STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

ବାପାଙ୍କ ଡାଏରୀ

ବାପାଙ୍କ ଡାଏରୀ

4 mins
1

୧୨ ମାର୍ଚ୍ଚ ୨୦୨୫ ,ଆଜି ମୁଁ ଶ୍ୟାମ ବାବୁ। 
ବୟସ ୪୨।  ପେଷା, କଟକ ସିଟି ବସ୍ ଡିପୋରେ କ୍ଲର୍କ। ମାସକୁ ୪୦୮୦ ଟଙ୍କା ଦରମା। 

ଘରେ ମୁଁ, ମୋ ସ୍ତ୍ରୀ ସୁଜାତା, ଝିଅ ସ୍ୱାତୀ, ଆଉ ପୁଅ ରାହୁଲ। ରାହୁଲ ଦଶମ ଶ୍ରେଣୀରେ ପଢେ। ମୁଁ ଚାହେଁ ସେ ଇଞ୍ଜିନିୟର ହେଉ। ଆଜି ସେ ମୋତେ କହିଲା, “ବାପା, ମୋ ସାଙ୍ଗମାନେ ସାଇକେଲ୍ ନେଇ ସ୍କୁଲ୍ ଆସନ୍ତି। ମୋତେ ବି ଗୋଟେ ସାଇକେଲ୍ କିଣି ଦିଅ।” 

ମୁଁ ହିସାବ କଲି ,ସାଇକେଲ୍ ୧୦୦୦ ଟଙ୍କା।  ଏ ମାସ ଘର ଭଡ଼ା ୭୦୦, ଚାଉଳ ଡାଲି ୬୦, ସ୍ୱାତୀର ସ୍କୁଲ୍ ଫିସ୍ ୩୦, ମା’ର ଔଷଧ ୫୦ ସବୁ ଯାଇ ହାତରେ ରହେ ୨୦ ଟଙ୍କା।  ମୁଁ କହିଲି, “ପୁଅ, ଏ ମାସଟା ଚଳେଇ ନିଅ। ପର ମାସ ଦେଖିବା।” 

ସେ ରାଗିଗଲା,“ତୁମେ ସବୁବେଳେ ଏମିତି କହୁଛ। ତୁମେ ଖାଲି କଞ୍ଜୁସ୍। ତୁମକୁ ମୋ ଇଚ୍ଛାର କିଛି ମୂଲ୍ୟ ନାହିଁ।” 

ମୁଁ ଚୁପ୍ ରହିଲି,  କ’ଣ ବା ଆଉ କହିବି?  ଯେ ମୁଁ ଗତ ମାସରୁ ଦିନକୁ ଗୋଟେ ବେଳା ଖାଉଛି, ଯାହା ଦ୍ୱାରା ତୁ ଟ୍ୟୁସନ୍ ଫିସ୍ ଦେଇପାରିବୁ? 

୫ ଜାନୁଆରୀ ୨୦୧୨ 
ଆଜି ରାହୁଲ ଯୁକ୍ତ ଦୁଇ ପାସ୍ କଲା। ୮୯%। 
ମୋ ଆଖିରେ ଲୁହ।  ହେଲେ ସେ କହିଲା, “ବାପା, ମୁଁ ଭୁବନେଶ୍ୱର ଯିବି ଇଞ୍ଜିନିୟରିଂ ପଢିବି ,ଫିସ୍ ୪୦ ହଜାର ବର୍ଷକୁ।” 

ମୋ ମୁଣ୍ଡ ଘୂରିଗଲା ୪୦ ହଜାର! ମୋ ବାର୍ଷିକ ଦରମା ବି ଏତେ ନୁହେଁ।  ମୁଁ ଗାଁକୁ ଗଲି ,ପୈତୃକ ଜମିର ଗୋଟେ ଖଣ୍ଡ ବିକି ଦେଲି। ଲୋକେ କହିଲେ, “ଶ୍ୟାମ ପାଗଳ ହୋଇଗଲା, ଆରେ ଜମି ବିକ୍ରି କରି  କିଏ ପୁଅକୁ ପଢାଉଛି ?” 

ମୁଁ କହିଲି, “ହଁ ପାଗଳ ହୋଇଛି। କାରଣ ମୋ ପୁଅ ଡାକ୍ତର-ଇଞ୍ଜିନିୟର ହେଲେ ମୋ ପାଗଳାମୀ ସାର୍ଥକ ହେବ।” 

ରାହୁଲ କହିଲା, “ବାପା, ତୁମେ କାହିଁକି ନିଜକୁ ଏତେ କଷ୍ଟ ଦେଉଛ?” ମୁଁ ହସି କହିଲି, “କାରଣ ମୁଁ ବାପା। ବାପାମାନେ କଷ୍ଟକୁ ବାଣ୍ଟି ଦିଅନ୍ତି, ସୁଖକୁ ଗୋଟେଇ ଦିଅନ୍ତି।” 

ସେ ବୁଝିଲାନି। କହିଲା, “ତୁମେ ସବୁବେଳେ ଏମିତି ଡ୍ରାମା କର।” 

