ସକାଳ ର ପ୍ରଥମ ଆଲୁଅ
ସକାଳ ର ପ୍ରଥମ ଆଲୁଅ
ସକାଳର ଆକାଶରେ ସେତେବେଳେ ଅନ୍ଧାରର ଶେଷ ଛାଇଟିଏ ରହିଥିଲା। ପୂର୍ବ ଦିଗନ୍ତରେ ଧୀରେ ଧୀରେ ଆଲୁଅ ଫୁଟୁଥିଲା। ରାସ୍ତା କଡ଼ରେ ଥିବା ଗଛଗୁଡ଼ିକର ପତ୍ରରେ ରାତିର କାକର ବିନ୍ଦୁ ଏବେ ବି ଚମକୁଥିଲା।ଚଢେଇର ଚିଁ ଚାଁ ଶବ୍ଦ ସକାଳ ଆଗମନର ଶୁଭ ବାର୍ତ୍ତା ପ୍ରଦାନ କରୁଥିଲା ଯେପରି ।
ସେହି ନିରବ ସକାଳରେ ଘରର ଛାତ ଉପରେ ଏକୁଟିଆ ବସିଥିଲା ପ୍ରୀତମ ।ବୟସ ଏବେ ଚାଳିଶ ପାଖାପାଖି। ମୁହଁରେ ଅସମୟର ଗମ୍ଭୀରତା। ଆଖି ତଳେ ଅନିଦ୍ରାର କଳା ଛାଇ। ଦିନେ ଦିନେ ଲୋକଙ୍କ ମଝିରେ ରହିଲେ ମଧ୍ୟ ତା’ର ମନଟା କେମିତି ଗୋଟିଏ ଶୂନ୍ୟ ଘର ଭଳି ହୋଇଯାଇଥିଲା।
କେବେ ଏହି ସକାଳକୁ ନେଇ ତା’ର କେତେ ସ୍ୱପ୍ନ ଥିଲା! କିନ୍ତୁ
ଏବେ ସକାଳ ହେଲେ ତା’ର ମନେ ହୁଏ—ଆଉ ଗୋଟିଏ ଦିନ ଆସିଗଲା।
ଜୀବନ ଯେତେବେଳେ ଗୋଟିଏ ପରେ ଗୋଟିଏ ଆଘାତ ଦିଏ, ମଣିଷ କେବେ କେବେ ଦୁଃଖକୁ ଭୁଲିଯାଏ ନାହିଁ; କେବଳ ଦୁଃଖ ସହିତ ବଞ୍ଚିବା ଶିଖିଯାଏ।
ସେମିତି କିଛି ପ୍ରୀତମ ମଧ୍ୟ ଶିଖିଯାଇଥିଲା।
ତା’ର ଘର ତଳ ମହଲାରେ ରୋଷେଇଘରଟା ଖାଲି ପଡ଼ିଥିଲା। ଟେବୁଲ ଉପରେ ଗତରାତିର ଚା’ କପ୍ଟା ରହିଥିଲା। କାହାରି ହାତ ତା’କୁ ହଟାଇବାକୁ ନଥିଲା। ସେ ଧୀରେ ଧୀରେ ଛାତରୁ ତଳକୁ ଆସିଲା।
ଠିକ୍ ସେତେବେଳେ ବାହାରୁ ଏକ ଛୋଟ ଝିଅର ଡାକ ଶୁଣାଗଲା
“ଫୁଲ ନେବେ ଅଙ୍କଲ୍…
ଫୁଲ!”ତାଜା ତାଜା ଫୁଲ ବାଡିରୁ ତୋଳି ଆଣିଛି।
ପ୍ରୀତମ ଝରକା ପାଖକୁ ଯାଇ ଦେଖିଲା,ଦଶ-ଏଗାର ବର୍ଷର ଏକ ଛୋଟ ଝିଅ। ହାତରେ ଛୋଟ ଝୁଡ଼ିଟିଏ। ଝୁଡ଼ିରେ ଗୋଲାପ, ମଲ୍ଲୀ ଓ ଗେଣ୍ଡୁ ,ଟଗର ଫୁଲର ସମ୍ଭାର।
ପିନ୍ଧିଥିବା ଫ୍ରକ୍ଟା ପୁରୁଣା କାହିଁ କେତେ କାଳରୁ ସଫା ହୋଇନାହିଁ ଯେମିତି । ଚୁଟି ଦୁଇଟି ଅସଜଡ଼ା। କିନ୍ତୁ ମୁହଁରେ ଅଦ୍ଭୁତ ଏକ ହସ।
ପ୍ରୀତମ ଦରଜା ଖୋଲିଲା।
ଝିଅଟି ପାଖକୁ ଯାଇ ପଚାରିଲା ,କେତେ ଦାମ ?
