Mamatamanjari Das

Tragedy

3  

Mamatamanjari Das

Tragedy

ଅତୀତ ଓ ବର୍ତ୍ତମାନ ରେ ଜୀବନ

ଅତୀତ ଓ ବର୍ତ୍ତମାନ ରେ ଜୀବନ

3 mins
214


ଏହା ଭିତରେ ପୁଅ ଚାଲି ଯିବାର ପ୍ରାୟ ଆଠ ବର୍ଷ ପୁରିବାକୁ ବସିଲାଣି ।କିନ୍ତୁ ଆଜିବି ସରିତା ଦେବୀ ସାଇତି ରଖିଛନ୍ତି ଅତୀତର ପୁଅ ସହ ବିତାଇଥିବା ସବୁ ସ୍ମୃତିକୁ । ଗୋଟି ଗୋଟି କରି ଗୁନ୍ଥି ଦେଇଛନ୍ତି ହୃଦୟରେ । ଲମ୍ବାଇ ଦେଇଛନ୍ତି ସବୁ ସ୍ମୃତିକୁ ଗଳାରେ ଗଜରା କରି । ଅନେକ କହନ୍ତି ଅତୀତ କୁ ଭୁଲିଯାଇ ବର୍ତ୍ତମାନ ରେ ବଞ୍ଚ । ହେଲେ ସେ ତାଙ୍କ ଯିଦିରେ ଅଟଳ । ସମସ୍ତଙ୍କୁ ସେ ପାଲଟା ପ୍ରଶ୍ନ କରନ୍ତି " ଅତୀତକୁ ଛାଡି ମୁଁ ଯଦି ବଞ୍ଚି ପାରନ୍ତି ତା' ହେଲେ ବର ଓହଳ ପରି ଏ ସ୍ମୃତି ଗୁଡା ସବୁ ମୋ ବେକରେ ଲଟକୁ ନଥାନ୍ତେ । ସେହି ଅତୀତ ପାଇଁ ତ ସେ ବର୍ତ୍ତମାନ ରେ ବି ବଞ୍ଚିଛନ୍ତି । ପୁଅର ପ୍ରତ୍ୟେକ ଟି ଜିନିଷ ସଜାଡି ରଖିଛନ୍ତି ଆଲମାରୀ ରେ । ଧାଡି ଧାଡି ଲେଖି ଚାଲୁଛନ୍ତି ଗଳ୍ପ ଓ କବିତା ତାର ଆବାହମାନ ରେ । ତା' ହେଲେ ଅତୀତକୁ ସେ ଛାଡିବେ କେମିତି ?


ପେସାରେ ସେ ଜଣେ ଶିକ୍ଷୟିତ୍ରୀ । ହସ ଖୁସିରେ ସଂସାର ତାଙ୍କର ଦୁଇ ପୁଅ ଝିଅ ଓ ପତିଙ୍କୁ ନେଇ । ହେଲେ ସମୟ ସବୁବେଳେ ସମାନ ଯାଏନି । ସେ ପରା ଜୀବନ ପଥ । କେବେ ଆବୁଡା ଖାବୁଡା ତ କେବେ ଅଣ ଓସାରିଆ । ସରିତା ଙ୍କ ମୁହଁରେ ସବୁବେଳେ ହସହସ । ହଠାତ କିନ୍ତୁ ଅଦିନିଆ ଝଡଟା ଆସି ଦୋହଲାଇ ଦେଲା ତାଙ୍କର ମେରୁଦଣ୍ଡ ।ଅଫିସ ଯିବା ସମୟରେ ପୁଅର ଆକ୍ସିଡେଣ୍ଟ ଆଉ ଅଠେଇଶି ଦିନ ମୃତ୍ୟୁ ସହ ସଂଗ୍ରାମ କରି ପୁଅ ଚାଲିଗଲା ଅଫେରା ପଥରେ ।


ଏକମାତ୍ର ପୁତ୍ରକୁ ହରାଇ ବା ପରେ ନିଜର ବାକଶକ୍ତି ହରେଇଦେଲେ ସରିତା । ନା କାହାକୁ ଚିହ୍ନିଲେ , ନା ଖାଇଲେ । ଦୀର୍ଘ ତିନିମାସ ମେଡ଼ିକାଲ ବେଡ୍ ରେ କଣ୍ଢେଇ ଭଳି ଖେଳାଉ ଥିଲେ ତାଙ୍କୁ ସ୍ୱମୀ ନିଜର ଦୁଃଖ କୁ ଭୁଲି । ହେଲେ ପୁଣି ଗୋଟିଏ ଦୁର୍ଘଟଣା ଘଟିଗଲା । ମେଡିକାଲ ଯିବା ବାଟରେ ପତିଙ୍କର ହେଲା ଦୂର୍ଘଟଣା । ଗୋଟିଏ ଗୋଡ ଓ ଗୋଟାଏ ହାତ ଭାଙ୍ଗିଗଲା ତାଙ୍କର।


