ପୁଣିଥରେ
ପୁଣିଥରେ
ଶୀତ ଅପରାହ୍ନ। ଆଖି ଆଗରେ କଳା ମଚମଚ ପିଚୁ ସଡ଼କ। ରାସ୍ତାର ସ୍ରୋତ ଖୁବ ତୀବ୍ର ଲାଗୁଥାଏ... ସରିତାର ଧମନୀରେ ବହୁଥିବା ରକ୍ତପରି ! ତାର ମନେ ହେଉଥାଏ ପ୍ରତିରୋଧରେ ପ୍ରବଳ ଶକ୍ତିଥାଏ। ଆଜିଯାଏ କେଉଁଠି ଥିଲା ତା ଭିତରେ କେଜାଣି ? ସେକ୍ରେଟେରୀଏଟ ଠାରୁ ଏୟାରପୋର୍ଟ ଯାଏ ହ୍ୱାଇଟ ଟପିଙ୍ଗ କାମ ଚାଲିଥିବାରୁ ସିଙ୍ଗଲ-ଲେନ ରାସ୍ତାଟି ଅନ୍ୟଦିନ ମାନଙ୍କଠାରୁ ଅପେକ୍ଷାକୃତ ସଂକୁଚିତ ଲାଗୁଥାଏ। ଦୃତଗତିରେ ମାଡି ଆସୁଥିବା ଯାନବାହାନ ସବୁ ଗୋଟେ ଗୋଟେ ଅଶାନ୍ତ ରାକ୍ଷସ ପରି ଦିଶୁଥାନ୍ତି ତାକୁ। ସେମାନଙ୍କ ପ୍ରତିକୂଳରେ ଆଗେଇବା ସହଜନୁହେଁ। ହେଲେ ପରିସ୍ଥିତିକୁ ସାମ୍ନା କରିବାକୁ ଦୁଃସାହସ କରିବାକୁ ହୁଏ। ଏପରି ସ୍ଥଳେ ମନରେ ପ୍ରବଳ ଇଚ୍ଛାଶକ୍ତି ଖୁନ୍ଦି ଦେଇଛନ୍ତି ଯେପରି ଠାକୁରେ। ବିଦେଶ ଛାଡି ସବୁଦିନ ପାଇଁ ନିଜ ଭିଟାମାଟିକୁ ଫେରି ଆସିଛି ସରିତା। ବହୁତ ବଡ଼ ଯୁଦ୍ଧ ଲଢ଼ିବାକୁ ପଡିଛି ତାକୁ ଏଥିପାଇଁ। ତାର ବାହାଘର ଧୁମଧାମରେ କରି ନିଶ୍ଚିନ୍ତ ହୋଇଯାଇଥିଲେ ଶୁଭେନ୍ଦୁ ବାବୁ ଏବଂ ପ୍ରୀତିଲତା ଦେବୀ। ବଡ଼ପୁଅ ପ୍ରଶାନ୍ତ ଏବଂ ତା ତଳେ ସରିତା । ଝିଅ ବାହାଘର ପରେ ପରେ ରିଟାୟାରମେଣ୍ଟ। ପୁଅ,ବୋହୁଙ୍କ ସାଥିରେ ରହୁଥିଲେ ଉଭୟ ଦମ୍ପତି। ହେଲେ, ତାଙ୍କ କପାଳରେ ଦୀର୍ଘ ଦାମ୍ପତ୍ୟ ଜୀବନର ସୌଭାଗ୍ୟ ବୋଧହୁଏ ନଥିଲା। ଭାଉଜ କହୁଥିଲେ ବାପାଙ୍କ ମୁଣ୍ଡ କାମ କରୁନି ମଝିରେ ମଝିରେ। ଏତେବଡ଼ ଅଥଚ ଅଚିହ୍ନା ଦୁନିଆ। ସେଥିରେ ମଣିଷଟିଏ ମଣିଷକୁ ଆଦରି ନେଇ ତାର ସାହା ଭରସା ହୋଇ ଠିଆ ହେଲାବେଳେ ଲାଗେ ସବୁକିଛି ହାତପା'ନ୍ତାରେ ଇ ତ। ହଠାତ ସୁଖଦୁଃଖର ସାଥିଟିକୁ ଵିଧି ଛଡାଇ ନେଇଯାଏ ଅତ୍ୟନ୍ତ କ୍ରୁର, ନିଷ୍ଠୁର ଭାବରେ। ଶୂନ୍ୟ ପୃଥିବୀରେ ମାନସିକ ସ୍ଥିତି ସନ୍ତୁଳିତ ହୋଇ ରହେନାହିଁ। ଟ୍ୟାକ୍ସିରେ ବସି ପୁରୁଣା କଥା ଭାବୁ ଭାବୁ ଏୟାରପୋର୍ଟରୁ କେତେବେଳେ ଭି. ଏସ. ଏସ. ନଗର ହୋଇଗଲାଣି। ବର୍ଷ ବର୍ଷ ବାପାଙ୍କ ସହ ଦେଖା ହେବାର ପ୍ରତୀକ୍ଷାରେ କାଟିଛି ସରିତା। ସ୍ମୃତିରେ ଆଜିବି ବାପାଙ୍କ ଚେହେରା ସଜୀବ। ତୋଫା ଗୋରା ଛ' ଫୁଟିଆ ହୃଷ୍ଟପୁଷ୍ଟ ମଣିଷ। କୁନ୍ଦିଲା କୁନ୍ଦିଲା ଦାନ୍ତପଙ୍କ୍ତିର ହସ ଯେପରି ଶିବଙ୍କ ମସ୍ତକରେ ଚନ୍ଦ୍ରମା ସଦୃଶ ଶୋଭା ପାଉଥାଏ। ଗଲାଥର ବିଦାୟ ଦେଇ ସରିତା ଶାଶୂଘର ଫେରୁଥିଲା ବେଳେ, ଧୀର ଶାନ୍ତ ବାଧ୍ୟ ଶିଶୁଟିଏ ପରି ଏୟାରପୋର୍ଟରେ ଛିଡା ହୋଇଥାନ୍ତି ବାପା। ତାଙ୍କ ଆର୍ଦ୍ର ହୋଇ ଆସୁଥିବା ଆଖି ଯୋଡ଼ାକରେ ଅନେକ ଅକୁହା କଥା। ଜୀବନକୁ ଜଳାଞ୍ଜଳି ଦେଇ ଦେଇଥିବା ତ୍ୟାଗ ଓ ସମର୍ପଣର ପ୍ରତିମୂର୍ତ୍ତିଟିଏ ବାପା। ବେଲ ଟିପିଲା ସରିତା, କବାଟ ଖୋଲି ଝିଅକୁ ଫେରି ଆସିଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ ଶୁଭେନ୍ଦୁ ବାବୁ। "ଆରେ ମାଆ....ଖବର ନଦେଇ ପୁଅକୁ ଧରି ହଠାତ ଚାଲି ଆସିଲୁ ଯେ? ମୋତେ ଥରେ କହିଥିଲେ ମୁଁ ନିଜେ ଯାଇ ନେଇ ଆସି ନଥାନ୍ତି? ଆଉ ଜ୍ୱାଇଁ, ଶାଶୁ ଶ୍ୱଶୁର ସମସ୍ତେ ଆମେରିକାରେ ଭଲ ଅଛନ୍ତି ତ?" "ସବୁଭଲ ବାପା। ତୁମକୁ ଦେଖିବାକୁ ଭାରି ଇଚ୍ଛାହେଲା".... ସଂକ୍ଷିପ୍ତ ଉତ୍ତର ଦେଇ ବାପାଙ୍କୁ ପ୍ରଣାମ କଲା। ଏ ଭିତରେ ବୟସ ଅନୁପାତ ରେ ବୃଦ୍ଧ ଦେଖା ଗଲେଣି ବାପା। ଆଜିକାଲି ଆଣ୍ଠୁ ଗଣ୍ଠି ବାତ ବାହାରିବାରୁ ଲାଠିର ସାହାଯ୍ୟ ନେଇ ଚାଲୁଛନ୍ତି। ଘରଟା ଏକଦମ ଅପରିଷ୍କାର। ବ୍ୟବହୃତ ଲୁଗାପଟା ଯେପରି ସଫା ହୋଇନି ବର୍ଷ ବର୍ଷ। ବୁଝିପାରିଲା ଅସହାୟତା କେମିତି ମଣିଷକୁ ପଙ୍ଗୁ ଅଥର୍ବ କରିଦେଇଥାଏ, ଭିତରୁ। ମା' ଙ୍କ ଚାଲିଯିବା ପରେ ଖୁବ ରୁଗ୍ଣ ହୋଇ ପଡିଛନ୍ତି ବୋଲି ଭାଉଜ କହୁଥିଲେ। ଆଉ ଆମେରିକା ଫେରିବାର ନାହିଁ କହିଲେ କଣ ହେବ ତାଙ୍କ ଅବସ୍ଥା କେଜାଣି? ଧୁଆ ଧୁଇ ହେବାପାଇଁ ବାଥରୁମ ଗଲା ସରିତା। ସେତିକି ବେଳେ ଉପର ଘରୁ ଶ୍ୱଶୁରଙ୍କୁ ଖାଇବାକୁ ଦେବାପାଇଁ ତଳକୁ ଓଲ୍ହାଇ ଆସିଥିବା ଭାଉଜ ଖୁବ କଡା ଭାଷାର ପ୍ରୟୋଗ କରି କିଛି କହୁଥାନ୍ତି। କାନେଇଲା ସରିତା। ଜିନିଷପତ୍ର ସବୁ କଚଡ଼ା ଫୋପଡ଼ା କରି ବାପାଙ୍କ ଉପରେ ଗର୍ଜନ ତର୍ଜନ କରିବାର ସ୍ପଷ୍ଟ ଶୁଭୁଥାଏ। ଭାଇ ମଧ୍ୟ ଭାଉଜର ହଁ ରେ ହଁ ମିଶାଇ ଆହୁରି ଉଗ୍ର ସ୍ୱରରେ ପାଟି ତୁଣ୍ଡ କରୁଥାଏ। ସରିତା ଭାଇ ଭାଉଜଙ୍କ କଥାରୁ ଠଉରେଇଲା ବାପା ନିଜ ପେନସନ ପଇସାରୁ ସେମାନଙ୍କୁ ନ ପଚାରି ସାଙ୍ଗ ଝିଅ ବାହାଘର ନିମନ୍ତେ ଆର୍ଥିକ ସାହାଯ୍ୟ ରୂପେ ପଇସା ଦେଇ ଦେଇଛନ୍ତି କିଛି। ଭାଇ କ୍ଷୁବ୍ଧହୋଇ କହୁଥାଏ "ସେ କେଉଁ ସଙ୍ଗାତ କେଜାଣି? ଏତେ କା ସହ ଭାବ ଲାଗିଛି? ପର ପାଇଁ ଚିନ୍ତା ଘରଖର୍ଚ୍ଚ ପାଇଁ ସାହାଯ୍ୟ କରିବାକୁ ମନ ହେଉନାହିଁ। ବାପାଙ୍କ ଉପରେ ଗର୍ଜନ ତର୍ଜନକରିବା ବେଳେ ସେଦୁହେଁ ଜାଣି ନଥାନ୍ତି ସରିତା ଘରକୁ ଆସିଛି ବୋଲି। କହନ୍ତି