ଭୋଜିଖିଆ
ଭୋଜିଖିଆ


ଜଙ୍ଗଲଟା ସାରା ଆଜି ଉତ୍ସବମୁଖର ।ଗତକାଲି ବିଲୁଆନନାଙ୍କ ପୁଅ ଚତୁରାର ଥିଲା ବାହାଘର ।ନଈ ସେପାରି କୋକୀ ଅପାର ଝିଅ ଶିଆଳି ଆଜି ଏଠାକୁ ବୋହୂ ହୋଇ ଆସିବ ।
ବନ୍ଧୁବାନ୍ଧବଙ୍କ ଆଗମନରେ ନନାଙ୍କ ଘରଟା ପୂରି ଉଠୁଛି ।ପୁଷି ମାଉସୀ, ବଗୁଲୀ ନାନୀ, ନେଉଳ ଭାଇ, ସୁନେଲି କଙ୍କି, ଭାଲୁ ମଉସା ଆଉ ହନୁଅଜା ସଭିଏଁ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଗଲେଣି ।ପିଲାମାନେ ଅଡ଼ି ବସିବାରୁ ବଗୁଲୀନାନୀ ଓ ପୁଷିମାଉସୀ ତାଙ୍କୁ ସାଥିରେ ନେଇ ଆସିଛନ୍ତି
ରୋଷେଇ ପ୍ରାୟ ସରିଆସିଲାଣି ।ମାଣ୍ଡିଆ ଜାଉ ସାଙ୍ଗକୁ କଙ୍କଡ଼ା ଝୋଳ, ପୁଣି ତହିଁକି ଲୁଣି ଶୁଖୁଆର ଭଜା ଆଉ ସରୁ ଚିଙ୍ଗୁଡ଼ିର ରାଇ ।ଆଃ, ବାସ୍ନାରେ ଚଉଦିଗ ଚହଟି ଉଠୁଛି ।
"ହେଇଲୋ, ଢୋଲ ମହୁରୀ ଶୁଭିଲାଣି; ବର କନିଆ ଆସି ଗଲେଣି କି କ'ଣ ! ଚାଲ, ଚାଲ ବୋହୂକୁ ବନ୍ଦାପନା କରି ଘରକୁ ନେଇ ଆସିବା ।" ଓଢଣାକୁ ଟିକେ ଆଗକୁ ଟାଣିଦେଇ ପୁଷିମାଉସୀ କହିଲା ।
ସମସ୍ତେ ଆସି ଦେଖନ୍ତି ତ ବୋହୂର ସବାରି ଆସି ଦାଣ୍ଡଦୁଆରେ ।ପଛରେ ଜିନିଷପତ୍ର ସହ ଭାର ବୁହାଳୀଦଳ।
ଏଥର ଦୀପ ଜଳାଇ, ହୁଳହୁଳି ପକାଇ, ବନ୍ଦାପନା କରି ବୋହୂକୁ ଘରକୁ ନିଆଗଲା ।ବୋହୂର ଭାର ସବୁକୁ ଆଣି ବୁହାଳୀମାନେ ଅଗଣାରେ ଥୋଇଲେ ।ଭାରରେ ଆମ୍ବ, ପଣସ, କଦଳୀ, ଡାଳିମ୍ବ, ପିଜୁଳି ସହିତ ଶିଆଳିର ଲୁଗାପଟା, ସ୍ନୋ, ପାଉଡର, ଟିକିଲି, ଅଳତା ଏବଂ ଆହୁରି କେତେ କ'ଣ ।ଦେଖଣାହାରୀ ଖୁସିରେ ଏ ସବୁ ଦେଖୁଥା'ନ୍ତି ।ସବୁରି ତୁଣ୍ଡରେ ଗୋଟିଏ କଥା- "ଚତୁରା ସୁନାନାକୀ ବୋହୂଟିଏ ପାଇଚି ।"
ଦୁଇପକ୍ଷ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପରେ ଭୋଜିଖିଆ ପର୍ବ ଆରମ୍ଭ ହେଲା ।ହନୁଅଜା ସବୁ ପଶୁପକ୍ଷୀମାନଙ୍କୁ ଧାଡ଼ିରେ ବସାଇଲେ ।କୁରେଇ ପତ୍ରର ଖଲି ଓ ଚଉପତିରେ ଭୋଜି ପରଷା ଗଲା ।ସମସ୍ତଙ୍କ ଖାଇବା ପିଇବା କଥା ନିଜେ ବିଲୁଆନନା ବୁଝୁଥା'ନ୍ତି ।
ତେଣେ ନୂଆବୋହୂ ସହ ଖୁସି ଗପ କରୁକରୁ ପୁଷିମାଉସୀ ଓ ବଗୁଲୀନାନୀ ନିଜ ଖାଇବା କଥା ଭୁଲି ଯାଇଥିଲେ ।ପିଲାଙ୍କ ଠାରୁ ଭୋଜିର ପ୍ରଶଂସା ଶୁଣି ଖାଇବା କଥା ମନେ ପଡ଼ିଲା ।
ବିଲୁଆନନାଙ୍କ ଘରଣୀ ସେମାନଙ୍କ ପାଇଁ ଖାଇବା ସେଠିକୁ ମଗାଇଲେ । "ଆମେ ଖାଇ ସାରିଛୁ, ଆଉ ଜମା ଖାଇବୁନି, ପେଟରେ ଜାଗା ନାହିଁ" ବୋଲି ପିଲାମାନେ ଯେତେ କହିଲେ ମଧ୍ୟ ପୁଷିମାଉସୀ ଓ ବଗୁଲୀନାନୀ ଆଦୌ ଶୁଣିଲେନି ।
