Mamatamanjari Das

Tragedy

4  

Mamatamanjari Das

Tragedy

ଅଭୁଲା ନଦୀର ଧାରେ ଜୀବନ

ଅଭୁଲା ନଦୀର ଧାରେ ଜୀବନ

4 mins
383


ମୁଁ ଅଧିକାଂଶ ସମୟରେ ସେଇଠି ବିଚରଣ କରେ । କାହାର ବନ୍ଧନରେ ଯେପରି ଆତ୍ମା ମୋର ବାନ୍ଧି ହୋଇ ଯାଇଛି ସେଠାରେ । ଏବେ ନୁହେଁ ଦୀର୍ଘ ଆଠବର୍ଷ ହେଲା ଖୋଲା ଆକାଶ ତଳର ଏହି ଛାତ ତଳେ ମୁଁ ଘୁରିବୁଲେ । ମନକୁ ମନ ଗପେ , ଖୁସିହୁଏ ଦୁଃଖ ରେ ଲୁହ ଦୁଇବୁନ୍ଦା ବି ଗଡି ପଡେ କେବେ କେବେ ନିଜ ଅଜଣାତରେ । ସ୍ମୃତି ମାନେ ମୋ ସହିତ ଲୁଚକାଳି ଖେଳନ୍ତି ଏଇଠି । ଭାରି ନିଃସଙ୍ଗ ଅସହାୟ ଲାଗେ ଜୀବନଟା ।

ଏବେ କିନ୍ତୁ ଏତେଟା ଆଉ ନିଃସଙ୍ଗ ଲାଗୁନି । ଗୋଟିଏ ସ୍ନେହର ଶିକୁଳି ରେ ବାନ୍ଧି ଦେଇଛି କୃଷ୍ଣା ମୋତେ । ସେ ଏବେ ମୋର ବେଷ୍ଟ ଫ୍ରେଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ । ଛାଇ ଭଳି ରହୁଛି ମୋ ସାଥିରେ । କେବେ କେବେ ମନ ଦୁଃଖ ଦେଖି ପଚାରେ

" ମାମା ମାମୁଁ କଥା ଭାବୁଛୁ " ? ଶୁଖି ଆସିଥିବା ଲୁହ ପୁଣି ଛଳ ଛଳ ହୋଇଯାଏ ଚିବୁକ ଛୁଇଁ ବାକୁ । କିନ୍ତୁ କୃଷ୍ଣା ତାକୁ କେବେ ଗଡିବାକୁ ଦିଏନି । ନିଜେ ପିନ୍ଧିଥିବା ଡ୍ରେସ୍ ରେ ପୋଛି ଦେଇ କୁହେ " ମାମା ବଡ ହୋଇ ତୁ' ଏମିତି କାନ୍ଦିଲେ ମାମୁଁ ମନ ଦୁଃଖ କରିବନି " ? କୋଳେଇ ନିଏ ମୁଁ ତାକୁ ନିବିଡ଼ ବନ୍ଧନରେ ଜଡାଇ ଧରେ ମୋ ଛାତିରେ । ଲାଗେ ଈଶ୍ୱର ବୋଧେ ତାକୁ ପଠାଇ ଛନ୍ତି ସେ ଦେଇଥିବା ଦୁଃଖକୁ ଲାଘବ କରିବା ପାଇଁ ।

ଏମିତି ସେହି ଖୋଲା ଆକାଶ ତଳେ ବୁଲୁ ବୁଲୁ ଦିନେ ମୁଁ ଭାବ ବିହ୍ୱଳ ହୋଇଗଲି ମୋ ଫୁଲ କୁଣ୍ଡ ମାନଙ୍କୁ ଦେଖି । ସେଠି କେତେ କେତେ ସୁରଭିତ ଫୁଲ ଫୁଟିଥାଏ, କେତେ କେତେ ମହୁମାଛି, ପ୍ରଜାପତି ଘୁରି ବୁଲୁଥାନ୍ତି, ଚିର ମଳୟ ସେଠି ଦମକଏ ଲେଖା ପଶି ଆସୁଥାଏ । ମୋର ପୁଲକିତ ଶରୀର ଆଉ ବିହ୍ଵଳିତ ମନ ହଜି ଯାଉଥାଏ ଵାରମ୍ବାର, ଯାହାକୁ ମୋ ବାସ୍ତବ ଦୁନିଆର ସମ୍ପର୍କ ମାନେ ଟାଣି ଓଟାରି ନେଇ ଆସୁଥାନ୍ତି । କୃଷ୍ଣା ଡାକୁ ଥାଏ, ମାମା ଚା ଥଣ୍ଡା ହେଇ ଗଲାଣି, ଉପରକୁ ଅନେଇ ସେତେବେଳୁ କାହାକୁ ଦେଖୁଛ ଯେ ଡାକିଲେ ବି ତୁମକୁ ଟିକିଏ ଶୁଭୁନାହିଁ !! ଶୂନ୍ୟରେ ଯେ ମୋ କଥା ଶୁଣିପାରୁନ ନା କାହା କଥା ଭାବୁଛ ! ମାନେ ମାମୁଁଙ୍କ ପିଲା ଦିନ କଥା ସବୁ ମନେ ପଡି ଯାଉଛି, ଉପରକୁ ଅନେଇ ହସୁଛ ମଝି ମଝିରେ..ମତେ ବି ଟିକେ କୁହ ନା..ମାମୁଙ୍କ ପିଲା ଦିନ କଥା...

