନାଶ ର ପିଲାଦିନର ସାଇକେଲଟା ମରାମତି କରାଇ ଘୋଡାଇ ଏଇଠି ରଖିଥିଲି କେଉଁଠି ରହିଲା ଦେଖିଛକି?                

ଅବିନାଶ ସେ ସାଇକେଲଟା ଭାରି ପସନ୍ଦ କରେ। ସାଇକେଲ ଚଢିବା ସେଇଥିରେ ଶିଖିଥିଲା। ଘରକୁ ଆସିଲେ ଅବିନାଶ ଓ ସ୍ମୃତି ତ ତାଂକ ଲାପ୍ ଟପ୍ ଧରି ବସିବେ। ଓଁକାର କୁ ମୁଁ ଏଥର ସାଇକେଲ ଶିଖାଇ ଦେବି। “ତମର ଯେଉଁ କଥା? ସେଇ ପୁରୁଣା ସାଇକେଲ୍ ଟା କଣ ତାର ପସନ୍ଦ ହେବ?”ସେଟା କେତେ ଦିନ ହେଲା ଷ୍ଟୋର୍ ଘରେ ଚାଉଳ ବସ୍ତା ଉପରେ ଘୋଡା ହୋଇ ଥୁଆ ହୋଇଛି।                   

ରମାକାନ୍ତ ମନେ ପକାଇଲେ ପିଲାବେଳେ ଏଇ ଛୋଟ ଦିଚକିଆ ସାଇକେଲଟା କିଣି ଦେବା ପାଇଁ ଅବିନାଶ କେତେ ଜିଦ୍ କରିଥିଲା। ତାଂକ କିରାଣି ଚାକିରୀ ଦରମା ଗଣ୍ଡାକ ମାସ ଶେଷ ଯାଏଁ କଷ୍ଟେମଷ୍ଟେ ଚଳିଯାଏ। ଖୋଲାଖର୍ଚ୍ଚ ପାଇଁ ସବୁବେଳେ ନିଅଣ୍ଟ। ପଡୋଶୀ ବଡବାବୁ ତାଂକ ପୁଅ ମଣ୍ଟୁ ପାଇଁ ଯେମିତି ଛୋଟ ଦିଚକିଆ ସ୍ପୋର୍ଟସ ସାଇକେଲ କଲିକତାରୁ ଆଣି ଦେଇଛନ୍ତି ମୋର ଅବିକଳ ସେହି ସାଇକେଲ ଦରକାର ବୋଲି ଅବି ଜିଦ୍ କରେ। ରମାକାନ୍ତ ଆଗ ମାସ ଦରମା ମିଳୁ, ଇନ୍କ୍ରିମେଣ୍ଟ ମିଳୁ, ତୋର ଜନ୍ମଦିନ ଆସୁ, ଟିକେ ବଡ ହୋଇଯା ଏମିତି ବାହାନା କରି ଗଡାଇ ଚାଲିଥାନ୍ତି। ଅବି ପ୍ରତିଦିନ ଅଫିସ୍ ରୁ ଆସିଲେ ମୋ ସାଇକେଲ ଆଣିଛ କି ନାହିଁ ପଚାରିବ ଆଉ ମନ ମାରି ବସିବ। ଶେଷରେ ଅବି ର ମନ ରଖିବା ପାଇଁ ହାତ ଉଧାରି କରି ସାଇକେଲ ଟାଟାରୁ ମଗାଇ ଥିଲେ।                    ସକାଳ ସଂଜ ରମାକାନ୍ତଂକୁ ଫୁରୁସତ୍ ମିଳିଲେ ଅବି ଜିଦ୍ କରି ପାଖ ପଡିଆକୁ ସାଇକେଲ ଶିଖିବାକୁ ନେଇ ଯାଏ। ଅବି ର ଗୋଡ ପାଏ ନାହିଁ। ସାଇକେଲ ପଛେ ପଛେ ବାପା ଦଉଡି ଦଉଡି ଧରିଲେ ଅବି ଖଣ୍ଡି ପେଡାଲ ମାରି ସାଇକେଲ ଚଲାଏ। ମଝିରେ ମଝିରେ ଅବି ପଛକୁ ବୁଲି ବାପା ଅଛନ୍ତି କି ନାହିଁ ଦେଖୁଥାଏ ଆଉ ରମାକାନ୍ତ କେବେ କେବେ ହାତ ଛାଡି ଅବି ର ପରୀକ୍ଷା ନେଉଥାନ୍ତି।ଶିଖି ଯିବା ପରେ ଅବି ସାଇକେଲ ପାଖ ଛାଡେନାହିଁ। କିନ୍ତୁ ଦେଖୁ ଦେଖୁ ପାଠପଢା ଚାପରେ ସାଇକେଲ ର ମୋହ ତୁଟିଲା। ସ୍କୁଲ୍, ଟ୍ଯୁସନ୍, କୋଚିଂ ର ବୋଝ ବଢିବା ବେଳକୁ ସାଇକେଲଟା ଅବି ପାଇଁ ଆହୁରି ଛୋଟ ହୋଇଗଲା।         

