ଟିକି ଟିକି ଫୁଲ ଆଉ ଟିକି ଟିକି ଆଶା
ଟିକି ଟିକି ଫୁଲ ଆଉ ଟିକି ଟିକି ଆଶା
କଟକ ସହରର ବସ୍ତି କଡ଼ର ସେଇ ଗଳିଟା ସବୁବେଳେ ଅନ୍ଧାର ହୋଇ ରହେ।କାଠଯୋଡ଼ି ପଠାରେ ଏଇ ବର୍ଷେ ହେବ ସେହି ନୂଆ ବସ୍ତିଟି ଛିଡା ହୋଇଛି । ଗଳିର ଦୁଇ ପାଖରେ ଟିଣ ପଡ଼ିଥିବା ଘର, ଭଙ୍ଗା ରାସ୍ତା, ଆଉ ପିଲାଙ୍କ ଖାଲି ପାଦର ଚାଲିବା ଶବ୍ଦ। ସେଇଠି ରହେ ମାଳତୀ, ବୟସ ମାତ୍ର ନ’ବର୍ଷ, ହେଲେ ଆଖିରେ ଥାଏ ଗୋଟେ ବଡ଼ ଲୋକ ପରି ଧୈର୍ଯ୍ୟ ଆଉ କିଛି କରି ଦେଖେଇବାର ଟିକି ଟିକି ଆଶା ।
ମା’ ପୁଷ୍ପା ଲୋକଙ୍କ ଘରେ ବାସନ ମାଜେ, ବାପା ରାମୁ ରିକ୍ସା ଚଳେଇଯାହା ପଇସା ହୁଏ ଦୁଇ ଜଣଙ୍କ ରୋଜଗାର ମିଶିଲେ ବି ପେଟ ପୁରା ଭରେ ନାହିଁ। ହେଲେ ମାଳତୀ କେବେ କହେ ନାହିଁ, “ମୋତେ ନୂଆ ଫ୍ରକ୍ ଦିଅ କି ନୂଆ ଚପଲ ଦିଅ।” ସେ ଜାଣେ, ଘରେ ଚାଉଳ ଥିଲେ ହିଁ ଭଲ।
ସେଇ ବସ୍ତି ପାଖ ସ୍କୁଲ୍ ରେ ମାଳତୀ ପଢ଼େ ତୃତୀୟ ଶ୍ରେଣୀରେ। ସ୍କୁଲ୍ ମାଗଣା, ହେଲେ ଖାତା-ପେନ୍ କିଣିବାକୁ ବି ଟଙ୍କା ଲୋଡ଼ା। ସେଥିପାଇଁ ସେ ପୁରୁଣା ଖାତାର ଖାଲି ପୃଷ୍ଠା ଫାଡ଼ି ସେଥିରେ ଲେଖେ। ଶିକ୍ଷୟିତ୍ରୀ ସରସ୍ୱତୀ ମ୍ୟାଡାମ୍ ଦେଖନ୍ତି, ମାଳତୀ ଯେବେ ପଢ଼େ, ଯେମିତି ସବୁ ଭୁଲି ଯାଏ। ଯେମିତି ସେଇ ଅକ୍ଷର ଭିତରେ ତା’ ପାଇଁ ଗୋଟେ ଆଲୁଅ ଅଛି। ସବୁବେଳେ ସେ ପାଠରେ ଆଗୁଆ ।
ଗୋଟେ ଦିନ ସ୍କୁଲ୍ ରେ ଚିତ୍ର ପ୍ରତିଯୋଗିତା ହେଲା। ବିଷୟ ଥିଲା “ମୋ ଆଶା”। ସମସ୍ତେ ରଙ୍ଗିନ କ୍ରେୟନ୍ ଆଣିଲେ, ହେଲେ ମାଳତୀ ପାଖରେ ପଇସା କାହିଁ ଯେ ସେ କ୍ରେୟନ ଆଣିବ ? ମାଳତୀ ଆଣିଲା କେବଳ ଗୋଟେ ଧୂସର ପେନ୍ସିଲ୍। ସାଙ୍ଗମାନେ ହସିଲେ, “ଏଥିରେ କ’ଣ ଆଶା ଆଙ୍କିବୁ ରେ?”ହଁ ନିରାଶା ନିଶ୍ଚୟଁ ପାଇବୁ ।