ହଠାତ ଚମକି ପଡେ ମୁଁ ,କୃଷ୍ଣା ମୋର କେମିତି ଜାଣିପାରୁଛି ମୋ ମନ କଥା । ସେ ବି ଯଦି ଦେଖନ୍ତା ମୋ ମନର ସେ ଅଭୁଲା ଉପତ୍ୟକାକୁ ସେ ବି ହଜି ଯାଆନ୍ତା, ଫେରି ଆସିବାକୁ ଆଦୌ ଇଚ୍ଛା କରନ୍ତାନି । ସ୍ମୃତିର ସେହି ଦୌଡ଼ ରେ ସେ ବି ମୋ ଭଳି ଭାବ ବିହ୍ୱଳ ହୋଇ ପଡନ୍ତା । ସାଉଁଟା ସ୍ମୃତିକୁ ସଜେଇବାରେ କେତେଯେ ଆନନ୍ଦ ତାହା ଅନୁଭବ କରି ପାରନ୍ତା

ପୁଣି କୃଷ୍ଣା ପଚାରେ " ମୁଁ ଜାଣେ ସେ ଖୋଲା ଆକାଶ ତଳେ ମାମୁଁ ର ସ୍ମୃତିକୁ ସାଉଁଟି ଚାଲିଛ , ହୁଏତ ତାକୁ ତୁମ କାହାଣୀ ରେ ରୂପ ଦେବ । ମୋତେ ପଢି ଶୁଣାଇବ ସବୁଦିନ ପରି , ଆଉ ଦିଟୋପା ଲୁହ ଗଡାଇବ ଏଇଆନା ମାମା !!

କୃଷ୍ଣା ହିଁ ଏବେ ମୋର ସବୁଠୁଁ ଅନ୍ତରଙ୍ଗ, ଯାହା ତାକୁ ମୁଁ କହିପାରେ ଆଉ କାହାକୁ ବି କହି ପାରେ ନାହିଁ । ମାତ୍ର ପାଞ୍ଚ ବର୍ଷ ର ହେଲେବି ପଚାଷ ବର୍ଷ ର ପୋଖତ ପରି ତାର ବ୍ୟବହାର । ମୋ ପାଇଁ ସମସ୍ତଙ୍କ ସହ ଲଢ଼ି ଯାଏ ସେ । କୃଷ୍ଣା ହିଁ ମୋ ମନ ଭିତରକୁ ନେଇ ରଙ୍ଗୀନ କରିଦିଏ, ମୋ ସହ ସମଭାଗୀ ହୁଏ।

ମୋ ଲେଖକ ଜୀବନର ପ୍ରଥମେ ମୋ ପୁଅ ମୋତେ ପ୍ରେରଣା ଯୋଗାଉଥିଲା । ମୋ ଶୁଖି ଯାଇଥିବା କଲମରେ ସେ ରଙ୍ଗ ଭରୁଥିଲା ଆଉ ମୁଁ ଲେଖୁଥିଲି । ସେ ମୋ ସହ ଥିଲେ ବା ତା ଠୁଁ ଦି ପଦ ଉତ୍ସାହଜନକ କଥା ଶୁଣିଲେ ମୋର ଭାବନା ରାଜ୍ୟକୁ ଉଡି ଆସନ୍ତି ଅନେକ ଗପର ପ୍ରଜାପତି..... ବେଳେ ବେଳେ ତାକୁ ପଚାରେ ଚରିତ୍ରମାନଙ୍କର ଅଗ୍ରଗତି ସମ୍ପର୍କରେ, ଗପ ଗୁଡିକର ଅନ୍ତ କେମିତି ହେଲେ ଭଲ ଲାଗିବ । ତାର ପରାମର୍ଶ ମୁଁ ଆବଶ୍ୟକ କରେ ବେଳେ ବେଳେ ।

ମୋର ଲେଖକୀୟ କଳା ବା ଅଭ୍ୟାସର ସଦା ବିରୋଧୀ ମୋର ପତିଦେବ ମନେ ମନେ ଭାବୁଥାଆନ୍ତି ଯେ ମୋର ସବୁ ଗଳ୍ପର ନାୟକ ମାନଙ୍କ ସହିତ କେଉଁଠି ନା କେଉଁଠି ମୋର ଭେଟ ହୋଇଛି ଏବଂ ସେଇ ବିରହ ବା ଦୁଃଖରେ ଗପଟିଏ ମୁଁ ଲେଖି ଦେଉଛି । ସେମାନଙ୍କୁ ସବୁ ବେଳେ ଝୁରି ହେଉଛି । ଜୀବନର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ କେଉଁଠି ନା କେଉଁଠି ହେଲେ ବି ମୋ ଜୀବନ ସହିତ ସେମାନେ ସମ୍ପର୍କିତ, ଏମିତି ଏକ କାଳ୍ପନିକ ଈର୍ଷାରେ ସଦା ଜର୍ଜରିତ ହେଉଥାନ୍ତି ।

