ବିନୟ ମହାପାତ୍ର

Abstract Classics Inspirational

4  

ବିନୟ ମହାପାତ୍ର

Abstract Classics Inspirational

ନିସଙ୍ଗ ମଣିଷ

ନିସଙ୍ଗ ମଣିଷ

13 mins
9



ଅପ୍ରେଲ ମାସର ଉଦୁଉଦିଆ ଖରା ବେଳ, ନାତି ନାତୁଣୀମାନଙ୍କର ସ୍କୁଲ କଲେଜ ସବୁ ଛୁଟି । ଲଞ୍ଚ ପରେ ପରେ ସେମାନେ ନିଜ ନିଜ ରୁମରେ ମୋବାଇଲ ଉପରେ ଆଖି ଗଡେଇ ବସି ଥାଆନ୍ତି । ଜେଜେମା ସୁନୀତି ଦେବୀ, ଘର କାମ ସାରି ହାତ ପୋଛୁ ପୋଛୁ ଛୁଆ ଦୁଇଟା କଣ କରୁଛନ୍ତି ଦେଖି ଆସିବେ ବୋଲି ନାତି ନାତୁଣୀଙ୍କ ରୁମଆଡୁ ଘେରାଏ ବୁଲି ଆସିଲେ । ଏଇ ବୟସରେ ଟିକିଏ ମନ ହୁଏ ପିଲାଙ୍କ ପାଖରେ ଦି'ଘଡି ବସିଯିବା ପାଇଁ, ଦି ପଦ କଥା ବାର୍ତ୍ତା ହେବାକୁ, ସେମାନଙ୍କ ସହିତ ଟିକିଏ ହସି ଖେଳି ଦେଲେ ମଣିଷ ନିଜର ବୟସ ଭୂଲିଯାଏ । ପିଲାଙ୍କ ସାଥିରେ ପୁଣି ପିଲାଟିଏ ହୋଇଗଲା ପରି ମନେହୁଏ । ନିଜର ଏବଂ ନିଜ ପୁଅ ଝିଅଙ୍କର ପିଲା ଦିନର ସ୍ମୃତି ପୁଣି ଆଖି ଆଗରେ ନାଚିଯାଏ । କିନ୍ତୁ ଆଜି କାଲିକା ପିଲାଙ୍କ ପାଖରେ ସମୟ କାହିଁ ? ଖରା ଛୁଟିରେ ବି ସ୍କୁଲର ହଲିଡେଜ୍ ହୋମୱାର୍କ ମିଳିଯାଏ । ପିଲାଏ କିଛି ସମୟ ପଢା ପଢି କରି ନିଅନ୍ତି, ତାପରେ ଦିନ ସାରା ଟିଭି ନହେଲେ ମୋବାଇଲ ସାଙ୍ଗରେ ବିଜି ହୋଇ ଯାଆନ୍ତି । ଘରୁ ବାହାରି ସାଙ୍ଗ ସାଥୀଙ୍କ ସାଥିରେ ଖେଳ କୁଦ କରିବା ଅବା ବୁଲା ବୁଲି କରି ଦେହ ମନ ଟିକିଏ ଫୁର୍ତ୍ତି କରିବାକୁ ବି ସେମାନଙ୍କ ପାଖରେ ସମୟ ନାହିଁ, ଆଉ ଏ ବୁଢା ବୁଢିଙ୍କ ପାଇଁ ସମୟ କେଉଁଠୁ ଆସିବ ?

ଜେଜେ ରାଟାୟାର୍ଡ ହେଡକ୍ଲର୍କ, ନାତି ନାତୁଣୀଙ୍କର ସ୍କୁଲ ହୋମୱାର୍କରେ କେବେ କିଛି ହେଲ୍ପ ଆବଶ୍ୟକ ହେଲେ ନାତି ନାତୁଣୀ ଜେଜେଙ୍କୁ ପଚାରି ନିଅନ୍ତି, ବାସ କେବଳ ସେତିକି ସମ୍ପର୍କ । ନିଜ ଜୀବନର ଅଭିଜ୍ଞତା ପିଲାଙ୍କ ସାଥିରେ ବାଣ୍ଟିବା କି ସେମାନଙ୍କ ସହିତ ଟିକିଏ ହସି ଖେଳି ସମୟ କାଟିବାକୁ କଣ ତାଙ୍କର ମନ ହୁଏନି ! ବହୁତ ମନ ହୁଏ, କାହା ସାଥରେ ବସି ଢେର ସାରା ଗପିବାକୁ, ଜୀବନର ଖଟା ମିଠା ଅନୁଭୂତି କାହା ସହିତ ବାଣ୍ଟିବାକୁ, ହେଲେ କାହା ପାଖରେ ଏତେ ସମୟ ଅଛି, ବୁଢାଟା ସାଙ୍ଗରେ ବସି କିଏ ଗପସପ୍ କରିବ ? କେବଳ ଜେଜେମା ଲଞ୍ଚ ସମୟ ହେଲେ ଖୋଜାପଡେ, ଅବା ଆଉ କିଛି ଦରକାର ପଡିଲେ । ବାପା ମାଆ ଦୁଇ ଜଣ ସରକାରୀ ଚାକିରୀଆ, ସେମାନେ ଦିନସାରା ଅଫିସରେ, ବୁଢା ବୁଢିଙ୍କ କାମ କେବଳ ଘର ଜଗିବା । ଦୁଇ ଚାରି ଦିନ ଏପରି ବି ଚାଲିଯାଏ, ଯେବେ ନା' ନାତି ନାତୁଣୀ ନା' ପୁଅ ବୋହୁ କାହା ସହିତ ପଦେ କଥା ହେବାର ବି ସୁଯୋଗ ମିଳେନି । ସମସ୍ତେ ନିଜ ନିଜ କାମରେ ବହୁତ ବ୍ୟସ୍ଥ । ବୁଢା ବୁଢିଙ୍କ ପାଇଁ ସମୟ କାହା ପାଖରେ ଅଛି !

