ରକ୍ତଛିଟା
ରକ୍ତଛିଟା


ଅନେକ ଦିନ ହେଲାଣି ରାମସେବକ ଗୋଟିଏ କଥା ପଚାରିବ ବୋଲି ସାହସ କରି ପାରୁ ନାହିଁ। କେତେଥର ଏକୁଟିଆ ପାଇ ପଚାରିବ ବୋଲି ଯାଉଛି ହେଲେ ଦରଓ୍ବାଜା ପାଖରୁ ନ ପଚାରି ଫେରି ଆସୁଛି। ଥରେ ଦୁଇଥର ଜେଲର୍ ସାହେବଂକ କୋଠରୀକୁ ଯାଇ ମନକଥା ମନରେ ରଖି ଫେରି ଆସିଛି ସିନା, ମୁହଁ ଖୋଲି ପାରିନାହିଁ। ଆଜି ସେ ସାହସ କରି ସ୍ଥିର କରି ସାରିଛି, ଯାହା ବି ହେଉ ଆଉ ଅପେକ୍ଷା ନ କରି ଆଜି ନିଶ୍ଚୟ ଜେଲର୍ ଶୁଭେନ୍ଦୁଂକୁ ସେ ପଚାରି ବୁଝିବ ଯେଉଁ ପ୍ରଶ୍ନ ତାକୁ ଦିନ ଦିନ ଧରି ବିବ୍ରତ କରିଛି, ମନକୁ ଅସ୍ଥିର କରିଛି, ରାତି ରାତି ତାର ନିଦ ହଜାଇଛି। ଶୁଭେନ୍ଦୁ ଖୁବ୍ ଭଦ୍ର, ଗମ୍ଭୀର ପ୍ରକୃତିର। ଜେଲର୍ ହୋଇ ବର୍ଷେ ହେବ ପୋଷ୍ଟିଂ ହୋଇଛି। ଜଣେ ଗୁରୁତର ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଖୁନୀ କଏଦୀ ପକ୍ଷରେ କାରାକାଳରେ ଅନେକ ଜେଲରଂକୁ ଦେଖିବା ତ ସ୍ବାଭାବିକ୍ କଥା। ଆଉ ସବୁ ଅଫିସର୍ଂକ ଆଦବ କାୟଦାରେ ତ ନିଶ୍ଚୟ ଫରକ ରହିବ । କିନ୍ତୁ ଶୁଭେନ୍ଦୁଂକ କଥାଟା ଖୁବ୍ ନିଆରା। ରାମସେବକ ଅନୁଭବ କରୁଛି ଶୁଭେନ୍ଦୁ ଅନ୍ଯ ଜେଲରଂକ ଭଳି ତା ସହ ଏକ ଖୁନୀ ଅପରାଧୀ ଭାବେ ବ୍ଯବହାର କରୁ ନାହାନ୍ତି। ଶୁଭେନ୍ଦୁଂକ ବ୍ଯବହାରରେ ଏକ ପ୍ରକାର ଅଦ୍ଭୁତ ଆତ୍ମୀୟତାର ଅନୁଭବ କରିଛି ସେ। ସେଥିରେ କୌଣସି ପ୍ରକାର କୃତ୍ରିମତା ର ସ୍ଥାନ ନାହିଁ। ଜେଲ୍ କର୍ମଚାରୀ ଜଣେ ଖୁନୀ ଆସାମୀଂକ ସହିତ ରୁକ୍ଷ ବ୍ଯବହାର ନ କରିବା ତାକୁ କିଛିଟା ଅସ୍ବାଭାବିକ ଲାଗୁଥିଲା। ରାମସେବକ କେବଳ ହତ୍ଯା ଅଭିଯୋଗରେ ଦଣ୍ଡ ପାଉ ନ ଥିଲା, ଆଇନ ଆଖିରେ ସେ ଏକ କୁଖ୍ଯାତ୍ ଅପରାଧୀ, ଯିଏ ଦୁଇ ଦୁଇ ଥର ଜେଲ୍ ରୁ ଖସି ପଳାଇବାକୁ ଅସଫଳ ପ୍ରୟାସ ମଧ୍ୟ କରିଛି। ଶୁଭେନ୍ଦୁ ଯେବେ ପ୍ରଥମ ଥର ବଦଳି ହୋଇ ଜେଲ୍ କୁ ଆସିଥିଲେ ପରମ୍ପରା ଅନୁଯାୟୀ ସବୁ ଗୁରୁତର ଅପରାଧୀଂକୁ ତାଂକ ସମ୍ମୁଖରେ ହାଜିର୍ କରାଯାଇ ଥିଲା। ରାମସେବକର ମନେ ଅଛି ସେତେବେଳେ ଶୁଭେନ୍ଦୁ କୌଣସି ପ୍ରକାର ହାକିମାତି ବା ରୁକ୍ଷତା ପ୍ରକାଶ କରି ନଥିଲେ। ପରେ ପରେ ମଧ୍ଯ ଅନେକ ଥର ରୁଟିନ୍ ସାକ୍ଷାତ୍ ସମୟରେ ଶୁଭେନ୍ଦୁ ରାମ ସେବକକୁ ଜଣେ ସାଧାରଣ ମଣିଷ ଭଳି ବ୍ଯବହାର ଦେଖାଇଛନ୍ତି। ତାଂକ ପ୍ରତି ଏଭଳି ନରମ ବ୍ୟବହାର ଅନ୍ଯ ଜେଲ୍ କର୍ମଚାରୀଂକୁ ଚକିତ କରିଛି। କିଛି କାନକୁହା ବଡ ହାକିମଂକ ପରିଦର୍ଶନ ସମୟରେ ଏ ବିଷୟରେ ଅଭିଯୋଗ ବି କରିଛନ୍ତି। ଆଜି ରାମସେବକ ନିଶ୍ଚୟ ୟାର କାରଣ ପଚାରି ବୁଝିବ ବୋଲି ସ୍ଥିର କରି ଆଗକୁ ବଢିଲା। ଦେଖିଲା ଶୁଭେନ୍ଦୁ ଗଭୀର ଚିନ୍ତାମଗ୍ନ ହୋଇ ଝରକା ବାଟେ ବାହାରକୁ ଦେଖୁଛନ୍ତି। ତାକୁ ଦେଖି ମୁହଁ ଫେରାଇ ଶୁଭେନ୍ଦୁ ଡାକିଲେ “ରାମସେବକ” ତୁମ ସହ ମୋର କିଛି କଥା ହେବାର ଥିଲା। ମୁଁ ଆସିବାଠାରୁ ତୁମକୁ ଲକ୍ଷ୍ଯ କରୁଛି, ତୁମେ ସବୁ ବେଳେ ଚୁପ୍ ଚାପ୍ ରହୁଛ, କାହା ସହ ମିଶିବା ନାହିଁ କି କଳହ ନାହିଁ। ତୁମର ବ୍ଯବହାରରେ ଏକ ଖୁନୀ ଅପରାଧୀର କୌଣସି ଲକ୍ଷଣ କେବେ ଦେଖିନାହିଁ। ଜେଲ୍ ଭିତରେ ଏବଂ ଅନ୍ଯ ଅପରାଧୀଂକ ସହ ତୁମର ସ୍ବାଭାବିକ୍ ବ୍ଯବହାର ଦେଖି କେହି କହିବ ନାହିଁ ଯେ ତୁମେ ଆଜୀବନ କାରା ସଜ୍ଜା ଦଣ୍ଡିତ ଅପରାଧୀ। ତୁମର ଫାଇଲ୍ ଦେଖୁଥିଲି। ତୁମେ ତୁମ ସ୍ତ୍ରୀ ରମାକୁ ହତ୍ଯା ଅଭିଯୋଗରେ ସଜ୍ଜା କାଟୁଛ। ନିଜେ ନିଜର ଦୋଷ ସ୍ବୀକାର କରି ପୋଲିସ୍ ପାଖରେ ଆତ୍ମ ସମର୍ପଣ କରିଛ। ତିରିଶ୍ ବର୍ଷ ଭିତରେ କେବଳ ପ୍ରଥମ ବର୍ଷ ତୁମେ ଦୁଇ ଥର ଜେଲ୍ ପାଚେରୀ ଟପି ବାହାରକୁ ଯିବାକୁ ଚେଷ୍ଟା କରିଥିଲ। ତାପରେ ଜେଲ୍ ଭିତରେ ତୁମର ଆଚରଣ ଖୁବ୍ ସ୍ବାଭାବିକ ରହି ଆସିଛି। ତୁମ ବିରୁଦ୍ଧରେ କେବେହେଲେ କେହି ଅଭିଯୋଗ କରି ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ତୁମକୁ କେବେ ହେଲେ କେହି ଆସି ସାକ୍ଷାତ୍ ମଧ୍ଯ କରି ନାହାନ୍ତି। ଉତ୍ତମ ବ୍ଯବହାର ପାଇଁ ଅନେକ କ୍ଷେତ୍ରରେ କଏଦୀ ମାନଂକ ଦଣ୍ଡ ପରିମାଣ କମ୍ ହେବା ତୁମେ ଶୁଣିଥିବ। ତୁମେ ଚାହିଁଲେ ତୁମର ଦଣ୍ଡ ଅବଧି କମ୍ କରିବାକୁ ସୁପାରିଶ୍ କରିହେବ। “ନାଇଁ ଆଜ୍ଞା ମୁଁ ଜେଲ୍ ବାହାରକୁ ଯିବାକୁ ଚାହୁଁନାହିଁ। ତା ଛଡା ବାହାରେ ମୋର କିଏ ଅଛି ଯେ? “ପୋଲିସ୍ କୁ ଦେଇଥିବା ବୟାନ୍ ଅନୁଯାୟୀ ତୁମର ପ୍ରଥମ ପତ୍ନୀଂକ ମୃତ୍ଯୁ ପରେ ତୁମେ ମୃତାପତ୍ନୀଂକ ଭଉଣୀ ରମାକୁ ବିବାହ କରି ଘରକୁ ଆଣିଥିଲ, କିନ୍ତୁ ପରେ ତୁମ ଦୁଇ ଜଣଂକ ମଧ୍ଯରେ ସମ୍ପର୍କ ତିକ୍ତ ହେବାକୁ ଲାଗିଲା। ଶେଷରେ ଦିନେ ତୁମେ ତୁମର ଦ୍ବିତୀୟ ପତ୍ନୀ ରମାକୁ ହତ୍ଯା କରି ପୋଲିସ୍ ପାଖରେ ଆସି ଆତ୍ମ ସମର୍ପଣ କରିଥିଲ। କୋର୍ଟରେ ମଧ୍ଯ ଏହି କଥା ଦୋହରାଇଥିଲ। ମୋତେ ତୁମେ ପ୍ରକୃତ କଥା ଖୋଲି କୁହ।
ପ୍ରଥମେ ରାମସେବକ ମୁହଁ ନ ଖୋଲି ଚୁପ୍ ରହିଲା। ପୁଣି ଏକ ଦୀର୍ଘ ନିଶ୍ବାସ ନେଇ ଆରମ୍ଭ କଲା “ସେ ତ ବହୁତ ଦିନ ତଳର କଥା, ସେ ପୁରୁଣା କଥାକୁ ଘାଣ୍ଟି କି ଲାଭ ମିଳିବ? ଶୁଭେନ୍ଦୁ କିନ୍ତୁ ନଛୋଡବନ୍ଧା। ଆଜି ସବୁ କଥା ଶୁଣିବାକୁ ଜିଦ୍ କରି ବସିଲେ। ରାମସେବକ ବାଧ୍ଯ ହୋଇ କହି ଚାଲିଲା, “ଝିଅର ବାର ବର୍ଷ ବେଳେ ପ୍ରଥମ ପତ୍ନୀ ଚାଲିଗଲା ପରେ କେବଳ ତାହାରି ପାଇଁ ତାର ମାଉସୀ ରମାକୁ ବିବାହ କରି ଘରକୁ ଆଣିଲି। ଆଶାକରିଥିଲି ଝିଅକୁ ରମା ମା’ର ସ୍ନେହ ଦେବ। ରମା କିନ୍ତୁ ଏ ବିବାହରେ ଆଦୌ ଖୁସି ନ ଥିଲା। ଦିନକୁ ଦିନ ତିକ୍ତତା ବଢିଲା ସିନା କମିଲା ନାହିଁ। ତାର ଅନେକ ପର ପୁରୁଷ ମାନଂକ ସହ ସମ୍ପର୍କ ତିକ୍ତତାକୁ ତୀବ୍ର କରିବାରେ ଲାଗିଲା। କିନ୍ତୁ ଯେଉଁଦିନ ସେ ମୋ କଥାକୁ ନ ଶୁଣି ଝିଅକୁ ପର ପୁରୁଷଂକ ପାଖକୁ ଯିବାକୁ ବାଧ୍ୟ କଲା ମୁଁ ଆଉ ସହ୍ୟ କରି ପାରିଲି ନାହିଁ ଓ ରମା ର ପ୍
ରାଣ ନେବାକୁ ବାଧ୍ୟ ହେଲି। ଆଉ ସେହି ଦିନରୁ ଖୁନୀ ଅପରାଧୀର ଦାଗ ମୋ କପାଳ ଉପରେ ଲେଖା ହୋଇଗଲା। ସେଇ ଝିଅଟାକୁ ଦେଖିବି ବୋଲି ଆଉ ତାର ଥଇଥାନ ବନ୍ଦୋବସ୍ତ କରିବି ବୋଲି ଦୁଇ ଦୁଇ ଥର ଜେଲ୍ ରୁ ଖସି ପଳାଇବାକୁ ଚେଷ୍ଟା କରିଥିଲି। ତାପରେ ସେ କୁଆଡେ ଗଲା କିଛି ପତ୍ତା ନାହିଁ। ତେଣୁ ମୋର ଆଉ ଜେଲ୍ ବାହାରେ କିଏ ଅଛି ଯେ କାହା ପାଖକୁ ଯିବି? “ଏ ତ ବହୁତ ଦୁର୍ଭାଗ୍ଯପୂର୍ଣ, କିନ୍ତୁ ପ୍ରତିକ୍ରିୟା ଓ ପରିସ୍ଥିତି ଜନିତ ହତ୍ଯା, ଯଦିଓ ଆଇନ୍ ଆଗରେ ତୁମେ ଦୋଷୀ, କିନ୍ତୁ ଏ ସବୁ କଥା କୋର୍ଟରେ କହିଲ ନାହିଁ କାହିଁକି? ପ୍ରଶ୍ନ କଲେ ଶୁଭେନ୍ଦୁ। “ଆଖିରୁ ସ୍ବପ୍ନ ସବୁ ସରିଗଲାପରେ ଆଉ ଜୀବନରେ କଣ ରହିଲା” କହି ରାମସେବକ ଚୁପ୍ ରହିଲେ। କିଛି ସମୟ ପାଇଁ ଶୁଭେନ୍ଦୁ ଦୀର୍ଘ ନିଶ୍ବାସ ଛାଡି ଅନ୍ଯମନସ୍କ ହେଲେ। ନୀରବତା ଭଂଗକରି ରାମସେବକ କହିଲେ ଗୋଟିଏ କଥା ପଚାରିବି ଯଦି ଆପଣ ଅନୁମତି ଦିଅନ୍ତି। “ ହଁ, ନିଃସଂକୋଚ ହୋଇ ପଚାର।” “କାରାକାଳରେ ଅନେକ ଜେଲର୍ ଦେଖିଛି, କିନ୍ତୁ ଆପଣଂକ ବ୍ଯବହାରରେ ଏକ ଖୁନୀ ଅପରାଧୀ ପାଇଁ ଯେଉଁ ଅନୁକମ୍ପା ଓ ଆତ୍ମୀୟତା ଦେଖିଛି ତାର କାରଣ ଖୋଜି ପାଉନାହିଁ। ଜାଣେନାହିଁ ମୋର ପଚାରିବାଟା ଠିକ୍ କି ନା କିନ୍ତୁ ଯଦି ଆପତ୍ତି ନ ଥାଏ କୁହନ୍ତୁ।”
ଦୀର୍ଘ ନିଶ୍ବାସ ନେଇ ଶୁଭେନ୍ଦୁ ମୁହଁ ଖୋଲିଲେ। ରକ୍ତର ଛିଟା ହାତରେ ଲାଗିଥିଲେ ସମାଜ କପାଳରେ ଖୁନୀ ବୋଲି ଲେଖିବାକୁ ଅପେକ୍ଷା କରେ ନାହିଁ। ସେହି କଳଂକ କେବେ କେବେ ପୁରୁଷ ପୁରୁଷ ଧରି ପଛ ଛାଡେ ନାହିଁ। ଆଗେ ଗାଡି ଘୋଡା ନ ଥିଲା। ଦୂର ଦୂରାନ୍ତରୁ ଜଗନ୍ନାଥ ସଡକରେ ଚାଲି ଚାଲି ଲୋକମାନେ ପୁରୀ ଯାଉଥିଲେ ମହାପ୍ରଭୁଂକ ଦର୍ଶନ ପାଇଁ। ଲୋକମାନେ ବାଟରେ ଚଟିଘର ମାନଂକରେ ବିଶ୍ରାମ ନେଇ ଦଶ ପନ୍ଦର ଦିନେ ପୁରୀ ପହଂଚୁଥିଲେ। କାର୍ତ୍ତିକ ମାସରେ ଅନେକ ଯାତ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ପୁରସ୍ତମ ଯାଆନ୍ତି। ଶହ ଶହ ବିଧବା ମଧଯ ହବିଷ ପାଳିବାକୁ ପୁରସ୍ତମ ପୁରୀ ଯାଆନ୍ତି। ଆମ ଗାଁ ଗୌଡୁଣୀମାରୀ ଠାରୁ ଜଗନ୍ନାଥ ସଡକ ଦଶ କୋଶ ବାଟ। ମୋର ଜେଜେ ଥରେ କାର୍ତ୍ତିକ ମାସ ଘରୁ ବାହାରିଲେ ଜଗନ୍ନାଥ ଦର୍ଶନ ପାଇଁ। ସେତେବେଳେ ଗାଡି ଘୋଡା ତ ନଥିଲା। ଦିନ ପରେ ଦିନ ଚାଲି ଚାଲି ପୁରୀ ପହଂଚନ୍ତି। ବାଟରେ ଚଟିଘରରେ ରହି ବିଶ୍ରାମ ନିଅନ୍ତି। ଜେଜେ ମଧ୍ଯ ଦିନ ସାରା ଚାଲି ଚାଲି ସଂଧ୍ଯା ହେବାରୁ ଗୋଟିଏ ଚଟିଘର ପାଖରେ ପହଁଚି ବିଶ୍ରାମ ନେବାକୁ ସ୍ଥିର କଲେ। ଅନ୍ଯ ଯାତ୍ରୀ ମାନଂକ ଭଳି ଚଟିଘର ମାଲିକ ପାଖରୁ ରାତ୍ରୀ ଭୋଜନ ନିମନ୍ତେ ସଂଜା ଖରିଦ୍ କଲେ ଓ ରୋଷେଇ ସାରି ବିଶ୍ରାମ ନେଲେ। ଦିନ ସାରା