ମୁକ୍ତି
ମୁକ୍ତି
ମୁକ୍ତି "
ଗଳ୍ପ: ମୁକ୍ତମନା
__________________
ଲୋପାମୁଦ୍ରା ପରିଡା ✍
_________________________
ଗୋଟେ ନଈ ଥିଲା ଆଉ ସେଥିରେ ଧାରେ ପାଣି ବହିଯାଉଥିଲା ଅନେକ ଆବେଗକୁ କୋଳ କରି କିନ୍ତୁ ଧିରେ, ଚୁପ୍ ଚାପ୍,ନିର୍ଲିପ୍ତ ।ସମୟ କ୍ରମେ ଆଉ ଧାରେ ପାଣି ଆସି ମିଶିଲା ଆଗରୁଥିବା ଧାରଟିରେ ।ଦୁଇଧାର ମିଶି ନଈ ଗଭୀର ହେଲା ସତ କିନ୍ତୁ ଦ୍ବିତୀୟ ଧାରଟି ଛଳଛଳ, ଉନ୍ମୁକ୍ତ ଥିଲା ।ଆକାଶେ ସ୍ବପ୍ନ ତାଠି ଫୁଟୁଥିଲେ ସକାଳେ ସଂଜେ, ସିଏ ସମୁଦ୍ର ଖୋଜୁଥିଲା ।
ପ୍ରଥମ ଚିତ୍ର ରୁ ଶେଷ ଛବି ଯାଏ :
"ଆଲୋ ଖମ୍ବ ଟା ପରି କାଇଁ ଠିଆ ହେଇଛୁ? ଶଂଖୋଳି ନଉନୁ ତାକୁ ଘରୁକୁ? " ବଡ ଶାଶୁଙ୍କ ଓଜନେ ଭରା ତାଗିଦାରେ ଝୁଙ୍କିପଡି କାର ଭିତରକୁ ଚାହିଁଲେ ସୁମିତ୍ରା ।
_ ଆସ ।ମୋ ହାତ ଧର ।
ନିଜେ ହି ଓହ୍ଲେଇ ଆସୁଥିଲା ପୁନେଇଁ କୁସୁମିତା ଅଳତା ଲଗା ଜହ୍ନ ଟେ କାର୍ ର ଦୁଆର ତଳୁ ଅଳ୍ପେଇକି ମୁଣ୍ଡ ନୋଇଁ ।ବହୁ ଆଗରୁ ଚିହ୍ନିଥିବା ପରି ସିଧା ଚାହୁଁ ଥିଲା ଚାରିଆଡେ ଗ୍ରିବା ହଲେଇ ମୟୁର ପରି।
ଶୁଭିଲା ଟୁପଟାପ ।' ଇଏ କି ବୋହୁ ଲୋ ମା ? କାଠଗଣ୍ଡି ପରି ଠିଆ ହେଇଗଲା କଣ ବାହାରୁ ବାହାରୁ? "
_ 'ଚାଲ ମୋ ସାଙ୍ଗେ ।'କହିଲେ ସୁମିତ୍ରା ।ସେ ହାତ ଧରା ସଳଖି ଚାଲୁଥିବାର ଦେଖି ଟାପରା ଶୁଭିଲା ।ବଡ ଶାଶୁ ପୁଣି ଝିଙ୍ଗାସୀ କହିଲେ, ' ଆଲୋ ବଡ ବୋହୁ ଅଣ୍ଟା ଟିକେ ନୋଇଁକି ନଉଁନୁ ତାକୁ ।ନୂଆ ଭୁଆସୁଣୀ ଟା ।ମଲାମୋର ।କେତେ ଶିଖେଇବ ଲୋ ଏମାନଙ୍କୁ ହାତ ଧରି ଲୋ ।"
ଶାଶୁଙ୍କ ମୁହଁ ନାଲା ପଡିଯାଇଥିଲା ।ସାନ ଦିଅର ମାନେ ଧଳାନୂଆ ଧୋତି ମୁଣ୍ଡ ଉପରେ ଟେକି ଧରି ପରସ୍ପର କୁ ଚହାଁ ଚୁହିଁ ହେଉଥିଲେ।ସୁମିତ୍ରା ହୁଳହୁଳିଟେ ପକେଇ ଦିଅନ୍ତେ ସମସ୍ତେ ଏକମେଳେ ହୁଳହୁଳି ପକେଇଲେ ।
ଏମିତି ହୁଏ ।ଜଣଙ୍କ ପଛେ ସମସ୍ତେ ଚାଲନ୍ତି ।ଆଗ ପଛ ବିଚାରନ୍ତି କମ ।
ଗହଳି ଭିତରେ ନୂଆ ବୋହୁ କହିଲା, ମୋ ଅଣ୍ଟା କଣ ଭାଙ୍ଗିଯାଇଛି ଯେ ମୁଁ ନଇଁ ନଇଁ ଚାଲିବି ? ସୁମିତ୍ରା କାବା ।ଇଏ କି ମାଟିରେ ଗଢାରେ ବାବା ।
କେତେ ଲୋକ କହିଦେଇପାରନ୍ତି ଫୁଟିଥିବା ଛତୁପରି ମୁଣ୍ଡ ଟେକି, ଆଉ କେତେକ ଛାତି ତଳେ ପାଉଁଶ ନିଆଁ ଦବେଇ ଜୀଁ ଯାନ୍ତି ସାରା ଜନମ ।
ସୁମିତ୍ରା ଖାଲି ଏତିକି କହିଲେ," ଗାଁ କଥା ପରା ।ଏଠା ଚଳଣୀ ଟିକେ ଭିନ୍ନ " ।ବୁଝେଇପାରିଲେନି ଯେ ଏ ପ୍ରଥା ର ମଞ୍ଜି କଥା କିଛି ଅଲଗା ।ନିଆରା ଅନେକ ପ୍ରଥା ଖାଲି ଆମ ପାଇଁ ଉପଜ .... ଉତ୍କୃଷ୍ଟ ବୋଲାଉଥିବା ମଗଜ ସବୁର ଉତ୍ପାତି ବୋଲି ।
ଏଥିଲା ଗୃହ ପ୍ରବେଶର ପ୍ରଥମ ଛବି ।ପରେ ପରେ କିଏ କିଏ କହିଲେ ମୁହଁ ଖୋରୀ, ମୁଖୁରୀ, ଫାଜିଲ ,କିଏ କହିଲେ ସ୍ପଷ୍ଟବାଦିନୀ ।ଯାହାର ଦୃଷ୍ଟିଭେଦରେ ଯିଏ ବିଚାରେ ।ମୁଁ ମନ କହୁଥିଲା ସେ ମୁକ୍ତମନା ।ସ୍ବଚ୍ଛ ସ୍ପଟିକ ପରି ।
ଶାଶୁଙ୍କ ହାଣ୍ଡିଶାଳ, ମାରା, ଛୁଆଁ ,ନୀତି _ନିୟମ ସବୁ ଧିରେ ଧିରେ ବଦଳିଯାଉଥିଲେ ତା ' ହାତ ଦେଇ ।ଆଗେ ଆଗେ ଅଶାନ୍ତି ପରେ ପରେ ନିରବତା ଓ ଶେଷକୁ ଆଦରି ନେଇ ।ପରିବର୍ତ୍ତନ ତ ଶୁଭଙ୍କରୀ ଯଦିଓ ଘା'ରୁ ଚୋପା ଛାଡିଲେ ଘା' ପୋଡେ ।
ସବୁବେଳେ ଦୃଢ ସଂକଳ୍ପ ରେ ଠିଆ ହେଉଥିବା ତାକୁ ସାମ୍ନା କରିବାରେ ହଲିଯାଉଥିଲେ କେତେ ପ୍ରଚଳିତ ଗୋଡଗଳା ପରମ୍ପରା ର କଣ୍ଟା ।ପିରିଗ କଣ୍ଟା ମାରି ମାସ୍ତୁଲପିଟା ଅନେକ ଖମ୍ବ ଦୋହଲିବା ଆରମ୍ଭ କରିଥିଲେ ତା' ଯୁକ୍ତି ଆଗରେ ।