ବିନୟ ମହାପାତ୍ର

Drama Classics Inspirational

4  

ବିନୟ ମହାପାତ୍ର

Drama Classics Inspirational

ଗଙ୍ଗା ଜଳ

ଗଙ୍ଗା ଜଳ

7 mins
383



ଦଶହରା ବର୍ଷର ଏମିତି ଗୋଟିଏ ପର୍ବ, ଯେତେ ବେଳେ ଘରର ସବୁ ପୁଅ ବାହୁ, ଝିଅ ଜୋଇଁ ନାତି ନାତୁଣୀ ସମସ୍ତେ ଏକାଠି ହୁଅନ୍ତି । ନିରବି ଯାଇଥିବା ଶୁନ୍ ଶାନ୍ ଘର ଅଗଣା ପୁଣି ଥରେ ଚଳ ଚଞ୍ଚଳ ହୋଇ ଉଠେ । ଯେମିତି ବ୍ୟାଟେରୀ ସରି ଯାଇଥିବା ମୋବାଇଲ ଫୋନ୍ ହଣ୍ଡ୍ରେଡ ପରସେଣ୍ଟ ଚାର୍ଯ ହୋଇଗଲା ପରେ, ପୁଣି ଥରେ କଲର ଟ୍ୟୁନ ବାଜି ଉଠ, ହାଲୋ ହାଏ ଠାରୁ ଆରମ୍ଭ କରି ଗୁଡ ମର୍ଣ୍ଣିଂ, ଗୁଡ ନାଇଟ, ଫେସବୁକ୍, ଇନଷ୍ଟାଗ୍ରାମରେ ଷ୍ଟୋରୀ ଆଉ ରିଲର ଖଟା ମିଠା କମେଡି, ଜୋକ୍ କି ମଧୁର ସଂଗୀତର ମୂର୍ଚ୍ଛନାର ସ୍ୱର ଭାସି ଆସେ ସେମିତି ନିସ୍ତେଜ ପଡିଥିବା ଘର ଅଗଣା ଆଉ ଥରେ ମୁଖର ହୋଇ ଊଠେ ନାତି ନାତୁଣୀ ମାନଙ୍କର କୋଳାହଳରେ ।


ରୋଷେଇ ଘରେ ବୋହୁ ମାନଙ୍କର ଚୁଡିର ଝଣ ଝଣ ଶବ୍ଦ, ପଉଞ୍ଜିର ରୁଣୁ ଝୁଣୁ ମଧୂର ସଂଗୀତ ଆଉ ମିଠା ମିଠା କଥାର ସ୍ୱର କେଉଁ ଏକ ଅଧା ଭୂଲା ମଧୂର ସଂଗୀତର ତାନ ପରି ଶୁଣାଇ ଯାଏ। ବୁଢା ବାପା ମାଆଙ୍କର ଆଉ ଥରେ ଡେଣା ଗଜୁରୀ ଆସେ, ବହୁତ ଦିନରୁ ମୁହଁମାଡି ପଡିଥିବା ପୁରୁଣା ଚାବିଦିଆ ବେକାର ଖେଳନାରେ କିଏ ଯେମିତି ଆଉ ଥରେ ଚାବି ଭରି ଦେଇଛି । ପିଲା ମାନେ ନିଜ ନିଜ ଜାଗାକୁ ଫେରିବା ପର୍ଯ୍ୟନ୍ତ ଏମିତି ନାଚୁ ଥିବେ ସେମାନେ ଆଉ ପିଲା ମାନେ ନିଜ ନିଜ ଜାଗାକୁ ଫେରି ଗଲା ପରେ ପୁଣି ନିସ୍ତେଜ ହୋଇ ଘରର କେଉଁ କୋଣରେ ପଡି ରହି ଥିବେ, ବେକାର ଅଦରକାରୀ ପୁରୁଣା ପୁରୁଣା ଫର୍ଣ୍ଣିଚର ପରି ଧୂଳି ଖାଉଥିବେ । ପିଲା ମାନେ ଘରକୁ ଆସୁଥିବା ଖୁସିରେ ମା' ନିଜର ଅଣ୍ଟା ବିନ୍ଧା କଥା ଭୂଲି ଯାଏ । ରୋଗଣା ବୁଢା ବାପା ନିଜର ଡାଇବେଟିସ୍, ବ୍ଲଡ ପ୍ରେସର କଥା ଭୂଲି ପୁଣି ଥରେ ଯୁବକ ହୋଇ ଯାଆନ୍ତି । କେତେ ଯୁଗରୁ ଶୁନ୍ ଶାନ୍ ପଡିଥିବା ଘର ଅଗଣା ପୁଣି ଥରେ ଛୋଟ ଛୁଆଙ୍କର ଧା' ଧପଡ ଖେଳ ଗୋଳରେ ଗହଳ ଚହଳ ହୋଇ ଉଠେ । 