ରମାକାନ୍ତ ମନେ ମନେ ଅନ୍ଯମନସ୍କ ହୋଇ ମନେ ପକାଇଲେ କାଲି ଭଳି ଲାଗୁଛି। ଅବିନାଶ ସତରେ କେତେ ଜଲଦି ବଡ ହୋଇଗଲା। ନିଜେ ସେ ଆକଟ କରି ଭଲ ପଢିବା ନିଶାରେ ପିଲାଟାକୁ କୋଚିଂ ଓ ଟ୍ଯୁସନ ବୋଝରେ ପ୍ରତିଯୋଗିତାର ପଂକ ଭିତରକୁ ଠେଲିଦେଲେ ଯେ ପିଲାଟା କୁ ସେହି ଦୌଡରୁ ଫୁରୁସତ ମିଳିଲା ନାହିଁ। ସାଇକେଲ ଅଳ୍ପ ଦିନପରେ ସେବେଠାରୁ ଘୋଡା ହୋଇ ଏଠି ସେଠି ପଡୁଛି।            

ମଧ୍ଯବିତ୍ତ ପରିବାର ର ମା ବାପାଂକ ସ୍ବପ୍ନ ଭିତରେ କେତେ ପିଲାଂକର ପିଲାବେଳ ଏମିତି ହଜି ଯାଇଛି। ଅବିନାଶ ର ପଢାପଢି ପାଇଁ ରମାକାନ୍ତ କି ସୁରମା ସବୁକିଛି ତ୍ୟାଗ କରି ଦେଇଛନ୍ତି। କୌଣସିଥିରେ ଅବିର କମି କରି ନାହାନ୍ତି। ଆଇ ଆଇ ଟି କୋଚିଂ ପାଇଁ ରାଜସ୍ଥାନର କୋଟା ରେ ପୁଅ ସହ ସୁରମା ଯାଇ ଦୁଇ ବର୍ଷ ରହିଲେ। ଅବିନାଶ ମଧ୍ଯ ନିରାଶ କରିନାହିଁ। ସ୍କୁଲ ର ଟପର ହେବା ସଂଗେସଂଗେ ରାଜ୍ଯସ୍ତରରେ ମଧ୍ଯ ଭଲ ପୋଜିସନ୍ ରଖିଛି ଓ ଆଇ ଆଇଟି ବମ୍ବେ ଏବଂ ଆଇ ଆଇ ଏମ୍ ବାଂଗାଲୋରରୁ ପାଶ୍ କରି ଟେକ୍ସାସରେ ଏକ ଆମେରିକାନ କମ୍ପାନୀ ରେ ଯୋଗ ଦେଇଛି। ଅବିନାଶର କୃତିତ୍ବ ବଖାଣି ବସିଲେ ସୁରମା ଓ ରମାକାନ୍ତଂକ ଛାତି କୁଣ୍ଢେମୋଟ ହୋଇଯାଏ। ଅବିନାଶ ବାହାରେ ରହି ପାଠ ପଢିବା ବେଳରୁ ଘରେ ସେମାନେ ଏକା। କିନ୍ତୁ ଏବେ ଉଭୟ ବୟସ ବଢିବା ସଂଗେ ସଂଗେ ଦୁର୍ବଳ ହେଲେଣି। ସୁରମା ସବୁବେଳେ ମନେ ମନେ ଅବିନାଶକୁ ଖୋଜନ୍ତି। ଲୁଚି କରି ଲୁହ ଗଡାନ୍ତି। ରମାକାନ୍ତ ଓଁକାରକୁ ଝୁରି ହୁଅନ୍ତି। ପିଲାଟା ପାଖରେ ଥିଲେ କେତେ ବେଳେ ମନ ହେଲେ ଦେଖି ଆସନ୍ତେ। ଭିସା ତ ସହଜରେ ମିଳେ ନାହିଁ। ମନ ମାରି ଚୁପ୍ ରହନ୍ତି।  ସ୍ମୃତିକୁ ନିଜେ ପସନ୍ଦ କରି ବାହା ହୋଇଛି ଅବିନାଶ। ସ୍ମୃତିର ଆମେରିକା ପସନ୍ଦ, ଏ ଘର ମନ ମାନେ ନାହିଁ। କେବେ ଆସିଲେ ବାପ ଘରେ ଦିଲ୍ଲୀରେ ରହେ। ସେ କ୍ବଚିତ୍ ଏ ଘରକୁ ଆସିଛି। ବିବାହ ପରେ ଆମେରିକା ଯାଇ ଏମ୍ ବି ଏ କରି ସ

େଇଠି ଚାକିରୀ କରୁଛି। ପ୍ରଥମେ ତ ପାଠପଢା ବାହାନାରେ ସେଇଠି ରହିଲା। ଆଉ ଏବେ କାମର ବୋଝ, ତା ସାଂଗକୁ ଓଁକାର କଥା ବୁଝିବାକୁ ପଡୁଛି। ଅବିନାଶ ଆମେରିକା ଡାକୁଛି। ସ୍ମୃତିର ଡାଡି ମମୀ ଆସି ଏତେ ସମୟ ରହୁଛନ୍ତି, ତୁମର କଣ ଅସୁବିଧା ହେଉଛି ବୋଲି ପଚାରେ।      

                

ବିବାହ ପର ଠାରୁ ଗତ ସାତ ବର୍ଷ ଭିତରେ ଦୁଇ ଥର ଅବିନାଶ ଘରକୁ ଆସିଛି। ଘରେ ମୁହଁ ମାରି ଶ୍ବଶୁର ଘରେ ରହି ସେଇଠୁ କର୍ମକ୍ଷେତ୍ରକୁ ଉଡିଯାଏ। ସୁରମା ମନ ଊଣା କରନ୍ତି, ଆଖିରୁ ଲୁହ ଗଡାନ୍ତି। ବଡ ଚାକିରୀ ର ସ୍ବପ୍ନ ଦେଖାଇ ପିଲାଟାକୁ ମୋ ଠାରୁ ଦୂରେଇ ଦେଲ ବୋଲି ଦୋଷ ଦିଅନ୍ତି। ଅବିନାଶ କହେ ଆଜିକାଲି ର ପ୍ରତିଯୋଗିତାର ଘୋଡାଦୌଡରେ ତିଷ୍ଠିବାକୁ ହେଲେ ଅନେକ ପରିଶ୍ରମ ଓ ତ୍ଯାଗର ଆବଶ୍ଯକତା ରହିଛି। ଛୁଟି, ଅବସର, ପରିବାର ପାଇଁ ଫୁରୁସତ୍ କେଉଁଠି ମିଳୁଛି? ରମାକାନ୍ତ ଅବିନାଶକୁ ବୁଝାଇ ଲେଖିଥିଲେ ଜୀବନ ଦଉଡ ରେ ଉତ୍କର୍ଷତା ଲାଭ କରିବା ପାଇଁ ଚେଷ୍ଟା କଲା ବେଳେ ଦୁଇପଟକୁ ଚାହିଁ ଦେଖ ତୁମ ପ୍ରିୟଜନ ମାନଂକ ମୁହଁ ଦେଖିପାରୁଛତ? ନା ତୁମେ ସେମାନଂକଠାରୁ ଏତେ ଦୂରକୁ ଚାଲି ଯାଉଛ ଯେଉଁଠି ସେମାନଂକ ମୁହଁ ଝାପ୍ସା ଦେଖାଯାଉଛି। ଚାଉଳ ବସ୍ତା ଉପରୁ ସାଇକେଲ ଟା ଓହ୍ଲାଇ ଝଡାଝଡି କରି ଚେନ୍ ରେ ତେଲ ଦେଇ ପୋଛାପୋଛି କରି ସାରି ରମାକାନ୍ତ ତୃପ୍ତିର ନିଶ୍ବାସ ମାରି ପଚାରିଲେ ଏବେ ଦେଖିଲ ଆମ ଓଁକାର ର ପସନ୍ଦ ହେବ କି ନାହିଁ।   “ଭଗବାନ କରନ୍ତୁ ଛୁଆଟା ଆସିଯାଉ। ମୋର ଘରଟା ପୁରି ଉଠିବ, ଘରଟା ଘର ଭଳି ଲାଗିବ। ସାଇକେଲ ରେ ନ ବସିଲେ କାନ୍ଧରେ ବସି ବୁଲାଇବ।” ଏକା ନିଶ୍ବାସରେ କହିଗଲେ ସୁରମା।ତିନି ବର୍ଷ ତଳେ ଯେବେ ଅବିନାଶ ଆସିଥିଲା ଓଁକାର ର ଜନ୍ମ ଦିନଟା ଘରେ ପାଳିବେ ବୋଲି ସୁରମା ଓ ରମାକାନ୍ତ ଭାରି ମନ କରିଥିଲେ। କିନ୍ତୁ ସ୍ମୃତି ର ଏକା ଜିଦ୍ ଓଁକାର ର ଜନ୍ମଦିନ ଦିଲ୍ଲୀରେ ପାଳିବେ କହି ପିଲାଟାକୁ ନେଇ ଚାଲିଗଲେ। ଆଉ ସେପଟେ ଦିଲ୍ଲୀରେ ବରଂ ଦୁଇ ସପ୍ତାହ ରହିଲେ କିନ୍ତୁ ଘରେ ଦୁଇଦିନ ରହି ଜନ୍ମଦିନ ପାଳିସାରି ଯିବାକୁ ଇଚ୍ଛା ହେଲାନି।               

