STORYMIRROR

Gargi Mishra

Abstract Drama Tragedy

4  

Gargi Mishra

Abstract Drama Tragedy

ଶେଷ ଟ୍ରେନ

ଶେଷ ଟ୍ରେନ

5 mins
10

 ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଟ୍ରେନ କେବଳ ସାଧାରଣ ଜନତା ମାନଙ୍କ ପାଇଁ ଗୋଟେ ଯୋଗାଯୋଗ ବ୍ୟବସ୍ଥା ନୁହେଁ,ତା' ଠାରୁ କେତେ ଗୁଣ ଅଧିକ ହୋଇପାରେ। ଟ୍ରେନ ଏକ ଟାଇମ ମଶୀନ ଯାହା ଦୈନନ୍ଦିନ ଜୀବନରୁ ଆମକୁ ଅନ୍ୟଏକ ୟୁନିଭର୍ସକୁ ସ୍ଥାନାନ୍ତରିତ କରିପାରେ ଯେଉଁଠି ଅନୁଭୂତି ଛୁଇଁ ଛୁଇଁ ଯାଏ ଏକ ଅଦ୍ଭୁତ ପର୍ଯ୍ୟାୟକୁ। ସେ ନେଇଯାଇପାରେ ଏକ ସ୍ବର୍ଗୀୟ ଜାଗାକୁ ଯେଉଁଠି ଏକୁଟିଆବେଳେ କିଛି ଦରନିଭା ଅଜଣା ସମ୍ପର୍କର ମିଠା ମିଠା କଷ୍ଟକୁ ଜଳନ୍ତା କୋଇଲାର ମିଞ୍ଜି ମିଞ୍ଜି ଆଲୁଅ ମଧ୍ୟରେ ଭୋଗିହୁଏ। ନିଜପାଇଁ ସମୟ କାଢି ଏମିତି ଅନୁଭୂତି ଯେଉଁମାନେ ଅଙ୍ଗେ ନିଭାଇ ନାହାନ୍ତି, ସେମାନଙ୍କ ଜୀବନ ଯାତ୍ରା କଣ ସତରେ ସମ୍ପୂର୍ଣ ? ଫେରି ଆସିବା ସମୟରେ ଟ୍ରେନ ସହିତ ସେ ସ୍ଥାନର ସୌନ୍ଦର୍ଯ୍ୟକୁ ମଣିଷ ହାତଛଡା କରିଦିଏ ଯାହା କେବେବି ଫେରି ପାଇବାର ଅବକାଶ ଥାଉ ନଥାଉ କିନ୍ତୁ ସେ ମୁହୂର୍ତ ଅନ୍ୟ ସବୁ ମୁହୂର୍ତଠାରୁ ବାରି ହୋଇପଡେ। କିଛି ମନୋରଞ୍ଜନ,କିଛି ବ୍ୟଥା, କିଛି ସ୍ମୃତି ଓ ଅନୁଭୂତିର ମିଶ୍ରଣରେ ଲେଖାଯାଏ ଜୀବନର ସବୁଠୁ ଜୀବନ୍ତ ଏବଂ ଅବିସ୍ମରଣୀୟ ମହାକାବ୍ୟ ଯାହା ମନ ସିନ୍ଦୁକରେ ଅପଢା ଅଦେଖା ହୋଇ ରହିଯାଏ ସବୁଦିନ ପାଇଁ । ସୁଲଗ୍ନା ରାଏ, ଶୁଭ୍ରାଂଶୁ ରାଏ ର ଧର୍ମ ପତ୍ନୀ। ଜୀବନରେ ସବୁକିଛି ପାଇଛି। ଭଲ ବାପଘର, ଭଲ ଶାଶୂଘର, ପାଠପଢାରେ ସଫଳତା, ଚାକିରୀ। ତଥାପି କାହିଁ କେଜାଣି ଏକୁଟିଆ ସେ? ଅସମ୍ପୂର୍ଣ ଜୀବନରେ ସିନା ଆଶାଥାଏ...