ସକାଳେ ଘର କାମକାମ କରିବାକୁ ଆସୁଥିବା ମାଳତି ନିତି ନମସ୍କାରଟିଏ କରି ବୁଢା ବାବୁ ଆଉ ମାଆଙ୍କର ଦେହ ପାଆ କଥା ପଚାରି ନିଏ । ତଥାପି ଅନାଦି ବାବୁ ନିଜକୁ ବଡ

ଭାଗ୍ୟବାନ ମନେ କରନ୍ତି, ଗର୍ବ ବି ଅନୁଭବ କରନ୍ତି । ଆଜି କାଲିକା ଯୁଗରେ ପିଲାଏ ବୁଢା ବାପା ମାଆକୁ ଏକୁଟିଆ ଛାଡି ଅଲଗା ରହୁଛନ୍ତି, ନହେଲେ ବୃଦ୍ଧାଶ୍ରମରେ ଛାଡି ଦେଉଛନ୍ତି, କିନ୍ତୁ ପୁଅ ବୋହୁ ଏବେବି ତାଙ୍କ ସାଙ୍ଗରେ ତ ଅଛନ୍ତି । ସାଙ୍ଗରେ ଅଛନ୍ତି କଣ, ସତ କହିବାକୁ ଗଲେ ସେମାନେ ପୁଅ ବୋହୁଙ୍କ ପାଖରେ ଅଛନ୍ତି । ଏତିକିତ ଭାଗ୍ଯ ପାଇଛନ୍ତି ସେମାନେ, ସବୁଦିନ ପିଲାମାନଙ୍କୁ ଆଖି ସାମ୍ନାରେ ଦେଖୁଛନ୍ତି । ନହେଲେ ଏ ବୟସରେ ଏକୁଟିଆ ରହିବା କେତେ ଯନ୍ତ୍ରଣାଦାୟକ ହୋଇଯାଆନ୍ତା ସତେ । ଏତିକି ଭରସା ତ ଅଛି, ପିଲାଏ ପାଖରେ ଅଛନ୍ତି ଦେହ ପାଆ କେବେ କିଛି ଅସୁବିଧା ହୋଇଗଲେ ଦେଖା ଶୁଣା କରି ପାରିବେ । ଦି ଓଳି ଦି ବକତ ଠିକ୍ ସମୟରେ ଖାଇବାକୁ ମିଳି ଯାଉଛି, ଏହାଛଡା ଏ ବୟସରେ ଆଉ ଅଧିକ କଣବା ଲୋଡା ? ଏ ବୟସରେ ନିଜେ ହାତରେ ରାନ୍ଧି ଖାଇବା, ଘରଜାକର କାମ ନିଜେ ନିଜେ କରିବା କେତେ କଷ୍ଟକର ହୋଇ ଯାଆନ୍ତା !

ପୁଅ ବୋହୁଙ୍କର ଅବା ଦୋଷ କଣ, ଆଜି କାଲି ଯୁଗରେ ଘର ଚଳେଇବା, ପିଲାଙ୍କୁ ପାଠ ପଢେଇବା, ସମାଜର ଅନ୍ୟ ମାନଙ୍କ ସହିତ ନିଜର ସ୍ଟାଟସ ସମାନ ବା ଅଧିକା ରଖିବାର ପ୍ରତିଯୋଗିତାରେ ସମସ୍ତଙ୍କ ଆଗରେ ରହିବା କଣ କିଛି କମ୍ କଥା? ଏସବୁ ପାଇଁ ବହୁତ ପଇସା ଦରକାର । ପୁଅ ବୋହୁ

ଦିଜଣ ଲାଗି ପଡିଛନ୍ତି ପଇସା ରୋଜଗାରରେ । ଅନାଦିବାବୁ ମନେ ମନେ ଭାବନ୍ତି, ସେ ନିଜେବି ତ ଘର ସଂସାର କରିଥିଲେ, ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢେଇ ଝିଅକୁ ଡାକ୍ତର, ପୁଅକୁ ଇଞ୍ଜିନିୟର କରିଲେ । ଅନେକ ଘରଜଞ୍ଜାଳ ସତ୍ତ୍ବେ ପରିବାରର ସମସ୍ତଙ୍କ ପାଇଁ ସମୟ ଥିଲା ତାଙ୍କ ପାଖରେ । ବାପା ମାଆ, ଭାଇ, ଭଉଣୀ, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ସମସ୍ତଙ୍କ ପାଇଁ ସମୟ ବାହାର କରୁଥିଲେ । ସଂଧ୍ୟାରେ ଅଫିସରୁ ଫେରିଲା ପରେ ବାପା ମାଆଙ୍କ ପାଖରେ ଘଣ୍ଟାଏ ଅଧ ଘଣ୍ଟାଏ ବସି ଯାଉଥିଲେ, ଦେହପା କଥା ପଚାରୁ ଥିଲେ, କିଛି ନହେଲେ ପୁରୁଣା ଦିନର କଥା ମନେପକାଇ ଗପ ସପ କରି ହସି ହସି ଗଡି ଯାଉଥିଲେ । ପିଲାଙ୍କ ସହିତ ବସି ସେମାନଙ୍କ ପାଠ ପଢା, ଦେହ ପାଆ କଥା ବୁଝୁ ଥିଲେ, ସେମାନଙ୍କର ସବୁ ସମସ୍ୟାରେ ସେ ତାଙ୍କ ସାଥିରେ ଠିଆ ରହୁଥିଲେ, ସେମାନଙ୍କର ସବୁ ସନ୍ଦେହ ଦୂର କରୁଥିଲେ, ସମାଜରେ ଜଣେ ଭଲ ମଣିଷ ହୋଇ ରହିବା ପାଇଁ ଶିଖାଉ ଥିଲେ, ରାତିରେ ସାରା ପରିବାର ଏକାଠି ବସି ଖାଉଥିଲେ ।

ଅସଲ କଥା ହେଲା, ଅନାଦି ବାବୁ ଯେଉଁ ସମୟର ମଣିଷ, ସେ ସମୟରେ ମଣିଷର ଆବଶ୍ୟକତା ବହୁତ କମ୍ ଥିଲା । ସମସ୍ତେ ଅଳ୍ପକେ ସନ୍ତୁଷ୍ଟ ରହୁଥିଲେ, ଯାହା ଯେତିକି ମିଳିଗଲା ସେଥିରେ ଖୁସି ହୋଇଯାଉ ଥିଲେ । ବସ୍ତୁ ଅପେକ୍ଷା ମାନବୀୟ ସମ୍ବେଦନା

ତଥା ମାନବିକ ସମ୍ପର୍କକୁ ଅଧିକ ମହତ୍ୱ ଦେଉଥିଲେ । ତାଙ୍କ ସମୟରେ ସମ୍ପର୍କ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଥିଲା । ଲୁଗା ଚିରିଗଲେ କି ଫାଟିଗଲେ ସେମାନେ ସେଥିରେ ରଫୁ ପକାଇ ପୁଣି ବ୍ୟବହାର କରୁଥିଲେ, ସେମିତି ସମ୍ପର୍କରେ ଫାଟ ପଡିଗଲେ ସେମାନେ ଏକାଠି ବସି ସବୁର ସମାଧାନ କରୁଥାଲେ । କିନ୍ତୁ ଆଜିକାଲିର ମଣିଷ ପାଇଁ ସେ ଲୁଗା ହେଉ କି ସମ୍ପର୍କ ହେଉ, ଥରେ ଫାଟ ପଡିଗଲେ ସେଥିରେ ଆଉ କେହି ରଫୁ ପକାଇବାକୁ ଭାବୁନି, ବରଂ ସିଧା ରିଜେକ୍ଟକରି ଫୋଫାଡି ଦେଉଛି । ଆଜି ସମ୍ପର୍କ ବଡକଥା ନୁହେଁ, ଆବଶ୍ୟକତା ଅନୁସାରେ ଷ୍ଟାଟସ ଦେଖି ସମ୍ପର୍କ ଗଢାହୁଏ ଆଉ ବିଗଡେ ମଧ୍ଯ । ଏପରି ନୁହେଁ ଯେ ସେତେବେଳେ ନିଜର ଷ୍ଟାଟସ ବା ବଡପଣ ଦେଖେଇ ହେବାର ପ୍ରତଯୋଗିତା ନଥିଲା । ହେଲେ ସେ ପ୍ରତିଯୋଗିତା ସବୁ ଭଲ ମଣିଷ ପଣିଆର ପ୍ରତିଯୋଗିତା ଥିଲା । କିଏ କେତେ ଭଦ୍ର, କେତେ ନମ୍ର, କେତେ ବନ୍ଧୁ ବତ୍ସଳ କେତେ ପରୋପକାରୀ, ସେଥିରୁ ମଣିଷର ବଡ ପଣିଆ ପରଖା ଯାଉଥିଲା । କିନ୍ତୁ ଆଜିର ବସ୍ତୁ ସର୍ବସ୍ୱ ଦୁନିଆରେ ନିଜର ବସ୍ତୁ ପ୍ରଦର୍ଶନର ପ୍ରତିଯୋଗିତାରେ କାହା ପାଖରେ କେତେ ଧନ ଅଛି, କାହାର କେତେ ବଡ ଘର, କାହାର କେତେ ବଡ ଗାଡି ଏ ସବୁର ମୂଲ୍ୟାଙ୍କନ ହେଉଛି । ମଣିଷ ପଣିଆ ସତେ ମରିଯାଇଛି ସମସ୍ତଙ୍କ ହୃଦୟରେ । ଏଇ 'ଆବଶ୍ୟକତା' ଆଜି ଏକ ମହାମାରୀ ପରି ବଢି ବଢି ଚାଲିଛି ।

ତାର ଏମିତି ଘର ତ ମୋର ବି ତା ଠାରୁ ବଢିଆ ହେବା ଦରକାର, ସେ ଅମୁକ ଗାଡି ଚଢୁଛି ତ ମୋର ତା ଠାରୁ ଭଲ ଗାଡି ହେବା ଦରକାର, ତା ପୁଅ ଝିଅ ଅମୁକ ସ୍କୁଲରେ ପଢୁଛନ୍ତି ତ ମୋ ପିଲାଏ ତା ଠାରୁ ମହଙ୍ଗା ସ୍କୁଲରେ ପଢିବେ । ସତରେ ଯେପରି ଗୋଟାଏ ପ୍ରତିଯୋଗିତା ଭିତରେ ମଣିଷ ବଞ୍ଚିଛି । ସମସ୍ତେ ସମସ୍ତଙ୍କ ଠାରୁ ଉଚ୍ଚା ଦେଖେଇ ହେବାପାଇଁ ପାରୁ ପର୍ଯ୍ୟନ୍ତ ପ୍ରୟାସରତ, ଏପରି ଧା ଧଉଡ ଭରା ଜୀବନରେ ଗୋଟିଏ ମଣିଷ ପାଖରେ ଅନ୍ୟ ମଣିଷଙ୍କ ପାଇଁ ସମୟ କାହିଁ ?

ସଂଧ୍ୟାରେ ପୁଅ ବୋହୁ ଅଫିସରୁ ଫେରିଲା ବେଳକୁ ବହୁତ ଥକି ଯାଆନ୍ତି, ତଥାପି ବୋହୁ ରାତିର ଖାଇବା ପ୍ରସ୍ତୁତ କରିବା ପାଇଁ ସେ ତାର ରୋଷେଇ ଘରେ ବ୍ୟସ୍ଥ ହୋଇଯାଏ । ପୁଅ ଟିଭିରେ ନିଉଜ ଚାନେଲ ଲଗାଇ ଦେଇ, ଲାପଟପ୍ ନେଇ ବସିଯାଏ, ତଥାପି ତାର କାମ ସରେନା । ପିଲାମାନେ ନିଜ ନିଜ ରୁମରେ ପାଠ ପଢା, ନହେଲେ ମୋବାଇଲରେ ବ୍ୟସ୍ଥ । ବୁଢା ବୁଢି ଦିଜଣ ନିଜ ରୁମରେ ଏକୁଟିଆ । କିଏ କେତେ ବେଳେ ଖାଏ ତାର କିଛି ଠିକଣା ନାହିଁ, ରାତି ସାଢେ ନଅଟା ବେଳେ ଅନାଦି ବାବୁଙ୍କର ଖାଇବା ଅଭ୍ୟାସ, ତେଣୁ ଘଣ୍ଟା କଣ୍ଟା ଏପଟ ସେପଟ ହୁଏନି, ଠିକ୍ ସମୟରେ ବୋହୁ ଖାଇବା ବାଢିଦିଏ, ବୁଢା ବୁଢି ଦିଜଣ ଖାଇ ନିଅନ୍ତି । ଆଜି କାଲି ବାପା ମାଆଙ୍କ ପାଖରେ ସମୟ ନାହିଁ ନିଜ ପିଲାମାନଙ୍କୁ ପାଖରେ ବସେଇ ଦିପଦ କଥା

