STORYMIRROR

Baman Chandra Dixit

Abstract Tragedy

4.5  

Baman Chandra Dixit

Abstract Tragedy

ଆମ ଗୋସେଇଁ ବୁଢ଼ା

ଆମ ଗୋସେଇଁ ବୁଢ଼ା

4 mins
400



       ବିଛଣାରେ ପଡ଼ି ପଡ଼ି ଆଖି ବନ୍ଦ କରି ସ୍ମୃତି ସମସ୍ତ କୁ ଖେଳେଇ ଖେଳେଇ ଦେଖୁଥିଲି ମୁଁ।ଆଖି ଆଗରେ ଦିଶି ଯାଉଥିଲା ଗୋଟେ ବୟୋଜ୍ୟେଷ୍ଠ ଚେହେରା।ତାଙ୍କର ବୟସ ସତୁରି କି ଅସି ହେବ।ଯେବେ ଠୁଁ ତାଙ୍କୁ ମୁଁ ଦେଖିଛି ତେବେ ଠୁଁ ତାଙ୍କର ବୟସ ବଢିବାର ଅନୁଭବ କରି ପାରିନାହିଁ।ପାଞ୍ଚ ସାତ ବର୍ଷ ପୂର୍ବରୁ ଯେମିତି ଥିଲେ ଏବେ ବି ଠିକ ସେମିତି ଆଛନ୍ତି ସେ।ବାର୍ଦ୍ଧକ୍ୟ କୁଆଡ଼େ ଶୀଘ୍ର ଶୀଘ୍ର ଆସେ ବୋଲି ଲୋକ କହନ୍ତି।ମାତ୍ର ତାଙ୍କ କ୍ଷେତ୍ରରେ କିଛି ଓଲଟା ପ୍ରତୀତ ହୁଏ।ସତେ ଯେମିତି ବାର୍ଦ୍ଧକ୍ୟ ନିଜେ ବାର୍ଦ୍ଧକ୍ୟାବସ୍ଥା କୁ ପ୍ରାପ୍ତ ହୋଇ ଯାଇଛି।ମୋଟାମୋଟି କହିବାକୁ ଗଲେ ତାଙ୍କ ସ୍ୱାସ୍ଥ୍ୟ ଠିକ ଠାକ ଥିଲା।କେବେ ଏଇ ମୌଶମୀ ଜର ନୂଆର କୁ ଛାଡ଼ି ଅନ୍ୟ କିଛି ବେମାର ହେବାର ଦେଖା ଯାଇ ନାହିଁ।ଲମ୍ବା ଚଉଡା ଶରୀର ,ବିସ୍ତୃତ ଲଲାଟ,ତା ଉପରେ ସଦା ସର୍ବଦା ଦିଦିପ୍ୟମାନ ଚନ୍ଦନ ର ରାମ-ତିଳକ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଆକର୍ଷଣୀୟ କରି ଗଢ଼ି ତୋଳେ। ବଡ଼ି ଭୋରୁ ଉଠିବା ତାଙ୍କର ଅଭ୍ୟାସ।ନିତ୍ୟକର୍ମ ସାରି ସାଳନ୍ଦୀ ନଦୀର ସ୍ଵଛ ନିର୍ମଳ ପ୍ରବାହମାନ ଧାରା ରେ ସ୍ନାନ କରନ୍ତି ।ତାଙ୍କର ସ୍ନାନ କରିବାର ବିଧି ବି ନିଆରା।ଏହି ଭଳି ବୁଡ଼ ମାରି ଗାମୁଛାରେ ଦେହ ହାତ ଘଷି ପୁଣି ବୁଡ଼ ମାରି ଗାଧୋଇବାରେ ତାଙ୍କୁ କେବେ ଦେଖିନି।ତାଙ୍କ ଗାଧୋଇବା ବିଧି ହେଲା,ପ୍ରଥମେ ଆକଣ୍ଠ ଗଭୀର ପାଣି ଯାଏ ଯାଆନ୍ତି ତାପରେ ଦୁଇ ହାତରେ ନଈ ପାଣିକୁ ଆଡ଼େଇ ଆଡ଼େଇ କିଛି ମନ୍ତ୍ର ଉଚ୍ଚାରଣ , ପୁଣି ବୁଡ଼ ମାରନ୍ତି।ବୁଡ଼ିଗଲା ପରେ ଶୀଘ୍ର ଉଠନ୍ତି ବି ନାହିଁ, ଯେତେ ସମୟ ନିଶ୍ବାସ ଅଟକେଇ ପାରନ୍ତି ସେ ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହନ୍ତି।ପୁଣି ଉଠି ଠିଆ ହୋଇ ଯାଆନ୍ତି।ଏହି ପ୍ରକ୍ରିୟାର ପୁନରାବୃତ୍ତି ସାତ ଥର କରି ସାରିବା ପରେ ନିଜ ଗାମୁଛାକୁ କାନ୍ଧରୁ ହଟେଇ ଦୁଇ ହାତରେ ଲମ୍ବା କରି ଧରନ୍ତି।