Lopamudra Mishra

Drama

2.5  

Lopamudra Mishra

Drama

ସୁକନ୍ୟାର ଘର

ସୁକନ୍ୟାର ଘର

4 mins
373



 


       ଡିଷ୍ଟ୍ରିକ୍ଟ୍ ହେଡ୍କ୍ୱାର୍ଟର୍ ଠାରୁ ଦଶ କିଲୋମିଟର ଦୂରର ଛୋଟିଆ ଗୋଟେ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସେଇଠି ଚାକିରୀ କରନ୍ତି ସ୍ନେହା ଦିଦି, ସୁକନ୍ୟାର ମମି । ସରକାରୀ କ୍ୱାର୍ଟର୍ସରେ ରହନ୍ତି ସୁକନ୍ୟା, ତା'ର ମମି ଆଉ ଛୋଟ ଭାଇ ଦୀପୁ । ବାପା ରହନ୍ତି କଲିକତାରେ । ଛୁଟି ମିଳିଲେ ବେଳେ ବେଳେ ଆସନ୍ତି । ବାପାଙ୍କ ରହଣି ଦିନ ଗୁଡ଼ାକ ସୁକନ୍ୟା ଆଉ ତା' ଭାଇ ପାଇଁ ଖୁବ୍ ସୁଖକର ହେଇଉଠେ । କିନ୍ତୁ ମମି କାହିଁକି କେଜାଣି ଆଦୌ ଖୁସି ଜଣାପଡ଼େନି । ବାପା ଓ ମମିଙ୍କୁ ଭାଇ, ଭଉଣୀ ଦୁହେଁ କେବେ ସାଙ୍ଗ ହୋଇ ହସି ହସି କଥା ହେଉଥିବାର ଦେଖନ୍ତିନାହିଁ । ବରଂ ବାପା ଯେତେବେଳେ ଆସନ୍ତି ମମିଙ୍କ ସହ ଝଗଡା କରି ହିଁ ଯାଆନ୍ତି । 


      ସୁକନ୍ୟା ଦେଖିଛି ବାପାଙ୍କୁ ଖୁବ୍ ପାଖରୁ । ବହୁତ ଭଦ୍ର, ନମ୍ର ଓ ଶାଳୀନ ତାଙ୍କ ବ୍ୟବହାର । ବାପା କେବେ ମମିଙ୍କ ସହ ଆଗୁଆ ଝଗଡା କରନ୍ତିନି । ମମି ହିଁ ପ୍ରଥମେ କଳି ଆରମ୍ଭ କରେ । କାହିଁକି କରେ ସୁକନ୍ୟା ଜାଣିପାରେନି । ବାପା ଫେରିଗଲା ପରେ ମମି ପୂର୍ବଅବସ୍ଥାକୁ ଫେରି ଆସନ୍ତି । ହସ୍ପିଟାଲ ଆଉ ଘର କାମ ସବୁ ସୁଚାରୁ ରୂପେ ତୁଲାନ୍ତି । ମମିଙ୍କର ବ୍ୟବହାର ମଧ୍ୟ ଅଜବ । ସବୁବେଳେ ସ୍ଥିର ଆଉ ଚିନ୍ତିତ ଥାଆନ୍ତି ସେ । କଲୋନୀରେ କାହା ସହ ବେଶି ମିଶନ୍ତିନି । ନିଜ କାମରେ ମତଲବ ରଖନ୍ତି । କେବଳ ନିଜ କାମରେ । ଅଯଥା କାହା ବ୍ୟକ୍ତିଗତ ମାମଲାରେ ଆଦୌ ପଶନ୍ତିନି । ଦୀପୁ ଓ ସୁକନ୍ୟାଙ୍କ ପାଠ ପଢ଼ା ପ୍ରତି ମଧ୍ୟ ଖୁବ୍ ଯତ୍ନଶୀଳ ରହନ୍ତି । 