କିନ୍ତୁ ସମ୍ପୂର୍ଣତା ମଣିଷକୁ କ୍ରମଶଃ ନିରାଶ କରିଦିଏ। କିଛି ସମ୍ପର୍କ ଅସମ୍ପୂର୍ଣ ହିଁ ଅକ୍ଷୁର୍ଣ ଓ ଭଲଲାଗେ। ସମସ୍ତଙ୍କ ବ୍ୟକ୍ତିତ୍ତ୍ୱର କିଛି ପାର୍ଶ୍ୱ ଅନ୍ଧାରରେ ରହିଯାଏ। ସବୁକିଛି ସମସ୍ତଙ୍କୁ କୁହାଯାଇ ପାରେନି। କିଛି ଅକୁହା କଥା କାହାଣୀରେ ଆହୁରି ରୋମାଞ୍ଚ ଭରିଦିଏ। ସଂସାରର ସବୁଠୁ ହୃଦୟସ୍ପର୍ଶି କାହାଣୀ ହୃଦୟରେ ଲେଖାଯାଇ ହୃଦୟ ଭିତରେହିଁ ବନ୍ଦ ରଖାଯାଏ...ସୁପ୍ତ ରୂପେ...ଗୁପ୍ତ ରୂପେ... ଏମିତି ଏକ କାହାଣୀ ତା' ଜୀବନରେ ବି ଆରମ୍ଭ ହୁଏ। ଅଚାନକ ବାଦଲଫଟା ବର୍ଷା ପରି। ହେଲେବି ସେ ଧସି ଯାଇନି। ସୁଲଗ୍ନା ସବୁଦିନ ଟ୍ରେନରେ ଯାଏ ନିଜ କର୍ମକ୍ଷେତ୍ର। ଘରଠୁ ଚାଳିଶ କିଲୋମିଟର ଦୂର ଏକ ବ୍ୟାଙ୍କ ଯେଉଁଠି ଜୀବନର ମୂଲ୍ୟବାନମୁହୂର୍ତର ଜମାପୁଞ୍ଜି ସବୁକୁ ସଂଚୟକରେ। ସେ ବ୍ରାଞ୍ଚର ମ୍ୟାନେଜର ସ୍ୱରୂପ ମହାପାତ୍ର। ଖୁବ ନିଆରା, ପରିପକ୍ୱ, ଭଦ୍ର ଏବଂ ସଂସ୍କାର ସମ୍ପନ୍ନ ଲୋକ। ତାଙ୍କ ସହ କ୍ରମେ ଘନିଷ୍ଠତା ବଢ଼ି ବଢ଼ିଯାଏ ସୁଲଗ୍ନାର। ଭଲଲାଗେ ତାଙ୍କସହ ମିଳା ମିଶା, କଫି ପିଆ, ଦୁଃଖ ସୁଖ ବାଣ୍ଟିବା, ଟିମ ଆଉଟିଙ୍ଗ, ଝରଣା ପାହାଡ଼ ଦେଖିବା, କବିତା ଶୁଣିବା। ହେଲେ ସେଇ ଭଲ ଲାଗିବା ଯେ ଦିନେ ଅପରିହାର୍ଯ୍ୟରେ ରୂପାନ୍ତରିତ ହୋଇଯିବ- ଏକଥା ତାକୁ ଆତଙ୍କିତକରେ। ଏମିତିରେ ତା ବ୍ରାଞ୍ଚରେ କ୍ଲର୍କ ରୂପେ ନୂଆ କରି ଜଏନ କରନ୍ତି ମେନକା ମ୍ୟାଡ଼ାମ। ମେନକା ରାଏ। ସୁଲଗ୍ନା ରାଏ ଏବଂ ମେନକା ରାଏ ଦୁଇ ଭଉଣୀ ପରି। ଏପରିକି ଅନ୍ୟ ସହକର୍ମୀମାନେ ଦୁହେଁ ଗୋଟିଏ ଘରୁ ଆସିଥିବାର ଭାବନ୍ତି। ଗୋଟିଏ ବ୍ୟାଙ୍କର କର୍ମଚାରୀ ଯେତେବେଳେ, ସହଯୋଗ ବିନା