ବିନୟ ମହାପାତ୍ର

Romance

4.2  

ବିନୟ ମହାପାତ୍ର

Romance

ପ୍ରେମ ପାଇଁ ଋତୁ

ପ୍ରେମ ପାଇଁ ଋତୁ

8 mins
266



 

ଅନେକ ସମୟ ହେବ ସୂର୍ଯ୍ୟ ବୁଡି ସାରିଥିଲା, ତଥାପି ଭଲ ଭାବରେ ଅନ୍ଧାର ହୋଇ ନଥିଲା । ଅନ୍ଧାର କେମିତି ହୋଇ ଥାଆନ୍ତା ? ଶେଫାଳି ଯେ ମୋ ସାଥିରେ ଥିଲା ! ଜ୍ୟୋତ୍ସ୍ନା ର ସୁନେଲି କିରଣ ରେ ସାରା ପରିବେଶକୁ ରୋମାଣ୍ଟିକ୍ ରଙ୍ଗରେ ରଙ୍ଗେଇ ଦେବା ପାଇଁ ମୋ ସାଥିରେ ଦୁଇ, ଦୁଇଟି ଜହ୍ନ ଥିଲେ । ଗୋଟିଏ ପ୍ରଗଳ୍ଭା ଜହ୍ନ ମୋ ବାହୁ ବନ୍ଧନରେ ମୋତେ ଜାବୁଡି ଧରି ଥିଲା, ଆଉ ଗୋଟିଏ ଜହ୍ନ ଆକାଶରେ ଆମକୁ ଲୁଚି ଲୁଚି ଦେଖୁ ଥିଲା, ଏବଂ ଈର୍ଷାରେ ଲାଜେଇ ଯାଉ ଥିଲା । ଶେଫାଳି ସାଥିରେ ଥିଲେ ପରିବେଶ ଆହୁରି ବହୁତ ରୋମାଣ୍ଟିକ୍ ହୋଇ ଯାଏ, ସମୟ ଜଣା ପଡେନି । ଦୂର ପାହାଡ ତଳେ କେଉଁ ଏକ ଝଙ୍କା ଶାଳ ଗଛ ଆର ପଟେ ଜହ୍ନ ଆମ ଦୁଇ ଜଣଙ୍କୁ ଲୁଚି ଲୁଚି ଦେଖୁ ଥିଲା, ମିଠା ମିଠା ଶୀତଳ ଜ୍ୟୋତ୍ସ୍ନା ରେ ଭିଜି ଯାଇଥିଲା ସାରା ଆକାଶଟା । ପବନ, ତରୁ, ଲତା, ଦୂର ପାହାଡ ଆଉ ଚାରି ପାଖରେ ଥିବା ଉଚ୍ଚା ଉଚ୍ଚା ଝଙ୍କାଳିଆ ଶାଳ ବଣ ଏବଂ ବାକି ଥିବା ଆଉ ସବୁ କିଛି ପ୍ରେମର ରଙ୍ଗରେ ସତେ ଯେପରି ଜୁଡୁବୁଡୁ ହୋଇ ଯାଇଥିଲେ ।

 

ରାସ୍ତାର କଡେ କଡେ ଟିକିଏ ଦୂରରେ ପାହାଡି ଝରଣାଟିଏ ବୋହି ଯାଉଥିଲା । ଝରଣାରେ ପାଦ ଛପ୍ ଛପ୍ ପାଣି ବି ଥିଲା, ଆଉ ଝରଣାଟି କୁଳୁ କୁଳୁ ଗୀତ ଗାଇ ଗାଇ ତାର ଅଙ୍କା ବଙ୍କା ଜଳ ଧାରା ସାଥିରେ ବାଲିଗରଡା ଉପରେ, ପଥର ସନ୍ଧିରେ ବଡ ସନ୍ତର୍ପଣରେ କୁଆଁରୀ ଝିଅଟିଏ ପରି ବୋହି ଯାଉଥିଲା । ଯେମିତି ଲାଜୁକୀ ନୂଆ ବୋହୂ ଟିଏ ପାଦର ପାଉଁଜି ରୁଣୁ ଝୁଣୁ ବଜାଇ, ତାର ଲମ୍ବା ଓଢଣୀ ଭିତରୁ ଏପଟ ସେପଟ ଥରେ ଦେଖି ନେଇ ଯା, ଦେଢଶୁର ଘରେ ବଡ ସନ୍ତର୍ପଣରେ ଅଳିନ୍ଦ ଟପି ଚାଲି ଯାଉଛି । କେବେ କେବେ ମନେ ହେଉ ଥିଲା, ସତେ ଅବା ମହୁଲି ନିଶାରେ ମତୁଆଲୀ କେଉଁ ଏକ ଅନୁଢା ଧାଙ୍ଗଡୀ, ତାର ପ୍ରେମିକର ପ୍ରଥମ ପ୍ରଣୟ ସ୍ପର୍ଶରେ ଲାଜେଇ ଯାଇଛି, ଆଉ ତାର ଲାଜ ଲାଜ ଚଞ୍ଚଳ ହରିଣୀ ଚାଲିରେ, ପାଦ ପାଉଁଜି ର ଝଙ୍କାର ଶୁଣେଇ ଲଟା ବୁଦା ଘେରା ଏଇ ଝରଣା କୂଳରେ ଖିଲି ଖିଲି ହସି କେଉଁଠି ଲୁଚିଯିବା ପାଇଁ ଧାଇଁ ଯାଉଛି । ଝରଣା କୂଳରେ ଝିଙ୍କାରୀ ବି ଥିଲା ଏବଂ ଆମ ମିଳନର ଉତ୍ସବରେ ସିଏ ବି ଆନନ୍ଦ ବିଭୋର ହୋଇ ଯାଇଥିଲା, ଆଉ ତାର ସାହାନାଇ ରେ ମିଳନ ର ରାଗ ଆଳାପନରେ ମଗ୍ନ ହୋଇ ଯାଇ ଥିଲା ।

 

ଶେଫାଳି ତାର ଗୋଟିଏ ହାତରେ ମୋର ଅଣ୍ଟାକୁ କୁଣ୍ଢେଇ ଧରି ଥାଏ, ଆଉ ଗୋଟିଏ ହାତରେ ମୋ ହାତକୁ ଜାବୁଡି ଧରି ଥାଏ । ମୋ କାନ୍ଧ ଉପରେ ମଥା ରଖି ଲତାଟିଏ ପରି ମୋ ଦେହରେ ଲଟେଇ ହୋଇ ଯାଇଥିଲା ଯେପରି । ରାତି ଜଗା ପକ୍ଷୀଙ୍କର କଳରବ ସହିତ କେଉଁ ଦୂରରୁ ମୂରଲୀର ମଧୂର ସ୍ୱର ଭାସି ଆସୁଥିଲା । ହୋଇ ପାରେ କେଉଁ ଏକ ବିରହି ପ୍ରେମିକ ତାର ପ୍ରିୟତମା ପାଇଁ ସଙ୍ଗୀତର ସୁରେ ସୁରେ ମିଳନର ସଙ୍କେତ ପଠାଉ ଥିଲା । ଆମେ କିନ୍ତୁ ପ୍ରଣୟ ନିଶାରେ ମଶଗୁଲ୍ ଦୁଇ ପ୍ରେମୀ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ପଥରେ ବେପରୁଆ ଭାବରେ ଏମିତି ଆଗେଇ ଚାଲି ଯାଉଥିଲୁ । ଜଞ୍ଜାଳ ଭରା ଏଇ ଗହଳ ଚହଳ ଦୁନିଆର ଭିଡ୍ ଭାଡ୍ ଠାରୁ ଅନେକ ଦୂରରେ ପ୍ରେମ ପାଇଁ ଆଉ ଏକ ନୁଆ ଦୁନିଆର ସନ୍ଧାନରେ ବାହାରିଛୁ । ଆମ ପାଇଁ ସମୟର କିଛି ବନ୍ଧନ ନାହିଁ, କିଛି ରୋକ୍ ଠୋକ୍ ନାହିଁ । ଆମେ ଦୁଇ ଜଣ ମୁକ୍ତ ଆକାଶରେ ବିହଙ୍ଗର ଡେଣା ନେଇ ଉଡି ଯିବାକୁ ଚାହୁଁଥିଲୁ । ଆମକୁ ଆଜି କେହି ଲୁଚି ଲୁଚି ଦେଖୁ ନାହାନ୍ତି, ଆମ କଥା କେହି ଲୁଚି ଲୁଚି ଶୁଣୁ ନାହାନ୍ତି, ଆମେ ମୁକ୍ତ, ଆମେ ସ୍ୱଚ୍ଛନ୍ଦ, ଆମେ ଆନନ୍ଦ ବିଭୋର, ଧୁଆଁ ଧୁଆଁ ଜ୍ୟୋତ୍ସ୍ନା ର ସମୁଦ୍ରରେ ନିଶ୍ଚିନ୍ତ ରେ ପହଁରି ବୁଲୁ ଥିଲୁ ।

