ଛାଇର ଛାଇ
ଛାଇର ଛାଇ
ସକାଳ ୫ ଟା, ସହର ଏବେ ବି ଶୋଇଛି। କିନ୍ତୁ ତିନି ତାଲା ଫ୍ଲାଟ୍ ର ରୋଷେଇ ଘରେ ଆଲୁଅ ଜଳୁଛି। ଗ୍ୟାସ୍ ଉପରେ ଚା ଫୁଟୁଛି। ଆଉ ସିଙ୍କ୍ ପାଖରେ ଠିଆ ହୋଇଛି ଗୋଟେ ଝିଅ, ବୟସ ୨୪। ହାତରେ ବାସନ ଘଷୁଛି, ଆଉ ମୁହଁରେ ଗୋଟେ କବିତା ଗୁଣୁଗୁଣୁ ହେଉଛି।
ସେ ହେଲା କାବେରୀ।
ଲୋକମାନେ ତାକୁ "ସେଇ ଝିଅ" କୁହନ୍ତି "ମେଡ୍"ମାନେ କାମବାଲି ଝିଅ। କେହି ତା ନାଁ ପଚାରନ୍ତି ନାହିଁ କାରଣ ଛାଇର କି ନାଁ ଥାଏ?
କାବେରୀ ଗରୀବ ଘର ଝିଅ। ବାପା ଛୋଟରୁ ନଥିଲେ। ମା ସିଲେଇ କରି ପାଠ ପଢେଇଥିଲେ। କଲେଜରେ ସେ ପ୍ରଥମ ହେଉଥିଲା। ଓଡିଆ ସାହିତ୍ୟରେ ଟପ୍। ପ୍ରଫେସର୍ କୁହନ୍ତି "କାବେରୀ ତୁ ଗୋଟେ ଦିନ ବଡ ଲେଖିକା ହେବୁ"। କାବେରୀ ହସି କୁହେ "ମା, ମୁଁ ତୋ ପାଇଁ ଗୋଟେ ବଡ ଘର କରିବି"।
କିନ୍ତୁ ଡିଗ୍ରୀ ହାତରେ ଆସିବାର ୧୦ ଦିନ ପରେ ମା ଚାଲିଗଲେ। କ୍ୟାନ୍ସର୍ ରେ। ଟଙ୍କା ନଥିଲା ଚିକିତ୍ସା ହୋଇପାରିଲା ନାହିଁ। ଶେଷ ଦିନ ମା ତା ହାତ ଧରି କହିଲେ "ଝିଅ ହାରିବୁ ନାହିଁ। ତୋ କଲମ ଟାକୁ କେବେବି ଛାଡିବୁ ନାହିଁ"।
ମା ଗଲା ପରେ କାବେରୀ ପୁରା ଏକା ଘର ଭଡା ଦେବାକୁ ଟଙ୍କା ନାହିଁ। ଚାକିରୀ ପାଇଁ ୧୭ ଟା ଇଣ୍ଟରଭ୍ୟୁ ଦେଲା। ପ୍ରତି ଜାଗାରେ ସେଇ ଗୋଟେ ପ୍ରଶ୍ନ "ଘରେ କିଏ ଅଛି?" "ବାହା ହୋଇଛ କି?" "ରାତିରେ ଡ୍ୟୁଟି କରିପାରିବ?" ଆଉ ସେଇ ଚାହାଣୀ। ଯେଉଁ ଚାହାଣୀ ତା ସାର୍ଟିଫିକେଟ୍ ଦେଖେ ନାହିଁ, ତା ଶରୀର ଦେଖେ।
ଶେଷରେ ସେ ହାରିଗଲା, ନା ହାରିଲା ନାହିଁ, ସମାଜ ତାକୁ ହରେଇଦେଲା। ସେ ହୋଇଗଲା ନିଜ ଛାଇର ଛାଇ।ଦିନକୁ ୩ ଟା ଘରେ କାମ। ବାସନ ମାଜିବା, ଝାଡୁ ପୋଛା, ପିଲା ସମ୍ଭାଳିବା। ମାସକୁ ୬ ହଜାର ଗୋଟେ ଛୋଟ ଭଡା ଘର।
ଲୋକେ କୁହନ୍ତି "ଏତେ ସୁନ୍ଦର ଝିଅ, ପାଠ ପଢିଛି, ତଥାପି କାହିଁକି ଏ କାମ?" କାବେରୀ ମୁଣ୍ଡ ତଳକୁ ନ କରି ଜବାବ ଦିଏ ଖଟୁଛି ବୋଲି ତ ପେଟ ପୋଷୁଛି । କାହିଁକି ନାଁ ଆଜିର ସମାଜରେ ଯୋଗ୍ୟତା ଠାରୁ ସୁନ୍ଦରତା ବଡ ହୋଇଗଲା?