ଆପଣା ସୁନା ଭେଣ୍ଡି ଯେତେବେଳେ କହିବ କାହାକୁ? ତେଵେ ନିଜ ପଇସା ଲୋଭୀ ପୁଅବୋହୁଙ୍କ ମାନସିକ ଅତ୍ୟାଚାର ସେ ହୃଦୟରେ ଲୁଚାଇ ସବୁବେଳେ ହସି ଚାଲିଛନ୍ତି!! ବାହାହେଲା ଝିଅକୁ କଣ ଏସବୁ କହିହେବ? ସରିତା ଛୁଆ ନୁହେଁ। ତାର ବୁଝିବାକୁ ବାକି ନଥିଲା ବାପାଙ୍କ ଯନ୍ତ୍ରଣା କଥା। ସରିତା ପାଇଁ ତା ବାପା ଦୁନିଆରେ ସବୁଠୁ ଆପଣା। ତାର ଜୀବନ । ଭଗବାନଙ୍କ ଠୁଁ ଅଧିକ ମଣେ ବାପାଙ୍କୁ। ତାଙ୍କ ଉପରେ ଏପରି ଅଭଦ୍ରୋଚିତ ବ୍ୟବହାର ତା' ପକ୍ଷରେ ସହିବା ଅସମ୍ଭବ। ସେ ରକ୍ତର ଭାଇ ହେଉତ ଆଉ ଯିଏ ବି ହେଉ.... ଗେହ୍ଲାରେ ବଢିଥିବା ସରିତା ବିବାହ ପରର ଦୁଃଖ ନା କହିପାରେ ନା ସହିପାରେ। କେବଳ ଭାବେ, ପଞ୍ଜୁରୀ ଭିତରେ ସେ ସିନା ନିର୍ବାକ ପକ୍ଷୀ ହୋଇ ନିଜ କ୍ଷୀଣକୋପୀ ଶାଶୁ ଶ୍ୱଶୁର ଏବଂ ମଦ୍ୟପ ସ୍ୱାମୀଙ୍କ ଅତ୍ୟାଚାର ସହୁଛି, ହେଲେ ତା ଚୁପ ରହିବାରେ ହୁଏତ ତା' ପରିବାରର ମଙ୍ଗଳ। କେତେଥର ଭାବିଛି ଏ ଜୀବନ ଦରକାର ନାହିଁ... କେତେଥର ଚିନ୍ତା କରିଛି ନିଜ ଲୋକଙ୍କୁ ସତକଥା ସବୁ କହିଦେବ... ହେଲେ ଭାଇ କଥାରେ ପଡି ଚୁପରହିଯାଏ.... ସମାଜରେ ନିଜ ପରିବାରର ପ୍ରତିଷ୍ଠା ପାଇଁ, ନିଜଲୋକଙ୍କ ଖୁସି ପାଇଁ । ଏକ ଅବାସ୍ତବ ସୁଖୀ ଜୀବନର ଫୋଟୋ ଦେଇ ନିଶ୍ଚିନ୍ତ କରାଏ। ସେସବୁର ଫାଇଦା ଉଠନ୍ତି ଶାଶୂଘର। ହେଲେ ତା' ପରି ତା ବାପାବି ପେଶି ହେଉଛନ୍ତି ସମୟର ନିଷ୍ଠୁର ଚକାରେ ଏ କଥା ତାର କଳ୍ପନା ବାହାରେ। ଆଗରୁ ଅଳ୍ପ ଦିନ ପାଇଁ ବାପଘରକୁ ଆସି ସେ ଚିନ୍ତାଶୂନ୍ୟ ହୋଇ ଫେରିଯାଏ। ବାପାଙ୍କୁ ସେମାନଙ୍କ ଜିମାରେ ଦେଇ ଦେଇଛି। କୁଡ଼ିଆ ଉପରେ ନଡ଼ିଆପତ୍ର ଛାଉଣି କରି ସମୁଦ୍ରକୁ ନାଁ ବାହି ଦେଇଥିବା ନୋଳିଆର ନିଶ୍ଚିନ୍ତତା ମନରେ। ଗୋଟେ ତୋଫାନ ରାତି, ବାସ.... ପାଣି ଫୋଟକା ପରି ବିଶ୍ୱାସ...