 

ରାସ୍ତା ସରି ନଥିଲା, କିନ୍ତୁ ଅମାନିଆ ଟିକି ଝରଣାଟି ଆମର ପଥ ଓଗାଳି ଠିଆ ବୋହି ଯାଉଥିଲା । ତାର କୁଳୁ କୁଳୁ କୋକିଳ କଣ୍ଠରେ ଆମକୁ ସତେ ନିମନ୍ତ୍ରଣ ଦେଇ କହୁଥିଲା, ହେ ବାଟୋଇ, ଦି'ଘଡି ଅଟକି ଯାଅନା ! ତୁମର ଏଇ ପ୍ରେମିକା ପରି ମୁଁ ବି ତ କାହାର ପ୍ରେମିକା ଟିଏ, ଏମିତି ବେପରୁଆ ଗୀତ ଗାଇ ଗାଇ ନିତି ବୋହି ଯାଉଛି । ଜାଣିନି, ମୋ ପ୍ରେମିକ କେଉଁଠି ମୋର ପଥ ଚାହିଁ ବସି ରହିଥିବ, କେଜାଣି । ଆସ ମୋ ପାଖରେ ଦି'ଘଡି ବସ, କିଛି ଗପସପ କରିବା । ତୁମେ ତୁମ ପ୍ରେମ କାହାଣୀ ରୁ କିଛି କହିବ, ମୁଁ ଶୁଣିବି, ଆଉ ମୁଁ ମୋ ପ୍ରେମ କାହାଣୀ ରୁ କିଛି ତୁମକୁ କହିବି, ତୁମେ ଶୁଣିବ । ପାଦ ଛପ୍ ଛପ୍ ଝରଣା ଜଳରେ ଜହ୍ନ ସତେ ସୁନେଲି ରଙ୍ଗ ଗୋଲେଇ ଦେଇଥିଲା । ଆଉଟା ସୁନାର ପତଳା ଧାରାଟିଏ କୁଳୁ କୁଳୁ ବୋହି ଯାଉଥିଲା । ଝରଣାର ଜଳ ଶେଫାଳି କୁ ସତେ ସମ୍ମୋହିତ କରି ଦେଇଥିଲା । କୁନି ଝିଅଟିଏ ପରି ଶାଢୀ କୁ ତାର ଆଣ୍ଠୁ ଯାଏ ଟେକି ଦେଇ ଜଳର ଧାରେ ଧାରେ ପାଦ ଛପ୍ ଛପ୍ କରି ଧାଇଁ ଯାଉଥିଲା ସିଏ । ଝରଣାର କୁଳୁ କୁଳୁ ସଂଗୀତ ଆଉ ଶେଫାଳି ର ପାଦ ପାଉଁଜି ର ମଧୁର ଝଙ୍କାର ନାଦର ଯୁଗଳବନ୍ଦୀ ପରିବେଶକୁ ମୋ ପାଇଁ ଆହୁରି ଅଧିକ ରୋମାଣ୍ଟିକ୍ କରି ଦେଇଥିଲା ।

 