ହାଲିଆ ହୋଇ କ୍ଷଣକେ ଆଖିକୁ ଗହନ ନିଦ ଆସିଗଲା। ହଠାତ୍ ଭୋର ସକାଳଟାରେ ପାଟିଶୁଣି ଉଠି ଦେଖିଲେ ଚଟିଘରେ ଜଣେ ହବିଷିଆଳୀଂକର ମୃତ ଦେହ ପଡିଛି। ଭୟରେ ସବୁ ଯାତ୍ରୀଂକ ଭଳି କଣ କରିବେ ବୁଝି ପାରିଲେ ନାହିଁ। ସକାଳେ ପୋଲିସ୍ ଆସି ଜଣ ଜଣ କରି ସବୁ ଯାତ୍ରୀଂକ ତଲାସି ନେଲେ ଓ ତନ୍ନ ତନ୍ନ କରି ସେମାନଂକ ଗଣ୍ଠିଲି ଖୋଜିଲେ। ହତ୍ଯାକାରୀ ହତ୍ଯାକରି ସାରି ତାର ଛୁରୀଟି ଜେଜେଂକ ଗଣ୍ଠିଲିରେ ରଖି ଦେଇଥାଏ। ଜେଜେ କାନ୍ଦି କାନ୍ଦି ସେ କିଛି ଜାଣି ନାହାନ୍ତି ଓ ନିର୍ଦୋଷ ବୋଲି ଚିତ୍କାର କଲେ ବି କେହି ଶୁଣିଲେ ନାହିଁ। ଇଂଗ୍ରେଜ୍ ଅମଳ, ହତ୍ଯାକାରୀର ରକ୍ତଲଗା ଛୁରୀ ଜେଜେଂକର ଗଣ୍ଠିଲିରୁ ପାଇ ତାଂକୁ ବାନ୍ଧି ନେଇଗଲା ଓ ଏ ଖବର ଘରେ କେହି ଜାଣି ପାରିଲେ ନାହିଁ। ମୋର ପିତା ସେତେବେଳେ ଖୁବ୍ ସାନ ଥିଲେ। ଜେଜେ ତୀର୍ଥରୁ ନ ଫେରିବାରୁ ଗାଁ ରେ ସମସ୍ତେ ହଇଜାରେ ଜେଜେ ଚାଲିଗଲେ ବୋଲି ଭାବିଥାନ୍ତି। ଅନେକ ଦିନ ପରେ ଖବର ମିଳିଲା ଜେଜେ ହତ୍ୟା ଅପରାଧରେ ଓ୍ବାରଂଗଲ୍ ଜେଲ୍ ରେ ସଜ୍ଜା କାଟୁଛନ୍ତି। ସମାଜ ଚକ୍ଷୁ ରେ ବାପା ହଠାତ୍ ଏକ ନରହନ୍ତା
ଆସାମୀ ର ପୁତ୍ର ଭାବେ ଅପମାନରେ ମୁଣ୍ଡ ତଳକୁ କରିବାକୁ ପଡିଲା। ଖୁବ୍ ଶୀଘ୍ର ସେ ତାଂକର ନିଜର ପରିଚୟ ସାହି ପଡିଶା, ବନ୍ଧୁ ବିରାଦରୀ ପାଖରେ ହରାଇ ବସିଲେ ଓ ତାଂକୁ ସମସ୍ତେ ନିନ୍ଦା ଓ ଘୃଣାପୂର୍ଣ ଚକ୍ଷୁରେ ଦେଖିବାକୁ ଲାଗିଲେ। ସତେ ଯେମିତି ତାଂକ କପାଳ ଉପରେ କିଏ ଖୁନୀପୁତ୍ର ବୋଲି ଲେଖି ଦେଇ ଯାଇଛି ଆଉ ହତ୍ଯାର ରକ୍ତଛିଟା ତାଂକ ଦେହହାତରେ ଲାଗି ରହିଛି। ତାଂକୁ ଲାଗିଲା ସମସ୍ତେ ତାଂକ ପଛରେ ଫୁସ୍ ଫାସ୍ କଥା ହେଉ ଛନ୍ତି।