୧୦ ଜୁଲାଇ ୨୦୧୮ 
ଆଜି ମୁଁ ଡାକ୍ତରଖାନାରେ। 
ଡାକ୍ତର କହିଲେ, “ହାର୍ଟ ବହୁତ ଦୁର୍ବଳ। ଆଉ ଅଧିକ ଦିନ ନୁହେଁ।” ମୁଁ ଜାଣିଥିଲି। ବର୍ଷ ବର୍ଷ ଧରି ଦିନକୁ ଗୋଟେ ବେଳା ଖାଇ, ରାତିରେ ନ ଶୋଇ ଡବଲ୍ ଡ୍ୟୁଟି କରିବାର ଫଳ। ମୁଁ ରାହୁଲକୁ ଡାକିଲି ,ସେ ଏବେ ବେଙ୍ଗାଲୁରୁରେ ଚାକିରି କରେ। ମାସକୁ ୮୦ ହଜାର ଦରମା। 

ମୁଁ କହିଲି, “ପୁଅ, ମୁଁ ହୁଏତ ଆଉ ରହିବିନି। ମୋ ଟେବୁଲ୍ ଡ୍ରଅରେ ଗୋଟେ ଡାଏରୀ ଅଛି। ମୁଁ ଗଲା ପରେ ପଢ଼ିବୁ।” 

ସେ କହିଲା, “ବାପା, ତୁମେ କ’ଣ କହୁଛ? ତୁମର କିଛି ହେବନି।”ହେଲେ ତା’ ଆଖିରେ ସେଦିନ ପ୍ରଥମ ଥର ପାଇଁ ଡର ଦେଖିଲି।

**************************************

ମୁଁ ରାହୁଲ ,ଆଜି ବାପାଙ୍କ କ୍ରିୟାକର୍ମ ସାରି ଘରକୁ ଫେରିଛି। ମା’ କହିଲା, “ତୋ ବାପା କହିଥିଲେ ତୋତେ ଡ୍ରଅର୍ ଦେଖିବାକୁ।”ମୁଁ ଖୋଲିଲି, ଭିତରେ ଗୋଟେ ପୁରୁଣା ଡାଏରୀ। ପ୍ରଥମ ପୃଷ୍ଠାରେ ଲେଖା— 
“ମୋ ପୁଅ ରାହୁଲ ପାଇଁ। ଯେବେ ତୁ ମୋତେ ବୁଝିବୁ, ସେତେବେଳେ ମୁଁ ନଥିବି।”  ମୁଁ ପଢ଼ିବା ଆରମ୍ଭ କଲି।

ଡାଏରୀରୁ କିଛି ପୃଷ୍ଠା
୧୨ ମାର୍ଚ୍ଚ ୨୦୫
“ଆଜି ରାହୁଲ ମୋତେ କଞ୍ଜୁସ୍ କହିଲା। 
ମୁଁ ଦୁଃଖ ପାଇନି।  କାରଣ ମୁଁ ଜାଣେ, ଯେବେ ତୁ ବଡ଼ ହେବୁ,ତୁ ବୁଝିବୁ ବାପାର କଞ୍ଜୁସ୍ ହେବା ପଛରେ  ପୁଅର ସ୍ୱପ୍ନ ଥାଏ।”

୨୦ ନଭେମ୍ବର ୨୦୧୦
“ଆଜି ମୁଁ ଜୋତା ବିନା ୩ କି.ମି. ଚାଲି ଅଫିସ୍ ଗଲି। 
କାରଣ ତୋ ଫିସ୍ ପାଇଁ ୨୦ ଟଙ୍କା ବଞ୍ଚେଇବାକୁ ଥିଲା। 
ପାଦରେ ଫୋଟକା ପଡ଼ିଲା।  ହେଲେ ମୁଁ ହସୁଥିଲି। 
କାରଣ ମୁଁ ଜାଣିଥିଲି, ତୁ କ୍ଲାସରେ ପ୍ରଥମ ହେବୁ।”

୧୦ ଜୁଲାଇ ୨୦୧୮
“ରାହୁଲ, ମୁଁ ଯାଉଛି ,ମୋତେ ଦୁଃଖ ନାହିଁ। ମୋର ଗୋଟେ ହିଁ ଇଚ୍ଛା ଥିଲା ,ତୁ ମୋ ଠାରୁ ବଡ଼ ହେବୁ। 
ଆଜି ତୁ ହୋଇଛୁ।ତେଣୁ ମୁଁ ଜିତିଗଲି। 

ଯଦି କେବେ ମୋ ଉପରେ ରାଗ ଆସେ,ତେବେ ମୋ ପୁରୁଣା ଚପଲ୍ ଟା ଦେଖିବୁ।  ସେଇଟା ମୋ ଭଲପାଇବାର ପ୍ରମାଣ।