ହେବେ, ସେମାନଙ୍କ ପଢା ପଢି, ଦେହପା ବିଷୟରେ ଖବର ନେବେ କି ସେମାନଙ୍କୁ କିଛି ଭଲ କଥା ଶିଖେଇବେ, କିନ୍ତୁ କେହି ଏହାକୁ ଆବଶ୍ୟକ ବୋଲି ମନେ କରନ୍ତିନାହିଁ । ପିଲାଏ ତ ଦାମିକା ସ୍କୁଲରେ ପଢୁଛନ୍ତି, ସବୁ କିଛି ସେଇଠୁ ଶିଖି ନେବେ । ତା ଛଡା, ଟିଭି, କମ୍ପୁଟରରେ ସବୁ ଜ୍ଞାନର ଭଣ୍ଡାର ଠୁଳ ହୋଇଛି, ସବୁ ଠାରୁ ବଡ କଥା ହେଲା ପିଲାଙ୍କ ପାଖରେ ମୋବାଇଲ ଅଛି, ନେଟପ୍ୟାକ୍ ଅଛି, ସାରା ଦୁନିଆର ଜ୍ଞାନ ନିଜ ନିଜର ଆଙ୍ଗୁଠି ମୁନରେ । ହେଲେ ପିଲାଏ କଣ ଦେଖୁଛନ୍ତି, କେଉଁ ପ୍ରକାରର ଜ୍ଞାନ ଆହରଣ କରୁଛନ୍ତି ତାର ଖବର କିଏ ରଖୁଛି ?

ରାତି ଖାଇବା ସରିଲା ପରେ ଅନାଦିବାବୁ ଅଗଣାରେ ପଚାଶ କି ଶହେ କଦମ ଚାଲି ସାରିବା ପରେ ଶୋଇବା ଘରକୁ ଚାଲି ଆସନ୍ତି । ବେଡରେ ଗଡିପଡି ଖଟ ବାଡାକୁ ଆଉଜି କଣ ଗୋଟାଏ ବହି ହେଉକି ମାଗିଜିନ୍ ପଢିବାରେ ମଗ୍ନ ହୋଇ ଯାଇଥାନ୍ତି । ସେତିକି ବେଳେ ସୁନୀତି ଦେବି ଖାଇବାଟେବୁଲ ଉପରୁ ଅଇଠା ବାସନ ଉଠାଇ ରୋଷେଇଘର ସିଙ୍କରେ ଥୋଇ ବେଡରୁମକୁ ଆସିଗଲେ । ହାତ ପୋଛୁ ପୋଛୁ ବେଡ ଉପରେ ଅନାଦି ବାବୁଙ୍କ ପାଖରେ ଗଡିପଡି କହିଲେ, ତୁମେ ଆଜିଯାଏ ସେଇ ପୁରୁଣା ଯୁଗରେ ରହିଗଲ । ଆଶୁ କହୁଥିଲା, ସାରା ଦୁନିଆର ଖବର, ସବୁ ପ୍ରକାରର ବହି, ସିନେମା, ସବୁ ଅଛି

ମୋବାଇଲରେ, ଆଉ ତ ଆଉ ପୁରା ପୁରା ସିନେମା ବି ଦେଖି ହେବ ଆମର ଏ ମୋବାଇଲରେ । କିନ୍ତୁ ତୁମେ ଅଟକିଗଲ ସେଇ ବହିପଢା ଯୁଗରେ । ଆଜିକାଲି ଖବର ପାଇଁ ରେଡିଓ କିଏ ଶୁଣୁଛି, ନା ପଢିବା ପାଇଁ ବହି ମାଗାଜିନ ଖୋଜୁଛି ? ଏକା ତୁମେ ମୋବାଇଲ ଛାଡି ଏଇ ବହିରେ ହଜି ଯାଉଛ । ତୁମେ ମୋବାଇଲରେ ବହି ପଢୁନ ? ସବୁ ଖବର କାଗଜ ହେଉ କି ମାଗାଜିନ୍ ସବୁତ ଅଛି ମୋବାଇଲରେ । ତୁମେ ନିଉଜ୍ ଦେଖନ୍ତ, ବହି ପଢନ୍ତ, ବେଳେ ବେଳେ ମୋତେ ବି ଟିକିଏ ସିନେମା ଦେଖେଇ ଦିଅନ୍ତ, ହଲରେ ଯାଇ ସିନେମା ଦେଖିବାରେ ଯୁଗେ ବିତିଗଲାଣି । ପିଲାମାନଙ୍କର ଜନ୍ମ ପୂର୍ବରୁ ଆମେ କେତେ ସିନେମା ଦେଖୁଥିଲେ । ତୁମେ ଅଫିସ ଗଲାବେଳେ କହି ଦେଇଯାଅ, ଚାଲ ଆଜି ସଂଧ୍ୟାରେ ସିନେମା ଦେଖିଯିବା, ତାପରେ ବାହାରେ କେଉଁ ହୋଟେଲ ଖାଇଦେଇ ଆସିବା । ସଂଧ୍ୟାରେ ମୁଁ ଅଫିସରୁ ସିଧା ହଲ ପାଖରେ ପହଞ୍ଚି ଯାଇଥିବି, ନିତିଆକୁ କହି ଦେଇଥିବି, ସେ ତା ରିକ୍ସାରେ ତୁମକୁ ହଲ ପାଖରେ ପହଞ୍ଚାଇ ଦେବ, ମୁଁ ସେଇଠି ତୁମର ଅପେକ୍ଷା କରିଥିବି । ଠିକ୍ ସାଢେ ପାଞ୍ଚଟା ବେଳକୁ ତୁମେ ରେଡି ହୋଇ ଯାଇଥିବ ।

ଅନାଦି ବାବୁ ଆଖି ବନ୍ଦକରି ସେଇ ପୁରୁଣା ଦିନକୁ ସତେ ଆଉ ଥରେ ଦେଖୁଥିଲେ, ଆଖି ଖୋଲି ଟିକିଏ ରୋମାଣ୍ଟିକ ହୋଇ

ସୁନୀତି ଦେବୀଙ୍କୁ ପାଖକୁ ଟାଣି ନେଇ କହିଲେ, ପୁରୁଣା ଦିନ ମନେ ପକେଇ ଦେଲ, ସେ ବିତିଗଲା ସୁନେଲି ଦିନ ଗୁଡିକ ଆଉ ଥରେ ଫେରି ଆସନ୍ତାନି ! ମୋତେ ବଡ ଆଶ୍ଚର୍ଯ୍ୟ ଲାଗେ, ବିନା ମୋବାଇଲରେ ବି ଆମ ଭିତରେ ଯୋଗସୂତ୍ର ସତରେ କେତେ ପ୍ରଖର ଥିଲା । ତୁମେ ଯେତେବେଳେ ରିକ୍ସାରୁ ଓହ୍ଲାଅ, ମୁଁ ଚକିତ ରହିଯାଏ, ତୁମେ ମୋ ମନ କଥା କେତେ ସହଜରେ ଜାଣିନିଅ, ମୋ ପସନ୍ଦ ନାପସନ୍ଦ ସବୁ ତୁମକୁ ଜଣାଥାଏ, ମୁଁ କଣ ଭାବୁଛି କଣ ଚାହୁଁଛି ତାହା କହିବା ଆଗରୁ, ସବୁ ତୁମେ ଆଗୁଆ ଜାଣିନିଅ । ସିନେମା ହଲ ପାଖରେ ମୁଁ ତୁମକୁ ଯେଉଁ ଶାଢୀରେ ଦେଖିବାକୁ ଭାବିଥାଏ, ତୁମେ ଠିକ୍ ସେଇ ଶିଢୀ ପିନ୍ଧି ଆସିଥାଅ, ସତ କୁହ, ମୋ ମନ କଥା ତୁମେ କେମିତି ଜାଣିଯାଅ ?

ସୁନୀତି ଦେବୀ ଅନାଦିବାବୁଙ୍କ ବାହୁ ବନ୍ଧନରୁ ମୁକୁଳି ଯାଇ ଫିକକିନା ହସି ଦେଲେ, ଯେତେ ବେଳେ ନୁଆ ବୋହୁଟିଏ ହୋଇ ଆସିଥିଲେ ସେତେ ବେଳେ ଯେମିତି ଦୁଷ୍ଟାମୀର ହସ, ଠିକ୍ ସେମିତି ମିଠା ହସ ଧାରେ ମୁହଁରେ ତାଙ୍କର ଝଲସି ଉଠୁଥିଲା । ଫରକ ଖାଲି ଏତିକି ଥିଲା, ସେତେ ବେଳେ ତାଙ୍କ ମୁହଁରେ ମୁକ୍ତା ପରି ବତିଶ ଦାନ୍ତ ଥିଲା, ଆଉ ଏବେ, ଆଗ ପଛ ଉପର ତଳ ସବୁ ମିଶେଇ ଦଶଟା ବି ବଞ୍ଚିନି, ତଥାପି ପାକୁଆ ପାଟିର ଏଇ ହସରେ ଏବେ ବି ସେତିକି ମିଠା ଅଛି, ଯେତିକି

ଆଗରୁ ଥିଲା । ସେମିତି ହସ ହସ ମୁହଁରେ ସୁନୀତି ଦେବୀ କହିଲେ ବୁଝିଲ, ଆମ ସମୟରେ ମୋବାଇଲ ନଥିଲା ପରା । ଛାଡ ସେ କଥା, ସିନେମା ନହେଲେ ନାହିଁ, ତୁମେ ତୁମ ମୋବାଇଲରେ ବହି ପଢିବା ଆରମ୍ଭ କରିଦେଲେ ମୋର ଅଧା କାମ କମ୍ ହୋଇ ଯାଆନ୍ତା, ଚଷମାର କାଚ ପୋଛୁ ପୋଛୁ ଅନାଦି ବାବୁ ଆଶ୍ଚର୍ଯ୍ୟ ହୋଇ ସୁନୀତି ଦେବୀଙ୍କ ମୁହଁକୁ ଚାହିଁ ପଚାରିଲେ ମୋବାଇଲରେ ବହି ପଢିଲେ ତୁମର ଅଧା କାମ କେମିତି କମ୍ ହୋଇଯିବ? ସୁନିତି ଦେବୀଙ୍କ ପାଖରେ ଉତ୍ତର ଯେପରି ଆଗରୁ ପ୍ରସ୍ତୁତ ଥିଲା, ସାଙ୍ଗେ ସାଙ୍ଗେ କହିଲେ, ତୁମେ ବୁଢା ହୋଇ ଗଲଣି, ସବୁ କିଛି ଜଲ୍ଦି ଭୂଲି ଯାଉଛ । ବହି ପଢି କେତେ ବେଳେ ବାରଣ୍ଡାରେ ଆରାମ ଚୌକୀ ଉପରେ ତ କେତେ ବେଳେ ବୈଠକର ସୋଫା ଉପରେ, କେବେ ଖାଇବା ଟେବୁଲ ଉପରେ ଛାଡି ଭୂଲି ଯାଉଛ, ପଛରେ ସୁନି, ସୁନି କରି ଡାକ ପକେଇବ, ବହିଟା କୋଉଠି ରହିଲା ବୋଲି ପଚାରି ହେବ । ଖୋଜିବା କାମ ତ ମୋର ନା ? ଏଠୁ ସେଠୁ ବହି ଉଠାଇ ପଢା ଟେବୁଲ ଉପରେ ସାଇତିବାରେ ମୋର ଅଧା ଦିନ ଚାଲି ଯାଉଛି ।

ଅନାଦି ବାବୁ ଟିକିଏ ହସି କହିଲେ, ଆଗୋ ସେଇ ପୁରୁଣା ଲ୍ୟାଣ୍ଡ ଲାଇନ ଫୋନଟାର ଅଭ୍ୟାସ ଭୂଲି ହେଉନି ଆଜିଯାଏ, ତା ଛଡା ଫୋନର କାମ ବା କଣ ? କେବଳ ଦରକାର ହେଲେ

