ପାଞ୍ଚଟି ତାରାରେ ଗୋଟେ ଆକଶ
ପାଞ୍ଚଟି ତାରାରେ ଗୋଟେ ଆକଶ
କଟକ ଜିଲ୍ଲାର ଛୋଟ ଗାଁ ଟିଏ , ଯୋଉଠି କୁଳୁ କୁଳୁ ହୋଇ ବହି ଯାଉଛି ଦେବୀ ନଦୀ । ସେହି ଗାଁ ର ନାଁ ରାମ କୁମର ପୁର। ରାମ କୁମର ପୁର ଗାଁ ମୁଣ୍ଡ ରେ ଚାଳ ଘରଟିଏ ଯୋଉଠି ବାସ କରନ୍ତି ଜଗମୋହନ ଓ ସ୍ତ୍ରୀ କାମିନୀ । ସଂସାର କହିଲେ ପାଞ୍ଚ ଝିଅ , ଆଉ ଜଗମୋହନ ବ୍ଲକ ଅଫିସରେ ପିଅନ।
ଦୁଆର ଆଗରେ ଚୁଲି, ପଛରେ ଗୋଟେ ଅମୃତଭଣ୍ଡା ଗଛ। ଘର ଭିତରେ ଗୋଟେ ତେଲ ଟିଣ ଉପରେ ମାଟି ଦୀପ। ସେଇ ଦୀପ ଆଲୁଅରେ ସାତ ଜଣ ଲୋକଙ୍କ ଛାଇ,ବାପା ଜଗ ମୋହନ, ମା’କାମିନୀ, ,ଆଉ ପାଞ୍ଚ ଝିଅ—ମାଳତୀ, ଜୁଇ, ତୁଳସୀ, ଗୋଲାପ, ଚମ୍ପା।
ଜଗମୋହନ ବ୍ଲକ୍ ଅଫିସ୍ରେ ପିଅନ୍। ଦରମା ୫୦୦୦। ମାସ ଶେଷରେ ଚାଉଳ ଡବା ଖାଲି, ହେଲେ ଘରେ ହସ କେବେ ଖାଲି ନୁହେଁ। କାରଣ ଘରର ଛାତ ଥିଲେ ବି ଆକାଶ ଥିଲା ମା’ କାମନୀ
ଭୋର ୪ଟା — ହେଲା ବେଳକୁ ମା’ର ଦିନ ଆରମ୍ଭ ହୋଇଯାଏ ।ସେ ଉଠି ଛଡା ପାଣି ପକେଇ ଦୁଆର ଲିପନ୍ତି, ଚୁଲି ଜାଳନ୍ତି, ପାଞ୍ଚ ଝିଅଙ୍କ ପାଇଁ ପଖାଳ ଖାଇବା ପାଇଁ ଯାହା ଟିକିଏ ତିଆରି କରି ଦିଅନ୍ତି ଚୁଲି ଲଗେଇ , ତା’ପରେ ବାହାରି ଯାଆନ୍ତି ଲୋକଙ୍କ ଘରେ ବାସନ ମାଜିବାକୁ, କୁନି ପିଲାଙ୍କୁ ଟ୍ୟୁସନ୍ ପଢେଇବାକୁ, ଦଶହରା-ବାହାଘରରେ ମୁଢି ଭାଜିବାକୁ।
ସଞ୍ଜରେ ଘରକୁ ଫେରିଲେ ହାତରେ କିଛି ଟଙ୍କା, ବ୍ୟାଗ୍ରେ କାହା ଘର ପୁରୁଣା ବହି, ପୁରୁଣା ଫ୍ରକ୍। ସେ ବହିକୁ ଧୋଇ-ଖରାରେ ଶୁଖେଇ ପାଞ୍ଚ ଝିଅଙ୍କୁ ଭାଗ କରି ଦିଅନ୍ତି। ଫ୍ରକ୍କୁ ନିଜେ ଛିଣ୍ଡା ସିଲେଇ କରି ନୂଆ କରି ଦିଅନ୍ତି।
ବଡ ଝିଅ ମାଳତୀ ଥରେ କାନ୍ଦି ପକେଇଲା“ମା’, ସବୁବେଳେ ପୁରୁଣା କାହିଁକି? ମୋ ସାଙ୍ଗମାନେ ନୂଆ ଡ୍ରେସ୍ ପିନ୍ଧନ୍ତି!”
କାମିନୀ ତା’ ମୁଣ୍ଡ ଆଉଁସି ହସିଲେ “ମା’, ଡ୍ରେସ୍ ପୁରୁଣା ହେଲେ ବି ସ୍ୱପ୍ନ ନୂଆ ରଖିଥା। ମୁଁ ତୁମକୁ ନୂଆ କପଡା ଦେଇ ନ ପାରେ, ହେଲେ ନୂଆ ଜୀବନ ନିଶ୍ଚୟ ଦେବି। ତୁମେ ପାଞ୍ଚ ଜଣ ମୋର ପାଞ୍ଚଟା ଦୀପ। ମୁଁ ନିଜେ ଜଳି ଜଳି ବି ତୁମକୁ ଜଳେଇ ରଖିବି।” ଏମିତି କଟି ଯାଇଛି ଦଶ ବର୍ଷ ।
୧୦ ବର୍ଷ ପରେ — ୨୦୦୮
ମାଳତୀ—ସ୍କୁଲ୍ ଶିକ୍ଷୟିତ୍ରୀ।
ଜୁଇ—ଷ୍ଟାଫ୍ ନର୍ସ, SCB।
ତୁଳସୀ—ଓଡିଶା ପୋଲିସ୍ରେ କନ୍ଷ୍ଟେବଲ୍।
ଗୋଲାପ—ବ୍ୟାଙ୍କ୍ କ୍ଲର୍କ।
ଚମ୍ପା—କଲେଜ୍ରେ +3 ବିଜ୍ଞାନ, ପ୍ରଥମ।
ତଥାପି କାମିନୀ କେବେ ବସନ୍ତି ନାହିଁ କାମରେ ଲାଗି ଥାନ୍ତି ସେମିତି ଲୋକ କହନ୍ତି ଆଲୋ କାମିନୀ ,ଝିଅ ଗୁଡା ତ ତୋର କୂଳରେ ଲାଗି ଗଲେଣି ତୁ ଏଣିକି କାମ ନଲେ ହେବନାହିଁ ? ହସିଦିଏ କାମିନୀ ଆଉ କୁହେ ଛୋଟ ପିଲା ଗୁଡା, ଯାଉ କିଛିଦିନ ।
ଏହା ଭିତରେ ଝିଅ ମାନେ କିନ୍ତୁ ଟଙ୍କା ଏକାଠି କରି ମାଆର ଅଜଣାତରେ ଘର କିଣି ସାରିଥିଲେ ।ସେଦିନ ମାତୃତ୍ୱ ଦିବସ। ପାଞ୍ଚ ଝିଅ ଏକାଠି ହୋଇ ମା’ଙ୍କୁ ନୂଆ ଘରକୁ ନେଇଗଲେ ଯାହା ସେମାନେ ନିଜ ଦରମା ମିଶେଇ କିଣିଥିଲେ।
ଘର ଆଗରେ ନେମ୍ ପ୍ଲେଟ୍: “କାମିନୀ ଭବନ ପାଞ୍ଚ ତାରାର ଆକାଶ”।କାମିନୀ ଗେଟ୍ ଭିତରେ ପାଦ ଦେବା ଆଗରୁ ଅଟକି ଗଲେ। ଆଖିରୁ ଧାର ଧାର ଲୁହ। “ମୁଁ କ’ଣ ରାଜା ଘରେ ଜନ୍ମ ହେଲି କି ମା’? ଏତେ ବଡ଼ ଘର?”
ଜୁଇ ମା’ଙ୍କ ହାତ ଧରିଲା “ମା’, ତୁମେ ଆମକୁ ଚାଳ ଘରେ ରଖି ରାଣୀ କରିଛ। ଆଜି ଆମେ ତୁମକୁ ରାଣୀର ମହଲ ଦେଉଛୁ। କାରଣ ତୁମେ ଖାଲି ଆମକୁ ଜନ୍ମ ଦେଇନ, ତୁମେ ଆମକୁ ନୂଆ ଜନ୍ମ ଦେଇଛ।”
ବାପା ଜଗମୋହନ ଧୋତି କାନିରେ ଆଖି ପୋଛିଲେ ଆଉ କହିଲେ ବୁଝିଲ“କାମିନୀ, ମୁଁ ଖାଲି ସରକାରୀ ପିଅନ୍ ଥିଲି, ହେଲେ ତୁମେ ପୁରା ସରକାର। ତୁମ ବିନା ଏ ପାଞ୍ଚଟା ଫାଇଲ୍ କେବେ ପାସ୍ ହୋଇ ନ ଥାନ୍ତା।”
