ସପ୍ତଫେଣୀ
ସପ୍ତଫେଣୀ
ଦୁଇ ବର୍ଷ ତଳର କଥା। ଝିଅ ସ୍ନେହଲ ବହୁତ ବଡ଼ ମଲ୍ଟି ନ୍ୟାସନାଲ କମ୍ପାନୀରେ ଜବ ପାଇ ଯାଇଛି ବୋଲି ଶେଷଥର କଥା ହୋଇଥିଲା ସୀମା। କମ ବଡ଼ ଖୁସି ଖବର ନୁହେଁ, କଥାହେଲା ଭିତରେ ପାଁ'ଶ ଟଙ୍କା ଗୁଗଲ-ପେ କରିଦେଇ କହିଲି, "ସାବାସ...ମୋ ସୁନାଝିଅ ଦିନେ ଆମ ନାଁ ରଖିବ ମୁଁ ଜାଣିଥିଲି ପରା !! ସାରା ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା। ଆମ ଆଶୀର୍ବାଦ ସବୁବେଳେ ତା' ସହିତ ଅଛି। ଜନ୍ମହେଲା ଦିନ ତାକୁ ମୁଁ ନେଳିଆ ଡ୍ରେସ ପିନ୍ଧାଇ ଦେଇଥିଲି, ନିଳପରୀଟା ଭଳି ଚମକୁଥିଲା ମୋ ଛୁଆ । ଆଜିବି ତାକୁ ନୀଳ-ରଙ୍ଗର ଡ୍ରେସଟିଏ କରିଦେ....ମାଉସୀ ତରଫରୁ ଛୋଟିଆ ଗିଫ୍ଟ... ମନା କରେନା ସୀମା!" ମେସେଜ ଦେଖି କହିଲା, "ନାନୀ, ଆଜିକାଲି ପାଁ'ଶ ଟଙ୍କାରେ ରୁମାଲ ଆସିବ। ସେମିତିରେ ଏବେ ପଇସା ତାର ଦରକାର କଣ ନାନୀ?" ଫୋନ କାଟିଦେଲା। ଆଉ ନା କଥା ନା ବାର୍ତ୍ତା। ଆଜି ୱାଟସଆପରେ ମେସେଜ ପଠେଇଛି ଝିଅ ବାହାଘର ବାବଦରେ । ଗୋଟିଏ ଘର, ଏକା ବାପା ମା' ଏକ ପ୍ରକାର ଶିକ୍ଷା, ଏକା ସଂସ୍କାର। ହେଲେବି କେମିତି କେଜାଣି ତାର ସ୍ଵଭାଵ ଅଲଗା। ଖରାପ କୁହାଯିବନି, ହେଲେ ପିଲାଦିନୁ ସୀମାର ଟିକେ ଅଭିମାନିଆ ପ୍ରକୃତି.... ଏଥିପାଇଁ ଛୋଟ ଛୋଟ କଥାରେ ସାଙ୍ଗ ମାନଙ୍କ ସହ ସହଜରେ ମତାନ୍ତର। ତାକୁ ବାପା ଘଣ୍ଟା ଘଣ୍ଟା ବସି ବୁଝାନ୍ତି। ଆଜି ବାପା ସ୍ବର୍ଗବାସୀ। ସେ ଥିଲେ ନିଶ୍ଚିତ ବୁଝେଇ ପାରିଥାନ୍ତେ, "ମାମାର ଆୟ କମ। ସେ ଘରର ବଡବୋହୁ। ତାର ବନ୍ଧୁ ବାନ୍ଧବ ସମସ୍ତେ ତା ସାହାଯ୍ୟ ସହଯୋଗକୁ ଚାହିଁ ବସିଛନ୍ତି। ତୋ ପ୍ରତି ତାର ଅନାବିଳ ଭଲପାଇବାକୁ ନେଇ ତୁ ସନ୍ଦେହ କରେନି ରେ ମା'.... ନିଜେ ବି ଦୁଃଖ ପାଇବୁ ତାକୁ ବି କଷ୍ଟଦେବୁ। କିଏ କେମିତି ଗିଫ୍ଟ ଦେଲା, ସେଥିରେ ତାର ବଡ଼ପଣ ଜଣା ଯାଏନାହିଁ। ଜଣଙ୍କ କ୍ଷମତା ବୁଝିବାକୁ ହେଲେ ବିବେକଜ୍ଞାନ ଥିବା ଦରକାର। ବାପାଙ୍କ କଥାଶୁଣି ସେ ନିଶ୍ଚିତ ଭାବେ ବୁଝିଯାଇଥାନ୍ତା। ଡେଣାକଟା ଅସହାୟ ପକ୍ଷୀ ପାଖରେ ଖାଦ୍ୟ ଥିଲେବି ଉଡିଯାଇ ଶାବକ ପାଟିରେ ଦେଇପାରେନି..... ମୁଁ କିଛି ବୁଝେଇ ପାରୁନଥାଏ ସୀମାକୁ।ପରିପକ୍ୱ ବୟସରେ ବଳେ ବୁଝିବ ଭାବି ଛାଡିଦିଏ ତାକୁ ତା ବାଟରେ । କିନ୍ତୁ ଭଉଣୀ ବୋଲି ଅଧିକାର ନେଇ ଘା' ଉଖୁରେଇଲା ପରି କଥାବାର୍ତା କରେ ସୀମା। ମୁଁ ବଡ଼ ବୋଲି କିଛି କହେନି ସିନା କିନ୍ତୁ ମୁଁ ଠାକୁର ନୁହେଁ, ମୁଁ ବି ମଣିଷ। ରାଗ, କ୍ରୋଧ, ଅହଙ୍କାରର ବଶବର୍ତ୍ତୀ। କଥା ପୁରୁଣା ସିନା, କିନ୍ତୁ ଅସହନୀୟ। ମୋ ପୁଅ ଜନ୍ମଦିନକୁ ଉପହାର ଛାଡ଼ ଡେଟ ବି ମନେ ରଖିବାକୁ ଉଚିତ ଭବେନାହିଁ ସୀମା। ପୁଅ ବ୍ରତୋପନୟନ ଥିଲା। ଖାଦ୍ୟପେୟ,ଅତିଥି ସେବା ଆଦିରେ କୌଣସି କଥା କମ ନ ରହିଯାଉ ଭାବି ସୀମିତ ଆୟ ଭିତରେ ବଡ଼ କଷ୍ଟରେ ଆୟୋଜନ କଲି । ଶାଶୂଘରେ ପାନରୁ ଚୂନ ଖସିଲେ କଥାଧରା। ପ୍ରଥମେ ପ୍ରତିବେଭାର ସେମାନଙ୍କୁ ଦିଆଗଲା। ନିଜଲୋକ ହିସାବରେ ଯଦି ଟିକେ ଭଉଣୀକୁ ଡେରିରେ ପ୍ରତିବେଭାର ଦେଲି ଅସୁବିଧା ରହିଲା କେଉଁଠି? ସେ ଭିତରେ ସବୁଆଡେ ଗାଇଲା ଯେ ମୁଁ କାଳେ ଶୁଭକାମ କରି ତାକୁ ମର୍ଯ୍ୟାଦା ଦେଇନାହିଁ। ସେହିବର୍ଷ ଘର-ପ୍ରତିଷ୍ଠା କଲା। ତାଙ୍କ ଶାଶୁଘରଲୋକେ ବଡ଼ବଡୁଆ। ସମସ୍ତଙ୍କୁ ମହଙ୍ଗା ମହଙ୍ଗା ଶାଢ଼ୀ ସୁଟପିସ ଦେଲା। ମୋତେ ଦେଲାବେଳକୁ ପରପରିଆ ଶସ୍ତାକପଡା। ସମୁଦ୍ର ଭିତରେ ଅସରନ୍ତି ଜଳର ଭଣ୍ଡାର.... ହେଲେବି ସବୁ ନଦୀ, ହ୍ରଦ, ଝରଣା ନିଜ ଗଚ୍ଛିତ ଜଳସମ୍ପଦକୁ ସମୁଦ୍ରକୁ ଦେଇଦେବାକୁ ହିଁ ଉଚିତ ଭାବନ୍ତି। କେହି ମରୁଭୂମିକୁ ପ୍ଲାବିତ କରନ୍ତିନି। ଏହାହିଁ ପ୍ରକୃତିର ନିୟମ। ମାତ୍ର ଯଦି କୌଣସି ଜଳାଶୟ ମରୁଭୂମିରେ ସମ୍ଭାବନାର ସପ୍ତଫେଣୀଟିଏବି ଜନ୍ମ କରିପାରେ ତାହା ପ୍ରକୃତିର ଅସମ୍ଭବ ଭଲପାଇବାକୁ ଦର୍ଶାଏ। ସେଇଠି ସେ ଜଳ ଲଭେ ଦେଵତ୍ବ। ପାଲଟିଯାଏ ଉଦାହରଣ। ସୀମା ଭାବେ ତାର ସଫଳତାକୁ ନେଇ ମୁଁ ବୋଧହୁଏ ଇର୍ଷା ପରାୟଣ। ଆଜିବି ମନେପଡେ ମୁଁ ତେଲ ହଳଦୀ ଲଗାଇ ମୋ ଦୁଇ ମାସର ପୁଅକୁ ଗାଧୋଇବାକୁ ନେଉଥିଲି। ସୀମା କହିଲା, ନାନୀଲୋ, "ତୋର ଶିକ୍ଷାକୁ ନେଇ ଆମେ ସମସ୍ତେ ଗର୍ବକରୁ। ତାକୁ ସମ୍ବଳ କରି ତୁ ରୋଜଗାର କରେ, ଜୀବନର ମାନ ଉନ୍ନତ କରେ। କଣ ମିଳୁଛି ତୋତେ ଏ ଛୁଆ ପିଲା, ଘରକାମରେ ବାନ୍ଧିହୋଇ? ପୁଅକୁ ଗାଧୋଇ ଦେଇ, କଳା ପାଉଡର ଲଗାଇ ଗେଲ କରିଦେଲି। କହିଲି, "ମୋତେ ଅମାପ ଖୁସି ମିଳୁଛି ସୀମା। ଖୁସିର ସଂଜ୍ଞା ପଇସା କେବେବି ଧାର୍ଯ୍ୟ କରି ପାରେନି....ଆମର ସାଧାରଣ ରୋଜଗାର, ସାଧାରଣ ଜୀବନକୁ ନେଇ ମୁଁ ଖୁସି। ତୋତେ ଯେମିତି ଭଲଖାଇବାରୁ, ଭଲପିନ୍ଧିବାରୁ, ଭଲ ଆସବାବପତ୍ର କିଣିବାରୁ, ଭଲ ଗାଡି ଚଢିବାରୁ ମିଳେ, ସମାଜରେ ନିଜ ପ୍ରତିଷ୍ଠାରୁ ମିଳେ... ଠିକ ସେମିତି ମୋତେ ମୋ ବ୍ୟକ୍ତିଗତ ଜୀବନର ସମ୍ପୂର୍ଣତାରୁ ମିଳୁଛି ଅମାପ ତୃପ୍ତି। ତାର ଚାକିରୀ କରିବାକୁ ନେଇ ମୋର ତ କୌଣସି ପ୍ରତିବାଦ ନଥିଲା। କାହିଁ କେଜାଣି ଖରାପ ଲାଗିଲା ମୋ କଥାତାକୁ? ଦୁଲୁ ଦୁଲୁ କରି ଗୋଡ଼ କଚାଡି କାର ଡୋର ଧୁମକି ବାଡେଇ ଚାଲିଗଲା। ଏମିତି ଅନେକ ପୁରୁଣା କଥା ଫ୍ଲାସ ବ୍ୟାକରେ ନାଚି ଉଠୁଥିଲା ବେଳେ ମୋତେ ହଠାତ ତାର ମେସେଜ ଆସେ। ଆଗକୁ ତା' ଝିଅ ବାହାଘର। ଯଦିଓ ଯଥେଷ୍ଟ କାରଣ ଅଛି ତାକୁ ଆଭଏଡ଼ କରିବାକୁ ତଥାପି ଯିବିକି ନାହିଁ? ସ୍ୱାମୀଙ୍କୁ ପଚାରିଲି। କହିଲେ, "ମାମା, ତୁମର ମନେଅଛି, ବାପା ଚାଲିଯିବା ପୂର୍ଵ ଘଟଣା..... ସେ ଶଯ୍ୟାଶାୟୀ ଥିଲେ। ଖଣ୍ଡି ଖଣ୍ଡି କରି ବଡ଼ କଷ୍ଟରେ ତାଙ୍କ ଶେଷକଥା ସପନ କକାଙ୍କୁ କହିଥିଲେ, "ମୋ ଦୁଇଝିଅ ତୋତେ ଲାଗିଲେରେ ସପନା, ମୋ ଭାଇଟା ପରା.. ନିଜ ପିଲାଙ୍କ ପରି ଦୁଷ୍ଟାମୀ କଲେ ଗାଳି କରିବୁ, ଭଲକାମ କଲେ ପ୍ରଶଂସା କରିବୁ। କିନ୍ତୁ ସେମାନଙ୍କୁ କେବେବି ବାପର ଅଭାବ କଥା ମନେ ପକାଇ କାନ୍ଦିବାକୁ ଦେବୁନି।" କିନ୍ତୁ ସପନକାକା କେବଳ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ନିଜ ସଂସାରରେ ସଂକୁଚିତ ରହିଗଲେ। ଅକାଳେ ସକାଳେ ଫୋନକଲେ ବ୍ୟସ୍ତ ରହିବାର ବାହାନା... ସୁତାଖିଅକର ସମ୍ପର୍କ। ଟିକେ ଓଜନବି ବୋଝ ପାଲଟିଯାଏ। ଛିଣ୍ଡି ଯିବାକୁ ସମୟ ଲାଗେନି। ଏତେବଡ ବାସ୍ତବତାକୁ ସାମ୍ନା କରିବା ପାଇଁ ସୀମା ପ୍ରସ୍ତୁତ ନୁହେଁ। ତାର ଅଭିମାନ ତୁମେହିଁ ବୁଝିପାରିବ। ନହେଲେ ଏକା ଭାଙ୍ଗି ପଡିବ। କାମ କାର୍ଯ୍ୟ ବେଳେ ତୁମେହିଁ ପର କରିଦେଲେ କେମିତି ହେବ? ଦୁନିଆରେ ସୁଖଦୁଃଖ ଲାଗି ରହିଛି। କଥା ଧରି ବସିଲେ ମୋଟ। ଥରେ ଭାବ,ସେ ମୋତେ କଣ ଭାବିବ? ମୁଁ ତୁମକୁ କୁ-ମନ୍ତ୍ରଣା ଦେଉଛି? ଅନ୍ତତଃ ମୋ ସମ୍ମାନ ରକ୍ଷା କରି ତୁମକୁ ଯିବାକୁ ହେବ। ଯାଅ, ଝିଆରୀ ଆଉ ଜ୍ୱାଇଁଙ୍କୁ ଆଶୀର୍ବାଦ କରିଆସ" ମୋ ଆଖି ଛଳ ଛଳ ହୋଇଗଲା। ସବୁ ରାଗ ରୁଷା ଛାଡି ସୀମାକୁ ଫୋନକଲି, "କିରେ, ଝିଅ ବାହା କରିବୁ, ସ୍ଥାନ ଲେଖିଛୁ, ତାରିଖ କିଆଁ ଦେଇନୁ? ଆମେ କଣ ଅନ୍ତର୍ଯ୍ୟାମୀ? " ସୀମା କହୁଥିଲା, -"ସରି ସରି ନାନୀ। ମୋର ଭୂଲ ହେଇଗଲା,ମେସେଜରେ କଣ ସବୁ ମନକଥା ଲେଖିହବ? ଏବେ ଫୋନ କରି ଭାଇନାଙ୍କୁ ଆଉ ତେତେ ଡାକିଥାନ୍ତି ଆଉ ସବୁ ବିଷୟ କହିଥାନ୍ତି"। ଗୋଟେ ଫୋନକଲ ବାସ। ସବୁ ଅଭିମାନ ଧୋଇହୋଇ ଯାଇ ଦୁଇ ପଟୁ ହସର ସୁଅ ଛୁଟୁଥିଲା। ମନ ମରୁଭୁମିରେ ଅନ୍ତରିକତାର ଜଳସିଞ୍ଚିଦେଇ ସମ୍ପର୍କର ସପ୍ତଫେଣୀଫୁଲଟିଏ ଫୁଟାଇବାର ନିଆରା ଅନୁଭୂତି ଆମ ଦୁହିଁଙ୍କୁ ଅଭିଭୂତ କରୁଥିଲା।
