ବାହୁଡା଼ ସମୟ
ବାହୁଡା଼ ସମୟ
ଶ୍ରଦ୍ଧା ଟିଭି ଦେଖୁ ଦେଖୁ ପଛକୁ ବୁଲି ଚାହିଁଲେ। ଝର୍କାବାଟେ ଚିଠିଟିଏ ଫିଙ୍ଗିଦେଇ ଡିଆଁ ମାରିଯାଇଛି କିଏ ଗୋଟାଏ ଲଫଙ୍ଗା। ବାଡ଼ି ପଛପଟ ଆମ୍ବଗଛ ମୂଳରେ ଖସ ଖସ ଶବ୍ଦ ଶୁଭୁଚି। ବଢିଲା ଝିଅ ଘରେ ଯେତେବେଳେ ରଙ୍ଗ ନମ୍ବର, ଚିଠି, ଗିଫ୍ଟ..ଏସବୁ ନୂଆ କଥାନୁହେଁ। ପଚାରିଲେ.. "କିଏ ସେଠି? କିଛି କହୁନ କାହିଁକି?" - ନିସ୍ତବ୍ଧତା ଗଲା କିଛି ଦିନର ରାଗ ଓ ବିରକ୍ତିର ମିଶ୍ରିତ ପ୍ରତିକ୍ରିୟା ତୀବ୍ର ହେବାକୁ ଲାଗିଲା। ଇଚ୍ଛା ହେଉଥିଲା ପାଖରେ ରାଇଫେଲ କି ରିଭିଲଭର ଥିଲେ ଶୁଟ କରି ଦିଅନ୍ତେ। ଖାଲି ଝିଅ କଲେଜ ଯାଉଛି, ତା' କଥା ଚିନ୍ତା କରି ଚୁପ ରହିଲେ। ଚିଠିଟା ଖୋଲି ଦେଖିଲେ ଶ୍ରଦ୍ଧା। ମନେ ମନେ ଭାବିଲେ, କଲମ ଫଲମ ମିଳିଲାନି..ତରତରିଆ ପେନସିଲ ଲେଖା ଚିଠି.. ସେଥିରେ ଅକ୍ଷର ସବୁ ଅଙ୍କାବଙ୍କା। ବହୁତ ଦିନ ପରେ କିଏ ଲେଖିଛି। ଚଷମା ଆଣି ପଢିଲେ "ଭାଉଜ, ଭୂମିଷ୍ଠ ପ୍ରଣାମ। ମୁଁ ପ୍ରକାଶ, ଆପଣଙ୍କ ସ୍ୱାମୀ ଜଗନର ସବୁଠାରୁ ଅଧିକ ଜିଗରି ଦୋସ୍ତ। ଗୋଟେ ମସ୍ତବଡ଼ ଭୂଲ ବୁଝାମଣା ପରେ ଆପଣ ତାକୁ ଛାଡି ନିଜ ବାପଘରେ ରହିବା ପରେ ସେ ଆମ ସହ କଥାବାର୍ତ୍ତା ବନ୍ଦ କରିଦେଇଛି। ସାଙ୍ଗର ଦୁଃଖ ସହି ହେଲାନି ଭାଉଜ, ଭାବିଲି ଆଜି ଆପଣଙ୍କ ଆଗରେ ସବୁ ସତ ସତ କହିବାକୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେ ପେଶାରେ ମୁଁ ଜଣେ ପକ୍କା ଯୁଆଡ଼ି ଥିଲି। ବର୍ତମାନ ମୋର ନିଜର ବ୍ୟବସାୟ। ଆମ ପରି ଗୋପୀନାଥ, ଚୈତନ୍ୟ, ସୁକଣ୍ଠ ଏ ଚାରିଜଣଙ୍କୁ ମିଶାଇ ଆମର ଗୋଟେ ଗ୍ୟାଙ୍ଗ ଯାହାର ଲିଡର ହେଉଛି ଜଗନ। ଆପଣ ଆମକୁ ମନଇଚ୍ଛା ଗାଳି ଗୁଲଜ କରି ପାରନ୍ତି କାରଣ ଆପଣଙ୍କ ସୁନା ସଂସାର ଯେଉଁ ଘନ ଅନ୍ଧକାରର ବାଦଲ ଭିତରେ ଆଜି ହଜିଯାଇଛି, ତା' ଅନେକାଂଶରେ ଆମପାଇଁ। ଆମ ପିଲାବେଳ ବିଷୟରେ ସମ୍ୟକ ସୂଚନା ଦେବି। ବାପା ତାର ଗାଁର ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ। ମା' ଛେଉଣ୍ଡ ଜଗନଟା ହିଁ ତାଙ୍କର ସର୍ବସ୍ବ। ଧାଈମା' ପୁଷ୍ପ ତାକୁ କୋଳେଇ କାଖେଇ ବଡ଼ କରିଥିଲା। ସାହିରେ ସମବୟସ୍କ ପିଲାମାନେ ସାଙ୍ଗ ହୋଇ ବଢିଲା ଭିତରେ ତୁଳସୀ ଦୁଇ ପତ୍ରରୁ ବସିବା ପରି ସେ ତାର ମହକରେ ନିଜର ସ୍ୱାତନ୍ତ୍ରକୁ ପ୍ରତିପାଦିତ କରିଥିଲା। ଆମେ ସାହୁବାବୁଙ୍କ ବାଡ଼ିରେ ବାଟୁଳିଖାଡା ମାରି ଜାମୁକୋଳି ପାରିଲା ବେଳେ ସେ ଟ୍ୟୁସନରେ ବସିଥାଏ... ଆମେ ଝିଅ ମାନଙ୍କୁ ଥଟ୍ଟା ଟାପରା କରିବା,ଖତେଇ ହେଲାବେଳେ ସେ ସେମାନଙ୍କ ସହିତ ସମ୍ମାନ ଓ ମର୍ଯ୍ୟାଦାର ସହ କଥାହୁଏ। ଦରକାର ପଡିଲେ, ସେମାନଙ୍କ ସୁରକ୍ଷା ପାଇଁ ଗାଁ ଶେଷମୁଣ୍ଡ ଯାଏ ଚାଲିଚାଲି ଯାଇ ତାଙ୍କୁ ଘରେ ଛାଡି ଆସେ। ମଉସା ପାଠଢ଼େଇ ବସିଲେ, ସୁକଣ୍ଠ ଇଲେକ୍ଟ୍ରି ଖୁଣ୍ଟ ଚଢି ଲାଇନ ତାର କାଟିଦେଇ ଆସେ... ମାସେ ପରେ ନୂଆ ତାର ଲାଗିବା ଯାଏ ଆମେ ଗାଁ ଦାଣ୍ଡରେ ବାଗୁଡ଼ି ଖେଳୁ। ଆମ ପରି ଦଣ୍ଡା ବାଳୁଙ୍ଗାଙ୍କ ସହିତ ମିଶିଲେ ମଉସା ରାଗି ରୋଷଇ ବନ୍ଦ କରିଦିଅନ୍ତି। ଏଇ ଗୋପୀନାଥ ନିଆଁ ଜାଳି ବାଡ଼ି ବାଇଗଣ, ଟମାଟୋ, ଧଣିଆ ପତ୍ରରେ ଲଙ୍କା ରସୁଣ ଦଳି ପଖାଳ ବେଲେ ଲେଖା ଖୁଆଇ ଦିଏ ତାକୁ। ଆମ ସାଙ୍ଗରେ ଖୁବ ଘନିଷ୍ଠହେଲେବି