ଏଇ ଯେମିତି ସକାଳୁ ଶାଶୁଶଶୁରଙ୍କ ଗୋଡ ବୁଢା ଆଙ୍ଗୁଳି ବୁଡା ପାଣିକୁ ପାଦୁକ ପରି ପାଇବା ର ମହାନ ନିତିଦିନିଆ ବ୍ରତଟିକୁ ସେ ଇନଫେକସନ ହବ କହି ନା ନିଜେ କଲା ନା ମୁକପରି ଚଳପ୍ରଚଳ ସୁମିତ୍ରାଙ୍କୁ କରିବାକୁ ଦେଲା ।ପ୍ରଥା ବଦଳିଲେ ହସଟି ମାନ ମାଖି ।ସବୁ କଥାର କାରଣ ପଚାରିବସୁଥିଲା ।ମନକୁ ପାଇଲେ ହସି ହସି କରୁଥିଲା ନ ପାଇଲେ' ହବନି 'କହିଦେଉଥିଲା ନିର୍ଦ୍ବନ୍ଦେ ।ମନରେ କିଛି ରଖୁନଥିଲା ।ଯୋଉଠା କଥା ସେଇଠି ଛିଡିଲା ।କୋମଳ ଶିଶୁର ମନ ତାର ।
କିଏ କଣ ବିପରୀତ ଟିପଣୀ ଦେଲେ କଡା କରି ୱାପସୀ ଜବାବ ଦେଉଥିଲା ତ କେହି ମୁହଁ ଲାଗିବାକୁ ପଛଘୁଞା ଦେବା ଆରମ୍ଭିଲେ ।ସୁମିତ୍ରା ଙ୍କୁ ଲାଗୁଥିଲା ସେ ତାଙ୍କ ପାଇଁ ଢାଲଟିଏ ହେଇ ଆସିଥିଲା ଯେମିତି ।ଏମିତି ନୁହେଁ ସେ ଏ ଘରେ ପାଦ ଦବା ଦିନୁ କୋଉ କଥାରେ ତାଙ୍କ ମନ ବାଧାନି,କିନ୍ତୁ ସହିବା ଲୋକ ବଡ ନ୍ଯାୟ ରେ ସେ ବଡ ହେଇ ରହିବାଟି ବାଛିଛନ୍ତି ସ୍ବଇଚ୍ଛାରେ ।ପିଲାଦିନୁ ତ ବଡବୋହୁ ହେବାର ସ୍ବପ୍ନ ଥିଲା ହି ।ଆଉ ପୁଣି ସେ ଭାବନ୍ତି 'ଘରେ ବାପା, ମା ଯେମିତି ଏଠି ବି ତ ସେମିତି ।କିଏ କଣ ପଦେ କହିଦେଲେ କଣ ଦେହ ଘୋରି ହେଇଯାଏ? ନାଇଁ ତ ।କୁହନ୍ତୁ ଦିନ ଆସିବ ଆପେ ବୁଝିବେନି କି ? କିଏ କେତେଦିନ ଏ ମହୀମଣ୍ଡଳେ ଯେ କଥାକୁ ଧରି ବସିଲେ ଚଳେ ? ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି ପରା ।
ଯେତେହେଲେ ଶାଶୁଘର ଅଗଣା, କୋହ ଦବିଯିବ.... କୋକେଇ ଉଠିବ ।ପୁଣି ବୁଢୀ ହେଲା ଯାଏ ଏ ଡର ବି ଥାଏ କି କାଳେ କିଏ ନିଜ ବାପା ମାଙ୍କ ଶିକ୍ଷା ସଂସ୍କାର କୁ ଆଙ୍ଗୁଳି ଉଠେଇବେ ତ ବାରବରଷ ର ତପ ଶୁଖୁଆ ପୋଡା ରେ ଯିବକି ନାହିଁ । ତ୍ଯାଗ ଧର୍ମ ସଂସ୍କାର ତ ପୁଣି କଣ ଅଛି କି ନା" କିନ୍ତୁ ସିଏ କୁହେ ଯଦି ବାପା, ମା ଡାକିବା ତେବେ ନିଜ ଘର ପରି ହିଁ ଚଳିବା ।