ତାପରେ ତାଳି ମାରିବା ଭଙ୍ଗୀରେ ସେ ଗାମୁଛା କୁ ଦୁଇ ହାତ ପାପୁଲି ସହିତ ନିର୍ଘାତ ପ୍ରହାର କରନ୍ତି କେତେ ଥର,ତାପରେ ନିଜର ଦେହ ହାତ ଘଷି ରଗଡ଼ି ନିଜର ଗାଧୋଇବା ପ୍ରକ୍ରିୟା ସମ୍ପନ୍ନ କରନ୍ତି। ଖରା ଦିନେ ସାଳନ୍ଦୀ ନଦୀ କ୍ଷୀଣ-କାୟା ହୋଇଯାଏ।ସେତେବେଳେ ଆକଣ୍ଠ ପାଣି ମିଳେନାହିଁ ଆମ ଗାଧୁଆ ତୁଠରେ । ସେତେବେଳେ ସେ ସାଳନ୍ଦିର ବାଲୁକା ଶଯ୍ୟାରେ ଆଣ୍ଠେଇ ବସନ୍ତି ,ପାଣିକୁ କଣ୍ଠ ର କଣ୍ଠି କୁ ଛୁଇଁବା ଯାଏ। ତାଙ୍କର ଗାଧୋଇବା ପ୍ରକ୍ରିୟା ପାଖାପାଖି ପନ୍ଦର କୋଡ଼ିଏ ମିନିଟ। ଶୀତଦିନ ହେଉ ବା ବର୍ଷାଦିନ ତାଙ୍କର ଦିନଚାର୍ଯ୍ୟରେ ପରିବର୍ତ୍ତନ ମୁଁ ଦେଖି ନଥିଲି।ଗାଧୋଇ ସାରି ସେଇ ନଈ ଭିତରେ ଠିଆ ହୋଇ ଅନୁଦୟ ସୂର୍ଯ୍ୟଙ୍କୁ ଜଳ ଦାନ କରି ନମସ୍କାର କରନ୍ତି।ପୁଣି ପିତଳ ଲୋଟାରେ ପାଣି ଭରି ନଈ ତୁଠରୁ ଫେରନ୍ତି।ରାସ୍ତାରେ ତାଙ୍କ ପାଦ ଭୂଇଁ କୁ ଛୁଇଁବା ପୂର୍ବରୁ ନିୟମିତ ଟୋପେ ଟୋପେ ପାଣି ଲୋଟାରୁ ନିଗିଡ଼ି ପଡି ଭୂମି ସ୍ପର୍ଶ କରୁଥିବା ନିଶ୍ଚିତ। ତାଙ୍କ ହାତ ଏବଂ ପାଦର ସଂଚାଳନରେ ସାମଞ୍ଜସ୍ୟ ସହିତ ମନ୍ତ୍ରୋଚ୍ଚାରଣ ଶୁଣିବାକୁ କେତେ ଥର ମୁଁ ଭୋରୁ ଭୋରୁ ଉଠିଛି। ନଦୀରୁ ସ୍ନାନ ସାରି ଫେରିବା ପରେ ଆରମ୍ଭ ହୁଏ ତୁଳସୀ ପ୍ରଦକ୍ଷିଣ, ଗାଧୋଇବା ଆରମ୍ଭରୁ ଆରମ୍ଭ ହୋଇଥିବା ମନ୍ତ୍ର ଉଚ୍ଚାରଣ ଅବିରତ ଅବ୍ୟାହତ ରହିଥାଏ ତାଙ୍କର ପ୍ରାତଃ କାଳୀନ ପ୍ରାଣାୟମ ପର୍ଯ୍ୟନ୍ତ।ମୁଁ ଆମ ଉପର ମହଲା ଘରେ ଶୁଏ।ତୁଳସୀ ଚଉଁରା ପାଖରେ ପୂଜା ସମୟରେ ଘଣ୍ଟାଶବ୍ଦରେ ପ୍ରାୟତଃ ମୋ ନିଦ ଭାଙ୍ଗେ।ଉପରୁ ମୁ ଦେଖେ ତାଙ୍କର ଚନ୍ଦନ ଚିତା ଚୈତନ୍ୟ ଚରିତ। ବାରଣ୍ଡାରେ ବସି ଚନ୍ଦନ ଘୁରନ୍ତି ।ଚନ୍ଦନ ପେଡ଼ି ବି ବଡ଼ ଚନ୍ଦନ କାଠ ବି ବଡ଼।ଶ୍ୱେତ ଚନ୍ଦନ ଏବଂ ରକ୍ତ ଚନ୍ଦନ ଦୁଇ ପ୍ରକାର ପ୍ରସ୍ତୁତ କରି ସାରିବା ପରେ ଚଇତନ ଚିତା ଲେଖନ୍ତି ନିଜ ପ୍ରଶସ୍ତ କପାଳ ରେ ,ଶ୍ୱେତ ଚନ୍ଦନର ତିଳକ ମଝିରେ ରକ୍ତ ଚନ୍ଦନର ଗାର ବହୁତ ସୁନ୍ଦର ଦିଶେ।ଟୋପେ ଚନ୍ଦନ ଗଳାରେ ଏବଂ ବେନି ବାହୁରେ ଚନ୍ଦନ ର ଗାର ଟାଣନ୍ତି। ତାପରେ ସେ ପ୍ରାଣାୟମ ରେ ବସି ଯାଆନ୍ତି। ଯାହା ଆଜିକାଲି ଯୋଗଗୁରୁ ମାନେ ଶିଖାଉଛନ୍ତି ସେ ସବୁ ପ୍ରକ୍ରିୟା ପଚାଶ ସାଟିଏ ବର୍ଷ ତଳେ ତାଙ୍କଠାରୁ ଦେଖିଛି।ସେତେବେଳେ ସେ ସବୁ କୁ