ସାରୁପତ୍ରର ବର୍ଷା ଟୋପା ସେ। ଆମପରି ବସ୍ତିର ଅଳିଆଙ୍କ ସହ ଯେତେ ଘଣି ହେଲେବି ତାର ପାଠ ପ୍ରତି ଜବରଦସ୍ତ ପ୍ରତିଶୃତି କଥା ଆଦୌ ଭୁଲେନି। ବର୍ଷସାରା ଖେଚଡଡ଼ାମୀ ପରେ ଚାରିଜଣ ଜଗନ ଲେଖିଥିବା ପରୀକ୍ଷା ଖାତା ଅଦଳ ବଦଳ କରି ପାସ କରିଯାଉ। ଦିନେ ବ୍ରଜ ସାର ଯାଇ ମଉସାଙ୍କୁ ସବୁ ବୃତ୍ତାନ୍ତ ଶୁଣାଇଲେ, ଘରେ ମାଡ଼ ଗୁଡ଼େ ଖାଇଲା ପଛେ ଆମକୁ ଧରା ପକେଇଲାନି। ତା ଛଡା ମଉସା ଗୁଣ୍ଠେ ଉର୍ବର ଚାଷଜମି ସାହୁକାର ପାଖରେ ବନ୍ଧାରଖି ବଡ଼ ଇଂଲିଶ ମିଡ଼ିଅମ ସ୍କୁଲରେ ତା ଆଡ଼ମିସନ କରିଦେଲେ। ଜଗନ ଘର ଦୁଆର ଆମପାଇଁ ସବୁଦିନ ପାଇଁ ପଡିଲା। ଆଉ ଗପସପ, ଦେଖା ଚାହାଁ, କଥା ବାର୍ତ୍ତା, ହସାହସି ନାହିଁ। ତଥାପି ଆମ ସ୍କୁଲ ହତା ଡେଇଁ ତା ସ୍କୁଲ ଯାଇ ତାକୁ ଦେଖା କରିବାକୁ ଘଡିଏ ଲେଖା ଛିଡାହେଲୁ। ସେ ପାଠ ବୁଝାଇଲା। ଦିନେ ତା' ଦିଦି ଆମଗାଉଁଲି ବେଶ ଭୁଷା, ଠାଣି ମାଣି ଦେଖି ଇଂରାଜୀରେ ପଚାରିଲେ, "ଆର ଦେ ୟୋର ଫ୍ରେଣ୍ଡସ? କେ ଗୋଟେ କହିଲା, "ନୋ ମ୍ୟାମ, ହି ଇଜ ଦେୟାର ଫ୍ରେଣ୍ଡ।" ସାରା କ୍ଲାସ ଫେଁ ଫେଁ ହୋଇ ହସିଲା, ଆମେ ଓଡ଼ିଆ ସ୍କୁଲ ପିଲା ସେଦିନ କିଛି ବୁଝି ନ ପାରି ତାକୁ ଅର୍ଥ ପଚାରିଲୁ। କହିଲା, "ଅର୍ଥ ହେଲାଆଉ ଆସିବନି ଏଠିକି, ନିଜପାଠ ନିଜେ ପଢ଼, ନିଜେ ବୁଝ।" ରୁକ୍ଷ ଲାଗିଲା ଭାଉଜ...ଫେରିଆସିଲୁ। ଲାଗିଲା ସେ ଆମକୁ ଥଟ୍ଟା କରୁଛି... ଇଂରାଜୀ ଭାଷା, ବଡ଼ ସ୍କୁଲ ଆମ ଭିତରେ ପାଚେରୀ ଟାଣି ଦେଇଥିଲା କି ଆମ ନିଜ ଭିତରେ ଥିବା ଆତ୍ମବିଶ୍ଵାସର ଅଭାବ କେଜାଣି? ଜଗନକୁ ବୁଝିବା ବଡ଼କଷ୍ଟ ଭାଉଜ। ପରିପକ୍ୱ ବୟସରେ ଆଜି ଏତିକି ଜାଣିଛି ଯେ ସମ୍ପର୍କ ଭିତରେ ବିଶ୍ୱାସ ଥିଲେ ସବୁ ଆପଣା ଛାଏଁ ବୁଝି ହୋଇଯାଏ । ଜଗନ ଦୂରେଇନେଲା ନିଜକୁ... ତା' ଚାଲିଯିବା ତ ମର୍ମାହତ କଲା, ତା'ଠାରୁ ଅଧିକ ଦୁଃଖ ପରୀକ୍ଷା ଖାତା ଏବେ ଦେଖାଇବ କିଏ? ରେଜଲ୍ଟ ଖରାପ ହେବା ଡରରେ ରାତି ରାତି ଭଣ୍ଡାମୀ ଛାଡି ପାଠପଢ଼ି ପାସ କଲୁ। ଜଗନର ଦୁରେଇ ଯିବା ନିଜକୁ ନିଜେ ଆବିଷ୍କାର କରିବାକୁ, ନିଜକୁ ଭଲପାଇବାକୁ ଶିଖାଇ ଦେଲା । ବିଛିନ୍ନ ହେବାର ଦୁଃଖ ବିନିମୟରେ ନିଜେଦମରେ ନିଜ ଗୋଡ଼ରେ ଛିଡା ହେବାର ମଜା ଅଲଗା।ଏହାକୁ ଆପେକ୍ଷିକ ଖୁସି କହନ୍ତି ବୋଧହୁଏ...ରେଜଲ୍ଟ ବାହାରିବା ଦିନ ଜଗନ ଗଦଗଦ ହୋଇ ଆମ ବେକରେ ଓହଳି ପଡିଲା। ଗୋପୀନାଥ ସେଦିନ ବାଡ଼ି ପଟେ ରାନ୍ଧିଲା ଭାତ, ଡାଲି, ଦେଶୀ କୁକୁଡା ଝୋଳ ଓ ଆମ୍ବ ଖଟା । ବାସ୍ନାରେ ନାକ ଫାଟି ପଡୁଥାଏ। ଆମ ସମସ୍ତଙ୍କ ଠୁଁ ଆଗରେ ସରକାରୀ ଚାକିରୀ ପାଇଗଲା ଜଗନ। ଚୈତନ୍ୟ ବାପ କଥାରେ କୌଳିକ ବୃତ୍ତି ଚାଷ ବାସ କୁ ଆପଣେଇ ନେଲାପରେ ତାକୁ ଟ୍ରାକ୍ଟର ଗିଫ୍ଟ ଦେଲା। ଦିନେ ଲାଇନ ଖୁଣ୍ଟି ଚଢ଼ୁଥିବା ସୁକଣ୍ଠକୁ ଦିଲ୍ଲୀ ଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ଦେବା, ଗୋପୀନାଥକୁ ଗାଁ ସ୍କୁଲର ପିଅନ ଚାକିରୀ ଛଡାଇ ଶେଫ ଭାବେ ପଞ୍ଚ ତାରକା ହୋଟେଲରେ କାମ ଯୋଗାଇବା ପଛରେ ଜଗନର ହିଁ ହାତ। ବୈଷୟିକ ଶିକ୍ଷା ସାରି ମୁଁ ଦୁବାଇ ଗଲି ସୁପରଭାଇଜର ହୋଇ। ମଝିରେ ଘୋଡା ଦୌଡ଼, ଗ୍ୟାମ୍ବଲିଙ୍ଗ ଆଦିରେ ପଇସା ଲଗାଇଲି। ବାଟକୁ ଫେରିଆ ବୋଲି ଅନେକ ଅନୁରୋଧ କଲା ଜଗନ। ଶୁଣିଲିନି ତା' କଥା। ବାପା