Dinabandhu Mishra

Tragedy

2  

Dinabandhu Mishra

Tragedy

ଅବଶୋଷ

ଅବଶୋଷ

3 mins
135


ଗତକାଲି ରାତିରେ ସହରରେ ଦଙ୍ଗା ହେଇଯାଇଛି। ପୂର୍ଣ୍ଣ ଆଜି ବି ଘରକୁ ଫେରିନି। ମାଗି ନିଜର ୫ମାସର ଛୁଆକୁ କାଖରେ ଯାକି ଘୁରି ବୁଲୁଛି ସହରର ସମସ୍ତ ଡାକ୍ତରଖାନା, ନର୍ସିଂହୋମ ସବୁ। କେଉଁଠି ତାର ପତ୍ତା ମଧ୍ୟ ନାହିଁ। ବଡ଼ ଡ଼ାକ୍ତରଖାନାର ମର୍ଗ ଓ ପଡ଼ିଥିବା ଶବ ସବୁ ମଧ୍ୟ ଦେଖିସାରିଲାଣି କିନ୍ତୁ ପୂର୍ଣ୍ଣ ର କୈାଣସି ଖୋଜ ଖବର ନାହିଁ। ହାରି ଯାଇ ଥମ୍ କରି ବସିପଡ଼ିଲା ମାଗି ଡାକ୍ତରଖାନାରେ କେଉଁ ଯୁଗ ରୁ ଥିବା ସେଇ ପିପ୍ପଳ ଗଛ ମୂଳର ଚଉରାରେ। ପିଲାଟି ଭୋକରେ ଭେଁ ଭେଁ ରଡ଼ି ପକାଉଥାଏ। ନିଜ ଥନକୁ ତା ମୁହଁ ରେ ଗୁଞ୍ଜି ଦେଇ ସେ ଚିନ୍ତା କରୁଥାଏ - ଏବେ ଆଉ କେଉଁଠିକୁ ଯିବ.... ତା'ପରି ଅନେକେ ଘୁରି ବୁଲୁଛନ୍ତି ଅଜଣା ଶବ ସବୁକୁ ଘାଣ୍ଟି ଘାଣ୍ଟି ନିଜର ସମ୍ପର୍କୀୟ ମାନଙ୍କୁ ଖୋଜିବାରେ। ହଁ ଶବଗୃହ ଓ ଶବ ମାନଙ୍କୁ ରଖା ଯାଇଥିବା ସ୍ଥାନରେ ହିଁ ଲୋକେ ଖୋଜି ଚାଲିଛନ୍ତି ନମ୍ବର ଲାଗିଥିବା ଶବ, ଅଧା କଟା, ଅଧ ଜଳା, ବିଭତ୍ସ ମାଂସ ପିଣ୍ଡୁଳା ମାନଙ୍କୁ। ଶବ ମାନଙ୍କର ଆସିବା ଏ ପର୍ଯ୍ୟନ୍ତ ଥମି ନାହିଁ। ମ୍ୟୁନିସିପାଲିଟିର ଗାଡ଼ିରେ ପୁଣି ଆସୁଛି କିଛି ଶବ ଆଉ ଅଧିକାରୀ ମାନେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରି ଚାଲିଛନ୍ତି ସାଧାରଣ ଜନତା ଙ୍କ ପାଇଁ ସେଇ ଶବ ମାନଙ୍କ ମଧ୍ୟରେ ନିଜର ସମ୍ପର୍କୀୟ ମାନଙ୍କୁ ଖୋଜି ନେବା ପାଇଁ।


