ଫୁଲ ର ଉଷ୍ମତା
ଫୁଲ ର ଉଷ୍ମତା
ଡିସେମ୍ବର ମାସର ଶୀତୁଆ ସକାଳ। ରାସ୍ତାକଡ଼ର ଗଛପତ୍ର ଉପରେ ଜମି ରହିଥିବା କାକର ବିନ୍ଦୁଗୁଡ଼ିକ ସୂର୍ଯ୍ୟକିରଣରେ ମୋତି ପରି ଝଲସୁଥିଲେ। ସହରର ଏକ ନିରବ ଗଳିରେ ଥିବା ଛୋଟ ଫୁଲ ଦୋକାନଟି ଧୀରେ ଧୀରେ ଜାଗ୍ରତ ହେଉଥିଲା ସକାଳ ର ସୂର୍ଯ୍ୟ କିରଣ ଛୁଇଁଲା ପରେ।
ଦୋକାନର ନାମ ଥିଲା ଫୁଲଘର।ଦୋକାନ ଆଗରେ ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା ଓ ଜୁଇ ଫୁଲର ସମ୍ଭାର। ଦେଖିଲେ ଲାଗୁଥିଲା, ଯେମିତି ଛୋଟିଆ ଦୋକାନଟିଏ ନୁହେଁ, ରଙ୍ଗ ଓ ସୁଗନ୍ଧର ଏକ ସୁନ୍ଦର ପୃଥିବୀ।
ଦୋକାନର ମାଲିକାଣୀ ଥିଲେ ଅନୁପମା। ବୟସ ପ୍ରାୟ ପଚାଶ। ମୁହଁରେ ବୟସର ଛାପ ଥିଲେ ମଧ୍ୟ ଆଖିରେ ଥିଲା ଅଦ୍ଭୁତ ଏକ ମମତା।
ପ୍ରତିଦିନ ସକାଳୁ ସେ ନିଜ ହାତରେ ଫୁଲଗୁଡ଼ିକୁ ସଜାନ୍ତି। କେଉଁ ଗୋଲାପର ପାଖୁଡ଼ା ଟିକିଏ ଝାଉଁଳି ଯାଇଛି, କେଉଁ ରଜନୀଗନ୍ଧାର ଡାଳ ଭାଙ୍ଗିଯାଇଛି, ସବୁକିଛି ତାଙ୍କ ନଜରରେ ଥାଏ।
କିନ୍ତୁ ତାଙ୍କ ଜୀବନରେ ମଧ୍ୟ ଏମିତି କିଛି ଅଝାଉଁଳା ସ୍ମୃତି ଥିଲା, ଯାହାକୁ ସେ ଆଜି ପର୍ଯ୍ୟନ୍ତ ମନରୁ ଅଲଗା କରିପାରି ନଥିଲେ।
ପନ୍ଦର ବର୍ଷ ତଳେ ସ୍ୱାମୀ ଅରବିନ୍ଦଙ୍କ ମୃତ୍ୟୁ ପରେ ଅନୁପମାଙ୍କ ଜୀବନ ହଠାତ୍ ବଦଳି ଯାଇଥିଲା। ଏକମାତ୍ର ପୁଅ ଆଦି ସେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲା। ସ୍ୱାମୀଙ୍କ ଚିକିତ୍ସାରେ ସଞ୍ଚିତ ଅର୍ଥ ସରିଯାଇଥିଲା। ଆଗରେ ଥିଲା ପୁଅର ପାଠପଢ଼ା ଓ ଜୀବନର ଅନେକ ଦାୟିତ୍ୱ।
ସେହି ସମୟରେ ଅନୁପମା ଫୁଲ ବିକ୍ରି କରିବା ଆରମ୍ଭ କରିଥିଲେ।
ଅନେକ ଲୋକ ତାଙ୍କୁ ପରାମର୍ଶ ଦେଇଥିଲେ, ପାଠ ପଢ଼ିଥିବା ପୁଅକୁ ନେଇ ଆଉ କିଛି କାମ କର। ଫୁଲ ବିକି ଜୀବନ କ'ଣ ଚଳିବ?