କଥାରେ ଅଛି " ସମସ୍ତେ ସମ୍ପଦର ସଖା ବିପଦେ ନଦିଅନ୍ତି ଦେଖା"। ତାହାହିଁ ହୋଇଥିଲା ସରିତାଙ୍କ ଜୀବନରେ । ପୁଅ ଗଲାପରେ ସମସ୍ତେ ମୁହଁ ଫେରାଇ ନେଇ ଥିଲେ କେବଳ ପୁଅର ସାଙ୍ଗ ସାଥୀ ଙ୍କୁ ଛାଡି । ଭଗବାନଙ୍କ ର ବି ବିଚିତ୍ର ଲୀଳା । ସ୍ୱମୀ ଙ୍କୁ ଏପରି ଅବସ୍ଥାରେ ଦେଖି ନିଜର ଧୀଶକ୍ତି ଫେରି ଆସିଲା ସିନା ହେଲେ ଅତୀତ ତାଙ୍କର ବିସ୍ମୃତ ହୋଇ ଯାଇଥିଲା । ସେ ଜାଣିଥିଲେ ପୁଅ ତାଙ୍କର ଜବ୍ କୁ ଯାଇଛି ଆସିବ । ମଝିରେ ବିତିଥିବା ଚାରିମାସ ତାଙ୍କର ମାନସରେ ନଥିଲା ।


ଡାକ୍ତର କହିଲେ ପେସେଣ୍ଟ୍ କୁ କେବେବି ସତ ଟିକୁ ସାମ୍ନାରେ କହିବନି , କିଛି ବି ହୋଇପାରେ । ସରିତା କେବଳ ପୁଅକୁ ଖୋଜୁଥିଲେ । ବିକଳ ହୋଇ ତାର ସାଙ୍ଗ ମାନଙ୍କୁ ପଚାରୁ ଥିଲେ ।

କିନ୍ତୁ ସମସ୍ତେ ଥିଲେ ବିବଶ । ହଠାତ୍ ଦିନେ ଶୋଇଛନ୍ତି କଣ ଭାବି ଉଠିପଡି ଦେଖିଲେ କିଛି କାଗଜପତ୍ର ଟେବୁଲ ଉପରେ ପଡିଛି । ତାକୁ ଖେଳୋଉ ଖେଳୋଉ ପୁଅର ଡେଥ୍ ସାର୍ଟିଫିକେଟ ଦେଖି ସେଇଠି ପଡିଗଲେ ।


ତିନିଦିନ ପରେ ହୋସ୍ ଆସିଲା । ସ୍ୱମୀ ଙ୍କ କୋଳରେ ମୁହଁ ଗୁଞ୍ଜି ଭୋ ଭୋ କାନ୍ଦିଲେ । ସ୍ୱମୀ ତାଙ୍କୁ ନିଦ ବଟିକା ଦେଇ ଶୁଆଇ ଦେଲେ । କିନ୍ତୁ ହଠାତ୍ ସ୍ୱପ୍ନରେ ଆସିଲା ପୁଅ । କହିଲା " ବବି ତୁ' ଯଦି ଏମିତି ହାରିଯିବୁ ବାପାଙ୍କୁ ସାନ୍ତ୍ବନା ଦେବ କିଏ ? ମୋ ଆତ୍ମା ଶାନ୍ତି ପାଇବତ ? ତୁ' ପରା କାହାଣୀ କହୁଥିଲୁ କୃଷ୍ଣ ଙ୍କ ରାଣ ପାଇଁ ରାଧାଙ୍କ ଆଖିରୁ ଲୁହ ଝରୁ ନଥିଲା ।


ସେହି ଦିନଠାରୁ ଲୁହକୁ ପୋଛିଦେଲେ ସରିତା । ପୁଅର ସବୁ ଜିନିଷ ଥାକମାରି ଥୋଇ ସେ ପିନ୍ଧୁଥିବା ମୁଦିକୁ ନିଜ ଆଙ୍ଗୁଠି ରେ ଗଳେଇ ଦେଲେ । ହୃଦୟର କୋହକୁ ଚାପି ରଖି ପୁଣି ଜୀବନ ସଂଗ୍ରାମ ରେ ପାଦ ଆଗକୁ ବଢାଇଲେ । ବର୍ତ୍ତମାନ ରେ ବଞ୍ଚିଲେ ଅତୀତର ସ୍ମୃତିକୁ ପାଥେୟ କରି । କମର୍ମୟ ଜୀବନରେ ସେ କେବେ ନିଜ ମନକୁ ମୁକ୍ତ କରନ୍ତି ନାହିଁ । ପୁଅ ଦେଇଥିବା ଏଣ୍ଡ୍ରଏଡ୍ ଫୋନରେ ଏବେବି ଲେଖି ଚାଲିଛନ୍ତି କବିତା ଓ ଗଳ୍ପର ଗୁଛ ।ଅତୀତ କୁ ପାଥେୟ କରି ବଞ୍ଚିଛନ୍ତି ବର୍ତ୍ତମାନ ରେ ବିନା କାହାରି ଆଶ୍ରାରେ ।



Rate this content
Log in

Similar oriya story from Tragedy