ଆଶା ଆଉ ଭରସା
ଆଶା ଆଉ ଭରସା
“ଯଦି ମଣିଷ ଜାଣିପାରନ୍ତା, ତା’ ଜୀବନର ଶେଷ ଆଶାଟି କେବେ ତା’ ପାଖକୁ ଆସିବ, ତେବେ ବୋଧହୁଏ ସେ କେବେ ବି ହାର ମାନନ୍ତା ନାହିଁ।” ସେମିତି କିଛି ଘଟୁଥିଲା ଅନୁ ଜୀବନରେ ।।
ସେଦିନ ସନ୍ଧ୍ୟାର ଆକାଶଟା ଅନ୍ୟ ଦିନଠାରୁ ଟିକେ ଅଲଗା ଲାଗୁଥିଲା। ପଶ୍ଚିମ ଆକାଶରେ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ଯାଉଥିଲା, ହେଲେ ତା’ର ଲାଲିମା ସାରା ଆକାଶକୁ ଏମିତି ରଙ୍ଗେଇ ଦେଇଥିଲା, ଯେମିତି ଅନ୍ଧାର ଆସିବା ପୂର୍ବରୁ ଆକାଶ ନିଜେ ମଣିଷକୁ କହୁଥିଲା “ଅପେକ୍ଷା କର, ଆଲୋକ ପୁଣି ଫେରିବ।”
ବାରଣ୍ଡାରେ ବସି ସେହି ଆକାଶକୁ ଅନାଇ ରହିଥିଲା ଅନୁ। ତା’ ହାତରେ ଥିଲା ଗୋଟିଏ ପୁରୁଣା ଚିଠି। ଚିଠିଟା ବାରମ୍ବାର ପଢ଼ିବା ପରେ ମଧ୍ୟ ସେ ତାକୁ ଛାତିରେ ଚାପି ଧରିଥିଲା।
ଚିଠିଟା ଥିଲା ତା’ ବାପାଙ୍କର। ଚିଠିରେ ଲେଖାଥିଲା…
“ଅନୁ, ଜୀବନରେ କେବେ ଆଶା ଛାଡ଼ିବୁନି। ମଣିଷ ହାରିଯାଏ ସେତେବେଳେ ନୁହେଁ, ଯେତେବେଳେ ତା’ର ପାଖରେ କିଛି ରହେନାହିଁ; ମଣିଷ ସେତେବେଳେ ହାରିଯାଏ, ଯେତେବେଳେ ତା’ ଭିତରୁ ଭରସାଟା ଚାଲିଯାଏ।”
ଏହି ଦୁଇଟି ବାକ୍ୟ ଅନୁର ଜୀବନରେ ଯେମିତି ମନ୍ତ୍ର ହୋଇଯାଇଥିଲା।
ତିନି ବର୍ଷ ହେଲା ବାପା ନାହାନ୍ତି। ମୃତ୍ୟୁ ପୂର୍ବରୁ ହସ୍ପିଟାଲ୍ର ଶଯ୍ୟାରେ ପଡ଼ି ସେ ଝିଅର ହାତ ଧରି କହିଥିଲେ,“ତୋ ଉପରେ ମୋର ଆଶା ଆଉ ଭରସା ଅଛି ମାଆ ଅନ୍ତ ପରିବାର କୁ ତୁ' ଭଲରେ ଚଳେଇ ନେବୁ ।”
ସେଦିନ ଅନୁ କାନ୍ଦିକାନ୍ଦି ମୁଣ୍ଡ ହଲାଇଥିଲା। କିନ୍ତୁ ଆଜି ତା’ ନିଜ ଉପରେ ହିଁ ଭରସା ରହିନଥିଲା।
ବାପା ଚାଲିଯିବା ପରେ ଘରର ଦାୟିତ୍ୱ ତା’ ଉପରେ ପଡ଼ିଥିଲା। ମାଆଙ୍କ ଔଷଧ, ସାନଭାଇ ରାହୁଲର ପାଠପଢ଼ା, ଘରଭଡ଼ା ସବୁକିଛି। ଚାକିରିଟା ହିଁ ଥିଲା ତା’ର ଏକମାତ୍ର ଆଶ୍ରୟ। ହେଲେ ଗତ ମାସରେ କମ୍ପାନୀ ବନ୍ଦ ହୋଇଯିବାରୁ ଅନୁର ଚାକିରି ଚାଲିଯାଇଥିଲା।
ଆଉ ତା' ପରେ ଆରମ୍ଭ ହେଲେ ଇ ଯାଇଥିଲା ପରିବାରର ଦୁର୍ଦିନ।
ଆଜି ତା’ ପାଖରେ ଥିଲା ମାତ୍ର ଦୁଇ ହଜାର ଟଙ୍କା।ମାଆଙ୍କ ଔଷଧ ଆସନ୍ତାକାଲି ସରିଯିବ।ରାହୁଲର କଲେଜ ଫି’ ଦେବାର ଶେଷ ତାରିଖ ଆଉ ଚାରିଦିନ।
ଅନୁ ଆଖି ବନ୍ଦ କରିଦେଲା।ହଠାତ୍ ଭିତରୁ ମାଆଙ୍କ କାଶିବା ଶବ୍ଦ ଶୁଣାଗଲା।
ଅନୁ ତୁରନ୍ତ ଉଠି ଘର ଭିତରକୁ ଗଲା।
“ମାଆ, ଔଷଧ ଖାଇଲ?”
ହଁ ରେ ଅନୁ, ମାଆ ଉତ୍ତର ଦେଲେ…ମାଆ ଝିଅ ମୁହଁକୁ ଚାହିଁ ଟିକେ ହସିଲେ।କ’ଣ ହେଲା? ଆଜି ଏତେ ଚୁପ୍ କାହିଁକି?
କିଛି ନୁହେଁ ମାଆ।
ମୋତେ ଲୁଚାଇବାକୁ ଚେଷ୍ଟା କରନା। ତୋ ମୁହଁ ଦେଖିଲେ ମୁଁ ସବୁ ବୁଝିପାରେ।
ଅନୁ ଆଉ ନିଜକୁ ସମ୍ଭାଳି ପାରିଲାନି। ମାଆଙ୍କ କୋଳରେ ମୁଣ୍ଡ ରଖି କାନ୍ଦି ପକାଇଲା।ମାଆ, ମୋତେ ଲାଗୁଛି ମୁଁ ସବୁକିଛି ହାରିଯାଉଛି।
ମାଆ ଝିଅର ମୁଣ୍ଡରେ ହାତ ବୁଲାଇ କହିଲେ,“ସବୁକିଛି? ମୋତେ ତ ଲାଗୁଛି ମୋ ଝିଅ ଏବେ ବି ମୋ ପାଖରେ ଅଛି। ରାହୁଲ ଅଛି, ଆମ ଘର ଅଛି। ତୋ ବାପାଙ୍କ ସ୍ମୃତି ଅଛି। ତା’ହେଲେ କ’ଣ ହାରିଗଲୁ?”
ଅନୁ ନିରୁତ୍ତର ହୋଇଗଲା।
ସେତେବେଳେ ରାହୁଲ ଘରକୁ ଆସିଲା। ହାତରେ ଥିଲା ଗୋଟିଏ ଫାଇଲ୍।“ଦିଦି, ତୋ ପାଇଁ ଗୋଟିଏ ଖବର ଅଛି।”
“କ’ଣ?”
