STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଧରା ଦିଏନା ସମୟର ଧାରା

ଧରା ଦିଏନା ସମୟର ଧାରା

12 mins
290

ଗଳ୍ପ ଶୀର୍ଷକ: ଧରା ଦିଏନା ସମୟର ଧାରା -----_-------------------- ସେ ଦୁହେଁ ସଂସାରଗଢା ସ୍ବପ୍ନ ସିପକୁ ସାଉଁଟୁଥିବା ଦିଟି କାରିଗର ଥିଲେ ବୋଧହୁଏ । ବୋଇତ ମେଲିଥିଲା ତାଙ୍କ ହସର ଜୁଆର ସହ ତାଳ ଦେଇ ନୀଳ ମିଳନ ଗାରର ଧାରରେ।ହାତ ଧରା ଧରି ହେଇ ଚାଲୁଥିଲେ ସେମାନେ ସତ, ମଝିରେ କିନ୍ତୁ ହାତକର ଦୂରତା ଥିଲା । ମାତ୍ର। ଝିଅଟିର ଶାଢୀକାନି ଆକାଶର ରଙ୍ଗ ସଜଉଥିଲା ଅବିର ମିଶା ନେଳି ଢେ଼ଉରେ। ଆଉ ପୁଅଟି ନିଜେ ଆକାଶ ପାଲଟୁଥିଲା ଥିରେ ଥିରେ । ସମୁଦ୍ରର କେଉଁ ଏକ ଅଦୃଶ୍ୟ ଲୟ ଦେଇ ତାଙ୍କ ବୁଣା ସ୍ବପ୍ନ ମାନେ ସତ ହେବେ ହେବେ ବୋଲି କଥା ହେଉଥିଲେ । ଦି ହଳ ପାଦ ଫେନିଳ ମୁକ୍ତା ଛୁଆଁରେ ଅବଗାହନ ଅନନ୍ଦେ କୁନିପିଲା ପାଲଟି ଯାଉଥିଲେ। ସେମାନେ ଦିହେଁ ଗୋଟିଏ ସିନେମା ଚରିତ୍ରରୁ ବାହାରି ଆସିଥିବା ଚଳନ୍ତି କଥାଚିତ୍ର ଦିଟି ପରି ଦିଶୁଥିଲେ ।ନା ସେମାନଙ୍କୁ ମୁଁ ଚିହ୍ନିଥିଲି ନା‌ ସେମାନେ ମତେ ।ହେଲେ ମୁଁ ନିଜକୁ ତାଙ୍କ ପ୍ରତି ଆକର୍ଷିତ ହେବାରୁ କୋଉ ରୋକି ପାରିଲି ଯେ‌ ! ମୋ ଆଖିଦିଟି ବାଲୁକା ପ୍ରଶସ୍ତିକୁ ଆଡେଇ ଯାଇ ସେ ଦୁହିଁଙ୍କୁ ହିଁ କେନ୍ଦ୍ର କରୁଥିଲେ।‌ଅମାନିଆ ପ୍ରଜାପତି ପରି କଳ୍ପନା କଢିରୁ ଅତର ମହକ ସହ ବିଭୋର ହେଉଥିଲି। ଅଧାଛାଇ ଅଧା ସଞ୍ଜର ଅବତାରରେ କୁହୁକ ମାୟାପୁରୀର ଛବି ପରି ସାଗରକୂଳ ପ୍ରତୀତ ହେଉଥିଲା । ସତେ କି କେବଳ ଆମେ ତିନିହେଁ ହିଁ ଥିଲୁ।ସେ ଦିହେଁ ଓ ଅନତି ଦୂରରେ ମୁଁ ।ବାକି ସବୁ ଗହଳି ଅଦୃଶ୍ୟ । ଅବିଚଳ । ସେଇ ଲମ୍ବା ବେଣି ଥିବା ଝିଅଟି ଲୋଟିପଡୁଥିଲା ଗଙ୍ଗଶିଉଳି ପରି ଫୁଲଫୁଟା ହସ ସବୁକୁ ସମୟ ଚାଙ୍ଗୁଡିରେ ଏକାଠି କରୁ କରୁ । ଚାରିପଟକୁ କମ ବାଲିକୁ ଥରେ ସାଗରକୁ ଥରେ ତା'ର ଦୃଷ୍ଟିର ବୁଲିଆସୁଥିଲା । ଆଉ ପୁଅଟି ଅନନ୍ତ ନଭମୁଖି ଥିବା ସହ ଆଖିରେ ଛୁଇଁ ବୁଡ଼ ପକଉଥିଲା କଳା ଘୁମୁର ତା ପ୍ରେୟସୀର ଶୋଭା କାନ୍ତିରେ । ଇସ୍। ମୋ ଯାଏ ଆସୁଥିଲା ସେଇ ଗପ ଚରିତ୍ର ଦିଟିର ରୋମାଞ୍ଚ,ରାଗରୁଷାର ଅଭିନୟ ଓ ମାନ ଭଞ୍ଜନ ଆଉ ଅଜବ ଏକ କମ୍ପନ । ମୁଁ ସ୍ଥାଣୁ ପାଲଟୁଥିଲି ତାଙ୍କ କଳ୍ପନାରେ ,ଆଉ ସେମାନେ ଅଜଣା ଥିଲେ ଏଇ ପ୍ରବାହରୁ । ଚଳଚିତ୍ର ପରି ଚାଲୁଥିବା ଛବିଟି ମତେ ପାରି କରି ଆଗକୁ ବଢି ସାରିଥିଲେ। ଚପଳା ଜହ୍ନ ବି ତାଙ୍କ ପଟିଆ ବୁଲିପଡ଼ି ସ୍ଥିରତାକୁ ଆଦରୁଥିଲା କି କଣ , କାଇଁ ଆଉ ଚହଲାଉନଥିଲା ନିଜ ଛବିକୁ ସମୁଦ୍ର ଛାତିରେ। ମୁଁ ମିଠା ସ୍ବପ୍ନଟିକୁ ତାଙ୍କ ଦିହିଁଙ୍କ ଠାରୁ ଧାର ଆଣି କୋଳେଇଲି ଓ ଲେଉଟି