କାମ ହୁଏନି। ମେନକା ଖୁବ ଶ୍ରଦ୍ଧା ଓ ସମ୍ମାନକରେ ସୁଲଗ୍ନାକୁ। ଏତେ ମିଳାମିଶା ପରେ ସୁଲଗ୍ନା ନିଜ ଭିତରେ ସୃଷ୍ଟି ହେଉଥିବା ଢ଼େଉକୁ ଲୁଚାଇ ରଖି ପାରେନି। ସେ ସ୍ୱରୂପଙ୍କ ବ୍ୟକ୍ତିତ୍ତ୍ୱକୁ ଉଚ୍ଚପ୍ରଶଂସା କରିବାକୁ ଲାଗେ। ମେନକା ଛୋଟପିଲା ତ ନୁହେଁ। ସବୁକିଛି କେମିତି ଅଲଗା ବାସେ ତାକୁ। ସୁଲଗ୍ନା ବିବାହିତା। ଭଲସାଙ୍ଗ ହିସାବରେ ସୁଲଗ୍ନାକୁ ସତର୍କ କରାଇବାକୁ ଲାଗେ। ବିବାହପରି ଏକ ଶାଶ୍ୱତ ଓ କଠୋର ବ୍ରତକୁ ନିଷ୍ଠା ଓ ନିୟମ ସହ ନିଭାଇବା ପାଇଁ କହେ। ବାପାମାଙ୍କ କଥାରେ ବିବାହ ସୁଲଗ୍ନାପାଇଁ ପ୍ରଥମରୁ ରୋମାଞ୍ଚକର ନଥିଲା। ପ୍ରଥମେ ଯଦିଓ ମେନକା କଥା ସୁଲଗ୍ନାକୁ ଭଲ ଲାଗେନି, ପରେ ଏସବୁ ପରାମର୍ଶକୁ ସୁଲଗ୍ନା କଡା ପିତା ଔଷଧ ଭାବି ପି' ଯାଇ ନିଜକୁ ସଞ୍ଜତ କରିନିଏ। ହେଲେ ଗୋଟିଏ କଥା ସତ, ସ୍ତ୍ରୀ ଲୋକ ଘରୁ ସବୁକିଛି ପାଆନ୍ତି... ହେଲେ ପର୍ଯ୍ୟାପ୍ତ ସମ୍ମାନ ପାଆନ୍ତିନାହିଁ। ସ୍ୱରୂପଙ୍କ ନିକଟରେ ସେଥିପାଇଁ ସେ କୃତଜ୍ଞ। ସ୍ତ୍ରୀ ଟିଏ ତାକୁ ସମ୍ମାନ ଓ ମର୍ଯ୍ୟାଦା ଦେଇଥିବା ପୁରୁଷକୁ ଭୁଲିବା କଷ୍ଟ। ମନେପଡେ ସ୍ୱରୂପ କହନ୍ତି, " ସମୟ ସ୍ରୋତରେ କାଲି ହୁଏତ ତୁମେ କେଉଁଠି ମୁଁ କେଉଁଠି ପହଞ୍ଚିଯିବା। ସେ ସମୟରେ କୌଣସି ସାହାଯ୍ୟ ବା ସହାନୁଭୂତି ନୁହେଁ, ମୋ ପାଇଁ କେବଳ ଖୁସି ରହିବ...ମୁଁ ଖୁସି ରହିବି। ମୋତେ ସମୟ ଅସମୟରେ ମନେ ପକାଇବ। ମୁଁ ବୁଝିଯିବି" ଏସବୁ ଅନ୍ତରଙ୍ଗ ଆଳାପକୁ ମନେ ମନେ ଝୁରିବା ସ୍ୱାଭାବିକ...