ସୁଲୋଚନାଙ୍କର ତିନି ପୁଅ ତିନି ବୋହୁ, ହେଲେ ସମସ୍ତେ ନିଜ ନିଜର କାମ ଧନ୍ଦାରେ ବାହାରେ ରହନ୍ତି । ଦୁଇ ଝିଅ ବାହାଘର ପରେ ସେମାନଙ୍କ ନିଜ ଘର ଜଞ୍ଜାଳରେ ବ୍ୟସ୍ତ । ଗୋଟେ କି ଦୁଇଟା ନୁହେଁ, ନାତି ନାତୁଣୀ ସବୁ ମିଶାଇ ମୋଟ ଦଶଟା ଛୁଆ । ଏତେ ବଡ ପରିବାର ଥାଇ ମଧ୍ୟ ଘରଟା ବର୍ଷ ସାରା ଶୁନ୍ ଶାନ୍ ପଡିଥାଏ । ବୁଢା ବୁଢି ଦୁଇ ଜଣ ଘର ଜଗି ରହିଥାନ୍ତି । ସୁଲୋଚନାଙ୍କ ସ୍ୱାମୀ ନାରଣ ସାଆନ୍ତେ । ଗଲା ଭୋଦୁଅ ମାସରେ ବୟସ ତାଙ୍କର ଅଣସ୍ତରୀ ପୁରି ସତୁରୀ ହେଲା । ନାରଣ ସାଆନ୍ତେ ନିଜର ସୁଗାର ଓ ବ୍ଲଡ ପ୍ରେସର ସତ୍ୱେ ଏ ବୟସରେ ବି ବହୁତ ମଝଭୂତ ଅଛନ୍ତି । ଛ' ଫୁଟର ଡେଙ୍ଗା ମଣିଷଟେ, ମୁଣ୍ଡର ଚୁଟି ସିନା ପାଚି ଧଳା ହୋଇଗଲା, ହେଲେ ଚଉଡା ଛାତି, ବଳିଷ୍ଟ ଦେହ ସାଙ୍ଗକୁ କଳା ଧଳା ଚୁଟିର ମୋଟା ବାଘୁଆ ନିଶ ହଳେ ତାଙ୍କ ମୁହଁକୁ ବଡ ସାଜେ। ଜମିଦାରି ସିନା ଚାଲି ଯାଇଛି, ହେଲେ ଆଜି ବି ତାଙ୍କର ସେଇ ଥାଟ ବାଟ ସେମିତି ଅଛି । ବର୍ଷର ବଡ ପର୍ବ ଏଇ ଦୁର୍ଗାପୂଜାଟା । ପୁଅ ବୋହୁ, ଝିଅ ଜୋଇଁ, ନାତି ନାତୁଣୀ, ବନ୍ଧୁ ବାନ୍ଧବ ସବୁ ଏଇଠି ଏକାଠି ହୁଅନ୍ତି । ଗହଳ ଚହଳରେ ଘର, ଅଗଣା ଜୀବନ୍ତ ହୋଇ ଉଠେ ।