ଆସିଲି । +++++ ସମସ୍ତଙ୍କରେ ଜୀବନରେ ଗୋଟେ ସହର ଥାଏ। କିଛି ତ ସ୍ବତନ୍ତ୍ର। କିଛି ମୂହୁର୍ତ୍ତ, କିଛି ସ୍ମୃତି, କିଛି ଧରିରଖିଥିବା ଫୁଲ ତ ଏବେ ବି ଫିଟିଯାଉଥିବା କିଛି ଘାଆର ଚୋପା। ପ୍ରିୟା ପରି ଲାଗେ ସେ ସହର । ଏତେ ସବୁ ସହ ବି ଅତି ଆପଣାର। ଆଜି ବହୁତ ବର୍ଷ ପରେ ପୁରୀ ଆସିଥାଏ ମୁଁ । ଛେତେଙ୍ଗାକୁ ଲାଗି ସେ ଯୋଉ ଗୋଲାକାର ସାହି , ଆଉ ତାର ଦକ୍ଷିଣ ପଶ୍ଚିମ ପଟରକୁ ସେଇ ଗେରୁଆ ତିଳକ ରଙ୍ଗର ଘରଟି ଯାହାର ସଭା ଉପର ତାଲାରେ ସରୁ ସରୁ କାଠ ରେଲିଂ ଲାଗିଥିବା ଠଣା ଭଳିଆ ଝରକାଟେ ଅଛି ସେଇଠି ଅଟକିଥିଲି। ଆଠ ତାଲା ଭଳିଆ ଦିଶୁଥିବା ଦୋତାଲା ଘରଟା । କିଛି ସ୍ମୃତିର ରଙ୍ଗ ସଦା ସବୁଜ ସେମାନେ କିନ୍ତୁ ମୋ ମନରେ ଥାନ୍ତି । ଛାଇଛାଇଆ ଦେଖିଥିବା ସେମାନଙ୍କୁ ମୁଁ କୋଉ ଚିହ୍ନିଥିଲି ନା ଜାଣିଥିଲି। ମୁହଁ ବି ଦିଶି ନ ଥିଲା।ମୋ କଳ୍ପନା କିନ୍ତୁ ତାଙ୍କୁ ହଜେଇ ନ ପାରି ବିକଳ ଖୋଜା ଖୋଜୁଥିଲା ଯାହାର ଆବଶ୍ୟକତା ବିଲକୁଲ ନ ଥିଲା। । ମନୁଆମନ କୁ ବା କିଏ ପାରେ ! ରହଣୀର ଚାରିଦିନ ଯାକ ମୁଁ ସଂଜରେ ସାଗରକୁ ଭେଟିଲି । ସେଇ ଆଠ ରେ ଦଶ ବଖରାଟିର କନା ଲଗା ପରଦା ବାଟ ଦେଇ ଦିଶୁଥିବା ପୁରୀ ବେଶୀ କିଛି ବଦଳି ନ ଥିଲା। ସେଇ ବାଲିସାହି ନାଗାଥାଟ,ମିଠା ଦୋକାନର ପସରା, ତୀର୍ଥଯାତ୍ରୀ ଗହଳି, ଗହଳେ ପାଦ ଦେଉଳ ପଟକୁ ଆଉ ଗହଳେ ନୀଳପାଣିର ଗଭୀରତା ମାପିବାକୁ,ଖିର,ଖିରା,ସର,ପାପଡି,ଛେନା ଖଇ,ପୋଡ, । ଏଇସବୁ ତ ପୁରୀର ଅନନ୍ୟ ଆକର୍ଷଣ । ସମସ୍ତେ ତରବର, ସମସ୍ତେ ଉଚ୍ଛନ୍ନ। ସମସ୍ତେ କିଛି ପାଇବା ଆଶାୟୀ। ସମସ୍ତେ ଆଚମ୍ବିତ। ଦୃଷ୍ଟି ଘୁରୁଛି ଆମୂଳଚୁଳ ଗଳି, ଘର,ସାହି,କୋଠା,ବୁଲା ଗାଇଷଣ୍ଢ,କୁକୁର , ରାଜସ୍ଥାନୀ,ଦକ୍ଷିଣି,ବଙ୍ଗାଳି ପର୍ଯ୍ୟଟକଙ୍କ ଠୁ କେବଳ ନାକଚଣା ଝଲସାଇ ଅଳତା ଲଗା ହଳିପାଦ ସେବାୟତିଆଣିର ଦେଉଳ ବିଜେ। ଅନେକେ ତହିଁରେ ପୁଣି ସ୍ଥିର। ସାଧୁ,ସନ୍ଥ,ଯୋଗୀ,ଭୋଗୀ,ଲୋଭୀ,ପାପୀ,ତପି ,ପାଗଳୀ, ଦୁଃଖିରଙ୍କି ସମସ୍ତେ ଏଇ ମଧୁ କୁଣ୍ଡରେ ବୁଡ ଲଗେଇବାକୁ ଆଗଭର। ମୂହୁର୍ତ୍ତ ବି ଏଠି ଅପେକ୍ଷାରତ ଉଦ୍ଦେଶ୍ୟ ଥିଲା ସେଇ ପୁରୁଣା ଛବିଟି ଥରେ ଦିଶିଯାନ୍ତା କି ! ମୁଁ ପୁଣି ବଞ୍ଚି ଯାନ୍ତି ମୋ ଅତୀତକୁ। ଅତୀତ ଭୁତ ପରି । ପିଛା ଛାଡେନି ‌। ଆମେ ଅତୀତକୁ ଝୁରୁ। ହେଲେ ସେଇ ଅତୀତ ଯେବେ ବର୍ତ୍ତମାନ ଥିଲା ତା ମୂଲ୍ୟ ବା କେତେ ବୁଝିଥିଲେ? ବର୍ତ୍ତମାନରେ ହସି ନେଇ ପାରିଲେ ଜୀବନର ଜିତାପଟ ନୋହିଲେ ଭବିଷ୍ୟକୁ ଧରିବି ଧରିବି ହେଇ ସନ୍ତୁଳି ହବା କଥା। ଆଜି ପୁଣି ମତେ ଏ ସହର ଡାକି ଆଣିଥିଲା। ଏ ସହର ଡାକେ। ଡାକରା ନ ପାଇ ଏଠି ଘଡ଼ିଏ କେହି ନାହିଁ । ମୁଁ ପୁଣି ସେଇ ଲଜ୍ ବାଛିଲି ଯୋଉଠି