Lopamudra Mishra

Abstract

2  

Lopamudra Mishra

Abstract

ଛାଇ ଲେଉଟାଣି ବେଳ

ଛାଇ ଲେଉଟାଣି ବେଳ

3 mins
462


        ଛୁକଛୁକ୍ ଛୁକ୍ ଛୁକ୍ ଟ୍ରେନ୍ ଚାଲିଛି ଆଗକୁ l ଆଗ ଷ୍ଟେସନରେ ଗୁଡ଼ାଏ ଲୋକ ଓହ୍ଲେଇଯିବେ l ସେମାନଙ୍କ ଭିତରେ ଅଛନ୍ତି କେତେଜଣ ସ୍କୁଲ୍ ଟିଚର୍,ବୁଲା ବେପାରୀ,କଲେଜ୍ ସ୍ଟୁଡେଣ୍ଟ୍ସ୍, ଡେଲି ମଜୁରୀ ପାଇଁ ନିକଟସ୍ଥ ସହରକୁ ଯାଇଥିବା ନହ ନହକା ପତଳା ଲୋକ କିଛିଜଣ ଓ ସେମାନଙ୍କ ସହ ସେହି ଷ୍ଟେସନ୍ ପାଖ ଗାଁକୁ ଲାଗିଥିବା ଖାଲି ପଡିଆରେ ଏହି କିଛି ବର୍ଷ ହେବ ଅସ୍ଥାୟୀ ଭାବେ ଡେରା ପକେଇ ରହିଥିବା କିଛି ବେନାମୀ ମଣିଷ l


    ଟ୍ରେନ୍ ଚାଲିଗଲା ତା' ଗନ୍ତବ୍ୟ ପଥରେ l ଓହ୍ଲେଇପଡ଼ିଥିବା ଲୋକେ ରହିଗଲେ ପଛରେ l ଷ୍ଟେସନରୁ ତିନୋଟି ଅଣଓସାରିଆ ରାସ୍ତା ତିନୋଟି ଅଲଗା ଅଲଗା ଗାଁକୁ ଲମ୍ବିଯାଇଛି l ସେହି ରାସ୍ତାରେ ଚାଲି ଚାଲି ଲୋକମାନେ ନିଜ ନିଜ ଘର ମୁହାଁ ହେଲେ l ସୂର୍ଯ୍ୟ ଦୂର ପାହାଡ଼ର ଶୀର୍ଷ ଭାଗକୁ ଛୁଇଁ ଧିରେ ଧିରେ ତାହାରି ପଛପଟେ ଲୁଚି ଯାଉଥିଲେ l ବିନା ମାଲିକର ମାଳ ମାଳ ଗାଈ ଗୋରୁମାନେ ଧୂଳି ଉଡେଇ ହିଡ଼ ରାସ୍ତା ଡେଇଁ ସଡ଼କ ଉପରକୁ ଉଠୁଥିଲେ l ଏହି ସମୟରେ ଆକାଶର ରଙ୍ଗ, ମାଟିର ରଙ୍ଗ ଓ ପାହାଡ଼ର ରଙ୍ଗ ଗୃହ ଫେରନ୍ତା ମଣିଷ ଗୁଡ଼ାଙ୍କର ମନକୁ ଖୁବ୍ ରଙ୍ଗାୟିତ କରୁଥିଲା l 


         ପକ୍ଷୀ, ଗୃହ ପାଳିତ ପଶୁ, ମଣିଷ ସଭିଏଁ ଚାଲିଗଲେ ନିଜ ନିଜ ଠିକଣା ଜାଗାକୁ l ସେହି ବେନାମୀ ମଣିଷ କେତେଟା ବି ପଡିଆ ମଝିରେ ନିଜ ନିଜ ଝୁଲାମୁଣି ଆଉ ଝୁଡିଟି ମାନ ଥୋଇ ସଂସାର ମେଲେଇ ବସିଗଲେ l ପଥର ଥୋଇ, କାଠ ଗୋଟେଇ ଚୁଲିରେ ନିଆଁ ଧରେଇଲେ l ହାଣ୍ଡିରେ ଭାତ ଫୁଟୁଥିଲା, ଆଖିକୁ ନିଦ ଝାଙ୍କି ଆସୁଥିଲା l ନିଦ ମଳ ମଳ ଆଖିରେ ଜଣେ ଦାଢ଼ୀଵାଲା ମଣିଷ ଆଉ ଜଣେ ମଣିଷକୁ କହିଲା 