ସମସ୍ତ ଙ୍କ ଘରେ କାମସାରି ରାତି ୭ ଟା ପରେ ସେ ନିଜ ଘରକୁ ଫେରେ ଗୋଟେ ରୁମ୍। ଗୋଟେ ଚଟେଇ। ଲେଖା ପାଇଁ ଗୋଟେ ପୁରୁଣା ଡାଏରୀ। ଆଉ ଝରକା ପାଖରେ ଗୋଟେ ମାଟି ଦୀପ।
ସେ ଝରକା ଖୋଲେ। ବାହାରେ ସହରର ଆଲୁଅ। ଆଉ ସେ ଲେଖେ। ଥକି ଯାଇଥିବା ହାତରେ କଲମ ଧରେ।ସେଦିନ କଲଲମ ଧରୁ ଧରୁ ଉତୁରି ଆସିଲା କବିତା ଟିଏ …
ସବୁ ଦ୍ୱାର ବନ୍ଦ ହେବା ପରେ ବି
କେମିତି କେମିତି ଜାଣି
ସେ ଆସେ...
ଭାଙ୍ଗିଥିବା କାନ୍ଥର ଫାଟରୁ
କଅଁଳ ଲତା ପରି ବାହାରି
ଜୀବନର ଶେଷ ଆଶା ଟିକେ ଛୁଏଁ...
ବୈଶାଖର ଖରାରେ ଫାଟିଥିବା ମାଟି
ଶ୍ରାବଣର ପ୍ରଥମ ବୁନ୍ଦାରେ
ପୁଣି ଗନ୍ଧ ଛାଡେ...
ଯେମିତି ବହୁ ଦିନ ପରେ
କେହି ନିଜର କୁହା ହୋଇ ଫେରିଲା।
ତାଳବନରୁ ବତାସ ଆସି କହେ
"ଶୁଣ... ସବୁ ସରିନି ରେ"
ପତ୍ର ପତ୍ରରେ ବାଜେ ତା ପାଦର ଘୁଙ୍ଗୁର...
ଆଖି ଆଗରେ ଅନେକ ଥର
ସପ୍ନ ଭାଙ୍ଗେ, ବିଶ୍ୱାସ ଭାଙ୍ଗେ
କେବେ କେବେ ନିରବରେ
ମଣିଷ ବି ଭାଙ୍ଗେ...
ତଥାପି ସେ ଆସେ
ହାତରେ ଆର୍ଦ୍ରତାର ଦୀପ ଧରି
ଅନ୍ଧାର କୋଣେ କୋଣେ ଆଲୁଅ ବୋଳେ...
ପ୍ରତିକୂଳ ପବନ ସହ ଲଢି
ଆଣେ ନୂଆ ଋତୁର ବାର୍ତ୍ତା
ଓଠରେ ନାମ ନାହିଁ,
କିନ୍ତୁ ଆଖିରେ ସାତ ଜନମର ଚେତନା...
ସେ କାନ୍ଦେ ନାହିଁ, କେବଳ ବରଷେ
ଆଉ ତା ବର୍ଷାରେ ଭିଜେ
ମୋର ଶୁଖିଲା ଦିନର ସବୁ ଘା...
ହଁ... ସେ ଆଉ କେହି ନୁହେଁ
ସେ ହିଁ ମୋ ଶ୍ରାବଣୀ ଝିଅ
ମୋ ଛାଇର ଛାଇ ,
ଧୈର୍ଯ୍ୟର ରୂପ, ଆଶାର ଜୁଆର
ଯିଏ ଆସି କହେ -
"ଉଠ... ଆଉ ଥରେ ଆରମ୍ଭ କର" .........!!!
ଶୀତର ଓମ୍, ନା ମଣିଷ ମନ ?