ତଥାପି ସମସ୍ତଙ୍କ ମଙ୍ଗଳ ପାଇଁ ଦୂରେଇ ଯାଏ। ଦିନ ପରେ ଦିନ ବିତେ। ସ୍ୱରୂପ ଏବଂ ମେନକା ଉଭୟଙ୍କ ଘନିଷ୍ଠତାକୁ ନେଇ ଅଫିସରେ ଲୋକଙ୍କୁ ଟୁପୁର ଟାପୁର ହେଉଥିବାର ଶୁଣି କାନକୁ ବିଶ୍ୱାସ କରିପାରେନି !! ନିଜ ଆଖିରେ ଦେଖିବାକୁ ଯାଏ। ହଁ, ମେନକା ଦରକାର ଠାରୁ ଅଧିକ କଥା ହେଉଥାଏ... ଭାବେ, ତାକୁ ସେ କିଛିଦିନ ତଳେ ଏତେସବୁ ମହତଜ୍ଞାନ ଦେଇ ସତର୍କ କଲାପରେ ନିଜେ କଣ କରୁଛି? ହେଲେ ଚୁପରୁହେ। ମନେ ମନେ ଭାବେ ତା ପରି ସେ ଦୁହେଁ ମଧ୍ୟ ଏକା ବ୍ରାଞ୍ଚରେ କାମ କରୁଥିବା ବନ୍ଧୁ। ଏଥିରେ ସ୍ୱରୂପଙ୍କ ଭୂଲ କଣ? ସେ ସ୍ତ୍ରୀ ଲୋକଙ୍କୁ ସମ୍ମାନ ଦିଅନ୍ତି। ଯିଏ ନାହିଁ ସିଏ ତାଙ୍କ ବ୍ୟକ୍ତିତ୍ତ୍ୱ ପ୍ରତି ଆକର୍ଷିତ ହୋଇଯିବ। ତା'ଛଡା ତାଙ୍କ ଉପରେ ଅଧିକାର କଣ ତାର? ସ୍ୱରୂପ ମହାପାତ୍ର କାହା ସହ କଥା ହେବେ ବା ହେବେନି ସେ ଉପରେ ସୁଲଗ୍ନା ରାଏ କାହିଁ ମୁଣ୍ଡ ଖେଳାଇବ? ଅଧିକ ଭାବିବାରୁ ମନକୁ କ୍ଷାନ୍ତ ରଖେ। ଭାବେ ସ୍ୱାମୀଙ୍କୁ ଯାଇ କହିବ, ତାକୁ ସ୍ୱରୂପଙ୍କ ପରି ସମ୍ମାନ କରିବାକୁ, ତା ଚାଲି ଚଳଣିକୁ ସନ୍ଦେହ କରିବାକୁ, ତା ଉପରେ କଡା ନଜର ରଖିବାକୁ। ପୁରୁଣାଦିନ କର୍ପୁର ପରି ଉଡ଼ିଯାଏ। ମେନକା ସାଜି ସୁଜି ହେବା, ତା ଠାରୁ ଦୂରତା ବଜାଏ ରଖିବା ତାର ପ୍ରମୋସନ ଆଦି ନାନା ନୂଆକଥା ତା' ସ୍ଥାନ ନେଇଯାଏ। ସ୍ୱରୂପ ମଧ୍ୟ ଖୁବ ବ୍ୟସ୍ତ ହେବାର ଅଭିନୟ କରିବା ଦେଖି ସେ ମନେ ମନେ କଷ୍ଟପାଏ। ମନକୁ ବୁଝାଏ... ହେନାଫୁଲ ନିଜ ଧଳାରଙ୍ଗରେ କେତେଦିନ ଆକର୍ଷିତ କରି ରଖିପାରେ ବିଶ୍ୱକୁ? ଆଦିତ୍ୟ ଠୁଁ ଚୋରା କିରଣ ନେଇ ଇନ୍ଦ୍ରଧନୁ ରଙ୍ଗୀନ। ସେ ଏକ ଭ୍ରମବୋଲି ସଭିଙ୍କୁ ଜଣା। ଯେତେ ଅଳିକ ହେଲେବି ଖୁବ ମନଲୋଭା, ତାର ଆକର୍ଷଣକୁ କଣ ଏଡାଇ ହେବ? ମେନକା ଓ ସ୍ୱରୂପ ଉଭୟ ଅଫିସରୁ ଛୁଟିନିଅନ୍ତି। ଏକା ଦିନେ। ସୁଲଗ୍ନା ଭାବୁଥାଏ ମେନକାକୁ ସେ ନିଶ୍ଚିତ ନେଇଯାଇଥିବେ ସେଇ ସାଇଟ ଉପରକୁ ଯେଉଁଠି ଘନ ଜଙ୍ଗଲ, ପାହାଡ଼, ଝରଣା ଓ ଆକାଶ ଓ ପୃଥିଵୀର ମିଳନର ଅଦ୍ଭୁତ ଶୋଭା ଦେଖୁ ଦେଖୁ ସ୍ୱରୂପ ନିଜ ସ୍ୱ-ରଚିତ କବିତାର ସ୍ତବକ ସଜେଇ ଦେଇଥିବେ ମେନକାର ପ୍ରଶଂସାରେ। କିଛି ମିଛ ପ୍ରତିଜ୍ଞା ସହ ଏକ ମୁଗ୍ଧ ଆବେଗରେ ବାନ୍ଧି ହୋଇପଡ଼ିଥିବେ ଦୁହେଁ। ସମ୍ଭାବନାର ନଈ ମୁହାଣ ଛୁଁ ଥିବ। ନିରୀହ ଆଖିରୁ ତାର ଝର ଝର ଲୁହ ବୋହିଯାଏ। ଦିନେ ବାହାରେ କଫି ପିଇବା ସମୟରେ ମେନକା ସ୍ୱରୂପଙ୍କ ହାତରେ ହାତ ରଖିବାର ଦେଖି ସେ ଦୁହିଁଙ୍କ ସମ୍ପର୍କ ବିଷୟରେ ପଚାରେ। ସ୍ୱରୂପ ଶଙ୍କି ଯାଆନ୍ତି। ହେଲେ ସେସବୁକୁ ଭୃକ୍ଷେପ ନକରି ସୁଲଗ୍ନା ବିବାହିତା ଏବଂ କଳଙ୍କିନି ବୋଲି ତାର ଖୁବ ଅସମ୍ମାନ କରେ ମେନକା। ହେଲେ ଅନ୍ୟ ଉପରକୁ କାଳି ଛାଟିବା ପରେ ନିଜ ହାତ ପରିଷ୍କାର କରିନେବାକୁ ଉପଦେଶ ଦିଏ ସୁଲଗ୍ନା, ନିଜ ଜାମାପଟାରେ ଦାଗ ନ ରହୁ ବୋଲି ସାବଧାନ କରାଇ ଚାଲିଯାଏ। ନିଜ ଇସ୍ତଫା ପତ୍ର ଦାଖଲକରି ଶେଷଟ୍ରେନ ଚଢି ଚାଲିଆସେ ସେ ବିଷମୟ ଜାଗାରୁ... ଷ୍ଟେସନ ବେଞ୍ଚ ଉପରେ ବସି ଭାବେ, ବନ୍ଧୁତା ଓ ପ୍ରେମ ପରି ଆବେଗର ମରୀଚିକାରେ ପଡି ସେ ଜୀବନର ମୂଳଲକ୍ଷ୍ୟ ଭୁଲିଯାଇଛି। ଲଜ୍ଜା ଓ ଧିକ୍କାରରେ ଇଚ୍ଛାହୁଏ ତାର ଟ୍ରେନ ଲାଇନରେ ଶୋଇଯିବାକୁ। ବୁଝାଇବାକୁ କେହି ପାଖରେ ନଥାନ୍ତି, ନିଜକୁ ନିଜେ ବୁଝାଏ। ପ୍ରେମ ଏକ ବଳିଷ୍ଠ ସମ୍ପର୍କ ଯାହା ଜାଳିଲେ ଜଳେନାହିଁ, ମାରିଲେ ମରେନାହିଁ, ହେଲେ ବାଣ୍ଟିବା ସହିପାରେନି। ଆପେ ଆପେ ଫେରିଯାଏ ଲହୁଲୁହାଣ ହୋଇ। ହୃଦୟରେ ହୃଦୟଭର୍ତ୍ତି କଷ୍ଟ ଦେଉଥିଲେ ମଧ୍ୟ ଅଭିଜ୍ଞତାର ଜ୍ଞାନ ବହୁତ ମୂଲ୍ୟବାନ। ପରିସ୍ଥିତି ତାକୁ ଗାଲରେ ଏକ ଶକ୍ତ ଚାପୁଡ଼ା ମାରି ନୈତିକ ଶିକ୍ଷା ଦେଇଛି। ଦିନେ ହୁଏତ ମେନକା ବି ସେ ଚାପୁଡ଼ା ଖାଇବ ଓ ତା ପରେ କେଉଁ ସୁଲୋଚନା ଓ ତାପରେ ଅନ୍ୟକିଏ। କର୍ମ କିନ୍ତୁ କାହାରି ସହ ପାତର ଅନ୍ତର କରେନା।