ନାରଣ ସାଆନ୍ତଙ୍କ ଗୋସେଇଁ ଜେଜେ ବାପା ଅମଳର ଏଇ ଦେବୀ ମନ୍ଦିରଟି । ବଗିଚା ଭିତରେ ଥିବା ଗାଡିଆ ପାଖରେ ଗୋସିଁ ଜେଜେ ତିଆରି କରିଥିଲେ ଏଇ ମନ୍ଦିରଟି । ବାରିପଦାର ଖିଚିଂରୁ କାରୀଗର ଡକେଇ କଳାମୁଗୁନୀ ପଥରରେ ତିଆରି କରେଇ ଥିଲେ ମାଆ ଦଶଭୂଜା ଦୂର୍ଗାଙ୍କ ମୂର୍ତ୍ତୀ । ବର୍ଷ ସାରା ପୁରୋହିତ ଆସି ମାଆଙ୍କ ପାଖରେ ତିନି ବେଳା ତିନି ଧୂପ ଲଗାଏ । କିନ୍ତୁ ଦଶରା ସମୟରେ ମହାସପ୍ତମୀ ଠାରୁ ଦଶରା ଯାଏ ଚାରି ଦିନ ଧରି ଶୋଡଷ ଉପଚାରରେ ବଡ ପୂଜା ହୁଏ ମାଆଙ୍କର । 


ପୂଜା ପାଇଁ ପିଲା ମାନେ ସବୁ ଏତେ ଦିନ ପରେ ଘରକୁ ଆସିଛନ୍ତି । ପିଲାମାନଙ୍କୁ ପାଖରେ ପାଇ ବୁଢା ବୁଢି ଦୁଇ ଜଣଙ୍କର ଗୋଡ ତଳେ ଲାଗୁ ନାହିଁ । କୋଉ ପୁଅକୁ କଣ ଭଲ ଲାଗେ, କୋଉ ଝିଅ କି କୋଉ ବୋହୁ କଣ ଖାଇବାକୁ ଭଲ ପାଏ, ତାରି ଯୋଗାଡରେ ମାସକ ଆଗରୁ ଲାଗି ଯାଆନ୍ତି ନାରଣ ସାଆନ୍ତେ । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ଗୋଟି ଗୋଟି କରି ସବୁ ଦରବ ଏକାଠି କରନ୍ତି । କାହାକୁ କୋଉ ଜିନିଷ ପାଇଁ କଣ ବରାଦ ଦିଆଯିବ ସୁଲୋଚନା ନାରଣ ସାଆନ୍ତଙ୍କୁ ମନେ ପକେଇ ଦିଅନ୍ତି । ପିଲା ମାନଙ୍କର ଯେପରି କୋଉଥିରେ କିଛି ଅଭାବ ରହି ନଯାଏ ସେ କଥାକୁ ବଡ ସାବଧାନରେ ଯୋଗାଡ କରି ଦିଅନ୍ତି । ଗାଆଁରେ ବିଜୁଳି କଟିଯାଏ ବୋଲି ବଡ ଇନଭର୍ଟରଟିଏ ଗଲା ମାସରେ ଆଣି ଘରେ ଲଗେଇଛନ୍ତି । ବଡ ପୁଅ ବୋହୁ ଦିଲ୍ଲୀରୁ ଦୁଇ ଦିନ ଆଗରୁ ଆସି ପହଞ୍ଚି ଗଲେ, ମଝିଆ ପୁଅ ବୋହୁ ଆଜି ଆସି ପହଞ୍ଚିଲେ, ସାନ ପୁଅ ବୋହୁ ବାଙ୍ଗାଲୋରରେ ରହନ୍ତି ସେମାନେ ପୂଜାର ଦିନକ ଆଗରୁ ଆସି ପହଞ୍ଚି ଗଲେ । ଝିଅ ଦିଜଣ ଓଡିଶାରେ । ବଡ ଜୋଇଁ ବ୍ୟାଙ୍କରେ କାମ କରନ୍ତି, ଭୂବନିଶ୍ୱରରେ ରହନ୍ତି, କଟକରେ ସାନ ଜୋଇଁଙ୍କର ନିଜର ବିଜିନେସ । ଝିଅ ଦିଜଣ ପିଲାମାନଙ୍କୁ ନେଇ ସପ୍ତମୀ ଦିନ ଆସି ପହଞ୍ଚି ଗଲେ । ଜୋଇଁ ଦଶରା ଦିନ ପହଞ୍ଚିଲେ ।


