ଲୁଚକାଳି ଖେଳ
ଲୁଚକାଳି ଖେଳ
ଜୀବନ ବେଳେବେଳେ ଆମ ସାଥିରେ ଲୁଚକାଳି ଖେଳେ…ଜୀବନରେ ସୁଖ ବି ଆସେ , ଦୁଃଖ ବି ଆସେ ହେଲେ ସେହି ସୁଖ ଦୁଃଖର ଲୁଚକାଳି ଖେଳରେ ଯିଏ ସ୍ଥିତପ୍ରଜ୍ଞ ପରି ଜୀବନ ନିର୍ବାହ କରେ ସେ ହିଁ ଜୀବନର ଲୁଚକାଳି
ଖେଳ ଭିତରେବି ଜୀବନର ମଜା ନେଇ ପାରେ।
ସେହି କ୍ରମରେ କାହାଣୀ ଟିଏ ।
ଗୋଟିଏ ସହରରେ ଏକ ଧନୀ ବ୍ୟକ୍ତି ବାସ କରୁଥିଲା । ତାର ଟଙ୍କା ପଇସାରେ କୌଣସି ଅଭାବ ନଥିଲା…ଦିନେ ତାଙ୍କ ଘରକୁ ତାଙ୍କର ଜଣେ ସମ୍ପର୍କୀୟ ଆସିଥିଲେ ସେ ଧନୀ ବ୍ୟକ୍ତିଙ୍କ ସହିତ ବହୁତ ସମୟ ପର୍ଯ୍ୟନ୍ତ କଥା ହେଲେ।
କହୁ କହୁ କଥା ପ୍ରସଙ୍ଗରେ ସେ ସମ୍ପପର୍କୀୟ ଜଣକ କହିଲେ କି ତାଙ୍କ ସହରରେ ମଧ୍ୟ ଜଣେ ଧନୀ ବ୍ୟକ୍ତି ରହୁଥିଲେ, ତାଙ୍କର ମଧ୍ୟ ଟଙ୍କା ପଇସାରେ କୌଣସି ଅଭାଵ ନଥିଲା ହେଲେ ଅଚାନକ ତାଙ୍କର ମୃତ୍ୟୁ ହୋଇଗଲା ।
ତାଙ୍କ ସମ୍ପତ୍ତି ଭୋଗ କରିବାକୁ କେହି ନଥିଲେ
ତେଣୁ ତାହା ଅପରାଧୀ ଲୋକ ବଳ ପୂର୍ବକ ଭୋଗ କଲେ ।
କିଛି ସମୟ ବାର୍ତ୍ତାଳାପ ପରେ ସେ ଚାଲିଗଲେ …
ସେ ଗଲା ପରେ ଧନୀ ବ୍ୟକ୍ତି ଜଣକ ବହୁତ ଚିନ୍ତା କଲେ, ସେ ଭାବିଲେକି ତାଙ୍କର ଯଦି ଅଚାନକ ମୃତ୍ୟୁ ହୁଏ ତେବେ ତାଙ୍କର ସବୁ ସମ୍ପତ୍ତିର କଣ ହେବ…!!
ତେଣୁ ସେ ସବୁବେଳେ ମୃତ୍ୟୁ ଠାରୁ ମୁକ୍ତି ପାଇବାକୁ ବିଭିନ୍ନ ବ୍ୟାୟାମ କରିବା ସହିତ ସନ୍ତୁଳିତ ଭୋଜନ ଗ୍ରହଣ କଲେ ।ତଥାପି ତାଙ୍କ ମନରୁ ମୃତ୍ୟୁର ଭୟ ଦୁରେଇନଥିଲା ।
ହଠାତ ଦିନେ ତାଙ୍କର ଦେହ ଭୀଷଣ ଖରାପ ହେଲା ।ସହରର ସବୁଲୋକ ତାଙ୍କୁ ଦେଖିବାକୁ ଆସିଲେ । ବୈଦ ଆସି ଔଷଧ ଦେଲେ ହେଲେ ଲାଭ କିଛି ହେଲାନି ।ଦିନେ ଏକ ସାଧୁ ବ୍ୟକ୍ତି ଆସି ତାଙ୍କ ମନରେ ଥିବା ଅସୁବିଧା କଥା ପଚାରିଲେ ।
ସେ କହିଲେକି ସେ ମୃତ୍ୟୁକୁ ଡରୁଛନ୍ତି ,ସେ ଅଚାନକ ମୃତ୍ୟୁ ଚାହାନ୍ତି ନାହିଁ !