ମା ମୁହଁଦେଖିବାକୁ ଝୁରିଲେ, ଅଭିମାନ କଲେ। ଘର ଘର କଥା। ଏପଟେ ପଇସା ଆସୁଛି, କାହାକଥାକୁ ଭୃକ୍ଷେପ କାହିଁ? ବହୁତ କମେଇଲି। ଗାଁରେ ବାପା ବୋଉ ରହିବା ଲାଗି ବଙ୍ଗଳା ବନେଇବା ଆରମ୍ଭ କଲି। ସେମାନେ ଘରକାମ ସରିବା ପୂର୍ଵରୁ ହିଁ ଆଖିବୁଜିଦେଲେ। ଶେଷ ବେଳକୁ ପାଖରେ ନଥିଲି ମୁଁ, ଥିଲେ ଜଗା, ଚଇତା, ଗୋପୀ, ସୁକ ଆଉ ମୋ ବନ୍ଧୁମାନେ । ବର୍ଷ କେଇଟାରେ ଜାଣିଲି ମୋର ମୋଟା ବ୍ୟାଙ୍କ ବାଲାନ୍ସ କେଡେ ତୁଚ୍ଛ। ମା'ବାପାଙ୍କ ଆତୁର ଡାକ ବିକି ଯେଉଁ ପଇସା ଆସେ ସେ ପଇସା ବି ପାଉଁଶ। ହେନା ଫୁଲବି ନିଜକୁ ନିଶାର୍ଦ୍ଧର ରାଣୀ ଭାବିବସେ ସକାଳ ପ୍ରଥମ କିରଣରେ ବୃନ୍ତଚ୍ୟୁତ ହେବାଯାଏ। ଆକାଶର ତାରା ପରି ଭାଙ୍ଗି ରୁଜି ପଥର ପାଲଟି ଖସି ପଡିଲା ସବୁ ସ୍ବପ୍ନ ସବୁ ସମ୍ଭାବନା। ଶେଷରେ ଦିନେ କମ୍ପାନୀକୁ ରେଜିଗନେସନ ଫିଙ୍ଗି 'ଫାର୍ଷ୍ଟ ଫ୍ଲାଇଟ' ଧରି ପଳେଇ ଆସିଲି ଭାରତ। ଏଠି ନିଜ ଉଦ୍ୟମରେ ବ୍ୟବସାୟ କରୁଛି କେବଳ ଜଗନର ସାହାଯ୍ୟ ଏବଂ ପ୍ରେରଣା ପାଇଁ। ସେ ଆପଣଙ୍କୁ ନ ଜଣେଇ ଆମ ସହ ରୀତିମତ ସମ୍ପର୍କରେ, ଆମ ସୁଖ ଦୁଃଖରେ ଆର୍ଥିକ ଏବଂ ମାନସିକ ରୂପେ ସାହାଯ୍ୟ କରିଆସୁଛି। ଆପଣ ତା ଆକାଉଣ୍ଟରୁ ପ୍ରମିଳା ଦାଶଙ୍କୁ ଚାରି ଲକ୍ଷ୍ୟ ଟଙ୍କା ବ୍ୟାଙ୍କ ଟ୍ରାନ୍ସଫର ଦେଖି ପ୍ରଶ୍ନ କରିଥିଲେ ସିନା ଉତ୍ତର ପାଇନଥିଲେ ନା? ନା ମଉସାଙ୍କୁ ଆମ ବିଷୟରେ କହିଥିଲା ନା ଆପଣଙ୍କୁ କହିବ.. ଉତ୍ତର ନ ପାଇବାର ଦୁଃଖ ମୁଁ ଜାଣେ। ସେ ନ କହିଲେ ଆଜି ପରିସ୍ଥିତି ସମ୍ଭାଳି ହେବା କଷ୍ଟ। ତେଣୁ ତା ଅବ୍ୟକ୍ତ କଥା ମୁଁ କହୁଛି। ତାର ଭୂଲ ରହିଲା