ମାଳତୀ କାହାକୁ କିଛି କହିଲା ନାହିଁ। ସେ ଆଣିଥିବା ପେନସିଲ୍ ରେ ଧୀରେ ଧୀରେ ଆଙ୍କିଲା ଗୋଟେ ଛୋଟ ଗଛ। ଗଛ ତଳେ ଟିକି ଟିକି ଫୁଲ। ଆଉ ଗଛ ଉପରେ ଗୋଟେ ପିଲା ବସି ଆକାଶ ଆଡ଼କୁ ଚାହିଁଛି। ଚିତ୍ର ତଳେ ଲେଖିଲା, “ଟିକି ଟିକି ଫୁଲ ଟିକି ଟିକି ଆଶା। ମୁଁ ବି ଏବେ ଟିକି ଅଛି କିନ୍ତୁ ମୋର ଆଶା ବହୁତ ଆଗକୁ । ମୁଁ ବଡ଼ ହୋଇ ଶିକ୍ଷୟିତ୍ରୀ ହେବି। ମୋ ଭଳି ଗରୀବ ପିଲାଙ୍କୁ ପଢ଼େଇବି।”
ପ୍ରତିଯୋଗିତା ଫଳ ବାହାରିଲା। ମାଳତୀ ପ୍ରଥମ ହେଲା। ମ୍ୟାଡାମ୍ ତା’ ଚିତ୍ର ଦେଖେଇ କହିଲେ, ଦେଖ, ରଙ୍ଗ ନ ଥାଇ ବି ଏଥିରେ ଆଲୁଅ ଅଛି। କାରଣ ଏଥିରେ ସତ ଅଛି ପରିଶ୍ରମ ଅଛି ଆଉ ବିଶେଷ କରି ତା ମନରେ ଟିକି ଟିକି ଆଶା ଅଛି।
ସେଦିନ ଘରକୁ ଫେରି ମାଳତୀ ମା’କୁ କହିଲା, ମା’, ମୁଁ ପ୍ରଥମ ହୋଇଛି। ମ୍ୟାଡାମ୍ କହିଲେ ମୋ ଆଶା ସୁନ୍ଦର।”
ପୁଷ୍ପା ’ ମାଳତୀକୁ ଛାତିରେ ଲଗେଇ କହିଲା, ହଁ ମା’, ତୋ ଆଶା ହିଁ ଆମ ଘରର ଆଲୁଅ। ତୁ ପଢ଼ିବୁ ମୁଁ ଲୋକଙ୍କ ଘରେ ଆହୁରି ଦୁଇଟା ବାସନ ମାଜିବି।
ହେଲେ ଜୀବନ ସବୁବେଳେ ସହଜ ହୁଏ ନାହିଁ। ଗୋଟେ ମାସ ପରେ ରାମୁ ରିକ୍ସାରୁ ପଡ଼ି ଗୋଡ଼ ଭାଙ୍ଗିଲା। ରୋଜଗାର ବନ୍ଦ ଘରେ ଚାଉଳ ସରିଲା, ଔଷଧ ପାଇଁ ଟଙ୍କା ନାହିଁ। ମାଳତୀ ସ୍କୁଲ୍ ଯିବା ବନ୍ଦ କରିଦେଲା। ସେ କହିଲା, ମା’, ମୁଁ ଲୋକଙ୍କ ଘରେ କାମ କରିବି, ତୁମେ ବାପାଙ୍କୁ ଦେଖ।
ସରସ୍ୱତୀ ମ୍ୟାଡାମ୍ ଖବର ପାଇ ସିଧା ମାଳତୀ ଘରେ ଆସି ପହଞ୍ଚିଗଲେ। ଘର ଦେଖି ତାଙ୍କ ଆଖି ଭିଜି ଆସିଲା। ସେ ପୁଷ୍ପା ମା’କୁ କହିଲେ, ଏ ପିଲା ପଢ଼ିବ। ମୁଁ ଅଛି ଯେତେବେଳେ, ସେ ବନ୍ଦ ହେବ ନାହିଁ।ସେ ପାଠ ପଢିବ ଆଉ ଆଗକୁ ବଢିବ ।
ମ୍ୟାଡାମ୍ ନିଜ ପଇସାରେ ରାମୁ ପାଇଁ ଔଷଧ ଆଣିଲେ, ଆଉ ସ୍କୁଲ୍ ର ଫଣ୍ଡ୍ ରୁ ମାଳତୀ ପାଇଁ ଖାତା-ବହି ବ୍ୟବସ୍ଥା କଲେ। ସେ କହିଲେ, ଏଇ ବସ୍ତିରେ ଶହ ଶହ ମାଳତୀ ଅଛନ୍ତି। ଯଦି ଆମେ ଗୋଟେ ପିଲାକୁ ବି ଛାଡ଼ିଦେବା, ତେବେ ଆମ ସମାଜ ଅଧା ହୋଇଯିବ।
