STORYMIRROR

Gargi Mishra

Drama Tragedy Inspirational

4  

Gargi Mishra

Drama Tragedy Inspirational

କନ୍ୟାଭୃଣ ହତ୍ୟା ସପକ୍ଷରେ

କନ୍ୟାଭୃଣ ହତ୍ୟା ସପକ୍ଷରେ

5 mins
10

 ଦିନକ ପୂର୍ଵରୁ ଆଡମିଟ ହୋଇଥିବାଏକ ଗର୍ଭବତୀ ମହିଳାର ନାଡୀ ଚିପି ମୃତ ଘୋଷଣା କରିଦିଆଗଲା। ତାର ତକିଆ ତଳୁ ମିଳିଥିଲା ଏକ ସୁଇସାଇଡ ନୋଟ।ଡାକ୍ତର ମହାନ୍ତି ପଢୁଥିଲେ ତାଙ୍କ ଘରଲୋକଙ୍କ ସାମ୍ନାରେ। "ମୁଁ ସୁମତି, ବାପାଙ୍କ ଦ୍ଵିତୀୟ ସନ୍ତାନ। ମୋ ଉପରେ ମୋର ଭାଇ ସୌରଭ, ସେ ମୋ ଠାରୁ ଦୁଇ ବର୍ଷ ବଡ଼, ବଂଶର ଏକ ମାତ୍ର ଦାୟାଦ। ସେ ଜନ୍ମହେଲା ଦିନ ସମସ୍ତଙ୍କ ଖୁସି କହିଲେ ନସରେ ପୁଅ ହୋଇଛି ବୋଲି, ଘର ପୁଲାଉ, ମାଂସ,ଖିରି ପୁରିରେ ଭାସିଥିଲା। ଜେଜେ କେବଳ ବନ୍ଧୁ କୁଟୁମ୍ବ ନୁହେଁ ଗାଁ ଖୁଆଇ ଥିଲେ । ସେଦିନ ମୋ ଜେଜେମା' ଷୋଳ ପୂଜା ଯାଚିଥିଲା। ମୋ ମା'କୂଳବୋହୁ ହିସାବରେ ତାର ସ୍ତ୍ରୀ ଜୀବନ ସାର୍ଥକ କରି ଆଉ ଟିକେ ଗେଲ୍ହା ହୋଇଯାଇଥିଲା। ବାପା ତା ପାଇଁ ତିନିଭରି ଓଜନର ଖାଣ୍ଟି ସୁନାର ଚନ୍ଦ୍ରହାର କିଣି ଆଣିବା ସହିତ ନୂଆଘର କାଗଜ ପତ୍ର ତା' ନାଁ ରେ କରି ଦେଇଥିଲେ। ମୁଁ ଜନ୍ମହେବା ପରେ ଡାକ୍ତର କହିଦେଲେ ମା'ର ଜୀବନ ରକ୍ଷା ପାଇଁ ଅପରେସନ କରିବାକୁ ପଡିବ। ଅପରେସନ ସହିତ ମୋ ମା ' ଆଖି ବୁଜିଦେଲା। ମୋ ଜେଜେମା' କହେ ମୁଁ କାଳେ ଅଲକ୍ଷଣୀ, ମା'ଖାଇ। ଅନେକ ଜନ୍ମର ପାପର ପରିଣାମ ହୋଇ ମୁଁ ଆସିଥିଲି। ଘରଲୋକଙ୍କ ପକ୍ଷପାତର ଶିକାର ହୋଇ ବଡ଼ହେଲି, ବିନା ମା' ଘର ଚଳାଇବା କାଠିକର ପାଠ। ଜେଜେମା'ଙ୍କ ବୟସ ହେଲାଣି। ମୋତେ ଯାବତୀୟ କାମ ବତେଇ ଦିଅନ୍ତି। ସେଥିରେ ମୋର ପଢାପଢି ବ୍ୟାହତ। ପାଠ ପଢିବା ପାଇଁ ପ୍ରବଳ ଇଛା ଯେତେବେଳେ ରାତିରେ ଶୋଇବା ସମୟରୁ କାଟି ମୁଁ ପଢ଼େ। ବୁଝିନ ପାରିଲେ ଚୁପଚାପ ହୋଇରହେ। ଆଖି ସାମ୍ନାରେ ଭାଇପାଇଁ ଟ୍ୟୁସନ, ଭଲବ୍ରାଣ୍ଡେଡ ସାଇକେଲ, ଘଣ୍ଟା, ଜୋତା, ପୋଷାକ ସହ ସବୁପ୍ରକାର ଆରାମ ଓ ଅୟସର ସାମଗ୍ରୀ। ମନ ବିରୋଧ କରେ, ହେଲେବି ନିରବ ରୁହେ। ନଦୀ ନିଜ ଗନ୍ତବ୍ୟ ପଥରେ ଗୋଡି ପଥର ଦେଖି ଅଭିଯୋଗ କରେନି, ବଙ୍କେଇ ଟଙ୍କେଇ ନିଜ ପଥରେ ନିଜେ ଆଗେଇ ଯାଏ। ତାର ଜନ୍ମ ଓ ଲକ୍ଷ୍ୟ ସାଗରସହ ମିଶିବା। ଯେଉଁଠି ଅଭିଯୋଗ କରିବାର ଫାଇଦା ନଥାଏ , ସେଠି ନିଜ ରାସ୍ତା ନିଜେ ଖୋଜିନେବାକୁ ହୁଏବୋଲି ବୁଝି ସାରିଥିଲି ବହୁତ ଆଗରୁ । ସମୁଦାୟ ଦୁଇଶ ପଚାଶ ଟଙ୍କାରେ ମୋର ଓଡ଼ିଆ ମିଡ଼ିଅମ ସ୍କୁଲ ଶିକ୍ଷା ସମାପ୍ତି ଘଟେ। ଆମ ସମାଜରେ କୌଣସି ଜମିବାଡ଼ି ବିକି କିମ୍ବା ପେଟ ପକେଟରୁ କାଟି କିଏ ଝିଅକୁ ପଢ଼େଇବା ବିରଳ ଦୃଷ୍ଟାନ୍ତ। ପୁଅପାଇଁ ଏସବୁ କରିବା କିନ୍ତୁ କର୍ତ୍ତବ୍ୟ ଏବଂ ଖୁସି । ଅର୍କିଡ଼ପରି ଗଛ ଅନେକ ଶ୍ରମ ଓ ଧ୍ୟାନ ଆବଶ୍ୟକ କରେ । ବିନା ସାହାଯ୍ୟ, ବିନା ସହଯୋଗ ଅମରି ଲଟାବି ଆଗେଇ ଚାଲେ। ଦୁହିଁଙ୍କ ପଢା ପଢି ସେମିତି ଆଗେଇଚାଲିଲା। ଆଗକୁ ମୋ ବଡ଼ଭାଇ ଏମ. ବି. ଏ. ପଢିଲା। ହେଲେ ମୋ ପାଇଁ ବାପାଙ୍କ ଦୃଢ଼ ଆଦେଶ ସରକାରୀ ମହିଳା କଲେଜରେ ସିଟ ପାଇଲେ କଲେଜରେ ପାଠ ପଢିବାକୁ ଦିଆଯିବ, ନଚେତ ପାଠପଢ଼ାରେ ଡୋରି। ଭାଗ୍ୟକୁ ଆଦରି ଏବଂ ଭଗବାନଙ୍କ ଆଶୀର୍ବାଦ ଫଳରେ କଲେଜ ଆଡ଼ମିସନ ପାଇଁ ମୋର ଚୟନ ହୋଇଗଲା। ଖୁସିରେ ମୋର ଆଖି ଜକେଇ ଆସିଲା। ହେଲେ ମୋ ଖୁସି ଅଧିକ ଦିନ ପାଇଁ ତିଷ୍ଠି ନଥିଲା। ଘରଲୋକଙ୍କ ନିର୍ଯ୍ୟାତନା କାଫି ହେଲାନିଯେ, ଶାରୀରିକ ବ୍ୟାଧି ମୋ ରାସ୍ତାରେ କଣ୍ଟା