କୋଡିଏ ବର୍ଷ ତଳେ ଥିଲି। ମତେ ଅତୀତର ଝୁଙ୍କ ଟିକେ ଝୁମାଇ ରଖେ । ଲଜ୍ ଠିକ୍ ମୋର ସମବୟସୀ ପରି ଦିଶୁଥିଲା। ହଲକା ଧୂସର। ଘରମାଲିକ ବୋଧେ ଚୂନ ଧଉଳା କରିବେ ବୋଲି ଭାବି ନାହାନ୍ତି ବିଗତ କେତେ ବର୍ଷରୁ । କାନ୍ଥ କହୁଛି। ଲଜ୍ ବଖରାର ସେଇ ଟୁଇଁ ଝରକା ଦେଇ ଦଲକାଏ ପବନ ଧସେଇ ପଶିଲେ। ଉପର ଘର ହେଲେ ଏଇ ଲାଭ। ସେମିତି ତ ଏଠି ପବନ ସମୁଦ୍ରେ ଲୁଣି ଅଂଶ କୁ ଜାକିଧରି ଗୁଳୁଗୁଳି କରାଏ । ହେଲେ ଏଇଟି ଦକ୍ଷିଣି ପବନ ନ ଥିଲା । ଦିଶୁଥିଲା ଶ୍ବେତ ଗଙ୍ଗାର ( ଲୋକ ଭାଷାରେ ଅପଭ୍ରଂଶ ହେଇ ଛେତେଙ୍ଗା) ଶିଉଳି ଗଭୀର ପାଣି ‌ସାଧ୍ବୀ କେହି ଜଣେ ସାଧନା ମଗ୍ନ ଥିଲା ପରି । ବଡ ଦେଉଳ ଠୁ ମହାସାଗର ମଝାମଝି ଏ ପୋଖରୀ । ଏଠି କାଳେ ଭାଗିରଥୀ ଗଙ୍ଗାଙ୍କ ଯାଏ ମାଟିତଳ ବାଟଟେ ଅଛି ।ସୁଢଙ୍ଗ କି? ଗଙ୍ଗା ଉଛୁଳିଲେ ଛେତେଙ୍ଗା ଧଳା । ଏଠି ବୁଡ଼ ପକେଇ ବୁଢ଼ୀ କାଳେ କଲିକତା କି ରୂଷିକେଷରେ ଉଠିଥିଲା ଆଉ ସେଠି ବୁଡ଼ ପକେଇ ପୁଣି ପୁରୀ ଲେଉଟିଲା । ସେଇ ଆମ ଗଙ୍ଗାମାତା।‌ ମନ ପବିତ୍ର ଥିଲେ ଗାଡିଆ ଗଙ୍ଗା ଲୋ ମାଆ। ବିଶ୍ବାସ ବଳେ କି ବା ଅସମ୍ଭବ । ସେଇଥିପାଇଁ ପରା ସଦା କାଳେ ଏ ପୁଷ୍କରିଣୀ ଜଳ ଟଳମଳ। କେତେବେଳେ ହେଲେ ଶୁଖିକି ଆଁ କରିବନି। ଏଠିକି ସାଧାରଣତଃ ଆଗେ କେବଳ ଶ୍ରାଦ୍ଧ,ପିଣ୍ଡ,ବୁଡ ଦଶ କାମ ସାରିବାକୁ ପୁରୀ ବାସିନ୍ଦା ସପରିବାରେ ଆସନ୍ତି। ନବଗ୍ରହ ଆଉ ଶ୍ବେତ ମହାଦେବ, ମତ୍ସ୍ୟ ମହାଦେବ ଦର୍ଶନ କରି ନିଜ ପରିବାରର ଗଲା ମଣିଷଟିକି ଶେଷ ବିଦାୟ ଦେଇ ଏକ ମୁହାଁ ଫେରିଯାନ୍ତି । ଏଠି ତ ଏବେ ତୀର୍ଥ ଯାତ୍ରୀଙ୍କର ବି ଭିଡ଼ ଜମୁଛି। ହ, ପୁରୀର ପଞ୍ଚ ମୁକ୍ତି ତୀର୍ଥରୁ ଗୋଟିଏରେ ପରା ଛେତେଙ୍ଗାର ନାମ ଲେଖା। ଆସିବେନି! ବଡ ବଡ ବରଗଦ। ହେଏଏଏଏଏ ଲମ୍ବ ଲମ୍ବ ଓହଳ। ଅନ୍ଧାରିଆକି ଘୋଡେ଼ଇ ରଖେ ପୋଖରୀର ଗୋଟେ ପଟକୁ। ସି ସି କରି ଖରାବେଳିଆ ପବନ ବହେ ଆଉ ପାଣି ଉପର ଅଙ୍ଗରେ ରେଖା ଆଙ୍କି ହୁଏ ଗୋଲେଇ ଗୋଲେଇ। କେତେ ଅଦୃଶ୍ୟ ସତ୍ତା ଭୁତ ହେଇ ବୁଲୁଥାନ୍ତି କିଏ ଜାଣେ । ପାଣି ମଝିରେ ଟିକି ମନ୍ଦିରଟିକୁ ଶିଉଳି ‌ଚଢି ଓଲ୍ହାଏ ପୁଣି ଓଲ୍ହାଇ ଚଢେ। କାଉଟିଏ ପୂର୍ବ ପୁରୁଷଙ୍କ ପରିଚୟ ଘେନି ଉପସ୍ଥିତି ଜାହିର କରୁଥାଏ ଏ ଡାଳରୁ ସେ ଡାଳ କା କା ରାବି ରାବି ।ମାଙ୍କଡ ମାଆଟିକୁ ଜାକି ଧରିଥାଏ ତା କୋଳପିଲା। ଆଉ ପଞ୍ଜେ ଖେଳୁଥାନ୍ତି ଗୋଡା ଗୋଡି। ପାଣିରେ କଇଁଛ କେତୋଟି ଖରାପୁଆଁ ଇଛ୍ଛାଧାରୀ ବେକଟି ମାନ ଟେକି ଧରୁଥାନ୍ତି ଥରକୁ ଥର । କଛପକୁ ତରକେଇବା ଲୋଭ ସମ୍ଭରଣ କରି ନ ପାରି ପାଣିକୁ କୁଦା ମାରି ଖେଦି ଯାଉଥାନ୍ତି ଲଙ୍ଗଳା ପିଲାରୁ ଗଣ୍ଡେ। ପାଣି ଚହଲି ଯାଉଥାଏ। ଗାଢ ହାଲୁକା ନୀଳଚକରି ବୁଲେଇ ହେଇ ଭଅଁର କାଟୁଥାନ୍ତି ପାଣି ଛାତି ଯାକ। ମାଛ ମାନେ ଠିକ୍ ତା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରୁଥାନ୍ତି ଅମ୍ଳଜାନ ଭୁଡୁ ଭୁଡୁ କରି । ମୁଁ ଝର୍କା ସନ୍ଧିରୁ ଉହୁକିଁ ଦେଖୁଥାଏ ଏ ସବୁ । କୁକୁରଟିଏ କଣ କେଜାଣି ଗୋଟେ ଖୋଜିଲା ପରି ଶୁଂଘି ଶୁଂଘି ପାହାଚ ଓଲ୍ହାଉଥାଏ ସଂତର୍ପଣରେ। ତାକୁ ପାଣିକୁ ଡର ଯେ । ଏ ଜୀବଟି କାଳେ ଦେଖିପାରେ ଆମ ପାଇଁ ଯାହା ଅଦୃଶ୍ୟମାନ। ହେଇପାରେ ସେମିତି କାହାର ପାଦଚିହ୍ନକୁ ଚିହ୍ନୁଛି ସିଏ ।ହେଇପାରେ ସେ ଲୋକ ତାକୁ ଖାଇବାକୁ ଗଣ୍ଡେ ଦେଇଥିବ କେବେ ଥରେ ନିଜର ଜୀବଦ୍ଦଶାରେ। ଏବେ ଏବେ ସରକାର ଧଳା ହଂସ ବତକ ମିଶା କରି ଆଠ ଦଶଟି ଏଇଠି ଛାଡିଛନ୍ତି।ନୂଆ କିଛି ଅର୍ଣ୍ଣାମେଣ୍ଟାଲ ଗଛ ଲଗେଇଛନ୍ତି। ହଁ ହଉ ।ଭଲ ଭାବିଲେ କଲେ । ହେଲେ ଏଠିକି ସାଧାରଣତଃ ଦୁଃଖ କା୍ନ୍ଧିଆ ମଣିଷ ଆସେ। ନୁଆଁଣିଆ ସେ କାନ୍ଧ ତ ଭାରବୁହା। ଆଖି ଉଠେଇ କୋଉଠି ସୈନ୍ଦର୍ଯ୍ଯ ସୁଖ ଯୋଜନା କଥା ଦେଖିବ ବା ସିଏ ! ବିଡମ୍ବନା। ବିଡମ୍ବନା। ଏତେ ନୀରବତା । ଖାଁ ଖାଁ ଲାଗୁଥିଲା ଖରାବୋଳା ଚାରିପଟ ଏବେ। ମୁଁ ଏମିତି ଏପଟ ସେପଟ ଦୀର୍ଘ ଶ୍ଵାସ ଗଣୁ ଗଣୁ ସୂର୍ଯ୍ୟ ଯାଇ ଘଡି ମଝିରେ ହେଲେଣି । ମୋ ହାତ ଘଣ୍ଟା କହିଲା ଏକ ପଇଁଚାଳିଶି। ଆଉ ଲଜ୍ କାନ୍ଥ ଘଣ୍ଟା କହିଲା ଏଗାର ପଇଁଚାଳିଶି। ଧେତ୍।କୋଉ ଗୋଟିଏ ଘଣ୍ଟା ତ ମିଛ କହୁଛି। କାହାର ତ ଗୋଟେ ସମୟ ଅଟକି ଯାଇଛି।କାରଣ ତେଣିକି ଯାହା ହେଉ। ମୁଁ ମନ ପକଉଥିଲି ସକାଳ ଜଳଖିଆ ଖାଇଛି ତ ! ଆସିଥିଲି ତ ଦି ଦିନର କାମ ପାଇଁ ଆଉ ଚାରିଦିନ ଛୁଟି ଗଡେଇ ଆଣିଥିଲି ନିଜ ସହ ଏ ସହର ସହ ଭୋଗିବାକୁ ଓ ତିଆରିବାକୁ ସ୍ମତି। କେବେ କେବେ କାମ ଗୋଟେ ବାହାନା ପରି ଲାଗେ। ଆଜି ମୋ ରହଣି ର ଶେଷ ଦିନ ଥିଲା ଓ ମୁଁ ଠିକ୍ କରିଥିଲି ଆଜି ଅଳସରେ ଦିନ ସାରି ରାତିରେ ଟ୍ରେନ ଧରିବି । ଦିନରେ ଦିହିପହର ଧୂପ ଉଠିଲେ ମନ୍ଦିର ବେଢା ଆନନ୍ଦ ବଜାରରେ ଯାଇ ଅବଢା ଖାଇବି। ସେଇଠି ଅଗି କଦଳି ପତ୍ର ଉପରେ ଲଙ୍କାଲୁଣ ଘୋଟି ଅବଢା,ବାଡିଆ ଡାଲମା ଖାଇବାର ମହତ୍ତ୍ଵ ଓ ମଜା ଭିନ୍ନ । କିନ୍ତୁ ଶ୍ବେତଗଙ୍ଗା ମତେ ଛାଡିବାକୁ ଯେମିତି ରାଜି ନଥିଲା। ମୁଁ ତା ନୀଳପାଣିର ମାୟାରେ ପଡିଗଲି । ଯୋଗକୁ ମୁଁ ଯୋଉ କାମରେ ଆସିଥିଲି ସେ କାମ ଆଉ ଦି ଦିନ ଲାଗିବ ବୋଲି ଅଫିସ ବାଲାଏ କହିଲେ । ପୁରୀ ମାଟିକୁ ଆସିବ ଜଗା ଇଚ୍ଛାରେ,ଯିବ ଜଗା ଇଛ୍ଛାରେ‌ ପରା । ଆଉ ଦି ଦିନ ଅଧିକ ମିଳିବାକୁ ମନ ପବନ ଡଙ୍ଗାରେ ଆହୁଲା ମାରିଲା। ପୁରୀ ଭଳିଆ ଜାଗା ପୁଣି ଏକା। ଆଃ ! ମଉଜ କଣ ଆଉ କୋଉଠି ଥାଏ ! ମନ ଖୁସ୍। ସ୍ତ୍ରୀ ଫୋନ କରୁଥାନ୍ତି କାଇଁ ଫେରିଲିନି ବୋଲି ।