    ମମି ଦୀପୁକୁ ଯେତିକି ଗେହ୍ଲା କରନ୍ତି ସୁକନ୍ୟାକୁ ସେତିକି ଗାଳି କରନ୍ତି । ସୁକନ୍ୟା ତାହାର କାରଣ ଜାଣିପାରେନି । ସେ ବହୁତ ସାନ ଥିଲା ବେଳେ ମମି ତା'କୁ ଘରେ ଏକା ଛାଡ଼ି ହସ୍ପିଟାଲ ଯାଉଥିଲେ । ବାହାରେ ତାଲା ପକେଇ । ସୁକନ୍ୟା ଶୁଣିଚି କେବଳ ପଡୋଶୀଙ୍କ ଠାରୁ । ତା'ର ସେ କଥା ମନେ ନାହିଁ । ଦୀପୁ ଜନ୍ମ ହେଲା ପରେ ମମି ରମା ମାଉସୀଙ୍କୁ ମାମୁଁଘର ଗାଁରୁ ଡକେଇ ଆଣି ପାଖରେ ରଖିଲେ । ରମା ମାଉସୀ ବହୁତ ଦିନ ରହିଛି ସୁକନ୍ୟାଙ୍କ ଘରେ । ଥରେ ବାପାଙ୍କ ସହ ମମିଙ୍କର କଣ୍ ଗୋଟେ ଝଗଡା ହେଲା ଯେ ରମା ମାଉସୀ ଘରର ଗୋଟେ କୋଣରେ ବସି ବହୁତ ସମୟ ଯାଏଁ କାନ୍ଦିଲା । ତାହାର ଦୁଇ -ତିନ ଦିନ ପରେ ରମା ସବୁଦିନ ପାଇଁ ଗାଁକୁ ଚାଲିଗଲା । ତା'ର ବାହାଘର ହେଇଗଲା । ବାହାଘରର କିଛି ମାସ ପରେ ଖବର ମିଳିଲା ରମା ବେକରେ ରଶି ଲଗେଇ ଆତ୍ମହତ୍ୟା କରିଛି । 


    ରମା ମରିଗଲା । ବାପା ୩ -୪ ମାସ ଓଡିଶା ଆସିଲେନି । ମମି ବାପାଙ୍କ ଫୋନ୍ ଉଠାଉନଥିଲେ । ସୁକନ୍ୟା ଲକ୍ଷ୍ୟ କରୁଥିଲା ବାପା ଆସୁନଥିବା ସମୟ ତକ ନରୋତ୍ତମ ଅଙ୍କଲଙ୍କର ସୁକନ୍ୟାଙ୍କ ଘରକୁ ଯିବା ଆସିବା କରିବା ବଢ଼ିଯାଉଥିଲା । 


     ନରୋତ୍ତମ, ସ୍ନେହା(ସୁକନ୍ୟାର ମମି )ଙ୍କୁ କହୁଥିଲେ, "ଏ ନର୍ସ୍ ଚାକିରୀ ଛାଡ଼ି ଭଲ କରି ପଢ଼ାପଢି କରି ଅଲଗା କିଛି ଭଲ ଜବ୍ ପାଇଁ ଟ୍ରାଇ କର । କେତେ ଟ୍ୟାଲେଣ୍ଟେଡ୍ ଲେଡି ତୁମେ ! ଯାହା ଚାହିଁବ କରିପାରିବ । ସବୁ ବେକାର କଥା ମୁଣ୍ଡରୁ ବାହାର କରି ସିଭିଲ୍ସ୍ ପାଇଁ ଚେଷ୍ଟା କର " । ସ୍ନେହା ଦିଦି ହସି ଦେଉଥିଲେ । ନିରୋଳା ହସ । ସେମିତି ହସ ସୁକନ୍ୟା ନିଜ ମମିଙ୍କ ମୁହଁରେ ଅନ୍ୟ କେତେବେଳେ ବି ଦେଖେନି । 



   ମମି ସୁକନ୍ୟାକୁ ଗାଳି କରୁଥିଲେ କିନ୍ତୁ ପଢ଼ିବା ପାଇଁ ସବୁବେଳେ ତାଗିଦ୍ କରୁଥିଲେ । ସୁକନ୍ୟା ଥରେ ଥରେ ରାତିରେ ପାଣି ପିଇବାକୁ କିମ୍ବା ଟଏଲେଟ୍ ଯିବା ପାଇଁ ଉଠିଲେ ଦେଖେ ତା' ମମି ଟେବଲ୍ ଲ୍ୟାମ୍ପ୍ ର ଆଲୁଅରେ ବହି ଧରି ବସି କଣ୍ ସବୁ ପଢୁଥାଆନ୍ତି । 