କାହା ସାଙ୍ଗେ ଦୁଇ ପଦ କଥାବାର୍ତ୍ତା ହୋଇଯିବା, ବାସ୍ ଏତିକି । ଅଧାରୁ ଅଧିକ ସାଙ୍ଗ ସାଥୀ, ବନ୍ଧୁ ବାନ୍ଧବ ତ ଆରପୁରକୁ ଚାଲି ଗଲେଣି, ଆଉ ଏଇ ମୋବାଇଲ ଫୋନର ନେଟୱାର୍କ ବି ସେଯାଏ ପହଞ୍ଚି ପାରିବନି । ବାକି ଯୋଉ କେତେ ଜଣ ଅଛନ୍ତି, ମଝିରେ ମଝିରେ ସେମାନଙ୍କ ସାଙ୍ଗରେ କଥା ହେଇ ଯାଉଛି । ମୋବାଇଲରେ ବହି ପଢିବା କଥା କହୁଛ ଯେ, ବହି ପଢିବାର ମଜା ଏଇ ଫୋନରୁ କଣ ମିଳି ପାରିବ ? ପୃଷ୍ଟା ପରେ ପୃଷ୍ଟା ଓଲଟେଇ ସେଇ ଛପା ଅକ୍ଷର ଭିତରେ ବହିର କଥା କହାଣୀ ଚରିତ୍ର ସବୁ ଯେମିତି ସତ ସତକା ନିଜ ନଜର ସଂଳାପ ନିଜେ ଆବୃତ୍ତି କଲା ପରି ଲାଗନ୍ତି । ଏଇ ଛୋଟ ମୋବାଇଲର ଛୋଟ ଛୋଟ ଅକ୍ଷର ଭିତରେ କାହାକୁ ନା'ଦେଖି ହୁଏ, ନା' ଅନୁଭବ କରି ହୁଏ । ବହିର ମଜା ଯିଏ ପାଇଛି, ସେ କଣ କେବେ ମୋବାଇଲ କଥା ଭାବିବ ? ବହି ସହିତ ପାଠକର ବନ୍ଧୁତା ହୋଇଯାଏ, ପାଠକ ବହିପଢେ, ସାଇତି ରଖେ ସେମାନଙ୍କର ଜତ୍ନ ନିଏ, ଯେତେ ବେଳେ ଏକୁଟିଆ ଅନୁଭବ କରେ ବହିମାନଙ୍କ ସହିତ ବସି ଯାଏ, ଯେପରି ପୁରୁଣା ବନ୍ଧୁଟିଏ । କିନ୍ତୁ ଆଜିର ମଣିଷ ସତେ ଯେପରି ନିସଙ୍ଗ ହୋଇ ଯାଇଛି, ସେ କେବଳ ନିଜେ, ନିଜ ସହିତ ବନ୍ଧୁତା କରି ନେଇଛି । ନିଜ ବ୍ୟତୀତ ଆଉ କାହା ସହିତ ତାର କିଛି ସମ୍ପର୍କ ହିଁ ନାହିଁ ଯେପରି ।

ଏବେ ମଣିଷର ସବୁ ସମ୍ପର୍କ ବେତାର ହୋଇ ଯାଇଛି । ହୃଦୟ ସହିତ ହୃଦୟର ଯୋଗାଯୋଗ ନାହିଁ । ନ କହିଲେ କେହି ଶୁଣୁନି, ବୁଝେଇ ନକହିଲେ କେହି ବୁଝୁନି, କାହା ସହିତ ବସିବା ଉଠିବା, ଦି'ପଦ କଥା ହେବା, ଦୁଃଖ ସୁଖ ବାଣ୍ଟିବା, ମଣିଷ ପୁରା ଭୂଲି ସାରିଲାଣି । ଆଜିକାଲି ମଣିଷର ଏକ ମାତ୍ର ବନ୍ଧୁ ମୋବାଇଲ, ସେ ସାଥିରେ ଥିଲେ ଆଉ କାହା କଥା ମନେ ପଡେନା । କିନ୍ତୁ ସେତେ ବେଳେ ଆମ ପାଖରେ ମୋବାଇଲ ନଥିଲା, ତଥାପି ନ କହିବି ଅନେକ କଥା ଶୁଣି ହେଉଥିଲା, ନଶୁଣି ବି ଅନେକ କଥା ବୁଝି ହେଉଥିଲା । କାରଣ ସେ ସମ୍ପର୍କ ପାଇଁ କିଛି ନେଟୱାର୍କର ଆବଶ୍ୟକତା ନଥିଲା । ହୃଦୟ ସହିତ ହୃଦୟ ଜୋଡି ହୋଇ ରହିଥିଲା । ସମ୍ପର୍କ ସବୁ ଆତ୍ମାର ଥିଲା । ସବୁ ଠାରୁ ମଜା କଥା କଣ ଜାଣିଛ ? ମୋବାଇଲ କମ୍ପାନୀର ଆଡଭର୍ଟାଇଜରେ ସେମାନେ ଲେଖନ୍ତି 'connecting people' ମାନେ ଆମେ ମଣିଷ ସହିତ ମଣଷର ସମ୍ପର୍କକୁ ଦୃଢ କରୁ, କିନ୍ତୁ ବାସ୍ତବରେ ମୋବାଇଲ କଣ ମଣିଷର ସମ୍ପର୍କକୁ ଦୃଢ କରୁଛି ? ମାଆ ମୋବାଇଲ ଭିତରେ ଏପରି ହଜି ଯାଉଛି ଯେ ଛୋଟଛୁଆ ଭୋକରେ କାନ୍ଦୁଥିଲେ ବି ମାଆ ଜାଣିପାରୁନି । ପାଖ ବଖରାରେ ଶୋଇଥିବା ବୁଢା ବାପା ମାଆ କାଶି କାଶି ବେଦମ ହୋଇଗଲେ ବି କାହାକୁ ଶୁଣା ଯାଉନି । ଫେସବୁକ୍ ଟୁଇଟର ଏବଂ ଅନ୍ୟ ଅନେକ ସୋସିଆଲ ସାଇଟରେ ହଜାର ହଜାର ବନ୍ଧୁ, ଫଲୋୟରସ ଥାଆନ୍ତି, କିନ୍ତୁ

ସେହି ବନ୍ଧୁମାନେ ବାସ୍ତବ ଜୀବନରେ କଣ ଏତେ ନିଜର ହୋଇ ପାରନ୍ତି ? ବେଳ ଅବେଳରେ ଦରକାର ପଡିଲେ ପାଖରେ ଆସି ଠିଆ ହୋଇ ପାରନ୍ତି ?