ଡରିବା କାଇଁ ? ଯଦି ଆପଣେଇବା ପୁରା ।ଆମର ବି ପସନ୍ଦ ନାପସନ୍ଦ ଅଛି,ଆମେ ବି ମଣିଷ ।ଏ ପରଘର ଭଙ୍ଗା ଲୋକଙ୍କୁ ଦାଣ୍ଡ ମଡେଇ ଦେବାନି ।ନିଜ ଘରେ ହଜାରେ ଫାଟ, ଆମ କାନ୍ଥ ଫାଟକୁ ଦରଦ ଉଛୁଳି ପଡୁଛି ।ଏମାନଙ୍କୁ ଦୁରୁ ଦୁର୍ ଦୁର୍ ।ଆଉ ଧର୍ମ ହେଲା ମଣିଷ ହବା ।ଯାହା ଯେତେବେଳେ ଠିକ୍ ସେଇଟା କରିବା ।ସେ ସୁକୁ ସୁକୁ କୁନ୍ତୁ କୁନ୍ତୁ ନାହିଁ ।
ସୁମିତ୍ରା ତାକୁ ତାଙ୍କ ଝିଅ ପରି ଆପଣେଇନେଇଥାନ୍ତି ଧିରେ ଧିରେ ଅନ୍ତରରେ ।ତାର ଯତ୍ନ, ଆକଟପଣ ,ରାଗ,ରୁଷା ,ଗାଳି ରେ ବି ଗୋଟେ ଆକର୍ଷଣ ଟାଣେ ତାଙ୍କୁ ।ତାଙ୍କୁ ଲାଗେ ଯାହା ସେ ପାରିନାହାନ୍ତି ଇଏ ନିଶ୍ଚେ ପାରିବ ।
ଯୋଉଦିନ ପଡିଶା ଘର ଖଞ୍ଜା ରେ ଘର ଭାଗବଣ୍ଟା ହେଲା ସେଦିନ କେଜାଣି କାଇଁ ସେ ସୁମିତ୍ରାଙ୍କ କୋଳରେ ମୁଣ୍ଡ ରଖି କଇଁ କଇଁ ହୋଇ ବହୁତ କାନ୍ଦିଲା ।ସ୍ନେହରେ ମୁଣ୍ଡ ଆଉଁସି ପଚାରିଲାରୁ କହିଲା, 'ଆମ ଘର କେବେ ଭାଗ ବାଣ୍ଟିବାନି ଅପା ।ଆମେ ଏକାଠି ରହିବା।ମୋ ମୁଣ୍ଡ ଛୁଇଁ ରାଣ ଖାଅ ।'
ସୁମିତ୍ରା ଆକାଶେ କରୁଣାରେ ଆଦ୍ର ହେଇଥିବା ତାଙ୍କ ସମୁଦ୍ର ପରି ଆଖି ରୁ ଦି ଠୋପା ଲୁହ କୁ ବୋହିଯାଉଯାଉ ରୋକିଦେଲେ ।ତା 'ହାତ ଧରି ନିଜ ବଖରା କୁ ନେଇ ଯାଇ ପଲଙ୍କରେ ବସେଇଲେ ।ପିନ୍ଧାଲୁଗା କାନିରେ ତା ମୁହଁ କୁ ପୋଛି ଆଣି ଘରର ଚାବିନେଥ୍ଥା କୁ ଆଲମାରୀ ଥାକରୁ କାଢି ସାନବୋହୁ ର ହାତପାପୁଲିକୁ ବଢାଇ ଦେଉ ଦେଉ ସେ ଭାବୁଥିଲେ, " ପରିବାର କୁ ଠିକ୍ ଭାବରେ ଚଳାଇବାକୁ ହେଲେ ବଡବୋହୁ କୁ ବହୁତ କିଛି ଚଳେଇନେବାକୁ କରିବାକୁ ପଡେ ରେ ମା ।"