ମହାସପ୍ତମୀ ଦିନ ରାତି ଚାରିଟାରୁ ଉଠି ସୂଲୋଚନା ଦେବୀ, ପୂଜା ପାଇଁ ସବୁ କିଛି ସଜଡା ସଜଡିରେ ଲାଗି ପଡିଛନ୍ତି । ରୋଷେୟା ନନା ତାଙ୍କ ଗାଆଁରୁ ତା ନିଜ ସାନ ଭାଇକୁ ଡକେଇ ଆଣିଛି, ପୂଜା ସମୟରେ ଘରେ ବହୁତ ଲୋକ, ବଡ ପରିବାର, ଘରେ ବଡ ଲୋକ, ଛୋଟ ପିଲା ସମସ୍ତଙ୍କୁ ମିଶେଇ ତିରିଶ ଜଣ ହେବେ, ତା ସାଙ୍ଗକୁ ସାଇ ପଡିଶା ଆଉ ଗାଆଁର କିଛି ବନ୍ଧୁ ବି ପୂଜା ସମୟରେ ଘରେ ଏକାଠି ହେବେ । ପିଲା ମାନଙ୍କର ପୁଣି ଅଲଗା ଅଲଗା ବରାଦ, କାହାର ଯେପରି କିଛି ଉଣା ରହି ନଯାଏ ସେଥି ପାଇଁ ରୋଷେଇ ଘରେ ପରିବା କଟା, ମସଲା ବଟା ଆଦି କାମରେ ପୁଜାରୀ ଦି'ଜଣ ରେଷେଇ କାମରେ ବହୁତ ବ୍ୟସ୍ଥ । 


ପୂର୍ବ ଦିନ ସଂଧ୍ୟାରେ ପୂଜା ସାମଗ୍ରୀ ସବୁ ଏକାଠି କରି ସଜାଡି ରଖିବା ପାଇଁ ସୂଲୋଚନା ତାଙ୍କ ବଡ ବୋହୁକୁ କହି ଦେଇଥିଲେ । ପୁରୋହିତେ ସକାଳ ସାତଟା ବେଳକୁ ଆସି ପୂଜା ଆରମ୍ଭ କରିବେ ବୋଲି କହି ଯାଇଛନ୍ତି । ସେଥି ପାଇଁ ସୁଲୋଚନା ସମସ୍ତଙ୍କୁ ଜଣ ଜଣ କରି ଉଠେଇ ଦେଇ ଆସିଲେଣି । ପୂଜା ଆଗରୁ ସମସ୍ତେ ଗାଧୋଇ ପାଧୋଇ ରେଡି ହେବାକୁ କହି ଦେଇ ନିଜ କାମରେ ବ୍ୟସ୍ତ ହୋଇଗଲେ । ବଡ ପୁଅ ଦଶହରା ଯୋଗୁ ସମସ୍ତଙ୍କ ପାଇଁ ନୁଆ ଲୁଗା ପଟା ବି ନେଇ ଆସିଛି ।


ଠିକ୍ ସମୟରେ ପୁରୋହିତ ଆସି ମନ୍ଦିରରେ ପୂଜା ପାଇଁ ତାଙ୍କର ପୂଜା ଆସ୍ଥାନରେ ମୂରୁଜରେ ମଣ୍ଡଳୀ ସଜେଇ ପୂଜା ବେଦି, କଳଶ ଆଜି ସଜା ସଜିରେ ଲାଘିଛନ୍ତି । ଠିକ୍ ସମୟରେ ଜଣ ଜଣ କରି ସମସ୍ତେ ପହଞ୍ଚି ପୂଜାରେ ବସି ସାରିଲେଣି । ହଠାତ ପୁରୋହିତେ କହିଲେ, ମାଆ ସାନ୍ତାଣୀ, ଗଙ୍ଗା ଜଳ କାଇଁ, ଗଙ୍ଗା ଜଳ ବୋତଲଟା ତ କାଇଁ ନଜର ଆସୁନି । ବିନା ଗଙ୍ଗା ଜଳରେ ପୂଜା କେମିତି ହେବ? କଳଶ ପାଣିରେ ଦି ଟୋପା ଗଙ୍ଗା ଜଳ ନପଡିଲେ କଳଶ ସ୍ଥାପନା ହୋଇ ପାରିବନି, ପୂଜା ଗଡୁରେ ଦି ଟୋପା ଗଙ୍ଗା ଜଳ ବିନା ଠାକୁରଙ୍କ ସ୍ନାନ ଆଚମନ କେମିତି ହେବ ? 