ମାଗି ନିଜ ଛୁଆକୁ ସମ୍ଭାଳି ନେଇ ପୁଣି ଧାଇଁଲା ଶବଗୃହ ଆଡ଼କୁ ଯେଉଁଠି କିଛି ନୂଆଁ ଶବ ଏବେ ଏବେ ଆସିଛି। ସେଠି ପହଞ୍ଚିଲା ବେଳକୁ ଲମ୍ବା ଲାଇନ୍ ଲାଗିଛି, ତା ନମ୍ବର ଆସିଲା ବେଳକୁ ରାତି ହେଇଯିବ। କିନ୍ତୁ ଅପେକ୍ଷା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା ତା'ର। ସେ ତ ଅପେକ୍ଷା କରିବ... ହେଲେ ଛୁଆଟା ଦହଗଞ୍ଜ ହେଇଗଲାଣି। ସବୁ ବେଳେ ରାହା ଧରି କାନ୍ଦୁଛି। ଏଇ ଦିପହର ଟାଇଁ ଟାଇଁ ଖରା ରେ କଅଁଳ ଛୁଆଟି କାଏଲା ହେଇଗଲାଣି। ଏପଟେ ରାତି ହେଇଗଲା ଆଉ ସେ ପଟେ ପୂର୍ଣ୍ଣ ଯଦି ଅନ୍ୟ କେଉଁଠି ଥାଇ ଫେରି ଆସିଥିବ... ତା ହେଲେ ବହୁତ ଅଡ଼ୁଆ ହେଇଯିବ। ଘରକୁ ଫେରିବା ପାଇଁ ମଧ୍ୟ ହାତରେ ଫଟା ପାହୁଲା ଟିଏ ନାହିଁ। ହଁ ଘର ବୋଇଲେ ନଦୀ କୂଳରେ ସେଇ ଝୁପଡି ବସ୍ତିର ସେଇ କୁଡ଼ିଆ, ଯେଉଁଠି ତା ଛୋଟିଆ ପରିବାର ମୁଣ୍ଡ ଗୁଞ୍ଜେ। ସେ ଯାହା ବି ହେଉ ମୁଣ୍ଡ ଗୁଞ୍ଜିବା ପାଇଁ ମୁଣ୍ଡ ଉପରେ ପ୍ଲାଷ୍ଟିକ ଓ ଭଙ୍ଗା ଆଜବେଷ୍ଟସ ର ଛାତଟିଏ ଥିଲା। ସେ ଆଉ ପୂର୍ଣ୍ଣ ଗାଁ ର ଟାହି ଟାପରା ମଧ୍ୟରେ ଅତିଷ୍ଠ ହେଇ ଚାଲି ଆସିଥିଲେ ଏ ସହରକୁ.... ଆଉ ଅନ୍ୟ ସର୍ବହରାଙ୍କ ପରି ସେମାନେ ମଧ୍ୟ ନଈ କୂଳରେ ଝୁପଡି ଟିଏ କରି ରହିବାକୁ ଲାଗିଲେ। ପୂର୍ଣ୍ଣ ବିଭିନ୍ନ ସ୍ଥାନରେ ମଜୁରୀଆ ଭାବରେ କାମ କରି ଯାହା ଆୟ କରେ.... ସେଥିରେ ସେମାନଙ୍କର ପରିବାର ଯେନତେଣ ପ୍ରକାରେଣ ଚଳି ଯାଉଥିଲା। ଆଜି କିନ୍ତୁ ଏ ଭୟାନକ ପରିସ୍ଥିତି ଭିତରେ ମାଗି ଖୋଜି ଚାଲିଛି ପୂର୍ଣ୍ଣକୁ... କହିବାକୁ ଗଲେ ପ୍ରକୃତରେ ପୂର୍ଣ୍ଣ ର ଲାସ୍ କୁ।


ସେ ଲାଇନ୍ ରେ ଛିଡା ହେଇ ନିଜ ଭିତରେ ବୁଡ଼ି ଯାଇଥିଲା.... ଆଜକୁ ପାଞ୍ଚ ଦିନ ହେଲା ପୂର୍ଣ୍ଣ ଘରକୁ ଫେରିନି। ଆଗରୁ କାମ ପାଇଁ କେବେ କେବେ ବାହାରକୁ ଗଲେ ଦୁଇ ତିନି ଦିନ ପରେ ଫେରି ଆସେ‌। କିନ୍ତୁ ଆଜିର ପରିସ୍ଥିତି ଖୁବ୍ ଅଲଗା... କୁଆଡେ ଗଲା। କାଲିର ଦଙ୍ଗା ପରେ ତା ମନ ଆଉ ମାନିଲା ନାହିଁ। ସେ ସହର ଭିତରେ ଭୂତୁଣୀ ଟିଏ ପରି ଘୁରି ବୁଲୁଛି ଏ ମୁଣ୍ଡରୁ ସେ ମୁଣ୍ଡ ତାରି ସନ୍ଧାନରେ।