 ଦୁଇ ବର୍ଷ ତଳେ ସିଂଗାପୁରରେ କମ୍ପାନୀ କାମରେ ଅବିନାଶ ଆସିଲା ଦିଲ୍ଲୀ ଦେଇ ଗଲା କିନ୍ତୁ ଘରେ ବାପ ମାଆଂକୁ ଟିକେ ଆସି ଦେଖିଯିବାକୁ ମନ ହେଲାନି। ରମାକାନ୍ତ ପରେ ଜାଣି ମନ ଊଣା କଲେ। ସୁରମାର ମନ କଷ୍ଟ ହେବ ବୋଲି କଥାଟା ଲୁଚାଇ ରଖିଲେ। ଆଉ ତା ପରେ ଏ କୋରୋନାଟା କେଉଁଠୁ ଆସିଲା ମନ ମାରି ଘରେ ରହିବାକୁ ହେଲା। ଅବିନାଶକୁ ପଚାରିଲେ “କୋରୋନାର ପ୍ରକୋପ ତ ଦେଖୁଛ, ଲୋକ କେମିତି ପୋକ ମାଛି ପରି ମରୁଛନ୍ତି ଟିଭିରୁ ଦେଖୁଥିବ। ଘରେ ସତର୍କରେ ରହିବ। ସୁବିଧା ହେଲେ, ଅବସ୍ଥା ସୁଧାରିଲେ ମୁଁ ଭାରତ ଆସିବି ବୋଲି କହେ।”କୋରୋନା ପରିସ୍ଥିତି ପ୍ରଥମ ଲହର ପରେ ଏବେ କୋରୋନା ପରେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଅନେକ ଭାରତୀୟ ଫେରିବାକୁ ଅସୁବିଧା ଭୋଗୁଛନ୍ତି ଓ ଚାକିରୀ ହରାଉଛନ୍ତି, ଉଡାଣ ବନ୍ଦ ରହିଛି, ପୁଣି କୋରୋନା ର ଦ୍ବିତୀୟ ଲହର, କୋରୋନା କଟକଣା,ସଂଗରୋଧ ସମସ୍ୟା ଏସବୁ ଅବିର ଆସିବାରେ ବାଧକ ସାଜିଲା।           

ସୁରମା ପଚାରନ୍ତି ପିଲାମାନଂକୁ ଆମେରିକାରେ କୋରୋନା ହେଲେ କିମ୍ବା ଆମମାନଂକୁ ଏଇଠି କୋରୋନା ହେଲେ ଅଲଗା ରହି ଆମେ କଣ କରିପାରିବା। କୋରୋନା ଡରରେ ଏତେ ପ୍ରବାସୀ ଶ୍ରମିକ ସୁରାଟ୍, ମୁମ୍ବାଇ, ଅହମଦାବାଦ, ଦିଲ୍ଲୀରୁ ଘରକୁ ଫେରି ଆସୁଛନ୍ତି ପରିବାର ସହ ରହିବାପାଇଁ, ଆମ ଅବିଟା ସ୍ତ୍ରୀ ପିଲାଂକୁ ଧରି ଆସୁନି କାହିଁକି। ସୁରମାଂକୁ ବୁଝାନ୍ତି ରମାକାନ୍ତ ସେମାନଂକ କଥା ଅଲଗା, ତୁମେ ବୁଝିବ ନାହିଁ। ସେମାନେ ଦୂରରେ ଥାଇ ସେଇଠି ନିରାପଦ ରୁହନ୍ତୁ।                ୟା ଭିତରେ ଅନାଦି ଜାଲୁଆ ଆସି ମାଛ ଧରି ଦେଇ ଗଲା। ସୁରମା ଆଗ ଭଳି ବ୍ଯସ୍ତ ରହିଲେ। ସୂର୍ଯ୍ଯ ମୁଣ୍ଡ ଉପରକୁ ଉଠିଲେ। “ହେଇଟି ଶୁଣୁଛ, ଅବିନାଶ ର ବିମାନ ଆସି ଦିଲ୍ଲୀ ରେ ପହଁଚିଲାକି ନାହିଁ ବୁଝିଲ।”    ଅବିନାଶ ର ମୋବାଇଲ୍ ଏବେ ବିମାନ ମୋଡରେ ବନ୍ଦ ଥିବ। ସେମାନେ ଦିନ ତିନିଟାରେ ଦିଲ୍ଲୀ ବିମାନ ବନ୍ଦରରେ ପହଂଚିବେ। ଅବିନାଶ ପହଂଚି ଫୋନ୍ କରିବ କହିଛି। ତୁମେ ଏମିତି ଛଟପଟ ହେଲେ କଣ ବିମାନ ର ଗତି ବଢିଯିବ? ଏବେ ତ ଗୋଟାଏ ବାଜିଛି।                ରମାକାନ୍ତଂକ ମନରେ ଆଶଂକା ଘାରିଲା। ତାର ଲଣ୍ଡନରେ ଛଅ ଘଣ୍ଟା ଷ୍ଟପ୍ଓଭର ଥିଲା। ଟେକ୍ ଅଫ୍ କରିବା ପୂର୍ବରୁ କାହିଁ ଅବିନାଶ ଫୋନ୍ କରି ଜଣାଇଲା ନାହିଁ। କାଲି ନ୍ଯୁଜ୍ ରେ ଲଣ୍ଡନରେ ମଂକିପକ୍ସର ପ୍ରକୋପ ବଢିଛି ବୋଲି ଶୁଣିଥିଲେ। କିଛି ଅସୁବିଧା ହେଲା କି? ମନ ଆଉ କେଉଁଠି ଲାଗିଲା ନାହିଁ। ଏତେଦିନ ପରେ ଘରକୁ ଆସୁଥିଲେ। ଅବି ଫୋନ୍ କରି କିଛି ଜଣାଇଲାନି। ଯଦି କୌଣସି କାରଣରୁ ଉଡାଣ ବାତିଲ୍ ହେଲା କଣ କହି ସେ ସୁରମାକୁ ବୁଝାଇବେ। ପିଲାମାନେ ଘରକୁ ଆସିବେ ବୋଲି ଏତେ ବର୍ଷ ପରେ ତାଂକ ମୁହଁରେ ଟିକିଏ ହସ ଦେଖିବାକୁ ମିଳିଥିଲା। ବିଚରା