ହେଲେ ଏବେ ଆଉ ସେସବୁ ନାହିଁ । ବେଳେବେଳେ କାହାଣୀ ଲେଖିବା ପାଇଁ ସମୟର ଘୋର ଅଭାବ ହୁଏ । କର୍ମ ଭିତରେ ଏମିତି ବାନ୍ଧି ହୋଇଥାଏ ଯେ କେବେବି ସମୟ ପାଏନି ଦିପଦ ଲେଖିବାକୁ । ହାତରେ କିନ୍ତୁ ସବୁବେଳେ ମୋବାଇଲ ଟି ଥାଏ । ଶବ୍ଦ ମାନେ ଯେତେବେଳେ ମସ୍ତକରେ ଗୋଳମାଳ ଆରମ୍ଭ କରି ଦିଅନ୍ତି ସେମିତି ଚାଲିବା ବୁଲିବା ଅବସ୍ଥାରେ ବି ନୋଟ୍ ରେ ଉତାରି ଦିଏ । ଜଦି ପାଠକ ମାନଙ୍କ ମନକୁ ଛୁଇଁ ପାରେ ତାହେଲେ ସେ ହୁଏ ମୋ ଲେଖିକା ଜୀବନର ଶ୍ରେଷ୍ଠ ଉପହାର

ଜୀବନରେ ଅନେକ ସୁଖ ଦୁଃଖ ବିପଦ ଆପଦ ସମୟରେ ବି ତାକୁ ମୁଁ ଭୁଲି ପାରିନି । ସେ ଏବେ କେଉଁଠି ତା ବି ଏବେ ଜାଣିନି । କିନ୍ତୁ ସେ ସୂକ୍ଷ୍ମ ଚେତନାଟିକୁ ସବୁ ବେଳେ ସମସ୍ତଙ୍କ ଠାରୁ ଗୋପନ ରଖି ଆସିଛି ଆଜିଯାଏ ।

ବୟସଟା ଦ୍ରୁତ ଗତିରେ ଗଡି ଚାଲିଥିଲେ ବି ମୋ ମନ ଭିତରର ସେଇ ଗୋପନ ପ୍ରାଙ୍ଗଣରେ ମୁଁ କିନ୍ତୁ ଏବେବି ନିଜକୁ ଷୋହଳ ବୟସର ଲଳନା ଟିଏ ଭାବେ । ମୋ ଲେଖାପାଇଁ ଏବେବି ମୁଁ ଉତ୍ସର୍ଗୀକୃତ । ତା ପାଇଁ ଚିର ବସନ୍ତର ଚୋରା ମଳୟ ବହୁଥାଏ, ଅତି ଗୋପନରେ । ଯେତେ ବେଳେ ମୋ ନାକରେ ତାର ସୁରଭି ବାଜି ଯାଏ ସେତେ ବେଳେ ତାଜା ହୋଇ ଯାଏ ତାର ସ୍ମୃତି । ଘନ ଘନ ମନେ ପଡେ ସେ । ଅନ୍ୟମନସ୍କ ହୁଏ ମୁଁ ।  ସେଇ ରଜନୀଗନ୍ଧାର ବାସ୍ନା ସହ ଅତି ନିବିଡ଼ ଭାବରେ ଜଡିତ ତାର ସ୍ମୃତି ।

କୃଷ୍ଣା କୁହେ , ମାମା ତମେ ଏତେ ଲେଖୁଛ କାହିଁକି ? ପାଠ କଣ ସବୁବେଳେ ପଢାଯାଏ ? ମୋତେ ଦେଖି ସେ ବି ପଢେ । ମନ ମୋର କୁରୁଳି ଉଠେ । ଗପ କି କବିତା ଲେଖି ପ୍ରତିଷ୍ଠା ପାଇବାକୁ ନୁହେଁ କିମ୍ବା ପୁସ୍ତକ ପ୍ରକାଶନର ଆଗ୍ରହ ପାଇଁ ନୁହେଁ ମୁଁ କେବଳ ଲେଖେ ମୋ ଖୁସି ପାଇଁ । ମୋର ପ୍ରଥମ ପାଠକ ମୋ ପୁଅ ଥିଲା । ଏବେ ସେ ସ୍ଥାନ ନେଇଛି କୃଷ୍ଣା । ଆଉ କିଏ ପଢୁ କି ନ ପଢୁ, ଆତ୍ମ ସନ୍ତୋଷ ମିଳୁଛି ବାସ୍ ଲେଖୁଛି । ବାକି ଆପଣ ମାନଙ୍କ ଭଲ ପାଇବା ହିଁ ଗୋଟିଏ ଲେଖକର ସ୍ୱୀକୃତୀ ଦେଇଛି ।



Rate this content
Log in

Similar oriya story from Tragedy