ଏପଟେ ନା ନଉକା ରହେ ନା ସେପଟରେ କୁଡ଼ିଆ। ବାଥରୁମ କବାଟଫିଟାଇ ସରିତା ଦେଖିଲା, ବାପାଙ୍କୁ ଅସହାୟ ହୋଇ କାନ୍ଦୁ ଥିବାର। ଆଶ୍ଚର୍ଯ୍ୟ ଏବଂ ଶଙ୍କିତ ହୋଇ ଦେଖୁଥାନ୍ତି ତାକୁ ଭାଇ ଓ ଭାଉଜ। ନିଜ କଟୁକ୍ତି ଏବଂ ଦୁର୍ବ୍ୟବହାର ପାଇଁ ଲାଜରେ ସେ ଜାଗାରୁ ଚାଲିଯାଇଥାନ୍ତି ଭାଉଜ। ଝିଅ ସାମ୍ନାରେ ସୁଖୀ ପରିବାରର ଅଭିନୟ ସବୁ ଧରା ପଡି ଯାଇଥାଏ। ସରିତା ଜନ୍ମରୁ ଭାବେ ଧର୍ଯ୍ୟର ଏକ ପ୍ରତୀକ ବାପା। ବୋଉ ଚାଲିଯିବା ବେଳେ ମଧ୍ୟ ବାପାଙ୍କୁ କାନ୍ଦିବାର ଦେଖିନଥାଏ। ବୋଉର କ୍ରିୟା କର୍ମ ସବୁ ସୁଚାରୁ ରୂପେ ସମ୍ପାଦନ କରି ସମସ୍ତଙ୍କୁ ସମ୍ଭାଳି ନେଇଥାନ୍ତି ସେ। ଆଜି ବାପା ଦୁର୍ବଳ ହୋଇପଡିଛନ୍ତି। ତାଙ୍କୁ ଧରି ଉଠାଇଲା ସରିତା। କହିଲା, " କାନ୍ଦ ବାପା। ଛାତିଫଟାଇ କାନ୍ଦ... ଏ ସମାଜ ଶୁଣୁ ତୁମ କଷ୍ଟ ସବୁ।ଯେପର୍ଯ୍ୟନ୍ତ ସତ ସହିତ ମୁହାଁମୁହିଁ ହେବାକୁ ମଣିଷ ଡରେ, ସେଯାଏ ସେ କୃତ୍ରିମଖୁସିରେ ସୁଖୀ। ବରଂ ପ୍ରାକୃତିକ ରୂପେ କାନ୍ଦିବାହିଁ ଶ୍ରେୟସ୍କର। ଭାଇକୁ ଚାହିଁ କହୁଥାଏ, ଭାଇ, ଶାଶୂଘରେ ମୁଁ ନିର୍ଯ୍ୟାତନାର ଶିକାର ଜାଣି ମଧ୍ୟ ମୋତେ ଦମ୍ଭ ବା ସୁରକ୍ଷା ଦେବାକୁ ତୁ ଆସିପାରିଲୁନି। ଦିନେହେଲେ ତୋତେ ରାକ୍ଷୀର ମର୍ଯ୍ୟାଦା ରଖିବାକୁ ମନ ବଳେଇଲା ନାହିଁ? ପିଲାଦିନେ ବାପାଙ୍କ ପିଠିରେ ଲାଉ ପଚା