ଶେଫାଳି ର ଏଇ ବେପରୁଆ ରୂପ ମୁଁ ଆଜି ପ୍ରଥମ ଥର ପାଇଁ ଦେଖୁଛି, ପ୍ରେମ କରିବା ସମୟରେ ମଧ୍ୟ ସେ ଏପରି ବେପରୁଆ ଥିଲା, ହେଲେ ସେ ଦିନର ସ୍ୱଚ୍ଛନ୍ଦତାର ପାଦରେ ସନ୍ଦେହର ଏକ ମୋଟା ଜଞ୍ଜିର ବନ୍ଧାଥିଲା, କିନ୍ତୁ ବାହାଘର ପରେ ଏଇ ହନିମୁନ୍ ଟ୍ରିପରେ ବହୁତ ଅଲଗା ଅଲଗା ଲାଗୁଛି ଶେଫାଳି , ବହୁତ ବଦଳି ଯାଇଛି । ଛୋଟ କୁନି ଝିଅଟିଏ ହୋଇ ଯାଇଛି ଯେପରି । ସତେବା ନୀଳ ଆକାଶରେ କୁନି ଚଢ଼େଇ ଟିଏ, ତାର ଡେଣା ଝାଡି ଉଡି ବୁଲୁଛି, ନିଶ୍ଚିନ୍ତ ନିର୍ଭୟ ବେପରୁଆ ଭାବରେ । ସୋରୁମ୍ ରେ ମନ ପସନ୍ଦର ଡ୍ରେସ୍ ଦେଖିବା, ଟ୍ରାଏଲ୍ ରୁମ୍ ରେ ତାକୁ ପିନ୍ଧି ଆଇନାରେ ନିଜକୁ ଦେଖି ଖୁସି ହୋଇ ଯିବା ପରେ ବି ମନରେ ସନ୍ଦେହ ରହି ଯାଏ, ଏଇ ଡ୍ରେସ୍ ଟିକୁ କିଣି ପାରିବ କି ନାହିଁ । କିନ୍ତୁ ସେଇଟା କିଣି ସାରିବା ପରେ ପ୍ରାପ୍ତିର ଯେଉଁ ଆନନ୍ଦ ଆସେ ତାହା ଅବର୍ଣ୍ଣନୀୟ । ବୋଧ ହୁଏ ସେମିତି ଡର ସବୁ ପ୍ରେମିକ ପ୍ରେମିକାଙ୍କ ମନରେ ଥାଏ । ସେମାନଙ୍କ ପ୍ରଣୟ, ଶେଷରେ ପରିଣୟରେ ପରିବର୍ତ୍ତିତ ହୋଇ ପାରିବ କି ନାହିଁ ର ସନ୍ଦେହ ? ପ୍ରେମ ଚିରନ୍ତନ, ଶାଶ୍ଵତ, ରାଧାକୃଷ୍ଣଙ୍କ ପ୍ରେମକୁ ଆମେ ଶ୍ରଦ୍ଧାରେ, ସମ୍ମାନ ସହିତ ଆବୋରି ନେଇ ପାରୁ, କିନ୍ତୁ ବାସ୍ତବ ଜୀବନରେ ସେଇ ପ୍ରେମକୁ ପରକୀୟା କହି ଘୃଣା କରୁ । ସବୁ ପ୍ରେମ କଣ ପରିଣୟ ରେ ସମାପ୍ତ ହୋଇ ଥାଏ ? ବୋଧ ହୁଏ ଶେଫାଳି ର ପରିଣୟ ତାର ପ୍ରେମର ସଫଳତା ଏବଂ ଏଇ ସଫଳତାର ଅନୁଭବକୁ ସେ ମନ ଭରି ଉପଭୋଗ କରି ନେବାକୁ ଚାହୁଁଥିଲା ।

ପାଣିରେ ପାଦ ଛପ୍ ଛପ୍ କରି ଶେଫାଳି ଜଳ ଧାରା ସହିତ ବେଶ ଦୂରକୁ ଚାଲି ଯାଉଥିଲା ଆଉ ମୁଁ ମନ୍ତ୍ରମୁଗ୍ଧ ହୋଇ ସେ ଦୃଶ୍ୟକୁ ମନ ଭରି ଉପଭୋଗ କରୁଥିଲି । ହଠାତ୍ ଶେଫାଳି ଡାକିଲା ହେ ନିଶିକାନ୍ତ, ଦେଖ, ଏଇ ପଥର ଉପରେ ବସିବାକୁ କି ସୁନ୍ଦର ଜାଗାଟିଏ ହୋଇଛି, ଆସ ଏଇଠି ଟିକିଏ ବସିବା କହି ଶେଫାଳି ପାଣି ଧାରକୁ ଗୋଡ ଲମ୍ବାଇ ସେ ଚଟକା ପଥରଟା ଉପରେ ବସି ପଡିଲା । ଆମେ ଦୁହେଁ ଦେହକୁ ଦେହ ଲଗାଇ ବସିଗଲୁ, ଏବଂ ପ୍ରକୃତିରାଣୀର ଅପୂର୍ବ ଶୋଭା ସମ୍ଭାରକୁ ମନ ଭରି ଉପଭୋଗ କରୁ ଥିଲୁ । ପାଦ ତଳେ ଝରଣାର ଜଳ ସତେ ଆମ ପାଦକୁ କୁତୁକୁତୁ କରି ବୋହି ଯାଉଥିଲା, ଯେମିତି ବାହାଘର ଖବର ଶୁଣେଇବା ପରେ ଭାଉଜମାନଙ୍କୁ ଟାହି ଟାପରା କରିବାର ମଉକା ମିଳି ଯାଏ । ବେଳ ଅବେଳରେ ମଉକା ମିଳି ଗଲେ ଥଟ୍ଟାରେ କୁତୁକୁତୁ କରିଦେଇ ଚାଲି ଯାଆନ୍ତି, ସେମିତି ଏଇ ଝରଣାର ଜଳ ବି ଆମ ପାଦକୁ ଛୁଇଁ ଦେଇ ବୋହି ଯାଉ ଥିଲା ଆଉ ଆମ ଖୁସିରେ ସାମିଲ ହୋଇ ଯିବାକୁ ଚାହୁଁଥିଲା ।