ମାଳତୀ ପୁଣି ସ୍କୁଲ୍ ଗଲା। ଏଥର ତା’ ବ୍ୟାଗ୍ ରେ କେବଳ ଖାତା ନଥିଲା, ଥିଲା ବିଶ୍ୱାସ। ସେ ପଢ଼ିଲା, ଅନ୍ୟ ପିଲାଙ୍କୁ ବି ପଢ଼େଇଲା। ଛୁଟି ଦିନରେ ବସ୍ତି ପିଲାଙ୍କୁ ଗୋଟି ଗୋଟି କରି ଗଛ ତଳେ ବସାଇ ଅ-ଆ-କ-ଖ ଶିଖେଇଲା। ପିଲାମାନେ ତା’କୁ “ଛୋଟ ମ୍ୟାଡାମ୍” ଡାକିଲେ।
ତିନି ବର୍ଷ ପରେ…
ମାଳତୀ ଦଶମ ଶ୍ରେଣୀରେ ଜିଲ୍ଲାରେ ପ୍ରଥମ ହେଲା। ସ୍କୁଲ୍ ପରିସରେ ପୁରସ୍କାର ଦେବା ବେଳେ ସେ ମାଇକ୍ ଧରି କହିଲା, ମୁଁ ଗରିବ ଘର ଝିଅ, ମୋ ପାଖରେ ରଙ୍ଗ ନଥିଲା, ହେଲେ ଆଶା ଥିଲା। ସେଇ ଆଶା ମୋତେ ଏଠିକି ଆଣିଛି। ମୋ ପରି ପିଲାଙ୍କ ପାଇଁ କହିବି ହାରନ୍ତୁ ନାହିଁ। ଟିକି ଟିକି ଫୁଲ ବି ଥରେ ବଡ଼ ଗଛ ହୁଏ। ଯଦି ସରସ୍ୱତୀ ଗୁରୁମା ଭଳି କେହି ଆଶାର ବୀଜ ଟିକିଏ ବୁଣି ଦିଏ ।
ତଳେ ବସିଥିବା ପୁଷ୍ପା ’ ଆଉ ରାମୁ ଆଖିରେ ପାଣି ଥିଲା। ସରସ୍ୱତୀ ମ୍ୟାଡାମ୍ ମଞ୍ଚ ଉପରୁ ଦେଖୁଥିଲେ, ଆଉ ମନେ ମନେ କହୁଥିଲେ “ମୁଁ ଗୋଟେ ପିଲାକୁ ବଞ୍ଚେଇଲି ନାହିଁ, ମୁଁ ଗୋଟେ ଆଲୁଅ ଜାଳିଲି।”
ଆଜି ବସ୍ତି ଗଳିଟା ଆଉ ଅନ୍ଧାର ନାହିଁ। ସେଠି ଗୋଟେ ଛୋଟ ପାଠଶାଳା ଖୋଲିଛି। ନାଁ “ଟିକି ଟିକି ଆଶା ପାଠଶାଳା”। ମାଳତୀ ସେଠି ଶିକ୍ଷୟିତ୍ରୀ। ସେ ପ୍ରତିଦିନ ପିଲାଙ୍କୁ କହେ, ଦେଖ, ମୋ ପାଖରେ ବି କିଛି ନଥିଲା। କେବଳ ଗୋଟେ ପେନ୍ସିଲ୍ ଥିଲା। ହେଲେ ସେଇ ପେନ୍ସିଲ୍ ରେ ମୁଁ ମୋ ଭାଗ୍ୟ ଲେଖିଲି। ତୁମେ ବି ଲେଖିପାରିବ।
ପିଲାମାନେ ହସନ୍ତି, ଆଉ ଧୀରେ ଧୀରେ ଅକ୍ଷର ଗଢ଼ନ୍ତି।
ଟିକି ଟିକି ଫୁଲ ଆମେ
ମୂଲ ଆମ ଅନେକ
ଆମେ ଦିନେ ବଡ ହୋଇ
ବାସନାରେ ଭରିଦେବା ଭୂଲୋକ……
ଟିକି ଟିକି ଫୁଲ ଆମେ
ଟିକି ଟିକି ଆଶା
ସ୍ୱପ୍ନ ଦେଖିବା ଆମେ
ହୃଦେ ଭରି ନିଶା…
କାହିଁକି ନାଁ ଟିକି ଟିକି ଆଶା ବଡ଼ ସ୍ୱପ୍ନ ହୁଏ ।
ଆଉ ଯେବେ ସ୍ୱପ୍ନ ବଡ଼ ହୁଏ, ସମାଜ ବଦଳେ।
କାରଣ ପରିବର୍ତ୍ତନ କେବେ ବଡ଼ ଆନ୍ଦୋଳନରୁ ଆସେ ନାହିଁ।ପରିବର୍ତ୍ତନ ଆସେ ଗୋଟେ ପିଲା,ଗୋଟେ ଶିକ୍ଷୟିତ୍ରୀ, ଆଉ ଗୋଟେ ଛୋଟ ଆଶାରୁ ।
ମମତା ମଞ୍ଜରୀ ଦାସ,କଟକ ✍️