ଝିଅଟି ହସି କହିଲା, “ଦଶ ଟଙ୍କାରେ ଏଇ ମାଳଟା ନିଅନ୍ତୁ।” ସବୁ ଫୁଲ ମିଶାଇ ମାଳଟିଏ କରିଛି । କାଲି ଶ୍ରାବଣର ପ୍ରଥମ ସୋମବାର ସକାଳ ର ପ୍ରଥମ ଆଲୁଅ ଆସିବା ପୂର୍ବରୁ ପ୍ରଭୁ ମହାଦେବଙ୍କୁ ଦେଲେ ସମସ୍ତ ମନସ୍କାମନା ପୁରଣ ହେବ ଆପଣଙ୍କ ର ।
ପ୍ରୀତମ ଟଙ୍କା ଦେଇ ଫୁଲ ନେଲା ଆଉ ହସିଦେଇ କହିଲା ସେମିତି କିଛି ହୁଏନାହିଁ ଝିଅ । ଏସବୁ କେବଳ ଆମ ମନର ଶାନ୍ତି ପାଇଁ।
ଝିଅଟି ଚାଲିଯିବାକୁ ବାହାରିଲା।ପ୍ରୀତମ ହଠାତ୍ ପଚାରିଲା, “ତୋ ନାଁ କଣ ?”
ଝିଅଟି ଘୁରି ଚାହିଁ ହସିଦେଲଲା, ଆଉ ଯାଉ ଯାଉ କହିଲା…
ମୋର ନାମ “କୃଷ୍ଣା।”
“କୃଷ୍ଣା?”
“ହଁ, ମାଆ କହନ୍ତି, ମୋ ନାଁ କୃଷ୍ଣା ରଖିଲେ ଘରେ ସବୁବେଳେ ଭଗବାନଙ୍କ ନାଁ ରହିବ।ଆଉ ତା ଛଡା କୃଷ୍ଣା କୁଆଡେ ଶ୍ରୀକୃଷ୍ଣ ଙ୍କର ସଖି ।”
ପ୍ରୀତମ କିଛି କହିଲା ନାହିଁ। କୃଷ୍ଣା ଚାଲିଗଲା।
ସେଦିନ ଅନେକ ଦିନ ପରେ ପ୍ରୀତମ ଘରର ଫୁଲଦାନିରେ ସେ ଫୁଲ ସଜାଇ ଦେଲା।
ପରଦିନ ସକାଳେ ପୁଣି କୃଷ୍ଣା ଆସିଲା ଆଉ ପଚାରିଲା“ଅଙ୍କଲ୍… ଫୁଲ ନେବେ?”
ପ୍ରୀତମ ଦରଜା ଖୋଲି ହସିଲା ଆଉ କହିଲା ,ଆଜି ଫୁଲ ନେବିନି।
କୃଷ୍ଣା ମୁହଁ ଶୁଖାଇଦେଲା…ଆଉ ପଚାରିଲା “କାହିଁକି?”
“ଆଜି ତୁ ଭିତରକୁ ଆସି ମୋ ସହିତ ଚା’ ପିଇବୁ।”
କୃଷ୍ଣା ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲା।
ମୁଁ ?