କିନ୍ତୁ ଅନୁପମା ଜାଣିଥିଲେ, ଫୁଲର ମୂଲ୍ୟ କେବଳ ଟଙ୍କାରେ ମପାଯାଏ ନାହିଁ। କେବେ ଏହା ପୂଜାର ଅର୍ଘ୍ୟ, କେବେ ପ୍ରେମର ଉପହାର, ତ କେବେ କାହାର ଶେଷଯାତ୍ରାର ସାଥୀ।
ସେ ହସି କହୁଥିଲେ, ମୋ ଫୁଲ ଦୋକାନରୁ କେହି ଖାଲି ହାତରେ ଫେରିବେ ନାହିଁ।
ସମୟ ଗଡ଼ି ଚାଲିଲା। ଆଦି ଇଞ୍ଜିନିୟରିଂ ପଢ଼ିଲା ଚାକିରି ପାଇଲା। ପରେ ବିବାହ କରି ଭୁବନେଶ୍ୱରରେ ନିଜ ସଂସାର ଗଢ଼ିଲା।
ଅନୁପମା ତାକୁ କେବେ ଅଟକାଇ ନଥିଲେ। କେବଳ ଚାହୁଁଥିଲେ, ପୁଅଟି ତାଙ୍କୁ ମଝିରେ ମଝିରେ ମନେ ପକାଉ।
କିନ୍ତୁ ମାସ ମାସ ଧରି ପୁଅର ଫୋନ୍ ଆସୁ ନଥିଲା।
ଏହା ଭିତରେ ଦିନେ ଜଣେ ଛୋଟ ଝିଅ ଦୋକାନକୁ ଆସିଲା। ବୟସ ପ୍ରାୟ ବାର ବର୍ଷ। ପିନ୍ଧିଥିବା ଫ୍ରକ୍ଟି ପୁରୁଣା, ପାଦରେ ଚପଲ ନଥିଲା। ହାତରେ ଥିଲା ଦଶ ଟଙ୍କିଆ ନୋଟ୍ଟିଏ।
ସେ ଧୀରେ ଧୀରେ ପଚାରିଲା,ମାଉସୀ, ଦଶ ଟଙ୍କାରେ କିଛି ଫୁଲ ମିଳିବ?
ଅନୁପମା ହସି ପଚାରିଲେ, କାହା ପାଇଁ ନେବୁ ମାଆ?
ଝିଅଟିର ମୁହଁ ହଠାତ୍ ମଳିନ ହୋଇଗଲା।ମୋ ମାଆ ପାଇଁ। ସେ ଡାକ୍ତରଖାନାରେ ଅଛି। ଫୁଲ ତାକୁ ବହୁତ ଭଲ ଲାଗେ। ମୁଁ ତାକୁ ଦେଖିବାକୁ ଗଲେ କିଛି ନେଇଯିବାକୁ ଚାହେଁ।
ଅନୁପମା ଝିଅଟିର ମୁହଁକୁ ଚାହିଁ ରହିଲେ।କେଉଁଠି ଅଛନ୍ତି ତୋ ମାଆ?