ଚାବି ନେଥ୍ଥାକୁ ଅନାଇଁ ସେ ତାର ନିରୀହ ଆଖିର ପ୍ରଶ୍ନରେ ସୁମିତ୍ରା ଙ୍କୁ ଅଭିଭୂତ କଲା ।ସୁମିତ୍ରା କହିଲେ, 'ରଖ ,ତୁ ପାରିବୁ ।ମୋ ଠୁ ଭଲ ପାରିବୁ ।ମୋର ବିଶ୍ବାସ ।"
ସେ ହାତ ମୁଠା ଓଲଟେଇ ପୁଣି ସୁମିତ୍ରାଙ୍କ ହାତରେ ନେଥ୍ଥା ଟି ଥାପି ଦେଇ କହିଲା, 'ହଁ ଯେ ତୁମ ପାଖରେ ଥାଉ ,ମୁଁ ବା ଓଲେଇଗାଈଟା ,କୋଉଠି ପକେଇ ହଜେଇ ଦେବି ।ଯେତେବେଳେ ଯାହା ଦରକାର ତୁମକୁ କହିବିନି କି ।ରଖ " ।
ସୁମିତ୍ରା ଙ୍କୁ ଲାଗୁଥିଲା ସେ ତାର ବୋଉ ହୋଇଯାଉଛନ୍ତି ସତକୁ ସତ ।ସେ ଗେଲେଇ କି ପଚାରିଲେ, "ଆଛ୍ଛା ତୁ ଓଲେଇ ଆଉ ମୁଁ?"
_ " ତମେ ତ୍ଯାଗମୁରତି ବଉଳା ପା " କହି କହି ହସ ବୁଣି ବାହାରିଗଲା ଅଗଣାକୁ ।
**************************************************
______________________________________________
ମୁକ୍ତି
_______
ଲୋପାମୁଦ୍ରା ପରିଡା
ଆହେ ଦୁର୍ଗାମାଧବ, ଆହେ ଦୁର୍ଗା ମାଧବ
ଜପୁ ଜପୁ ପିତଳ ମୂର୍ତ୍ତି ଦୁଇକୁ ହାତରେ ଘସୁ ଘସୁ ପିତଳ ଥାଳିଟା ଚହଲି ଗଲା ।ପୁଣି ମନ ଲଗେଇଲେ ସୁମିତ୍ରା ।ଆହେ ଦୁର୍ଗା ମାଧବ, ମାଧବ ମାଧବ ।
ପାଟିକୁ ସିନା ବୋଲ ମନେଇ ଆଖି ଦେଖେଇ ଘୋସେଇ ହୁଏ, ଜପ
ହେଲେ ମନଟା ପରା କାହା କଥା ଶୁଣେନି ।ଛାଟ ପାଞ୍ଚଣକୁ ବି ଡରେନି ।ସିଏ ତାର କହୁଥାଏ ଅନବରତ ଭିତିରିଆ
ଆମ ଦିଅରବାବୁଙ୍କ ଦରମା କମ,ସାନ ନଣନ୍ଦ ବାହା ବୟସ ଟପିଲେଣି, ବଡ ନଣନ୍ଦ ଆସି ଘରେ ତାଙ୍କ ଚାରିପିଲାଙ୍କ ସହ କଣ ନା ଏଇଠି ପଢା ସୁବିଧା ଗାଁ ରେ ଚଳି ପାରୁନାହାନ୍ତି,ଲହରାକାଶଟା ଶୁଖିକି କଫ ଏମିତି ଜମୁଛି ଯେ ମାସକୁ କିଛି ନହେଲେ ଦିଥର ତ ଶାଶୁଙ୍କର ମେଡିକାଲ ଗସ୍ତ, ଶଶୁର ଯାହା ଟିକେ ଯା ଆସ କୁ ପାରୁଛନ୍ତି ,ସିଏ ତାଙ୍କର ପ୍ରତିଷ୍ଠା, ସମ୍ମାନ, ଦାଣ୍ଡ ସୁନ୍ଦର କୁ ଜଗିଥାନ୍ତି ଠେଙ୍ଗା ପକେଇ ।