“ମୋ କଲେଜର ପ୍ରଫେସର ଜଣେ ମ୍ୟାଡାମ୍ଙ୍କୁ ଜାଣନ୍ତି। ତାଙ୍କ କମ୍ପାନୀରେ ତୋ ଭଳି ଲୋକ ଦରକାର। ମୁଁ ତୋର ରେଜ୍ୟୁମେ ପଠାଇଦେଇଛି।”
ଅନୁ ନିରାଶ ସ୍ୱରରେ କହିଲା,“ରାହୁଲ, ମୋ ପାଇଁ ଆଉ କେହି କିଛି କରିବା ଦରକାର ନାହିଁ। ମୋ ଭାଗ୍ୟରେ ଏବେ ଚାକିରି ନାହିଁ ବୋଧେ।”
ରାହୁଲ ହସିଦେଲା।
“ଭାଗ୍ୟ କେବେ ଚାକିରି ଦିଏନି ଦିଦି। ଚେଷ୍ଟା ଦିଏ। ତୁ ଚେଷ୍ଟା କର, ଫଳ ଯାହା ହେବ ଦେଖାଯିବ।”
ସେହି ରାତିରେ ଅନୁ ବାପାଙ୍କ ଚିଠିଟା ପୁଣି ପଢ଼ିଲା।“ମଣିଷ ସେତେବେଳେ ହାରିଯାଏ, ଯେତେବେଳେ ତା’ର ନିଜ ଭିତରୁ ଭରସାଟା ଚାଲିଯାଏ।”
ତା’ ଆଖିରେ ଲୁହ ଥିଲା, କିନ୍ତୁ ମୁହଁରେ ଧୀରେ ଧୀରେ ଗୋଟିଏ ଆଶା ଜନ୍ମ ନେଉଥିଲା।
ପରଦିନ ସକାଳୁ ସେ ପୁଣି ନିଜକୁ ପ୍ରସ୍ତୁତ କଲା।
ଗୋଟିଏ ପରେ ଗୋଟିଏ କମ୍ପାନୀକୁ ଆବେଦନ କଲା। କେଉଁଠି ଉତ୍ତର ଆସିଲାନି। କେଉଁଠି ଇଣ୍ଟରଭ୍ୟୁ ଦେଇ ବିଫଳ ହେଲା। କେହି କହିଲେ ଅଭିଜ୍ଞତା କମ୍, କେହି କହିଲେ ବୟସ ଅଧିକ।
ପ୍ରତ୍ୟେକ ବିଫଳତା ପରେ ଅନୁ ଭାଙ୍ଗିପଡ଼ୁଥିଲା।
କିନ୍ତୁ ପ୍ରତ୍ୟେକ ଥର ମାଆ କହୁଥିଲେ,“ପଡ଼ିଯିବା ଦୋଷ ନୁହେଁ ରେ। ପଡ଼ିଯାଇ ସେଇଠି ପଡ଼ି ରହିଯିବାଟା ଦୋଷ।”
ରାହୁଲ କହୁଥିଲା,“ଦିଦି, ତୁ ମୋତେ ଛୋଟବେଳେ କହିଥିଲୁ—‘ହାର ମାନିବୁନି।’ ଆଜି ତୁ ନିଜ କଥା ନିଜେ ଭୁଲିଗଲୁ?”
ଦିନ ଗଡ଼ିଚାଲିଲା।
ମାଆଙ୍କ ଔଷଧ ପାଇଁ ଅନୁ ନିଜର କିଛି ପୁରୁଣା ଗହଣା ବିକ୍ରି କରିଦେଲା। ରାହୁଲ କଲେଜରେ ଅଧିକ ସମୟ ପଢ଼ାଇ କିଛି ଟଙ୍କା ରୋଜଗାର କରିବାକୁ ଲାଗିଲା।
ଏହି ଛୋଟ ଘରଟିରେ ଟଙ୍କା କମ୍ ଥିଲା, କିନ୍ତୁ ଭରସାର ଅଭାବ ନଥିଲା।
ଗୋଟିଏ ସକାଳେ ଅନୁର ଫୋନ୍ ବାଜିଲା।
ହେଲୋ?
ମିସ୍ ଅନୁ? ଆପଣଙ୍କ ଇଣ୍ଟରଭ୍ୟୁ ସିଲେକ୍ଟ ହୋଇଛି। ଆସନ୍ତା ସୋମବାରଠାରୁ ଆପଣ ଯୋଗ ଦେଇପାରିବେ।
କିଛି ସେକେଣ୍ଡ ପାଇଁ ଅନୁ କିଛି କହିପାରିଲାନି।
ହେଲୋ?
ଜି... ମୁଁ ଆସିବି।
ଫୋନ୍ ରଖି ସେ ଦୌଡ଼ି ମାଆଙ୍କ ପାଖକୁ ଗଲା।“ମାଆ... ମୋ ଚାକିରି ହୋଇଗଲା!”
