ଛଡ଼ାଡ୍ରେସ
ଛଡ଼ାଡ୍ରେସ
'ଟିନା,ତୁ ମୋ ବ୍ଲୁ ଡ୍ରେସ୍ କାହଁକି ପିନ୍ଧିଥିଲୁ ? କାହାକୁ ପଚାରିକି ପିନ୍ଧିଥିଲୁ ? ମୋ ସାଙ୍ଗମାନେ ଆଜି ତତେ ମାର୍କେଟରେ ମୋ ଡ୍ରେସ ପିନ୍ଧି ବୁଲୁଥିବା ଦେଖିଥିଲେ l ମୁଁ ଆଉ ସେ ଡ୍ରେସ୍ କେବେବି ପିନ୍ଧିବିନି l ମମି ମୁଁ ଚିରିଦେବି ସେ ଡ୍ରେସଟା l ଟିନାକୁ ମାରିପକେଇବି", ଲିନା ବଡ଼ ପାଟିକରି ଘର କମ୍ପାଉଥିଲା l ଟିନା ଆଉ ଲିନାଙ୍କ ମମି ବ୍ୟତିବ୍ୟସ୍ତ ହେଇଯାଉଥିଲେ l ଟିନାକୁ ଲିନାର ମାଡ଼ରୁ ରକ୍ଷାକରି ଲିନାକୁ ବୁଝେଇ ଶୁଝେଇ ଶାନ୍ତ କରେଇଲେ l ଟିନା ଚୁପଚାପ୍ ନିଜ ପଢ଼ାଘରେ ଟେବଲ୍ ଉପରେ ମୁଣ୍ଡ ରଖି ବସିଥିଲା l କିଛି କହୁନଥିଲା l ସେ ଭଲକରି ଜାଣେ ନିଜ ଦିଦିକୁ l ଦିଦି ନିଜର ପୋଷାକ, ଜୋତା, ଚପଲ୍ ଆଦି କିଛି ବି ଜିନିଷରେ ଟିନାକୁ ହାତ ଲଗେଇ ଦିଏନି l ଟିନାର କିନ୍ତୁ ଦିଦିର ଜିନିଷ ଉପରେ ଭାରି ଲୋଭ l ସେ ଭାବେ ଦିଦିର ଡ୍ରେସ୍ ପିନ୍ଧିଦେଲେ ସେ ବି ଲିନାଦିଦି ଭଳି ସୁନ୍ଦରୀ ହେଇଯିବ l କିନ୍ତୁ ଲିନା ତା'ର ପ୍ରିୟ ପୁରୁଣା ଛଡ଼ା ଡ୍ରେସଟିଏ ବି ଟିନାକୁ ପିନ୍ଧିବାକୁ ଦିଏନାହିଁ l ଯୋଉଟା ତା'କୁ ଆଉ ବିଲକୁଲ ପସନ୍ଦ ଲାଗେନି ସେଇଟି ଫିଙ୍ଗିଦିଏ ଟିନା ଉପରକୁ ଆଉ ଟିନା ଖୁବ୍ ଖୁସି ହେଇ ସଙ୍ଗେ ସଙ୍ଗେ ନେଇ ପିନ୍ଧି ପକେଇ ମିରର୍ ରେ ନିଜକୁ ଭଲକରି ଦେଖେ ଓ ନିଜ ଭିତରେ ଲିନାଦିଦିକୁ ଆବିଷ୍କାର କରିବାର ବୃଥା ପ୍ରୟାସ କରେ l
ଲିନା ଘର ଛାଡି ଚାଲିଯିବାର ଆଠ ବର୍ଷ ବିତିଗଲାଣି l ତଥାପି ପାପା, ମମି ତା'କୁ ଆଉ ତା' ବଦମାସ୍ ସ୍ୱାମୀକୁ ଆଜିଯାଏଁ ଗ୍ରହଣ କରିପାରିନାହାଁନ୍ତି l ଟିନା ନିଜ ପଢ଼ାପଢି ଆଉ ଚାକିରୀରେ ଏତେ ବ୍ୟସ୍ତ ଯେ ଲିନାଦିଦିକୁ ଥରେ ଦେଖାକରିବାକୁ ଯିବାକୁ ସମୟ ବାହାର କରିପାରିନି l
ଟିନାର ଟ୍ରାନ୍ସଫର୍ ହେଇଯାଇଛି ବଲାଙ୍ଗୀର l ନୂଆଜାଗା, ନୂଆଘର, ନୂଆ ପଡୋଶୀ, ସବୁ ନୂଆ ନୂଆ ଅଚିହ୍ନା ମୁହଁ l ସବୁ ଅଜଣା ଅଚିହ୍ନାଙ୍କ ଭିତରେ ଗୋଟେ ଚିହ୍ନା ମୁହଁ ଆସି ଆଜି ତା' ସାମ୍ନାରେ ଠିଆ ହେଇଚି l
--ଦିଦି ତୁ ଏଠି ?