ସେଇ ରାତି ,ନୂଆ ଘରର ବାଲ୍କୋନି ।ପାଞ୍ଚ ଝିଅ ମା’ଙ୍କୁ ମଝିରେ ବସେଇଲେ। ସମସ୍ତଙ୍କ ହାତରେ ଗୋଟେ ଗୋଟେ ମହମବତୀ।
ତୁଳସୀ କହିଲା“ମା’, ତୁମେ ଥରେ କହିଥିଲ ‘ମୁଁ ଦୀପ, ତୁମେ ଆଲୋକ’। ଆଜି ଆମେ କହୁଛୁ‘ଆମେ ପାଞ୍ଚଟା ଦୀପ, ତୁମେ ଆମ ସୂର୍ଯ୍ୟ’।”
ଗୋଲାପ ମା’ଙ୍କ ପାଦ ଛୁଇଁଲା: “ମା’, ତୁମେ ଆମ ପାଇଁ ଭୋକିଲା ରହିଲ, ହେଲେ ଆମକୁ କେବେ ଭୋକ ଜଣାଇଲ ନାହିଁ। ଆଜିଠୁ ତୁମ ଥାଳି ପ୍ରଥମେ ବଢାହେବ।”
ଚମ୍ପା ସବୁଠୁ ସାନ, ମା’ଙ୍କ କୋଳରେ ମୁଣ୍ଡ ରଖିଲା: “ମା’, ମୁଁ ଡାକ୍ତର ହେବି। ପ୍ରଥମ ଦରମାରେ ତୁମକୁ ହସ୍ପିଟାଲ୍ରେ ଚେକ୍ଅପ୍ କରେଇବି,ଖାଲି ଦେଖିବାକୁ ଯେ ଯେଉଁ ଦେହ ଆମ ପାଇଁ ଖଟି ଖଟି କ୍ଷୟ ହୋଇଗଲା, ସେଇ ଦେହକୁ ମୁଁ କେତେ ଭଲ ରଖିପାରୁଛି।”
କାମିନୀ ଆଉ ସମ୍ଭାଳି ପାରିଲେନି। ସେ ପାଞ୍ଚ ଝିଅଙ୍କୁ ଏକାଠି କୁଣ୍ଢେଇ ପକେଇଲେ। ଆକାଶରେ ପୂର୍ଣିମା ଚାନ୍ଦ, ତଳେ ଛଅଟା ହୃଦୟ ଗୋଟେ ଆଲୋକରେ ବନ୍ଧା ସେ ହେଉଛି "ମାଆ '।
ସେ କାନ୍ଦି କାନ୍ଦି କହିଲେ: “ମୁଁ ତୁମକୁ ମଣିଷ କରିବାକୁ ଚାହୁଁଥିଲି ଝିଅ… ହେଲେ ତୁମେ ମୋତେ ଦେବୀ କରିଦେଲ। ଆଜି ମୁଁ ଧନୀ କାରଣ ମୋ ବ୍ୟାଙ୍କ୍ରେ ପାଞ୍ଚଟା ଝିଅର ପ୍ରେମ ଜମା ।”
କାମିନୀ କହିଲେ ,ବୁଝିଲ ପିଲାଏ ମା’ର ଋଣ ସୁଝା ହୁଏନି, ସେବା କରାଯାଏ ତୁମେ ପାଞ୍ଚ ଝିଅ ଝିଅ ମୋତେ ଘର ଦେଲେନି, ମୋ ତ୍ୟାଗକୁ ସମ୍ମାନ ଦେଲ। ଏଇଟା ହିଁ ପ୍ରକୃତ ‘ରିଟର୍ନ୍ ଗିଫ୍ଟ୍’, ଆଉ ଦୁନିଆର ପ୍ରତି ପିଲା ଯଦି ଏତିକି କରି ପାରନ୍ତେ କୌଣସି ବାପା ଭମାଆ ଆଉ ବୃଦ୍ଧା ଶ୍ରମରେ ଶେଷ ଜୀବନ ବିତାନ୍ତେ ନାହିଁ।
ପିଲାମାନେ ଏକା ସ୍ୱରରେ ଗାଇ ଉଠିଲେ ,
ମା’ ଗୋଟେ ଶବ୍ଦ ନୁହେଁ ,
ମା’ ହେଉଛି ଗୋଟେ ସମ୍ପୂର୍ଣ ବିଶ୍ୱବିଦ୍ୟାଳୟ
ଯେଉଁଠି ପାଠ ପଢାଯାଏ ନାହିଁ,
ଜୀବନ ଗଢାଯାଏ ।
ଆଉ ଯେଉଁ ଝିଅ ମା’ର ଲୁହକୁ ମୋତି କରିପାରେ,
ସେ ହିଁ ପ୍ରକୃତ ‘ମାତୃ ଦିବସ’ ପାଳନ କରେ ପ୍ରତିଦିନ। ❤️