ଶେଷ ଥର ପାଇଁ ସେ ପୂର୍ଣ୍ଣ କୁ ଦେଖିଥିଲା ୫ ଦିନ ତଳେ ସକାଳେ... ଯେତେବେଳେ ପୂର୍ଣ୍ଣ କାମକୁ ବାହାରିଥିଲା। ସେ ଦିନ ସେ ଘରୁ ନ ଖାଇ ଚାଲି ଯାଇଥିଲା। ମାଗି ତ ପୂର୍ଣ୍ଣ କୁ ସେ ଦିନ ଛାଡିବାର ଇଚ୍ଛା ନଥିଲା... ସେ ମନା କରିବାକୁ ମଧ୍ୟ ଚାହୁଁଥିଲା, କିନ୍ତୁ କିଛି କହି ନଥିଲା। କାହିଁକି ନା ପୂର୍ଣ୍ଣ ସହ ତାର ଦୁଇ ଦିନ ପୂର୍ବରୁ ଝଗଡ଼ା ହେଇଥିଲା... ଠିକ୍ ସେଇମିତି, ଯେମିତି ପ୍ରତ୍ୟକ ପରିବାରରେ ହୁଏ। ଏୟା ବି ତାର ମନେ ପଡ଼ିଲା ନାହିଁ ଯେ ଝଗଡ଼ା କେଉଁ କଥାକୁ ନେଇ ହେଇଥିଲା। ବୋଧହୁଏ ପୂର୍ଣ୍ଣ କୈାଣସି କଥାକୁ ନେଇ ରାଗି ଯାଇଥିଲା ଓ ଯାହାର ପ୍ରତିକ୍ରିୟା ସ୍ବରୂପ ମାଗି ମଧ୍ୟ ତା ସହିତ କଥାବାର୍ତ୍ତା ବନ୍ଦ କରି ଦେଇଥିଲା। ପୂର୍ଣ୍ଣ ର ରାଗ କ୍ଷଣସ୍ଥାୟୀ। ଯେମିତି ସେ ରାଗେ... କିନ୍ତୁ ପର ମୁହୂର୍ତ୍ତରେ ଶାନ୍ତ ହେଇଯାଏ। କିନ୍ତୁ ଏଥର ପୂର୍ଣ୍ଣ ମଧ୍ୟ ଦୁଇଦିନ ଧରି କିଛି କଥାବାର୍ତ୍ତା କରିନଥିଲା।


ସ୍ତ୍ରୀ ଲୋକ ମାନଙ୍କ କଥା ସେଇମାନେ ହିଁ ଜାଣନ୍ତି.... କେତେବେଳେ ଛୋଟିଆ ଛୋଟିଆ କଥାରେ ସେମାନେ ମନ ମାରି ଦେବେ ଯେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେବେ ଆଉ କେବେ ହଜାର ଅତ୍ୟାଚାର ଭିତରେ ନିଜେ ମରିଯିବେ ସିନା କାହାକୁ ଜାହିର ହେବାକୁ ଦେବେ ନାହିଁ। ସେ ଲାଇନ୍ ରେ ଛିଡା ହେଇ କେବଳ ଏହା ଭାବି ଚାଲିଥିଲା ... କାସ୍ ସେଇଦିନ ସେ ପୂର୍ଣ୍ଣ କୁ ରୋକି ଦେଇଥାନ୍ତା... କାସ୍ ସେ ଦିନ ସେ ପୂର୍ଣ୍ଣ ସହ ଦି ପଦ କଥା ହେଇ ଯାଇଥାନ୍ତା। ବେଳେ ବେଳେ ତା ମନରେ ଏଇ କଥା ମଧ୍ୟ ଉଙ୍କି ମାରୁଥିଲା - ଯଦି ପୂର୍ଣ୍ଣ ସତରେ ମରି ଯାଇଥାଏ, ତେବେ ଆଉ ସେ କେବେ ପୂର୍ଣ୍ଣ ସହ ଆଉ କଥାବାର୍ତ୍ତା କରି ପାରିବ ନାହିଁ। ଆଉ ପୂର୍ଣ୍ଣ ସହିତ ତା'ର ଦେଖା ସାକ୍ଷାତ ହେବ ନାହିଁ। ଏଇ ସମୟରେ ତା ମୁଣ୍ଡରେ ଏ ଚିନ୍ତା ନଥିଲା - ଆଗକୁ ଏ ପାହାଡ଼ ପରି ଜୀବନ ସେ ଜୀଇଁବ କିପରି? ଏଇ ଛୁଆଟିକୁ ନେଇ ବଞ୍ଚିବ କିପରି? କିନ୍ତୁ ତା ମନରେ କେବଳ ଏକ ଅବଶୋଷର ଝଡ଼ ବୋହୁଥିଲା - ଖାସ୍ ସେ ପୂର୍ଣ୍ଣ ସହିତ କଥା ଦି ପଦ ହେଇଥାନ୍ତା....


Rate this content
Log in

Similar oriya story from Tragedy