“ମୁଁ ଆଜି ସାହେବଙ୍କ ଘରେ କାଚ ପୋଛୁଥିଲି। କାଚରେ ମୋ ଛାଇ ପଡିଲା। ସେ ଛାଇ ମୋତେ ପଚାରିଲା -ତୁ କିଏ? ମୁଁ କହିଲି ମୁଁ କାବେରୀ। ସେ ହସି କହିଲା ନା, ତୁ ସେଇ ଝିଅ”…
କେତେବେଳେ ପ୍ରକୃତି ଉପରେ ଲେଖେ। “ଆଜି ବର୍ଷା ହେଲା ସାହେବ ଘରେ ମୁଁ ଛାତ ସଫା କରୁଥିଲି। ବର୍ଷା ମୋ ଉପରେ ପଡୁଥିଲା। କେହି ଡାକିଲେ ନାହିଁ ଭିତରକୁ। କିନ୍ତୁ ସେ ବର୍ଷା ବୁଝିଲା ମୁଁ ଭିଜିଛି। ସେ ମୋ ସହ କଥା ହେଲା”।
କେତେବେଳେ ପ୍ରେମ ଉପରେ। “ମୁଁ ପ୍ରେମ କରିନାହିଁ କରିବାର ସମୟ ନାହିଁ। କିନ୍ତୁ ମୁଁ ପ୍ରେମକୁ ଦେଖିଛି। ଯେବେ ସାହେବଙ୍କ ଝିଅ ତା ବାପାଙ୍କୁ କୁଣ୍ଢେଇ ଧରେ। ସେଇ ଗୋଟେ ସେକେଣ୍ଡ ପାଇଁ ମୋ ଛାତି ଭିତରେ ଗୋଟେ ଘର ତିଆରି ହୋଇଯାଏ”,ମନ ଭିତରେ ମୋ ବୋଉକୁ ଜାବୁଡି ଧରେ ଆଉ ମୋ ବୋଉ କୁହେ ତୋ କଲମ ହି ତୋ ଛାଇର ଛାଇ ।
ଗୋଟେ ବର୍ଷ ଏମିତି ଚାଲିଲା। ଦିନେ କାମ, ରାତିରେ ଲେଖା। ତା ଡାଏରୀ ଭର୍ତ୍ତି ହୋଇଗଲା।
ସେଇ ବର୍ଷ ଶୀତଦିନ ଯେଉଁ ଘରେ ସେ କାମ କରେ ସେଇ ସାହେବଙ୍କ ଘରେ ପାର୍ଟି। ବଡ ଲୋକ କବି, ଲେଖକ, ସାମ୍ବାଦିକ ସବୁ ଆସିଥିଲେ। କାବେରୀ ଚା ସର୍ଭ କରୁଥିଲା। ଗୋଟେ କବି ଷ୍ଟେଜ୍ ଉପରେ କବିତା ପାଠ କଲେ। କବିତା ଶୁଣି କାବେରୀ ର ଆଖିରୁ ଲୁହ ଆସିଗଲା। ଅଜାଣତେ ତା ମୁହଁରୁ ବାହାରିଗଲା "ବାହା ବହୁତ ସୁନ୍ଦର"।
ସମସ୍ତେ ତା ଆଡକୁ ଚାହିଁଲେ। ସାହେବାଣୀ ରାଗି କହିଲେ "ତୁ ଏଠି କଣ କରୁଛୁ? ଯା ଭିତରକୁ"।
କାବେରୀ ମୁଣ୍ଡ ତଳକୁ କରି ଚାଲିଗଲା। କିନ୍ତୁ ସେଇ କବି ଜଣକ ତାକୁ ଅଟକେଇଲେ। "ରୁହ, ତୁ କବିତା ପଢୁ କି?" କାବେରୀ ଭୟରେ କହିଲା "ନା ସାର୍, ମୁଁ କାମବାଲି ଝିଅ"।
କବି ତା ଆଖିରେ ଆଖି ମିଶେଇ କହିଲେ "ଆଖି ମିଛ କହେ ନାହିଁ ଝିଅ"।
ପରଦିନ ସେ କବି ଜଣକ ପୁଣି ଆସିଲେ। ସିଧା ରୋଷେଇ ଘରକୁ। "ତୁ ଲେଖୁଛୁ କି?" କାବେରୀ ଡରି ଡାଏରୀ ଟା ଦେଲା। କବି ବସି ପଢିଲେ। ୨୦ ମିନିଟ୍ ପରେ ମୁଣ୍ଡ ଉଠେଇ କହିଲେ "ଏଇଟା ଛାପିବା ଦରକାର"।