    --ମୁର୍ଷିଦ୍ ଶୁନା ତୁନେ ? ହମ୍ ଜେସେ ଲୋଗୋନ୍ କୋ ଏ ଦେଶ୍ ଛୋଡନା ପଡେଗା  


--ଛୋଡ୍ନା ପଡ଼େଗା କାହାଁ ଯାଏଁଗେ ହମ୍ମ  


--ଯାହାଁ ସେ ଆୟେଥେ ବହାଁ


--ୱ ଦୁସ୍ରେ ଗାଓଁ  


--ନେହିଁ ରେ ଏ ଦେଶ୍ ସେ ବାହର୍ l


--ତୁମ୍ ପାଗଲ୍ ହୋ କ୍ୟା ଏ ଦେଶ୍ ସେ ବାହାର୍ ହମ୍ମ କିଧର୍ ଯାଏଁଗେ ରେ ୟହାଁ ତ ହମ୍ମାରା ଘର୍ ବାର୍ କୁଛ ଭି ନେହିଁ ହୈ, ଦେଶ୍ ସେ ବାହର୍ ଔର୍ କ୍ୟା ହୋଗା ? ଯା ଚଲ୍ ଖା, ପିକେ ଶୋ ଯା, ସୁବହା ବହତ୍ ଦୂର୍ ଯାନା ହୈ l 


--ତୁ ସମଝତା ନେହିଁ ହୈ ରେ  ଅରେ ୱହି ତୋ ମେ ବୋଲ୍ ରହା ହୁଁ l କୁଛ ନେହିଁ ହୈ ହମ୍ମାରେ ପାସ୍ l ଜମିନ, ଘର୍, କାଗଜ୍ କୁଛ ନେହିଁ ହୈ l ହମ୍ମ ସବ୍ ଯାଏଁଗେ ବାହାର୍, ନେହିଁ ତୋ ଜେଲ୍ l ସର୍କାର୍ ନେ ବୋଲା ହୈ l


  ସେହି ଦୁଇ ଲୋକ କଥା ହେଉଥିଲେ, ବାକି ଆଉ କିଛିଜଣ ଆସି ସେମାନଙ୍କ ସହ ଯୋଗ ଦେଲେ l କଥାର ଗମ୍ଭୀରତାକୁ ସେମାନେ କେତେ ବୁଝୁଥିଲେ ଜଣା ନାହିଁ କିନ୍ତୁ ସେମାନଙ୍କ ଭିତରେ ଏକ ଅଜଣା ଆତଙ୍କ ଖେଳି ଯାଇଥିଲା l 


   ପରଦିନ ସେମାନେ ନିଜ ନିଜ ମୁଣି, ପେଡି ଧରି ପୁଣି ଚାଲିଲେ ଷ୍ଟେସନ୍ ଆଡ଼େ l ଟ୍ରେନ୍ ରେ ଚଢିଗଲେ l ଗାଡ଼ି ଚାଲିଲା ଛୁକ୍ ଛୁକ୍ ଛୁକ୍.. 


   ଛୋଟ ସହରର ଆରମ୍ଭରେ ଦୁଇ ଚାରିଟା ଦୋକାନ ପାରିକରି ବିରାଟ ଗୋଟେ ଘରର ଗେଟ୍ ଆଗରେ ଠିଆ ହେଲେ ମାଆ, ବାପ ଆଉ କୁନି ଝିଅ l ଦର୍ୱାନ୍ ପଚାରିଲା, "କଣ୍ କାମ ? "


--ଛୁରୀ, ଚାକୁ କିଛି ଧାର ପଜେଇବାର ଅଛି ? 