ମୁଁ ମନ୍ତ୍ର ଜାପର ବିଧି ବୋଲି ଭାବୁଥିଲି।ସେ ଯାହା ହେଉ ଏ ସବୁ ତାଙ୍କର ପ୍ରାତଃ କାଳୀନ ଦିନଚର୍ଯ୍ୟା ଥିଲା।

    ଏ ସବୁ ଯେତେ ଗୁଣ ବଖାଣି ସାରିଲିଣି ସେ ସବୁ ର ମାଲିକ ଆଉ କେହି ନୁହନ୍ତି,ସିଏ ହେଉଛନ୍ତି ଆମ ଗୋସେଇଁ ବୁଢା। ମୋ ବୁଢ଼ାବାପା ତାଙ୍କ ଠାରୁ ଦୀକ୍ଷା ନେଇଥିଲେ।ତାଙ୍କୁ ସେ ଗୋସେଇଁ ବୋଲି ଡାକନ୍ତି।ତେଣୁ ଆମ ପାଇଁ ଗୋସେଇଁ ବୁଢ଼ା ବାପା।ସାମନା ରେ ବୁଢ଼ାବାପା ବୋଲି ଡାକୁ,କିନ୍ତୁ କଥାରେ ତାଙ୍କୁ ଗୋସେଇଁ ବୁଢା ବୋଲି କହୁ।ଅନେକ ଦିନ ହେଲା ସେ ମୋ ସାନ ବାପାଙ୍କ ଘରେ ରହୁଥିଲେ।ଦାଣ୍ଡ ବାରଣ୍ଡା ଟି ତାଙ୍କର ସବୁକିଛି। ବୈଠକ ଘର ,ପଢ଼ା ଘର ଏବଂ ଶୟନ କକ୍ଷ ମଧ୍ୟ।ରାତି ସାତଟା ରୁ ନିଜର ଶେଜ ପାରି ଦିଅନ୍ତି।ବାର ମାସ ଯାକ ମସାରି ଟାଣି ଶୁଅନ୍ତି ସେ।ମସାରି ଟାଣିବାର ସମୟ ଟା କିନ୍ତୁ ବଦଳିଯାଏ ନିଜର ଶୟନ ସମୟକୁ ନେଇ।ସେଇ ବିଛଣା ଉପରେ ବସି ଗୀତା ପୁରାଣ ଉପନିଷଦ ଅବା କୌଣସି ମନ୍ତ୍ର ଯନ୍ତ୍ର ବହି ପଢ଼ନ୍ତି।ରାତ୍ରି ଭୋଜନ ପରେ ମସାରି ଟଣାଯାଏ। 