ମନ ହେଲା କହିବି," ଆସିବି, ଟିକେ ଅପେକ୍ଷାରେ ଥାଅ।ସଜାଅ ନିଜ ମନ ଜୀବନ ଖାସ୍ ମୋ ପାଇଁ ।‌" ହସ ଲାଗିଲା ନିଜ ବାଚଳାମି ଭାବି। ଜୋର୍ ହସ ଲାଗିଲା । ହସିଦେଲି ରୋକି ନ ପାରି । ସୁମିତ୍ରା ସେପଟୁ ପଚାରିଲେ," କଣ ଏମିତି ପାଗଳଙ୍କ ଭଳିଆ ହସୁଛ ମ ? ପଚାରୁଛି ପରା କେବେ ଆସିବ? ସାଙ୍ଗରେ କିଏ ଅଛି ନା କଣ ? ମନ ଏତେ ଫୁଲାଣିଆ ଧରିଛି ଯେ ।କିଏ ଅଛି? " ଉଫ୍! ଏ ଝିଅ ମାନେ ନା ଚିରକାଳ ସନ୍ଦେହୀ। ହସିଲେ, କାନ୍ଦିଲେ,ନୀରବ ରହିଲେ ସବୁ ଥିରେ ପ୍ରଶ୍ନବାଣ,ଭୁ କୁଞ୍ଚନ । ଭଲ କଲେ ମନ୍ଦ । ଭାବେ ଏ ଝିଅ ସବୁ ଈଶ୍ୱର କେମିତି ବେଳାରେ ଗଢିଥିବେ କେଜାଣି ! ବୋକି ଯେ ବୋକି, ଯେମିତି ସରଳ ସେତିକି ବୁଦ୍ଧିମତୀ । ଏମାନଙ୍କୁ କଥା କହିଲେ ଫସିବ,ନ କହିଲେ ବି ।ଦି ଆଡୁ ବିପଦ ତମର । ହା ହା। କହିଲି," ନା ନା କିଛି ନାହିଁ। କେହି ନାହିଁ। ଆସିବି ଶିଘ୍ର। କାମ ଟିକେ ଘୁଞ୍ଚି ଗଲା ତ ।ସାରିକି ଆସିବି।" ହଁ ହଁ ପୁରୀ ଗଲେ ତମର ଆଉ ଫେରିବାକୁ ମନ ଡାକେନା। ଆମକୁ କେତେବେଳେ ଥରେ ଅଧେ ନେଲେ ହନ୍ତିନି, ଅଭିମାନ ମିଶା ସ୍ବର ବାଢିଲେ ପତ୍ନୀ। ହଉ ହେଲା ଆସିବା ଆଉ ,ଇଏ ଗୋଟେ କଥା ! ଆର ଥରକୁ ନିଶ୍ଚେ , ଏତିକି କହି କଥା ସେଇଠି ସାରିଲି ମୁଁ । ‌ସଂଜ ନୋଇଁବ ନୋଇଁବ ହେଉଥିଲା ତା କମଳା ଛାତକୁ ଧରି । ମୁଁ ସମୁଦ୍ର ଯିବି ଭେଟି ଆସିବି ନିଳାଭ ଉର୍ମିମାଳାର ଗଳ୍ପ ବଖାଣୁଥିବା ବାଲୁକାବନ୍ତକୁ ବୋଲି ଭାବିଥିଲି ହେଲେ ପାଦ ମାନେ ଭିନ୍ନ ମୋଡ଼ ନେଲେ । ଘଟଣା ମାନେ ତାଙ୍କ ନିଜ ପାରିଧି ନିଜେ ସ୍ଥିର କରି ରଖିଥାନ୍ତି ।ଆମେ‌ କେବଳ କାଠ କଣ୍ଢେଇ। ଟୁଙ୍ଗୁ ଟୁଙ୍ଗୁ କରି ନାଚିବା କଥା ସମୟ ଇଶାରାରେ ଅଣ୍ଟା ନଚେଇ । ସବୁ ତ ଲେଖେଇ ଆଣିଛେ ପରକୁ ପର , କାହାକୁ ବା ହେବ ବଦଳାଇ ! ମୁଁ ନିଜକୁ ଶ୍ବେତ ଗଙ୍ଗାର ପାହାଚରେ ପାଇଲି । ମହାକାଳ କାହାଣୀ ଲେଖେ ।ଆମକୁ ଚରିତ୍ର କରି ଗୋଟି ଖେଳେ । ଚାରିପଟେ ଲୋକ। କିଏ କାନ୍ଦୁଛି ,କିଏ ଲୁହ ପୋଛୁଛି,କିଏ ବୁଡ଼ ପକଉଛି ,ତ କିଏ ନୂଆ ଲୁଗା ଗୁଡଉଛି । କିଏ କିଏ ଗପସପ ତ ଅନ୍ୟ କିଏ ହସଖୁସି ବି କରୁଛନ୍ତି । ମନସ୍ଥିତି, ପରିସ୍ଥିତି କୁ ନେଇ ଛବି ବଦଳେ । ବଦଳୁଥିବ। ମତେ ଏଠି ସମୟ ଆଣି କାଇଁ ବସେଇଛି ଏ ଅବେଳଟାରେ ଭାବିବା ଆଗରୁ ମୋ ଦୃଷ୍ଟି ମତେ ଦେଖେଇଲା ଠିକ୍ ବିପରୀତ ଦିଗର ପାହଚ ଥାକରେ ଏକୁଟିଆ ବସିଥିବା ହଳେ ପାଦ । ମୁଁ ବସିଥିବା ପାହଚର ଠିକ୍ ବିପରିତେ। ହଳେ ଲାଲ୍ ଅଳତା ବୋଳା ପାଦ , କାଚଶିଶି କେମିତି ଢାଳି ଗଲା କେଜାଣି ? ପା'ତଳୁ ବି ବୋହୁଛି ରଙ୍ଗ । ଦେବୀ କି ? କିଏ ବା ହେଇପାରେ ଏ ଭୂଲୋକେ ଏତେ କମନୀୟ? ଏତେ ଉଦାସୀ? ପାଦରୁ ମୁଁ ଦୃଷ୍ଟି ତୋଳି ଉପରକୁ ଚାହିଁଲି । ମୁଖ ଶୋଭାକି ଦର୍ଶନ କରନ୍ତି ଭୟାତୁର ହେଲି । ଅଳିକ ପାର୍ଥିବ କିଛି ପାଇଁ ଦେବୀଟିଏ କି ଭୁପତିତ ଦୃଶ୍ୟମାନ ହୋଇପାରେ? ମୋ ପ୍ରଶ୍ନ ମତେ ଦୋହଲାଇ ଦେଉଥିଲା । ମୁକ୍ତ କୁନ୍ତଳମାଳା ତଳେ ଚେହେରା ଦେଖିବା ଅସମ୍ଭବ ହେଉଥିଲା । କେଜାଣି କେଉଁ ଦୁର୍ବାର ଆକର୍ଷଣ ମତେ ଟାଣି ଟାଣି ନେଲା ମୁଁ ନିଜକୁ ତାଙ୍କ ସନ୍ନିକଟେ ଆବିଷ୍କାର କଲି । ତାଙ୍କ ମୁଖ ଶ୍ରୀ ମଳିନ ଥିଲା ବୋଲି ସଠିକ କହିବା ଠିକ୍ ହେବନି। ତାଙ୍କ ଆଖିରେ ପ୍ରେମ ଥିଲା, ବିଶ୍ବାସ ଥିଲା ଆଉ ସେ ବିଶ୍ବାସକୁ ଅପେକ୍ଷା ବି ଥିଲା । ମୋ ହୃଦୟ ବାପୁଡା ଏତେ କଥା ବୁଝେ ବୋଲି ତ ଏତେ ଲହୁ ଝରାଏ । ସିଏ ସେମିତି ମୁହଁ ଝୁଙ୍କେଇ ବସିଥିଲେ ।ବୟସ କେତେ ବା ହବ ମୋର ଅନୁମାନ ପାଉନଥିଲା । ନାରୀ ମାନଙ୍କୁ କିଏ ମାପି ପାରିଲାଣି ନା କଣ ! ନୀରବତାକୁ ପିନ୍ଧି ନେଇଥିଲେ ଯେମିତି ସିଏ ।କିଏ ଆସି ପାଖରେ ବସିଛି ସେତକ ଦେଖିବାକୁ ବି ହୋଶ ନ ଥିଲା । ଅସଂପୂର୍ଣ୍ଣତା ବୋଲି କିଛି ହିଁ ନ ଥିଲା ସେଠି କିନ୍ତୁ ସିଏ ମତେ ଶୂନ୍ୟ ବୋଧ ହେଉଥିଲେ । ମୁଁ ସାହାସ କୁଳେଇଲି ଓ ପଚାରିଲି ," ମୁଁ ମୁଁ ସୁକେଶ। ଏଇ ପାଖ ଘରଟିର ଉପର ବଖରାରେ ରହେ । ( ଆଙ୍ଗୁଳି ତୋଳି ଘର ଝରକାଟି ଦେଖେଇବାର ପ୍ରୟାସ କଲି ) ନା ‌ନା ମାନେ ଏବେ ଅଛି ।ଦୁଇଦିନ ହିଁ ରହିବି ..... " ମୋ ନିଜ ପରିଚୟ ହିଁ ମତେ ଅଶରୀରିର ସ୍ବର ପରି ଶୁଭୁଥିଲା । ସିଏ ଟିକେ ବି ହଲଚଲ ହବା ଦିଶିଲାନି। ଆଗ୍ରହ କଥା ଛାଡ । ପୁଣି ନିରବତା ତା ରାଜ୍ୟ ଅଧିକାର କଲା ।‌ ମୁଁ ପରିସ୍ଥିତିକୁ ଯେତେଥର ସରଳ କରିବାର କଥା ଭାବିଲି ସେତେଥର ମୋ ଗୋଡ଼ କିଏ ଟାଣିଲା । ମୋ ନିଶ୍ବାସ ମତେ ହିଁ ଓଜନିଆ ସାପଟେ ପରି ସଁ ସଁ ହେଇ ଶୁଭିଲା ।‌ତଥାପି ମୁଁ ସାହାସ କଲି । ଏଥର ଜୋର୍ କରି ପଚାରିଲି," କେତେ ବେଳୁ ଦେଖୁଛି ଆପଣ ଏଇଠି ଏକା ବସିଛନ୍ତି । ପଚାରିଲେ କିଛି କହୁନାହାନ୍ତି। କଥା କଣ ? କିଏ ଅଛନ୍ତି ସାଙ୍ଗରେ ? କୁହନ୍ତେ ଯଦି ମୁଁ କିଛି ସାହାଯ୍ୟ କରି ପାରନ୍ତି ‌। " ଏଥର ତାଙ୍କ ଓଠ କୋଣରେ ଦ୍ବିତୀୟା ଜହ୍ନ ପରି କୋଣିକିଆ ହସଟେ ଦିଶିଲା ଆଉ ମେଘ ଢାଙ୍କି ହେଲା ପରି ମଉଳିଗଲା। ପାଣିର ଉପର ପରସ୍ତ ହଲଚଲ ହେଲା ।ଛାଇ ଦିଟିକୁ ଓଲଟ ଶୁଆ ପରି ଧରିନେଇ ପାଣି ହସିଲା ଗୋଟେ ମାୟାବୀ ହସ ।‌ ରାତିଚଦରକୁ ଘୋଡେଇ ଦେଇ , ସଞ୍ଜ ଚୁପ୍ କରି ଚାଲି ଯାଉଥିଲା ମାଆ କୋଳକୁ । ସହର ସଞ୍ଜକୁ ଆଉ ଘଡିଏ ଧରି ରଖିବାର ଚେଷ୍ଟା କରୁଥିଲା । ଆମେ ସେଇଠି ସେମିତି ପଥର ମୂର୍ତ୍ତି ଦିଟି ପରି ବସିଥିଲୁ।