ସତେ ଯେମିତି ସମସ୍ତଂକର ଆଂଗୁଳି ତାଂକ ଆଡକୁ ଖୁନୀପୁତ୍ର ବୋଲି ଇଂଗିତ କରୁଛି। ଅତ୍ଯଧିକ ଅପମାନ ସହି ନ ପାରି ଧିରେ ଧିରେ ସେ ନିଜକୁ ସମାଜଠାରୁ ଅଲଗା କରିନେଲେ। ଚାରିଆଡୁ ସାରା ପରିବାର ତାଂକ ସହ କୁତ୍ସା, ଅପମାନ ଓ ନିନ୍ଦାର ଶରବ୍ଯ ହୋଇ ପଡିଲେ। ଜେଜେ କିପରି ନରହତ୍ଯା ଭଳି ମହାପାପ କରିପାରିଲେ କେହି କଳ୍ପନା କରି ପାରିଲୁ ନାହିଁ। ଏ କଥା ଭାବି ଭାବି ବାପାଂକୁ ରାତି ରାତି ନିଦ ହୁଏ ନାହିଁ। ଅନେକ ସମୟରେ ଦୁଃସ୍ବପ୍ନ ଦେଖି ସେ ରାତି ଅଧରେ ନିଦରୁ ଉଠି ପଡନ୍ତି। ଅନେକ ଦିନ ପରେ ପୋଲିସ୍ ଆସି ଖବର ଦେଲେ ଯେ ଜେଲ୍ ରେ ଜେଜେଂକର ମୃତ୍ୟୁ ହୋଇଛି। ବାପାଂକୁ ଜେଜେଂକ ଗଣ୍ଠିଲି ଓ ଏକ ଚିଠି ଦେଇ ଗଲେ। ଚିଠି ରେ ସେ ନିର୍ଦ୍ଦୋଷ ଏବଂ ସେ କିପରି ଗିରଫ ହେଲେ ଓ ରାତ୍ରୀର ଅନ୍ଧକାରରେ ହତ୍ଯାକାରୀ ହତ୍ୟା ରେ ବ୍ୟବହୃତ ଛୁରୀଟି ସେ ଶୋଇ ଥିବା ବେଳେ ତାଂକ ଗଣ୍ଠିଲିରେ ରଖି ଦେଇ ଥିଲା ଏବଂ ସେ କଥା ପୋଲିସ୍ ଶୁଣିଲା ନାହିଁ ବୋଲି ଉଲ୍ଲେଖ କରିଥିଲେ। ବାପାଂକୁ ହତ୍ଯାର ଏହି କଳଂକ ତାଂକ ବାକି ଜୀବନ ଖୁବ୍ ବ୍ୟଥିତ କରିଥିଲା।କିଛି ଦୋଷ ନ ଥାଇ ଏକ ଖୁନୀ ଆସାମୀର ପୁତ୍ର ର ପରିଚୟ ନେଇ ବଂଚିବା ଖୁବ୍ ଯନ୍ତ୍ରଣା ଦାୟକ ଥିଲା ତାଂକ ପାଇଁ ଥାଲି ଏକ ନିର୍ଦ୍ଦୋଷ ଲୋକ ନୁହଁ ବରଂ ତାଂକ ସହିତ ପୁରା ପରିବାର ମଧ୍ୟ ଦଣ୍ଡ ପାଇଲେ। ରାମ ସେବକ ଚୁପ୍ ହୋଇ ଶୁଣୁ ଥାଏ। ଶୁଭେନ୍ଦୁ ଭଳି ଉଚ୍ଚ ଅଧିକାରୀଂକ ମନର ବ୍ଯଥା ବୁଝି ପାରୁଥାଏ ସିନା, ତାଂକୁ କଣ କହିବ ବୁଝି ପାରିଲାନାହିଁ। କିଛି କ୍ଷଣ ଚୁପ୍ ରହି ଶୁଭେନ୍ଦୁଂକ ଅନୁମତି ନେଇ ତାର କୋଠରୀକୁ ଫେରିଗଲା।