ଅଘୋଷିତ ଗୁରୁ
ଅଘୋଷିତ ଗୁରୁ
ଶାନ୍ତ କାନ୍ତ ସୌମ୍ୟ ଚେହେରା।ଅତ୍ୟନ୍ତ ପରିପକ୍ୱ ବ୍ୟକ୍ତିତ୍ୱର ଧନୀ ଥିଲେ ସେ।ତାଙ୍କୁ ପ୍ରଥମ ଥର ପାଇଁ ଯେବେ ଦେଖିଥିଲି ସେତେବେଳେ ସେ ପାଖାପାଖି ସତୁରି ବର୍ଷର ଥିଲେ।ମୋ ସାନ ବାପାଙ୍କର ଶ୍ବଶୁର ଥିଲେ ସିଏ।ପ୍ରଥମାଷ୍ଟମୀ ଦିନ ନିଜ ନାତିକୁ ପଢ଼ୁଆଁ କରିବାକୁ ଆସିଥିଲେ ସେଦିନ। କେବଳ ଜଣେ ବୟୋଜ୍ୟେଷ୍ଟ ବ୍ୟକ୍ତି ହିସାବରେ ନୁହେଁ ତାଙ୍କ ବ୍ୟକ୍ତିତ୍ୱରେ ଏକ ଦେବତ୍ୱର ଝଲକ ଅନୁଭବ ହୁଏ।ଆମ ସାହି ର ନାଁ ଦୀକ୍ଷିତ ସାହି।ସମସ୍ତ ପରିବାର ପରସ୍ପରର ସମ୍ପର୍କୀୟ,ତେଣୁ ଜଣକ ମାମୁଁ ଅନେକଙ୍କର ମାମୁଁ ଏବଂ ଜଣକ ଅଜା ଅନେକଙ୍କର ଅଜା ହୋଇଯାଆନ୍ତି।ମୁଣ୍ଡିଆ ମାରିବା ପିଲାଙ୍କ ଭିଡ଼ରେ ମୁଁ ଥାଏ।ସମସ୍ତେ ମୁଣ୍ଡିଆ ମାରୁଥାନ୍ତି।ମୁଁ ତାଙ୍କୁ ଦେଖୁ ଦେଖୁ ଏତେ ଅଭିଭୂତ ହୋଇ ଯାଇଥାଏ ଯେ ଜୁହାର ହେବାକୁ ଭୁଲି କେବଳ ତାଙ୍କୁ ଦେଖୁଥାଏ।ମୋ ମୁଣ୍ଡ ଉପରେ ହାତ ରଖି ସେ ଆଶୀର୍ବାଦ କଲେ। ତାଙ୍କ ହାତର ସ୍ପର୍ଶରେ ପ୍ରକୁତିସ୍ଥ ହୋଇ ମୁଁ ତାଙ୍କୁ ଜୁହାର ହେଲି। ସେ କହୁଥିଲେ
- ତୁ ଆମ ଝଡ଼ିଆର ପୁଅ ବାମନ ନା? ମୁଣ୍ଡ ହଲେଇ ହଁ କହିଲି ମୁଁ।ତାଙ୍କ କୋଳ ପାଖକୁ ଲଗେଇ ନେଲେ ମୋତେ,ପରମ ତୃପ୍ତି ଅନୁଭବ କରୁଥାଏ ମୁଁ।ଜାଣି ପାରିନଥିଲି ସେ ସ୍ନେହ ଅବା ସେ ଆତ୍ମୀୟତାର ନାଁ କଣ।ମୁଁ ତ ତାଙ୍କ ନିଜ ନାତି ନୁହଁ, କିନ୍ତୁ ଏତେ ଆତ୍ମୀୟତା କାହିଁକି ଅନୁଭବ କରୁଥିଲି ସେଦିନ? ମୁଁ ଜାଣିବାକୁ ଚାହିଁ ବି ନଥିଲି,କେବଳ ତାଙ୍କର ସାନିଧ୍ୟର ଗଦ୍ ଗଦ୍ ହେଉଥାଏ ମୁଁ।ମୋର ବୟସ ସାତ ଆଠ ବର୍ଷ ହେବ ସେତେବେଳେ । ମାତ୍ର କେତୋଟି ମୁହୂର୍ତ୍ତର ସେ ସ୍ପର୍ଶ ଏବଂ ସେ ସ୍ପର୍ଶର ଅମୀୟ ଅନୁଭୁତି ଆଜିବି ରୋମାଂଚିତ କରିଯାଏ ମୋତେ। ସମଗୁଣର ସମ୍ପନ୍ନ ବ୍ୟକ୍ତି ଜାଣତରେ ହେଉ ଅବା ଅଜାଣତରେ ହେଉ ପରସ୍ପର ପ୍ରତି ଆକୃଷ୍ଟ ହୁଅନ୍ତି। ମୁଁ ଆଗରୁ ଥରେ ଦି'ଥର ତାଙ୍କୁ ପାଲା ମଣ୍ଡପରେ ଦେଖିଥିଲି,ଏବଂ ଜାଣିଥିଲି ଇଏ ସେହି ପାଲା ଗାୟକ ଯାହାଙ୍କ ପ୍ରଥମ ବାହାଣ ଥିଲେ ମୋ ବାପା। ସେ ଦେବତୁଲ୍ୟ ଗୁଣ ଗାରୀମାର ଧନୀ ବ୍ୟକ୍ତି ଜଣକ ଆଉ କେହି ନଥିଲେ,ସେ ଥିଲେ ତତ୍କାଳୀନ ବିଖ୍ୟାତ ପାଲା ଗାୟକ ଫକୀର ଚରଣ ପଣ୍ଡା।
ସେତେବେଳେ ଓଡ଼ିଶାର ନଗର ନଗର ସହର ସହର ଏବଂ ପୁର ପଲ୍ଲୀରେ ପାଲା ର ପ୍ରସିଦ୍ଧି ଚରମରେ ଥିଲା।ପର୍ବ ପର୍ବାଣୀ ଛାଡିଦେଲେ ଅନ୍ୟ ସମୟରେ ମଧ୍ୟ ଭାଗବତ ହରିବଂଶ ରାମାୟଣ ମହାଭାରତ ଆଦି ଗ୍ରନ୍ଥର ପରିବେଷଣ ଭିନ୍ନ ଭିନ୍ନ ମାଧ୍ୟମରେ ହେଉଥିଲା। ଭାଗବତ ସପ୍ତାହ ,ହରିହାଟ ଆଦିର ଆୟୋଜନ ହେଉଥିଲା। ପାଲା ପରିବେଷଣ ଥିଲା ସବୁଠାରୁ ଲୋକପ୍ରିୟ ଉନ୍ନତ ଏବଂ ସମୃଦ୍ଧ ମାଧ୍ୟମ। ବାଦି ପାଲାର ଆୟୋଜନ ମଧ୍ୟ ବଡ଼ ଧୂମ୍ ଧାମ୍ ରେ କରାଯାଉଥିଲା। ସେ ସମୟରେ ଯେତେ ପାଲା ଗାୟକ ଆମ ଆଖପାଖ ଅଞ୍ଚଳରେ ଥିଲେ ସମସ୍ତେ ଏକରୁ ବଳି ଆରେକ। ହରି ନାଥ, କାହ୍ନୁ ପତ୍ରି , ଶୁକ ଦାଶ ଆଦି ସମସାମୟିକ ପାଲା ଗାୟକ ମାନଙ୍କ ମଧ୍ୟରେ ଫକୀର ଚରଣ ପଣ୍ଡାଙ୍କର ବିଶେଷତା ଥିଲା ମହାଭାରତ ଗାୟନର ପାରଙ୍ଗମତା। ନିଜର ପିତା ତଥା ଗୁରୁ ଗଙ୍ଗାଧର ପଣ୍ଡାଙ୍କ ପାଖରେ ପ୍ରଥମେ ଶ୍ରୀପାଳିଆ ଭାବରେ ଗାୟନ ଆରମ୍ଭ କରନ୍ତି, ଏବଂ ମାତ୍ର ଷୋଳ ବର୍ଷ ବୟସରେ ପିତାଙ୍କ ଦେହାବସା