ଜଣେ ଲୋକ ରୋଜଗାରକୁ ଏତେ ଥାକ ।ଶାଶୁ କହିବେ ,ମଲା ତାକୁ ମାଲିକ ଯେତିକି ଦେଇଛି ଦଉଛି ଦଶୁଟା ପରିବାର ହସି ହସି ଚଳେଇନବ ପରା ,ଆଠଟା ଝୁଅ ବୋଝ ଉଠେଦବ ଏକା ।ଏ ଭିତରେ ସିଏ ଯେ ହସ ଭୁଲିଗଲେଣି ସେ କଥା କୁ କାହାର ନିଘା ।ବେଢୀ ଶିଙ୍କୁଳି ପାଦରେ ପିନ୍ଧି କିଏ ବା ପାରେ ହସି ।
ଆଉ ପିଇସୀଶାଶୁ କହିବେ, ଏଁ ମୋ ଭାଇ ପାଠ ପଢେଇ ଟଙ୍କା ଗଛ ରୋଇଛି ଆମେ ଫଳ ତୋଳି ଝଡେଇ ଖାଇବୁ ।ବରଷକ ପୁଆଣି ତ ଚଳଉଛ କୋଉ ଉଣା କଥାଟେ କରୁଛକି ।ଉଁ ।
ପୁଅର ଏ ସାଲ ମେଟ୍ରିକ୍, ଝିଅର ମେଡିକାଲ ଏଣ୍ଟାନ୍ସ ।ପଡିବାକୁ ଥାନ ଠୋପେ ପାଇଁ ବି ମୁହଁ ଫୁଲାଫୁଲି ।ତାଙ୍କର ପୁଣି କଣ ବହି ଖାତା ଆଡମିସନ ହଷ୍ଟେଲ ଚିଠା ଲମ୍ବିଛି ।ଦିଅରଙ୍କ ତିନି ପିଲାଙ୍କ ପଢାଖର୍ଛ ବି ପିଠିରେ ।ତାଙ୍କ ଦରମା ପରା ତାଙ୍କ ପକେଟକୁ ପାଏନି ।ହଉ ପିଲେ ତ ସମସ୍ତଙ୍କର ।ସେଥିରେ ତାଙ୍କର ପାତରଅନ୍ତର ନାହିଁ ।
।କୁଜକୂର୍ମ ହୋଇ ପିଠି ଗଣ୍ଠି ବିଣ୍ଡିଟେଳା ପଡୁ, ନଇଁ ଥିବ ଯିଏ ତା ମୁହଁ କି ଦିଶେ ।ଦିନେ କାଳେ କିଛି ଫରମାଇସି ନାହିଁ କି ଅଭିଯୋଗ ନାହିଁ ଦାରୁଭୁତ ମୁରାରୀ।ନିଦାବିଷ୍ଣୁ ।ଦେଖିଲେ ଲାଗେ ବେକସନ୍ଧି କଳା କଟକଟ ଜୁଆଳି ପକା ବଳଦଟିଏ ।
ସିଏ ନିଜେ ବି ଏମିତି ନୁହେଁ କି ପଢିନାହାନ୍ତି କି ପାରିବେନି ।ଜାଣିକି ଏ ସଂସାର ଚକକୁ ଆରେଇଥିଲେ ଆଦର୍ଶ କରି ଗଢିବେ ବୋଲି ।ତାଙ୍କୁ କି ଜଣାଥିଲା ଇଏ ତ ଦଳପଙ୍କ ।ପାନରୁ ଚୂନ ଖସିଲେ ଖଣ୍ଡ ପ୍ରଳୟ ।