କାବେରୀ ହସିଲା। ପ୍ରଥମ ଥର ପାଇଁ ତାକୁ କେହି କାମ ଝିଅ କହିନି "ଲେଖିକା" କହିଲେ।
୩ ମାସ ପରେ ଗୋଟେ ଛୋଟ ମ୍ୟାଗାଜିନ୍ ରେ ତା କବିତା ଛପିଲା। ନାଁ ଥିଲା "ଛାଇର ଛାଇ - କାବେରୀ"। ତଳେ ଲେଖା ହୋଇଥିଲା "ଜଣେ ଗୃହ କର୍ମୀଙ୍କ ଡାଏରୀରୁ"।
ସେଇଦିନ ପରେ ସବୁ ବଦଳିଗଲା। ଲୋକେ ତା ଘର ଖୋଜି ଆସିଲେ। "ତୁମେ ଲେଖୁଛ? ତୁମେ କାମ କରୁଛ?" କାବେରୀ କହିଲା "ହଁ। କାମ କରିବା ଲଜ୍ଜା ନୁହେଁ। ଲଜ୍ଜା ହେଲା ମୋ କଲମକୁ ଲୁଚେଇବା"।
ଆଉ ଗୋଟେ ବର୍ଷ ପରେ। ସହରର ସବୁଠୁ ବଡ ବହି ମେଳା। ଷ୍ଟେଜ୍ ଉପରେ କାବେରୀ। ହାତରେ ତାର ପ୍ରଥମ ବହି "ଛାଇର ଛାଇ"। ତଳେ ବସିଛନ୍ତି ସହରର ବଡ ଲୋକ।
ସେ ମାଇକ୍ ଧରି କହିଲା "ନମସ୍କାର। ମୋ ନାଁ କାବେରୀ। ଦୁଇ ବର୍ଷ ଆଗେ ମୁଁ ଆପଣଙ୍କ ଘରେ ବାସନ ମାଜୁଥିଲି। ଆଜି ମୁଁ ଆପଣଙ୍କୁ କବିତା ଶୁଣେଇବାକୁ ଆସିଛି। କାରଣ କିଛି ମଣିଷ ଥାଆନ୍ତି ଯେଉଁମାନେ ଅନ୍ୟର ଛାଇରେ ବଞ୍ଚିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ଯେବେ ସେମାନେ ନିଜ ଆଲୁଅ ଜାଳନ୍ତି, ସେଇ ଛାଇ ବି ଆଲୁଅ ହୋଇଯାଏ"।
ହଲ୍ ସାରା ତାଳି। ପଛ ସିଟ୍ ରେ ବସିଥିବା ସେଇ ସାହେବାଣୀ ମଧ୍ୟ ତାଳି ମାରୁଥିଲେ।
ରାତିରେ କାବେରୀ ଫେରି ନିଜ ଝରକା ପାଖରେ ବସିଲା। ହାତରେ ବହି। ପ୍ରଥମ ପୃଷ୍ଠାରେ ଲେଖା "ମା ଙ୍କ ପାଇଁ"।
ସେ ଆକାଶ ଆଡକୁ ଚାହିଁ କହିଲା "ମା, ଦେଖିଲ? ମୁଁ ଛାଇର ଛାଇ ରହିଲି ନାହିଁ ମୁଁ ଆଲୁଅ ହେଲି"। ମୋ କଲମ ହିଁ ମୋତେ ଆଲୁଅ ଆଡକୁ ବାଟ କଢେଇଲା ।
ବାହାରେ ପବନ ଥିଲା। ଆଉ ସେଇ ପବନ ସହ କାବେରୀ ର କବିତା ସାରା ସହରରେ ବୁଲୁଥିଲା।କାରଣ କିଛି ଝିଅ ଥାଆନ୍ତି, ଯେଉଁମାନଙ୍କୁ ସମାଜ ଛାଇ କରି ରଖିବାକୁ ଚାହେଁ। କିନ୍ତୁ ସେମାନେ ନିଜେ ହିଁ ଆଲୁଅ ହୋଇଯାଆନ୍ତି।
ମମତା ମଞ୍ଜରୀ ଦାସ , କଟକ ✍️