--ହଁ ଇଏ ଏଠି ଗୋଟେ ଛୋଟ ବ୍ୟବସାୟ ଆରମ୍ଭ କରିବେ l
--ପାପା କହୁଥିଲେ ଭାଇନା ଗୁଡ଼ାଏ ଋଣ କରି ଶୁଝିନାହାଁନ୍ତି l ସେପଟ ଲୋକମାନେ ତାଙ୍କୁ ପାଗଳ ଭଳି ଖୋଜୁଛନ୍ତି ! ଏକଥା କଣ୍ ସତ ?
--ହଁ ସେ ଲୋନ୍ କରିଥିଲେ, କିନ୍ତୁ ସବୁ ଶୁଝିସାରିଲେଣି l
ଲିନା ସହ ଟିନା ଅଳ୍ପ କଥାବାର୍ତ୍ତା ହେଇ ତା'କୁ ନିଜ ନୂଆଘର ବୁଲେଇ ଦେଖାଇଲା l ଟିନା ଦେଖୁଥିଲା ଦିଦିର ପୁରୁଣା ମଇଳା ସଲ୍ୱାର ସୁଟକୁ l ଲିନାର ସ୍ୱାସ୍ଥ୍ୟ ବି ଖୁବ୍ ଭାଙ୍ଗିଯାଇଥିଲା, ଆଖି ଭିତରକୁ ଗଳି ଯାଇଥିଲା, ଗାଲ ପଶିଯାଇଥିଲା l ଦିଦି ଆଗଭଳି ଆଉ ଏତେ ସୁନ୍ଦରୀ ଦିଶୁନଥିଲା l ଲିନାକୁ ଡ୍ରେସ ବଦଳେଇବା ପାଇଁ ଟିନା ଡାକିନେଲା l ଟିନାର କପବୋର୍ଡରେ ଏତେ ସାରା ଡ୍ରେସର କଲେକ୍ସନ୍ ଦେଖି ଲିନା ଆଶ୍ଚର୍ଯ୍ୟ ହେଇଗଲା l ଆଖି ତା'ର ଉଜ୍ଜ୍ୱଳ ହୋଇଉଠିଲା l ସେ ନିଜେ ବାଛିକରି ଭଲ ନୀଳ ରଙ୍ଗର ଡ୍ରେସଟେ ପିନ୍ଧିନେଲା l
ଲିନା ତା' ଆସିବାର କାରଣ ଟିନାକୁ କହିଲା l ଟିନା ଅଫିସରୁ ଆସିଲେ କଥା ହେବ କହି ଚାଲିଗଲା l ସେ ଅଫିସରୁ ଫେରିଲା ବେଳକୁ ଲିନା ବସିଥିଲା ଟିଭି ପାଖରେ l ଘରଟାକୁ ସୁନ୍ଦର କରି ଝଡ଼ା ଝଡି କରି ସଫା କରିଦେଇଥିଲା l ଦୁଇଭଉଣୀ ପୁରୁଣା କଥା ଗପିଲେ, ସାଙ୍ଗ ହୋଇ ଖାଇଲେ l ଲିନା ଆରଥରକୁ ଆସିଲେ ଝିଅ ଗୁଡ୍ଲିକୁ ବି ସାଙ୍ଗରେ ଆଣିକି ଆସିବ କହିଲା l
