STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

ମୋହ ମାୟାର ପାହାଚ

ମୋହ ମାୟାର ପାହାଚ

3 mins
1

ପୁରୀ ସହରରୁ ୧୦ କି.ମି. ଦୂରେ ଥିବା "କୁଶଭଦ୍ରା" ଗାଁ। ସେଇ ଗାଁର ମୁଖ୍ୟ ରାସ୍ତା କଡରେ ଥିଲା ଗୋଟେ ପୁରୁଣା ଦୋକାନ୍। ଦୋକାନ୍ ର ନାଁ ଥିଲା । ବୋର୍ଡ ରେ ଲେଖା "ମୋହମାୟା ଷ୍ଟୋର୍ସ"।

ଲୋକେ ହସି ହସି କହୁଥିଲେ, "ଆରେ ଏଇଟା କ’ଣ ଦୋକାନ୍ ନା ପାଗଳଖାନା? ଏଠି ଚାଉଳ ନାହିଁ, ଡାଲି ନାହିଁ, କେବଳ ମୋହ ବିକ୍ରି ହୁଏ କି?"ସେ ପୁଣି କେମିତି ?

ପିଲାମାନେ ଦୋକାନ୍ ଆଗରେ ଠିଆ ହୋଇ ଡାକୁଥିଲେ, "ବୁଢା,ମଉସା, ମୋତେ ୧ କିଲୋ ମୋହ ଓଜନ କରି ଦିଅ ତ!" ଆଉ କିଛି ଲୋକ କହୁଥିଲେ, "ନାରାୟଣ ପାଗଳ ହୋଇଗଲା। ବୋହୁ ପୁଅ , ସ୍ତ୍ରୀ ଯିବା ପରେ ମୁଣ୍ଡ ଖରାପ"।

ଦୋକାନ୍ ର ମାଲିକ ଥିଲେ ବୁଢା ନାରାୟଣ ମିଶ୍ର, ବୟସ ୭୦। ଧଳା ଦାଢି, ଆଖିରେ ମୋଟା ଚଷମା। ସେ କେବେବି ଜିନିଷ ବିକୁ ନଥିଲେ। ସେ ବିକୁଥିଲେ "ମୋହ"।

ତାଙ୍କ ଦୋକାନ ର ପ୍ରଥମ ଗ୍ରାହକ ସେହି ଗାଁ ର ଯୁବକ ରାଜୁ।ରାଜୁ ଗାଁର ସବୁଠୁ ମେଧାବୀ ପିଲା। ସରକାରୀ ଚାକିରି ପାଇବାକୁ ଚାହୁଁଥିଲା। ଦିନେ ବାବାଙ୍କୁ ପରୀକ୍ଷା କରିବା ପାଇଁ ସେ ଦୋକାନ୍ ଆସି କହିଲା, "ବାବା, ମୋତେ ସଫଳତା ଦିଅ।"

ନାରାୟଣ ମିଶ୍ର ଗୋଟେ ଛୋଟ ଡବା ଦେଲେ। ଭିତରେ କିଛି ନଥିଲା। କେବଳ ଗୋଟେ କାଗଜ ଡବାଟା ବଢେଇ ଦେଲେ ରାଜୁ ହାତକୁ ।କାଗଜରେ ଲେଖାଥିଲା "ତୁ ଯାହା ଚାହୁଁଛୁ ସେଇଟା ପାଇବୁ, କିନ୍ତୁ ତୋ ଶାନ୍ତି ଦେଇଦେ"ରାଜୁ ହସି କାଗଜ ଟା ଫାଡି ଦେଲା। "ଶାନ୍ତି ଦରକାର ନାହିଁ ଚାକିରି ଦରକାର ବାବା।"

୨ ବର୍ଷ ପରେ ରାଜୁ ବଡ ଅଫିସର୍ ହେଲା। ବଡ ଘର, ଗାଡି କିନ୍ତୁ ରାତିରେ ନିଦ ଆସୁନଥିଲା। ସେ ପୁଣି ଦୋକାନ୍ ଆସିଲା। "ବାବା, ମୋ ଶାନ୍ତି ଫେରାଇ ଦିଅ।" 

ବୁଢା ହସି କହିଲେ, "ପୁଅ , ମୋହମାୟାର ଦୋକାନ୍ ରେ ବିକ୍ରି ହୋଇଥିବା ଜିନିଷ ଫେରସ୍ତ ହୁଏ ନାହିଁ।କାରଣ ଥରେ ଯିଏ ମୋହ ମାୟା ର ପାହାଚ ରେ ପାଦ ଦିଏ ସେ କେବଳ ଉପରକୁ ଦେଖେ।"

ଦ୍ୱିତୀୟ ଗ୍ରାହକ - ଗୃହିଣୀ ସୁଲୋଚନା । ସୁଲୋଚନାଙ୍କ ସ୍ୱାମୀ ବିଦେଶରେ ଥିଲେ। ମାସକୁ ଲକ୍ଷେ ଟଙ୍କା ପଠାଉଥିଲେ। କିନ୍ତୁ ଘର ଖାଲି ଖାଲି ଲାଗୁଥିଲା। ସେ ଆସି କହିଲେ, "ମୋତେ ଭଲପାଇବା ଦିଅ ବାବା ।"

ନାରାୟଣ ମିଶ୍ର ତାଙ୍କୁ ଗୋଟେ ଦର୍ପଣ ଦେଲେ। "ଏଇଥିରେ ଯାହାକୁ ଖୋଜୁଛ ସେଇଟା ଦେଖିବ। କିନ୍ତୁ ମୂଲ୍ୟ ତୁମର ଅଭିମାନ।"

ସୁଲୋଚନା ଦର୍ପଣ ନେଇ ଘରକୁ ଗଲେ। ଦର୍ପଣରେ ତାଙ୍କୁ ସ୍ୱାମୀ ଦେଖାଗଲେ, ସାଙ୍ଗ ଦେଖାଗଲେ, ଆତ୍ମୀୟ ଦେଖାଗଲେ। କିନ୍ତୁ ସେ ନିଜକୁ ଭୁଲିଗଲେ।ଦର୍ପଣ ଭାଙ୍ଗିବା ଦିନ ସେ ବୁଝିଲେ  ଭଲପାଇବା ବାହାରେ ନୁହେଁ, ଭିତରେ ଥାଏ।

ତୃତୀୟ ଗ୍ରାହକ - ନିଜେ ନାରାୟଣ ମିଶ୍ର,ଗୋଟେ ଦିନ ରାତିରେ ବୁଢା ନିଜେ ନିଜ ଦୋକାନ୍ ରେ ବସି କାନ୍ଦୁଥିଲେ। ୪୦ ବର୍ଷ ତଳେ ତାଙ୍କ ପତ୍ନୀ ଆଉ ପୁଅ ବୋହୂ ଗୋଟେ ଦୁର୍ଘଟଣାରେ ଯାଇଥିଲେ। ସେଦିନ ଠାରୁ ସେ ଏଇ ଦୋକାନ୍ ଖୋଲିଥିଲେ।

ସେ ନିଜକୁ ପଚାରିଲେ, "ମୁଁ କାହାର ମୋହ ବିକୁଛି ?"

ସେଇ ରାତିରେ ତାଙ୍କୁ ସ୍ୱପ୍ନ ଆସିଲା। ଗୀତାର ଶ୍ଳୋକ ଶୁଣାଗଲା - 
"ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ। 
ଆଗମାପାୟିନୋନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ।"

ହେ କୌନ୍ତେୟ, ଇନ୍ଦ୍ରିୟ ଓ ବିଷୟର ସମ୍ପର୍କରୁ ହିଁ ଶୀତ-ଗ୍ରୀଷ୍ମ ଓ ସୁଖ-ଦୁଃଖ ଆସେ। ସେମାନେ ଅନିତ୍ୟ, ତେଣୁ ସହ୍ୟ କର।

ସକାଳେ ଉଠି ସେ ଦୋକାନ୍ ର ସାଇନ୍ ବୋର୍ଡ ବଦଳେଇଦେଲେ। ଏବେ ନାଁ ହେଲା "ମୁକ୍ତି ଷ୍ଟୋର୍ସ"।

ସେ ଆଉ କିଛି ବିକୁ ନଥିଲେ। କେବଳ ଲୋକଙ୍କୁ ବସାଇ ଚା ପିଆଉଥିଲେ ଆଉ କହୁଥିଲେ, "ପୁଅ, ଯାହା ପାଇବାକୁ ଚାହୁଁଛ ସେଇଟା ଛାଡିଦିଅ ଯାହା ଅଛି ତାକୁ ଆଦର କର।"

ଆଉ ଗୋଟେ ବର୍ଷ ପରେ ରାଜୁ ଚାକିରି ଛାଡି ଗାଁକୁ ଫେରିଲା। ସେ ଗାଁର ସ୍କୁଲ୍ ଟିଚର୍ ହେଲା। ସୁଲୋଚନା ବିଧବା ମହିଳାଙ୍କ ପାଇଁ ସିଲେଇ ସେଣ୍ଟର୍ ଖୋଲିଲେ।

ଦୁହେଁ ଦୋକାନ୍ ଆଗରେ ବସି ବୁଢାଙ୍କୁ ପଚାରିଲେ, "ବାବା, ମୋହମାୟା କ’ଣ ସତରେ ଖରାପ?"