  ଯେଉଁ କାମ ସେ କରନ୍ତି ସେ କାମରେ ଖୁଣ ବାଛିବା ଅସମ୍ଭବ।ସେ ସମୟରେ ଘରୋଇ ତଥା ଚାଷବାସ କାମରେ ଲାଗୁଥିବା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ କରିବା ର କଳା ତାଙ୍କର ଥିଲା ନିଆରା।ଗାଈ ବଳଦ ବାନ୍ଧିବା ପାଇଁ ପଘା ଦଉଡି ଦୁଧ-ପତଲା ଟାଙ୍ଗିବା ପାଇଁ ଶିକା ଆଦି ତିଆରି କରିବାରେ ସିଦ୍ଧହସ୍ତ ଥିଲେ ସେ।ଝୁଟ ଅବା ଛଣିରୁ ବାଣି ବୁଣି ତାକୁ ଚାର ବାନ୍ଧି ରଶି କଷିବା ରେ ଅଦ୍ଵିତୀୟ।ତାଙ୍କ କଷା ରଶି କୁ ଛୁଇଁ ତାର ମାନ ପରଖିବା ଲୋକ ବି ଅବାକ ହୋଇ ଯାଆନ୍ତି।ବଳଦ ଗାଈ ମାନଙ୍କ ପାଇଁ ଯେଉଁ ତୁଣ୍ଡି ସେ ତିଆରି କରନ୍ତି ଆଜିକାଲି ସେ ତୁଣ୍ଡି ତ ଦେଖିବାକୁ ମିଳିବ ନାହିଁ।ଓଉ ଫୁଲିଆ ତୁଣ୍ଡି ତାଙ୍କର ବହୁତ ସୁନ୍ଦର।ଦୁଇ ଫୁଲିଆ,ତିନି ଫୁଲିଆ ଏବଂ ପାଞ୍ଚ ଫୁଲିଆ ତୁଣ୍ଡି ତିଆରି କରିବା ମୁଁ ତାଙ୍କରି ପାଖରୁ ଶିଖିଥିଲି। ସେ କହନ୍ତି ଭଲ ଗଛଟିଏ ପାଇଁ ଭଲ କିଶମର ମଞ୍ଜି ଯେମିତି ନିହାତି ଜରୁରୀ,ଭଲ ଜିନିଷଟିଏ ତିଆରି କରିବା ପାଇଁ ଭଲ କଞ୍ଚାମାଲ ବି ଦରକାର,ଏବଂ କଞ୍ଚାମାଲ ରୁ ନିର୍ମାଣର ଅନ୍ତିମ ସ୍ତର ଯାଏ ପ୍ରତ୍ୟେକ ପ୍ରକ୍ରିୟା ସଠିକ ଏବଂ ଉନ୍ନତ ହେବା ନିହାତି ଆବଶ୍ୟକ।ସେହିପରି ଖଣ୍ଡେ ଦଉଡ଼ି କୁ ସୁନ୍ଦର ଏବଂ ମଜଭୁତ କରିବାକୁ ହେଲେ ବାଣି ବି ଭଲ ଏବଂ ଠିକ ପାକଳ ହୋଇଥିବା ଦରକାର।ସେଇଥି ପାଇଁ ଝୁଟ ରୁ ବାଣୀ ପ୍ରସ୍ତୁତ କରିବା ର ପ୍ରକ୍ରିୟା ବି ସଠିକ ହେବା ଦରକାର।ବାଣୀକୁ ଯଦି ଠିକ ଭାବରେ ପାକଳ କରା ନଯିବ ,କେବେ ହେଲେ ସୁନ୍ଦର ରଶି ତିଆରି ହୋଇ ପାରିବ ନାହିଁ। ଶ୍ରଦ୍ଧା ହିଁ କର୍ମ କୁ ସାର୍ଥକ କରିଥାଏ। ପ୍ରତ୍ୟେକ କାମ ପ୍ରତି ତାଙ୍କର ଶ୍ରଦ୍ଧା ଏବଂ ସମର୍ପଣ ଭାବ ହିଁ ତାଙ୍କ କାମକୁ ଉନ୍ନତ ମାନ ର କରି ଗଢ଼ି ତୋଳେ। 