ହଁ, ତୁ।
ସେହି ଦିନଠାରୁ ପ୍ରୀତମଙ୍କ ଘରର ସକାଳ ବଦଳିଗଲା।ସକାଳ ର ପ୍ରଥମ ଆଲୁଅ ପଡିବା ପୂର୍ବରୁ କୃଷ୍ଣା ପ୍ରତିଦିନ ଆସୁଥିଲା। କେବେ ଫୁଲ ନେଇ, କେବେ ଖାଲି ହାତରେ।
କେବେ ପ୍ରୀତମଙ୍କୁ କହୁଥିଲା, “ଅଙ୍କଲ୍, ଆପଣ ଏତେ ଚୁପ୍ କାହିଁକି ରୁହନ୍ତି?”
ପ୍ରୀତମ ହସି କହୁଥିଲା, “ମୋ ପାଖରେ କଥା କହିବାକୁ କେହି ନାହିଁ।”
କୃଷ୍ଣା ସଙ୍ଗେ ସଙ୍ଗେ କହୁଥିଲା,“ମୁଁ ଅଛି ପରା!”
ପ୍ରୀତମଙ୍କ ମୁହଁରେ ହସ ଫୁଟିଉଠୁଥିଲା,ଧୀରେ ଧୀରେ କୃଷ୍ଣା ପ୍ରୀତମ ର ଜୀବନର ଏକ ଅଂଶ ହୋଇଗଲା।ସେ ତା’କୁ ପଢ଼ାଉଥିଲା। ଗଣିତ ବୁଝାଉଥିଲା। କୃଷ୍ଣା ଭୁଲ କଲେ ଗାଳି ଦେଉନଥିଲା, କେବଳ କହୁଥିଲା,“ଭୁଲ ହେଲେ ପୁଣିଥରେ ଚେଷ୍ଟା କରିବୁ।”
ଦିନେ କୃଷ୍ଣା ପଚାରିଲା,“ଅଙ୍କଲ୍, ଆପଣ ଛୋଟବେଳେ କ’ଣ ହେବାକୁ ଚାହୁଁଥିଲେ?”
ପ୍ରୀତମ କିଛି ସମୟ ଚୁପ୍ ରହି କହିଲା ,ପିଲାଙ୍କ ଭିତରୁ ଅନ୍ଧାର ଦୂର କରି ଆଲୁଅ ଭରିବା ପାଇଁ “ଶିକ୍ଷକ ହେବାକୁ ଚାହୁଁଥିଲି।”
“ତାହେଲେ ହେଲେ ନାହିଁ କାହିଁକି?”
ପ୍ରୀତମ ଝରକା ବାହାରକୁ ଚାହିଁଲା,ଆଉ କହିଲା“ଜୀବନ ସବୁବେଳେ ଆମ ଇଚ୍ଛା ଅନୁସାରେ ଚାଲେନି।”
କୃଷ୍ଣା ମୁଣ୍ଡ ହଲାଇଲା।“ତାହେଲେ ମୁଁ ବଡ଼ ହେଲେ ଆପଣଙ୍କ ଇଚ୍ଛା ପୂରଣ କରିବି।”
ପ୍ରୀତମ ହସିଦେଲା।“ତୁ କ’ଣ ହେବୁ?”