ସେ ହାତରେ ଦୂରରେ ଥିବା ସରକାରୀ ଡାକ୍ତରଖାନା ଦିଗକୁ ଇଙ୍ଗିତ କଲା।
ଅନୁପମା ତା' ହାତରୁ ଦଶ ଟଙ୍କା ନେଲେ ନାହିଁ। କିଛି ଜୁଇ ଫୁଲ ଓ ଦୁଇଟି ଗୋଲାପ ତୋଳି ଗୋଟିଏ ଛୋଟ କାଗଜରେ ଗୁଡ଼ାଇ ଦେଲେ।
ନେ ମାଆ, ଏଇ ଫୁଲ ନେଇଯା। ମାଆଙ୍କୁ କହିବୁ, ତାଙ୍କ ପାଇଁ ଫୁଲ ମାଉସୀ ପଠାଇଛନ୍ତି।
ଝିଅଟି ଫୁଲଗୁଡ଼ିକୁ ଛାତିରେ ଜାକି ଧରିଲା। ତା' ଆଖିରେ ଲୁହ ଜକେଇ ଆସିଲା।ସେଦିନଠାରୁ ଝିଅଟିର ନାମ ଜାଣିଲେ ଅନୁପମା। ନାମ ତା'ର ତୁଳସୀ।
ତୁଳସୀ ପ୍ରତିଦିନ ଆସିବାକୁ ଲାଗିଲା। କେବେ ମାଆଙ୍କ ପାଇଁ ଫୁଲ ନେଉଥିଲା, କେବେ ଦୋକାନ ଆଗରେ ବସି ଅନୁପମାଙ୍କୁ ଫୁଲ ସଜାଇବାରେ ସାହାଯ୍ୟ କରୁଥିଲା।
ଅନୁପମା ତାକୁ ଗୋଟିଏ କଥା କହୁଥିଲେ।ଫୁଲକୁ କେବଳ ହାତରେ ଧରିଲେ ହେବନି ମାଆ, ମନରେ ବି ତାକୁ ଭଲପାଇବାକୁ ହୁଏ। ଯେଉଁ ହାତରେ ମମତା ଥାଏ, ସେହି ହାତରେ ସଜା ଫୁଲର ଉଷ୍ଣତା ଅଲଗା।
ଦିନେ ତୁଳସୀ ଆସିଲା ନାହିଁ।
ଦ୍ୱିତୀୟ ଦିନ ମଧ୍ୟ ନୁହେଁ।
ତୃତୀୟ ଦିନ ଅନୁପମା ନିଜେ ଡାକ୍ତରଖାନାକୁ ଗଲେ। ପଚାରି ପଚାରି ତୁଳସୀର ମାଆଙ୍କ ଶଯ୍ୟା ପାଖରେ ପହଞ୍ଚିଲେ।ସେଠାରେ ଯାହା ଦେଖିଲେ, ତାଙ୍କ ହୃଦୟ ଥରି ଉଠିଲା।
ତୁଳସୀର ମାଆ ଆଖି ବନ୍ଦ କରି ଶୋଇଥିଲେ। ଶଯ୍ୟା ପାଖରେ ତୁଳସୀ ଏକୁଟିଆ ବସିଥିଲା। ତା' ହାତରେ ଥିଲା ଶୁଖିଯାଇଥିବା ଦୁଇଟି ଗୋଲାପ।
ଅନୁପମାଙ୍କୁ ଦେଖି ଝିଅଟି କାନ୍ଦି ପକାଇଲା।ମାଉସୀ, ମୋ ମାଆ ଆଉ ଉଠୁନି। ମୁଁ ତାକୁ କେତେ ଡାକିଲି, ହେଲେ ସେ ଆଖି ଖୋଲୁନି।
ଅନୁପମା ତାକୁ ନିଜ କୋଳକୁ ଟାଣି ନେଲେ।
ସେଦିନ ତୁଳସୀର ମାଆ ଏ ପୃଥିବୀ ଛାଡ଼ି ଚାଲିଗଲେ।ସେହି ଛୋଟ ଝିଅଟିର ଆଖିରେ ଯେଉଁ ଶୂନ୍ୟତା ଥିଲା, ତାହା ଅନୁପମା ନିଜ ଜୀବନରେ ଅନୁଭବ କରିଥିବା ଶୂନ୍ୟତାଠାରୁ ମଧ୍ୟ ଅଧିକ ଗଭୀର ଥିଲା।
ସେ ତୁଳସୀର ହାତ ଧରି ଘରକୁ ନେଇଆସିଲେ।ପରବର୍ତ୍ତୀ କିଛି ମାସ ଭିତରେ ତୁଳସୀର ପାଠପଢ଼ାର ବ୍ୟବସ୍ଥା କଲେ। ତାକୁ ନିଜ ଘରେ ରଖିଲେ। ଧୀରେ ଧୀରେ ସେହି ଛୋଟ ଝିଅଟି ଅନୁପମାଙ୍କ ଜୀବନର ଏକ ଅଂଶ ହୋଇଗଲା।
ଦିନେ ତୁଳସୀ ପଚାରିଲା,ମାଉସୀ, ତୁମ ପୁଅ ଅଛି ନା?