ସୁନୀତା ଦେବୀ କଥା ମଝିରେ କହିଲେ, ସତ କଥାଟିଏ କହିଲ, ସେତେ ବେଳେ ମଣିଷର ସବୁ ଧ୍ୟାନ ମଣିଷ ଉପରେ ଥିଲା, ଜଣେ ଆଉ ଜଣଙ୍କ କଥା ଭାବୁଥିଲା, ଆଜି ପାଖରେ ଥାଇ ବି ମଣିଷ ମଣିଷ ଠାରୁ କେତେ ଦୂର ହୋଇ ଯାଉଛି । ପତି ପତ୍ନୀ ଗୋଟିଏ ଘରେ ରହନ୍ତି, ଗୋଟିଏ ବେଡରେ ଶୁଅନ୍ତି, ହେଲେ ପରସ୍ପର ସହିତ କେତେ ସମୟ କଥା ହୁଅନ୍ତି ? ଦିନ ସାରା କାମ, କାମ ସରିଲା ପରେ ମୋବାଇଲ, ସମସ୍ତେ ହଜି ଯାଆନ୍ତି ସେଇ ମାୟାବିନୀ ବୁଢିଆଣୀ ଜାଲ ଭିତରେ । କାହା କଥା ଟିକିଏ ଭାବିବାକୁ, କାହାର ମନର ଭାବ ପଢିବାକୁ କାହା ପାଖରେ ସମୟ ନାହିଁ । ଆଜି ପୁଅ ବୋହୁ ସାଥି ହୋଇ ତ ରହନ୍ତି, କିନ୍ତୁ ନିଜ କଥା ଭାବରେ ନୁହେଁ, ବରଂ ହ୍ୱାଟସପ କରନ୍ତି, ପରସ୍ପର ସ୍ନେହ କମ୍ କିନ୍ତୁ ସବୁ ପୋଷ୍ପିଂରେ ଟ୍ୟାଗ୍ କରନ୍ତି, ପ୍ରେମର କେମିଷ୍ଟ୍ରି ଭୂଲି ଯାଆନ୍ତି କିନ୍ତୁ ଅନ୍ୟର ପୋଷ୍ଟରେ ଲାଇକ୍ କରନ୍ତି, କମେଣ୍ଟ ଦିଅନ୍ତି । ଲଭ୍ ଥାଉକି ନଥାଉ ଲାଇକ୍ କରନ୍ତି ମିଠା ମିଠା, ଥଟ୍ଟା ମଜା ସହି ହୁଏନା, ସିଧା ଅନଫ୍ରେଣ୍ଡ କରି ଦିଅନ୍ତି ।

ତୁମେ ଯେତେ ବେଳେ ଚାକିରୀ କରୁଥିଲ, ମୁଁ ଜାଣି ନଥାଏ ତୁମେ ଅଫିସରୁ ଡେରିରେ ଫେରିବ କି ସହଳ, କିନ୍ତୁ ସବୁ ଦିନ ସଂଧ୍ୟାରେ ମୁଁ ଯେତେବେଳେ ପାଣି ଗ୍ଲାସଟିଏ ନେଇ କବାଟ ପାଖରେ ପହୁଞ୍ଚେ, ଠିକ୍ ସେତିକି ବେଳେ ତୁମେ କବାଟ ଠକ୍ ଠକ୍ କର, ମୁଁ କବାଟ ଖୋଲେ ଆଉ ତୁମେ ମୋ ହାତରୁ ପାଣିଗ୍ଳାସ ନେଇ ବୈଠକର ସେଇ କାଠ ଚଉକିଟାରେ ବସିପଡି ପାଣି ପିଅ । ଅନାଦି ବାବୁ ସୁନିତାଙ୍କ ମୁହଁକୁ ଚାହିଁ କହିଲେ, ହଁ ଏଇଟା ସତ କଥା, ମୁଁ ତିରିଶ ବର୍ଷ କାଳ ଚାକିରୀ କରିବା ଭିତରେ କେବେ ବି ବୁଝି ପାରିଲିନି, ମୁଁ ଆସୁଛି ବୋଲି ଜାଣି ପାରି ତୁମେ ପାଣି ନେଇ ଚାଲି ଆସ, ଅବା ତୁମେ ପାଣି ଗ୍ଲାସ ନେଇ ମୋର ଅପେକ୍ଷା କରିଛ ବୋଲି ମୁଁ ଘରକୁ ଚାଲି ଆସେ ? ସୁନୀତି ଦେବୀ କହିଲେ, ଆଜି ବି ମୋର ମନେ ପଡେ ରିଟାୟଡ ଆଗରୁ, ସେତେ ବେଳେ ତୁମେ ଡାଇବେଟିକ୍ ନଥିଲ, ଯେତେ ବେଳେ ଖାଇ ସାରିବା ପରେ ମୁଁ ତୁମ ମନଲାଖି ଖିରି ପରଶି ଦିଏ, ତୁମେ ଟିକିଏ ହସି ଦିଅ ଆଉ କୁହ, 'ଜାଣିଛ, ଆଜି ଦି' ପହରରେ ମନ ହେଉଥିଲା, ରାତି ଖାଇବାରେ ମିଠା ଖିରି ଟିକିଏ ମିଳି ଗଲେ ସତରେ ବହୁତ ମଜା ଆସି ଯାଆନ୍ତା । ଅନାଦି ବାବୁ ସଙ୍ଗେ ସଙ୍ଗେ ପଚାରିଲେ କିନ୍ତୁ ତୁମେ ମୋ ମନ କଥା କେମିତି ଜାଣିଯାଅ ? ଅଫିସରୁ ଫେରିଲା ବେଳେ ମୁଁ ଯାହା କିଛି ଖାଇବାକୁ ମନେ ମନେ ଭାବିଥାଏ, ଘରେ ପହଞ୍ଚିଲା ପରେ ସବୁ କିଛି ଠିକ୍ ଠିକ୍ ସେମିତି ଖାଇବାକୁ ମିଳିଯାଏ ।

ସୁନୀତି ଦେବୀ ଟିକିଏ ମୁଚୁକି ହସି କହିଲେ, ଆଗୋ ସେତେ ବେଳେ ମୋବାଇଲ ନଥିଲା ସିନା କିନ୍ତୁ ସାରା ପରିବାରର ସମସ୍ତଙ୍କର ରୁଚି ଅରୁଚି ଆଉ ମନ କଥା ଜାଣି ବୁଝି ହୋଇ ଯାଉଥିଲା ।

ତୁମର ମନେ ଅଛି, ପୁଅ ଜନ୍ମ ବେଳେ, ବାପା ମୋତେ ଆମ ଘରକୁ ଡାକି ନେଇଥିଲେ, ମୁଁ ବାପଘରେ ଥିଲି, ଯେତେବେଳେ ମୋର କଷ୍ଟ ଆରମ୍ଭ ହେଲା, ମନେ ମନେ ଭାବୁଥିଲି, ତୁମେ ମୋ ପାଖରେ ଥାଆନ୍ତ କି ହେଲେ, ଥରଟିଏ ତୁମକୁ ଦେଖନ୍ତି । ମୋ ଡାକ ଭଗବାନ ଶୁଣି ପାରିଲେ, ବଡ ଚମତ୍କାର ହୋଇଗଲା ସେଦିନ, ଅଧଘଣ୍ଟା ଭିତରେ ତୁମେ ମୋ ପାଖରେ ପହଞ୍ଚି ଯାଇଥିଲ, ମୋ ମଥାରେ ହାତ ରଖି ଟିକିଏ ହସିଦେଇ କହିଲ, କିଛି ଡର ନାହିଁ ମୁଁ ତୁମ ପାଖେ ପାଖେ ଅଛି, ସବୁ କିଛି ଭଲରେ ଭଲରେ ହୋଇଯିବ । ଅନାଦି ବାବୁ କହିଲେ ହଁ, କାହିଁକି କେଜାଣି, ସେଦିନ ତୁମକୁ ଥରେ ଦେଖିବାକୁ ମୋର ଭାରି ମନ ହେଉଥିଲା, ସବୁ କାମ ଧନ୍ଧା ଛାଡି, ସେଥି ପାଇଁ ଏ ଅଧମ ପତି ତୁମ ପାଖରେ ହାଜର ହୋଇ ଯାଇଥିଲା । ଏସବୁ ଅପୂର୍ବ ସଂଯୋଗ, ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣି ନିଏ ।