    ରମା ମୃତ୍ୟୁର ଚାରିମାସ ପରେ ସୁବ୍ରତ ବାବୁ (ସୁକନ୍ୟାର ବାପା) ସ୍ନେହାଙ୍କର ସେହି ସରକାରୀ କ୍ୱାର୍ଟର୍ସ୍ କୁ ଫେରିଥିଲେ । ଅଫିସ କାମରେ ଜର୍ମାନୀ ଯାଇଥିଲେ ବୋଲି କହୁଥିଲେ । ଜର୍ମାନୀରୁ ଦୀପୁ ଓ ସୁକନ୍ୟାଙ୍କ ପାଇଁ ଗୁଡ଼ାଏ ସୁନ୍ଦର ସୁନ୍ଦର ଖେଳଣା ଆଣି ଆସିଥିଲେ । ସେଥର ପୁରା ପରିବାର ସାଙ୍ଗ ହେଇ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ, ଫିଲ୍ମ୍ ଦେଖିଥିଲେ । ସମସ୍ତେ ଖୁସି ଥିଲେ । ମମି ବି ବେଶି ଝଗଡ଼ା କରିନଥିଲା । କିନ୍ତୁ ଗୋଟେ କଥା ସୁକନ୍ୟାକୁ ଅଡୁଆ ଲାଗିଥିଲା । ରମା ଆତ୍ମହତ୍ୟା କାହଁକି କଲା ବାପା ସେ ବିଷୟରେ କିମ୍ବା ରମା ବିଷୟରେ ମମିଙ୍କୁ ଥରେଟେ ବି ପଚାରିନଥିଲେ । ସୁକନ୍ୟା ଭାବୁଥିଲା ହୁଏତ ବାପା ସେମାନେ ଘରେ ନଥିଲା ବେଳେ ମମିଙ୍କୁ ପଚାରିଥିବେ । 


  ସୁକନ୍ୟା ସପ୍ତମରେ ପଢିଲା ବେଳେ ଜାଣିଲା ତା'ର ଜଣେ ଜେଜେ ଅଛନ୍ତି ବାପାଙ୍କର ନିଜ ଗାଁରେ । ବାପାଙ୍କର ମଧ୍ୟ ଗୋଟେ ଗାଁ ଅଛି ! ଜେଜେ ଚିଠି ପଠେଇଥିଲେ ବାପାଙ୍କ ନାଁରେ । ମମି ବ୍ୟତିବ୍ୟସ୍ତ ହେଇଯାଉଥିଲେ । ସୁକନ୍ୟାକୁ ସବୁକିଛି ଆଶ୍ଚର୍ଯ୍ୟ ଲାଗୁଥିଲା । "ବାପା କେବେ କେମିତି ନିଜ ବାପାଙ୍କ ବିଷୟରେ ଘରେ କହନ୍ତିନି ? ଆମକୁ କହନ୍ତିନି? ", ସୁକନ୍ୟା ମମିଙ୍କୁ ପଚାରୁଥିଲା । ମମି କିଛି ନକହି ସୁକନ୍ୟା ଉପରେ ରାଗରେ ଗାରୁ ଗାରୁ ହେଇ ହସ୍ପିଟାଲ ବାହାରିଗଲେ ।


  ଜେଜେଙ୍କ ଚିଠି ବାପାଙ୍କ ପାଖରେ ପହଁଚିଲା ବେଳକୁ ଜେଜେ ଆଉ ନଥିଲେ । ବାପା ଦୀପୁ ଆଉ ସୁକନ୍ୟାଙ୍କୁ ଗାଁର ଘରକୁ ନେଇକରି ଜେଜେଙ୍କ ଶେଷ ଦର୍ଶନ କରେଇବାକୁ ଚାହୁଁଥିଲେ । ମମି ନିଜେ ଗଲେ ନାହିଁ କି ଦୀପୁକୁ ମଧ୍ୟ ଛାଡିଲେନାହିଁ । ବାପା ଖୁବ୍ ମନ କଷ୍ଟ କଲେ । ସୁକନ୍ୟାର ଏବେ ବି ମନେଅଛି । ବାପା କାନ୍ଦ କାନ୍ଦ ହେଇ କହୁଥିଲେ, "ସ୍ନେହା, ତୁମେ ଯିବନି ମୁଁ ଜାଣେ, ଦୀପୁକୁ ତ ଛାଡ଼ । ସେଇଟା ତାର ନିଜ ଘର " । ସ୍ନେହା ମୁହଁ ମୋଡି ଦେଲେ । ଆର ପଟକୁ ମୁହଁ କରି କହିଲେ, "ସେଇଟା କେବଳ ତୁମ ଘର । ତୁମେ ଯାଅ । ହଁ ସୁକନ୍ୟାକୁ ଯଦି ନେବାକୁ ଚାହୁଁଚ, ନେଇଯାଅ । ସେଇଟା ତାର ବି ଘର । କିନ୍ତୁ ଦୀପୁର ନୁହେଁ । ଦୀପୁ କେବଳ ଆଉ କେବଳ ମୋର" ।      


Rate this content
Log in

Similar oriya story from Drama