ଅନୁପମା ହସି କହିଲେ, ହଁ ମାଆ, ଅଛି।
ତା'ହେଲେ ସେ ତୁମ ପାଖରେ ରହୁନି କାହିଁକି?
ଅନୁପମା କିଛି ସମୟ ଚୁପ୍ ରହିଲେ। ପରେ କହିଲେ, ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଯାଆନ୍ତି ମାଆ। ସେଥିପାଇଁ ସମ୍ପର୍କର ଉଷ୍ମତା ଟିକିଏ କମିଯାଏ।
ତୁଳସୀ ତାଙ୍କ ହାତକୁ ଜାବୁଡ଼ି ଧରି କହିଲା,ମୁଁ କିନ୍ତୁ ତୁମକୁ ଏକା ଛାଡ଼ିବିନି ମାଉସୀ।
ଅନୁପମା ହସିଲେ। କିନ୍ତୁ ଆଖିର ଲୁହକୁ ଲୁଚାଇ ପାରିଲେ ନାହିଁ।
ବର୍ଷେ ପରେ଼.....
ଅନୁପମାଙ୍କ ଜନ୍ମଦିନ ଥିଲା। ତୁଳସୀ ସକାଳୁ ଉଠି ଘର ସଜାଇଥିଲା। ଦୋକାନରୁ କିଛି ଫୁଲ ଆଣି ମାଳା ଗୁନ୍ଥିଥିଲା। ଅନୁପମାଙ୍କ ପାଇଁ ନିଜ ହାତରେ ଗୋଟିଏ ଛୋଟ ଫୁଲର ମୁକୁଟ ତିଆରି କରିଥିଲା।ଠିକ୍ ସେତିକିବେଳେ ଦ୍ୱାରରେ ଗାଡ଼ି ଆସି ଅଟକିଲା।
ଆଦି ଓ ତାଙ୍କ ସ୍ତ୍ରୀ ଘର ଭିତରକୁ ପଶିଆସିଲେ।ମାଆଙ୍କୁ ଦେଖି ଆଦି କହିଲା, ମାଆ, ଆଜି ତୁମ ଜନ୍ମଦିନ। ଆମେ ଭାବିଲୁ ତୁମକୁ ସରପ୍ରାଇଜ୍ ଦେବୁ।
ଅନୁପମାଙ୍କ ଆଖି ଖୁସିରେ ଭରିଗଲା। ଏତେଦିନ ପରେ ପୁଅକୁ ପାଖରେ ଦେଖି ତାଙ୍କ ମନ ଭିତରେ ଜମି ରହିଥିବା ଅଭିମାନ ଯେମିତି ଧୀରେ ଧୀରେ ତରଳିଗଲା।
କିନ୍ତୁ ଆଦିର ପରବର୍ତ୍ତୀ କଥା ଶୁଣି ସେ ନିରବ ହୋଇଗଲେ।
ମାଆ, ତୁମେ ଏବେ ବୟସ୍କ ହୋଇଗଲଣି। ଏତେ ପରିଶ୍ରମ କରିବା ଠିକ୍ ନୁହେଁ। ତୁମେ ଆମ ସହିତ ଚାଲ। ଆଉ ଏହି ଦୋକାନଟା ବନ୍ଦ କରିଦିଅ।
ଅନୁପମା ପୁଅର ମୁହଁକୁ ଚାହିଁଲେ।ଦୋକାନ ବନ୍ଦ କରିଦେଲେ ଏଠାକୁ ଆସୁଥିବା ଲୋକମାନେ କୁଆଡ଼େ ଯିବେ? ତୁଳସୀର ପଢ଼ା? ତା'ର ଭବିଷ୍ୟତ?