 

ଶେଫାଳି ମୋ ହାତକୁ ତାର ଦୁଇ ହାତ ମୁଠାରେ ଜାବୁଡି ଧରି ଗୁଣୁ ଗୁଣୁ ଗୀତ ଗାଇବାକୁ ଲାଗିଲା, 'ଦୂରେ ବହୁ ଦୂରେ, ନଈ ଆର ପାରେ, ବିରହି କେ ଝୁରେ ମୂରଲୀର ସୁରେ ...... ଗୀତ ଗାଉ ଗାଉ କଣ ହେଲା କେଜାଣି ହଠାତ୍ ଚୁପ୍ ହୋଇ ଗଲା ଶେଫାଳି । ମୋ ମୁହଁକୁ ଥରେ ଚାହିଁଲା, ତା ମନକୁ କଣ ଆସିଲା କେଜାଣି, ମୁଁ ବୁଝିବାକୁ ଚେଷ୍ଟା କରିବା ଆଗରୁ ସେ ମୋତେ ପଚାରି ବସିଲା, ଆଛା ନିଶି... ତାକୁ ଚିଡ଼େଇବା ପାଇଁ, ମୁଁ ତା କଥା କାଟି କହିଲି, ଆରେ ମୋ ନାଆ ନିଶି ନୁହେଁ, ମୋ ନାଆଁ ନିଶିକାନ୍ତ, ତୁମେ ସଟ୍ କଟ୍ କରିବାକୁ ଚାହୁଁଛ ଯଦି ଠିକ୍ ଅଛି, ମୋତେ ନିଶି ନ ଡାକି, କାନ୍ତ ଡାକୁନ ! ସେଇଟା ଅବଶ୍ୟ ଟିକିଏ ପୁରୁଣାକାଳିଆ ଛାନ୍ଦ କି ଚମ୍ପୁ ଗାଇଲା ପରି ଲାଗିବ, 'କାନ୍ତ ବିନା ଦିବା ରଜନୀ ସଜନୀ...' କିନ୍ତୁ ମିନିଙ୍ଗ୍ ଫୁଲ୍ ଲାଗିବ, ଶେଫାଳି ନାକରେ ଗୁଣୁ ଗୁଣୁ କରି କହିଲା, ଦୁଷ୍ଟ, ମୁଁ କଣ ପଚାରୁଛି ତାର ଉତ୍ତର ଆଗ ଦିଅ, ତାପରେ ଡିସାଇଡ୍ କରିବା ମୁଁ ତୁମକୁ ନିଶି ଡାକିବି ନା କାନ୍ତ ଡାକିବି । ମୁଁ କହିଲି, ଆଚ୍ଛା ପଚାର ।

 

ଶେଫାଳି କହିଲା, କୁହତ ଦେଖି, କଣ ହୁଅନ୍ତା, ଯଦି ଏ ଆକାଶ ନଥାନ୍ତା, ଆକାଶରେ ଜହ୍ନ ନଥାନ୍ତା, ଜହ୍ନରେ ଜୋଛନା ନଥାନ୍ତା ? ବଗିଚାରେ ଫୁଲ ନ ଫୁଟିଲେ, ଫୁଲରେ ମହକ ନଥିଲେ, ବସନ୍ତ ନ ଆସିଲେ, ବସନ୍ତରେ କୋଇଲି ଗୀତ ନ ଗାଇଲେ, କଣ ହୁଅନ୍ତା ? ସତରେ କଣ ଉଜୁଡି ଯାଆନ୍ତା, ପ୍ରେମ ନ କଲେ, ପ୍ରେମରେ ବିରହ ନଥିଲେ....?