ଲିନା ଯିବାକୁ ବାହାରିଲା l ଟିନା କିଛି ଟଙ୍କା ଆଉ ଦିଦି ପାଇଁ ନୂଆ ଶାଢ଼ିଟେ ଗୋଟେ ବ୍ୟାଗରେ ଭର୍ତ୍ତି କରି ଦିଦିର ହାତକୁ ବଢ଼େଇଦେଲା l ଲିନା କିନ୍ତୁ ଶାଢି ନେବାକୁ ଅମଙ୍ଗ ହେଉଥିଲା l ଟିନାର ପୋଷାକ ସେ ସେଯାଏଁ ପିନ୍ଧିକରି ରହିଥିଲା l ଟିନା ଆଡ଼କୁ ଚାହିଁ ସେ ମୁହଁ ଖୋଲି କହିଲା, "ଆରେ ନୂଆ ଶାଢି କଣ୍ ଦର୍କାର ଥିଲା ଯେ ଆଣିଲୁ ? ତୋର ଏହି ଡ୍ରେସଟା ନେଇଯାଉଛି l ଆଉ ଯଦି କିଛି ପୁରୁଣା ସଲ୍ୱାର ସୁଟ୍ ତୋର ଅଛି ଯୋଉଗୁଡା ତୁ ପିନ୍ଧୁନୁ ସେଇଥିରୁ ହଳେ ଦୁଇହଳ ବରଂ ଦେଇଦେ l ଏ ନୂଆ ଶାଢି ରଖ୍ ତୁ ପିନ୍ଧିବୁ" l
--କିନ୍ତୁ ଦିଦି ସେଇଟା ମୋ ଛଡ଼ା ଡ୍ରେସ୍ ! ତୁ କାହଁକି ମୋ ଛଡ଼ା ଡ୍ରେସ୍ ପିନ୍ଧିବୁ ଯେ ?
"କଣ୍ ହେଇଗଲା ସେଇଠୁ ? ତୁ ପିନ୍ଧିନୁ କି କେବେ ମୋ ଛଡ଼ା ଡ୍ରେସ୍ ? ", କହୁ କହୁ ଲିନା କାନ୍ଦି ପକେଇଲା l ଟିନା ବି କାନ୍ଦି କାନ୍ଦି ଦିଦିକୁ କୁଣ୍ଢେଇ ପକେଇଲା l ଦୁଇଜଣ ପରଷ୍ପରଙ୍କୁ ଜାବୁଡ଼ି ଧରି କାନ୍ଦୁଥିଲେ ଓ ଟିନା କାନ୍ଦୁ କାନ୍ଦୁ କହୁଥିଲା, "ଦିଦି ତୁ ଆମକୁ ଛାଡ଼ି ଚାଲିଗଲା ପରା ତୋର ସବୁ ଛଡ଼ା ଡ୍ରେସକୁ ମୁଁ ସାଇତି ରଖିଥିଲି ଆଉ ସେହିଗୁଡାକୁ ଦେଖି ଦେଖି ଦିନ କାଟିଦେଉଥିଲି l ପାପା ନିଆଁରେ ଜାଳିଦେବାକୁ ବାହାରିଥିଲେ ମୁଁ କିନ୍ତୁ ଲୁଚେଇ ରଖିଥିଲି, ଆଜିଯାଏଁ ବି ରଖିଛି l ସେହି ଛଡ଼ା ଡ୍ରେସ ଭିତରେ ମୁଁ ତତେ ଦେଖେ ଦିଦି" l