ଲୋକେ ଦୂରରୁ ଆମକୁ ପ୍ରେତ ଛାୟା ବୋଲି ଯେ ନ ଭାବୁଥିବେ କିଏ କହିବ । ମୁଁ କାହିଁକି କେଜାଣି ଏଠି ଅଠା ଢାଳି ବସିଛି ନିଜେ ବୁଝିପାରୁନି। ହଲୁନି ଚଙ୍କୁନି ଟିପେ ହୋ । ମୋ ବାପାର କଣ ଯାଉଛି କେଜାଣି ? ଶେଷ ଚେଷ୍ଟା ରଖିବି ଭାବିଲି । ପଚାରିଲି," ଅନେକ ହେଲା । ବାସ୍। ଏବେ ଆପଣ କିଛି କହିବେ ? ନା ମୁଁ ବାହାରି ଯିବି । ମୋ ଧର୍ଯ୍ୟ ବନ୍ଧ ଭୁସୁଡିବା ଉପରେ । " କୈାଣସି ପ୍ରତିକ୍ରିୟା ପାଇଲିନି କେବଳ ଏଇ ଝୁରଝୁରି ପବନଟେ ଫୋଡିହେଇ ବହିଗଲା ମୋ ପିଞ୍ଜରା ଦେଇ । ଟିକେ ଭୟ ଲାଗିଲା।ଆମ ଦୁହିଁଙ୍କୁ ଛାଡି ଆଉ ଚାରୋଟି କୁକୁର ଥିଲେ ସେଠି ଚାଲବୁଲ ହେବାକୁ । ବତକ,ମାଙ୍କଡ , ଓ ମାଛତକ କୁଆଡେ ଶୋଇପଡିଲେଣି । କଇଁଛ ମାନେ ପିଠିରେ ପାଣିର ବୋଝ ବୋହି ପାଣି ତଳେ ଘାଲେଇଲେଣି । ଝିଁ ଝିଁ ଗୀତ ଶୁଭୁଛି ଝିଙ୍କାରିଙ୍କ । ଭୟଙ୍କର ସଂଗୀତର ବି ଏକ ସ୍ବର ଥାଏ । ଏକ ତାଳ ଥାଏ । ମୁଁ ଦୀର୍ଘ ଶ୍ଵାସ ନେଲି । ଆଣ୍ଠୁରେ ଭରା ଦେଇ ଉଠିଲି ଆଉ ବାହାରଲି। ଆସ୍ତେ କି ଶୁଭିଲା ," ରୁହନ୍ତୁ ! କହିବାକୁ ହି ହେବ ତେବେ? କିଛି କଥା ନ କହି କଣ ରହିହୁଏନା ଏ ସଂସାରରେ? ସବୁ କଥା ଖୋଲି କହିଦେବାକୁ କେବେ ଶବ୍ଦ ନ‌ଥାଏ ତ କେବେ ଧର୍ଯ୍ୟ ! ତେବେ ବି ଘେରେଇ ହେଇ ରହିବାକୁ ହୁଏ ପ୍ରଶ୍ନ ବାଣରେ । ନିସ୍ତାର କାହିଁ ! ଏତକ କହି ବୋଧ ହୁଏ ସେ ଦୀର୍ଘ ଶ୍ଵାସ ଟିଏ ନେଲେ । ଗଛର ପତ୍ର ମାନେ ଆକସ୍ମିକ ଭାବେ ଥରି ଉଠିଲା ପରି ଲାଗିଲା । ଏ ପୃଥିବୀ କଣ ଏତେ ନିଷ୍ଠୁର ସେତିକ ପ୍ରମାଣ କରିବାକୁ ଏତିକ ଯଥେଷ୍ଟ ଥିଲା । ଘଡିଏ ବି ନୀରବରେ କାଟିବାକୁ ଯୁଗଟେ ଖସି ପଡେ । ଏତେ ସମୟ ଦେଇ ମତେ କେହି ବୁଝିବାର, ପଚାରିବାର ଆବଶ୍ୟକତା ମନେ କରି ନାହାନ୍ତି ତ , ସ୍ବଳ୍ପ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆପଣ ତ ନିଜର ବି ନୁହନ୍ତି। ତେବେ ଏ ଆଗ୍ରହ କାହିଁକି ? କ୍ଵଚିତ ମଣିଷର ବୁଦ୍ଧି ପରିସୀମା ପାରି କରିପାରେ ଅଦୃଶ୍ୟମାନ ସୀମାରେଖାକୁ । ନ ଶୁଭୁଥିବା ନ ଦିଶୁଥିବା ଅସ୍ତିତ୍ବ ମାନେ‌ ଅହରହ ସଚେତନ। ସିମୀତତା ଅନେକ ଘଟଣାକୁ ଲିପିବଦ୍ଧ କରିପାରେନା। ମତେ ଏତେ ଗହିର କଥାଲଥା ସିନା ଅବୁଝା ପଡୁଥିଲା ହେଲେ ସ୍ବରରେ ତାଙ୍କର ଗମ୍ଭୀର ଭାବ‌ ସହ‌ କଷ୍ଟଟେ ମତେ କୋଉଠି ନା‌ କୋଉଠି ଭେଦୁଥିଲା, ଏଥରେ ଦ୍ବିମତ ନାହିଁ । ତା ସହ ବୋହୁନଥିବା ଜମାଟବନ୍ଧା ଲୁହର ଉଷୁମ ଧାସ ମତେ ଜ୍ବଳନର ଅନୁଭବଟେ ବାଢୁଥିଲା । କଥାର କାନି ଲମ୍ବୁଥିଲା । ସିଏ ପଢୁଥିଲେ ତାଙ୍କୁ ଜୀବନ ଦେଇଥିବା ଫୁଲ ଓ କଣ୍ଟାର ଗଳ୍ପ ଫର୍ଦ୍ଦ ଫର୍ଦ୍ଦ କରି । ମୁଁ ବୁଝୁଥିଲି,ଶୁଣୁଥିଲି କି ନା ବୋଧେ ତାଙ୍କର ଖାତିର୍ ନଥିଲା ।କିଏ କେତେ କେମିତି ଖଞ୍ଜି ଦେଇଥିଲେ ତାଙ୍କ ତମାମ ଜୀବନର ରୂପରେଖ ସିଏ ତୋଳି ଧରିଥିଲେ ମୋ ଆଗରେ ପ୍ରଗଳ୍ଭ ହୋଇ .......... ମୁଁ ସଚେତରେ ଥିଲି କି ନା ଜାଣେନା କିନ୍ତୁ ତାଙ୍କ ସ୍ପନ୍ଦନ ମତେ ସଜାଗ କରି ରଖିଥିଲା । ମୁଁ କାନ୍ଦୁଥିଲି ଅବୋଲକରା ଲୁହ ମାନଙ୍କୁ ନ ରୋକି ।