 

ହଠାତ ଏତେ ଗୁଡାଏ ପ୍ରଶ୍ନ ଏକା ସାଥିରେ ଶୁଣି ମୁଁ ଟିକିଏ ଘାବରେଇ ଗଲି । ପ୍ରଶ୍ନଟାକୁ ଠିକ୍ ଭାବରେ ବୁଝିବା ପାଇଁ ମୁଁ ତା ପ୍ରଶ୍ନକୁ ମନେ ମନେ ଥରେ ଦୋହରାଇ ନେଲି । ସତେ ତ, ସତରେ କଣ ହୋଇ ଯାଆନ୍ତା ଏସବୁ ନଥିଲେ ? ମୁଁ ହତବାକ୍ ହୋଇ ଥରେ ଶେଫାଳି ମୁହଁକୁ ଚାହିଁଲି, ତା ଆଖିରେ ଦୁଷ୍ଟାମୀ ର ହସ ଝଲକୁ ଥିଲା, ସତେ ଅବା ସାପ ଶିଢି ଖେଳରେ ସେ ମୋ ଗୋଟିକୁ ସାପ ମୁହଁକୁ ପେଲି ଦେଇ ନିଜେ ଶିଢି ଚଢି ଶହେ ଅଙ୍କରେ ପହଞ୍ଚି ଯାଇଛି ଅବା ଚେସ୍ ପଟା ରେ ମୋ ରାଜା ସାମ୍ନାରେ ଚେକ୍ ଦେଇ ମୋର ସବୁ ବାଟ ବନ୍ଦ କରି ଦେଇଛି । ତା ନୀଳ ଆଖିରେ ଏମିତି ଏକ ଚମକ୍ ଥିଲା, ଆଉ ଥିଲା ଏକ ବିରାଟ ପ୍ରଶ୍ନବାଚୀ, ସତେ କହୁ ଥିଲା ନିଜକୁ ଭାରି ସ୍ମାର୍ଟ୍ ମନେକରନା, ତେବେ ମୋର ଏଇ ପଜଲ୍ ଟିକୁ ସଲ୍ଭ୍ କରି ନିଜର ସ୍ମାର୍ଟନେସ୍ ର ପ୍ରମାଣ ଦିଅ ।

 

ମୁଁ ଶେଫାଳି ପ୍ରଶ୍ନର ଉତ୍ତର ଖୋଜୁ ଥିଲି, କିନ୍ତୁ ମୋତେ ଏପରି କାହିଁକି ଲାଗୁ ଥିଲା, ଶେଫାଳି ପାଖରେ ତାର ପ୍ରଶ୍ନର ସଠିକ୍ ଉତ୍ତର ବି ଥିଲା । ହୁଏତ ଶେଫାଳି ନିଜେ ହିଁ ତା ନିଜ ପ୍ରଶ୍ନର ଉତ୍ତର ଥିଲା, ହେଲେ ତା ପ୍ରଶ୍ନର ଉତ୍ତର ସେ ମୋ ମୁହଁରୁ ଶୁଣିବାକୁ ଚାହୁଁ ଥିଲା । ମନେ ମନେ ଭାବୁ ଥିଲି, କହି ଦେବି, ଶେଫାଳି ତୁମେ ନିଜେହିଁ ତ ତୁମ ପ୍ରଶ୍ନର ଏକ ମାତ୍ର ଉତ୍ତର ! କିନ୍ତୁ ମୁଁ ଅଟକି ଗଲି, ଏତେ ସହଜରେ ସିଧା ସିଧା ଉତ୍ତର ଦେଇ ଦେଲେ ଶେଫାଳି କଣ ସହଜରେ ମାନି ଯିବ? ସିଏ ବି ମୋତେ ମିଛୁଆ ସାବ୍ୟସ୍ଥ କରିବା ପାଇଁ ତାର ଯୁକ୍ତି ଖୋଜିବ । ତେଣୁ ଶେଫାଳି ମୁହଁରୁ ମୋର ଦୃଷ୍ଟି ଫେରାଇ ମୁଁ ଆକାଶର ଜହ୍ନକୁ ଦେଖିଲି, ପୁଣି ଝରଣାର ଜଳକୁ, ଜଳରେ ଜହ୍ନର ପ୍ରତିବିମ୍ବ ତ ଦିଶୁ ନଥିଲା କିନ୍ତୁ ଜ୍ୟୋତ୍ସ୍ନା ର ରଙ୍ଗ ଜଳରେ ମିଶି ଏକ ଅପୂର୍ବ, ସମ୍ମୋହକ ଦୃଶ୍ୟ ସୃଷ୍ଟି କରୁ ଥିଲା । ଆମେ ଦୁହେଁ ନୀରବ ଥିଲୁ, କିନ୍ତୁ ଝିଙ୍କାରୀ ତାର ସାହନାଇ ବଜାଇବାରେ ହେଳା କରୁ ନଥିଲା ।