କେଉଁଠି? ଅନୈତିକ ସମ୍ପର୍କ କଥା ଆପଣ ଉଠାଇଥିଲେ ଓ ଉଚ୍ଚ ସ୍ୱରରେ କଠିନ କଥା ଶୁଣାଇ ଶେଷରେ ସେ ଆପଣଙ୍କୁ ଅସମ୍ମାନ କରିଥିଲା। ସଂସ୍କାର, ସଭ୍ୟତା ଆଦିର ଦ୍ୱାହିଦେଇ ଆପଣ ଘରଛାଡି ଚାଲିଗଲେ ଝିଅକୁ ନେଇ। ପରିସ୍ଥିତି ନେଇ ମଣିଷର ସଂସ୍କାର, ଶିକ୍ଷା, ନୈତିକତା କୌଣସି କାମରେ ଆସେନି, ଅନାୟାସରେ କଠିନକଥା କହି ମଣିଷ ନିଜଲୋକକୁ ଦୁଃଖୀ କରେ ଅଧିକାର ଭାବି । ଆପଣ ଜାଣନ୍ତି, ତାକୁ ମମତାର ସ୍ପର୍ଶର ଅଭାବ ଅନୁଭବ କରିବାକୁ ଦେଇନଥିବା ପ୍ରମିଳା ଦାଶ ହେଉଛନ୍ତି ତାର ଧାଈମା। ତାଙ୍କ କ୍ୟାନ୍ସର ଖବର ଶୁଣି, ଉପଚାର ପାଇଁ ସଙ୍ଗେ ସଙ୍ଗେ ପଞ୍ଚଲକ୍ଷ୍ୟ ଟଙ୍କା ବଢ଼ାଇ ଦେଇଥିଲା ଆଗ ପଛ ନ ଭାବି। କେମୋ ଚାଲିଛି। ଅନେକ କଥା ସେ ଆପଣଙ୍କୁ ଲୁଚାଇବା ଫଳରେ ଆପଣଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ଆପଣଙ୍କ ଜାଗାରେ ମୁଁ ଥିଲେ ଏ ସମସ୍ୟା ସୃଷ୍ଟିକାରୀ ମାନଙ୍କୁ ଜେଲରେ ପୁରେଇ ଦେଇଥାନ୍ତି। କିନ୍ତୁ ଭାଉଜ ସାଧାରଣତଃ, ସାଙ୍ଗମାନେ ବଡ଼ଲୋକ ହୋଇଗଲା ପରେ ଆଉ ପଛକଥା ଭୁଲି ଯାଆନ୍ତି। ପିଲାଦିନର ଅଧମ ସାଙ୍ଗ ମାନଙ୍କୁ ଦିନେ ଚାହାଁନ୍ତି ନାହିଁ । ସେ କିନ୍ତୁ ସେପରି ନୁହେଁ। ଆପଣଙ୍କୁ କଣ ପଇଁ ଏସବୁ କହି ଚିନ୍ତାରେ ପକାଇବ? ତାର ଭୂଲ ହେଲା ଆମ ପରି ଦୁଃଖୀ ଅରକ୍ଷିତ ମାନଙ୍କ ପାଇଁ ଭଗବାନ ତାକୁ ବଡ଼ ହୃଦୟଟିଏ ଦେଇ ପଠେଇ ଦେଇଛନ୍ତି। ଆଉ ଶୁଣନ୍ତୁ, ଏ ଅଞ୍ଚଳର ସମସ୍ତ ଝିଅମାନଙ୍କ ଜଗନ ପ୍ରଥମ ପସନ୍ଦ ହୋଇଥିବା ବେଳେ ସେ କାହିଁ କେଜାଣି ଆପଣଙ୍କ ଆଖିରେ ନିଜ ମା' ର ଛବି ଉତୁରି ଆସିବାର