ପୁରା ଭାଂଗି ପଡିବ। କଣ କରିବେ ବୁଦ୍ଧି ଦିଶିଲା ନାହିଁ ରମାକାନ୍ତଂକୁ। ଘର ବାହାର ଏପଟ ସେପଟ ହେଉଥାନ୍ତି। ମନେ ମନେ ଜଗନ୍ନାଥଂକୁ ସୁମରଣା କରୁଥାନ୍ତି। ୟା ଭିତରେ ଦୁଇ ତିନି ଘଣ୍ଟା ବିତିଗଲାଣି। ରମାକାନ୍ତଂକ ମୁହଁରୁ ସବୁ ଖୁସି କୁଆଡେ ଉଭାଇ ଗଲା। ଗୋଟିଏ ଗୋଟିଏ ମିନିଟ୍ ଏବେ ଦିନଟେ ଭଳି ଲାଗୁଛି। ଘଣ୍ଟାଏ ପୂର୍ବରୁ ଅବିନାଶ ଆସି ଦିଲ୍ଲୀ ପହଂଚିବା କଥା। ପହଂଚି ସାରି ସେ ଫୋନ୍ କଲାନାହିଁ କାହିଁକି? କଣ ଉଡାଣ ବାତିଲ୍ ହୋଇଗଲା ନା କାହାରି ଦେହ ଖରାପ ହେଲା? ଆଶା ଆଶଂକା ଭିତରେ ଅଧୀର ହୋଇ ଅବିନାଶକୁ ଫୋନ୍ କରିବାକୁ ଡର ଲାଗିଲା। ଶେଷରେ ମନ ମାନିଲା ନାହିଁ ବ୍ଯସ୍ତ ହୋଇ ଅବିନାଶ କୁ ଫୋନ୍ ଲଗାଇଲେ। “ଫୋନ୍ ଅପହଂଚ ଦୂରତାରେ ଅଛି” ବୋଲି ବାରମ୍ବାର ସୂଚନା ମିଳିଲା। କିଛି ଖରାପ ଖବର ନ ମିଳୁ, ପିଲା ମାନେ ଭଲରେ ଆସି ପହଂଚନ୍ତୁ ବୋଲି ମନେ ମନେ କାଳିଆ ପାଖରେ ଗୁହାରି କଲେ। ସୁରମା ରମାକାନ୍ତଂକ ନୀରବତା ଦେଖି ଆସି ପାଖରେ ପହଂଚିଲେ। ରମାକାନ୍ତଂକ ମୁହଁ ଦେଖି କିଛି ଅଘଟଣର ଅନୁମାନ କରି ଖଟ ଉପରେ ଲଥ୍ କରି ବସି ପଡିଲେ। ଓଁକାର କୁ ଦେଖିବା ଭାଗ୍ୟରେ ନାହିଁ ବୋଲି ମନେ ମନେ ଧରି ନେଲେ। ଆଉ ଠିକ୍ ଏହି ସମୟରେ ସବୁ ଆଶା ଆଶଂକାର ପରିସମାପ୍ତି ଘଟାଇ ଗୋଟିଏ କାର୍ ଆସି ଗେଟ୍ ପାଖରେ ବ୍ରେକ୍ ଦେଲା।ଗେଟ୍ ଖୋଲି ଅବି, ସ୍ମୃତି ଆଉ ଓଁକାର ଦଉଡି ଆସିଲେ। ପିଲାଟା ସିଧା ଆସି ସୁରମାଂକ ଗଳାରେ ଓହଳି ପଡିଲା। ଅବି ଓ ସ୍ମୃତି ପ୍ରଣାମ କରି କହିଲେ “ ଲଣ୍ଡନରେ ମଂକିପକ୍ସ ଯୋଗୁ ଫ୍ଲାଇଟ୍ ଲଣ୍ଡନ ନ ଯାଇ ଦୁବାଇ ଦେଇ କଲିକତା ଆସିଲା। କଲିକତାରୁ ସିଧା ଟାକ୍ସି କରି ଆସିଗଲୁ।“         


Rate this content
Log in

Similar oriya story from Abstract