ନ ପରେ ସ୍ୱତନ୍ତ୍ର ଭାବରେ ପାଲା ଗାୟନ ଆରମ୍ଭ କରିଥିଲେ 1917 ମସିହାରୁ।ସେତେବେଳେ ମୋ ବାପା ଭାସ୍କର ଚନ୍ଦ୍ର ଦୀକ୍ଷିତ(ବାହାଣ)
କାଙ୍ଗାଳୀ ଦାଶ ,ଚେମା ପଣ୍ଡା , ମୁରଲୀଧର ଦାଶ,ବୃନ୍ଦାବନ ଦାଶ ,ଭଗବାନ ପଣ୍ଡା, ଦୁର୍ଯ୍ୟୋଧନ ପଣ୍ଡା, ଜୟକୃଷ୍ଣ ନାୟକ(ଶ୍ରୀପାଳି/ପାଳିଆ) ଙ୍କୁ ନେଇ ପ୍ରଥମ ପାଲା ଦଳ ଗଠିତ ହୁଏ।
ତାଙ୍କର ଗାୟନ ଶୈଳୀ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଯାଏ । କାଉପୁର,ବାଉଦପୁର ଏବଂ ଚରମ୍ପା ରେ ଅନେକ ବାଦିପାଲା ପରିବେଷଣ କରି ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ ।ମାସମାସ ଧରି ମହାଭାରତ ଗାୟନର କରିତକର୍ମା ଥିଲେ ସେ। ଅନେକ ସ୍ଥାନରୁ ଅନେକ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ବିଶିଷ୍ଟ ଉପଲବ୍ଧି ଭାବରେ ଓଡ଼ିଶାର "ଦ୍ଵିତୀୟ ଶାରଳା ଦାଶ" ର ଉପାଧି ମଧ୍ୟ ଅର୍ଜନ କରିଥିଲେ ଯାହା ତାଙ୍କୁ ଆଜି ଅମର କରି ରଖିଛି।1982 ମସିହାରେ ତତ୍କାଳୀନ ମନ୍ତ୍ରୀ ଶ୍ରୀଯୁକ୍ତ ଯୁଗଳ କିଶୋରେ ପଟ୍ଟନାୟକଙ୍କ ସୁଫାରିସ କ୍ରମେ କଳାକାର ଭତ୍ତା ମଧ୍ୟ ପାଇଥିଲେ। ନିଜର କାର୍ଯ୍ୟ ଅବଧି କୁ ୧୯୧୭ମସିହାରୁ ୧୯୮୫ ମସିହା ଦୀର୍ଘ ଅଡ଼ଷଠି ବର୍ଷ ପର୍ଯ୍ୟନ୍ତ ସକ୍ଷମ ଏବଂ ସାର୍ଥକତାର ସହିତ ପ୍ରତିପାଦିତ କରି ୧୯୮୯ ଦୋଳ ପୂର୍ଣ୍ଣିମା ଦିନ ଦେହତ୍ୟାଗ କରିଥିଲେ ସେ ମହାନ ଆତ୍ମା। ଯେଉଁ ଦୋଳ ପୂର୍ଣ୍ଣିମା ସମୟରେ ବିଭିନ୍ନ ଦୋଳ ମଣ୍ଡପ ତାଙ୍କର ପାଲା ପରିବେଷଣ ରେ ମୁଖରିତ ହୋଇ ଉଠେ ସେହି ଦୋଳ ପୂର୍ଣ୍ଣିମା ଦିନ ତାଙ୍କର ଦେହାବସାନ ତାଙ୍କୁ ଅମର କରି ଗଲା।