ଆଦି ଟିକିଏ ବିରକ୍ତ ହୋଇ କହିଲା, ତୁମେ ସବୁବେଳେ ଅନ୍ୟମାନଙ୍କ କଥା ଭାବ। ଆମର ବି ତ ଗୋଟିଏ ସଂସାର ଅଛି। ତୁମକୁ ସେଠାରେ ରଖିବାକୁ ଚାହୁଁଛୁ, ଏହା କ'ଣ ଭୁଲ୍?
ଅନୁପମା କିଛି କହିଲେ ନାହିଁ।
ସେତିକିବେଳେ ତୁଳସୀ ଆଗକୁ ଆସିଲା।
ଆଦି ବାବୁ, ମାଉସୀଙ୍କୁ ନେଇଯିବା ପୂର୍ବରୁ ଗୋଟିଏ କଥା ପଚାରିବି?
ଆଦି ତାକୁ ଚାହିଁଲା।
ମାଉସୀ ଯେତେବେଳେ ମୋ ମାଆ ମରିଯାଇଥିଲା ବୋଲି ଶୁଣିଲେ, ସେ ମୋତେ ଏକୁଟିଆ ଛାଡ଼ି ନଥିଲେ। ମୋ ପାଖରେ ଟଙ୍କା ନଥିଲା, ଘର ନଥିଲା, କେହି ନଥିଲେ। ସେ ମୋତେ ନିଜ ଝିଅ ପରି ଗ୍ରହଣ କରିଥିଲେ। ମୁଁ କେବେ ତାଙ୍କୁ ମାଆ ବୋଲି ଡାକିବାକୁ ସାହସ କରିନାହିଁ। କାରଣ ମୁଁ ଭାବେ, ମୋ ମାଆଙ୍କ ସ୍ଥାନ କେହି ନେଇପାରିବେ ନାହିଁ। କିନ୍ତୁ ଆଜି ତାଙ୍କୁ ହରାଇବାର ଭୟ ମୋତେ ପୁଣି ଥରେ ଅନାଥ କରିଦେଉଛି।ତା' କଣ୍ଠ କୋହରେ ଅଟକିଗଲା।
ଆଦି ନିରବରେ ଠିଆ ହୋଇଥିଲା।
ତୁଳସୀ ପୁଣି କହିଲା, ଆପଣ ତାଙ୍କ ପୁଅ। ଆପଣଙ୍କ ଅଧିକାର ଅଛି ତାଙ୍କୁ ନିଜ ପାଖରେ ରଖିବାର। କିନ୍ତୁ ମୋର ମଧ୍ୟ ଗୋଟିଏ ଅନୁରୋଧ ଅଛି। ତାଙ୍କୁ ଏହି ଫୁଲଘରଠାରୁ ଅଲଗା କରନ୍ତୁ ନାହିଁ। ଏହି ଦୋକାନରେ ତାଙ୍କ ଜୀବନର ଅନେକ ସ୍ମୃତି ଅଛି। ଏଠାରେ ସେ କେବଳ ଫୁଲ ବିକ୍ରି କରନ୍ତି ନାହିଁ, ଅନେକ ଭାଙ୍ଗିଯାଇଥିବା ମନକୁ ଆଶ୍ରୟ ଦିଅନ୍ତି।
ଆଦି ମୁଣ୍ଡ ତଳକୁ କରିଦେଲା।କିଛି ସମୟ ପରେ ସେ ମାଆଙ୍କ ପାଖକୁ ଆସି ବସିଲା।ମାଆ, ମୁଁ ତୁମକୁ ନେବାକୁ ଆସିଥିଲି। କିନ୍ତୁ ଆଜି ବୁଝିଲି, ତୁମେ କେବଳ ମୋ ମାଆ ନୁହଁ। ତୁମେ ଆଉ କାହାର ଜୀବନର ମଧ୍ୟ ଆଶ୍ରୟ।