ସେତିକି ବେଳକୁ ବଡ ଭାଉଜ ପାଟିଟାଏ କରି କହିଲେ, ସାନକୁ କହିଥିଲି ପା', ଠାକୁର ପୂଜାର ସବୁ ସାମଗ୍ରୀ ଜୋଗାଡ କରି ରଖିବାକୁ, କିଛି ଅସୁବିଧା ହେଲେ ମଝିଆଣିକୁ ପଚାରି ନେବୁ ବୋଲି ବି କହିଥିଲି, ବେଶି କିଛି ଅସୁବିଧା ହେଲେ ମୋତେ କହିବୁ ବୋଲି ବି କହିଥିଲି ! ହେଲେ ଆଜି କାଲିକା ଝିଅ ତ ସବୁ ଭାରି ସିଆଣୀ, କାହାକୁ କିଛି ପଚାରିବାକୁ ତାଙ୍କୁ ସରମ ଆସେ । 


ପରିସ୍ଥିତିକୁ ସମାଳି ନେଇ ହଠାତ୍ ମାଆ ଶାନ୍ତ ସ୍ୱରରେ କହିଲେ, ଆରେ ସୁରେଖା, (ସୁରେଖା ବଡ ଭାଉଜଙ୍କ ନାଁ), ୟାକୁ ତାକୁ ଦୋଷ ଦେଇ କଣ ହେବ, ସିଏତ ନୂଆ ବୋହୁଟା, ଏ ଘରର ରୀତି ନୀତି ଶିଖିବାକୁ ତାକୁ କିଛି ସମୟ ଲାଗିବ, ସେ କଣ ଜାଣିଛି ଏ ଘରର କୋଉ ଜିନିଷ କୋଉଠି ଥାଏ ? ତମେ ତ ସବୁ ବାହାରେ ରହିଲ, କୁଣିଆ ପରି ଦି ଚାରି ଦିନ ପାଇଁ ଘରକୁ ଆସିବ, କେମିତି ଜାଣିବ କୋଉ ଜିନିଷ କୋଉଠି ରହେ ? ଯାଆ ଦେଖ, ଠାକୁର ଘର ଉପର ଥାକରେ ଗଙ୍ଗା ଜଳ ସେଇ କାଚ ବୋତଲଟାରେ ଅଛି, ସେଥିରେ ଗଙ୍ଗା ଜଳ ଯଦି କମ୍ ହୋଇ ଯାଇଥିବ ତେବେ ବୋତଲରେ ଗିନାଏ ପାଣି ମିଶାଇ ଦେବୁ । ସେ ବି ଗଙ୍ଗା ଜଳ ହୋଇଯିବ ।


ଗଙ୍ଗା ଜଳ, ଏଇ ଗଙ୍ଗା ଜଳ ବହୁତ ପୁରୁଣା, ଯେତେ ବେଳେ ଜେଜେ ଆଉ ଜେଜେମା ବଞ୍ଚିଥିଲେ ସେବେ ଯାଇଥିଲେ ତୀର୍ଥ କରିବାକୁ । ପୁରା ମାସେ କାଳ ସାରା ଭାରତ ଭ୍ରମଣ କରି ଚାରି ଧାମ ଦର୍ଶନ କରି ଆସିଥିଲେ । ହରିଦ୍ୱାରରୁ ଆଣିଥିଲେ ବୋତଲେ ଗଙ୍ଗା ଜଳ । ସେ ସମୟରେ ଆଜି କାଲିକା ପରି ପ୍ଲାଷ୍ଟିକ ବୋତଲ କି ପାଞ୍ଚ ଲିଟର ବାଲା ଜାର ମିଳୁ ନଥିଲା । ସେ ଯୁଗରେ ବୋତଲ କହିଲେ ସବୁ କାଚର ବୋତଲ, କିରୋସିନ୍ ଠାରୁ ଆରମ୍ଭ କରି ରୋଷେଇ ଘରର ଶୋରିଷ ତେଲ ବୋତଲ ହେଉ କି ଗଙ୍ଗା ଜଳ ସବୁ କାଚ ବୋତଲରେ ରହେ । ଏମତିକି ସ୍ୟାହି ଶିଶିର ଠିପିରେ କଣାଟାଏ କରିଦେଇ ସେଇ ବାଟେ ବଳିତାଟିଏ ଲଗାଇ ସେଇ ଶିଶିରେ କିରୋସିନ ଭରିଦେଲେ ସେ ହୋଇ ଯାଉଥିଲା ଡିବିରି । ସେତେ ବେଳେ ଗାଁରେ ଇଲେକ୍ଟ୍ରିକ ତ ନଥିଲା, ସଂଜ ହେଲେ ଲଣ୍ଠନ କି ଡିବିରି ଖୋଜାହୁଏ । ଆଜି ବି ମନେ ପଡେ ପିଲା ଦିନର ସେଇ କଥା ସବୁ, ସେଇ ଡିବିରି ଆଲୁଅରେ ପାଠ ପଢିବା କଥା, ଆଜି କାଲିକା ପିଲେ ଏ ଦେଶୀ ଜୋଗାଡ କଥା ଶୁଣିଲେ ହସିବେ । 