ସାନ ଭାଇଟିର ଅବସ୍ଥା ବି ତଦ୍ରୁପ ।ବାପାମାନଙ୍କ ବୟସ ଦିନୁ ଦିନ ଚଞ୍ଚଳ ବୁଢା ହେଇଯାଏ କି ମା' ନଥିଲା ଘରେ ତାଙ୍କ ଆୟୁଷ ଚଞ୍ଚଳ ଖସେ ।ସେ ଯା ହେଉ ବୁଢୀ ହେଲା ଯାଏ ଝିଅ... ଝିଅ ।ତା ' ଘରେ ପାଣି ପିଇବେନି ପରା ।ସଂସ୍କୃତି କୁ ଜାବୁଡି ପଛେ ମାଟିରେ ମିଶିବେ, ପରିବର୍ତ୍ତନ ସହିବେନି ।
ଦୁର୍ଗା ମାଧବ, ଦୁର୍ଗା ମାଧବ ।
ମନ ଭିତରେ ତ ହଜାରେ ରିଲି ସୂତା ଛନ୍ଦା ଛନ୍ଦି ।ଅଡୁଆ ଡାଲାର ଗୁଡିଆ ବନ୍ଧନ ।ଜପୁଛି କାହାକୁ ମିଛରେ ।
_ ଆ ଲୋ କଣ ସେ ଚନ୍ଦନ ଘୋରା ସରିବନି କି ଆଜ? ନା ପଖାଳ ପାଣି ଟୋପା ମିଳିବନି? ଭାବୁ ତ ଥିବ ବସି ସେଇ ତା ବୋପା କଥା ଆଉ ।ବାପ କଥା ଭାବି ଭାବି ତ ଭୋଳ , ଆମେ ପଛେ ଚୁଲିକୁ ଯାଉ।ସେଥିକି କିଆଁ ଭାବ?
ପାନ ଖିଲକୁ ଖଣ୍ଡେ ଭାଙ୍ଗି ଆଉ ଖଣ୍ଡ ଶାଶୁଙ୍କ ହାତକୁ ବଢେଇ ଦଉ ଦଉ ସାନ ଯା ଗୋଡଲମ୍ବେଇ କହୁଥିଲା, ହୁଁ ଏବେ ଭାଳିଲେ ହବ କିସ ।ବଡ ବୋହୁ ବୋଲି ଚାବି ନେଥ୍ଥା ଦେଇଥିଲ ଯେତେବେଳେ ଭାବିଲନି? ହାତ ମୁଠାରୁ ଖସେଇଦେଲ ସିନା , ହାତ ବାରିସୀ କରି ପାରିଲ କି ?
ଯେମିତି ତା' ଜିଭ ଦେଇ ସରସ୍ବତୀ ବିଜେ କଲେ ।ଠାକୁର ପୁଜା ସରି ନ ଥିଲା କିନ୍ତୁ ସେ ଉଠିଆସି ଲୁଗାକାନିଗଣ୍ଠି ରୁ ଚାବିନେଥ୍ଥା ଟା କାଢି ସାନବୋହୁ ହାତକୁ ବଢେଇଦଉ ଦଉ ଭାବୁଥିଲେ, ରକ୍ଷା କଲ ମଣିମା ।ଏତେ ଦିନେ ମୁକ୍ତି ପାଇଲି ।ପରିବାର କୁ ଠିକ ଭାବରେ ଚଳେଇବାକୁ ହେଲେ କେତେ ଯେ ତ୍ଯାଗ କରିବାକୁ ହୁଏ ।ନୀଳକଣ୍ଠ ସାଜି ପିଇ ଯିବାକୁ ହୁଏ ବୁଝୁ ।"
ଝଣ୍ କରି ଚାବିନେଥ୍ଥା ଟି ଖସିଗଲାନି ଯେ କାନ୍ଧ ହାଲୁକା ଲାଗିଲା ।ବାହାରିଗଲେ ମୁକ୍ତ ମନ ନେଇ ପୁଣି ପୂଜା ଘରକୁ ।ଏଥର କିନ୍ତୁ ମନ ଟା ପୁରା ସୁନାପିଲା ପରି ଜପୁଥିଲା ଜିଭ ସାଙ୍ଗେ ତାଳ ଦେଇ ,
ଦୁର୍ଗା ମାଧବ, ଦୁର୍ଗା ମାଧବ
*************************
Lopa
