STORYMIRROR

Gargi Mishra

Drama Fantasy Inspirational

4  

Gargi Mishra

Drama Fantasy Inspirational

ବୁଦ୍ଧ, ସାରିପୁତ୍ର ଓ ଗୁରୁପୂର୍ଣ୍ଣିମା

ବୁଦ୍ଧ, ସାରିପୁତ୍ର ଓ ଗୁରୁପୂର୍ଣ୍ଣିମା

3 mins
6


(ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା💐✨💫)

ସାରିପୁତ୍ର ମଗଧ ରାଜ୍ୟର ଏକ ସାଧାରଣ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ।

ପିଲାଦିନେ ସେ ନିଜ ବନ୍ଧୁଙ୍କ ସହ ଏକ ମନୋରଞ୍ଜକ କାର୍ଯ୍ୟକ୍ରମ ଦେଖି ଆନନ୍ଦିତ ହେଲେ। ତାଙ୍କୁ ପୁନର୍ବାର  ଦେଖିବାକୁ ଇଚ୍ଛାହେଲା। ତହିଁ ପରଦିନ ପୁଣି ସେହି ସମାନ ମନୋରଞ୍ଜକ କାର୍ଯ୍ୟକ୍ରମ ଦେଖିଲେ ଓ ଅମୋଦିତ ହେଲେ। ତୃତୀୟ ଦିନ ମଧ୍ୟ ସମାନ କଥା। କିନ୍ତୁ ତାଙ୍କୁ ପ୍ରଥମ ଦିନ ପରି ଉତ୍ସାହିତ ଦେଖା ଗଲାନାହିଁ। କ୍ରମାଗତ ଭାବେ ତାଙ୍କ ଉତ୍ସାହ ହ୍ରାସ ପାଇଲା। ସେ ଭାବିଲେ ଏହାର କାରଣ କଣ ହୋଇପାରେ? 

ଖୁସି କଣ ମନ ଭିତରେ ରଙ୍ଗ ବଦଳାଉଥାଏ? ଖୁସି ଓ ତୃପ୍ତି ଏହା ଭିତରେ କଣ କିଛି ପାର୍ଥକ୍ୟ ରହିଛି? ଏହାର ଉତ୍ସ ଖୋଜିପାଇବା, ଯାହାକୁ ଉପଶମ କରିବାପାଇଁ ମନୁଷ୍ୟକୁ କଣ କରିବାକୁ ହେବ? ଉତ୍ତର ଅନ୍ୱେଷଣରେ ସେ ଭଗବାନ ବୁଦ୍ଧଙ୍କ ଶରଣ ନେଲେ।  ବୁଦ୍ଧ ତାଙ୍କର ଶିଷ୍ୟମାନଙ୍କୁ କଷ୍ଟଲବ୍ଧ ଜ୍ଞାନାମୃତ ପ୍ରଦାନକରି ସେମାନଙ୍କ ଆତ୍ମିକ ତୃଷ୍ଣା ମେଣ୍ଟାଇବାରେ ସକ୍ଷମ ହେଲେ।

ବୁଦ୍ଧଙ୍କ ସଙ୍ଘର ସମସ୍ତ ଶିଷ୍ୟଙ୍କ ଶିକ୍ଷା ସମାପ୍ତି ହେଲା।  ପରେ ପରେ ଜଣକ ପରେ ଜଣେ ପ୍ରସ୍ଥାନ କଲେ। ସାରିପୁତ୍ର କିନ୍ତୁ ବୁଦ୍ଧଙ୍କ ସାନିଧ୍ୟ ଛାଡି ଯାଇପାରିଲେ ନାହିଁ । ବୁଦ୍ଧ ପଚାରିଲେ,

"ବତ୍ସ,  ମୁଁ ତୁମର ଅଭିଳାଶିତ ଜ୍ଞାନ ପ୍ରଦାନ କରି ତୁମ୍ଭ ମାର୍ଗଦର୍ଶନ କରିସାରିଛି। କିଛି କାରଣରୁ ତୁମେ ସଙ୍ଘ ଛାଡି ଯାଇପାରୁନାହଁ?  ଯାଅ, ଅନ୍ୟମାନଙ୍କୁ ନିଜ ଅର୍ଜିତ ଜ୍ଞାନ ବଣ୍ଟନ କର....ଏଠି କଣ ଆଉ ଅଛି ଯେ ତୁମେ ପଡିରହିଛ?"