--ବୁଝିକି ଆସୁଛି l


   ଟିକେ ସମୟ ପରେ ନିଶୁଆ ଦର୍ୱାନ ଆସି କହିଲା, " ନାଁ ନାଁ ଦର୍କାର ନାହିଁ l ଯାଅ ଏଠୁ l"


"କିଛି ଖାଇବାକୁ ମିଳିବ ଏଇ ଛୋଟ ଛୁଆଟା ପାଇଁ ?", ଅପରିଷ୍କାର ପୋଷାକ ପିନ୍ଧା ମହିଳାଟି ନିଜ କୁନି ଝିଅକୁ ଦେଖେଇ ଦର୍ୱାନକୁ ପଚାରୁଥିଲା, ସେତିକି ବେଳେ ଗେଟ୍ ପାଖକୁ ଘରର ମାଲିକାଣୀ ଚାଲିଆସିଲେ ନିଜ ଛୋଟ ବିଦେଶୀ କୁକୁରକୁ ସାଙ୍ଗରେ ଧରି l


"କଣ୍ ଚାଲିଚି ଏଠି ? ", ମାଲିକାଣୀ ଉଚ୍ଚ ସ୍ୱରରେ ପଚାରିଲେ l


"ମେଡମ୍, ଏମାନେ ଖାଇବାକୁ ମାଗୁଛନ୍ତି !", ଦର୍ୱାନ୍ ମାଲିକାଣୀଙ୍କୁ ଆସ୍ତେ କହିଲା l


ମାଲିକାଣୀ 'ହୁଁ.. ' କହି ଭିତରକୁ ଗଲେ ଓ ଗୋଟେ ଜରି ପ୍ୟାକେଟ୍ ଆଣି ଛୋଟ ଝିଅଟା ହାତକୁ ବଢେଇଦେଲେ l ଡୌଲ ଡାଉଲ୍ ଛୋଟ ବିଦେଶୀ କୁକୁରଟା ଝିଅଟା ଆଡ଼କୁ କୁଦି ଯାଇ ଭୁକିବା ଆରମ୍ଭ କରିଦେଲା l ମାଲିକାଣୀ କୁକୁରକୁ ଟେକି ଆଣି କୋଳେଇ ଧରିଲେ ଓ ଗେହ୍ଲକରି କହିଲେ, "ନୋ ଟାଇଗର୍, ନୋ..ସେ ତୁମ ଫୁଡ୍ ନୁହେଁ l ଆର୍ ୟୁ ଫିଲିଙ୍ଗ୍ ହଙ୍ଗ୍ରି ଡ଼ିଅର୍ ? କମ୍ କମ୍ ଇନସାଇଡ୍" l


    କୁନିଝିଅ ଆବାକ୍ ହେଇ ଚାହିଁରହିଥିଲା କୁକୁରର ଯିବା ରାସ୍ତାକୁ l 


 "ନାଜ୍, ନାଜ୍ ବେଟି କ୍ୟା ହୁଆ ? ଚଲୋ, ଆଗେ ଚଲୋ l", ଝିଅର ମାଆ ଝିଅଟାକୁ ଟାଣି ନେଇଗଲେ ଗେଟ୍ ବାହାରକୁ l ଝିଅଟା ତଥାପି ସେହି ଘର ଆଡ଼କୁ ବୁଲି ବୁଲି ଚାହିଁ ଚାହିଁ ମାଆର ହାତ ଧରି ଚାଲୁଥିଲା l କିଛି ବାଟ ଆଗେଇ ଗଲା ପରେ ଝିଅଟି କହିଲା, "ଅମ୍ମା, ଉସ୍ କୁତ୍ତେ କେ ପାସ୍ ୱ କାଗଜ୍ ହୈ କ୍ୟା ଜୋ ହମ୍ମାରେ ପାସ୍ ନେହିଁ ? "


  କୁନି ଝିଅର ବାପା ଆଉ ମାଆ ଝିଅଟା ପ୍ରଶ୍ନର କିଛି ଉତ୍ତର ଦେଲେ ନାହିଁ l ସେମାନଙ୍କୁ ଖୁବ୍ ଜୋରରେ ଚାଲି ଚାଲି ଆଗକୁ ଯିବାର ଥିଲା l ଷ୍ଟେସନ୍ ଆଡ଼େ ଯିବାରେ ଥିଲା l ଦୂରରୁ ଟ୍ରେନ୍ ଆସିବାର ଶବ୍ଦ ଶୁଭୁଥିଲା l ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୁଚି ଯିବାକୁ ବସିଥିଲେ ଓ ସେମାନଙ୍କ ପାଇଁ ଛାଇ ଲେଉଟାଣି ବେଳ ହେଇଆସୁଥିଲା l


Rate this content
Log in

Similar oriya story from Abstract