 

ହଠାତ୍ ନୀରବତା ଭାଙ୍ଗି ମୁଁ କହିଲି, ଶେଫାଳି , ତୁମ ପ୍ରଶ୍ନର ଉତ୍ତର ପାଇଁ ଆମେ ଗୋଟେ ଖେଳ ଖେଳିବା । ତୁମେ ଆଖି ବନ୍ଦ କରି ମନେ ମନେ ଭାବି ନିଅ ଯେ, ଏଇଟା ଗୋଟେ ସିନେମାର ସେଟ୍, ଆମେ ଦୁଇ ଜଣ ଏଇଠି ଅଭିନୟ କରୁଛେ । ଆକାଶର ଏଇ ଜହ୍ନ ସତ ସତିକା ଜହ୍ନ ନୁହେଁ, ସେଇଟା ଆର୍ଟିଫିସିଆଲ୍ ଲାଇଟ୍, ବିଜୁଳିରେ ଜଳୁଛି, ତଳେ ଏଇ ଝରଣା, ସତ ଝରଣା ନୁହେଁ, କାଗଜ, ପଟି, ପ୍ଲାଷ୍ଟିକ୍ ରେ ତିଆରି ଗୋଟିଏ ସେଟ୍ ଉପରେ ପମ୍ପ ଯୋଗେ ପାଣି ବୋହୁଛି । ଏଇ ଝିଙ୍କାରୀ, ପବନର ସାଇଁ ସାଇଁ ଶବ୍ଦ, ବଂଶୀ ର ସ୍ୱର ଏସବୁ ଅର୍କେଷ୍ଟ୍ରା ପାର୍ଟିର ମ୍ୟୁଜିକ୍, ଡାଇରେକ୍ଟର୍ ଙ୍କ କହିବା ଅନୁସାରେ ସେମାନେ ବଜାଉଛନ୍ତି, ଓକେ... ।

 

ଶେଫାଳି ଆଖି ବନ୍ଦ କରି ବସି ଥାଏ । ମୁଁ ପୁଣି ପଚାରିଲି ଶେଫାଳି , ତୁମେ ଠିକ୍ ଠିକ୍ ସବୁ ଭାବି ନେଲ ତ ? ଶେଫାଳି ସେମିତି ଆଖି ବନ୍ଦ ରଖି ଛୋଟ ହୁଁ ଟିଏ କହି ପଚାରିଲା, ତା ପରେ..?

 

ତା ପରେ ଆମେ ଖେଳ ଆରମ୍ଭ କରିବା । ଏବେ ଦେଖ ଡାଇରେକ୍ଟର୍ ଜହ୍ନର ସେ ଯେଉଁ ଅର୍ଟିଫିସିଆଲ୍ ଲାଇଟ୍ ଥିଲା ସେଇଟାକୁ ବନ୍ଦ କରି ଦେଲା । ଏବେ ତୁମେ କଣ ଦେଖୁଛ ?

 

ଶେଫାଳି ମୋ ପାଖକୁ ଆଉ ଟିକିଏ ଜାକି ହୋଇଗଲା ଏବଂ କହିଲା, ସବୁ କିଛି ଅନ୍ଧାର, କଳା କିଟିକିଟି ଅନ୍ଧାରରେ କିଛି ଦିଶୁନି ।

 

ମୁଁ ପୁଣି କହିଲି, ଏବେ ଡାଇରେକ୍ଟର୍ ଅର୍କେଷ୍ଟ୍ରା ପାର୍ଟିଙ୍କୁ କହି ସବୁ ସାଉଣ୍ଡ୍, ମ୍ୟୁଜିକ୍ ବନ୍ଦ କରି ଦେଲା । ଏବେ କିପରି ଲାଗୁଛି ?