ତାପରେ ସନ୍ୟାସୀ ତାଙ୍କ କାନରେ ଏକ ମନ୍ତ୍ର କହିଲେ ଓ ତାହାକୁ ସାତ ଦିନ ଜପ କରିବାକୁ କହିଲେ ।ସାତ ଦିନ ପରେ ଧନୀ ବ୍ୟକ୍ତି ଜଣକ ବହୁତ ସୁସ୍ଥ ଲାଗୁଥିଲେ ।
ସେହି ସନ୍ନ୍ୟାସୀ ତାଙ୍କୁ ପୁଣି ଦେଖା କରିବାକୁ ଆସିଲେ ।ଲୋକମାନେ ସନ୍ୟାସୀଙ୍କୁ ପଚାରିଲେ ଆପଣ କି ମନ୍ତ୍ର ଦେଲେ ଯେ ତାଙ୍କର ରୋଗ ଉପଶମ ହୋଇଗଲା …?
ସନ୍ୟାସୀ କହିଲେ ସେହି ବ୍ୟକ୍ତିଙ୍କୁ ପଚାରିଲେ ସେ ତାର ଉତ୍ତର ଦେଇ ପାରିବେ ।
ଧନୀ ବ୍ୟକ୍ତି ଜଣକ ସନ୍ନ୍ୟାସୀ କହିଥିବା ମନ୍ତ୍ର ବିଷୟରେ ସଭିଙ୍କୁ ଅବଗତ କରାଇଲେ ।
ସନ୍ୟାସୀ ଦେଇଥିବା ମନ୍ତ୍ରଟି ହେଲା,
"ମୋ ନିଜ ମୃତ୍ୟୁ ନ ଆସିବା ପର୍ଯ୍ୟନ୍ତ ମୁଁ ଆନନ୍ଦରେ ବଞ୍ଚିବି" । ଲୋକମାନେ ଜାଣିବାକୁ ପାଇଲେ ଯେ ସନ୍ୟାସୀ କୌଣସି ମନ୍ତ୍ର ନୁହେଁ କେବଳ ଧନୀ ଲୋକର ମନର ବିଶ୍ୱାସକୁ ଦୃଢୀଭୂତ କରି ତାଙ୍କୁ ବଂଚିବା ଶିଖେଇଛନ୍ତି ।
ଉପରୋକ୍ତ ଗଳ୍ପରୁ ଆମେ ସ୍ପଷ୍ଟ ଜାଣିଲୁ କି ମନର ଶକ୍ତି ନିଜର ଆତ୍ମ ବିଶ୍ୱାସ ପାଇ ତେଜିୟାନ ହୋଇଥାଏ।
ଏହା ଆମ ଶରୀର ଭିତରେ ଥାଇ କେବଳ ଲୁଚକାଳି ଖେଳ ଖେଳି ଥାଏ । ଆମେ ଆମର ଆତ୍ମ ଚିନ୍ତନକୁ ଯେତେ ଦୃଢିଭୂତ କରିବା ସେତେ ଭଲରେ ବଞ୍ଚି ପାରିବା ।
ପ୍ରଭୁ ଶ୍ରୀକୃଷ୍ଣ ଗୀତାର ଅଷ୍ଟମ ଅଧ୍ୟାୟର ପଞ୍ଚମ ଶ୍ଳୋକରେ ଏହା ବର୍ଣ୍ଣିତ କରି ଅର୍ଜୁନଙ୍କୁ ମଧ୍ୟ ଏହିକଥା ବୁଝାଇଛନ୍ତି..
ଗୀତାର ଅମୂଲ୍ୟ ଜ୍ଞାନ ଆମ ଜୀବନରେ ଲୁଚକାଳି ଖେଳୁଥିବା ରୋଗ ଶୋକ ଓ ଦୁଖକୁ ଦମନ କରିବା ପାଇଁ ଅମୋଘ ଅସ୍ତ୍ର ଅଟେ କାରଣ ଜୀବନ ଆମର ସବୁଠୁ ମୂଲ୍ୟବାନ ଜିନିଷ ଟିଏ ।
ତାକୁ ଆୟତ୍ତ କରିବା ପାଇଁ ହେଲେ ଶରୀର ଭିତରେ ଲୁଚି ରହିଥିବା ,ଦୁଃଖ , ଯନ୍ତ୍ରଣା ଓ ଶୋକକୁ ଦମନ କରି ସ୍ଥିର ଚିତ୍ତହେବାକୁ ପଡିବ…।