ଦେଖିଥିଲା.... ସେକଥା କଣ ମନେ ପକାଇବାକୁ ହେବ ଭାଉଜ? ଯିଏ ବୃଦ୍ଧା ପ୍ରମିଳା ମାଉସୀର ଜୀବନ ବଞ୍ଚାଇବା ପାଇଁ, ନିଜ ସଂଚିତ ଆୟ ସହିତ ବୈବାହିକ ଜୀବନର ଶାନ୍ତି ଯାଏ ବାଜି ଲଗାଇ ଦେଇପାରେ, ସେ ତା ସତ ପ୍ରେମକୁ ବଞ୍ଚାଇବା ପାଇଁ କଣ ନ କରିପାରେ ଆପଣ କଳ୍ପନା କରିପାରିବେ? ଆପଣ ବସି ସତ ମିଛ ଫେଣ୍ଟା ଫେଣ୍ଟି ମନୋରଞ୍ଜକ ଫିଲିମ ଟିଭିରେ ଦେଖୁଛନ୍ତି, ଯାଇଛନ୍ତି, ଆମପାଇଁ ଜଗନ ଓ ଆପଣଙ୍କ ପ୍ରେମ କାହାଣୀଠାରୁ ଆଉ ଏକ ସତ୍ୟ, ରୋମାଞ୍ଚକର ଏବଂ ସମ୍ପୂର୍ଣ ନିଆରା କାହାଣୀ ଆଉ ସଂସାରରେ ନାହିଁ। ଆମେ ସମସ୍ତେ ଏ କିମ୍ବଦନ୍ତୀର ଭିନ୍ନ ଭିନ୍ନ ଚରିତ୍ର ରୂପେ ଏ କାହାଣୀକୁ ଜିଁଇଁଛୁ। ଏଇ ସୁଖ ଦୁଃଖ, ମାନ, ଅଭିମାନ, ଅସ୍ବୀକାର, ସ୍ବୀକାରୋକ୍ତି, ଅନୁଭୁତି,ସହାନୁଭୂତି, ଏଇ ହିଁ ଜୀବନ। ଆଜି ଆମ ଲକ୍ଷ୍ମୀ ପରି ଭାଉଜ ରାଣୀଙ୍କୁ ଘରକୁ ବାହୁଡ଼ି ନେବାପାଇଁ ସମସ୍ତେ ଆସିଛୁ। ଆଉ ଡେରି କାହିଁକି? କବାଟ ଫାଙ୍କରେ ଦେଖନ୍ତୁ କିଏ? ଶ୍ରଦ୍ଧା ଦୁଆର ଖୋଲି ଦେଖୁଥିଲେ ଜଗନ ନିଜେ ମନାଇବା ପାଇଁ ଆସି ଯାଇଛନ୍ତି। ହାତରେ ମିଠା ମିଠା ରସଗୋଲା ଆଉ ତା ଠୁଁ ମିଠା ତାଙ୍କ ହସ। ପଛରେ ଅପରାଧୀ ପରି ଠିଆ ହୋଇଥିଲା ପ୍ରକାଶ, ଚୈତନ୍ୟ,ଗୋପୀ ଆଉ ସୁକଣ୍ଠ। "ଆରେ ମୋର ସୁଗାର ଅଛି, ଜଣିକିବି...??" ଝିଅ ଆସି ଜଗନକୁ କୁଣ୍ଢାଇ ଧରି ଖିଲ ଖିଲ ହୋଇ ହସୁଥିଲା। ପାଛୋଟି ନେଇଥିଲେ ଶାଶୁ ଶ୍ୱଶୁର। ଜ୍ୱାଇଁଙ୍କ ସହ ଝିଅ ଫେରିଯିବ ଶାଶୂଘର। ବିଛେଦ ଓ ମିଳନର ମିଶ୍ରଣରେ ଆଖି ଓ ଆକାଶ ବର୍ଷଣମୁଖର ।ଅନିୟନ୍ତ୍ରିତ ଆବେଗରେ ଭରି ଉଠୁଥିଲା ବାହୁଡା ସମୟ ।