 

ନିଶି.. ସବୁ କିଛି ନୀରବ ଶୁନ୍ ଶାନ୍ ବଡ ଭୟାନକ ଏଇ ପରିବେଶ, କେବଳ ପାଦ ତଳେ ପାଣିର ଥଣ୍ଡା ସ୍ପର୍ଶ ଭଲ ଲାଗୁଛି ।

ସେଇଟା ବି ଏବେ ଡାଇରେକ୍ଟର ବନ୍ଦ କରି ଦେଲା । ଏବେ ଏଇ ସେଟ୍ ଭିତରେ ନା ଜହ୍ନ ଅଛି, ନା ମଳୟ ବୋହୁଛି, ନା କୋଇଲି ଗାଉଛି । ଏବେ ଏଇ ଝରଣାରେ ଜଳ ନାହିଁ, କୁଳୁ କୁଳୁ ମନ ମୋହକ ସଙ୍ଗୀତ ନାହିଁ, ମୂରଲୀର ମୂର୍ଚ୍ଛନା ନାହିଁ ଏଇଠି କେବଳ ତୁମେ ଅଛ, ମୁଁ ଅଛି ଆଉ ଆମ ପ୍ରେମ........!

 

ହଠାତ୍ ଶେଫାଳି ମୋ ମୁହଁ ଉପରେ ତାର ହାତକୁ ରଖି ମୋତେ ଚୁପ୍ କରି ଦେଇ କହିଲା;

 

: ଏଇଠି ଏବେ ପ୍ରେମ ଫ୍ରେମ କିଛି ନାହିଁ, କେବଳ ଭୟ ଅଛି, ମୋତେ ବହୁତ ଡର ଲାଗୁଛି କହି ଶେଫାଳି ମୋତେ କୁଣ୍ଢାଇ ଧରିଲା । ମୁଁ ଶେଫାଳି କୁ କୁଣ୍ଢାଇ ଧରି କହିଲି, ଏବେ ଆଖି ଖୋଲି ଦେଖ ଶେଫାଳି , ସବୁ କିଛି ଏଇଠି ଅଛି, ବସନ୍ତ, ମଳୟ, କୋଇଲି, ଝରଣା, ଝିଙ୍କାରୀ, ମୂରଲୀ ତୁମେ ଆଉ ମୁଁ ଆଉ.. ଶେଫାଳି ଟିକିଏ ହସି ଦେଇ କହିଲା, ଆଉ ଆମ ପ୍ରେମ ଅଛି । ଠିକ୍ କହିଛ ନିଶି, ମଣିଷ ପାଇଁ ଏ ସବୁ ଜରୁରୀ, ବହୁତ ଜରୁରୀ, ଏସବୁ ନଥିଲେ ମଣିଷ ଜୀବନ ସତରେ କେତେ ନିରସ ଆଉ ଶୁଖିଲା ରୁକ୍ଷ ହୋଇ ଯାଆନ୍ତା, କେତେ ଭୟାନକ ହୋଇ ଯାଆନ୍ତା ପରିବେଶ । ଆମର ପ୍ରେମ ନଥିଲେ ଏପରି ଭୟାନକ ପରିସ୍ଥିତିରେ ମୁଁ କାହାକୁ କୁଣ୍ଢେଇ ଧରି ନିର୍ଭୟତା ର ଅନୁଭବ କରି ଥାଆନ୍ତି ?

 

ଠିକ୍ ବୁଝିଛ ଶେଫାଳି , ଏ ସବୁ ନଥିଲେ, ହୁଏତ ଆମ ପ୍ରେମ ରଙ୍ଗ ହୀନ ଫିକା ଫିକା ହୋଇଥାନ୍ତା, ରାଧାର ପ୍ରେମରେ ମୂରଲୀର ମୁର୍ଚ୍ଛନା ପରି, ଏ ଜହ୍ନର ଜୋଛନା, ଝରଣାର କୁଳୁ କୁଳୁ ସ୍ୱର, ଫୁଲର ମହକ, ମଳୟର ମଧୁର ପରଶ ଆମକୁ ମତୁଆଲା କରୁଛି, ନହେଲେ, ହୁଏତ ତୁମେ ନଥାନ୍ତ ମୁଁ ବି ନଥାନ୍ତି, ଏ ନିବିଡ଼ତା, ଏତେ ଘନିଷ୍ଠତା, ଆଉ ଆମର ଏଇ ପ୍ରେମ ହିଁ ନଥାନ୍ତା ।

 



Rate this content
Log in

Similar oriya story from Romance