STORYMIRROR

Mamatamanjari Das

Abstract Inspirational

5  

Mamatamanjari Das

Abstract Inspirational

ରାତ୍ରି ଉଡାଳୀ

ରାତ୍ରି ଉଡାଳୀ

3 mins
7

ରାୟଗଡ଼ାର ମାଟି ଏବେ ବି ଗରମ। ସେଇ ମାଟି, ଯେଉଁଠି ମା’ ମଝିଘରିଆଣି ଧୂପ ପାଆନ୍ତି, ସେଇଠି ଏବେ ଗୋଟିଏ ଝିଅର ଚିତ୍କାର ମାଟିରେ ମିଶିଯାଇଛି। 

ଆମେ କାନ୍ଦିଲୁ, ମହମବତି ଜଳାଇଲୁ। ପୋଷ୍ଟ କଲୁ ଭୁଲିଗଲୁ।କିନ୍ତୁ ଅଗ୍ନିକନ୍ୟା ଭୁଲେ ନାହିଁ। ସେ ପ୍ରଶ୍ନ ପଚାରେ ଦୁର୍ବଳ କିଏ?

ମହାଭାରତର ସଭାରେ ଦ୍ରୌପଦୀ ଚିତ୍କାର କଲା ବେଳେ ଭୀଷ୍ମ ଚୁପ୍ ଥିଲେ, ଦ୍ରୋଣ ଚୁପ୍ ଥିଲେ, ଧୃତରାଷ୍ଟ୍ର ଚୁପ୍ ଥିଲେ।  ଆଜି ବି ଯେତେବେଳେ ଆମେ କହୁ “ଏଇଟା ଆମ ଘର କଥା ନୁହେଁ”, ସେତେବେଳେ ଆମେ ସେଇ ସଭାର ସଦସ୍ୟ ହୋଇଯାଉ। 

ନୀରବତା କେବେ ନିରପେକ୍ଷ ନୁହେଁ। ନୀରବତା ହିଁ ଅଧର୍ମର ସହଯୋଗୀ। 

ଆଉ ସବୁଠୁ ଲଜ୍ୟାର କଥା ଏଇଟା ,ଘଟଣା ଘଟିବା ପରେ ଲୋକ ପ୍ରଥମେ ପଚାରନ୍ତି, “ସେ ରାତ୍ରିରେ ବାହାରେ ଥିଲା କାହିଁକି?”କଣ୍ ଝିଅମାନଙ୍କର ଅଧିକାର ନାହିଁ ରାତ୍ରି ଉଡାଳୀ ହେବାର?ପୁଅ ରାତି ୧୨ଟାରେ ବାହାରେ ବୁଲିଲେ ସେ ହୁଏ “ସ୍ୱାଧୀନ”, ଆଉ ଝିଅ ବୁଲିଲେ ସେ ହୁଏ “ଚରିତ୍ରହୀନ” ? 

ଏଇ ଦୁଇମୁହାଁ ନୀତି ହିଁ ତ ଅପରାଧକୁ ସାହସ ଦେଉଛି। 
ଅପରାଧୀକୁ ପଚାରିବା ବଦଳରେ ଆମେ ଶିକାରକୁ ପଚାରୁ। 
ପୋଷାକ ଦେଖୁ, ସମୟ ଦେଖୁ, ରାସ୍ତା ଦେଖୁ କିନ୍ତୁ ମନର କଳୁଷକୁ କେବେ ଦେଖୁନୁ। 

ଝିଅ କେବଳ ପୂଜାର ପାତ୍ର ନୁହେଁ, ସେ ମଣିଷ। ଯାହାର ସୁରକ୍ଷା ହେଉଛି ସମାଜର ପ୍ରଥମ ଧର୍ମ। ଯେଉଁ ସମାଜ ଝିଅର ଆଖିର ଲୁହ ପୋଛି ପାରେନି, ସେ ସମାଜ ବାଲି ଉପରେ ଠିଆ ହୋଇଛି।

ଶାସ୍ତ୍ର କହେ “ଯଥା ରାଜା ତଥା ପ୍ରଜା।” 
କିନ୍ତୁ ଯେଉଁ ରାଜ୍ୟରେ ଦଣ୍ଡ ଶୋଇଥାଏ, ସେଇ ରାଜ୍ୟରେ ଅଧର୍ମ ନାଚେ।  ହେ ଶାସକ!  ତୁମ ଫାଇଲ୍ ଯେତିକି ଭାରି, ଝିଅର ଅଶ୍ରୁ ତା’ଠୁ ଭାରି। ତୁମ ତାରିଖ ଯେତିକି ଦୂର, ନ୍ୟାୟ ତା’ଠୁ ଆହୁରି ଦୂର। 

Bharatiya Nyaya Sanhitaର ଧାରା 64, 70 କେବଳ କାଗଜର ଅକ୍ଷର ହୋଇ ରହିବା ଉଚିତ ନୁହେଁ। ସେ ହେବା ଉଚିତ ଅଗ୍ନି। ତଦନ୍ତ ମାନେ ମାସ ମାସ ନୁହେଁ। ବିଚାର ମାନେ ବର୍ଷ ବର୍ଷ ନୁହେଁ। ଦଣ୍ଡ ଏମିତି ହେଉ ଯେ ଅପରାଧ କରିବା ଆଗରୁ ହାତ ଥରିଯିବ। 

ନଚେତ୍ ତୁମ ସିଂହାସନ ତଳେ ମାଟି ଖସିଯିବ। କାରଣ ଜନତା ଭୋକ ସହେ, ବେକାରୀ ସହେ, କିନ୍ତୁ ନାରୀର ଅପମାନ ସହେ ନାହିଁ।

ହେ ପିତା! ହେ ମାତା! ତୁମେ ଝିଅକୁ କୁହ “ସନ୍ଧ୍ୟା ପୂର୍ବରୁ ଘରକୁ ଆସ।” କାହିଁକି ପୁଅକୁ କୁହ ନାହିଁ “ସନ୍ଧ୍ୟା ପରେ ମା’-ଭଉଣୀକୁ ସମ୍ମାନ ଦେ”? 