ଅନୁପମା ପୁଅର ମୁଣ୍ଡ ଆଉଁସିଦେଲେ।ମାଆର ମମତା କେବେ ଭାଗ ହୁଏନି ପୁଅ। ଯେତେ ବାଣ୍ଟିଲେ ବି ତାହା କମେ ନାହିଁ।
ଆଦି ମାଆଙ୍କ କୋଳରେ ମୁଣ୍ଡ ରଖିଦେଲା। ବୋଧହୁଏ ଅନେକ ବର୍ଷ ପରେ ସେ ପୁଣି ଥରେ ନିଜ ପିଲାଦିନକୁ ଫେରିଯାଇଥିଲା।ସେଦିନ ସନ୍ଧ୍ୟାରେ ତୁଳସୀ ଅନୁପମାଙ୍କ ମୁଣ୍ଡରେ ଫୁଲର ମୁକୁଟଟି ପିନ୍ଧାଇଦେଲା।
ଅନୁପମା ତାକୁ ଛାତିରେ ଜାକି ଧରିଲେ।ବାହାରେ ଶୀତର ପବନ ବହୁଥିଲା। ଦୋକାନରେ ଥିବା ଫୁଲଗୁଡ଼ିକ ଧୀରେ ଧୀରେ ଝୁଲୁଥିଲେ। କିନ୍ତୁ ସେହି ଛୋଟ ଘର ଭିତରେ ଏକ ଅଦ୍ଭୁତ ଉଷ୍ଣତା ଥିଲା।
ସେ ଉଷ୍ଣତା ନିଆଁର ନଥିଲା, ଖରାର ନଥିଲା ଥିଲା ଫୁଲ ର ଉସ୍ମତା ।ସେ ଥିଲା ମମତାର, ଆପଣାପଣର ଓ ହୃଦୟରୁ ହୃଦୟକୁ ଯୋଡ଼ି ରଖୁଥିବା ନିଃସ୍ୱାର୍ଥ ଭଲପାଇବାର।
ଅନୁପମା ଗୋଟିଏ ଗୋଲାପ ହାତରେ ଧରି ତୁଳସୀକୁ କହିଲେ,ଜାଣିଛୁ ମାଆ, ଫୁଲର ସବୁଠାରୁ ବଡ଼ ଗୁଣ କ'ଣ?
ତୁଳସୀ ମୁଣ୍ଡ ହଲାଇଲା।
ଫୁଟିବା ନୁହେଁ, ଝାଉଁଳିଯିବା ମଧ୍ୟ ନୁହେଁ। ଫୁଲର ସବୁଠାରୁ ବଡ଼ ଗୁଣ ହେଉଛି, ଝାଉଁଳିଯିବା ପୂର୍ବରୁ ସେ କାହା ଜୀବନରେ ଟିକିଏ ସୁଗନ୍ଧ ଛାଡ଼ିଯାଏ।
ତୁଳସୀ ଅନୁପମାଙ୍କ କାନ୍ଧରେ ମୁଣ୍ଡ ରଖିଦେଲା ।
ସେଦିନ ଫୁଲଘରରେ କେବଳ ଫୁଲର ସୁଗନ୍ଧ ନଥିଲା। ସେଠାରେ ଦୁଇଟି ମାଆର ମମତା, ଗୋଟିଏ ପୁଅର ଅନୁତାପ ଓ ଗୋଟିଏ ଅନାଥ ଝିଅର ନୂଆ ପରିଚୟ ମିଶି ଏମିତି ଏକ ସମ୍ପର୍କ ଗଢ଼ିଥିଲା, ଯାହାର ଉସ୍ମତା କେବେ ଶୀତଳ ହେବାର ନଥିଲା।
କାରଣ କେତେକ ଫୁଲ ଗଛରେ ଫୁଟନ୍ତି, ଆଉ କେତେକ ଫୁଲ ମଣିଷର ହୃଦୟରେ। ସେହି ହୃଦୟର ଫୁଲ ହିଁ ସବୁଠାରୁ ଅଧିକ ଉସ୍ମତା ଦିଏ।