କୃଷ୍ଣା ଆଖି ବଡ଼ କରି କହିଲା“ଶିକ୍ଷୟିତ୍ରୀ।”
ସେହି ଦିନ ପ୍ରୀତମ ପ୍ରଥମଥର ପାଇଁ ଅନୁଭବ କଲା ହୁଏତ ଜୀବନ ତା’ଠାରୁ ସବୁକିଛି ନେଇନାହିଁ।
କିଛି ଦିନ ପରେ ଗୋଟିଏ ସକାଳେ କୃଷ୍ଣା ଆସିଲା ନାହିଁ।ପ୍ରୀତମ ଅପେକ୍ଷା କଲା।ସୂର୍ଯ୍ୟ ଉପରକୁ ଉଠିଲା।କୃଷ୍ଣା ଆସିଲା ନାହିଁ।ପରଦିନ ମଧ୍ୟ ନାହିଁ।ତୃତୀୟ ଦିନ ପ୍ରୀତମ ତା’କୁ ଖୋଜିବାକୁ ବାହାରିଲା।
ସହରର ଏକ ଝୁପୁଡ଼ି ବସ୍ତିରେ ଯାଇ ସେ ଜାଣିଲା କୃଷ୍ଣାର ମାଆ ଅସୁସ୍ଥ।
ଘରେ ଖାଇବାକୁ ମଧ୍ୟ ନାହିଁ,ପ୍ରୀତମ ନିରବରେ ଘରକୁ ଫେରିଲା।ସେହି ରାତିରେ ବହୁ ବର୍ଷ ପରେ ନିଜ ଆଲମାରି ଖୋଲିଲା।
ପୁରୁଣା ଫାଇଲ୍, ପ୍ରମାଣପତ୍ର, ଶିକ୍ଷକ ଚାକିରିର ପୁରୁଣା କାଗଜ ସବୁ ଦେଖିଲା।ପରଦିନ ସକାଳେ ସେ ସହରର ଗୋଟିଏ ସ୍କୁଲକୁ ଗଲା।
ଅଫିସରେ ନିଜର ବାୟୋଡାଟା ଦେଇ କହିଲା “ମୁଁ ପଢ଼ାଇବାକୁ ଚାହୁଁଛି।”
ପ୍ରଧାନଶିକ୍ଷକ ତା’କୁ ଦେଖି ପଚାରିଲେ,“ଏତେ ବର୍ଷ ପରେ?”
ପ୍ରୀତମ ହସି କହିଲା,“ସାର୍, ବେଳେବେଳେ ଜୀବନର ସବୁଠାରୁ ଭଲ ଅଧ୍ୟାୟଟା ଲେଖିବାକୁ ଟିକେ ଡେରି ହୋଇଯାଏ।”
କିଛି ମାସ ପରେ କୃଷ୍ଣା ସ୍କୁଲ୍ ଯିବା ଆରମ୍ଭ କଲା।ସକାଳେ ସେ ଫୁଲ ବିକ୍ରି କରୁନଥିଲା।ପ୍ରୀତମ ତା’ ପାଇଁ ବହି ନେଇ ଆସୁଥିଲା।
କୃଷ୍ଣା ପ୍ରତିଦିନ ସକାଳେ ସ୍କୁଲ୍ ଯିବା ପୂର୍ବରୁ ପ୍ରୀତମଙ୍କ ଘର ଆଗରେ ଠିଆ ହୋଇ କହୁଥିଲା,“ଅଙ୍କଲ୍, ଚାଲନ୍ତୁ… ଆଜି ବି ସକାଳ ହୋଇଗଲା।”
ପ୍ରୀତମ ହସି ବାହାରକୁ ଆସୁଥିଲା,ପୂର୍ବ ଆକାଶରେ ସୂର୍ଯ୍ୟ ଉଠୁଥିଲା।ସେ ଆଲୁଅ ଏବେ କେବଳ ଆକାଶକୁ ଆଲୋକିତ କରୁନଥିଲା।ଦୁଇଟି ଜୀବନକୁ ମଧ୍ୟ ଆଲୋକିତ କରୁଥିଲା।ପ୍ରୀତମ ବୁଝିଯାଇଥିଲା ।
ସକାଳର ପ୍ରଥମ ଆଲୁଅ କେବଳ ସୂର୍ଯ୍ୟ ଦିଏ ନାହିଁ।ବେଳେବେଳେ ଗୋଟିଏ ଛୋଟ ମଣିଷର ନିର୍ମଳ ହସ ମଧ୍ୟ ଜଣେ ବଡ଼ ମଣିଷର ଅନ୍ଧାର ଜୀବନକୁ ଆଲୋକିତ କରିଦିଏ ।