  ନଡ଼ିଆ ଗଛ ଝଡା ଯିବା ସମୟରେ, ବାହୁଙ୍ଗାରୁ ପତ୍ର ଟାଣିଟାଣି ବାହାର କରି ଶୁଖେଇ ରଖନ୍ତି।ଖଣ୍ଡେ ଛୁରୀ ଧରି ତାର କଞ୍ଚି ବାହାର କରି ବର୍ଷସାରା ପାଇଁ ପହଁରା ତିଆରି କରି ରଖନ୍ତି।ତାଳ ବାହୁଙ୍ଗାରୁ କେରଟ ବାହାର କରି ସାଇତି ରଖନ୍ତି ଲଙ୍ଗଳ ଜୁଆଳି ର ଯୋତ ତିଆରି କରିବା ପାଇଁ।ଏ ଯୋତ ଦଉଡ଼ି ଟି ଗୋଲାକାର ହୋଇଥାଏ।ଜୁଆଳି ସହିତ ଈଷ କୁ ଯୋଡ଼ି ବାନ୍ଧିବା ପାଇଁ ଏହାର ଆବଶ୍ୟକତା ହୁଏ।ଈଷ ଏବଂ ଜୁଆଳି ଦୁହିଁଙ୍କର ଘର୍ଷଣ ସହିଲା ଭଳି ଶକ୍ତି କେବଳ ତାଳ କରାଟ ହିଁ ଯୋଗେଇ ଥାଏ। ତାଳ କରାଟ ବଦଳରେ ଛଣି କିବା ଝୁଟ ଦଉଡ଼ି ରେ କାମ ଚଳେଇବାକୁ ହୁଏ, ମାତ୍ର ଏ ସବୁ ବହୁତ ଶୀଘ୍ର ଛିଣ୍ଡି ଯାଏ,ତେଣୁ କରାଟ ଖଣ୍ଡେ ସାଇତି ରଖିଥିଲେ ଭଲ । ଆମ ଗୋସେଇଁ ବୁଢ଼ାଙ୍କ କଥା ସରିବ ନାହିଁ ସମୟ ସରିଯିବ। ନିଦୁଆ ନିଦୁଆ ଲାଗୁଥିଲା ମୋତେ।

    ଅବଶ ଏବଂ ଦୁର୍ବଳ ଆଖିପତା ତଳେ ଚଳଚଞ୍ଚଳ ଅଭୁଲା ଚିତ୍ର ଅତୀତର ଚହଲି ଉଠୁ ଥାଆନ୍ତି ଏବଂ ସ୍ମୃତି ମନ୍ଥନର ରସ ଆସ୍ଵାଦନ କରୁଥିଲି ମୁଁ। ଭାବୁଥିଲି ସତରେ କେତେ ଫରକ ସେଦିନ ଏବଂ ଏଦିନ ଭିତରେ। ଆଜି ଅନେକ କଥା ମନେ ପଡୁଛି ମାତ୍ର ବହୁତ କିଛି ଅଦରକାରୀ ଜିନିଷ ଅବା ଶବ୍ଦ ପାଶୋରି ଗଲିଣି। ସେ ସବୁକୁ ପୁଣି ଏକତ୍ରିତ କରିବାକୁ ଭାବୁଥାଏ ମୁଁ।


କ୍ରମଶଃ.....


Rate this content
Log in

Similar oriya story from Abstract