ସାଜି ଛିଡା ହୋଇଗଲା। ଡାକ୍ତରଙ୍କ ନିକଟକୁ ଗଲେ ଚେକଅପ ନାଁ ରେ ଛୁଇଁବା ବାହାନା କରନ୍ତି, ପାଠ ବୁଝିବାକୁ ଚାହିଁଲେ କେହି କେହି ଶିକ୍ଷକ ଇଙ୍ଗିତରେ ପ୍ରେମାଳାପ କରନ୍ତି। ମୋ ବୟସ ଓ ମୋ ସୌନ୍ଦର୍ଯ୍ୟ ପାଇଁ ମୋର ପାଠପଢିବା ସହଜ ନଥିଲା ବୋଲି ଯେବେଠୁଁ ସାଙ୍ଗ ମାନଙ୍କ କଥାରୁ ଜାଣିଲି ସେବେଠୁ ଆଇନାଆଡ଼କୁ ମୁଁ ଘୃଣାରେ ଦେଖିବାକୁ ଲାଗିଲି। ଅନ୍ତରଙ୍ଗ ବାନ୍ଧବୀ ମାନଙ୍କୁ ପ୍ରିନସିପାଲ କିମ୍ବା ଶିକ୍ଷକ ମାନଙ୍କ ଅଶାଳୀନ ବ୍ୟବହାର ଓ କଥବାର୍ତ୍ତା ବିଷୟରେ କହିଲେ, ସେମାନେ ମିଳିମିଶି ମୋ ସହିତ ଏହା ବିରୁଦ୍ଧରେ ସ୍ୱର ଉଠାଇବାକୁ ରାଜି ହୁଅନ୍ତିନାହିଁ। ମୋର ଅନେକ ବାନ୍ଧବୀ ଏସବୁକୁ ଅସ୍ଥି ମଜ୍ଜାଗତ କରିନିଅନ୍ତି କିମ୍ବା ଭବିଷ୍ୟତ କଥା ଭାବି ପରିସ୍ଥିତି ସହିତ ସୁଲା କରିନିଅନ୍ତି। ଦିନେ ଶୁଣିବାକୁ ପାଇଲି ମୋର ଗୋଟେ ହଷ୍ଟେଲ ରୁମମେଟ ସହ ଖୁବ ଖରାପ ହେଲା। କଲେଜର ଅଧ୍ୟକ୍ଷ କୁଆଡେ ତାକୁ ବିବାହ କରିବାର ପ୍ରଲୋଭନ ଦେଇ ତା' ଦେହସହ ସହ ଅନେକ ଦିନହେଲା ଖେଳି ଆସୁଥିଲେ। ଶେଷରେ ବିବାହ କରିବାକୁ ଦାବୀ କରିବାରୁ ତା କଥାରେ କୌଣସି ମୌଳିକତା ନାହିଁ, ସେ ଏକ ମାନସିକ ରୋଗୀ କହି, ତାକୁ ଓ ତାର ଘରଲୋକଙ୍କୁ ସର୍ବସମ୍ମୁଖରେ ଲଜ୍ଜିତ କରାଇଦେଲେ। କଲେଜରୁ ନିଲମ୍ବିତ......ସମାଜରୁ ଏକଘରକିଆ.......ଅସହାୟ ଝିଅଟି ଅନେକ ଦିନର ଗଛିତ ମାନସିକ ଚାପ ସହି ନ ପାରି ଆତ୍ମହତ୍ୟାର ପନ୍ଥା ଆପଣେଇ ନେଲା। ଏସବୁ ମୋର ଏତେ ନିକଟରେ ଘଟିଗଲା ଯେ ମୁଁ ମୋ ଭବିଷ୍ୟତକୁ ନେଇ ସନ୍ଧିହାନ ହେଲି। ରାତି ରାତି ଶୋଇ ପାରିଲିନି। ଦେହ ମୁଣ୍ଡ ଝାଳେଇଗଲା।