ଏମିତି ଖେଳ କିଏ ସ୍ୱରୂପ ସହ ବି ଭବିଷ୍ୟତରେ ଖେଳିବ। ସେବେ ସେ ବୁଝିବ ଲୁହର ମୂଲ୍ୟ। ଯାହା ହେଉ। ପାପ ଓ କର୍ମଫଳ ଭୋଗି ସାରିଥିବା ମୁକ୍ତ ପକ୍ଷୀ ସେ ଆଜି। ସ୍ୱାମୀ ଓ ଘରକୁ ଭଲଭାବେ ଦେଖିନିଏ। ସ୍ୱାମୀଙ୍କ ଗୋଇଠିରେ ଫାଟ, ଦାଢ଼ି ମେଞ୍ଚେ, ବାଳ କଟା ହୋଇନି। କେବେଠୁ ମା ସହ ଫୋନରେ କଥା ହୋଇନି, ସେ ବ୍ୟସ୍ତ ହେଉଥିବ। ଠାକୁର ଘର ଆଗରେ ହାତଯୋଡି ବସି କ୍ଷମା ପ୍ରାର୍ଥନାକରେ। "ଇଶ.. କେତେ ଅସନା ହୋଇଗଲାଣି ଏ ଭିତରେ, ବାଥରୁମ ଭିତରେ ବଲୁରି ବସା, ଫ୍ୟାନରେ ଧୂଳି ଜମିଗଲାଣି ସେ କାହିଁ ଦେଖି ପାରୁନଥିଲା? ଟ୍ରେନ ବିଳମ୍ବ ହୋଇଯିବ ବୋଲି ବଡି ସକାଳୁ କର୍ମକ୍ଷେତ୍ର କୁ ଧାଇଁ ସଞ୍ଜ ଅନ୍ଧାରରେ ଫେରିବା ଭିତରେ ବଳ କଉ ଥାଏ ଯେ ସେସବୁ ଦେଖିବ? ଲାଗୁଥିଲା, ବହୁତ ଦିନପରେ ଯେମିତି ଘରକୁ ଫେରି ଆସିଛି... ଘର- ଯାହାକୁ ସେ ଏକାନ୍ତ ନିଜର କହିପାରୁଥିବ, ଅଧିକାର ସାବ୍ୟସ୍ତ କରି ପାରୁଥିବ, ମନଇଚ୍ଛା ଚିଲ୍ଲାଇଲେବି ସେଘରଲୋକେ ତା'ସହ ମିଶି ଚଳୁଥିବେ। ରାତିରେ ନିଶ୍ଚିନ୍ତ ହୋଇ ଶୋଇପାରୁଥିବ। ସେଠି ନା ଜୀବନ ଦୌଡ଼ରେ ମାତି ମଣିଷ ଧଇଁ ସଇଁ ହେଉଥିବ ନା ବାଟବଣା। ଆଜିଠୁ ଟ୍ରେନର ବିରକ୍ତିକର ଧଡ଼ ଧଡ଼ ଶବ୍ଦରୁ ମୁକ୍ତି। ନିଶ୍ଚିତ କରେ ଆଜିର ଯାତ୍ରା ତା ଜୀବନର ଶେଷ ଟ୍ରେନ ଯାତ୍ରା। କେବେ ଆଉ ଟ୍ରେନରେ ବସି କୁଆଡେ ଯିବନାହିଁ, ଘରଛାଡି କେଉଁ ସ୍ବର୍ଗୀୟ ସ୍ଥାନ ସନ୍ଧାନରେ


Rate this content
Log in

Similar oriya story from Abstract