ରାହୁଲ ଡାଏରୀ ବନ୍ଦ କଲା।  ହାତରେ ବାପାଙ୍କ ପୁରୁଣା ଚପଲ୍।ଫେଭିକଲ୍ ଲାଗିଥିବା, ସୋଲ୍ ଖସିଯାଇଥିବା। ତାର ଛାତି ଫାଟି ଯିବା ଭଳି ଲାଗିଲା।  ସେ କଞ୍ଜୁସ୍ କହିଥିଲି ସେଇ ଲୋକକୁ, ଯିଏ ନିଜ ପାଇଁ ଗୋଟେ ନୂଆ ଜାମା କିଣିନଥିଲା, ଯାହା ଦ୍ୱାରା ମୁଁ ସୁଟ୍ ବୁଟ୍ ପିନ୍ଧିପାରିବି। ମୁଁ ରାଗିଥିଲି ସେଇ ଲୋକ ଉପରେ, ଯିଏ ନିଜ ଭୋକକୁ ମାରି ମୋ ଭୋକ ମେଣ୍ଟେଇଥିଲା। 

ଆଜି ମୁଁ ବୁଝିଲି— 
ବାପାମାନେ କେବେ ନିଜ ପାଇଁ ବଞ୍ଚନ୍ତିନି। 
ସେ ବଞ୍ଚନ୍ତି ତୁମ ଭବିଷ୍ୟତରେ। 
ରାହୁଲ ଚିତ୍କାର କରି କାନ୍ଦିଲା,“ବାପା! ମୁଁ ଭୁଲ୍ ଥିଲି! ଫେରି ଆସ!”ହେଲେ ଉତ୍ତର ଦେବାକୁ କେହି ନଥିଲା।ସେହି ଦିନ ରାହୁଲ ପ୍ରମିଶ୍ କଲା ସେ ତା ପୁଅକୁ ତା ପରି ହେବାକୁ ଦେବନାହିଁ ।

**************************************

୧୫ ସେପ୍ଟେମ୍ବର ୨୦୨୫ ,ଆଜି ମୋ ପୁଅ ଅର୍ଣ୍ଣବର ୧୦ମ ଜନ୍ମଦିନ।  ସେ ମୋତେ କହିଲା, “ବାପା, ମୋ ସାଙ୍ଗ ପାଖରେ iPhone ଅଛି। ମୋତେ ବି କିଣି ଦିଅ।” 

ମୋ ହାତ ଥମିଗଲା।  ସେଇ ଗୋଟେ ଲାଇନ୍… ୨୦ ବର୍ଷ ପୁରୁଣା ମୋ କଥା ମନେ ପକାଇ ଦେଲା।  ମୁଁ କହିଥିଲି “ବାପା, ତୁମେ କଞ୍ଜୁସ୍।”ମୁଁ ହସିଲି ମନେ ମନେ ,ହେଲେ ଆଖି ଓଦା ହୋଇଗଲା।  ମୁଁ ଅର୍ଣ୍ଣବକୁ କହିଲି, “ଆସ, ମୋ ସହ ଆସ।”

ମୁଁ ତା’କୁ ମୋ ରୁମ୍‌କୁ ନେଇଗଲି। କାନ୍ଥରେ ଟଙ୍ଗା ହୋଇଥିବା ବାପାଙ୍କ ପୁରୁଣା ଚପଲ୍ ଟା ଦେଖେଇଲି।  କହିଲି, “ଏଇଟା ଦେଖୁଛୁ? ଏଇଟା ପାଇଁ ତୁ ଆଜି ଏଇ ଘରେ ଜନ୍ମଦିନ ପାଳୁଛୁ।”

ମୁଁ ତା’କୁ ବାପଙ୍କ ଡାଏରୀର କିଛି ପୃଷ୍ଠା ପଢ଼ି ଶୁଣେଇଲି।  ସେ ଚୁପ୍ ହୋଇ ଶୁଣୁଥିଲା।  ଶେଷରେ କହିଲା, “ବାପା, ମୋତେ iPhone ଦରକାର ନାହିଁ ।ମୁଁ ତୁମ ଭଳି ବାପା ହେବି ।”

ସେଇଦିନ ମୁଁ ବୁଝିଲି ,ବାପାଙ୍କ ମୃତ୍ୟୁ ହୁଏତ ହୋଇଥିଲା, 
ହେଲେ ତାଙ୍କ ଶିକ୍ଷା ମରିନଥିଲା।ସେ ମୋ ଭିତରେ ବଞ୍ଚିଛନ୍ତି।  ଆଉ ମୁଁ ମୋ ପୁଅ ଭିତରେ ତାଙ୍କୁ ବଞ୍ଚାଇ ରଖିବି। ମୁଁ ଜାଣେ,ମୋ ବାପା ଫେରିବେନି, ହେଲେ ମୁଁ ପ୍ରମିସ୍ କରୁଛି ମୁଁ କେବେ ବି ମୋ ପୁଅକୁ ମୋ ଭଳି ଅନୁତାପ କରିବାକୁ ଦେବିନି।ବାପାଙ୍କୁ ଜୀଇଁଥିବା ବେଳେ ବୁଝ।ମରିଗଲା ପରେ ଡାଏରୀ ପଢ଼ିଲେ ଲାଭ ନାହିଁ । 

ସମାପ୍ତ



Rate this content
Log in

Similar oriya story from Inspirational