STORYMIRROR

Dr Baman Chandra Dixit

Drama Inspirational Thriller

4  

Dr Baman Chandra Dixit

Drama Inspirational Thriller

ଜୋକର

ଜୋକର

3 mins
1

ଡାକ୍ତର ବାମନ ଚନ୍ଦ୍ର ଦୀକ୍ଷିତ ଜୀବନକୁ ବାଜି ଲଗେଇ ମୃତ୍ୟୁର ଝୁଲାରେ ଝୁଲୁଥାନ୍ତି ସେମାନେ । ଏପଟରୁ ସେପଟକୁ ସେପଟରୁ ଏ ପଟକୁ ଦଉଡ଼ି ର ଝୁଲା ସବୁ ଝୁଲୁଥାନ୍ତି , ସତେ ଯେମିତି ନିର୍ଜୀବ ଝୁଲାମାନେ ପରସ୍ପର ସହିତ ପ୍ରତିଯୋଗିତା କରୁଥାନ୍ତି । ଝୁଲାରେ ଝୁଲୁଥିବା କଳାକାର ମାନଙ୍କର କଳାବାଜୀ ଦର୍ଶକ ମାନଙ୍କୁ ସମ୍ମୋହୀତ କରୁଥାଏ । ସାମାନ୍ୟ ଅନ୍ୟମନସ୍କତାରେ ମୃତ୍ୟୁର ଉନ୍ମୁକ୍ତ ଦ୍ୱାର , ତଥାପି ବି ଗୋଟେ ହାତ କୁ ଛାଡି ଅନ୍ୟ ଏକ ହାତକୁ ଧରିବାର ମଧ୍ୟବର୍ତ୍ତୀ ସମୟକୁ ଛଳିବାର ସଫଳ ଚେଷ୍ଟା ସେମାନଙ୍କୁ ବାଜିଗର ସାବ୍ୟସ୍ତ କରୁଥାଏ । ଦର୍ଶକ ମାନଙ୍କର ଭୟ ଏବଂ ଆଶଙ୍କା ଉତ୍କଣ୍ଠାରେ ପରିବର୍ତ୍ତିତ ହେଉଥାନ୍ତି । ଠିକ ତଳେ ସୁରକ୍ଷା ଜାଲି ଉପରେ ଏପଟ ସେପଟ ହେଉଥାଏ ଗୋଟେ ଅତି ସାଧାରଣ ଏବଂ ଗୌଣତାର ହାସ୍ୟାସ୍ପଦ ପରିଧାନ ପରିହିତ କଳାକାରଟିଏ , ଯାହାକୁ ଜୋକର ବୋଲି କହି ପରିହାସ କରୁଥାନ୍ତି ସମସ୍ତେ । ପ୍ରତି ଲମ୍ଫରେ ଆଶଙ୍କିତ ହେବାର ନିଖୁଣ ଅଭିନୟ ତା'ର । ଦର୍ଶକ ମାନଙ୍କ ଦୃଷ୍ଟିରେ ଥାଇ ନଥିଲା ପରି , ମାତ୍ର ସେ ଜାଣେ ତା'ର ଦୃଷ୍ଟି । ତା'ର ତୀକ୍ଷ୍ଣ ଦୃଷ୍ଟି ହିଁ ତା'ର ନିପୁଣତା । ସମସ୍ତଙ୍କ ସାମ୍ନାରେ ନିଜକୁ ଅପାରଗ ଅବହେଳିତ ଦେଖେଇବାରେ ସଫଳ ହେବା ହିଁ ତା'ର ସଫଳତା । ଏପଟୁ ସେପଟକୁ ଉଡୁଥିବା ସର୍କସ କଳାକାର ମାନେ ଉପହାସ କରି ତା'ର ପାତ୍ରତାକୁ ନ୍ୟୁନ କରିବାରେ ସଫଳ ହେଉଥାନ୍ତି । କେବେକେବେ ସାମାନ୍ୟ ଅତି ସାଧାରଣ କଳାବାଜୀ କରି ନପାରି ସୁରକ୍ଷା ଜାଲକୁ ଖସି ପଡ଼ିବାର ଅଭିନୟ ତା'ର ଦର୍ଶକ ମାନଙ୍କୁ ଆମୋଦିତ କରୁଥାଏ , ମାତ୍ର ସେ ଜାଣେ ତା'ର ଦକ୍ଷତା କୁ , ତଥାପି ନିଜକୁ ଅପମାନିତ ଅବହେଳିତ ଏବଂ ଉପହାସର ପାତ୍ର କରିବାରେ ସମର୍ଥ ହେଉଥାଏ ସିଏ । କାରଣ ଜୋକର ହେବାର ଦକ୍ଷତା ଏବଂ ସତ୍ସାହସ କେବଳ ତା ପାଖରେ । ସମସ୍ତଙ୍କୁ ପ୍ରଶଂସା ପରସି ନିଜପାଇଁ ଉପହାସ ବାଛିନେବା କେବଳ ସିଏ ହିଁ ଜାଣେ ; ଗୋଟେ ଜୋକର ହିଁ ଜାଣେ । ସମସ୍ତଙ୍କ ଜୀବନର ସଫଳତାରେ ତା'ର ଯୋଗଦାନ , ମାତ୍ର ତା'ର ବିଫଳତା ସମସ୍ତଙ୍କ ପାଇଁ ସଫଳତାର ପାହାଛ । ସେ ଜୋକର , ତା'ର ହସରେ କୃତ୍ରିମତା ଅନେକ , ସେଥିପାଇଁ ନିଜ ଓଠକୁ ଲାଲ ରଙ୍ଗରେ ରଙ୍ଗେଇ ଚଉଡ଼ା କରିଥାଏ ବୋଧେ । ବାରମ୍ବାର ହୃଦୟର କୋହକୁ ଲୁଚେଇବାରେ ତାର କୃତ୍ରିମ ହସଲଗା ଓଠ ତାର କଳାକାର ଜୀବନର ସହଚର । ଧରାପଡିଯିବାର ଭୟ ହେଉ ଅଥବା ଧାରା ନଦେବାର କୌଶଳ ହେଉ ଉଭୟରେ ପାରଙ୍ଗମ ସିଏ । ତା'ର ହସରେ ବି ହସ ଏବଂ ଲୁହରେ ବି ହସ ପ୍ରସ୍ଫୁଟିତ ହୁଏ ଦର୍ଶକ ଦୀର୍ଘାରେ । ସେ ଜୋକର , ସେ ସମୟର , ସଫଳତାର ଏବଂ ସୁରକ୍ଷାର ପ୍ରହରୀ । ଅତି ଛୋଟିଆ ଝିଅଟିଏ, ପାଞ୍ଚ କି ସାତ ବର୍ଷର ହେବ । ବୟସ୍କ କଳାବାଜ ମାନଙ୍କ ମଧ୍ୟରେ ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏପଟ ଝୁଲାରେ ମା ' ଆରପଟ ଜୁଲାରେ ବାପା , ଉଭୟଙ୍କ ମଝିରେ କୁନି ଝିଅଟି ଅତି ଚମତ୍କାର ଭାବରେ ଝୁଲି ଝୁଲି ଖେଳ ଦେଖାଉଥାଏ । ବିଜୁଳି ଗତିରେ ଏକ ହାତକୁ ଛାଡି ଅନ୍ୟ ହାତରେ ଧରାଦେବା ଭିତରେ ତିନିଜନଙ୍କର ତତ୍ପରତା ଏବଂ ନିପୁଣତାପୂର୍ଣ୍ଣ କୌଶଳ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥାଏ । ଅଚାନକ ଏକ ଅଘଟଣ ଘଟିଗଲା , ବାପାଙ୍କ ହାତରୁ ଖସି ଶୁନ୍ୟରେ ଉଡ଼ିଉଡ଼ି ଯାଉଥିବା କୁନି ଝିଅଟିକୁ ମା'ର ହାତ ଧରିବାରେ ଅସଫଳ ହେଲା । ମା'ର ହାତରୁ ଖସି ନିଜର ଗତି ପାଇଁ ଦୂରକୁ ଖସିଯାଉଥାଏ ସେହି କୁନି ଝିଅଟି । ସମସ୍ତେ ଅବାକ । କେଜାଣି କେଉଁଠୁ ଏତେ ସ୍ଫୁର୍ତ୍ତି ଆସିଲା ସେ ଜୋକର'ଟା ଦେହରେ । ଝୁଲୁଥିବା ସୁରକ୍ଷା ଜାଲିରୁ ଡେଇଁପଡି ଧରିନେଲା ଝିଅଟିର ବାଁ ହାତକୁ , ମାତ୍ର ନିଜକୁ ନିୟନ୍ତ୍ରିତ କରିପାରିବାର କୌଣସି ସମ୍ଭାବନା ନଥାଏ , କାରଣ ସୁରକ୍ଷା ଜାଲରୁ ସେ ବାହାରକୁ ଆସିସାରିଥାଏ । ଯଥାସାଧ୍ୟ ଚେଷ୍ଟା କରି ନିଜେ ସବୁ ଆଘାତ ସହି କୁନି ଝିଅଟିକୁ ବଞ୍ଚେଇବାରେ ସଫଳ ହେଲା ସେ ଜୋକର'ଟା । ଗୋଡ ଭାଙ୍ଗିଯାଇଥାଏ ତା'ର । କିଛି ସହଯୋଗୀ କଳାକାର ଏବଂ ଦର୍ଶକମାନେ ମିଶି ଉଠେଇଲେ ଦୁହିଁଙ୍କୁ । ଝିଅଟି ବହୁତ ଡରି ଯାଇଥାଏ , ଜୋକର ବି ଯନ୍ତ୍ରଣାରେ ଛଟପଟ ହେଉଥାଏ । ତଥାପି ଅସହ୍ୟ ଯନ୍ତ୍ରଣା ଭିତରେ ସେ ଦର୍ଶକ ମାନଙ୍କୁ ନିଜର ମୁକ ଅଭିନୟ ମାଧ୍ୟମରେ କହୁଥାଏ , ସେ ଠିକ ଅଛି , ସେ ଚାଲୁଛି ଏବଂ ଚାଲୁଥିବ । ତା ପରଦିନ ପୁଣି ସେହି ଜୋକର ସେହି ଅଭିନୟ ଏବଂ ସେହି କଳାବାଜୀ , ଯେମିତି କିଛି ହୋଇନାହିଁ । ପ୍ଲାସ୍ଟର ବନ୍ଧା ଗୋଡ଼କୁ ଘୋଡେଇ ରଖିଥିବା ହୁଗୁଳା ପେଣ୍ଟ ତଳର ସମସ୍ତ ଯନ୍ତ୍ରଣାକୁ ପିଇପିଇ ଜୋକରଟିଏ ଦର୍ଶକ ମାନଙ୍କୁ ସେହିପରି ଆମୋଦିତ କରୁଥାଏ । ଜୀବନ ନାଟକର ପ୍ରକୃତ ନାୟକ ଏହି ଜୋକର ମାନେ ସମୟର ରାସ୍ତା ରୋକି ଠିଆ ହେବାର ସତ୍ସାହସ ରଖି ମଧ୍ୟ ନିଜକୁ ଅବହେଳିତ ବୋଲି ସାବ୍ୟସ୍ତ କରିବାରେ ନିଜର ସଫଳତା ଖୋଜିନିଆନ୍ତି । ଏ ପ୍ରକାର ନିଆରା ପ୍ରକୃତି ଏମାନଙ୍କ ଚରିତ୍ରକୁ ରୋଚକ କରି ଗଢିତୋଳେ । ପ୍ରଳୟକୁ ନିଜ ଭିତରେ ସମାହିତ କରି ସୃଷ୍ଟି ଏବଂ ସ୍ଥିତିକୁ ସୁନିଶ୍ଚିତ କରିଆସୁଛନ୍ତି ଏହି ଜୋକରମାନେ , ଯେଉଁ ମାନଙ୍କର ଲୁହ ବି ପାଣିଆଁ ହସ ବି ପାଣିଆଁ । ଧନ୍ୟ ଏମାନଙ୍କ ମଣିଷ ପାଣିଆଁ ।  


Rate this content
Log in

Similar oriya story from Drama