ମାଆ କିଛି କହିଲେନି,କେବଳ ଝିଅକୁ ଛାତିରେ ଜାବୁଡ଼ି ଧରିଲେ।
ରାହୁଲ ମଧ୍ୟ ଆସି ଦୁହିଁଙ୍କୁ ଧରିଲା।ତିନିଜଣଙ୍କ ଆଖିରେ ଲୁହ ଥିଲା।
ସେ ଲୁହ ଦୁଃଖର ନୁହେଁ।ସେ ଥିଲା ଅନେକ ଦିନର ଅପେକ୍ଷା ପରେ ମିଳିଥିବା ଆଶାର ଲୁହ।
ଅନୁ ଆଲମାରି ଖୋଲି ବାପାଙ୍କ ପୁରୁଣା ଚିଠିଟା ବାହାର କଲା।
ଚିଠିଟା ଛାତିରେ ଲଗାଇ ଧୀରେ କହିଲା,“ବାପା, ଆପଣଙ୍କ ଭରସାଟା ମୁଁ ଭାଙ୍ଗିବାକୁ ଦେଇନି।”
ମାଆ ହସି କହିଲେ,“ତୋ ବାପାଙ୍କ ଭରସା ତୋ ଉପରେ ଥିଲା। ମୋର ଭରସା ତୋ ଉପରେ ଅଛି। ଆଉ ତୋ ଭରସା ଯେପର୍ଯ୍ୟନ୍ତ ନିଜ ଉପରେ ରହିବ, ସେପର୍ଯ୍ୟନ୍ତ ଜୀବନର କୌଣସି ଅନ୍ଧାର ତୋତେ ହରାଇପାରିବନି।”
ଅନୁ ଝରକା ପାଖକୁ ଯାଇ ଠିଆ ହେଲା।ପୂର୍ବ ଆକାଶରେ ସୂର୍ଯ୍ୟ ଉଠୁଥିଲା।ଗତକାଲି ଯେଉଁ ଆକାଶ ତାକୁ ଅନ୍ଧାର ଲାଗୁଥିଲା, ଆଜି ସେହି ଆକାଶରେ ନୂଆ ଆଲୋକ ଦେଖାଯାଉଥିଲା।
ସେ ବୁଝିଗଲା,ଜୀବନ ସବୁବେଳେ ଆମ ହାତରେ ଯାହା ଚାହୁଁଛୁ, ତାହା ଦିଏନାହିଁ। କେବେ କେବେ ସବୁକିଛି ଛଡ଼ାଇ ନିଏ, ଯେମିତି ଆମେ ନିଜ ଭିତରେ ଲୁଚିଥିବା ଶକ୍ତିକୁ ଚିହ୍ନିପାରିବା।
ଆଶା ହେଉଛି ସେହି ଛୋଟ ଆଲୋକ, ଯାହା ଅନ୍ଧାର ମଧ୍ୟରେ ବାଟ ଦେଖାଏ,ଆଉ ଭରସା?ଭରସା ହେଉଛି ସେହି ହାତ, ଯାହା ଆମେ ଭାଙ୍ଗିପଡ଼ିଲା ବେଳେ ଧରି ରଖେ।
କେବେ ମାଆର ହାତ ହୋଇ,କେବେ ଭାଇର ସାହସ ହୋଇ,କେବେ ଚାଲିଯାଇଥିବା ବାପାଙ୍କ ଗୋଟିଏ ବାକ୍ୟ ହୋଇ,“ମୋର ତୋ ଉପରେ ଭରସା ଅଛି।”
ଏବଂ ବେଳେବେଳେ ସେହି ଭରସାଟା ନିଜ ଭିତରୁ ହିଁ ଆସେ ।
ସେଦିନ ଅନୁ ବୁଝିଥିଲା,ଆଶା ଥିଲେ ଅପେକ୍ଷା କରିହୁଏ, ଭରସା ଥିଲେ ଲଢ଼ିହୁଏ; ଆଉ ଏ ଦୁଇଟି ଥିଲେ, ହାରିଯାଇଥିବା ଜୀବନକୁ ମଧ୍ୟ ପୁଣିଥରେ ଆରମ୍ଭ କରାଯାଇପାରେ।ଆଶା ଆଉ ଭରସା—ଦୁଇଟି ଛୋଟ ଶବ୍ଦ।କିନ୍ତୁ ଏହି ଦୁଇଟି ଶବ୍ଦ ଥିଲେ, ଭାଙ୍ଗିଯାଇଥିବା ଜୀବନ ମଧ୍ୟ ପୁଣିଥରେ ଗଢ଼ି ଉଠିପାର।