ଆତ୍ମା ଶରୀର ତ୍ୟାଗ କରିଗଲା ମାତ୍ର ତାଙ୍କର ଅନେକ ଶିଷ୍ୟ ମାନଙ୍କ ମାଧ୍ୟମରେ ସେ ଆଜିବି ଜୀବିତ।ନିଜର ଦୀର୍ଘ କର୍ମମୟ ଜୀବନ କାଳ ମଧ୍ୟରେ ସେ ଅନେକ ଦାୟାଦ ସୃଷ୍ଟି କରି ଯାଇଥିଲେ ସେମାନଙ୍କ ମଧ୍ୟରୁ, ବନ୍ଧଗାଁ କୈଳାସ ରାଉତ,ଗୌରାଙ୍ଗ ଦାଶ(ଗେଲଟୁଆ), ବଳରାମ ରାଉତ(ତଳାଙ୍ଗ)ରାମଚନ୍ଦ ସାହୁ(ଜଳଙ୍ଗା), ଜୀବନ ଦାଶ(ଓଲଙ୍ଗ) ଏବଂ ଅନ୍ୟ କତିପୟ ଗାୟକ ଇହଲୀଳା ସମ୍ବରଣ କରି ସାରିଲେଣି।ଏବେ ଓଡ଼ିଶାରେ ପାଲା ର ଆଦୃତି ପୂର୍ବବତ ନାହିଁ, ତଥାପି ଆମ ଓଡ଼ିଶାର ସେ ପୁରାତନ ସଂସ୍କୃତିକୁ ଜୀବିତ ରଖିବାରେ ଆଜି ମଧ୍ୟ ଅନେକଙ୍କର ଉଦ୍ୟମ ପ୍ରଶଂସନୀୟ।ସ୍ବର୍ଗତ ଫକୀର ଚରଣ ପଣ୍ଡାଙ୍କର ଶିଷ୍ୟ ଶ୍ରୀ ନାରାୟଣ ପଣ୍ଡା(କୁସୁନ ନଗର), ଲୋକନାଥ ପରିଡା( ଶିରାପୁର), ଲଷ୍ମୀଧର ପଣ୍ଡା(ବର୍ତ୍ତନା) ଏବଂ ଲୋକନାଥ ଉପାଧ୍ୟାୟ(ତଳାଙ୍ଗ) ଆଜି ବି ଯେତେବେଳେ ଚାମର ଚାଳନ କରି ପାଲା ମଣ୍ଡପକୁ ମଣ୍ଡିତ କରନ୍ତି , ଝଲକ ଦିଶିଯାଏ ସେ ମହାନ ଗାୟକ ଫକୀର ଚରଣ ପଣ୍ଡାଙ୍କର।
ମୋର ଏ ଆଲେଖ୍ୟ ଅନେକଙ୍କୁ ଅବାନ୍ତର ଲାଗିପାରେ, ମାତ୍ର ବିଗତ ସେପ୍ଟେମ୍ବର ପାଞ୍ଚ ତାରିଖ ୨୦୨୨ ରେ "ଅଭିନବ ପ୍ରୟାସ " ଦୈସିଂ ଦ୍ୱାରା ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମ ସମୟରେ ମୋର ଅଘୋଷିତ ଗୁରୁଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ମନସ୍ଥ କରିଥିଲି,ଏବଂ ଆଜି ତାହା କରି ପାରିଥିବାରୁ
ପରମ ତୃପ୍ତି ଅନୁଭବ କରୁଛି। ଜୟ ଉତ୍କଳୀୟ ପରମ୍ପରା, ଜୟତୁ ପାଲା ଗାୟନ ସଂସ୍କୃତି।