ପୁଷିମାଉସୀ ଫିସଫିସ କରି ତା' ପିଲାମାନଙ୍କୁ କହିଲା, "ଆରେ, ଖାଇଲ ତ କ'ଣ ହେଲା ? ଏଡ଼େ ସୁଆଦିଆ ଦରବ କ'ଣ ଘରେ ମିଳିବ ? ବିନା ପରିଶ୍ରମରେ ଏ ସବୁ ମିଳୁଛି, ଛାଡ଼ିବା କାହିଁକି ? ଆସ ।"
ମା' ବାଧ୍ୟ କରିବାରୁ ଅନିଚ୍ଛାସତ୍ତ୍ୱେ ପିଲାମାନେ ଖାଇ ବସିଲେ ।ମନାକଲେ ବି ମାଆ ଦୁହେଁ ପିଲାଙ୍କୁ ବଳେଇ ବଳେଇ ଖୁଆଇଲେ ।
ଭୋଜିଖିଆ ସରିବା ପରେ ନିମନ୍ତ୍ରିତ ଅତିଥିମାନେ ବିଲୁଆନନାଙ୍କୁ ମେଲାଣି ମାଗି ଆପଣା ଘରକୁ ବାହୁଡ଼ିଲେ ।ନନାଙ୍କ ଘରଣୀ ବହୁତ କହି ଅଟକାଇବାରୁ ବଗୁଲୀନାନୀ, ପୁଷିମାଉସୀ ଓ ସୁନେଲି କଙ୍କି ସେଦିନ ସେଇଠି ଅଟକିଗଲେ ।
ଦିନ ଯାଇ ରାତି ହେଲା ।ଭୋଜି ଯାହା ବଳିଥିଲା କେତେଜଣ ତାହାକୁ ଖାଇ ଶୋଇଲେ ।ଦୁଇଘଡ଼ି ଯାଇଛି କି ନାହିଁ, ପୁଷିମାଉସୀ ଓ ବଗୁଲୀନାନୀଙ୍କ ପିଲାମାନେ ଉଠି ପଡ଼ି ଚିଲେଇଲେ, "ମାଆ ଲୋ ମରିଗଲୁ, ପେଟ ଭୀଷଣ କାଟୁଛି, କିଛି ଗୋଟେ କର ।" ଏହା କହୁକହୁ ଲାଗଲାଗ ପାଞ୍ଚ ଛଅ ଥର ସେମାନେ ପୋଖରୀ ପାଣି ଦୌଡ଼ିଲେ ।
ପିଲାମାନଙ୍କର ଏ ଅବସ୍ଥା ଦେଖି ମା' ଦୁହିଁଙ୍କର ପିଳେହି ପାଣି ।ଏତେ ରାତିରେ କୁଆଡ଼େ ଯିବେ, କାହାକୁ ଦେଖାଇବେ ?
ଶେଷରେ ବିଲୁଆନନା ହନୁ ବଇଦକୁ ଡାକିଲେ ।ସିଏ ପିଲାମାନଙ୍କର ନାଡୀ ଦେଖି କହିଲେ, "ଅତ୍ୟଧିକ ଭୋଜନ ହେତୁ ବଦହଜମି ଧରିଛି ।ତଟକା ଜାମୁକୋଳି ମେଞ୍ଚାଏ ଲେଖାଏଁ ଏମାନଙ୍କୁ ଖୁଆଇଦିଅ; ଅବା ବୋହୂର ଭାରରେ ଆସିଥିବା ଡାଳିମ୍ବର ଚୋପାକୁ ଚିକ୍କଣ କରି ବାଟି ପିଆଅ, ଦେଖିବ ସକାଳକୁ ପିଲାଙ୍କ ପେଟକାଟିବା ଓ ଝାଡ଼ା ପୂରା ଭଲ ହୋଇଯାଇଥିବ ।"
ସେଇଆ କରିବାରୁ ସତକୁସତ ସକାଳକୁ ପିଲାମାନେ ଭଲ ହୋଇଗଲେ ।ଏଥର ନାନୀ ଓ ମାଉସୀ ଘରକୁ ଯିବାକୁ ବାହାରିଲେ ।ଆପଣା ଗଣ୍ଠୁଲି ସଜାଡୁ ସଜାଡୁ ଦୁହେଁ ବିଲୁଆନନାଙ୍କୁ କହିଲେ, "କାଲି ରାତିରେ ତମେ ଯେଉଁ ଉପକାର କଲ, ତାହା ଆମେ ଭୁଲି ପାରିବୁ ନାହିଁ ।"
ସୁନେଲି କଙ୍କି ଥଟ୍ଟା କରି କହିଲା, "ଆଉ ବାହାଘର ଭୋଜିଖିଆ କଥା ! ତାକୁ କ'ଣ ପାସୋରିଦେବ ?"
"ଆଲୋ ନାଇଁ ଲୋ, ଏମିତି କହି ଆମକୁ ଆଉ ଲାଜ ଦେଏନା ।କାନ ମୋଡ଼ିହୋଇ ରାଣ ଖାଉଛୁ, ଆଗକୁ କେବେ ଲୋଭକରି ଏଣୁତେଣୁ ଗୁଡ଼ାଏ ଖାଇବୁନି କି ପିଲାମାନଙ୍କୁ ଖୁଆଇବୁନି ।ଉଚିତ ଶିକ୍ଷା ମିଳିଗଲା ପରା ।" ବଗୁଲୀନାନୀ ଓ ପୁଷିମାଉସୀଙ୍କ କଥାଶୁଣି ସମସ୍ତେ ଚୁପିଚୁପି ହସୁଥିଲେ ।