ପୁଣି ହସିଦେଉଥିଲି ତାଙ୍କ ତାଳରେ ଢେଉ ମିଶେଇ । ଧିରେ ଧିରେ ତାଙ୍କ ସ୍ବର ବିଷାଦକୁ ଘେରିଲା ...... ସିଏ କହିଲେ କୁହନ୍ତି ପରା ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା ...... କାଇଁ ମତେ ତ ହେଲାନି ଏଠି ? ଜାଣିଛ କି ଉତ୍ତର ହେ ପଥିକ ! କଣ ଖୋଜୁଥିଲେ ଆପଣ ? -ମୋକ୍ଷ ! -ହେଲେ ଜୀବିତାଅବସ୍ଥାରେ କିଏ ମୋକ୍ଷ ଚାହେଁ ? ତା ପରେ ମୋକ୍ଷ ଧାମରେ ମୋକ୍ଷ ବା କି ଅଲଭ୍ୟ ବସ୍ତୁ ଭଲା । - କିଏ କହିଲା ମୁଁ ଜୀବିତ ବୋଲି ? ଆପଣ ବୋଧେ ଏ ଯାଏ ଭ୍ରମରେ । ମୁଁ ସ୍ତମ୍ଭିଭୂତ ହେଲି । ବର ଓହଳ ସବୁ ଜଡେଇ ଧରିଲେ ସତେ ମୋ ପାଦକୁ । ବୋଧ ହୁଏ ମତେ ଭାରି ଡର ଡର ଲାଗିଲା ।ପାଦ ଚଳିଲେ ତ ଉଠିବି ଜଳବାୟୁରେ ପାଣି ନ ଥିଲେ ନା ନଡିଆ ପରି ଟାଣଫଳକୁ ବି ଭୁତ ଖାଇଯାଏ। ତାକୁ ଯେ ଧୋଇ ଶୁଖେଇ ଖୁରୁଡ ପାତ କରିହେବ କି ତେଲ ବାହାରିବ କିଏ ଭାବେ କଣ । ଭୁତଖିଆ ଫଳ ନଳାକୁ ଯାଏ........ । ବୋଧେ ଏମିତି କିଛି ଏଣୁ ତେଣୁ କିଏ କହିବା ପରି ମତେ ଲାଗୁଥିଲା । ମୁଁ ଅନ୍ୟ କିଛି ଭାବୁନଥିଲି । କେବଳ ମାଟିରୁ ଗୋଡ ଛଡେଇବା ଛଡା । -ଏହି ଭୁମଣ୍ଡଳିୟ ନାଟ୍ୟଶାଳାରେ ଭଗବାନ ତାଙ୍କର ସନ୍ତାନ ମାନଙ୍କୁ ଉଭୟ ଅଭିନେତା ଓ ଦର୍ଶକ କରି ସେଇମାନଙ୍କର ଆନନ୍ଦ ପାଇଁ କଳ୍ପନାତୀତ ଚତୁରତାର ସହ ଏକ ଅତିବିରାଟ ନାଟକ ମଞ୍ଚସ୍ଥ କରିଛନ୍ତି । ନୁହେଁ ! ସେ ନାଟକ ଏତେ ବିରାଟ ଲେଖା ଯେ ସେଥିରେ କେଉଁ ଚରିତ୍ର କେତେ ବେଳେ ଯୋଡି ହେଇ କେତେ ବେଳେ ହାତ ଖସେଇ ଚାଲିଯାଏ ବୁଝାପଡେନି । ବଡ ମୁସ୍କିଲ ଏ ପାଟି ଗଣିତ ହିସାବ କରିବା ଯାହା କୁହ ।ଆଉ ଇଏ ତ ପୁରୀ ସହର ।ଏଠି ତ ସବୁ ବିଚିତ୍ର । ହଠାତ୍ ମୋ ଅନ୍ୟମନସ୍କତାକୁ ଠେଲିଦେଇ ମୋ କାନ ଶୁଣିଲା ମୁଁ ଠିଆ ହେଇଥିବା ଯାଗାର ବିପରୀତ ଦିଗରୁ କିଏ ଜଣେ ହଲ୍ହା କରି କହୁଛି .... ତା କାନ୍ଧ ଗାମୁଛାକୁ ପବନରେ ବାଡେଇ ଉଡେଇ ପ୍ରଖର ଗତିରେ ପାଦ ବଢେଇ ହନୁମନ୍ତ ପରି ହୁମ୍ ହୁମ୍ କରି ଚାଲିଯାଉଛି । " ଏ ହେ ହେ କିଏସେ ସେପଟେ..... ଏତେ ରାତିରେ? ମଣିଷ ପିଲାଟି? ମୁଣ୍ଡ ଦୋଷ ଅଛି କିରେ ? କଣ ମରିବ ନା କଣ ! ଭାଗ ଭାଗ ଏଠୁ। ପଳାଃ ପଳାଃ ଯଃ ପଳାୟତି ସ ଜୀବତି ହୋ ମଣି !!! ପଳାଃଆଆଆଆ........ ଆଉ ମୁଁ କି ପଛକୁ ଚାହେଁ .... ଯନ୍ତ୍ରବତ୍ ଆଗେଇଗଲି । ରାତି ଚଟିଆ ମାନଙ୍କ ଫଡ ଫଡ ପଛରୁ ଗୋଡଉଥାଏ ଯେମିତି । ------ ଲୋପାମୁଦ୍ରା ପରିଡ଼ା ପାନାଥୁର ବାଙ୍ଗାଲୋର


Rate this content
Log in

Similar oriya story from Action