ତୁମେ ଝିଅକୁ ଶିଖାଉଛ “ଚୁପ୍ ରହ, ସହ୍ୟ କର।” 
ପୁଅକୁ ଶିଖାଅ “ହାତ ତୋଳନି, କଥା ତୋଳ।” 

ସୀତା ଅଗ୍ନିପରୀକ୍ଷା ଦେଲେ ରାମର ସମ୍ମାନ ପାଇଁ। 
ଆଜିର ଝିଅ ଅଗ୍ନିପରୀକ୍ଷା ଦେଉଛି ଆମ ଲଜ୍ୟା ପାଇଁ। 

ଝିଅକୁ ଦୁର୍ଗା ସପ୍ତଶତୀ ପଢ଼ାଅ, କିନ୍ତୁ ସାଙ୍ଗରେ କରାଟେ ବି ଶିଖାଅ। ତାକୁ ଲକ୍ଷ୍ମୀ କୁହ, କିନ୍ତୁ ତାକୁ ଚଣ୍ଡୀ ବନାଅ। କାରଣ ଯେଉଁ ଘରେ ଦେବୀ ଅସ୍ତ୍ର ଧରିବା ଜାଣେନି, ସେ ଘର ସୁରକ୍ଷିତ ନୁହେଁ।

ସତ କଥା ଏଇଟା  ନାରୀ ଦୁର୍ବଳ ନୁହେଁ। ଆମେ ତାକୁ ଦୁର୍ବଳ ବନାଇ ଦେଇଛୁ। ଯେ ନଅ ମାସ ଗର୍ଭର ଯନ୍ତ୍ରଣା ସହେ, ସେ ଦୁର୍ବଳ କେମିତି? ଯେ ପ୍ରସବର ପ୍ରଳୟ ପରେ ହସି ସନ୍ତାନକୁ କୋଳେଇ ନିଏ, ସେ ଦୁର୍ବଳ କେମିତି?  ଯେ ଘର ମେରୁଦଣ୍ଡ ହୋଇ ଠିଆ ହୁଏ, ସେ ଦୁର୍ବଳ କେମିତି? 

ଆମେ ତା’ ଡେଣା କାଟି ପଚାରୁ “ଉଡ଼ିପାରୁନୁ କାହିଁକି?” 
ଆମେ ତା’ କଣ୍ଠ ରୁଦ୍ଧ କରି ପଚାରୁ“ଚିତ୍କାର କରୁନୁ କାହିଁକି?” 

ଦ୍ରୌପଦୀ ଦୁର୍ବଳ ନଥିଲେ, ସେ ସଭା ଦୁର୍ବଳ ଥିଲା। 
ସୀତା ଦୁର୍ବଳ ନଥିଲେ, ସେ ସମାଜ ଦୁର୍ବଳ ଥିଲା। 

ଆଜିର ଝିଅ ଅଗ୍ନିକନ୍ୟା। ଯାହା ଛୁଇଁବ ସେଇଆ ଜଳିଯିବ।

ଏବେ ସମୟ ପରିବର୍ତ୍ତନର:
ସରକାର, ଆଇନକୁ ତରବାରି କର। 
ଆଇନ, ବିଚାରକୁ ବଜ୍ର କର। 
ଅଭିଭାବକ, ଚିନ୍ତାକୁ ବଦଳାଅ। 
ସମାଜ, ନୀରବତା ଭାଙ୍ଗ। 

ଯେତେବେଳେ ପ୍ରତି ପିତା ପୁଅକୁ ରାମ କରିବେ, ପ୍ରତି ମା’ ପୁଅକୁ କୃଷ୍ଣ କରିବେ, ସେତେବେଳେ ଆଉ କୌଣସି ଝିଅକୁ ଦ୍ରୌପଦୀ ହେବାକୁ ପଡ଼ିବନି। 

ଆଉ ନୁହେଁ। ଆଉ କେବେ ନୁହେଁ।ଏବେ ଝିଅ କାନ୍ଦୁନି। ଝିଅ ଜଳୁଛି। ଆଉ ଜଳୁଥିବା ଅଗ୍ନିକନ୍ୟା କାହାକୁ କ୍ଷମା କରେନି। 

ଯେତେବେଳେ ମାଟିର ଝିଅ ଲଜ୍ୟାର ଶିକାର ହୁଏ, କଲମ ଚୁପ୍ ରହିପାରେ ନାହିଁ। ରକ୍ତ ନୁହେଁ, ଶବ୍ଦ ହିଁ ଆମ ଅସ୍ତ୍ର । 

ଆଉ ଗୋଟିଏ ଝିଅ ନୁହେଁ। ଆଉ ଗୋଟିଏ ରାୟଗଡ଼ା ନୁହେଁ।ସରକାର ନିଦ ଭାଙ୍ଗନ୍ତୁ , ଆଇନ ଗର୍ଜୁ।ସମାଜ ସୁଧୁରୁ। 

ନଚେତ୍ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। 
କାରଣ ଇତିହାସ ନୀରବ ଦର୍ଶକଙ୍କୁ କ୍ଷମା କରେନି । 

ମମତା ମଞ୍ଜରୀ ଦାସ୍ କଟକ✍️



Rate this content
Log in

Similar oriya story from Abstract