ଛାଡ ସେ କଥା, ଗଙ୍ଗା ଜଳ କଥା କହୁଥିଲି ନା’ । ହଁ ସେଇ ଯୁଗର ସେଇ ଗଙ୍ଗା ଜଳ ଆଜି ଯାଏ ବ୍ୟବହାର ହେଉଛି । ସାଇ ପଡିଶାରେ କାହାର କେବେ ପୁଜା ପାଠ ହେଉ କି ମଲା ମଣିଷ ମୁହଁରେ ଟୋପାଏ ଗଙ୍ଗା ଜଳ ଦେବାକୁ ଆମରି ଘରୁ ଗାଁ ଲୋକେ ମାଗିନିଅନ୍ତି । ଗାଆଁରେ ପ୍ରାୟ ସମସ୍ତଙ୍କୁ ଜଣା, କୋଉଠି ନ ମିଳିଲେ ବି ଆମ ଘରେ ନିଶ୍ଚୟ ମିଳିବ ଗଙ୍ଗା ଜଳ । ବଡ ଆଶ୍ଚର୍ଯ୍ୟ ଲାଗେ କୋଉ ଯୁଗର ସେ ଗଙ୍ଗା ଜଳ ଆଜି ଯାଏ ସେମିତି, ସେତିକି ଅଛି । ସତେବା ଏଇଟା ମାଣବସା ଗୁରୁବାର ଦିନ ମାଆ ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀକୁ ଦେଇଥିବା ଅକ୍ଷୟ ପାତ୍ର ! ଶ୍ରୀୟାକୁ ମାଆ ଲକ୍ଷ୍ମୀ ବରଦାନ ଦେଇ କହିଥିଲେ, ଦେଖ ଶ୍ରୀୟା ତୋର ଯେତେ ବେଳେ ଯେତେକି ଦରକାର ହେବ, କେବଳ ସେତିକି ମାଗିବୁ, ଏ ପାତ୍ରରୁ ତୋତେ ଯାହାବି ପ୍ରାପ୍ତ ହେବ ସେଥିରୁ କିଛି ଅଂଶ ନିଶ୍ଚୟ ଦାନ ଧର୍ମ କରିବୁ, ଦେଖିବୁ ଏ ଅକ୍ଷୟପାତ୍ର କେବେ ବି ଖାଲି ହେବନି, କିନ୍ତୁ କେବେ ଯଦି ଲୋଭରେ ତୋର ଆବଶ୍ୟକତା ଠାରୁ ଅଧିକ କାଢିବୁ ତେବେ ଏ ପାତ୍ର ଶୁନ୍ୟ ହୋଇଯିବ । ସେମିତି ଥିଲା ଜେଜେ ମାଆର ଗଙ୍ଗା ଜଳ ବୋତଲ । ଜେଜେ ମାଆ ବି ମାନିଥିଲା ଏଇ ମନ୍ତ୍ର, ମାଆ ବି ମାନୁଛି, ଆଗକୁ ଚାଲି ବୋହୁମାନେ ବି ମାନିବେ ବୋଲି ମାଆ ସବୁ ବେଳେ ବୋହୁମାନଙ୍କୁ ଶିଖାଏ, ସତେବା ଏଇ ବୋତଲଟା ହିଁ ସ୍ୱୟଂ ମାଆ ଗଙ୍ଗା !