ଉତ୍ତରରେ ସାରିପୁତ୍ରଙ୍କ ଛଳ ଛଳ ଆଖିରୁ କିଛି  ଅଶ୍ରୁ ନିଗିଡି ଗଲା...
କିଛି କହି ପାରିଲେନି।
ବୁଦ୍ଧ ମଧ୍ୟ ନିଜଠୁ ନିଜ ପ୍ରୀୟଶିଷ୍ୟ ଠାରୁ ଅଲଗା କରିବାର ସିଦ୍ଧାନ୍ତକୁ ନେଇ ଚିନ୍ତିତ। ଉଭୟଙ୍କ ଚିନ୍ତାଧାରା ଓ ବିଚାର,ବୁଦ୍ଧି ପରିପକ୍ୱ। ହେଲେ ଉଭୟଙ୍କ ଆତ୍ମା ଗଭୀର ଭାବେ ଜଡିତ ହୋଇସାରିଛି।  ତେଵେ କଣ ଉଭୟ ମୋହଗ୍ରସ୍ତ?  ଜ୍ଞାନ ମୋହର ପରିପନ୍ଥୀ। ଏ ଏପରି ଏକ ସତ୍ୟ ଯାହାର ମୃତ୍ୟୁ ନାହିଁ।

ଏ ସତ୍ୟଠାରୁ ନିଜକୁ କଣ ଦୁରେଇ ଦେଇହେବ?
ଦୁରେଇଦେବା କଣ ଠିକ ? ମନ ବିଚଳିତ, ଅନ୍ଧକାର ଗ୍ରସ୍ତ।
ବୁଦ୍ଧ ଚକ୍ଷୁ ମୁଦିତ କରି ଧ୍ୟାନ ଓ ଅନୁଶୀଳନ କଲେ।
ଶେଷରେ ଜାଣି ପାରିଲେ ଦୁହିଁଙ୍କର ପୂର୍ଵଜନ୍ମରୁ ସମ୍ପର୍କ। ପୂର୍ଵ ଜନ୍ମରେ ସାରିପୁତ୍ରଙ୍କର କିଛି କାର୍ମିକ ଋଣ ରହିଯାଇଛି ଯାହା ଉଭୟଙ୍କ ମୁକ୍ତିର ପଥରେ ଅବରୋଧକ ହେଉଛି। ତାହା ପରିଶୋଧ ନ କଲାଯାଏ ଉଭୟ ଜଡିତ ରହିଥିବେ ଏମିତି। ଦୁହିଁଙ୍କ ଭିତରେ ପ୍ରଗାଢ଼ ମୋହର ଉପଚାର କେବଳ ଆଧ୍ୟାତ୍ମିକ ସାଧନା ଆଉ ପ୍ରଭୁଙ୍କ ନିକଟରେ ସମର୍ପଣ ଆଉ କିଛିନୁହେଁ।

ଶେଷରେ ବୁଦ୍ଧ ସାରିପୁତ୍ରଙ୍କୁ ନିଜ ସବୁଠୁ ବିଶ୍ୱସ୍ତଛାତ୍ର ରୂପେ ଆଜୀବନ ନିଜ ସହଚର ହୋଇ ରହିବାକୁ ଅନୁମତି ଦେଲେ ଏବଂ ସାରିପୁତ୍ରଙ୍କୁ ନିଜ ପୂର୍ଵରୁ ମୋକ୍ଷ ପ୍ରାପ୍ତିର ଆଶୀର୍ବାଦ ଦେଲେ। ନିଜ ପୂର୍ଵଜନ୍ମର ରୁଣ ଏବଂ କର୍ମବନ୍ଧନ ସବୁଥିରୁ ମୁକ୍ତ ହୋଇ ବୁଦ୍ଧଙ୍କ ପୂର୍ଵରୁହିଁ ତାଙ୍କ କୋଳରେ ସାରିପୁତ୍ରଙ୍କଦେହାନ୍ତ  ସିନା ଘଟିଲା, ହେଲେ  ନିଜ ନିଷ୍ଠା ଏବଂ ଅଧ୍ୟବସାୟ ଦ୍ୱାରା ସେ ନିଜ ନାଁ ଜନମାନସରେ ସବୁଦିନ ଲାଗି ଅମର କରିଗଲେ। କେବେ ଗୁରୁଙ୍କ ଲାଗିଶିଷ୍ୟର ଭବିଷ୍ୟତ ଉଜ୍ଜଳମୟ ହୁଏତ କେବେ ଶିଷ୍ୟ ପାଇଁ ଗୁରୁଙ୍କ ନାମ ଗୌରବମୟ ହୁଏ ।
                        କହିବା ବାହୁଲ୍ୟ ଆଜିକାଲି ଯୁଗରେ ଗୁରୁଶିଷ୍ୟ ସମ୍ପର୍କ କଥା କାହାରିକୁ ଅଜଣା ନାହିଁ। ତେଵେ ଏହି ପରିପ୍ରେକ୍ଷୀରେ ଆମ ସମାଜରେ ତିନି ଶ୍ରେଣୀର ଛାତ୍ର ପ୍ରାୟତଃ ଦେଖିବାକୁ ମିଳନ୍ତି। ଶିଷ୍ୟ, ଭୃତ୍ୟ ଏବଂ ଭକ୍ତ। ଶିଷ୍ୟ ଗୁରୁଙ୍କ ନିକଟରୁ କେବଳ ଜ୍ଞାନ ଖୋଜେ। ଜ୍ଞାନ ପ୍ରାପ୍ତି ପରେ ମୁଁ କିଏ ତୁମେ କିଏ? ନିଜେ ନିଜର ବାଟ କାଟି ଯିଏ ଯୁଆଡେ ଚାଲିଯାଆନ୍ତି। ଭୃତ୍ୟ ହେଲେ ସହଯୋଗୀ, ବିଶ୍ୱସ୍ତ ଏବଂ ଅନ୍ତରଙ୍ଗ। ଅଧ୍ୟୟନ ହିଁ ସେମାନଙ୍କ ଚରମ ଉଦ୍ଦେଶ୍ୟ ନୁହେଁ, ବରଂ କୃତଜ୍ଞତା ବଶତଃ ଗୁରୁଙ୍କ ସବୁ କାମରେ ସହଯୋଗ, ଗୃହକାର୍ଯ୍ୟଏବଂ ଗୁରୁଦକ୍ଷିଣା ଆଦି ଅର୍ପଣ କରି ନାନାଦି ପ୍ରକାରେ ନିଜ ଆନ୍ତରିକତାର ପରିସ୍ଫୁଟନ କରିଥାନ୍ତି।  ଭକ୍ତ କିନ୍ତୁ ଗୁରୁଙ୍କୁ ଈଶ୍ୱର ଭାବି ତାଙ୍କ ସେବାରେ  ନିଜକୁ ସମ୍ପୂର୍ଣ ସମର୍ପିତ କରିଦିଏ।
                                       ହେଲେ ଏକ ଚିରସ୍ଥାୟୀ ପ୍ରଶ୍ନହେଲା ଗୁରୁ କଣ ଶିଷ୍ୟ ମାନଙ୍କ ଭିତରେ ପ୍ରଭେଦ କରନ୍ତି?  ଆମେ ଶ୍ରୀକୃଷ୍ଣଙ୍କ ଉପାଖ୍ୟାନ ଉଦାହରଣ ସ୍ୱରୂପ ନେଇ ପରିବା। ପ୍ରଭୁ କହିଥିଲେ "ମୋତେ ନା ମନ୍ଦିରରେ ଖୋଜି ପାଇବ ନା ବୃନ୍ଦାବନରେ... ନା ମଥୁରାରେ ନା ଦ୍ୱାରିକା ରାଜସିଂହାସନରେ।  ମୋର ଅବସ୍ଥିତି ରାଧାଙ୍କ ପାଦରେ, ମୀରାଙ୍କ କଣ୍ଠରୁ ଝରି ଆସୁଥିବା ସଂଗୀତ ମୂର୍ଚ୍ଛନାରେ ଏବଂ ଗୋପୀ ଓ ଭକ୍ତ ମାନଙ୍କ ନିରବ ଲୁହରେ.... ଯେଉଁଠି ନିର୍ମଳ ଶ୍ରଦ୍ଧା ଓ ଭକ୍ତି, ସେହିଠାରେ ମୋର ସ୍ଥିତି।" ଭକ୍ତ ଓ ଭଗବାନ ଉଭୟ ଅବିଛେଦ୍ୟ।

ପରମ୍ପରା କହେ, ଗୁରୁଙ୍କୁ ନ ମଣିବ ନର, ଗୁରୁହିଁ ପରମ ଈଶ୍ୱର। ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସମଗ୍ର ସୃଷ୍ଟି  ଏହି ମହାନ ପରମ୍ପରାର ଗରିମାକୁ  ଆଉଥରେ ସ୍ମୃତିରେ ଉଜ୍ଜୀବିତ କରୁ... ଯେତେବେଳେ ଆମେ ଆଧ୍ୟାତ୍ମିକତା ଆଡକୁ ଆମର ପାଦ ବଢା଼ଉ, ଆମକୁ ଆଧ୍ୟାତ୍ମିକତା ନିର୍ମୀମେଷରେ ଆପଣାଇ ନିଏ। ଶିକ୍ଷାର ମୂଳ ଉଦ୍ଦେଶ୍ୟ ଚରିତାର୍ଥ ହୁଏ।


Rate this content
Log in

Similar oriya story from Drama