ଏପରି ଦୁର୍ଘଟଣାରୁ ଅକସ୍ମାତ ଭାବେ ନିଜେ ବର୍ତ୍ତି ଯାଇଛି ଭାବି ମନେ ମନେ ଧନ୍ୟବାଦ ଦେଲି ଭାଗ୍ୟ ଓ ବିଧାତାଙ୍କୁ। ପରୀକ୍ଷାଫଳ କିଛି ଆଶାତୀତ ହେଲାନାହିଁ। ଶେଷରେ କଲେଜରୁ ଯାଇତାଇ ମାର୍କ ସ୍କୋର କରି ପାସ କରିବା ପରେ ବାପା ଆଉ ଆଗକୁ ପଢିବାକୁ ସୁଯୋଗ ଦେଲେନାହିଁ। ଅଳ୍ପ ପଢ଼ିଥିବାରୁ ପ୍ରସ୍ତାବତ ଆସିଲା, କିଛି ମନକୁ ନ ପାଇଲା ପରି। ପ୍ରାୟତଃ ଯୋଗ୍ୟବର ମାନେ ମାର୍କେଟରେ କୋଟି କୋଟି ଟଙ୍କାରେ ବିକ୍ରି ହେଉଥିଲେ। ମୋ ବାପାଙ୍କ ଠାରେ ନା ଥିଲା ଯୌତୁକ ଦେଇପରିବାର ସାମର୍ଥ୍ୟ ନା ମୁଁ ଗୋଟେ ଚାଉଳର ଗଢ଼ା, ଉର୍ବଶୀ କି ମେନକା। ତା'ବାଦ ଝିଅମାନଙ୍କୁ ଜୀବନସାଥି ଚୟନ କରିବାକୁ ସ୍ୱାଧୀନତା ବି ଆମ ସମାଜ ଦିଏ କେଉଁଠି? ପିଲାଟି ମନକୁନ ପାଇଲେ କରିବ କଣ? ସମ୍ମତି ଦେଲିନାହିଁ, ଚୁପରହିଲି। ବାପା କଥାଦେଇ ଅଟଳ। ମାମୁଁ, କାକା,ବାପାଙ୍କ ନିଷ୍ପତ୍ତିରେ ଏକାଠି ହୋଇଗଲେ ଏବଂ ମୋତେ ମୋ ଯୋଗ୍ୟତା ବିଷୟରେ ପ୍ରଶ୍ନ କରିବାକୁ ଲାଗିଲେ। ଆଜି ଭାବୁଛି, ସେମାନେ ଭୁଲିଗଲେ ଯେ ଝିଅକୁ ତାର ଯୋଗ୍ୟତା ପଚରା ଯାଏନାହିଁ, ତାକୁ ପୁଅ ପରି ସବୁପ୍ରକାର ସାହାଯ୍ୟ ସହଯୋଗ କରି ଯୋଗ୍ୟ କରିବାକୁ ପଡେ। ବୋଝଭାବି ବାହାଘର ଯାଇତାଇ ସମ୍ପନ୍ନ କରିଦେଇ ଦିନଟିଏ ଝିଅର ଏରୁଣ୍ଡି ବନ୍ଧ ମାଡିଲେନି କି ସୁଖ ଦୁଃଖ ବୁଝିବାକୁ ଆସିଲେନି ବାପଭାଇ। ଛୋଟ ଚାକିରୀ, ଲୋଭ ଅଧିକ, ସଂସ୍କାର କମ। ଏ ତିନୋଟି ଭୟଙ୍କର ମିଶ୍ରଣ ଆମ ସମାଜରେ ଯାବତୀୟ ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ଦିଏ। ସହିବା ବଦଳରେ ଘରକୁ ଫେରିଯିବାକୁ ମନସ୍ଥ କଲି। ବାପା, ଜେଜେମା ଓଲଟା କହିଲେ, "ଭୂଲ ଥାଉ ନଥାଉ ଗୋଡ଼ତଳେ ପଡିବା ଶିଖ। ପିଲାପିଲି ହୋଇଗଲେ ସବୁ ଠିକ ହୋଇଯିବ।" ମୋ ସ୍ୱାମୀ ପ୍ରକାଶଙ୍କ ହାତରେ ମୁଠାଏ ପଇସା ଓ ନୂଆ ବାଇକ ଚାବି ଦେଇ ଭାଇ ନେଇ ଛାଡି ଆସିଲା ପୁଣିଥରେ ସେ ନର୍କରେ । ବିବାହ ପରଠାରୁ ମୁଁ ଗର୍ଭବତୀ ହେବା ଭିତରେ ମୋ ବୈବାହିକ ଜୀବନ ଅନେକ ଝଡ଼, ତୋଫାନ, ସଂଘର୍ଷ ଏବଂ ଭୁସ୍ଖଳନର ସାମ୍ନା କରି କରି ନୂଆ ସଦସ୍ୟ ଟିଏସେ ଘରକୁ ଆସିବାରେ ଯେଉଁ ଉତ୍ସାହ ଥାଏ ତାହା ମୋ ଭିତରେ ନଥିଲା। ଡାକ୍ତର ପ୍ରକାଶଙ୍କଠାରୁ ପଇସା ନେଇ କହିଦେଲେ ମୋ ଗର୍ଭରେ କନ୍ୟା ଅଛିବୋଲି। ପ୍ରକାଶଙ୍କର ଡକ୍ଟରଙ୍କୁ କହିବା ଅନୁଯାୟୀ ସେ କାଳେ ଏକ ଅବାଂଛିତ ଭୃଣ। ସତ କଥା। ହସ୍ପିଟାଲ ବେଡ଼ରେ ପଡି ମୁଁ ଅନ୍ୟମନସ୍କ ଥିଲି। ଝର୍କା ସେପାଖ କେତକୀ ଫୁଲର ହାବୁକାଏ ବାସ୍ନା ମୋ ମୃତତନ୍ତ୍ରୀରେ ପ୍ରାଣ ସଂଚାରକଲା... କେତକୀ ଅଭିଶପ୍ତା, କହନ୍ତି.... ଶିବଙ୍କ ଆଗରେ ଜ୍ୟୋତିର୍ଲିଙ୍ଗର ଆଦି,ଅନ୍ତ ଦେଖି ଥିବାର ମିଛ ସାକ୍ଷୀ ଦେଇଥିବାରୁ ସେ କାଳେ ଶିବପୂଜାରେ ଲାଗେ ନାହିଁ। ସାକ୍ଷୀ ଦେବାକୁ କିନ୍ତୁ ତାକୁ ବ୍ରହ୍ମା ହି ତ ବାଧ୍ୟ କରିଥିଲେ। ହାଏରେ ପୁରୁଷ! ସ୍ତ୍ରୀ ର ବିଶ୍ୱାସ ସହ ଖେଳିବା ଓ ତାକୁ ଅପରାଧୀ କରି ଶାସ୍ତି ଦେବା ସହଜ- ଏହାହିଁ ତ କରି ଆସିଛି ସମାଜ!! ସୁରୁଜ ଯେତିକି ମଥା ଜଳାଏନାହିଁ, ତାଠୁ ଅଧିକ ପାଦ ଜଳାଏ ଉତ୍ତପ୍ତ ବାଲି। ମୁଁ ବୁଝି ସାରିଥିଲି ପ୍ରକାଶ ଓ ମୋ ବାପାଙ୍କ ଭିତରେ କୌଣସି ପାର୍ଥକ୍ୟ ନଥିଲା। ମୋ ସହ ଏବଂ ଆମ ସମାଜରେ ଏପରି ଘଟୁଥିବା ଏପରି କଳ୍ପନାତୀତ ଅନ୍ୟାୟ ପାଇଁ ଉଭୟଙ୍କ ପରି ଚରିତ୍ର ଏକାଭାବେ ଦାୟୀ। ଏପରି ସ୍ଥିତିରେ ମୋ ଆଖି ଆଗରେ ମୋ ନିଜ ଜୀବନଚକ୍ରର ପୁନରାବୃତ୍ତି ହେବାକୁ ଦେବି କେମିତି? ଭଲହେଲା ମୋ ମା' ଅଧା ଜୀବନ ବଞ୍ଚି ଚାଲିଗଲା। ମୋର ନା ବଞ୍ଚିବାକୁ ସ୍ପୃହା ନା ଏ ଭୃଣଟିକୁ ବଞ୍ଚାଇବାକୁ। ସମାଜର ଅନ୍ୟାୟ ବିରୁଦ୍ଧରେ ବିରକ୍ତି, ଅବରୋଧ, ପ୍ରତିରୋଧ ଏସବୁ କେମିତି କେଜାଣି ମନ ଭିତରେ ପେଟ୍ରୋଲ ହୋଇ ସଞ୍ଚିତ ହୋଇଯାଏ। ଦିନେ ନା ଦିନେ ଦଗ୍ଧ ହୁଏ, ଆଶା ଜଳିଯାଏ, ଭସ୍ମହୁଏ ସ୍ବପ୍ନ। କେତେ ଆର୍ତ୍ତନାଦ କବିତା ହୋଇ ରଚାହୁଏ,କଲମ ମୁନରୁ ଝରେ କେତେ ଗଳ୍ପ କେତେ ଗାଳ୍ପିକଙ୍କ ଲେଖନୀରୁ ବହେ ଲୁହ। କେତେ ଦିନ ଆଉ? ବରଂ ସେ ନାରୀଜନ୍ମ ନେଇ ନ ହନ୍ତସନ୍ତ ହେଉ ବାପ ଦ୍ୱାରା, ପକ୍ଷ ପାତିତାକୁ ନ ସହୁ, ନ ସନ୍ତୁଳି ହେଉ ନିଜ ସ୍ବପ୍ନ, ଆକାଂକ୍ଷା ଓ ଅଧିକାରକୁ ନେଇ, ନ କୁହୁଳୁ କେଉଁ ପୁରୁଷର ସ୍ପର୍ଶକୁ ଡରି, ଶିକାର ନହେଉ ଅନର- କିଲିଂର , କୌଣସି ଚାପରେ ପଡି ବିବାହ ନ କରୁ, ନ ସଂଘର୍ଷ କରୁ ପୁରୁଷ ସହ ସମକକ୍ଷ ହେବାର ପ୍ରତିଯୋଗିତାରେ, ନ ଦିଆଯାଉ ତାକୁ ମିଥ୍ୟା ପ୍ରତିଶୃତି ଏକ ସମ୍ଭାବନା ଭରା ଭବିଷ୍ୟତକୁ ନେଇ। ସେ ନ ଜନ୍ମ ହେଉ । ଏ ଭୂମି,ଏ ସୃଷ୍ଟି ଏ ନାରୀ ଜାତି ସମସ୍ତେ ଜୀବନ ସହ ସାଲିସ ନୁହେଁ ବିରୋଧ କରନ୍ତୁ। ସ୍ତ୍ରୀ -ପ୍ରତି ନ୍ୟାୟ ନଚେତ ସ୍ତ୍ରୀ -ବିନା ଦୁନିଆ। ମୁଁ ଯାବତୀୟ ଅନ୍ୟାୟକୁ ନେଇ କନ୍ୟାଭୃଣ ହତ୍ୟାକୁ ସମର୍ଥନ କରୁଛି। ତା ସହିତ ମୁଁ ନିଜ ଜୀବନ ସମାପ୍ତ କରିବାକୁ ସ୍ଥିର କରି ସମସ୍ତଙ୍କ ଠାରୁ ଚିର ବିଦାୟ ନେଉଛି । ଇତି, ସୁମତି। ଦୁଇଟି ନିଷ୍ପାପ ପ୍ରାଣ ବଳି ପଡିଗଲା ସମାଜର ଅନ୍ୟାୟ ସହି ନ ପାରି।କେଜାଣି କାହିଁ କାହାରି ଆଖିରେ ଲୁହ ଟୋପେନଥିଲା। ଆଜିକାଲିର ମାମୁଲି କଥା। ସମସ୍ତେ ଲାସର ପୋଷ୍ଟ ମୋର୍ଟମ ପରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ।


Rate this content
Log in

Similar oriya story from Drama