ଏ ଗଙ୍ଗା ଜଳ ବୋତଲ ଆଜି ଯାଏ କେବେ ବି ଶୁନ୍ୟ ହୋଇନି ? ଜେଜେ ମାଆ ଯେତେ ବେଳେ ହରିଦ୍ୱାରରୁ ଏ ଗଙ୍ଗା ଜଳ ଆଣିଥିଲା ସେତେ ବେଳେ ଜଣେ ସାଧୁ ତାକୁ କହିଥିଲେ, ଝିଅ, ଯେତେ ବେଳେ ବୋତଲ ଅଧା ହୋଇଯିବ ଏଥିରେ ଆଉ କିଛି ପରିଷ୍କାର ପାଣି ମିଶାଇ ପୁଣି ବୋତଲ ଭରି ନେବୁ । ଟୋପାଏ ଗଙ୍ଗା ଜଳ ସାରା ସମୁଦ୍ରର ଜଳକୁ ବି ଗଙ୍ଗା ଜଳ କରିଦେଇ ପାରେ । ମାଆ ଗଙ୍ଗା କଲ୍ୟାଣମୟୀ ପାପ ନାଶିନୀ, ତୋର ଏ ଗଙ୍ଗା ଜଳ ବୋତଲ କେବେ ଖାଲି ହେବନି । ମାଆ ଗଙ୍ଗାର ଆଶିର୍ବାଦ ତୋ ସାଙ୍ଗରେ ଅଛି । 


ସେଇ ଫର୍ମୁଲାରେ ଜେଜେ ମାଆର ବୋତଲ କେବେ ଖାଲି ହୋଇ ନଥିଲା, ମାଆର ବୋତଲ ବି ଖାଲି ହୋଇନି, ଆଶା ବୋହୁ ମାନଙ୍କ ଅମଳରେ ବି ଏଇ ଅକ୍ଷୟ ବୋତଲ କେବେ ଖାଲି ହେବନି, ସତେବା ଏଇ ବୋତଲଟାରେ ସ୍ୱୟଂ ମାଆ ଗଙ୍ଗା ବିଜେ କରିଛନ୍ତି ।


ବେଳେ ବେଳେ ମନେ ହୁଏ ସତେବା ଏଇ ବୋତଲଟି ଗୋଟିଏ ଅକ୍ଷୟ ପାତ୍ର ଅଥବା ସ୍ୱୟଂ ମାଆ ଗଙ୍ଗା ଏଇ ବୋତଲ ଭିତରେ ବିରାଜମାନ କରନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଆସ୍ଥା ଓ ବିଶ୍ୱାସ କେତେ ମଝଭୂତ ସତେ । କାଠ ପଥରରେ ସିନ୍ଦୁର ବୋଳି ଆଜି ବି ଆମେ ଆମର ଇପ୍ସିତ ବରଦାନ ପାଇଁ ପ୍ରାର୍ଥନା କରୁଛୁ, ଭଣ୍ଡ ସାଧୁ ସନ୍ୟାସୀଙ୍କ ଚରଣ କମଳରେ ସାରା ଜୀବନ ନିଜକୁ ଉତ୍ସର୍ଗ କରି ଦେଉଛୁ, ଏହାର ନାଆଁ କଣ ଆସ୍ଥା ଆଉ ଭଗବାନ ? ହଁ, କହନ୍ତି ମନ ନିର୍ମଳ, ଆସ୍ଥା ଶୁଦ୍ଧ ଓ ବିଶ୍ୱାସ ଦୃଢଥିଲେ ସବୁ ସମ୍ଭବ । ଗୋବର ଗାଡିଆ ବି ଗଙ୍ଗା ପାଲଟି ଯାଏ । ବିଶ୍ୱାସ ଓ ଆସ୍ଥା ହିଁ ଭଗବାନ, ଆଉ ସେଇ ଭରଷାରେ ତ ଦୁନିଆ ଚାଲିଛି ।



Rate this content
Log in

Similar oriya story from Drama