ସୁନିତି ଦେବୀ ସେଇ ପୁରୁଣା ଦିନ ଭିତରେ ସତେ ଯେପରି ହଜି ହଜି ଯାଉଥିଲେ, ଅନାଦି ବାବୁଙ୍କ ମୁହଁକୁ ଅନେଇ କହିଲେ, ତୁମର ମନେ ଅଛି, ଦିନେ ଦି'ପହର ରୋଷେଇ କରୁ କରୁ ଗରମ ତେଲ ପଡି ମୋର ହାତରେ ଫୋଟକା ହୋଇ ଯାଇଥିଲା, ଆଉ ସେଇ ଦିନ ସଂଧ୍ୟାରେ ତୁମେ ଯେତେ ବେଳେ ଅଫିସରୁ ଫେରିଲ, ତୁମ ହାତରେ ବର୍ଣ୍ଣଲର ଟ୍ୟୁବ ଥିଲା । ମୁଁ ଯେତେ ବେଳେ ପଚାରିଲି, ମୋ ହାତ ପୋଡିଗଲା ବୋଲି ତୁମେ କେମିତି ଜାଣିଲ ! ତୁମେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ ରହିଲ, ଆଉ କହିଲ ମୋ ହାତ ଜଳିଯିବା କଥା ତୁମେ ଜାଣିନ, କିନ୍ତୁ ତୁମକୁ ଲାଗିଲା, ଘରେ ବର୍ଣ୍ଣଲ ସରି ଯାଇଥିବ, ପୁଣି କେତେ ବେଳେ ଏମରଜେନ୍ସିରେ କାଳେ ଦରକାର ପଡିଯିବ ! ସେକଥା ଭାବି ବଜାରରୁ କିଣି ଆଣିଥିଲ ।

ଜେଜେମା ମୁରୁକି ହସିଲେ, ଲାଜେଇ ଲାଜେଇ ଜେଜେଙ୍କ ହାତକୁ ଧରିଲେ କହିଲେ- ହଁ, ଆମ ସମୟରେ ଖାଲି ପ୍ରେମ ଥିଲା ହେଲେ ମୋବାଇଲ ନଥିଲା । କେବଳ ତୁମେ ଥିଲ, ମୁଁ ଥିଲି ଆଉ ଆମ ଭିତରେ ଗଭୀର ପ୍ରେମ ଭରିଥିଲା । ଅନାଦି ବାବୁ ସୁନୀତି ଦେବୀଙ୍କ ଆଖିରେ ଆଖି ମିଳେଇ କହିଲେ, ଆଜି ସମୟ ବହୁତ୍ ଆଧୂନିକ ହୋଇ ଯାଇଛି ସବୁ କିଛି ବଦଳି ଯାଇଛି । ଆମର ବୟସ ସରି ସରି ଆସୁଛି, ଏବେ ଆମେ ଭାଇବ୍ରେସନ ମୋଡରେ ବଞ୍ଚିଛେ, ଜୀବନ ବ୍ୟାଟେରୀର ଚାର୍ଯ

ମଧ୍ଯ ସରି ସରି ଆସୁଛି, ଜୀବନ ରେଖା ଏବେ ଗୋଟିଏ ଗାରରେ ଝୁଲୁଛି ।

ସୁନିତି ଦେବୀ କହିଲେ, ହେଇ ଦେଖିଲଣି, ଗପ ସପ କରୁ କରୁ ରାତି ଶାଢେ ଦଶଟା ବାଜିଲାଣି, କଥା ଭୋଳରେ ମୁଁ ତୁମ ଖିର କଥା ଭୂଲି ଯାଇଛି । ରୁହ ତୁମ ପାଇଁ ଖିର ଗରମ କରି ନେଇ ଆସୁଛି, ଭାବୁଛି, ବିନା ଚିନିରେ ଖିର ପିଇ ପିଇ ତୁମେ ବୋର ହୋଇ ଯିବଣି, ଆଜି ଖିରରେ ଟିକିଏ ମହୁ ମିଶେଇ ନେଇ ଆସିବି, ତୁମର ଟେଷ୍ଟ ଟିକିଏ ବଦଳି ଯିବ । ଅନାଦି ବାବୁ ସୁନୀତି ଦେବୀଙ୍କ କଥା କାଟି କହିଲେ ଆରେ, ତୁମେ କେମିତି ଜାଣିଲ, ମୁଁ ଏବେ ସେଇ କଥା ତୁମକୁ କହିବି ବୋଲି ଭାବୁଥିଲି, ବିନା ମିଠାରେ ଖିର ପିଇବାକୁ ଭଲ ଲାଗୁନି, ହେଲେ ତୁମେ ମୋର ମନ କଥା କହି ଦେଲ ।

ସୁନୀତି ଦେବୀ ପାକୁଆ ପାଟିରେ ଟିକିଏ ହସି ଦେଇ କହିଲେ, ଆମ ସମୟରେ ମୋବାଇଲ ନଥିଲା, ହେଲେ ମନ ପଢିବାକୁ ଉଚ୍ଚ ଶକ୍ତିଶାଳୀ ସିକ୍ସସେନ୍ଷ ଥିଲା । ବୁଢା ବୁଢି ଦୁଇ ଜଣ ପରସ୍ପର ମୁହଁକୁ ଚାହିଁ ହୋ ହୋ ହୋଇ ହସି ଉଠିଲେ । (ପ୍ରେରଣା-ହ୍ୱାସଟଆପର ଏକ ଅଜଣା କବିଙ୍କର ଛୋଟ କବିତାଟିଏ)


Rate this content
Log in

Similar oriya story from Abstract