ହୋଇ ଭୂଇଁରେ ତୁ ଚାଲିନଥିଲୁ। ତୁ କଣ ବୁଝିବୁ ବାପାଙ୍କ ପାଦରେ ରେ ଫୁଟିଥିବା କଣ୍ଟା, ରଗଡି ହୋଇଥିବା ଗୋଡି ପଥର, ଦଳି ଚକଟି ହୋଇଥିବା ସ୍ବପ୍ନ ଏବଂ ପଛରେ ଛାଡି ଆସିଥିବା ଆଶା ଆକାଂକ୍ଷାର ଭଗ୍ନାଂଶ ସବୁକୁ? ଭାଇ ଓ ଭାଉଜଙ୍କୁ ଅନୁତପ୍ତ ଛାଡି ବାପାଙ୍କୁ ଓ ନିଜ ପୁଅକୁ ନେଇ ତତକ୍ଷଣାତ ଚାଲିଗଲା ସରିତା କୋଳାହଳ ପୂର୍ଣ୍ଣ ସହରର କେଉଁ ଅଚିହ୍ନା ଗଳିରେ ଚାକିରୀ ଓ ଭଡାଘରଟିଏ ଖୋଜି। ବାପାଙ୍କ ଦେଇଥିବା ଶିକ୍ଷା ଓ ସଂସ୍କାର ଓ ନିଜ ପ୍ରତିଭା ଉପରେ ତାର ପ୍ରଚୁର ଭରସା। ପ୍ରଚୁର ବିଶ୍ୱାସ। ସ୍ୱାମୀ ଓ ଭାଇଙ୍କ ଦ୍ୱାରା ଅବହେଳିତ ସରିତା, ବାପାଙ୍କ ନିସ୍ଵାର୍ଥପର ଭଲପାଇବାର ଋଣ ପରିଶୋଧ କରିବାକୁ ଚାଲି ଆସିଥିଲା। ହାରି ନଯାଇ ବାପାଙ୍କ ସେବାରେ ଜୀବନକୁ ନିୟୋଜିତ କରିବାକୁ ଉଚିତ ମଣି ଥିଲା ସେ। ବାପା ବୁଝୁଥିଲେ, ଆଦର ଯତ୍ନ କରିଥିଲେ ଝିଅଟିଏ ରତ୍ନ ପରି କାମଦିଏ। ଜୀବନରେ ଅନେକ ଦୁଃଖ, ରୋଗ ଯନ୍ତ୍ରଣା ଆଦି ଆସେ। ବୀତସ୍ପୃହତା ହୁଏତ ଜନ୍ମଚକ୍ରରୁ ନିସ୍ତରିବାର ଭଗବାନଙ୍କ ସୁଚିନ୍ତିତ ଉପାୟ। ଏଥିପାଇଁ ଗ୍ରାହ୍ୟସ୍ଥ ଜୀବନରେ ବାରମ୍ବାର ନିଷ୍ପେସିତ ହେବାକୁ ପଡେ। ଏମିତି କ୍ଷେତ୍ରରେ ଆପଣାପଣ, ସ୍ନେହ ଏବଂ ଭଲପାଇବା ଥିଲେ ଜୀବନଯାତ୍ରା ଆପେକ୍ଷିକ ରୂପେ କମ ଜଞ୍ଜାଳପୂର୍ଣ୍ଣ ଲାଗେ। ଶେଷ ଜୀବନରେ ଶୁଭେନ୍ଦୁ ବାବୁ ଝିଅ,ନାତିଙ୍କୁ ନେଇ ନିଜ ନୂଆ ପରିବାର ସହ କାଟୁଥିଲେ ଏକ ତୃପ୍ତିପୂର୍ଣ୍ଣ ଜୀବନ। ମନରେ ଅଫୁରନ୍ତ ଖୁସି।ବାପ ଓ ଝିଅ ଉଭୟଙ୍କ ମନରେ ବଞ୍ଚିବାର ଆଶା ଡାଳଉଥାଏ ପୁଣିଥରେ ।