ବୁଢା ଆକାଶ ଆଡକୁ ଦେଖି କହିଲେ, "ନା ପିଲାମାନେ। ମୋହମାୟା ହେଲା ପରୀକ୍ଷା ଖାତା। ତୁମେ ଯେତେବେଳେ ତାର ଉତ୍ତର ଲେଖିବାକୁ ଛାଡି ଖାତାକୁ ହିଁ ଭାବିବା ଆରମ୍ଭ କରିବ, ସେତେବେଳେ ସେ ଜାଲ୍ ହୋଇଯିବ। ଆଉ ଯେତେବେଳେ ଉତ୍ତର ଲେଖି ଖାତା ବନ୍ଦ କରିଦେବ, ସେତେବେଳେ ସେ ହିଁ ତୁମର ଗୁରୁ ହୋଇଯିବ।"

ମୋହମାୟା ଖରାପ ନୁହେଁ ପିଲାମାନେ। ସେ ହେଲା ପରୀକ୍ଷା।ସେ ଆମକୁ ଶିଖାଏ - କ’ଣ ସ୍ଥାୟୀ, ଆଉ କ’ଣ ଅସ୍ଥାୟୀ। ଯେତେଦିନ ଆମେ ଛାୟାକୁ ସତ ଭାବି ଦୌଡିବା, ସେତେଦିନ ଥକିବା। ଆଉ ଯେଦିନ ବୁଝିବା ଛାୟା କେବଳ ଆଲୁଅର ଖେଳ, ସେଦିନ ଆମେ ମୁକ୍ତ।

ତେଣୁ ଜୀବନ ଜିଅ ସମ୍ପର୍କ ରଖ, ସ୍ୱପ୍ନ ଦେଖ କିନ୍ତୁ ମନେ ରଖ ତୁମେ ଏଇ ଦୁନିଆର ଅତିଥି। ଆଉ ଅତିଥି ସୁନ୍ଦର ଘରକୁ ଭଲ ପାଏ, କିନ୍ତୁ ଘରକୁ ନିଜ ଘର ଭାବି ବସିପଡେ ନାହିଁ।

କାରଣ ଶେଷରେ ଗୋଟେ ଦିନ ମା ମୋହମାୟା ନିଜେ ଆସି କହିବେ, "ତୁମର, ଏବେ ଘରକୁ ଫେରିବା ବେଳ ହୋଇଛି"।

ସେଦିନ ଯଦି ଆମେ ହସି ହସି ଯାଇ ପାରିବା, ତେବେ ବୁଝିବା ଆମେ ଜୀବନର ପରୀକ୍ଷାରେ ପାସ୍ କଲୁ ।

ଗୀତା କହେ  …
"ଯୁକ୍ତାଃ ସ୍ୱଧର୍ମେଣ ନିବଦ୍ଧାଃ" 
ଅର୍ଥାତ ନିଜ କର୍ତ୍ତବ୍ୟରେ ଯୁକ୍ତ ହୁଅ, କିନ୍ତୁ ଫଳରେ ବନ୍ଧା ହୁଅ ନାହିଁ।

ଆଜି ବି କୁଶଭଦ୍ରା ଗାଁର ଲୋକେ ସେଇ ଦୋକାନ୍ ଆଗରେ ବସନ୍ତି। କିଛି କିଣିବାକୁ ନୁହେଁ। କେବଳ ଏଇଟା ମନେ ପକେଇବାକୁ "ମୁଁ ଏଇ ଦୁନିଆର ଅତିଥି।ଆଉ ଅତିଥି ସୁନ୍ଦର ଘରକୁ ଭଲ ପାଏ, କିନ୍ତୁ ସେଠି ରହିଯାଏ ନାହିଁ"।

ମମତା ମଞ୍ଜରୀ ଦାସ ,କଟକ✍️



Rate this content
Log in

Similar oriya story from Inspirational